Minakshi Samal

Drama Tragedy

3  

Minakshi Samal

Drama Tragedy

ଏକଜିଦିଆ

ଏକଜିଦିଆ

5 mins
412



ଦରକାର ନାହିଁ ଆମର ଏସବୁ।ବଜାରରେ ତ ସବୁକିଛି ମିଳୁଛି।କ'ଣ ଦରକାର ଥିଲା ଏତେବାଟରୁ ସାଇକେଲ ଚଲାଇ ଶାଗ ଦି ବିଡା,କଖାରୁ ଫୁଲ,ଟମାଟୋ ଆଉ ମୂଳା ଧରିକି ଆସିବାର।ଅନ୍ୟଦିନ ଆଣୁଥିଲ ଠିକ ଅଛି।ଏଇ ସମୟରେ ଯେଉଁଠି କେନ୍ଦ୍ର ସରକାର,ରାଜ୍ୟ ସରକାର ଏତେକରି ବୁଝାଉଛନ୍ତି କରୋନା ବିପତ୍ତି ସମୟରେ ବାହାରକୁ ନ ବାହାରି ଏକରକମ ଗୃହବନ୍ଦୀ ହୋଇ ରହିବାକୁ ,ଏକ ସଚେତନ ନାଗରିକ ହିସାବରେ ତୁମର କ'ଣ କିଛି କର୍ତ୍ତବ୍ୟ ନାହିଁ?ବୟସ ତୁମର ସତୁରୀ ବର୍ଷ।ଏଇ ବୟସର ଲୋକଙ୍କୁ ଆଗେ କରୋନା ଭୂତାଣୁ ଆକ୍ରାନ୍ତ କରିବ।ଟିଭି ସାମନାରେ ବସି ବସି କ'ଣ ଦେଖୁଛ ଆଉ ବୁଝୁଛ କହିଲ?ତମେ ନିଜେବି ହଇରାଣ ହେବ,ସମସ୍ତଙ୍କୁ ହଇରାଣ କରି ଖୁସି ହେବ।ଏଇ ଏକ ଜିଦିଆ ଗୁଣ ଯୋଗୁଁ ବୋଉକୁ ତ ସାରାଜୀବନ କନ୍ଦାଇଲ,ଏଥର ଆମ ମାନଙ୍କ ପାଳି।କହିଲେ କଥା ନଶୁଣିବାକୁ ଯେମିତି କାନିରେ ଗଣ୍ଠି କରି ପକାଇ ରଖିଛ ବୋଧେ।


ଏକା ନିଃଶ୍ବାସରେ ବଡଝିଅ ବନ୍ଦନା ପ୍ରଥମ କରି ସଦାଶିବ ବାବୁଙ୍କୁ ଏତେ ଗୁଡିଏ କଥା କହିଗଲା।ନିଜ ହାତରେ ଯତ୍ନକରି ବଢାଇଥିବା ଗଛ ଗୁଡିକର ପରିବା ସବୁ ସରାଗରେ ବ୍ୟାଗ ଭିତରେ ଭରି ଆଣିଥିବା ସଦାଶିବ ବାବୁ ଚୁପ କରି ଝିଅର ଡ୍ରଇଁ ରୁମରେ ସେସବୁ ରଖି ସେଠାରୁ ଚାଲିଗଲେ।


