ଗୀତି ଗୁଚ୍ଛ
ଗୀତି ଗୁଚ୍ଛ
ବାପା ବଡ଼ପାଟି କରୁଥାଆନ୍ତି. ଘରସାରା କାଗଜ ପତ୍ର ଖେଳିଆ ହୋଇ ପଡ଼ିରହିଛି. ବୋଉ ଏମୁଣ୍ଡରୁ ଥରେ ତ ସେମୁଣ୍ଡରୁ ଥରେ ଲେଖାଏଁ ଖୋଜି ଚାଲିଛି. କାହିଁ ସେମିତି ହଳଦିଆ ଖାମ ତ କୋଉଠି ନାହିଁ. ଆଜିକାଲି ଚିଠି ନଥିଲେ ମଧ୍ୟ ବୋଉ ସଜାଡି ରଖିଥାଏ ବାହାଘର ନିମନ୍ତ୍ରଣ ପତ୍ର ସବୁକୁ. ଭାବେ କିଏ କେତେ ଶ୍ରଦ୍ଧାରେ ନିମନ୍ତ୍ରଣପତ୍ର ଛପେଇ କରିଛି ନିଜ ପୁଅ ବା ଝିଅ ବାହାଘର ପାଇଁ ବା ଝିଆରୀ ପୁତୁରା କାହାରି ପାଇଁ ବା ନିଜ ପୁଅ ଝିଅଙ୍କଏକୋଇଶିଆ,ଜନ୍ମଦିନ, ବ୍ରତଘର ଅବା ପାଲାପୂଜା ପାଇଁ କେତେ ଶ୍ରଦ୍ଧାରେ ଛପେଇ ପୁଣି ଦୁଆରକୁ ଆସି ନିମନ୍ତ୍ରଣ କରିଥିବା ଵ୍ୟକ୍ତି ବିଶେଷ କେହି ଦେଇଯାଇଥିବା ଶ୍ରଦ୍ଧାର ନିମନ୍ତ୍ରଣ ପତ୍ର ଗୁଡିକୁ ଫୋପାଡି ଚିରି ନଦେଇ ସାଇତି ରଖିଛନ୍ତି ଏଯାଏଁ ଗୋଟେ ଜରି ଖୋଳରେ ତ ତାକୁ ଫିଙ୍ଗା ଫୋପଡ଼ା କରି ଚାଲିଛନ୍ତି ବାପା. ଆଉ ବୋଉକୁ ଗାଳି ଦେଇଚାଲିଛନ୍ତି କହି କହି ଅଳିଆସବୁକୁ ସାଇତିରଖିଛ ହେଲେ ଦରକାରୀ କାଗଜପତ୍ର ସାଇତି ରଖି ପାରିଲିନି. ମୂର୍ଖ ସ୍ତ୍ରୀ ଲୋକ ଭାଗ୍ୟରେ ଥିଲେ ଏମିତି. ବୋଉ ପରସ୍ତେ ପରସ୍ତେ ଖୋଜି ଖୋଜି ଦେଖୁଥାଏ ତା ପୁଅ ଝିଅ ଆଜି ବିବାହ କରି ସାରିବା ପରେ ପୁଅ ଝିଅର ମାଆ ବାପା ହେଲାପରେ ମଧ୍ୟ ସେମାନଙ୍କ ପ୍ରଥମ ନାମଲେଖା ରିସିଟି, ପୋଲିଓ,ଧନୁଷ୍ଟଙ୍କାର ଇତ୍ୟାଦି ଟୀକାକରଣର ଚିରକୁଟି ସବୁତ ସାଇତି ରଖିଛନ୍ତି. ପୁଣି ବାପାଙ୍କ ପାଖକୁ ଆସୁଥିବା ଇଲେକ୍ଟ୍ରି ବିଲ ସବୁ, ଟେଲିଫୋନ ବିଲ ସହ ଘରର ଖଞ୍ଜଣା ପାଉଣା,ପାଉତି ଓ ଟିକସ ସବୁକୁ ମଧ୍ୟ ସାଇତି ଦେଇଛନ୍ତି ଗୋଟିଏ ଗୋଟିଏ ଜରିରେ.ଖାଲି କଣ ସେତିକି? ଅବସର ପରେ ବାପାଙ୍କ ପାଖକୁ ଆସୁଥିବା ଯେ କୌଣସି ସମାଜ କାଗଜ ଯୋଉଥିରେ କି ବାପାଙ୍କ ହାତଲେଖା କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି ବାହାରିଥାଏ, ସେସବୁକୁ ମଧ୍ୟ ଖୁବ ଯତ୍ନରେ ସାଇତି ସାଇତି ଏ ବୟସରେ ପ୍ରଶଂସା ବଦଳରେ ଗାଳି ମିଳୁଥିଲା ବୋଉକୁ.
ବାପା ଗୋଟାକ ପରେ ଗୋଟେ ଜରିରେ ସାଇତା କାଗଜ ପତ୍ର ଭିତରେ ଖୋଜୁଥିଲେ ତାଙ୍କ ହାତଲେଖା ପଚାଶଟା ଗୀତ.ବର୍ଷାଦିନମାନିଆଁ ଆଧୁନିକ ଗୀତ ଯାହାକୁ ସବୁ ସେ ରେଡ଼ିଓକୁ ପଠାଇଥିଲେ କେଵେ ଚାକିରୀରେ ଥିଲା ବେଳେ ତ ଏବେ ସେହି ଲେଖାଗୁଡିକ ମଗାଇପଠାଇଛନ୍ତି ରେଡ଼ିଓର ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଶାରିତ ଯୁବବାଣୀ କାର୍ଯ୍ୟକ୍ରମର ସୁପରିଚାଳକ. ଯାହା ସବୁ ଖୋଜି ଖୋଜି ବାପା ପାଉନାହାଁନ୍ତି ଆଉ ବୋଉ ଅପାରଗ, ଦାଇତ୍ୱହୀନ, ମୂର୍ଖର ଆଖ୍ୟା ପାଇ ଖୋଜିଚାଲିଛି କୋଉ ଅସିହା ମସିହାର କାଗଜ ପେଡି ପୁଟୁଳା. ତା ଭିତରେ ଥାଏ ଅଜାଙ୍କର ବୋଉକୁ ଲେଖିଥିବା ଚିଠି ବିଡା ସେହି ଚିଠି ବିଡା ବୋଉ ମାମୁଁଘରେ ରହି ପଢ଼ୁଥିବା ବେଳେ ଅଜା ଲେଖୁଥିଲେ ସେ ଚିଠି ସବୁକୁ ବୋଉ ପାଖକୁ. ସେଥିରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଂସ୍କାର ଓ ପରମ୍ପରା ଭିତ୍ତିକ ମୂଲ୍ୟବୋଧ.ଘର ତୋଳା କାମ ସାଙ୍ଗକୁ ଘର ଉପର ମହଲାରୁ ଦ୍ୱିତୀୟ ମହଲା ତୃତୀୟ ମହଲା ଯାଏଁ ବଦଳିଥିଲେ ବି ସେସବୁକୁ ଆଜିଯାଏଁ ସାଇତି ରଖିଥିବା ବୋଉ ଯେ କେଵେ ବାପାଙ୍କ ହାତଲେଖା କବିତା କେଇଫର୍ଦ୍ଦ ନସାଇତି ଫୋପାଡି ଫିଙ୍ଗି ଦେଇଛି ଏସବୁ ବୋଉର ଏକାନ୍ତ ନିଜର ପୁଅ ଝିଅ କେହି ବିଶ୍ୱାସ କରୁନଥିଲେ କିନ୍ତୁ ବାପାଙ୍କ ଖୋଜା ହଠାତ ଥମିଯିବା ଓ ବୋଉକୁ ଆଉ କିଛି ନକହି ବୋଉର ସେ ଅମୁଲ୍ୟ ସମ୍ପଦ ଚିଠିବିଡାଟିକୁ ପ୍ରକାଶ କରିବା ଯୋଗାଡ଼ ଯନ୍ତ୍ରରେ ଥିବା ବାପାଙ୍କୁ ପୁଅ ଝିଅଙ୍କ ସହ ଝିଅ, ଜୋଇଁ, ନାତି, ନାତୁଣୀ ସନ୍ଦେହ ଚକ୍ଷୁରେ ଦେଖୁଥିଲା ବେଳେ ସେଦିନ ବାପା ଖୁସି ହୋଇ ବୋଉକୁ ପ୍ରକାଶିକା, ସଂଯୋଜିକା ତଥା ସଂଗ୍ରାହିକା କରି ଅଜାଙ୍କ ଲିଖିତ ଚିଠିବିଡାଟିକୁ ବହି କରିଆଣି ଯେବେ କହୁଥିଲେ ଆଜି ରାତି ନଅଟାରେ ରେଡ଼ିଓରେ ମୋ ଗୀତ ପ୍ରଶାରଣ ହେବ ସମସ୍ତେ ଶୁଣିବା କହୁଥିଲେ ତ ସମସ୍ତେ ମିଳିତ ଭାବରେ ପଚାରୁଥିଲେ ଗୀତିଗୁଚ୍ଛ କୋଉଠୁ ମିଳିଲା. ବାପା ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଯେତେ ସଫେଇ ଦେବା ସହ ମିଛରେ ଭୂତ ନେଇଯାଇଥିଲା କହିଥିଲେ ମଧ୍ୟ ହଜିଥିବା କଥା ନିଶ୍ଚୟ ମିଛ ଓ ବାପାଙ୍କ ନିଜସ୍ୱ ସମ୍ପତ୍ତି ଫାଇଲବିଡା ଭିତରେ ନିଶ୍ଚୟ ରହିଯାଇଥିଲା ବୋଲି ସମସ୍ତେ ବାପାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲା ବେଳେ ବୋଉ କିନ୍ତୁ ଖୁବ ଖୁସିଥିଲା. ହଁ ମ ବାପାଙ୍କ ମନେ ନଥିବ କହି ସଫେଇ ଦେଉଥିଲା ତ ପିଲାଏ ଭାବୁଥିଲେ ବୋଉଟା ସବୁବେଳେ ବାପାଙ୍କ ପଟିଆ. ଆଉ ଏବେ ସହଜେ ତା ବାପାଙ୍କ ଲିଖିତ ଚିଠିବିଡ଼ାକୁ ବାପାଙ୍କ ସାହାୟତାରେ ଜୀବନ୍ତରୂପ ଦିଆଯାଇଛି ମାନେ, ଆଜି ଏ ବର୍ଷଣମୁଖରିତ ସନ୍ଧ୍ୟାରେ ବୋଉର ଖୁସି ଥିଲା ଅବର୍ଣ୍ଣନୀୟ.

