ନାଇଟି
ନାଇଟି
ଏ.........ପୁଅ ମା.......ଏ ଝିଅ ମା....…କୁଆଡେ ଗଲୁ ମା,ଏ କେଲୁଣି ଡାକୁଛି ଛିଣ୍ଡା ପଟା ଲୁଗା ଖଣ୍ଡେ ଅଛି ଯଦି ଦେ, ତୋର ଧରମ ହେବ । ମୁଁ ପରା କେଲୁଣି, ମତେ ଦେଲେ ତୋର ଘର ପୁରି ଉଠିବ । ନାତି ନାତୁଣୀରେ ତୋ ଦିନ ସରିଯିବ ।
ଘର ଭିତରୁ କେଲୁଣିର ଡାକ ଶୁଣି ଦୌଡ଼ି ଆସିଲେ ଲକ୍ଷ୍ମୀ ଦେବୀ । କଣ ହେଲା ଏତେ ଜୋରରେ ପାଟି କରନା ଭିତରେ ମୋ ନାତୁଣୀ ସୋଇଛି ଉଠି ପଡ଼ିବ ।
ମା, କଣ ନାତୁଣୀ ହେଇଛି କି ? ହଉ ଭଲ କଥା ତୋ ଘରକୁ ଲକ୍ଷ୍ମୀ ଆସିଛି ଲୋ ମା, ଦେ ମତେ କଣ ଦଉଛୁ ଦେ, ଲୁଗା ଖଣ୍ଡେ ଦେ, ଚାଉଳ ପଇସା ଯାହା ଦଉଛୁ ଦେ । ଆଉ ଥରକୁ ତୋର ନାତି ହେବ ଲୋ ମା ଦେ ଜଲଦି ଦେ ।
ଆରେ ଆରେ ରହ, ତୁ ଲୁଗା ଚାଉଳ ପଇସା ଏକା ବେଳେ ସବୁ ମାଗିଲେ କୋଉଠୁ ଆଣିବି ବୋଲି କହିଲେ ଲକ୍ଷ୍ମୀ ଦେବୀ । ଏବେ ଏବେ ନାତୁଣୀ ହେଇଛି ମେଡିକାଲରେ ବହୁତ ପଇସା ଖର୍ଚ୍ଚ ହେଇଗଲା ତୁ ଖାଲି ଚାଉଳ ନେଇ କରି ଯା ପଛରେ କେବେ ସୁବିଧା ହେଲେ ଲୁଗା ପଟା ଦେବି ।
ନାଁ, ଆଜି ଏ କେଲୁଣି ତୋ ଦୁଆରେ ବସିଲା ନୂଆ ନଦେଲୁ ନାହିଁ ଖଣ୍ଡେ ପୁରୁଣା ସୁତା ଲୁଗା ଦେ ।
ମୋ ଘରେ ଏବେ ଛୋଟ ଛୁଆଟେ ହେଇଛି, ତାର ଘୁଅ ମୁତ ପୋଛିବାକୁ ଯାହା ପୁରୁଣା ଲୁଗା ପଟା ଥିଲା ସବୁ ଚିରି ଦେଇଛି ତୁ ଯା ପରେ ନେବୁ ବୋଲି ଯେତେ କହୁଥାନ୍ତି ଲକ୍ଷ୍ମୀ ଦେବୀ ବୁଝୁ ନଥାଏ ସେ କେଲୁଣି ବୁଢ଼ୀ ଜଣକ ।
ଶେଷରେ ବାଧ୍ୟ ହୋଇ ଘର ଭିତରକୁ ଆସି ଲକ୍ଷ୍ମୀ ଦେବୀ ବୋହୁ ରୁମର ଆଲଣାରୁ ପୁରୁଣା ଲୁଗା ଖୋଜିବାକୁ ଲାଗିଲେ ।
ପାଖରେ ଶୋଇଥିଲା ଲତିକା (ଲକ୍ଷ୍ମୀ ଦେବୀ ଙ୍କ ବୋହୁ) । ପଚାରିଲା ବୋଉ କଣ ଖୋଜୁଛ କି ?