ଭାରି ମାଟି ମନସ୍କ ମଣିଷଟିଏ ହେଉଛନ୍ତି ସଦାଶିବ ବାବୁ।ଅବକାଶ ସମୟରେ ଖାଲି ଜାଗାଟିଏ ମିଳିଗଲେ ସେ କୋଡାଖୋସା କରି କିଛିନା କିଛି ଗଛ ଲଗାଇବା ବା ମଞ୍ଜି ବୁଣିଦେବା ପାଇଁ ଆଗଭର ହୋଇ ଉଠନ୍ତି।ଯେତେ ମନାକଲେ,ଆକଟ କଲେ ସେ ଶୁଣନ୍ତିନି।କହନ୍ତି ଯେ ମାଟି ମା' ସାଙ୍ଗରେ ସେ ଏଇମିତି ଭାବରେ କଥା ହୋଇ ପାରନ୍ତି।ଗଛ ଲଗେଇବା ଓ ତାଙ୍କ ଯତ୍ନ ନେବାରେ ତାଙ୍କୁ ମିଳେ ଅଫୁରନ୍ତ ଆନନ୍ଦ।ଭାରି ଲକ୍ଷ୍ମୀମନ୍ତିଆ ହାତ ତାଙ୍କର।ଯାହାବି ଗଛ ମାଟିରେ ଲଗାନ୍ତୁ ନା କାହିଁକି ସବୁ ଛନଛନିଆ ହୋଇ ବଢିଚାଲନ୍ତି।ହାତରେ ତାଙ୍କର କି ଯାଦୁ ଥାଏ କେଜାଣି।ସକାଳୁ ସକାଳୁ ଗଛ ମାନଙ୍କରୁ ଫୁଲ ତୋଳି ଘର ପାଇଁ କିଛି ରଖି ବାକି ଫୁଲ ତକ ଭାଗ ଭାଗ କରି ଅଲଗା ପ୍ୟାକେଟରେ ରଖି ମନ୍ଦିରରେ ଓ ପଡୋଶୀମାନଙ୍କୁ ବାଣ୍ଟି ଦେଇ ଆସନ୍ତି।ଏପଟେ ଘରେ ଚା' ବନେଇ ଅପେକ୍ଷା କରି କରି ଖୁବ ବିରକ୍ତ ହୁଅନ୍ତି ପତ୍ନୀ ସଲୀଳା।ବିବାହର ଦୀର୍ଘ ବାଉନ ବର୍ଷ ପରେ ମଧ୍ୟ ସେ ନିଜ ସ୍ବାମୀଙ୍କ ଏଇ ଏକ ଜିଦିଆ ଗୁଣ ଯୋଗୁଁ ଭାରି ଦୁଃଖ କରନ୍ତି,ବହେ ଗାଳି କରି ଦିଅନ୍ତି ନହେଲେ ନିଜ ଭାଗ୍ୟକୁ ନିନ୍ଦନ୍ତି ଏଭଳିଆ ଏକ ଜିଦିଆ ସ୍ବାମୀ ପାଇଥିବାରୁ।


