ଏଯାଏଁ ବି ହସନ୍ତି
ଏଯାଏଁ ବି ହସନ୍ତି
ଦୂର ପାହାଡର ମନଲୋଭା ଦୃଶ୍ୟ ସବୁବେଳେ ଆକର୍ଷଣୀୟ । ସୂର୍ଯ୍ୟଦେବତା ମାଆ କୋଳକୁ ଯିବା ବେଳର ଦୃଶ୍ୟ ତ ଆହୁରି ସୁନ୍ଦର । ପକ୍ଷୀମାନେ ଆକାଶରେ ଦୂର ଜାଗାରୁ ଉଡ଼ି ଉଡି ନୀଡ଼କୁ ଫେରୁଥିବେ। ଗାଈ ଗୋଠରୁ ଗୋରୁ ପଲକୁ ଗାଈଆଳ ଟୋକା ଗୀତ ଗାଇ ଗାଇ ଘରକୁ ବାହୁଡାଇ ଆଣୁଥିବ । କୁଳ ଭୁଆସୁଣୀମାନେ ଗୋବରରେ ତିଆରି ଘସିକରି ଥିବା ଜାଳକୁ ଚୁଲି ଲଗେଇ ରାତ୍ରି ରୋଷେଇ ପାଇଁ ପ୍ରସ୍ତୁତ ହେଉଥିବେ ତ ପୁଣି ଘଣ୍ଟା, ଶଙ୍ଖ ବଜେଇ ସନ୍ଧ୍ୟା ଆଳତୀ ପାଇଁ ପ୍ରସ୍ତୁତ ହେଉଥିବା ଦୃଶ୍ୟ ସବୁ ବେଶ ହୃଦୟସ୍ପର୍ଶୀ ସହ ଆଜି ବି ଅଭୁଲା। ଯେତେ ସହରରେ ରହିଲେ ବି କେଉଁ କଥା ଭୁଲି ହେବ ଯେ । ଓ ଓ ଓ....! ହେଇ ସେଦିନର ସେ କଥା, ଆମ ଗାଁର ସନା ଦଦେଇ ପୁଅ ସମର ପରା ଯାହା କଲା, ସେକଥା ଭାବିଲେ ଭାରି ହସ ଲାଗେ ।
ବେଳ ରତ ରତକୁ ଗାଁ ମୁଣ୍ଡରେ ମଉନ ହେଇ ବସି ଥାଏ। ଯିଏ ଯେତେ ଯାହା ପଚାରିଲେ ବି କିଛି କହୁ ନ ଥାଏ । କଥା କଣ? ଆସି ୬ ଟା ବାଜିଲାଣି । ଜମା ଆସୁ ନାହିଁ । ଏତିକି ବେଳକୁ ରାଧୁଲାଲ ବାବୁଙ୍କର ପୁଅ ଆସି ଡାକିଲେ । ହଇରେ ସମିରିଆ, ତୁ ଏଇଠି ବସିଛୁ, ତେଣେ ତୋତେ ଖୋଜା ଚାଲିଛି ଆ'ଜଲଦି ମାଆ ବହୁତ ରାଗି ଗଲାଣି।
ମାଆ ରାଗିବା କଥା ଶୁଣି ତରତର ହୋଇ ଚାଲିଲା ଯଦୁମଣି ବୋଲାଉ ଥିବା ସମର । ଘରେ ଯାଇ ପହଞ୍ଚି ଗଲା, ମାଆ ବି ବହେ ରାଗି ଗାଳିଦେଲେ । ଯା, ରାତି ପାଇଁ ରୋଷେଇ କରିବୁ । ହଁ ଶୁଣ, ଗାଈକୁ କୁଣ୍ଡାପାଣି ଦେଇଦେବୁ । ପିକୁ ସାଇକେଲରେ ଯାଇ ପମ୍ପ୍ ଦେଇଦେବୁ, ଫିନାଇଲ ପକେଇ ଏ ଘରଟା ଟିକେ ପୋଛି ଦେବୁ ଆଉ ରିଫାଇନରେ ପକୁଡି କରିଦେବୁ। ସମସ୍ତେ ଏବେ ଖାଇବା । ମୁଁ ଅଧଘଣ୍ଟା ଭିତରେ ଆସିବି । ସମସ୍ତେ ବସି ପକୁଡି ଖାଇବା, ଟିଭିରେ୭.୩୦ ରେ ସିରିଏଲ ଦେଉଛି ଦେଖିବା । ଏତକ କହି ସେ ପଳେଇଲେ । କିଛି ସମୟ ପରେ ଆସି ପହଞ୍ଚି ସମରକୁ ଡକା ପକେଇଲେ ।
ସମର - ମୋତେ କିଅଣ ପାଇଁ ଡାକିବାର ଯେ ମାଆ ?
