ଏମିତି ବି ପ୍ରେମ ହୁଏ
ଏମିତି ବି ପ୍ରେମ ହୁଏ
ଆଜି ଭ୍ୟାଲେଣ୍ଟାଇନ୍ସ ଡେ, ସବୁ ବର୍ଷ ପରି ଏ ବର୍ଷ ବି ସେଫାଳି ଫୁଲ ଟିଏ ଠାକୁରଙ୍କ ପାଦ ତଳେ ଥୋଇ ଦେଇ ହାପି ଭ୍ୟାଲେଣ୍ଟାଇନ୍ସ ଡେ ସୁମିତ,କହି ଚାଲିଯାଏ। ପାଖରେ ସ୍ୱାମୀ ବି ଥାଆନ୍ତି । ବାହାଘର କୁ ପୁରିଛି 7 ବରଷ । ଆ ଭିତରେ ସାତ ଟି ଫଗୁଣ ବି ଯାଇ ସାରିଲାଣି । ତଥାପି କେବେ ବି ସେଫାଳି ର ଏମିତି କାର୍ଯ୍ୟ କଳାପରେ ସ୍ୱାମୀ ସନ୍ତୋଷ ପ୍ରତିବାଦ କରି ନାହାନ୍ତି କି ପ୍ରଶ୍ନ ଟିଏ ବି କରି ନାହାଁନ୍ତି । ଖାଲି ଯାହା ସ୍ମିତ ହାସ୍ୟ ଟିଏ ଦେଇ ଦିଅନ୍ତି । ବୈବାହିକ ଜୀବନ ଖୁବ ଭଲରେ ଚାଲିଥାଏ । ଛ ବର୍ଷର ଝିଅଟେ ବି ହେଇ ସରିଥାଏ । ସ୍ୱାମୀ ବି ବେଳେ ବେଳେ ସବୁ ସ୍ୱାମୀଙ୍କ ପରି ଜାଣିବାକୁ ଇଛା ରଖିଥାନ୍ତି ଏ ବିଷୟରେ କିଂତୁ କୋଉଠି କେଜାଣି ଟିକେ ଦ୍ଵନ୍ଦ ସୃଷ୍ଟି ହେଉଥାଏ ତାଙ୍କ ମନରେ କାଳେ ସେଫାଳି ଖରାପ ଭାବିବେ କି । ଏମିତିରେ ବି ସେଫାଳି ଭିତରେ କୌଣସି ବି ବ୍ୟତିକ୍ରମ ଦେଖନ୍ତି ନାହିଁ କେବଳ ଏଇ ଗୋଟିଏ ଦିନକୁ ଛାଡି । ସେଫାଳି ସବୁ ଗୁଣରେ ପରିପୂର୍ଣ୍ଣ । ରୂପରେ ଗୁଣରେ ସବୁଥିରେ ସମସ୍ତଙ୍କୁ ବାନ୍ଧିକି ରଖିଥାଏ । ଆଉ ଦୁହିଁଙ୍କ ଭିତରେ ପ୍ରେମ, ସହାନୁଭୂତି ସହଯୋଗ ସବୁ କିଛି ଠିକ ଠାକ । ହେଲେ ଏ ସୁମିତ ?
