Debasmita jena

Tragedy

3.4  

Debasmita jena

Tragedy

କୁଳାଙ୍ଗାର ପୁଅ

କୁଳାଙ୍ଗାର ପୁଅ

4 mins
184



  " ହେଇରେ କୂଳଙ୍ଗାର,ଅପଦାର୍ଥ,ବାଡ଼ିପଶା ତୋ ମୁହଁରେ ଟିକେ ଲାଜ ସରମ ନାହିଁ । ବେଳ ଆସି ଏତେ ହେଲାଣି ତୁ ଏଯାଏଁ ସୋଇଛୁ ? ସେପଟେ ତୋ ବୁଢା ବାପା ଟା ଖରା ତରା ରେ ଦିହ କୁ ପଥର କରି ଖଟୁଛି ଆଉ ତୁ ଭେଣ୍ଡିଆ ଟା ହେଇ ଖାଲି ଗିଳୁଛୁ । ତୁ କାହିଁକି ଜନ୍ମ ହେଉଥିଲୁ କେଜାଣି ତୋ ଭଳି ପୁଅ ଥାଇ କେତେ ନଥାଇ କେତେ । ଘୋଡାମୁହାଁ ପୁଅ ତୁ ପେଟରୁ କାହିଁକି ନମଲୁ "?

  ପ୍ରତିଦିନ ଉମା ବୋଉ ଏମିତି ରାତି ପହିଲେ ଗେଜେର ଗେଜେର ହୁଏ । ନିଜ ଜନ୍ମିତ ପୁଅ କୁ ଗାଳି କରି ନିଜେ ବହୁତ କାନ୍ଦେ ହେଲେ କାହାକୁ କିଛି ଫରକ ପଡେନା । ପରିବାର କହିଲେ ସ୍ୱାମୀ ଉମେଶ,ପୁଅ ଉମାକାନ୍ତ ଆଉ ସେ ନିଜେ (ଉର୍ମିଳା )। ଝାଟି ମାଟି ର ସଂସାର । ଭାରି ସ୍ୱାଭିମାନି ଦୁହେଁ । ଗରିବ ହେଲେ ବି କାହା ପାଖରେ ହାତ ପତାତି ନାହିଁ । ନିଜ ଭିଟା ମାଟି ରେ ଫସଲ କରି ଚଳି ଯାଆନ୍ତି । ବହୁତ କଷ୍ଟ ରେ ପୁଅ ଟେ ପାଇଥିଲେ ଯେ ସେ କୋଉ କୂଳ କୁ ନୁହେଁ । କୁଟା ଖଣ୍ଡ କୁ ଦିଖଣ୍ଡ କରିବାକୁ ବି ତାର ଆଗ୍ରହ ନଥାଏ । ଭେଣ୍ଡିଆ ପୁଅ ଟା,ତା ବୟସ ର ପୁଅ ସବୁ ବାହା ହେଇ ଛୁଆ ପିଲାଙ୍କ ବାପା ହେଲେଣି । ହେଲେ ଏ ସବୁବେଳେ ଅଳସୁଆ ହେଇ ବସି ରହିଲା । ବାପା ମା ଦୁଇ ଜଣଙ୍କୁ ପୋଷିବା ବୟସ ରେ ନିଜେ ବୋଝ ହେଇ ଦୁଇ ଜଣଙ୍କ ଦୁଃଖ ବଢ଼ାଉଛି । 

ବାପା ମା ଦୁଇ ଜଣ କେତେ ବୁଝେଇଲେଣି, ହେଲେ ଉମାକାନ୍ତ ସବୁ ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ । କହେ ବୋଉ ଲୋ ତୁ କାହିଁକି ଏମିତି ମତେ ଗାଳି କରୁଛୁ ଯେ, ଏ ବୋଉ, ବୋଉ ଲୋ ତୁ ଜମା ମନ ଦୁଃଖ କରନା, ମୁଁ ଏକା ବେଳେ ଏତେ ପଇସା ଦେବି ଯେ ତୁ ରଖିପାରିବୁନି, ସେତେବେଳେ ମତେ ଜାଣିବୁ । 

ହଁ କହି ପୁଣି ନିଜ ଭାଗ୍ୟ କୁ ଆଦରି କୋଳରେ ଆଦରି ନିଏ ମା ତା ପୁଅ କୁ । ବିଚାରି ମା ଟା, କଣ ବା ତା ପୁଅ କୁ କହିବ । କେବେ ବୁଝିବ ସଂସାର ର ରୀତି ନୀତି ଏ କଥା ଭାବି ଭାବି ଭାରି ମନ ଖରାପ କରେ । ତାପରେ ସବୁ କୁ ହଜମ କରିନେଇ ଯାଏ । ଏଇଟା ଯେମିତି ଏ ସ୍ୱାମୀ ସ୍ତ୍ରୀ ଙ୍କ ର ଦେହ ସୁହା ହେଇଗଲାଣି ।