ମାଆ- ସବୁ କାମ ସାରି ଦେଇଛୁ ତ ।
ସମର - ହଁ ହେ ମାଆ, ସମାନେ ତୁମେ ଯାହା ଯାହା କହିବାର, ମୁଁ ସବୁ କରି ଦେବାର ଆଜ୍ଞା ।
ମାଆ-ହେଉ ଯାଆ,ବାବୁ ଆସିଲେଣି, ପକୁଡି ଆଣେ, ସମସ୍ତଙ୍କ ପାଇଁ ଆଣିବୁ । ଏଇଠି ବସି ଖାଇବା । ତୋର ବି ଆଣିବୁ ।
ଚାଲିଗଲା ସମର ପକୁଡି ଆଣିବାକୁ । ପିଆଜ, ଲଙ୍କା ସହ ସମସ୍ତଙ୍କ ପାଇଁ ଅଲଗା ଅଲଗା ପ୍ଲେଟରେ ପକୁଡି ଆଣି ବାବୁ, ମାଆ, ତାଙ୍କ ପୁଅକୁ ଦେଲା । ସମସ୍ତେ ଗୋଟିଏ ଗୋଟିଏ ପାଟିରେ ଦେଇ ଥୁ ଥୁ କରି ଫୋପାଡ଼ି ଦେଲେ । ମାଆ ତ ଗର୍ଜନ କଲେ ।
ହଇରେ ସମିରିଆ, ଏଗୁଡା କଣ କରିଛୁ ତୁ ।
ଆପଣ ପରା କହିଥିଲେ ପକୁଡି କରିବାକୁ, ମୁଁ ତ ସେୟା କରିଛି ଏବେ କାହିଁ ରାଗୁଛ ଯେ । ତେଣେ ଘରେ ଯେତେ ଅସୁବିଧା ଆମର । ସବୁ ଭୁଲି ଏଇଠି ପଡି ରହିଛି । ତା ପରେ ବି ଆପଣ ଗାଳି କରୁଛନ୍ତି ।
ତୋତେ ଗାଳି କରିବିନି କଣ ପୂଜା କରିବି । ତୁ ଏସବୁ କଣ କରିଛୁ, ଏଗୁଡା କେଉଁ ଥିରେ କରିଛୁ ? ତୋତେ କହିଥିଲି କେମିତି, ତୁ କରିଛୁ କେମିତି ।
ଆଜ୍ଞା ମାଆ ଆପଣ ପରା କହିଥିଲେ ଗାଈକୁ ପମ୍ପ୍ , ସାଇକେଲକୁ କୁଣ୍ଢାପାଣି, ରିଫାଇନରେ ଘର ପୋଛି ଦେବୁ, କିରାସିନି ରେ ପକୁଡି କରିଦେବୁ । ମୁଁ ତ ଠିକ ଠିକ ତାହାହିଁ କରିଛି।
ଦେଖ୍ ଦେଖ୍ ସେ ଦୁଆରେ ବାବୁ ପଡି ତାଙ୍କ ଗୋଡ଼ କେମିତି ମୋଡି ହୋଇ ଫୁଲି ଯାଇଛି । ମୁର୍ଖ କେଉଁଠିକାର । ସବୁବେଳେ ଏମିତି କାମ କରୁଛି । ଯାଆ, ତୋ ଘରକୁ, ତୋର କଣ ଅସୁବିଧା ହୋଇଛି । ଯାଆ ତୋ ଘରକୁ, ଶୀଘ୍ର କାମ ସାରି ସକାଳୁ ସକାଳୁ ଫେରି ଆସିବୁ ।
ବାବୁ -ତୋ ଘରେ କଣ ହୋଇଛି କିରେ ସମର ?