କିଏ ଏ ସୁମିତ । ପ୍ରଥମେ ପ୍ରଥମେ ସନ୍ତୋଷ ବେସି କିଛି ଭାବୁନଥିଲେ । ହେଲେ ବର୍ଷେ କି ଦୁଇ ବର୍ଷ ନୁହେଁ । ପୁରା ସାତ ବର୍ଷ ବିତିଗଲାଣି ତଥାପି ସ୍ୱାମୀ ଥାଇ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ କୁ ଭ୍ୟାଲେଣ୍ଟାଇନ୍ସ ଡେ ରେ ମନେ ମନେ ଉଇସ୍ କରିବା ଟିକେ କଷ୍ଟ ଦେଉଥିଲା ସନ୍ତୋଷଙ୍କୁ । କିଂତୁ ନୀରବ ଥିଲେ ।
ଭାବି ପାରୁନଥିଲେ କଣ କରିବେ କାହିଁକି ନା ବିବାହର ପ୍ରଥମ ଦିନରୁ ହିଁ ସ୍ତ୍ରୀ କହିଥିଲେ " ବିଶ୍ୱାସ ରଖ, ମୁଁ କେବେ ବି ତମ ବିଶ୍ୱାସ ଭାଙ୍ଗିବିନି ଆଉ ଆମ ଏ ସମ୍ପର୍କ କେବଳ ବିଶ୍ୱାସରେ ହିଁ ତିଆରି ହେବ । ଗୋଟେ ଦିନକୁ ଛାଡିଦେଲେ ତମ ମନରେ ମୁଁ କେବେ ବି କିଛି ପ୍ରଶ୍ନ ଆଙ୍କିବିନି ଆଉ ସେତେବେଳେ ମତେ ସେ ପ୍ରଶ୍ନ ର ଉତ୍ତର ବି ମାଗିବନି ।" ସେଇ ଗୋଟେ ଦିନ କଣ ବୋଲି ପଚାରିଥିଲେ ସନ୍ତୋଷ,ହେଲେ ସେଫାଳି ସ୍ପଷ୍ଟ କହିଥିଲା ଯେ ସମୟ ଆସୁ ଜାଣିଜୀବ ବୋଲି ।
ବାସ, ସମୟ କ୍ରମେ ଏ ଦିନଟିକୁ ବୁଝିଗଲେ ସନ୍ତୋଷ ହେଲେ କିଛି କହି ପାରନ୍ତି ନାହିଁ । ଦିନକୁ ଦିନ ତାଙ୍କର ଜିଜ୍ଞାସା ବଢୁଥାଏ ହେଲେ ସୁଯୋଗ ପାଉ ନଥାନ୍ତି । ଏମିତ ଦିନେ ହଠାତ ତାଙ୍କର କିଛି ପୁରୁଣା କାଗଜ ପତ୍ର ଖୋଜିଲା ବେଳେ ନଜରରେ ପଡିଲା ଗୋଟେ ପୁରୁଣା ଡାଏରୀ ।ଯାହାକି ସେଫାଳିର ଥିଲା । ସନ୍ତୋଷଙ୍କର ସେ ଡାଏରି କଥା ସ୍ପଷ୍ଟ ଭାବେ ମନେ ଅଛି । ସେତେବେଳେ ବାହାଘର ନୂଆ ନୂଆ । ଅଷ୍ଟମଙ୍ଗୁଳାରେ ପ୍ରଥମଥର ଶ୍ୱଶୁର ଘର ବୁଲିବାକୁ ଯାଇଥାନ୍ତି ଦୁହେଁ । ଝିଅ ଜ୍ୱାଇଁକୁ ଦେଖି ବହୁତ ଖୁସି ଥିଲେ ସେଫାଳିର ବୋଉ ଆଉ ବାପା । ସେଇଦିନ ହିଁ ଖାଇ ପିଇ ଫେରିବା ବେଳକୁ ସେଫାଳି ଧରିଥାଏ ଏଇ ଡାଏରିଟିକୁ । ବୋଉ କହିଲେ " ଆରେ ମା ତୁ ତୋର ବହୁତ କିଛି ଜିନିଷ ଏଠି ଛାଡିଛୁ,ଆଉ ବହୁତ ଭଲ ଜିନିଷକୁ ଛାଡି ତୁ ଏ ସାମାନ୍ୟ ଡାଏରିଟାକୁ କାହିଁ ନେଉଛୁ ? ସେଦିନ ସେଫାଳି ଆଖି ଛଳ ଛଳ କରି କହିଥିଲା ବୋଉ ତୁ କିଛି ବୁଝି ପାରିବୁନି । ବାସ ଏତିକି କହି ଭ୍ୟାନିଟ ବ୍ୟାଗରେ ଡାଏରିଟିକୁ ଅତି ଯତ୍ନରେ ସାଇତି ରଖିଥିଲେ ।
କିଛି ଥର ପଚାରିଛି ହେଲେ ଉତ୍ତର ପାଇନି । ଆଉ କେବେ ମଉକା ବି ମିଳିନଥିଲା । ଆଜି ମିଳିଛି ଭାବି ସନ୍ତୋଷ ତାକୁ ଅତି ଚତୁରତାର ସହ ଡାଏରି ଟି ନେଇ ନିଜ ଅଫିସ ବ୍ୟାଗ ରେ ପୁରେଇ ଦେଲେ । ପଢ଼ିବାର ଇଛା ଏତେ ନଥିଲେ ବି କାଳେ ସେଥିରେ ସୁମିତ କଥା କିଛି ଲେଖା ଥିବ ସେଇ କଥା ଭାବି ତାଙ୍କ ମନ ଭିତରେ ଏତେ ଉଦ୍ଦୀପନା ସୃଷ୍ଟି ହେଉଥିଲା ଯେ ସୀମା ବାହାରେ ତାଙ୍କ ଜିଜ୍ଞାସା ଥିଲା । ତରବର ହୋଇ ସେଦିନ ଅଫିସ ପଳେଇଲେ ସନ୍ତୋଷ । ସେଫାଳି କିଛି ବୁଝି ବି ପାରୁନଥିଲା ।
ସମୟ ଦିନ 11ଟା । ଅଫିସ କାମ ସବୁ ସାରି ଦେଇ ସନ୍ତୋଷ ବସିଗଲେ ନିଜ ଚ୍ୟାମ୍ବର ଭିତରେ । ଧୀରେ ଧୀରେ ବ୍ୟାଗ ଭିତରୁ ଡାଏରି ବାହାର କରୁଥାନ୍ତି । ତାଙ୍କ ହୃଦସ୍ପନ୍ଦନ ବଢି ବଢି ଯାଉଥାଏ । କଣ ଥିବ କି ନାହିଁ । ଶେଷରେ ପୃଷ୍ଠା ସବୁ ଲେଉଟାଇ ଦେଖୁଥାନ୍ତି । କିଛି ପୃଷ୍ଠା ଲେଉଟାଇବା ପରେ ମିଳିଲା ଲାଲ ରଙ୍ଗରେ ଲେଖା ହେଇଥିବା ଗୋଟେ ସୁନ୍ଦର ଚିଠି ଟି । ଆଉ ଚିଠି ଟି ସୁମିତଙ୍କ ପାଇଁ ଥିଲା ।
Dear Sumit
ତୁମେ ଅଜଣା ରାଇଜର ଜଣେ ଅଫେରା ମଣିଷ ମୋ ପାଇଁ । ପ୍ରେମର ସଂଜ୍ଞା ଜାଣିବା ପୂର୍ବରୁ ତୁମେ ଚାଲିଗଲ ଆଉ ଏକ ଇଲାକାକୁ,ନା ମୁଁ ସେଠି ଯାଇ ପାରୁଛି ନା ତୁମକୁ ଆଣିପାରୁଛି । ସବୁ ଏଠି ନିସ୍ତବ୍ଧ ଆଉ ନିର୍ବିକାର ପରି ଲାଗୁଛି । ହେଲେ ପ୍ରତିଟି ମୁହୂର୍ତ୍ତରେ ନିଜକୁ ଧିକ୍କାର ଲାଗୁଛି ଯେ ମୁଁ କାହିଁକି ବୁଝି ପାରିଲିନି ତୁମର ସେଇ ନିରବ ଆଉ ପବିତ୍ର ପ୍ରେମକୁ । ଏତେ ପାଖରେ ଥାଇବି ମୁଁ କାହିଁକି ଚିନ୍ହି ପାରିଲିନି ତୁମ ହୃଦୟର ସେଇ କଅଁଳ ପ୍ରେମକୁ । କାହିଁକି ?
ଆଉ ଗଲା ବେଳେ ବି ମତେ ଏମିତି ଉପହାର ଟିଏ ଦେଇ ଗଲ ଯେ ମୁଁ ସାରା ଦିନ ଅନୁତପ୍ତ । ଯଦି ତମେ ତମ ଆଖି ଦୁଇଟି ନ ଦେଇଥାନ୍ତ ତ ହୁଏତ ମୁଁ ସାରା ଜୀବନ ଅନ୍ଧୁଣି ହେଇ ଖାଲି କାନ୍ଦି କାନ୍ଦି ମରୁଥାନ୍ତି । ଆଜି ବି ମୋର ସେଦିନ କଥା ମନେ ପଡିଗଲେ ମୋ ଲୋମ ମୂଳ ଟାଙ୍କୁରି ଉଠେ । ଓଃ କେତେ ଭୟଙ୍କର ଥିଲା ସେଦିନ ? କଲେଜ ବେଳର ଦିନ । ଆମର last year ପରୀକ୍ଷା ପୂର୍ବରୁ ଗୋଟେ ପିକନିକର ଆୟୋଜନ ହେଇଥାଏ । ସବୁ ପିଲା ଯିବା ପାଇଁ ବହୁତ ଉତ୍ସାହିତ ଥାନ୍ତି । ମୁଁ ବି ଥିଲି । ଏମିତିରେ ତମେ ମତେ ଆଉ ମୁଁ ବି ତମକୁ ଟିକେ ଟିକେ ଭଲ ପାଉଥିଲି । ତମେ ମୋର ଜଣେ ସମ୍ପର୍କୀୟ ଭଉଣୀର ଦିଅର ହେଇଥିବାରୁ ଆମ ଘରକୁ ଯିବା ଆସିବା ଆଉ ସମ୍ପର୍କ ବି ବଢିଥିଲା । ଘରେ ତମକୁ ଖୁବ ପସନ୍ଦ ବି କରୁଥିଲେ ହେଲେ ତମେ ମତେ ଭଲ ପାଅ ବୋଲି କେବେ ବି କହି ନଥିଲ । ହୁଏତ ମନରେ ଭୟ ହେଉ କିମ୍ବା ପ୍ରକାଶ କରିବାର ସୁଯୋଗ ନମିଳିପାରୁ । ସେଦିନ କିନ୍ତୁ ତମେ ପିକନିକ ଯିବା ପାଇଁ ମୋ ଠୁ ଅଧିକ ଖୁସି ଥିଲ । କାରଣ ଟା ମୁଁ ଠିକ ସେ ଅନୁମାନ କରିପାରୁଥିଲି । ହୁଏତ ତମେ ବି ମୋ ପରି ନିଜ ମନ କଥା କହିବାର ସୁଯୋଗ ଖୋଜୁଥିଲ ।
କଲେଜ ପିକନିକ ରେ ଆମେ ସମସ୍ତେ କେନ୍ଦୁଝର ଯାଇଥିଲୁ । ସେତେବେଳେ କଲେଜ ର ଶେଷ ବର୍ଷ ଥିବାରୁ ସାଙ୍ଗ ମାନେ ପରସ୍ପର ଠାରୁ ବିଦାୟ ନେବେ ବୋଲି ଟିକେ ଦୁଃଖୀ ଥିଲେ ବି ସେଇ ସବୁ ଅଭୁଲା ମୁହୂର୍ତ୍ତ କୁ ମନ ଭରି ସାଇତି ରଖିବାକୁ ଚେଷ୍ଟା କରିଥିଲେ । ରୋଷେଇ ସରିବା ପରେ ଖାଇ ପିଇ ଆମେ ସବୁ ବାହାରିଲୁ ବୁଲିବାକୁ । ସେଠି କିଛି ଆକଟ ନଥାଏ ହଁ ଟିକେ ସାର୍ ମାନଙ୍କ ଭିତରେ ଅନୁଶାସନ ଉପଲବ୍ଧି କରୁଥିଲୁ କିନ୍ତୁ ବିଶେଷ ନୁହେଁ । ସମୟ ସୁଯୋଗ ଦେଖି ତମେ ଟିକେ ମୋର ନିକଟତର ହେଇଗଲ । ମୁଁ ବି ଟିକେ ଲାଜେଇ ଗଲି । ସମସ୍ତଙ୍କ ନଜର ସାମ୍ନା ରେ ଥାଇ ବି ଗୋଟେ ସୁନ୍ଦର ଗୋଲାପ ଫୁଲ ଟିଏ ମୋ ହାତରେ ଥୋଇ ଦେଇ ତମେ ମତେ ଭଲ ପାଅ ବୋଲି କହି ଚାଲିଗଲ । ମୁଁ କିଛି ଭାବି କହିବା ପୂର୍ବରୁ ତମେ ମୋ ସାମ୍ନା ରେ ନଥିଲ । ଟିକେ ଲାଜକୁଳା ସ୍ଵଭାଵ ପାଇଁ ହେଉ କିମ୍ବା ମୋ ସମ୍ମାନ ଦୃଷ୍ଟିରୁ ହେଉ ତୁମେ କିଂତୁ ମୋ ଉତ୍ତର ର ଅପେକ୍ଷାରେ ନଥିଲ । ଭାବିଥିଲ ବୋଧେ ପରେ କଥା ହେବ । ହେଲେ ସେଦିନ ଓଃ ଗୋଟେ ଭୟଙ୍କର ଦିନ ଥିଲା ବୋଧେ ଆମ ସମସ୍ତଙ୍କ ପାଇଁ । ଫେରିବା ବାଟରେ ଆମ ବସ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେଇଗଲା ଆଉ ବାସ ଏତିକି ଆଉ ତାପରେ କଣ ହେଲା, କେମିତି ଜାଣିବି ଯେ ,ପୃଷ୍ଠା ଲେଉଟୁଥାନ୍ତି ସନ୍ତୋଷ । କିଛି ବି ଲେଖା ହେଇ ନଥାଏ ହଁ କେବଳ ଗୋଟେ ଶୁଖିଲା ଗୋଲାପ ଫୁଲଟେ ହିଁ ଥାଏ ସେଇ ପୃଷ୍ଠା ତଳେ ।
ସନ୍ତୋଷଙ୍କ ଜିଜ୍ଞାସା ମନରେ ଆହୁରି ଉତ୍କଣ୍ଠା ବଢିବାକୁ ଲାଗିଲା । ନିଜର ଜାଣିବାର ଇଚ୍ଛା ଏତେ ମାତ୍ରାରେ ବଢି ଯାଇଥିଲା ଯେ ସେ ଆଉ ନିଜକୁ ସମ୍ଭାଳି ପାରିଲେନି । ତରବର ହେଇ ଅଫିସ ରୁ ଘରକୁ ଚାଲି ଆସିଲେ । ସେଫାଳି କୁ ଜୋରରେ କୁଣ୍ଢେଇ ଧରି କହିଲେ କଣ ହେଲା ସେଫାଳି ତା ପରେ ?
ସେଫାଳି ପୁରା ଆଶ୍ଚର୍ଯ୍ୟ ହେଇ ସନ୍ତୋଷକୁ ଅନେଇଥାଏ । କଣ ପଚାରୁଛ ତମେ ମତେ, କଣ ହେଲା,କୋଉ କଥା ପଚାରୁଛ ସନ୍ତୋଷ । ସନ୍ତୋଷ ବ୍ୟାଗରୁ ସେଇ ପୁରୁଣା ଡାଏରିଟିକୁ ସେଫାଳି ହାତରେ ବଢ଼େଇ ଦେଇ ପଚାରିଲେ କଣ ହେଲା ସେଦିନ ପିକନିକରେ ।
ସେଫାଳିର ବୁଝିବାକୁ ଆଉ କିଛି ବି ବାକି ନଥିଲା ।ସେ ଜାଣିଗଲା ଯେ ସନ୍ତୋଷ ସବୁ ଜାଣିଗଲେ ତାର ବିଗତ ଦିନ କଥା । ଆଖି ତାର ଲୁହରେ ଭରି ଆସିଲା । ସେଦିନ କଥା ମନେ ପକେଇ ବହୁତ କାନ୍ଦିଲା । ସନ୍ତୋଷ ତାକୁ ସାନ୍ତ୍ୱନା ଦେଇ ଜାଣିବାର ଇଚ୍ଛା ପ୍ରକଟ କଲେ । ଆଉ ସେଫାଳି ଆରମ୍ଭ କଲା ସେଦିନର ସେଇ ହୃଦୟ ବିଦାରକ କଥା । ସେଦିନ ଫେରିଲା ବେଳେ ସୁମିତ ବସିଥିଲେ ପୁରା ଡ୍ରାଇଭର ସିଟ ପାଖରେ ଆଉ ମୁଁ ମଝି ସିଟ ଯେ କିନ୍ତୁ ଝରକା ପାଖକୁ । ଗୀତ ନାଚରେ ଆମେ ସେ ସମୟକୁ ଖୁବ ଉପଭୋଗ କରୁଥିଲୁ । ହସ ଖୁସି କଥା ବାର୍ତା ରେ ସମୟ ଜଣା ପଡୁନଥାଏ । ରାସ୍ତା କିଂତୁ ସରି ସରି ଆସୁଥାଏ । ଆଉ ଅଳ୍ପ ବାଟ ଥାଏ ଘରେ ପହଞ୍ଚିବାକୁ ହଠାତ ଗୋଟେ ଟ୍ରକ ଆସି ପିଟି ହୋଇଗଲା ଆମ ବସ ରେ । ଓଃ କି ଭୟଙ୍କର। କି ଯନ୍ତ୍ରଣା। ଆଖି ଖୋଲିଲା ବେଳକୁ ମତେ ଚାରିଆଡ଼ କେବଳ ଅନ୍ଧାର ଦେଖା ଯାଉଥାଏ । ଖାଲି ଯାହା ଶବ୍ଦ ଆସୁଥାଏ ସେଥିରୁ ଅନୁମାନ କରିନେଲି ଯେ ମୁଁ ମେଡିକାଲ ରେ ଅଛି । କିଂତୁ ଏତେ ଅନ୍ଧାର କାହିଁକି ବୋଲି ଚିତ୍କାର କଲି । ବାପା ବୋଉ ଦୌଡ଼ି ଆସିଲେ ମୋ ପାଖକୁ । ବୋଉ ମୋର ଭୋ ଭୋ ହେଇ କାନ୍ଦି ଉଠିଲା । ମା ରେ କିଛି ହବନି ତୋର,ସବୁ ଭଲ ହେଇଯିବ ।
ମୁଁ ବୋଉ କୁ ସ୍ପର୍ଶ କରି ଯାହା ଅନୁଭବ କଲି କିନ୍ତୁ ଦେଖି ପାରିନି । ମୋର ମନେ ପଡିଗଲା ସେଇ ଦୁର୍ଘଟଣା କଥା । ମୁଁ ବୁଝିଗଲି ଯେ ମୁଁ କଣ ହରେଇ ଦେଇଛି ? ହେଲେ ସୁମିତ ?
ସୁମିତ ର କଣ ହେଇଛି ବୋଉ ? ଆଉ ସବୁ ପିଲା ମାନେ କେମିତି ଅଛନ୍ତି ବୋଉ । ମୁଁ ଟିକେ ସେମାନଙ୍କୁ ଦେଖା କରି ପାରିବି କି ବୋଉ ? ବୋଉ ଆହୁରି ଜୋର ରେ କାନ୍ଦି ଉଠିଲା । ମୁଁ ତାର କାରଣ ଜାଣି ପାରିଲିନି । ସେ କହିଲା ମା ରେ ତୁ ଦେଖିବୁ କେମିତି ? ଭଗବାନ ତୋ ଆଖି ଦୁଇଟି ନେଇ ଯାଇଛନ୍ତି ରେ । ସେଫାଳି କହୁ କହୁ ଅବିଶ୍ରାନ୍ତ ଲୁହରେ ଭିଜୁଥାଏ । ଜାବୁଡି ଧରିଥାଏ ସନ୍ତୋଷକୁ । ସେଇ ଅଭୁଲା ଯନ୍ତ୍ରଣା ଦାୟକ ମୁହୂର୍ତ୍ତ ସବୁ ତା ଆଖି ଆଗରେ ନାଚି ଉଠୁଥାଏ । ତାପରେ ସନ୍ତୋଷ ପଚାରିଲେ । ତାପରେ ଜାଣିଲି ଯେ ସବୁ ପିଲା ମାନେ ଧୀରେ ଧୀରେ ଭଲ ହେଇଗଲେଣି କିଂତୁ ସୁମିତ ଜୀବନ ମରଣ ସହ ଲଢେ଼ଇ କରୁଥାନ୍ତି । ଖାଲି ଯାହା ଟିକେ ଟିକେ ଅସ୍ପଷ୍ଟ କଥା କହି ପାରୁଥିଲେ । ସିଏ ବି ଏତେ ଯନ୍ତ୍ରଣାରେ ଥାଇ ମୋ ବିଷୟରେ ବୁଝି ପଚାରିଥିଲେ । ମୋ କଥା ଜାଣିଲା ପରେ ସେ ଆହୁରି ଭାଙ୍ଗିପଡିଥିଲେ । ସେ ବୋଧେ ମୃତ୍ୟୁ କୁ ଖୁବ ପାଖରୁ ଅନୁଭବ କରିଥିଲେ । ସେଥିପାଇଁ ସେ ମୃତ୍ୟୁ ପୂର୍ବରୁ ତାଙ୍କ ଆଖି ଦୁଇଟି ମତେ ଦେଇଯିବାକୁ ମେଡିକାଲ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।
ଠିକ ସେଇଆ ହିଁ ହେଲା । ସେଦିନ ଭ୍ୟାଲେଣ୍ଟାଇନ୍ସ ଡେ ଥିଲା । ଯୋଉଦିନ କି ସକାଳୁ ସକାଳୁ ସୁମିତ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଆଉ ଦେଇଗଲେ ମତେ ଏଇ ଅମୂଲ୍ୟ ଉପହାର । କହୁ କହୁ କାନ୍ଦି ପକୋଉଥାଏ ସେଫାଳି । କୁହ ସନ୍ତୋଷ ଏମିତି ଜଣେ ସଚ୍ଚା ପ୍ରେମିକକୁ ମୁଁ ବା କେମିତି ଭୁଲିବି । ନିଷ୍ପାପ ଆଉ ପବିତ୍ର ଏ ପ୍ରେମ । ମୁଁ ଚାହିଁ କି ବି ଭୁଲି ପାରୁନି ତାଙ୍କୁ । ଯେତେବେଳେ ଆଇନା ସାମ୍ନାକୁ ଯାଏ ସେଇ ଆଖି ଦୁଇଟି ଦେଖିଦେଲେ ସେ ପୁଣି ସେଇ ଆଖିରେ ନାଚି ଉଠନ୍ତି । କୁହ ତ ମୁଁ କେମିତି ଭୁଲିବି ତାଙ୍କୁ । କୁହ ସନ୍ତୋଷ । ତମେ ହୁଏତ ମତେ ଆଉ ମୋ ଚରିତ୍ର କୁ ସନ୍ଦେହ କରୁଥିବ ସନ୍ତୋଷ । ଆରେ ନାଇଁ ସେଫାଳି । ମୁଁ ପ୍ରଥମେ ପ୍ରଥମେ ଖରାପ ଭାବୁଥିଲି ,କିନ୍ତୁ ଏବେ ତମଠୁ ଏମିତି ଶୁଣି ମୁଁ ସ୍ତବ୍ଧ ହେଇଯାଉଛି । ସତରେ ସୁମିତ ଜଣେ ନିଆରା ପ୍ରେମିକ । ଏମିତି ବି ପ୍ରେମ ଥାଇ ପାରେ ବୋଲି ମୁଁ ଭାବି ବି ନଥିଲି । ମୁଁ ହଜାରେ ସଲାମ କରୁଛି ସେଇ ସୁମିତଙ୍କୁ ଯାହା ପାଇଁ ମୁଁ ଆଜି ତୁମକୁ ପାଇଛି ସେଫାଳି । ଦୁହେଁ ଭିଜି ଯାଇଥିଲେ ଆଖି ଲୁହରେ ।