ନାଇଁ ମ ବାହାରେ କେଲୁଣି ଠିଆ ହେଇଛି, ଖଣ୍ଡେ ଛିଣ୍ଡା ଲୁଗା ନେବ ଯେତେ ମନା କଲେ ବି ବୁଝୁନି । ସେଇଆକୁ ଖୋଜୁଛି ।
ନାଇଁ ବୋଉ ମୋ ପାଖରେ ବି କିଛି ଛିଣ୍ଡା ଲୁଗା ନାହିଁ ।
ହଉ ଛାଡ଼, କଣ କରିବି......ଟିକେ ଭାବିବା ପରେ ଲକ୍ଷ୍ମୀ ଦେବୀଙ୍କର ନଜର ପଡିଗଲା ନାଇଟି ଉପରେ ।
ଆରେ ଏଇ ନାଇଟି ଟା ଦେ, ତୁ କଣ କରିବୁ ତାକୁ ରଖିକି ଦେ ମୁଁ ସେଇଟା ତାକୁ ଦେଇ ଦେବି ବୋଲି କହିଲେ ଲକ୍ଷ୍ମୀ ଦେବୀ ।
ଲତିକା- ନାଇଁ ନାଇଁ ବୋଉ ସେଇଟା ନିଅନି ଥାଉ ସେଇଟା ମୋର ଗୋଟେ ସ୍ମୃତି, ତମେ ଆଉ କଣ ଦେଖିକି ଦେଇ ଦିଅ ।
ଲକ୍ଷ୍ମୀ ଦେବୀ-ଆଉ କଣ ଦେବି । ତା ଛଡା ଏଇ ନାଇଟି ଆଉ କୋଉ କାମକୁ ନୁହେଁ ତୁ କଣ ଆକୁ ଆଉ ପିନ୍ଧିବୁ ନା କଣ ? ସେକଥା ଭୁଲି ଯାଆ ନାଇଟି ପିନ୍ଧି ବୁଲିଲେ କଣ ଭାବିବେ ଲୋକ ମାନେ ରଖିଲେ ସିନା ଇଛା ହେବ ନଥିଲେ କୁଆଡୁ ଆସିବ । ଦେ ମୁଁ ସେଇଟା ନେଇ ଯାଉଛି ।
ଲାତିକା- ନାଁ ନାଁ ବୋଉ ଦୟାକରି ସେଇଟା ନିଅନି । ସେଇଟା ତମ ପୁଅ ଦେଇଥିଲେ ଅବଶ୍ୟ ପରିସ୍ଥିତିରେ ଆଣନ୍ତୁ ପଛେ କିନ୍ତୁ ମୋର ବହୁତ ସ୍ମୃତି ଜଡିତ ଅଛି ସେଥିରେ ।
ଲକ୍ଷ୍ମୀ ଦେବୀ- ହଉ, ତୁ ଯଦି ଏତେ କହୁଛୁ,ତାହେଲେ ଥାଉ ଆଉ ହଁ ଖବରଦାର ଏଇଟା ଯଦି କେବେ ପିନ୍ଧିଛୁ ତାହେଲେ ଚିନ୍ହିବୁ ସେଦିନ ମୁଁ କିଏ ? ଆଉ ନାଇଟି ନଦେଲୁ ନାହିଁ ଏଇ ଶାଢ଼ୀଟା ଦେ ।
ବୋଉ.....,!ଏଇ ଶାଢ଼ୀଟା ଅତି ଭାବ ବିହ୍ଵଳ ହୋଇ କହୁଥାଏ ଲତିକା ।
ହଁ ଏଇ ଶାଢ଼ୀଟା..
