ବାପା, ତମେ ଗଲା ପରେ ପରେ
ବାପା, ତମେ ଗଲା ପରେ ପରେ
ଯାହାର ହୃଦୟ ବ୍ୟୋମ ପରି ବ୍ୟାପ୍ତ,ଯାହାର ଧୈର୍ଯ୍ୟ ଧରିତ୍ରୀ ପରି ବିଶାଳ, ଯାହାର ଆଶୀର୍ବାଦ ଈଶ୍ୱର ଙ୍କ ଆଶୀର୍ବାଦ ର ସମକକ୍ଷ, ଯାହାର ଅନୁଶାସନ,ଆଦର୍ଶ ରେ ସଂସାର ଅନୁପ୍ରାଣିତ ସେ କଣ ବାପା ...?
ନାଁ ନାଁ ଆଉ କିଛି ବାକି ରହିଗଲା ବୋଧେ, ବଡ଼ କଠିନ ଏ ବାପା ଶବ୍ଦ କୁ ବ୍ୟାଖ୍ୟା କରିବା । ଛାତିରେ ଅଜସ୍ର ଭଲପାଇବା କୁ ଚାପି ଧରି ଯିଏ ଅନୁଶାସନ ର ଲାଲ ଆଖିରେ ଆମ ଭବିଷ୍ୟତ କୁ ଉଜ୍ଜ୍ୱଳ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତି ସେ ହିଁ ବାପା ! ବିପଦ ର ଭାର କୁ ନିଜ ବୁକୁ ରେ ଚାପି ଧରି, ନିଜେ ଛିଣ୍ଡା ଫଟା ପିନ୍ଧି ଆମକୁ ନୂଆ ବସ୍ତ୍ର ଦେଇ,ନିଜ ଲୁହ ଲହୁ କୁ ଏକ କରି ରାତିଦିନ ଯିଏ ଆମ ଭଲ କଥା ଚିନ୍ତା କରନ୍ତି ସେ ହିଁ ବାପା .!
ମୁଁ ଯାହା ପାଇଁ ଏ ଦୁନିଆ କୁ ଆସିପାରିଛି ଆଉ ଯେବେଠୁ ଏଇ ସୁନ୍ଦର ଦୁନିଆ କୁ ଦେଖିବାର ସୁଯୋଗ ପାଇଛି ସେବେ ଠୁ ସେଇ ମହାନ ପୁରୁଷ କୁ ଜାଣିଛି । ମୋ ଜୀବନ ର ପ୍ରଥମ ପୁରୁଷ ମୋ ବାପା । ହେତୁ ପାଇବା ପରେ ଯେତିକି ଜାଣିଛି ଯେତିକି ଅନୁଭବ କରିଛି ଆଉ ବୁଝିଛି ବଡ଼ କଠିନ ଏହି ବାପା ପଣିଆ ର ପରିଚାଳକ ହେବା । ଘରର ମଝି ଖୁଣ୍ଟ ସେ । ପ୍ରତିଟି ଦାଇତ୍ୱ ଆଉ କର୍ତ୍ତବ୍ୟ ର ଭାର ତାଙ୍କ ମୁଣ୍ଡ ଉପରେ । ପରିବାର,ବନ୍ଧୁ ବାନ୍ଧବ,ସୁବିଧା,ଅସୁବିଧା,ପାଠ ପଢିବା,ଘର ଚଳିବା... ଏକା ଧାରରେ କହିବାକୁ ଗଲେ one man army..
ଧର୍ମ ଯୁଦ୍ଧର ଧର୍ମସଂକଟ ର ଧର୍ମ ଅବତାର ହେଉଛନ୍ତି ବାପା ।
ଅତି ନିକଟରୁ ମୁଁ ମୋ ବାପା ଙ୍କୁ ଦେଖି ଅନୁଭବ କରିଛି ଯେ ଜଣେ ପିତା ହେବା କେତେ କଷ୍ଟ ଦାୟକ ଆଉ ତାର ଭାର ସମ୍ଭାଳିବା କେତେ କଠିନ । ସେ ପ୍ରତି ମୁହୂର୍ତ୍ତରେ ନିଜକୁ ଏକ ଦାୟିତ୍ୱ ସମ୍ପନ୍ନ ପୁରୁଷ ରୂପେ ଗଢି ଆସିଥିଲେ । ଏକ ଯୌଥ ପରିବାର ସହିତ ସମସ୍ତଙ୍କ ଭାର ବହନ କରି ସମସ୍ତଙ୍କୁ ନେଇ ଚଳିବାର କଳା କୌଶଳ ତାଙ୍କୁ ଖୁବ ଭଲ ଭାବେ ଜଣା ଥିଲା । ନାହିଁ ନଥିବା ପରିସ୍ଥିତି ରେ ବି ସେ କେବେ ତାଙ୍କ ସ୍ୱାଭିମାନ ହରେଇ ନାହାନ୍ତି । ପିଲା ମାନଙ୍କୁ ଖୁବ ଆଦର୍ଶ ଆଉ ସଂସ୍କାର ଦେଇ ଗଢି ତୋଳିଛନ୍ତି ସେ । ଆଜି ସେ ନାହାନ୍ତି ସତ ହେଲେ ତାଙ୍କର ଅନୁପସ୍ଥିତି ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି । ମନ ବୁଝୁନି ତଥାପି ଭାବୁଛି ବାପା, ଫେରିଆସନ୍ତେ କି ପୁଣି ଥରେ । ଟିକେ ଜଟିଳ ପରିସ୍ଥିତି ଆସିଲେ ମୁଁ ଭାଙ୍ଗି ପଡୁଛି କିଂତୁ ସେ, ଖୁବ ଶକ୍ତ ଆଉ ଧୈର୍ଯ୍ୟ ବାନ ମଣିଷ ଟିଏ । ତାଙ୍କର ନିଷ୍ଠା ତ୍ୟାଗ ଆଉ ବଳିଦାନ ଦେଖିଲେ ମୁଣ୍ଡ ସମ୍ମାନ ରେ ଆପେ ଆପେ ନଇଁ ଯାଏ । ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ପ୍ରତି ଜନ୍ମ ରେ ସେ ମୋ ବାପା ହୁଅନ୍ତୁ ଆଉ ମୁଁ ତାଙ୍କ କୋଳରେ ଏମିତି ନିରୀହ ଶିଶୁ ଟିଏ ହେଇ ଜନ୍ମ ନେଉ । ଭାବୁଥିଲି ଅନେକ କିଛି ଲେଖିବାକୁ ହେଲେ ବାପା ଙ୍କ କଥା ଏତେ ମନେ ପଡୁଛି ଯେ କଣ ଲେଖୁଛି ମୁଁ ଜାଣି ପାରୁନି । ଖାଲି ଏତିକି ଅନୁଭବ କରୁଛି ବାପା, ତମେ ଗଲା ପରେ ମୁଁ ନିହାତି ଏକୁଟିଆ ହେଇଯାଇଛି ।