ସମର-ମୁହଁକୁ ତଳକୁ ପୋତି ଗୋଟେ ବାକ୍ୟରେ କହିଲା - ବୋପା ସଳାର ଯେଉଁ ବୁଝାମଣା, ପୁଅ ସଳାର ସେହି ବୁଝାମଣା । ଖାଲି ଭାସିବା ଭସେଇବାକୁ ଦେଖିବେ ସମସ୍ତେ ।
ରାଗି ତ ଗଲେ ବାବୁ, ଆଉ ବହୁତ ଜୋରରେ ପାଟି କରି କହିଲେ, ଏଇଟାକୁ ବାନ୍ଧି ପକେଇଲ। ଦିନକୁ ଦିନ ୟାର ବହପ ହୋଇ ଗଲାଣି। ଘର ଲୋକ ଭଳି ଆମେ ୟାକୁ ଭାବିଲାରୁ ଏ ମଥାରେ ଚଢିଲାଣି । ବାବୁଙ୍କ ସହ ମାଆ ବି ଗର୍ଜିଲେ ।
ପୁଅ ଆସିଲା, ଧୀର କଣ୍ଠରେ କହିଲା- ସମର ଭାଇ, ଏମିତି କାଳତୁଣ୍ଡିଆ କଥା ଗୁଡା କାହିଁକି କହୁଛ ଯେ । ଦେଖ ବାବା ମାଆ କେମିତି ରାଗିଲେଣି ।
ଏତିକିବେଳେ ବାବୁ ଗୋଟିଏ ଦଉଡ଼ି ଆଣି ବାନ୍ଧି ପକେଇଲେ, ଆଉ ଟାଣି ଟାଣି ଦାଣ୍ଡ ମଝିକୁ ନେଇ ଆସି ପଡିଶାଘରର ଲୋକ ମାନଙ୍କୁ ଡାକିଲେ । ଲୋକମାନେ ରୁଣ୍ଡ ହୋଇ ଗଲେ । ସବୁକଥା ଶୁଣି ସମରକୁ ସମସ୍ତେ ଗାଳି ଦେଲେ । ହେଲେ ଏତେ ବେଳଯାଏ ସମର କିଛି ବୁଝି ପାରୁ ନ ଥାଏ।
ସମରକୁ ଏକଥା ପଚାରିଲାରୁ ସମର ହାତ ଯୋଡି କହିଲା ଆଜ୍ଞା, ମୁଁ ତ ଟିକେ ମଜାଳିଆ ଲୋକଟା, ଯଦୁମଣିଙ୍କ କଥା ମନେ ଭାବି ଥଟ୍ଟା ମଜା କରିଦିଏ । ସେମିତି କିଛି ମାର ହାଣ କଥା ତ କହି ନାହିଁ ବାବୁଙ୍କୁ ।
ବାବୁ ପଚାରିଲେ ସମର, ତୋ ଘରେ କଣ ହୋଇଛି ?
ମୁଁ କହିଲି କି ବାପ ଶଳାର ଯେଉଁ ବୁଝାମଣା, ପୁଅ ଶଳାର ସେଇ ବୁଝାମଣା । ଏତକ ତ କଥା । ଏତିକିରେ ବାବୁ ରାଗି ଖପ୍ପା ।ମୁଁ ବାବୁଙ୍କୁ ତ କହି ନାହିଁ କିଛି । ମୁଁ କହିଲି କି, କାଲି ରାତିରେ ଯେଉଁ ଝଡ ପବନ ହୋଇଥିଲା ସେଥିରେ ମୋ ଘର ଚାଳ ତିନିଭାଗ ଉଡି ଯାଇଥିଲା, ଆଉ ଆଜି କଣ ହୋଇଛି ଜାଣିଛ, ଆଜି ପରା ମୋ ପୁଅ ଶୁକୁଟା କହିଲା ପଲେ ମାଙ୍କଡ଼ ଆସି ବାକି ତକ ସବୁ ସଫା କରି ଦେଇଛନ୍ତି । ଏଣେ କେତେ ଜୋରରେ ମେଘ ଆସିଲାଣି । ସମସ୍ତେ ଏବେ ସେହି ବର୍ଷା ପାଣିରେ ଟୁବୁଟୁବୁ ହେବୁ । ମାନେ ସମସ୍ତେ ଭାସିବୁ ସେ ମେଘ ଆମକୁ ଭସେଇବ, ଲୋକ ଦେଖିବେ ।
ଉପସ୍ଥିତ ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ । ବାବୁ ବି ଆଉ କିଛି ନ କହି ଘର ଭିତରକୁ ପଳେଇଲେ । ତାଙ୍କ ପଛେ ପଛେ ମା ବି । ସମସ୍ତେ ପଳେଇଲେ ନିଜ ନିଜ ଘରକୁ । ସମର କାନ୍ଦ କାନ୍ଦ ହୋଇ ତା ନିଜ ଘରଆଡେ ଯିବାକୁ ଉଦ୍ୟତ ସମୟରେ ବାବୁ ତା ହାତରେ କିଛି ଟଙ୍କା ଦେଲେ । ନେଇ ଯା, କାଲି ଘରକାମ ସାରି ଆସିବୁ । ଘରକୁ ଆସି ବାବୁ ହସୁଥିଲେ ଯେ ହସୁଥିଲେ,ପୁଣି ଫୋନରେ ମୋତେ ଏକଥା କହି କହି ଭାବି ଭାବି ଜୋରରେ ଠୋ ଠୋ ହୋଇ ହସୁଥିଲେ ।
ସେହି କଥାକୁ ମନେ ପକାଇ ଏବେବି ଭାବେ ଯେ ଆମ ସମାଜରେ କେଉଁଠି ନା କେଉଁଠି ଏଭଳି ଚରିତ୍ରମାନେ ଜୀବିତ ରହିଛନ୍ତି ସମର ଭଳି ମଣିଷ ମାନଙ୍କ ମଧ୍ୟରେ ।