ହେଲେ ବୋଉ ଏଇ ଶାଢ଼ୀଟା ତ ମୁଁ ପିନ୍ଧୁଛି, ତା ସହ ଏଇଟା ମୋର ଭାରି ପସନ୍ଦ ଆଉ ଏଇଟାକୁ ମତେ ମୋ ନିଜ ମା ଠୁ ବି ଅଧିକ ଭଲ ପାଉଥିବା ମାଉସୀ ଜଣେ ଦେଇଛନ୍ତି । ତାଙ୍କର ସ୍ନେହ ଭଲ ପାଇବା ଆଉ ଆଶୀର୍ବାଦର ସ୍ୱରୂପ ଏଇ ଶାଢ଼ୀ । ଭଲା ତାକୁ କେମିତି ଦେବି ଯେ ।
ରାଗ ଭରା କଣ୍ଠରେ କହିପକେଇଲେ ଲକ୍ଷ୍ମୀ ଦେବୀ, ତୋର ତ ସବୁଥିରେ ସ୍ମୃତି ବୋଳି ହେଇ ପଡିଛି ଆଉ । ନାଇଟି ଦବୁନି କି ଶାଢ଼ୀ ଦବୁନି । ମତେ ସେ କେଲୁଣି ଆଗରେ ଛୋଟ କରିବାକୁ ଚାହୁଁଛୁ କି ।
ନାଇଁ ନାଇଁ ବୋଉ, ସେମିତି କଥା ନୁହେଁ ।
ତୁ ଏଇ ଶାଢ଼ୀଟା ଦେ କହି ଜୋର କରି ନେଇଗଲେ ଲତିକାର ହାତରୁ ସେଇ ଶାଢ଼ୀଟି ତାଙ୍କ ଶାଶୁ ମା ।
ବିଚାରି ଲତିକା କିଛି ବି କରି ପାରୁ ନଥାଏ । ଗୋଟେ ପଟେ ସ୍ୱାମୀଙ୍କ ପ୍ରଥମ ଉପହାର,ନା ନା ସେଇଟା ତ ଉପହାର କୁହା ଯିବନି ପରିସ୍ଥିତି ଆଉ ପରିବେଶର ପରିବେଷ୍ଟନୀ ମାତ୍ର ସେ ଆଉ ଗୋଟେ ପଟେ ଜଣେ ମା ଠୁ ଅଧିକ ମାଉସୀର ସ୍ନେହ । ସେ କିଛି ଭାବିବା ପୂର୍ବରୁ ଶାଶୁ ମା ତାର ସେଇ ଶାଢ଼ୀଟି ନେଇ କେଲୁଣି କି ଦେଇ ସାରିଥିଲେ । ସେ ବି ସେଇ ଶାଢ଼ୀ ପାଇ ପୂରା ଖୁସିରେ ବାଃ ବାଃ ହେଇ ଚାଲିଗଲା ।
ଲତିକା କେବଳ ସେଇ ନାଇଟି ଖଣ୍ଡିକ ଦେଖି ତାର ଅତୀତକୁ ଫେରି ଯାଉଥିଲା ।
ସେଇ ଅଭୁଲା ଦିନ । ଯେଉଁଦିନ କି ହସ୍ପିଟାଲରେ ପଡି ଲତିକା ଗୋଟେ ନୂଆ ପରିଚୟ ପାଇବାର ଅପେକ୍ଷାରେ ଥିଲା । ସେତିକିବେଳେ ହସ୍ପିଟାଲର ନର୍ସ ଆସି ଲତିକାର ସ୍ୱାମୀ ଲଳିତଙ୍କୁ ଗୋଟେ ଚିଠା ଧରେଇ ଆବଶ୍ୟକୀୟ ଜିନିଷ ଜଲଦି ଆଣିବାକୁ କହିଲେ ଆଉ ତା ସହ ଗୋଟେ ନାଇଟି ବି ।
ନାଇଟି....? ଚମକି ପଡିଲେ ଲକ୍ଷ୍ମୀ ଦେବୀ । ମୋ ବୋହୁ ପୁଣି ନାଇଟି ପିନ୍ଧିବ...?
