Rajalaxmi Tripathy

Romance Tragedy

3  

Rajalaxmi Tripathy

Romance Tragedy

ଏକ ସ୍ନିଗ୍ଧ ସକାଳର ଅନୁଭବ

ଏକ ସ୍ନିଗ୍ଧ ସକାଳର ଅନୁଭବ

4 mins
503



ଭଲଝିଅଟିଏ ବୋହୁରୂପେ ପାଇବା ଭାଗ୍ୟ ରେ ଥିଲେ ମିଳେ,ଭାବୁଥିଲେ ଅରୁଣା। ଏକମାତ୍ର ପୁଅ ସୁନନ୍ଦ ପାଇଁ ଝିଅ ଖୋଜିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ବୃତ୍ତିରେ ସୁନନ୍ଦ କମ୍ପ୍ୟୁଟର ଇଂଜିନିୟର। ବାଙ୍ଗାଲୋରର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ । ବାପା ମା'ଙ୍କ ପସନ୍ଦରଝିଅକୁ ବିବାହ କରିବାପାଇଁ ତାର ଜିଦ୍। ସେଥିପାଇଁ ଅରୁଣା ସୁଦୂର କଟକରୁ ଆସି ବାଙ୍ଗାଲୋରରେ ସୁନନ୍ଦ ପାଖରେ ଅଧିକାଂଶ ସମୟ ରହୁଛନ୍ତି। ଅନେକ ଝିଅ ଦେଖିବାପରେ ଶ୍ରୁତି ହିଁ ତାଙ୍କର ମନୋନୀତ ହୋଇଛି। ସୁନନ୍ଦ ମଧ ଏଥିରେ ଖୁସି। ଶ୍ରୁତିର ଚାକିରୀ ବାଙ୍ଗାଲୋରରେ। ଉଭୟ ପରିବାରର ଦେଖା ସାକ୍ଷାତ ପରେ ବିବାହ ସ୍ଥିର ହୋଇ ନିର୍ବନ୍ଧ ଅନୁଷ୍ଠିତ ହେଲା। ଅରୁଣାଙ୍କ ମନରେ ଖୁସିର ଜୁଆର। ବାହାଘର ମାତ୍ର ଆଉ ପନ୍ଦର ଦିନ। ନିମନ୍ତ୍ରଣ ପତ୍ର ମଧ୍ୟ ସୁନନ୍ଦର ପସନ୍ଦରେ ଛପା ହୋଇ ସାରିଛି। ସୁନନ୍ଦର ବାପା କଟକରେ ରହି ବିବାହର ଅନ୍ୟ ଆୟୋଜନ କରି ସାରିଛନ୍ତି। ଅରୁଣାଙ୍କର କେବଳ ଦାୟିତ୍ୱ ବିବାହ ତାରିଖର ଏକ ସପ୍ତାହ ପୂର୍ବରୁ ସୁନନ୍ଦ ସହ କଟକରେ ପହଞ୍ଚିବା।


ସବୁଦିନ ପରି ସେଦିନ ସଂଧ୍ୟାରେ ସୁନନ୍ଦ ଅଫିସରୁ ଫେରି ଅରୁଣାଙ୍କ ପାଖକୁ ନଯାଇ ନିଜ ରୁମରେ ନିରବରେ ବସିରହିଥିଲା। ଅଫିସର କାର୍ଯ୍ୟଭାର ଜନିତ କ୍ଲାନ୍ତିହେତୁ ସୁନନ୍ଦର ଏ ନିରବତା ଭାବି ଅରୁଣା ଚୁପ୍ ରହିଲେ। କିଛି ସମୟ ପରେ ତା'ରୁମ୍ କୁ ଯାଇ ପଚାରିଲେ-ଆଜି ଡିନର କରିବୁନିକି?

-ନା'ମା'କିଛି କଥା ତତେ କହିବାର ଅଛି, ସମ୍ଭାଳି ପାରିବୁତ?

-କଣ କହୁନୁ।

-ମୁଁ ଜାଣିଛି, ତତେ ବହୁତ କଷ୍ଟ ହେବ। ଶୁଣ, ଶ୍ରୁତି ଏ ବାହାଘର ପାଇଁ ରାଜି ନୁହେଁ।

ଚମକି ଉଠିଲେ ଅରୁଣା। କହିଲେ-କଣ ଏତେ ବାଟ ଆଗେଇବା ପରେ....ଏ ନିର୍ବନ୍ଧ, ନିମନ୍ତ୍ରଣ ପତ୍ର....ଶ୍ରୁତି ତାହେଲେ ଏମିତି ଝିଅ, ପାଟି ଖନି ମାରି ଯାଇଥିଲା ତାଙ୍କର।