ଯୋଗକୁ କୃଷିବିଭାଗରେ ସେବାଦାନ କରିବାର ସୁଯୋଗ ତାଙ୍କୁ ମିଳିଥିଲା।ଚାକିରୀ ଜୀବନରେ ସଦାଶିବ ବାବୁ ଏଥିପାଇଁ ସମୟ ବାହାର କରି ପାରୁ ନଥିଲେ।ଚାକିରୀରୁ ଅବସରପ୍ରାପ୍ତି ପରେ ମନ ତଳର ସ୍ବପ୍ନ ସବୁ ଯେମିତି ଡେଣା ମେଲାଇ ଉଡିବାକୁ ଆରମ୍ଭ କରିଦେଲେ।ଘର ସାମନାରେ ଥିବା ଛୋଟିଆ ଜାଗାଟିରେ ସର୍ବ ପ୍ରଥମେ ଲଗାଇଲେ କିଛି ଫୁଲଗଛ।ତାପରେ ବାଇଗଣ ,ଲଙ୍କା ଗଛ ଓ ଅନ୍ୟ ଏକ ଛୋଟ ପଟାଳିରେ ବୁଣିଦେଲେ କୋଶଳା ମଞ୍ଜି।ସକାଳ,ସଞ୍ଜ ଖୁବ ଯତ୍ନ ନେଉଥିଲେ ଗଛ ଗୁଡିକର।କଅଁଳ ଛନଛନ ଶାଗଗୁଡିକ ଦେଖି ସମସ୍ତଙ୍କର ନଜର ଲାଗିଯାଉଥିଲା।ଧୀରେ ଧୀରେ ବାଇଗଣ ଓ ଲଙ୍କା ଗଛରେ ଧରିଆସିଲା ଫୁଲ।ମନଟା ଖୁସିରେ ଫାଟି ପଡୁଥିଲା ସଦାଶିବ ବାବୁଙ୍କର।ଏଇଟା ଥିଲା ସଦାଶିବ ବାବୁଙ୍କର ଅନ୍ତର୍ମନର ନିରୁତା ଖୁସିର କାରଣ।ଏଥର ନିଜ ହାତରେ ବଢାଇଥିବା ଗଛ ଗୁଡିକର ପରିବା ଖୁଆଇବେ ସମସ୍ତଙ୍କୁ।ମଣ୍ଡା ଗେଣ୍ଡୁ,ମାଣିକି ଚାନ୍ଦି ଗେଣ୍ଡୁ ପରେ ମଲ୍ଲି ଫୁଲର ସମୟ ଆସିଯାଇଥାଏ।ଅଧରାତିରୁ ମଲ୍ଲୀ ଫୁଲର ଭୁରୁଭୁରୁ ବାସ୍ନା ଘର ଭିତରକୁ ମଧ୍ୟ ପଶିଆସେ।ଖରାଦିନ ପାଇଁ ବରାଦ ଦେଇ କୁମ୍ଭାର ପଡାରୁ ଟ୍ୟାପ ଲାଗିଥିବା ଗୋଟିଏ ମାଟି ମାଠିଆ କିଣି ଆଣିଥାନ୍ତି।ନିଜ ରୁମର ଗୋଟିଏ କୋଣରେ ରଖିଥାନ୍ତି ମାଠିଆଟି।ସନ୍ଧ୍ୟାବେଳେ ସେଇ ମାଠିଆ ପାଣିରେ ଦୁଇ ଚାରୋଟି ମଲ୍ଲୀକଢ ପକାଇ ଦିଅନ୍ତି।ସକାଳୁ ଫୁଲ ଗୁଡିକ ନିଜର ସୁବାସକୁ ପାଣିରେ ସମ୍ପୂର୍ଣ୍ଣରୂପେ ମିଶେଇ ଦେଇ ଥାନ୍ତି।ସେ ମାଟି ମାଠିଆର ମଲ୍ଲୀଫୁଲିଆ ପାଣି ପିଇ ଦେଲେ ମନଟା ସତରେ ତୃପ୍ତିରେ ଭରିଯାଏ।


ସକାଳର ଦିନଚର୍ଯ୍ୟା ଆରମ୍ଭ ହୁଏ ନିଜର ବଗିଚାରୁ।ମାଟିରେ କୋଡା ଖୋସା କରି ଗଛରେ ପାଣି ଦେବାପରେ ସେଇମିତି ଘରକୁ ପଶି ଆସନ୍ତି।ପତ୍ନୀ ସଲୀଳା ଓ ବୋହୁ ରଶ୍ମି ଭାରି ଖପା ହୁଅନ୍ତି ଘରେ ବାଲି ମାଟି ପଡୁଥିବାରୁ।ବାରମ୍ବାର ଝାଡୁ ଦେବାକୁ ହୁଏ।ଘରକୁ ପଶିବା ଆଗରୁ କଳଟି ଖୋଲି ଭଲରେ ହାତ ଗୋଡ ଧୋଇ ଆସିବାକୁ ଯେତେ କହିଲେ ମଧ୍ୟ ସଦାଶିବ ବାବୁ ଶୁଣନ୍ତି ନାହିଁ କି ନଶୁଣିବାର ବାହାନା କରନ୍ତି ତାହା ଏପର୍ଯ୍ୟନ୍ତ ସଲୀଳା ଦେବୀଙ୍କ ବୁଝିବା ବାହାରେ।


