STORYMIRROR

Debasmita jena

Inspirational

3  

Debasmita jena

Inspirational

କନ୍ୟା ନୁହେଁ ସେ ଅନନ୍ୟା

କନ୍ୟା ନୁହେଁ ସେ ଅନନ୍ୟା

4 mins
221

  ଶୀତ ଦିନ । ସନ୍ଧ୍ୟା ପ୍ରାୟେ ସାଢେ ସାତଟା ହେବ । ମୁଁ ରାତ୍ରି ଭୋଜନ ପାଇଁ ସବୁ ରୋଷେଇ ସାରିଦେଇ ଟିକେ ସମୟ ପାଇଲେ ଲେଖା ଲେଖି କରିବି ଭାବି ଭାରି ଜଲଦି ଜଲଦିରେ କାମ କରିଥାଏ । ଛୋଟ ଝିଅଟେ ପାଇଁ ମତେ ଜମା ବି ସମୟ ହୁଏନି ନିଜ ଭିତରେ ଥିବା ପ୍ରତିଭା ବା ଇଚ୍ଛାକୁ ପରିପ୍ରକାଶ କରିବା ପାଇଁ । ସେଥିପାଇଁ ମୁଁ ସବୁବେଳେ ଭାରି ବ୍ୟସ୍ତରେ ଥାଏ ସମୟକୁ ବାନ୍ଧି ଧରିବା ପାଇଁ ହେଲେ ସମୟକୁ ଭଲା କିଏ ବାନ୍ଧିଛି ନା ବାନ୍ଧି ପାରିବ ? ଖାଲି ଯାହା ଗୋଟେ ମନର ଭ୍ରମ । 

 

  ସେଦିନ କିନ୍ତୁ କାମ ସରିଗଲା ପରେ ମୁଁ ଭାରି ଖୁସି ଥାଏ, ପାଖରେ ସ୍ୱାମୀ ବି ଥିଲେ । ସେ ଥିଲେ ମତେ ବେଶି ବ୍ୟସ୍ତ କି ଭୟ ଲାଗେନି କାହିଁକି ନା ସେ ଖୁବ ସହଯୋଗୀ । ମୁଁ ହାଲକା ଜଳଖିଆ ଖାଇ ମୋ କାର୍ଯ୍ୟ କରିବି ବୋଲି ଭାବିଥାଏ । ସେପଟେ ଝିଅ ବି ମୋର ତା ବାପାଙ୍କ ପାଖରେ ଖେଳୁଥାଏ । ହଠାତ କିଛି ନଥିଲା ମୋର ଛାତିରେ ଅଜସ୍ର ଯନ୍ତ୍ରଣା ଅନୁଭବ ହେଲା । ଲାଗିଲା ଯେମିତି ମୋର ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଯାଉଛି । କଥା ବି କହି ପାରିଲିନି । ମୋ ଅବସ୍ଥା ଦେଖି ସ୍ୱାମୀ ପାଖକୁ ଦୌଡ଼ି ଆସିଲେ । ବିଛଣା ଉପରକୁ ଟେକି ନେଇ ପିଠି ଛାତି ଆଉଁସି ଦେଲେ । ତଥାପି ମୁଁ ଯନ୍ତ୍ରଣାରେ ଛଟପଟ ହେଉଥାଏ । ଆଖି ଆପେ ଆପେ ବନ୍ଦ ହେଇ ଯାଉଥାଏ । କିନ୍ତୁ ସ୍ୱାମୀ ମୋ ପିଠିକୁ ହାଲୁକା ଚାପୁଡ଼ା ମାରି ମତେ ଧୈର୍ଯ୍ୟ ଧରିବାକୁ କହୁଥାନ୍ତି । କିନ୍ତୁ ମୁଁ ଖାଲି ଯାହା ଶୁଣୁଥାଏ କିଛି ପ୍ରତ୍ୟୁତ୍ତର ଦେବା ପାଇଁ ମୋର ବଳ ପାଉନଥାଏ କି ଇଚ୍ଛା ବି ହେଉନଥାଏ । ତାପରେ ସ୍ୱାମୀ ମୋର ଶାଶୁଙ୍କୁ ଡାକି ଆଣିଲେ । ସେ ସେପଟେ ଥିଲେ ଏସବୁ ବିଷୟରେ କିଛି ଜାଣି ନଥିଲେ । ସେ ଆସି ମୋ ଅବସ୍ଥା ଦେଖି ପୁରା ହତବାକ ହେଇଗଲେ । ସେ ବି ମତେ ଆଉଁସି ଦେଇ ଜଲଦି ଗାଡି ଡାକି ମେଡ଼ିକାଲକୁ ନେବା ପାଇଁ ଆଙ୍କୁ କହିଲେ । ଏସବୁ ମୋର ଦୁଇ ବର୍ଷର ଝିଅ ଦେଖୁଥାଏ । ଛୋଟ ପିଲାଟେ ହେଲେ ମଧ୍ୟ ତାର ବୁଦ୍ଧି ଆଉ ବିବେକକୁ ଦେଖି ମୁଁ ଆତ୍ମହରା ହୋଇଗଲି । ସେ ବାର ବାର ମତେ କହୁଥାଏ " ମାମା ଥାଉ, ମାମା ଥାଉ, ପିସ(ପ୍ଲିଜ) । କହି ପକେଇ ମୋ ମୁଣ୍ଡକୁ ଟିକେ ଆଉଁସି ଦେଉଥାଏ ତ ପୁଣି ମୋ ପିଠି କି ଆଉଁସି ଦେଉଥାଏ । ପୁଣି ଛୋଟ ଚାମଚଟେ ଆଣି ଅଲମୀରାରେ ଓସ ଓସ କହି ଦୌଡ଼ି ଯାଉଥାଏ । ଏସବୁ ଦେଖି ମୁଁ କାନ୍ଦି ପକୋଉଥାଏ । ଜାଣିନଥାଏ ଏ ସମୟଟା ମୋ ପାଇଁ କେତେ ସମୟ କିନ୍ତୁ ମୋ ଝିଅ ପାଇଁ ମୁଁ ଆହୁରି ବଞ୍ଚିବାକୁ ଚାହିଁଥାଏ । ଯେତିକି କଷ୍ଟ ମତେ ହେଉଥିଲା ମୁଁ ପୁରା ନିଶ୍ଚିତ ହେଇଯାଇଥିଲି ଯେ ସେଦିନ ମୋର ଶେଷ ରାତି ବୋଲି । 

  ଯେହେତୁ କୋରନା ସମୟକୁ ପୁଣି ରାତି, ଗାଡି କୋଉଠୁ ବି ମିଳିଲାନି । ସ୍ୱାମୀ ଆଉ ଶାଶୁ ମୋର ଭାରି ବ୍ୟସ୍ତ ହେଉଥାନ୍ତି । ତାଙ୍କ ବ୍ୟସ୍ତତା ଦେଖି ମୁଁ ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କରୁଥାଏ ଆଉ ସ୍ୱାମୀଙ୍କୁ ଜୋର ଦେଇ କହୁଥାଏ ଯେ ନାଇଁ ମୋର କିଛି ହେଉନି, ତମେ କେହି ବ୍ୟସ୍ତ ହୁଅନି। ମୁଁ ବାଇକରେ ଚାଲିଯିବି । ଯେହେତୁ ଅନ୍ୟ ଉପାୟ ନାହିଁ ସେଥିପାଇଁ ବାଧ୍ୟ ହୋଇ ମୁଁ ବାଇକରେ ବାହାରି ମେଡିକାଲକୁ ଗଲି । ଡାକ୍ତର ବାବୁ ମୋ ଅବସ୍ଥା ଦେଖି ଜଲଦି ଅକ୍ସିଜେନ ଲଗେଇବାକୁ କହିଲେ ହେଲେ ଅକ୍ସିଜେନ ନଥିଲା । ବାଧ୍ୟ ହୋଇ କିଛି ଔଷଧ ଦେଇ କହିଲେ ଆଜି ରାତିଟା ବିତିଯାଉ କାଲି ସକାଳକୁ ଅପେକ୍ଷା କର । ଯଦି ଅବସ୍ଥାରେ ଉନ୍ନତି ନ ଆସେ ତାହେଲେ ବାଧ୍ୟ ହୋଇ ବଡ଼ ମେଡିକାଲକୁ ନେଇଯିବ ।

  ମୁଁ ମନକୁ ଦୃଢ଼ କରି ଔଷଧ ନେଇ ଆସି ଫେରିଲି । ମୁହଁ ସଙ୍ଗେ ସଙ୍ଗେ ଫୁଲିଗଲା । ପୁରା କଦାକାର ଦେଖାଗଲି । ଘରକୁ ଆସିବା ପୂର୍ବରୁ ଭାବୁଥିଲି ମୋ ଝିଅ ମୋ ବିନା ନିଶ୍ଚୟ କାନ୍ଦୁଥିବ, ଭାରି ବ୍ୟସ୍ତ ହେଉଥିଲି ହେଲେ ଫେରିକି ଦେଖେ ତ ସବୁ ଓଲଟା । ଝିଅ ମୋର ବୁଝିଲା ସୁଝିଲା ପରି ହେଲା ପରି ଖେଳୁଥିଲା, ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ଯୋଉ ପିଲା ନିଜ ମାଆ ବିନା କ୍ଷଣିକ ପାଇଁ ରହି ପାରେନି ସେଇ ପିଲା ପୁଣି ପୁରା ବିନ୍ଦାସ ହେଇ ଖେଳୁଛି । ମୁଁ ତାକୁ କୁଣ୍ଢେଇ ଧରିଲି, ମନ ଭରି ଗେଲ କଲି ଆଉ ଭାରି ମନେ ପକେଇଲି ମୋ ବୋଉକୁ । ଆମେ ଚାରି ଭଉଣୀ ବୋଲି ସମସ୍ତେ ମୋ ବୋଉକୁ ଦୁଃଖିନୀ ବୋଲି କୁହନ୍ତି କିନ୍ତୁ ମୁଁ ବୋଉକୁ ବୁଝେଇ ଦିଏ ଯେ ଦେଖ ବୋଉ ତୁ ପୂଣ୍ୟ କରିଛୁ ବୋଲି ତୋର ଚାରିଟା ଝିଅ ହେଇଛି । ଭାଗ୍ୟରେ ଥିଲେ ଝିଅ ମିଳେ କାହିଁକି ନା କନ୍ୟା ଦାନ ମହା ପୂଣ୍ୟ ଆଉ କନ୍ୟା ନୁହେଁ ଆମେ ସବୁ ଅନନ୍ୟା । ବୋଉ ହସିଦେଇ କହେ ହଁ ତୁ ଠିକ କହିଛୁ । ଆଜି ମୁଁ ବି ହୃଦୟଙ୍ଗମ କରୁଛି ସତରେ ପାଖରେ ଝିଅଟେ ଥିଲେ ବେଶି କଷ୍ଟ ଲାଗେନି । ସବୁ ସୁଖ ଦୁଃଖର ସେ ବଳ ହୁଏ । ଝିଅଟେ ମାଆର ଦୁଃଖ ଯେତିକି ବୁଝେ ଆଉ ଅନୁଭବ କରିପାରେ ଗୋଟେ ପୁଅ ସେଇଟା କେବେ ବି ଅନୁଭବ କରିପାରେନି ବୋଲି ମୁଁ ଭାବେ ।

ମୁଁ ଯେବେ ସଦ୍ୟ ମାଆ ହେଇ ମେଡିକାଲରୁ ଘରକୁ ଫେରିଲି ଦେଖିଲି ବାପା(ଶ୍ୱଶୁର ) ସବୁ କାମ କରୁଛନ୍ତି କାହିଁକି ନା ମୋର କେହି ନଣନ୍ଦ ନାହାନ୍ତି ଆଉ ସେତେବେଳେ ଶାଶୁ ମାଆଙ୍କ ହାତ ବି ଭଲ ନଥିଲା । ତେଣୁ ସେ କିଛି କରିପାରୁନଥିଲେ । ସେସବୁ ଦେଖିଲେ ମତେ ଭାରି କଷ୍ଟ ହୁଏ । ଦେହର କଷ୍ଟ ଅପେକ୍ଷା ଶ୍ୱଶୁରଙ୍କ ସେବାରେ ମୁଁ ଭାରାକ୍ରାନ୍ତ ହେଇପଡୁଥିଲି । ସେଥିପାଇଁ ତ ନିଜ ଶରୀରର କଷ୍ଟକୁ ଲୁଚେଇ ଅପରେସନର ମାତ୍ର ବାର ଦିନରେ ମୁଁ ସବୁ କାମ କରିବା ଆରମ୍ଭ କରିଥିଲି ଆଉ ମନେ ମନେ ଭାବିଥିଲି ଯଦି ମୋ ଶାଶୁଙ୍କର ଗୋଟେ ଝିଅ ଥାଆନ୍ତା ତାହେଲେ ସେ ନିଶ୍ଚୟ ଏ ସମୟରେ ଆସି ମୋ ପାଖରେ ଠିଆ ହେଇଥାନ୍ତେ । କାହିଁକି ନା ମୋ ବୋଉର କିଛି ହେଲେ ଆମେ ଚାରି ଭଉଣୀ ବିନା କିଛି ଦ୍ଵିଧାରେ ତା ପାଖରେ ଠିଆ ହେଇପଡୁ । ଆଉ ଆମ ସମସ୍ତଙ୍କୁ ଦେଖି ତା ଭିତରେ ଯେମିତି ଅଜସ୍ର ବଳ ଚାଲିଆସେ ଆଉ ସେ ନିଜକୁ ସୁସ୍ଥ ଅନୁଭବ କରେ । ଯେଉଁ ମାନେ ମାଆ ପେଟରୁ ହିଁ କନ୍ୟାର ଭୃଣ ଟିଏ ସଂଚରିଲା ପରେ ତାର ହତ୍ୟା କରିବାକୁ ପଛାନ୍ତି ନାହିଁ କମସେ କମ ସେମାନେ ଥରେ ନିଜ ମାଆକୁ ମନେ ପକାନ୍ତେ । କାହିଁକି ନା ଝିଅଟେ ହିଁ ମାଆ, ଭଉଣୀ ସ୍ତ୍ରୀ ବନ୍ଧୁ ସବୁ କିଛି । ମୋ ଝିଅ ମୋ ପାଇଁ ଗର୍ବ ।



Rate this content
Log in

Similar oriya story from Inspirational