 ବେଳେବେଳେ ଗାଁ ଲୋକ ଉମେଶ କୁ ତାଗିଦ କରି କହିଦିଅନ୍ତି" ଉମେଶ ଦେଖ,ତୋ ପୁଅ କୁ ଆକଟ କରି ରଖ । ଏଡ଼େ ବଡ଼ ଟୋକା ଟା ହେଲାଣି ହେଲେ ପିଲା ଙ୍କ ପରି ଆ ବାଡ଼ି ରୁ କାକୁଡି,ତା ବାଡ଼ି ରୁ କଦଳୀ ପୁଣି କାହାର କଣ ଚୋରି କରୁଛି, ପ୍ରଥମେ ପ୍ରଥମେ ପିଲାଳିଆମୀ ଭାବି ସହିଯାଉଥିଲୁ ହେଲେ ଆଉ ନୁହେଁ । ଯଦି ଏବେ ତୁ ତାକୁ ନସମ୍ଭାଳୁ ତାହେଲେ ଆମେ ଗାଁ ରେ ପଂଚାୟତ ବସେଇ ଏହାର ସମାଧାନ କରିବୁ । ସେତେବେଳେ କିଛି କହିଲେ ଆଉ ଶୁଣା ଯିବନି ।" 

 ଆଜ୍ଞା କହି ନିରବି ଯାଏ ଉମେଶ । ଭଲା କାହାକୁ ବା ତା ଦୁଃଖ କହିବ । କିଏ ବୁଝିବ ତା କଥା । ଘରେ ଆସି ପୁଅ କୁ ବହୁତ ବୁଝାଏ ହେଲେ ଲାଭ କିଛି ହୁଏନାହିଁ । 

ବାପା ମା ଦୁଇ ଜଣ ଙ୍କର ଆଉ ଉମାକାନ୍ତ ଉପରେ ଭରଷା ବି ନଥାଏ । ଖାଲି ଯାହା ନିଜ ଭାଗ୍ୟ ଆଉ କର୍ମ କୁ ଆଦରି ପଡ଼ିଥାନ୍ତି । ବାଟରେ ଘାଟରେ ଯିଏ ଯାଏ ସବୁ ଉମାକାନ୍ତ କୁ ଦେଖି ଛି ଛାକର କରନ୍ତି । ନିର୍ଲଜ ଙ୍କ ପରି ହସିଦେଇ ଉମାକାନ୍ତ ଚାଲିଯାଏ ତା ବାଟରେ ।


 ଥରେ ଆର ଗାଁ ରେ ମେଳା ଲାଗିଥିଲା । ମେଳା ଦେଖିବାକୁ ଉମାକାନ୍ତ ର ଗାଁ ରୁ ବହୁତ ଲୋକ ଗଲେ । ଏମିତି ବି ଉମାକାନ୍ତ କିଛି କାମ କରେନି ଖାଲି ଯାହା ବସି ସୋଇ ଖାଏ ଆଉ ବୁଲେ । ତାର ବି ମେଳା ବୁଲିବାକୁ ଇଚ୍ଛା ହେଲା । ବୋଉ ପାଖରେ ଯାଇ ଜିଦ ଧରିଲା ଆର ଗାଁ କୁ ମେଳା ଦେଖି ଯିବ ବୋଲି । ବୋଉ କିଂତୁ ପୁରା ମନା କରିଦେଲା । ସେ ଗାଁ କୁ ଯିବାକୁ ହେଲେ ବଡ଼ ନଦୀ ଟିଏ କୁ ଆଗ ପାରି ହେବାକୁ ପଡିବ । ମା ମନ, ଯେତେ ରାଗିଲେ ଅଭିମାନ କରି ଗାଳି ଦେଲେ ବି ସେ ମା । ନିଜ ପିଲା ଙ୍କ ପାଇଁ ତା ମନରେ ସବୁବେଳେ ଡର ଥାଏ ହେଲେ ଉମାକାନ୍ତ ର ଅତ୍ୟଧିକ ଜିଦ ଆଗରେ ହାର ମାନି ତା ହାତରେ କିଛି ଟଙ୍କା ଦେଇ ମେଳା ଯିବା ପାଇଁ ରାଜି ହେଇଗଲା । ବାପାରେ ଜଲଦି ଫେରି ଆସିବୁ, ଦେଖିକି ଯିବୁ କହି ବିଦାୟ ଦେଲା ପୁଅ କୁ । 

 ଉମାକାନ୍ତ ଗଲା । ତା ଖୁସି ପୁରା ଆକାଶ ଛୁଆଁ । 

କିଛି ସମୟ ପରେ ଗାଁ ଭିତରେ ହୋଇ ହଲା ପଡିଗଲା ।ଡଙ୍ଗା ବୁଡ଼ିଗଲା, ଡଙ୍ଗା ବୁଡ଼ିଗଲା ,କିଏ କୋଉଠି ଅଛ ଦୌଡ଼ି ଆସ । ଚାରିଆଡେ ପବନ ବେଗରେ ଭାଲେଣି ପଡିଗଲା । ନଦୀ ପଠା ରେ ଶହ ଶହ ଲୋକ ରୁଣ୍ଡ ହେଇଗଲେ । ସମସ୍ତେ ନିଜ ନିଜ ଲୋକ ର ଜୀବନ ପାଇଁ ଚିତ୍କାର କରୁଛନ୍ତି । ନଦୀ ର ଅପର ପାର୍ଶ୍ୱ ରୁ ବି ଅନେକ ଲୋକ ବୁଡି ଯାଉଥିବା ଲୋକ ଙ୍କୁ ଉଦ୍ଧାର କରିବା ପାଇଁ ନଦୀ କୁ ଡେଇଁ ପଡୁଥାନ୍ତି । ହେଲେ ନଦୀ ର ଜଳ ବହୁତ ଗଭୀର, ଅକାତ ପାଣି । ଦମକଳ ବାହିନୀ ଆସିବା ଭିତରେ ଅନେକ ପ୍ରାଣ ଚାଲିଯିବ । 

 ଠିକ ଏହି ସମୟରେ ଦେଖାଗଲା ଏକ ବିରଳ ଘଟଣା । ଗଭୀର ନଦୀ ଭିତରେ ଦୁଇ ଜଣଙ୍କୁ କାନ୍ଧରେ ପକେଇ ଉମାକାନ୍ତ ପହଁରି ପହଁରି କୂଳ କୁ ଆଣୁଛି । ସମସ୍ତେ ତାର ଏମନ୍ତ କାର୍ଯ୍ୟ ଦେଖି ତାକୁ ତାଳି ମାରି ଆହୁରି ପ୍ରେରଣା ଦେଉଥାନ୍ତି । ଚାରି ଚାରି ଜଣ ଲୋକଙ୍କ ଜୀବନ ବଞ୍ଚେଇ ଶେଷରେ ସେ ପାଣିରେ ବୁଡି ମରିଗଲା । ଯିଏ ଯେତେ ଚେଷ୍ଟା କଲେ ବି ବଞ୍ଚେଇ ପାରିଲେନି । ସମସ୍ତଙ୍କ ମୁହଁ ରେ ଖାଲି ଆଃ,ବିଚରା ଅନ୍ୟ କୁ ବଞ୍ଚେଇ ନଜ ଜୀବନକୁ ବିପଦରେ ଠେଲିଦେଲା,କେଡେ ବଡ଼ କାମ ଟା କରିଗଲା ର ପ୍ରଶଂସା ଛୁଟିଲା । ଖବର ପାଇ ଉମାକାନ୍ତ ର ବାପା ମା ଦୁଇ ଜଣଙ୍କ ର ଆଉ ହୋସ ଆସିଲା ନାହିଁ । ଗୋଟେ ବୋଲି ପୁଅ ତାର ପୁଣି ଅକାଳ ମୃତ୍ୟୁ ଖବର ଶୁଣି ବୁଢା ବୁଢ଼ୀ ଦୁଇଜଣଙ୍କ ର ଅବସ୍ଥା ସଙ୍କଟାପନ୍ନ ହେଇଗଲା ।ସେମାନେ ବଂଚି ଥାଉ ଥାଉ ମରିଗଲା ପରି ହେଲେ । ସେ କୁଳାଙ୍ଗର ହେଉ କି ଅପଦାର୍ଥ ହେଉ ତାଙ୍କ ପାଇଁ ତ ସେ ଅନ୍ଧ ର ଲଉଡି ଥିଲା ।

 ଗାଁ ଲୋକ ବହୁତ ବୁଝେଇଲେ, ଧର୍ଯ୍ୟ ଧରିବାକୁ ସାହସ ଦେଲେ ହେଲେ ସବୁ ନିରର୍ଥକ ହେଲା ।


ଘଟଣା କୁ ବର୍ଷେ ବିତିଗଲାଣି । ହେଲେ ଆଜି ବି ଲୁହ ଶୁଖିନି । ଉମାକାନ୍ତ ର ସାହାସିକତା ପାଇଁ ରାଷ୍ଟ୍ରପତି ପୁରସ୍କାର ସହିତ ଲକ୍ଷ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିଛି ଉମେଶ ଆଉ ଉର୍ମିଳା କୁ । ହେଲେ ଆଉ ବା ସେ ପଇସା କଣ ହେବ ।

ଉର୍ମିଳା ବସି ଭାବେ ସେଇ କୁଳାଙ୍ଗାର ପୁଅ ର କଥା " ବୋଉ ମୁଁ ଏକା ବେଳେ ଏତେ ପଇସା ଦେବୀ ଯେ ତୁ ଗଣିପାରିବୁନି କି ରଖିପାରିବୁନି । ସତକୁ ସତ ସେଇଆ ହେଲା । ଉମା ମା ରାତି ପାହିଲେ ବାହୁନି ବାହୁନି କାନ୍ଦେ ଫେରିଆ ଲୋ ମୋ କୁଳାଙ୍ଗାର ପୁଅ,ଫେରିଆ


Rate this content
Log in

Similar oriya story from Tragedy