କୋଶଳା ଶାଗ ସବୁ ପ୍ରାୟ ଖାଇବା ଅବସ୍ଥାକୁ ଆସିଯାଇଥାଏ।ସେଦିନ ସକାଳୁ ସକାଳୁ ସଦାଶିବ ବାବୁଙ୍କ ଗୋଡ ତଳେ ଲାଗୁନଥାଏ।ବୋହୁ ରଶ୍ମି ଚା କପ ଟି ଧରି ପାଖକୁ ଆସିଲା ବେଳକୁ ସଦାଶିବ ବାବୁ ଶାଗ ଓପଡା ଆରମ୍ଭ କରି ସାରିଥାନ୍ତି।ଓପଡା ହୋଇଥିବା ଶାଗସବୁ ଡ୍ରଇଁରୁମ ଭିତରକୁ ଆଣି ଭାଗ କରି ବାକୁ ଲାଗିଗଲେ।ଘର ପାଇଁ ବିଡାଟିଏ,ତିନି ଝିଅଙ୍କ ପାଇଁ ତିନି ବିଡା,ପଡୋଶୀ ରଥ ବାବୁ,ଲେଙ୍କା ବାବୁ,ଜେନା ବାବୁ,ପରିଡାବାବୁ,ଅଟୋବାଲା ପ୍ରତାପ,ଚା' ଦୋକାନୀ ଶିବ ଯେଉଁଠି ସେ ଚା'ଜଳଖିଆ ଖା'ନ୍ତି ,ତେଜରାତି ଦୋକାନୀ ଲକ୍ଷ୍ମଣ,କ୍ଷୀର ବାଲା ପଦିଆ ସମସ୍ତଙ୍କ ପାଇଁ ଭାଗ ହୋଇ ଶାଗ ବିଡା ପ୍ରସ୍ତୁତ କଲେ।ଘରଦ୍ବାର ମାଟି, ସକାଳ ଚା' କପ ରେ ଚା' ସେମିତି ଥଣ୍ଡା ହୋଇ ପଡିଥାଏ।ସେଥିକୁ ନିଘା ନକରି ଶାଗ ବାଣ୍ଟିବାକୁ ବାହାରି ପଡିଲେ ସଦାଶିବ ବାବୁ ଖରାକୁ ଖାତିର ନକରି।ଘରଦ୍ଵାର ଯାହା ଅପରିଷ୍କାର କରନ୍ତି ସେଥିରେ ଧର୍ମପତ୍ନୀ ଓ ବୋହୁ ଭାରି ରୁଷ୍ଟ ହୁଅନ୍ତି।କିନ୍ତୁ ଖରାତରାରେ ଏମିତି ବଣ୍ଟାବଣ୍ଟି କରିବା ଦେଖିଲେ ସମସ୍ତଙ୍କ ସହିତ ପୁଅ ବରୁଣ ବି ଭାରି ବିରକ୍ତ ହୁଏ।ସଦାଶିବ ବାବୁ ନିଦାବିଷ୍ଣୁ ପରି କାହାରି କଥା ଶୁଣନ୍ତିନି।


ସାନଝିଅର ଶାଶୁ କିଛି ଦିନ ହେବ ନେପାଳ ଯାଇଥିଲେ ତାଙ୍କର ବଡପୁଅ ପାଖକୁ ।ଫେରିଆସିଛନ୍ତି ସେ।ତାଙ୍କର ଶାଗ ପସନ୍ଦ ବୋଲି ସବୁଦିନ ସନ୍ଧ୍ୟାରେ ଖଡା ,କୋଶଳା ନହେଲେ ପାଳଙ୍ଗ ବିଡାଏ ଦେଇଆସନ୍ତି ତାଙ୍କ ଘରେ।ବଡଝିଅର ଅଫିସରୁ ଫେରିବା ପରେ ଶାଗ ବଛା କାମ ପାଇଁ ସମୟ ନଥାଏ।ସେ ମନାକରେ ଶାଗ ଆଣିବା ପାଇଁ।ବହୁଦିନ ଧରି ବଡଝିଅ ଓଡ଼ିଶା ବାହାରେ ଥିବାରୁ ସବୁ ସନ୍ଧ୍ୟାରେ ପତିତ ପାବନଙ୍କ ପାଖରେ ହାତଯୋଡି ପ୍ରାର୍ଥନା କରନ୍ତି ତାକୁ ବଦଳି କରି ଓଡ଼ିଶା ଫେରାଇ ଆଣିବାକୁ।ଠାକୁର ବି ତାଙ୍କ ଡାକ ଶୁଣିଲେ।ଏଥର ଭାରି ମନଖୁସି ସଦାଶିବ ବାବୁଙ୍କର।ନିଜ ବଗିଚାରେ ଫଳୋଉଥିବା ସବୁ ପରିବା ଏଥର ବଡଝିଅ ବନ୍ଦନା ଓ ତା ପରିବାର ଖାଇବାର ସୁଯୋଗ ପାଇବେ।ମଝିଆ ଝିଅ ଟିକେ ଅଳସୁଆ ପ୍ରକୃତିର।ସେ ବି ଚାକିରୀ କରେ।ଘରେ ପରିବା ଭର୍ତ୍ତି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ପଚି ସଢି ନଷ୍ଟ ହୋଇଯାଏ।ତେଣୁ ତା ଘରକୁ ଗଲେ ସଦାଶିବଙ୍କର ବାପ ମନ ବୁଝେନି।ନିଜେ ନିଜେ ଶାଗ ବାଛିକି ରଖିଦିଅନ୍ତି।ପୁଅ ବୋହୂଙ୍କୁ ଭାରି ପସନ୍ଦ ପାଲକ ପନୀର।ସେଥିପାଇଁ ପାଳଙ୍ଗ ଶାଗ ଗୋଟେ ପଟାଳି କରିଛନ୍ତି ।


ମାର୍ଚ୍ଚ ମାସ ୨୨ତାରିଖ ରବିବାର ଦିନ ଜନତା କର୍ଫ୍ୟୁ ଲାଗିଲା।ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ।କରୋନା ଭାଇରସର ସଂକ୍ରମଣରୁ ନିଜକୁ,ପରିବାରକୁ ଓ ଦେଶକୁ ବଞ୍ଚାଇବାର ସଙ୍କଳ୍ପ ନେଇ ସମସ୍ତେ ଘର ଭିତରେ ନିଜକୁ ଆବଦ୍ଧ କରି ରଖିଲେ। ତା ପରଦିନ ଘୋଷଣା ହେଲା ଲକ ଡାଉନ।ଅତି ଜରୁରୀ କାମ ନଥିଲେ ବାହାରକୁ ଯିବାକୁ ସରକାରଙ୍କ ତରଫରୁ ଘନ ଘନ ବାରଣ କରାଯାଉଥିଲା।ସରକାରୀ ଗାଡି ମଝିମଝିରେ ଆସି ଲୋକଙ୍କୁ ଏବିଷୟରେ ସୁଚନା ଦେଉଥିଲା।


ମାର୍ଚ୍ଚ ୨୪ ତାରିଖ।ଦିନ ଦଶଟା।କଲିଂ ବେଲ ବାଜିବାର ଶବ୍ଦରେ ଦରଜା ଖୋଲିଲା ବନ୍ଦନା।ଲକ ଡାଉନ ଯୋଗୁଁ ଘରୁ କାମ କରିବାର ନିର୍ଦ୍ଦେଶ ଯୋଗୁଁ ଘରେ ଥିଲା ସେ।ଦରଜା ଖୋଲି ଦେଖିଲା ବେଳକୁ ପିତା ସଦାଶିବ ହାତରେ ପରିବା ବ୍ୟାଗ ଧରି ଛିଡା ହୋଇଛନ୍ତି।ମୁଣ୍ଡକୁ ପିତ୍ତ ଚଢିଗଲା ତା'ର।ପୂର୍ବଦିନ ସନ୍ଧ୍ୟାରେ ମଝିଆ ଭଉଣୀ ଫୋନକରି କହିଥିଲା.....ଦେଇ,ବାପା କାହା କଥା ମାନୁ ନାହାଁନ୍ତି।ଘରୁ ବାରମ୍ବାର ପଦାକୁ ବାହାରି ଯାଉଛନ୍ତି।ତୁ କହିଲେ ତୋ କଥା ମାନିବେ।

ରାତି ଦଶଟାରେ ସାନଭାଇ ବ୍ୟସ୍ତ ହୋଇ କହିଲା.....ଯେତେ ଯାହା କହିଲେ ବାପା କିଛି ଶୁଣୁ ନାହାଁନ୍ତି।ନିଉଜରେ ଦେଖୁଛନ୍ତି ଯେ ବୟସ୍କ ଲୋକଙ୍କୁ ଆଗେ କରୋନା ଭୂତାଣୁ ଆକ୍ରମଣ କରିବ।ତଥାପି ତାଙ୍କର କିଛି ଚିନ୍ତା ଦକ ନାହିଁ।ଭାରି ବ୍ୟସ୍ତ ଲାଗୁଛି।ସେଦିନ ରାତିରେ ଫୋନକରି ବାପାଙ୍କୁ ବହୁତ ବୁଝାଇଥିଲା ବନ୍ଦନା।


ଭିତରେ ଭିତରେ ଚିନ୍ତା ତ ଥିଲା ବାପାଙ୍କ ପାଇଁ।ବୁଝି ପାରୁଥିଲା ପିତାଙ୍କର ସନ୍ତାନ ସ୍ନେହ।କିନ୍ତୁ କରୋନା ଆତଙ୍କର ସଚେତନତାଠୁ ଦୂରେଇ ରହିଥିବା ପିତାଙ୍କୁ ସେ ମାଫ କରିପାରୁନଥିଲା।ତା ପାଇଁ ତ ପିତାଙ୍କ ସୁରକ୍ଷା ଜରୁରୀ ଥିଲା।ଭଲରେ ଯଦି ନ ମାନିବେ ତେବେ ଭେଲରେ ହେଉ ବାପାଙ୍କୁ ଗୃହବନ୍ଦୀ କରାଇବାର କୌଶଳ ବାହାର କଲା ସେ।ହୃଦୟକୁ କଠୋର କରିଦେଇ ମନଭରି ବାପାଙ୍କୁ ବାହାରକୁ ବାହାରି ଥିବାପାଇଁ କେତେକଥା କହିଗଲା।ବାପା ବ୍ୟାଗଟି ରଖି ଚୁପଚାପ ଚାଲିଯିବାବେଳେ କାଳିଆ ଠାକୁରଙ୍କ ପାଖରେ ହାତଯୋଡି ବାପାଙ୍କର ସୁରକ୍ଷା ଓ ନିରାମୟ ଜୀବନ ପାଇଁ ଅଶ୍ରୁଳ ପ୍ରାର୍ଥନା କରୁଥିଲା ବନ୍ଦନା।ଏକଜିଦିଆ ବାପାଙ୍କୁ ପଛରୁ ଦେଖୁଥିଲା ଓ ଭୋ ଭୋ ହୋଇ କାନ୍ଦି ଉଠୁଥିଲା ନିଜର କ୍ରୁର ବ୍ୟବହାର ପାଇଁ।



Rate this content
Log in

Similar oriya story from Drama