-ନାହିଁ ମା'ଶ୍ରୁତି କୁ ଭୁଲ୍ ବୁଝୁନା।ତା ପରିସ୍ଥିତି କିଛି ଭିନ୍ନ ଥିଲା।ତା ବାପାଙ୍କ କଥାରେ ବାଧ୍ୟ ହୋଇ ଏ ପ୍ରସ୍ତାବରେ ସେ ରାଜି ହୋଇଥିଲା।ସୁନନ୍ଦର କୌଣସି କଥାକୁ ବିଶ୍ୱାସ କରୁନଥିଲେ ଅରୁଣା।ତେଣୁ କ୍ରୋଧରେ କହିଲେ-କାହିଁକି ଶ୍ରୁତି ରାଜି ହେଉଥିଲା ଏ ପ୍ରସ୍ତାବରେ? ନିର୍ବନ୍ଧ ଦିନ ଆମଘରୁ ଯାଇଥିବା ଶାଢ଼ୀ ଓ ଗହଣା ପିନ୍ଧିଲା କେମିତି? ତୁ ଦେଇଥିବା ଲେହେଙ୍ଗା ପିନ୍ଧି ମୋ ହ୍ବାଟସ୍ଅପକୁ ଫଟୋ ପଠାଉଥିଲା କାହିଁକି? ପ୍ରତିଦିନ ମୋ ସହ ଅଧଘଣ୍ଟାଏ ଫୋନରେ ଗପିବା କଣ ତାର ଛଳନା ଥିଲା?


ଏସବୁ ଶୁଣି ସୁନନ୍ଦ କହିଲା-ମା'ଟିକେ ଧୈର୍ଯ୍ୟ ଧରି ମୋ କଥା ଶୁଣିଦେ। ଏ ବିବାହ ସ୍ଥିର ହେବା ପୂର୍ବରୁ ଶ୍ରୁତି ତାର ଅଫିସ ସହକର୍ମୀ ଆର୍ଯ୍ୟନକୁ ଭଲ ପାଉଥିଲା। ଉଭୟେ ବିବାହ କରିବାପାଇଁ ସ୍ଥିର କରିଥିଲେ। ମାତ୍ର ଆର୍ଯ୍ୟନ ଅଣଓଡ଼ିଆ ଥିବାରୁ ଶ୍ରୁତିର ରକ୍ଷଣଶୀଳ ପରିବାର ଏ ପ୍ରସ୍ତାବରେ ରାଜି ନଥିଲେ। ତେଣୁ ଶ୍ରୁତିର ବାପା ବିବାହ ସମୟ ଗଡାଇ ଚାଲିଲେ। ଆର୍ଯ୍ୟନ ମଧ୍ୟ ଦୁଇ ବର୍ଷ ପାଇଁ କମ୍ପାନୀ ତରଫରୁ ବିଦେଶ ଚାଲିଗଲେ। ବିବାହ ବିଳମ୍ବ ହେତୁ ଅଭିମାନରେ ଶ୍ରୁତି ସହ ଯୋଗାଯୋଗରେ ମଧ୍ୟ ରହିଲେ ନାହିଁ। ଏବେ ଦୁଇ ଦିନ ତଳେ ସେ ବିଦେଶରୁ ଫେରି ଶ୍ରୁତିକୁ ସାକ୍ଷାତ କରିଥିଲେ। ସେମାନଙ୍କର ପୂର୍ବ ସଂପର୍କ ଦୁଇ ଜଣଙ୍କ ମନରେ ସେମିତି ଅକ୍ଷୁର୍ଣ୍ଣ ଥିଲା। ବରଂ ଭବିଷ୍ୟତର ସବୁ ଘାତ ପ୍ରତିଘାତକୁ ସାମ୍ନା କରିବାକୁ ପ୍ରସ୍ତୁତ ସେମାନେ। ଆସନ୍ତା କାଲି ସେମାନଙ୍କର କୋର୍ଟ ବିବାହ ସରିବାପରେ ସଂଧ୍ୟାରେ ଏକ ଭୋଜିର ଆୟୋଜନ କରିଛନ୍ତି ଆର୍ଯ୍ୟନ। ହଁ,ଆଜି ଲଂଚ ସମୟରେ ଶ୍ରୁତି ଓ ଆର୍ଯ୍ୟନ ମୋ ପାଖକୁ ଆସିଥିଲେ। ଏ ସବୁ ଶୁଣି ମୁଁ ଉଭୟଙ୍କ ଭଲପାଇବାକୁ ସମ୍ମାନ ଜଣାଇ ସମର୍ଥନ କରିଛି।


ଅରୁଣା ପୁଅ ମୁହଁକୁ ବିକଳ ହୋଇ ଚାହିଁ ରହିଥିଲେ।ଏବେ ଭୂଇଁରେ ଲୋଟିଲା ପରି ଅବସ୍ଥା ତାଙ୍କର। କାନ୍ଦି କାନ୍ଦି କହିଲେ-ଆମେ ତାହେଲେ ