Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Pratima Das

Comedy


3  

Pratima Das

Comedy


•~~•ଘର •~~•

•~~•ଘର •~~•

7 mins 796 7 mins 796

ବିଦେଶରେ ଏମିତି ବି ସ୍ବାମୀ ସ୍ତ୍ରୀ ଅଛନ୍ତି, ଘର ଖଣ୍ଡିଏ ନ କରି ଆଜି ଏଇ ହୋଟେଲତ କାଲି ଅନ୍ୟ ହୋଟଲେରେ ରହି ଦିନ କାଟୁଛନ୍ତି,। ଏହା ଏକ ଦୁରୂହ ବ୍ୟାପାର ହେଲେ ମଧ୍ୟ, ସେମାନେ ଖୁବ୍ ଆହ୍ବାନବାଦୀ ତେଣୁ ପ୍ରତିକୂଳ ପରିସ୍ଥିତିରେ ଵି ମଜ୍ଜା ନେଇ ପାରନ୍ତି। ଆହୁରି ଅନେକ ଅଣ -ଓଡିଆ ପ୍ରବାସୀ ଅଛନ୍ତି ଯେଉଁମାନେ ସାରା ଜୀବନ ଭଡାଘରେ ବିତାଇ ପଇସାଟିକୁ ବେପାରରେ ଲଗାଇ ଥାନ୍ତି। କିନ୍ତୁ ଚକରାବାବୁଙ୍କ ନିଶା ଲାଗିଛି କେମିତି ନା କେମିତି ହେଉ ଗାଁ ଘରଖଣ୍ଡକ ବାଦେ ବେଶୀ ବଡ କୋଠା ନ ହେଲା ନାହିଁ ସହରରେ ଘରଖଣ୍ଡିଏ କରିବେ।


 ପିଲା ବେଳୁ କଟକ ନଗର ଧବଳ ଟଗର, ଜଳ ବରଷଇ ରଈତ ଚଷଇ ମାତ୍ରା ନଥିବା ଏ ପଦଟି ତାଙ୍କୁ ଭାରୀ ଆକୃଷ୍ଟ କରିଛି, ଏବେ ସାମାନ୍ୟ ବର୍ଷାରେ ନାଳନର୍ଦମା ପାଣିରେ କଟକ ଉଵୁଟୁବୁ ହେଲେବି। ତେଣୁ ଉତ୍କଳର ପୁରୁଣା ରାଜଧାନୀକୁ ଚକରା ବାବୁ ପିଲାବେଳୁ ପ୍ରେମ କରି ବସିଛନ୍ତି। କଟକରେ ଘର ଖଣ୍ଡିଏ କରିବାକୁ ଏକାଯିଦ୍।


        ଘରଣୀ ଦୁଲାଳୀ ଦେବୀ ସ୍ଥୂଳ ଶରୀର ହଲାଇ ନାକ ସୁଡୁ ସୁଡୁ କରି ଆସି କହିଲେ, ହଇଓ ସେଇ ମଟରସାଇକେଲ ଖଣ୍ଡକ ସଜାଡୁନ। ଜାଗା ଖୋଜିବ ବୋଲି ତାକୁ ଦିନରାତି କଟକ ସଦର, ଚୌଦ୍ୱାର କଟକ ପୁଣି କଟକର ବାଉନବଜାର ତେପନ ଗଳି କ୍ଷେପେଇ ନେଲ, ଘୁରେଇ ଘୁରେଇ ତା ତଳିପା ଛିଣ୍ଡେଇ ଦେଲ, ବିଚାରା ଅଇଖା ବାରଣ୍ଡାରେ ହାମୁଡେଇ ପଡିଛି । ଡବଲ ଷ୍ଟାଣ୍ଡ ମାରି କେଉଁ ଦୋଷରେ ତାକୁ ତ୍ୟାଗ କରିଛ ଶୁଣେ। ସିଏ ଭଲ ଗତିଶୀଳ ଥିଲାବୋଲି ଦୋଳମୁଣ୍ଡେଇ ଚାଟ୍, ଗୁପଚୁପ ଦହିବରା ଆଳୁଦମ ଟିକେ ପାଟିରେ ବାଜୁଥିଲା। ପିଲାମାନେ ସ୍କୁଲ କଲେଜରୁ ଆସିଲା ବେଳେ କ'ଣ ଆଣୁନାହାନ୍ତି, କିନ୍ତୁ କଣ ତାର ମଜା ଅଛି, ଘରକୁ ପଂହଚିଲା ବେଳକୁ ସେ ଚେମେଡା। ମସମସିଆ କଣ ନାଗୁଛି?? ଚାଟ୍ ଗୁପ ଚୁପ ଠେଲା ପାଖେ ଠିଆ ହୋଇ ଟିକେ ମିଠା ହୋଇ ଗଲା ରାଗ-ଖଟାପାଣି ଢାଳ, ଭଜା ଜିରା ପାଉଡର ଭାଇନା ଛିଂଚ ବା ମଜା ବାହାରୁନି ,ବିଟ ନୁଣ ଆଉଟିକେ ଦିଅ କହି କହି ଖାଇବାରେ ଯେଉଁ ମଜା,ପିଆଜ ରେଟ୍ ତ ବଢିନି ଭାଇନା ଚୂନାଚୂନା ପିଆଜ ଧନିଆପତ୍ର ଟିକେ ଚାରିଆଡେ ବୁଲାଇ .......ବୁଲାଇ ପକା। ମୋ ପାଟିରୁ ଲାଳ ଗଡିଲାଣି ଲୋ ମା କଣ କରିବି? ସେଥିରେ ପୁଣି ଆସିଲା ବେଳେ ଶୁଖିଲା ପାପଡି ଦିଖଣ୍ଡ ଉପରିଆ। ସିନେମା ଗୋଟେବି ଯାଇନି ଦିମାସ ହେଲା। ଏକା ସାଙ୍ଗରେ ପାଟି, ଜିଭ, ଆଖି ଓ ମନ ବିଦ୍ରୋହର ପତାକା ଧରିଲେଣି, ଶୁଣୁଛନା ନାହିଁ, ତେଣିକି ସମ୍ଭାଳି ପାରିବଟି?? 


     ଚକରାବାବୁ କିଛି ଯାଗାବାଡିର ଇସି, ଦଲିଲ, ପଟ୍ଟା ଇତ୍ୟାଦି ଛାନ୍- ବିନ କରୁଥିଲେ, .....କମ କଡା କାମକି?? 


    ସାଧାରଣ  ମଗଜ ..... ଲୋକଙ୍କ କାମ ଇଏ ନୁହଁ।ଚକରାବାବୁ ସେମିତି  ପାରିବାର ବୋଲି ୫୦/୬୦ ସରିକି ଯାଗାର କାଗଜପତ୍ର ଜାଞ୍ଚ କରି କେତେକାହାକୁ ପାଣି ପିଆଇ ବିଦା କଲେଣି। କେଉଁ ଯାଗାର ମାଲିକାନାସତ୍ବ ଠିକ୍ ନାହିଁତ କେଉଁ ଜାଗା ବ୍ୟାଙ୍କରେ ବନ୍ଧା ପଡିଛି, କେଉଁ ଜମି ବିକ୍ରି ସରିଛି, କେଉଁ ଜମି ଘରଡିହକୁ ବଦଳ ହୋଇନି। କେଉଁଠି ଜାଗା ଅଛି ହେଲେ ରାସ୍ତା ନାହିଁ,। କେଉଁ ଜାଗା ସମ୍ପୂର୍ଣ୍ଣ ସରକାରଙ୍କର, କିମ୍ବା ପାଣିଜୋର ଅଥବା ଗୋଚର, କିନ୍ତୁ ଦଲାଲ ନିଜ ପାରିବା ପଣିଆରେ ସବୁ ପ୍ରକାର କିଳାପୋତିଆ କାମକରି ତାକୁ ହାଇଟେକ୍ ଜମିରେ ରୂପାନ୍ତରିତ କରିଦେଇଛନ୍ତି ।

ଏତେ ଦିନକେ ଗୋଟେ ଭଲ ଯାଗା ଚଉଦଘରିଆରେ ମିଳିଛି, ତାକୁ ଛାନଵିନ୍ କରୁଥେଲେ ମନଧ୍ୟାନ ଦେଇ, ଘରଣୀଙ୍କ ଚାଟଗୁପଚୁପ ଦହିବରା ଖିଆ ମନ୍ତବ୍ୟ ସେଥିରେ ସଡନ୍ ବ୍ରେକ ମାରିଦେଲା ତେଣୁ ଚିହିଁକି ଉଠିଲେ ,କହିଲେ ତୁମେ କି ପ୍ରକାର ଓଲେଇ ଘରଣୀ କିଓ???? କ'ଣ ନା .....ଗୃହିଣୀ ଗୃହଲକ୍ଷ୍ମୀ।  ଲକ୍ଷ୍ମୀ ନା ......ଛେନାଗୁଡ!! ନା ଲକ୍ଷ୍ମୀଙ୍କ ପରି ତୁମର ....ଚାରିଟା ହାତ ଅଛି ନା ଏ ଦୁଇ ହାତ ଭିତରୁ କେଉଁ ହାତରୁ ସୁବର୍ଣ୍ଣମୁଦ୍ରା  ଝରୁଛି। ଭାବନା ଚେନାଏ ବି ନାହିଁ , ମୋ ସ୍ବାମୀ ଏତେ ବଡ ଗୁରୁ ଦାୟିତ୍ଵ କିପରି, କିପରି ଫଳପ୍ରସୂ କରିବାରେ ଲାଗିଛନ୍ତି। ....ଘରଣୀ ତୁନିକିନା କହିଲେ ,କାହିଁକି ବା ବାଡେଇ କଚାଡି ହେଉଛ ବେଳ ଆସିଲେ ଆପେ ହେବନି।। 


     କଣ କହିଲ?? କଣ କହିଲ??ମୁଁ ବାଡେଇ କଚାଡି ହୋଇ ନ ଲାଗିଲେ ନା ଯାଗା ଖଣ୍ଡେ ପାଇବ ନା ଏ କଟକ ସହରରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରିପାରିବ? ସବୁ ବେଳ ଆସିଲେ ହେବ, ସେ ବେଳ କେବେ ଆସିବ ??ଶଳାମାନେତ ମୋର କୋଠା ବାଡେଇ ଦେଲେ ଭୂବନେଶ୍ବରରେ,କାଇଁ କେଉଁ ଦିନ କହିଲେ ନାହିଁତ ନାକକାନ୍ଦୁରୀ ଗେଲବସରୀ ଚାଟଖାଇ ଭଉଣୀ କିପରି ଖଣ୍ଡେ ଘର କରିବ ,ତା କଥା ଟିକିଏ ବୁଝିବା!! 


         ଦୁଲାଳୀ ଦେବୀ ନାକ ସୁଡୁ ସୁଡୁ ସୁଁ ସୁଁ ଗତିକୁ 

ତୀବ୍ର କରିଦେଇ, କେଉଁ ବାପ ଅଜା ଅମଳରୁ ଶୁଣିଥିବା ବାକ୍ୟାଳାପକୁ ଦୋହରାଇ କହିଲେ ଦେଖ କିଛି ଭଲ ହେବନି କହି ଦେଉଛି ,ମୋ ଭାଇ ମାନଙ୍କ ନାମ ଧରିଛ ଯଦି? ମୋ ଭାଇମାନେ ଘରକଲେ କି ଦ୍ବାରକଲେ ତମର କଣ ଗଲା ହୋ?? ମୋ ଭାଇମାନେ ନିଜ ସିଂଗରେ ମାଟିତାଡି କୋଠା ବାଡେଇ ଛନ୍ତି, ତୁମଭଳି ନପାରିବାର ନୁହନ୍ତି ସେମାନେ। ଦିନେତ କାଇଁ 

ମୋ ଭାଉଜମାନଙ୍କୁ ଝିଗାଂସି କଥା କୁହନ୍ତିନି ଭାଇମାନେ । ଓଲଟା ହାତେ ମାପି ଚାଖଣ୍ଡେ ଚାଲିଲା ପରି, ଭାଉଜମାନଙ୍କ ଆଗରେ ନତମସ୍ତକ ହୋଇ ଚଳନ୍ତି। ଧିରକରି ଚକରା ବାବୁ କହିଲେ ନତମସ୍ତକ ନା ଚୋପା, ଶଳା ଗୁଡା... ମାଇଚିଆ। କଣ ଗୋଟେ କହିଲ, ମୋତେ ଟିକେ ଶୁଘିଲା?ଇଲୋ ବୋପାଲୋ!! ଶୁଭିଗଲା ନା କଣ?? ନା ...ନାତ! ପୁଣି ଗର୍ଜି ଦୁଲାଳୀ ଦେବୀ କହି ଚାଲିଲେ, ତୁମେ ମୋତେ ଶସ୍ତା ପାଇଛ ନାଇଁ? ତୁମ ଘର କାମ ,ପିଲାଛୁଆ, ବନ୍ଧୁବାନ୍ଧବ କାମ କରି କରି ଥକି ଯାଉଛି, ଟିକେ ବି ଖୁସିବାସି ହେବିନି ....ଗମରା ହୋଇ ପଡିଥିବି ତୁମ ପାଖରେ। ସେମିତି କହିବ ଯଦି ....ଅଇଖା ବଡଭାଇଙ୍କୁ ଖବର ପଠାଇ ଚାଲିଯିବି ,ଜାଣିଥା। 


     ଏଇଠି ଅକଲ ଗୁଡୁମ୍ ହୋଇ ଅଣ୍ଡିରାଚିଆ ଖତମ୍ ଚକରାବାବୁଙ୍କର। କହିବା ବାହୁଲ୍ୟ, ଅକଲ ଢେର ଢେର ଚକରାବାବୁଙ୍କର କିନ୍ତୁ ଘରକାମରେ ସମ୍ପୂର୍ଣ୍ଣ ଅନାଡି

ଚକରାବାବୁଙ୍କୁ ଦିନରାତି ଖଟୁଥିବା ସ୍ତ୍ରୀଙ୍କର ଘରଛାଡିବା ଶୁଣିଦେଲା  ମାତ୍ରେ ଚର୍ତୁଦିଗ ଅନ୍ଧାର ଦେଖାଯାଏ ଆଉ ଶହେଚାରି ଜ୍ବର ଟା..... କେଉଁଠି ଥାଏ ମାଡି ବସିବକି ଏଇକିନା ଏପରି ଲାଗେ । 


     ଖିଙ୍କାରି ଉଠିଥିବା ମୋଟାଗଳାକୁ ପଦ୍ମତୋଳା ସ୍ବରକୁ ଆଣି କହିଲେ ଶୁଣୁଛନା ନାହିଁ ବା, ଟିକିଏ କଥାରେ ଖାଲି ରାଗିପାଚି ଯାଉଛ। ମୋଟରସାଇକେଲ ନହେଲା ନାହିଁ, ଚାଲ ରିକ୍ସା କଣ ନାହିଁ, ଆଜି ଷ୍ଟାଡିୟମ ଆଡେ ଯିବା, ବୈଶାଖୀ ମେଳା ପଡିଛି ତାକୁ ବି ଦେଖିବା ଯାହାଇଛା ଆଳୁଦମ୍-ଦହିବରା, ଚାଟ୍ ଗୁପଚୁପ, ପୁରୀର.. ମାଲପୁଆ ଡାଲମା, କେନ୍ଦାପଡା ରସାବଳି, କାକଟପୁର ଛେନାଝିଲ୍ଲି, ଖାଇବଯଦି ପେସିଆଲ ବିରିୟାନି ବି ଖୁଆଇଆଣିବି। 


(ଯୁଗେ ଯୁଗେ ଇତିହାସ ସାକ୍ଷୀ, ସ୍ତ୍ରୀ ଆଗରେ ନିଜ ସ୍ବାମୀଟି ଖୋଲା ଖୋଲି କହିଲେ ଅଯୋଗ୍ୟ ଜୀବଟାଏ। )କିନ୍ତୁ ସାଧୁଜନେ ଘରଗୃହସ୍ଥି ମାନେ ଏତିକି ଶିଖିବା ନିହାତି ଦରକାର ,ଗୃହସ୍ଥି ଆରମ୍ଭରୁ ପରସ୍ପରର ନାଡିଟି ଚିପି ଟିକେ ରଖିଥିବେ ,କେଉଁ ଡୋଜ ଦେଲେ ସ୍ବାମୀ ଥଣ୍ଡା, ବିଶେଷ କରି ସ୍ତ୍ରୀ ଟି କିପରି ଖୁସି ରହିବ କେଉଁ ଡୋଜରେ। କେତେଦିନର ଜୀବନ ହସିଖୁସିରେ କାଟିଦବା କଥା।


      ଦୁଲାଳୀ ଦେବୀ ଖୁସିରେ କହିଲେ, ସତରେ ନା କଣ ?ଚକରାବାବୁ ରସକିଆ ଢଙ୍ଗରେ କହିଲେ ,ଚାଲ ଚାଲ ସେ ବାଲିଯାତ୍ରା ବୁଲା ନାଲିଶାଢୀଟା ପିନ୍ଧ। ଆଜିତ .....ଜମିଲା। ଦୁଲାଳୀ ଦେବୀ ପୁଷି ବିଲେଇ ପରି ଗେଲେହି ହୋଇ କହିଲେ, ମୁଁ କଣ ତୁମର ଘର ହୋଇ ଯାଉ ବୋଲି ଚାହୁଁ ନି କି ....ହେଲେ ଯାଗା ମିଳିଲେ ସିନା!!! ଦେଖ ଭଲଯାଗା ଖଣ୍ଡେ ପାଇଛି ଚଉଦଘରିଆରେ, ଆମ ଟଙ୍କାକୁ ଠିକ୍। ଆଉକିଛି କାମ ବାକି ଅଛି, ଏ ମାସରେ ରେଜିଷ୍ଟ୍ରେସନ ହୋଇଯିବ ବୋଧେ। 


      ସତକୁ ସତ ଯାଗା ଖଣ୍ଡିକ ମିଳିଗଲା,କିନ୍ତୁ ନାହକ ଜ୍ୟୋତିଷ କହିଦେଲେ ତୁମର ଜାତକରେ ଘର ଯୋଗ ଏବେ ଦେଖୋଉନି। 

     ଚକରାବାବୁ କି ମାନିବା ଲୋକ, ଜନ୍ମ ଜାତକ ଖଣ୍ଡିକ ଧରି ନା ନା ଉପଚାରରେ ଲାଗିଗଲେ। ଆଜି କେଉଁ

ଚାନେଲରେ କହିଲାଣି ଦୁଇଟି କଳାଗାଈ ଯାଗା ଉପରେ ବାନ୍ଧିଦେଇ ଆସ, ରାତିକି ଗଉଡ଼ଘରେ ଛାଡିଦେଉଥିବ ପୁଣି ସକାଳୁ ବାନ୍ଧିବ। ଗାଈ ,ଗଉଡ ଓ ଚକରାବାବୁଙ୍କ ସନ୍ତୁଳନ ଦିନେ ବିଗିଡି ଗଲା, ଅଜାଗା ଯାଗାରେ ଭଲ ନାତଟିଏ ଖାଇଲେ, ହେଲେ ଲାଭ ହୋଇଥିଲା ସେଥିରେ ଚକରାବାବୁଙ୍କର। ଦୁଲାଳୀଦେବୀଙ୍କ ସୁଆଗ ଦିଗୁଣିତ ହୋଇଯିବା ସହିତ ଗଉଡର ବଂଶ ଉଦ୍ଧାର ବି। କଣ କଲା ସେ ଅଳପେଇସା, ଗାଈମାତାଟିକୁ ଆକଟି ଧରିପାରିଲାନି, ଅଥାନରେ ବଜେଇଛି, କ'ଣ ହୋଇଥାନ୍ତା ମୋ ଗୃହସ୍ଥ ଜୀବନ, ହାଇବ୍ରିଡ ଫଳପରି ବାହର ସୁନ୍ଦର ଅଥଚ ମଂଜିହୀନ ହୋଇ ଥାନ୍ତେ ମୋ ବାବୁ। ହେ ମା କଟକ ଚଣ୍ଡୀ ଭଲ କରିଦେଲୋ ମା ମୋ ବାବୁକୁ । ଯେଉଁ ଜିନିଷ ଯେଉଁ ପ୍ରକାରେ ରହେ ଠିକ୍ ଠାକ କରିଦେ।  କିଛି ଦିନ ଉତ୍ତାରୁ 

ଜଣେ ଉପକାରୀ କହିଲେ କଳା କୁକୁରକୁ ମିଠା ରୁଟି ଖୁଆ ଗୁଆଘିଅ ମାରିକି, ସହଜ ଲାଗିଲା ଉପଚାରଟି, ତାକୁ କଲେ। ଜଣେ ବାସ୍ତୁବିତ ଓରଫ ଜ୍ୟୋତିଷ  ହାବୁଡରେ ପଡିଗଲେ ଦିନେ , ଆସ ଆସ ବ୍ୟସ୍ତ କାହିଁକି କଣ ସମସ୍ୟା ଏପରି ଅଛି ଯାହାର ଉପାୟ ନାହିଁ ,ଦେଖେଇ ଜାତକଟି।


ସାମାନ୍ୟ ଉପଚାରଟିଏ କର। ସେ ଯାଗାରୁ ଦୁଇଇଂଚସରିକି ମାଟି ଚାଂଛି ଦିଅ, ତା ଯାଗାରେ ଗଙ୍ଗାମାଟି ପକାଇଦେଇ, ମାଘି ରାଶି ଛାଟି ଦିଅ। ଦେଖ କେଇଟା ମାସରେ କୋଠା ଠିଆ। ହଇଓ ମହାଶୟ, ଓଡ଼ିଶା ପ୍ରଦେଶରେ ମୁଁ ଗଙ୍ଗାମାଟି ଏତେ ପରିମାଣର କେଉଁଠୁ ପାଇବି। କହିଲେ କ'ଣ ନା ସାମାନ୍ୟ ଉପଚାର। ଓହୋ ରାଗୁଛ କିଆଁ। 


     ଗଙ୍ଗାମାଟି ସିନା ମିଳିବନି ପାଂଚଲିଟିରିଆ ଗଙ୍ଗାଜଳ କିଛି ସାଧା ମାଟିଉପରେ ଛିଂଚି ସମସ୍ତ ମାଟିକି ଗଙ୍ଗାମାଟିରେ ପରିଣତ କରିହେବ। ଯଥା (ସାଧାରଣମାଟି+ଅମୂକ ନଦୀର ପରବିତଜଳ) =ଅମୂକ ମାଟି। ଦରକାର ପଡିଲେ ଆମାଜନ ନଦୀର ମାଟି ବି ଉପଲବ୍ଧ କରାଇ ହେବ ଏହି ଉପାୟରେ। ପାଖରେ ଥିବା ଭାଇଜଣେ ଆଉଟିକେ ଆଗକୁ ପଳାଇ କହିଲେ, ପାଂଚ ଲିଟିରିଆ କିଣିବ କାହିଁକିବା, ବାଲଟିଏ ପାଣିରେ ଦିଠୋପା ଗଂଗାଜଳ ପକାଇ ଦିଅ, ସବୁଯାକ ଜଳ ଗଙ୍ଗା ଜଳରେ ରୂପାନ୍ତରିତ ହୋଇଯିବ। ଗଙ୍ଗା ଜଳବା ସେଥିପାଇଁ ବୋତଲରୁ ସରେ ନାହିଁ 

ବୋଲି ମୋ ଘରମଣୀ କହୁଥିଲେ। ଚକରାବାବୁ କହିଲେ ତା'ହେଲେ ହୀରାକୁଦ ଜଳଭଣ୍ଡାରରେ କିଛି ଗଙ୍ଗାଜଳ ପକାଇ ମହାନଦୀର  ଧାରାକୁ କେବେଠୁ ଗଙ୍ଗାରଧାରା କରିସାରନ୍ତେଣି?? 


     ଶଳେ ବାରତାମସା କହୁଛନ୍ତି, ହେଲେ ଘର ଦରକାର ତାକୁବି କଲେ। କିଛି କାମ ହେବାକୁ ନାହିଁ, ଏମିତି କରି କରି ବିରକ୍ତି ଭାବ ଆସିଯାଇଥିଲା, ହାତରୁ ଦଶପନ୍ଦର ହଜାରେବି ଖସି ସାରିଲାଣି। ଆଉ କିଏ କହିଲା ଶ୍ରୀ ମନ୍ଦିରର ମାଟି ମୁଠେ ଆଣି ଛିଂଚି ଦିଅ ଜାଗା ଉପରେ ସମସ୍ତ ଗ୍ରହଦୋଷ କଟିବା ସହିତ ବାସ୍ତୁଦୋଷ ବି ଖଣ୍ଡନ ହୋଇଯିବ। ସମୟ ଅଭାବରୁ ଦୂର ଏବଂ  ବଡଦେଉଳିଆ ବନ୍ଧୁ ପାଖକୁ ଆଉ ଯାଇପାରି ନାହାଁନ୍ତି। 


   ପ୍ରକୃତିର ନିୟମ କହିଲେ ଚଳେ, ସବୁଠୁ ଅପାରଗ ଅଚଳ ଲୋକ ଆଗ ମାଡ ହୁଅନ୍ତି ବେପାରୀ ହୋଇ, ଠିକ୍ ସେହିପରି ଘରକରିବାକୁ ଦୃଢସଂକଳ୍ପ ଚକରାବାବୁ ପଡିଗଲେ ଏକ ନାମଜାଦା ଜ୍ବୌତିଷ ହାବୁଡରେ ,ଯେଉଁଠି ମାତ୍ର ଏକ ପ୍ରତିଶତ ଫେଲ ମାରିଛନ୍ତି ବୋଲି ନିଜ ଢୋଲ ନିଜେ ପିଟିଲା ପରି ନିଜ ତୁଣ୍ଡରେ କହିଥାନ୍ତି ମହାଶୟ। 


       ଜ୍ବୌତିଷ ଆରମ୍ଭ କଲେ ଗଳା ଖଙ୍କାରି ପିକଦାନିରେ ମେଂଚେ ଥୁକି, ଏ....ନଜରପକାଇ ଦେଖିଦେବେ ଯଦି ଅଇ ଉଠାଇବା ସୁନିଶ୍ଚିତ। ।ପ୍ରଥମେ ଏକ ସଂସ୍କୃତ ଶ୍ଳୋକ ର ଆବୃତି। ସେ ନିଜେ ବି ଜାଣିନାହାନ୍ତି ଶ୍ଲୋକ ଟିର କେତେ ପରିମାଣ  ସେ ଠିକ୍ କହିଲେ। ଅପ୍ରସ୍ତୁତ ଗ୍ରାହକଙ୍କୁ (ଇନ୍ଦ୍ର ଜାଲରେ)ପକାଇବାର ପ୍ରଥମ ପ୍ରସ୍ତୁତି।


    କି!. ଛାର ଲୋକହୋ ତୁମେ?? ଆମତମ ଭଳି ଲୋକଙ୍କୁ ପୁଣି ଗ୍ରହଦୋଷ ଘାଣ୍ଟିବନି। ଖୋଦ ଦେବଙ୍କ ଦେବ ମହାଦେବ ଘାଣ୍ଟି ହୋଇଛନ୍ତି ଟି। ଘରଯୋଗ ତାଙ୍କର ନଥିଲା ।ନା ନା ପ୍ରକାର ଉପଚାର କଲେ,କି ହଟହଟା ନ ହୋଇ ଛନ୍ତି, ହେଲେ ବି ଖଣ୍ଡେ ଘର ଭାଗ୍ୟରେ ଜୁଟିଲାନି ।ସେଥିପାଇଁ ଖୋଲାଆକାଶ ତଳେ ବରଫ ଟେଣ୍ଟମାରି ରହିଲେ ନା!! ପୁରାଣଶାସ୍ତ୍ର ବଖାଣିବା ହିସାବରେ ଶିବପାର୍ବତୀ ସବୁ ଉପଚାର କରିଥିଲେ, ଟିକେରେ ଖସିକି ଗଲେ ......ନା, ନହେଲେ ଇନ୍ଦ୍ରଙ୍କ ପରି ତାଙ୍କ ମହଲ ବି ହୋଇଥାନ୍ତା। ଆମେ ତାଙ୍କ ଆଗେ କ'ଣ?? ଗୋ, ଭୂମି, କନ୍ୟା ଆଉ (ଗୃହ ) ଏଇ ଚାରୋଟି ବ୍ରହ୍ମା ଜନ୍ମ ଆଗରୁ ଟିକେ ଠାର ଦେଇ ଛାଡିଦେଇଥାନ୍ତି ମଣିଷ କପାଳରେ। ଆମ ଭଳି ଯୋଗ୍ୟ ଲୋକହିଁ ସେ ଠାରର ବିଶ୍ଲେଷକ।


 ଚକରାବାବୁ ,ମୁଁ କିନ୍ତୁ ସାମାନ୍ୟ କାମଟିଏ କରାଇବି ଆପଣଙ୍କୁ , ଶହେରୁ ଶହେ ଖେଳ ଦେଖେଇବ ରାଜି ତ??? 


    ଅଗତ୍ୟା ବାଧ୍ଯ ହୋଇ ହଁ ମାରିଲେ। 

କଥା କଣ କି ଚକରାବାବୁ, ଅଇଖା କୋଠାଟି ତୁମେ ୨୦/୩୦ ଲାଖ ଖର୍ଚ୍ଚ କରି ,କରିବନା ନାହିଁ। ତାର ମାତ୍ର ଏକ ପ୍ରତିଶତ ଏଇ ଧର ସବୁ ଛାଡି ଛୁଡି ଟଙ୍କା କୋଡିଏ ହଜାରେ, କେତେବା ଏ ତୁମ କୋଠା ତିଆରି ଟଙ୍କା ଆଗରେ। କିନ୍ତୁ ପକ୍କା ମୋ କଥା, ନହେଲେ ଟଙ୍କା ଫେରସ୍ତ, ଏ ଗ୍ୟାରେଣ୍ଟି ବି ଦେବି। ଏ ରାଧୁଆ ସାକ୍ଷୀ। ଯୁଗେ ଯୁଗେ ରାଧୁଆ ମିଛୁଆ ହୋଇ ରହିଯାଇଛି। ଅଧିକା କ'ଣ ଟା କହିଲି କି?ତୁମ ଟଙ୍କା ତୁମ ପୂଜାପାଠ, ଶୁଦ୍ଧ ଗୁଆଘିଅ ,ଅନ୍ୟାନ୍ୟ ଖର୍ଚ୍ଚରେ ଯିବ କେବଳ ଅଧମ  ମାଧ୍ୟମଟିଏ ମୁଁ। ତୁମ ମାନଙ୍କର ଉଦ୍ଧାର ପାଇଁ ଏ କ୍ଲେଶ ଉଠାଉଛି। 


ଚକରା ବାବୁ ଭାବୁଥିଲେ ଶଳାଗୁରାଙ୍କୁ କହିବା ଚାତୁରୀ କିଏ ଶିଖେଇଲା କେଜାଣି,?? ଜ୍ବୌତିଷ କହିଲେ, ଏତିକି କାମ ତୁମର ,ଟଙ୍କା ଟି କେବଳ ହୋମ କରିଥିବା ଯାଗାରେ ଥୋଇ ଦେଇ, ଜ୍ୟୋସ୍ନା ବିଧୌତ ରଜନୀରେ ,ଟାଣୁଆ ମନ୍ତ୍ରରେ ଅଭିମନ୍ତ୍ରୀତ ହୋଇଥିବା ପାଂଚୋଟି ପାଂଚରଂଗର ପତାକା ନେଇ ଏକ ମୁହାଁ ହୋଇ ସ୍ବାମୀ ସ୍ତ୍ରୀ ସେ ଯାଗା ଉପରକୁ ଯିବ। ମୋ ଲୋକ ସେଠି ସମସ୍ତ ବ୍ୟବସ୍ଥା କରିଥିବେ, ତୁମେ ସ୍ବାମୀ ସ୍ତ୍ରୀ ଚାରିପଟୁ କନା ଘେରାଇ ଦେଇଥିବା ସେ ଜାଗାରେ ପଂହଚି ଉଭୟ ସ୍ଵଳ୍ପ ବସ୍ତ୍ର ବା.... ବିନା ବସ୍ତ୍ରରେ ଚାନ୍ଦିନି ଆଲୁଅରେ ପାଂଚୋଟି ପତାକାକୁ ଉଦ୍ଦିଷ୍ଟ ଯାଗାରେ ପୋତିଦେଇ,ସ୍ତ୍ରୀଙ୍କ ସହ 

ମୋ ପାଖକୁ ଆସିବ, ମୁଁ ଏପଟେ ଏମିତି ଆହ୍ବାନ ଦେଇ ପୂଜାପାଠ କରିବିଯେ, ଦୁଷ୍ଟ ଗ୍ରହ ସବୁ କିଏ କୁଆଡ଼େ ଛିନଛତର ଖାଇ ପଳେଇବେ, ତାପରଦିନ ଶୁଭ ଦେଇ ମାସ କେଇଟାରେ ଘର ଠିଆ କରିଦେବ। 

      ଚକରା ବାବୁ ସବୁ ସଯ୍ୟକରି ଶୁଣି ଚାଲିଥିଲେ ସିମେଣ୍ଟ ଗାଈ ଖିରଦିଆ ରାଜ୍ୟରେ, କିନ୍ତୁ ଜ୍ବୌସ୍ନା ବିଧୌତ ରଜନୀରେ ବିନା ବସ୍ତ୍ରରେ ସ୍ତ୍ରୀସହ ଏ କାମଟି ଶୁଣି ତାଙ୍କ ଖୁନ୍ ସବାର ହୋଇଗଲା ପରି ଲାଗିଲା ତାଙ୍କୁ, କଥାଟା ହଜମ କରି ନ ପାରି ଜ୍ବୌତିଷର ତଣ୍ଟି କଣା କରି ରକ୍ତ ପିଇଯିବେ ବୋଲି ମାଡି ଗଲେ ଜ୍ବୌତିଷ ଆଡକୁ, କିନ୍ତୁ କଳା ବସ୍ତ୍ର ପରିହିତ ତାଙ୍କ ଅଂଗରକ୍ଷକମାନଙ୍କୁ ଦେଖି ଜାକିଜୁକି ହୋଇଗଲେ। କାନମୁଣ୍ଡା ଆଁଉସି ଫିସ୍ ତକ ଦେଇ ନିଜକୁ ଗୋଟେଇ ଗାଟେଇ ରାମ ରାମ କହି ଫେରାର ହେଲେ। 

       ତା'ପରଦିନ କାହାକୁ କିଛି ନ କହି ଘରଟିକୁ ଆରମ୍ଭ 

କଲେ। ଗୃହପୂଜା ସ୍ବ ହସ୍ତରେ କରି ଖୁସି ଖୁସିରେ ଅଛନ୍ତି। ମଟର ସାଇକେଲକୁ ଟିପ୍ ଟପ କରି ଘରଣୀଙ୍କ ମନକୁ ପୁରା ଟ୍ରାକରେ ରଖିଛନ୍ତି, ଜ୍ବୌସ୍ନା ବିଧୌତ ରଜନୀ କଥା ମନେ ପଡିଲେ ଦୁଲାଳୀଦେବୀଙ୍କ ସହ ମିଶି ଖୁବ୍ ହସନ୍ତି। 

    ଲୋକଙ୍କୁ ସାବଧାନ କରିବା ଭୂଲନ୍ତିନି।


Rate this content
Log in

More oriya story from Pratima Das

Similar oriya story from Comedy