ନାଁ ନାଁ ହେଇ ପାରିବ ନାହିଁ । କିନ୍ତୁ ନର୍ସ ଜଣଙ୍କ ବୁଝେଇ ଦେଲେ ମାଉସୀ, ତମ ବୋହୁର ଅପରେସନ ହେବ । ଆଉ ଅପରେସନ ପରେ ଶାଢ଼ୀ ପିନ୍ଧି ପିଲାକୁ କେମିତି ସମ୍ଭାଳିବେ । ତାଙ୍କ କଣ୍ଡିସନ ତ ଭଲ ନାହିଁ ଆଉ ଆମକୁ ବି ତାଙ୍କ ଲୁଗା ପଟା ବଦଳେଇବାକୁ ଅସୁବିଧା ହେବ । ତା ସହ ସେ କଣ ସବୁଦିନ ପିନ୍ଧିବେ କି କେବଳ ଏଇ ଅପରେସନ ପର ପର୍ଯ୍ୟନ୍ତ କେଇଟା ଦିନ ମାତ୍ର ।ଜଲଦି ଆଣନ୍ତୁ କହି ସେ ଚାଲିଗଲେ ।
ଆଣୁଛି କହି ଲଳିତ ବି ଚାଲିଗଲେ । କିଛି ସମୟ ପରେ ହାତରେ ସେଇ ଆବଶ୍ୟକୀୟ ଜିନିଷ ସହ ଗୋଟେ ମେହେନ୍ଦୀ ରଙ୍ଗର ନାଇଟି ଟିଏ ବି ଆଣିଥିଲେ । ଅବଶ୍ୟ ଏ ବିଷୟରେ ଲତିକାକୁ କିଛି ଜଣା ନଥିଲା । ଅପରେସନ ପରେ ହୋସ ନଥିଲା ତାର, ହୋସ ଆସିଲା ପରେ ଜଣେ ନୂଆ ଅତିଥି ସହ ତାର ଭେଟ ହେବା ସହ ସେ ଗୋଟେ ନୂଆ ପରିଚୟ ବି ପାଇ ସାରିଥିଲା । ଦୁନିଆର ସର୍ବଶ୍ରେଷ୍ଠ ଗୌରବ....ଜଣେ ମା ହେବାର ।
ସ୍ୱାମୀ ଲଳିତ ପାଖକୁ ଆସି କୋଳକୁ ବଢ଼େଇ ଦେଲେ ସେଇ କୁନି ଅତିଥିକୁ ଆଉ ଅତି ଖୁସିରେ thanks ଆଉ congratulation କହି ଏ ନାଇଟି ଟି ତମ ଗୋରା ଦେହକୁ ବହୁତ ମାନୁଛି କହି ହସି ଦେଇଥିଲେ । ବାସ ଲତିକା ସେଇ ନାଇଟି ଟି ନିଜ ଦେହରେ ଦେଖି ସେ ବି ଖୁସି ହେଉଥିଲା କାହିଁକି ନା ସେ ଆଉ ନାଇଟି... କଳ୍ପନାର ପରିଧି ବାହାରେ । ତାର ସ୍ୱାମୀ ପୁରା ରକ୍ଷଣଶୀଳ, ସବୁବେଳେ ଶାଢ଼ୀ ଆଉ ଓଢଣୀ ତଳେ ରହିବାକୁ ପରାମର୍ଶ ଦେଉଥିଲେ ସେ ପୁଣି ନାଇଟି ଆଣିଛନ୍ତି । ଆଉ ନାଇଟି ପିନ୍ଧି ସେ ସୁନ୍ଦର ଦେଖା ଯାଉଛି ବୋଲି କହୁଛନ୍ତି । ଘରକୁ ଆସିଲା ପରେ ବହୁତ ଥର ସେଇ ନାଇଟିକୁ ନେଇ ଚର୍ଚ୍ଚା କରିଛନ୍ତି ସ୍ୱାମୀ ଲଳିତ । ଅବଶ୍ୟ ଶାଶୁ ମା ଖୁସି ନଥିଲେ ଜମା । ସେଇ ମେଡିକାଲରେ ଯେବେ ଲଳିତଙ୍କ ମାମୁଁ ଆସିଥିଲେ ଦେଖିବାକୁ ଶାଶୁ ଲତିକାକୁ ମୋଟା ବେଡ଼ସିଟ ଟିଏ ଆଣି ଲଦି ଦେଇଥିଲେ ,କହୁଥିଲେ ଛି ଛି ମଳାଶୁରଟିଏ ଆସିବେ,ତତେ ଏ ନାଇଟି ପିନ୍ଧା ଅବସ୍ଥାରେ ଦେଖି କଣ ଭାବିବେ? ଲଜ୍ୟା ସରମ ସବୁ ଛାଡିଦେଲେ । ମୁଣ୍ଡରେ ଓଢଣା ନାହିଁ ନାଇଟି... ଛି । ଆମ ବେଳେ କଣ ଆମେ ଛୁଆ ଜନମ କରିନଥିଲୁ କି । ଆଉ ଏଇ ଯୁଗ ହେଇଛି । ମୁଣ୍ଡରେ ମୋଟା ବେଡ଼ସିଟର ଆବରଣ ତଳେ ଝାଳରେ ଲତିକା ରହି ପାରୁନଥାଏ । ତଥାପି ଚୁପ ଚାପ ଭାରି କଷ୍ଟରେ ବସିଥାଏ ପୁରା ଘଣ୍ଟାଏ କାଳ । ମାମୁଁ ଯିବା ପରେ ସେ ଯାଇ ସେ ବେଡ଼ସିଟ କାଢ଼ିଥିଲା ।ଆଉ ତାପରେ ସେ ପୁରା ଶାନ୍ତିରେ ନିଶ୍ୱାସ ନେଉଥିଲା ।
ସ୍ୱାମୀଙ୍କ ସେଇ ନାଇଟି ଆଉ କେବେ ପିନ୍ଧିବାର ସୁଯୋଗ ନପାଇଲେ ବି ଖୁବ ଯତ୍ନରେ ତାକୁ ସାଇତି ରଖିବାର ପ୍ରଣ କରିଥିଲା ଲତିକା । ସେଥିପାଇଁ ତାକୁ ଅତି ଆଦରରେ ସାଇତି ରଖିଛି । ଯେତେବେଳେ ସେ ତାର ସ୍ୱାମୀ ଆଉ ମାଉସୀ ଜଣଙ୍କୁ ବାଛିବାକୁ ପଡିଲା ମାନେ ସ୍ୱାମୀ ଆଣିଥିବା ନାଇଟି ଆଉ ମାଉସୀ ଦେଇଥିବା ଶାଢ଼ୀ ଭିତରୁ ଗୋଟେ ବାଛିବାକୁ ପଡିଲା ସେ ନାଇଟିଟାକୁ ବାଛି ଭୁଲ କରିଛି କି ଠିକ କରିଛି ଜାଣି ପାରିନଥିଲା । ଅନୁତପ୍ତ ତ ନିଶ୍ଚୟ ତଥାପି.....
ସେ ଖାଲି ଭାବୁଥିଲା ଶାଢ଼ୀ ହେଉ କି ନାଇଟି, ଜଣେ ନାରୀର ଲଜ୍ୟା ଆବରଣ ହେଉଥିବା ଦରକାର । ସମାଜ ଯେତେ ଆଗକୁ ବଢିଲେ ବି ଏଇ ନିମ୍ନ ମାନସିକତାର କେବେ ପରିବର୍ତ୍ତନ ହେବ ।
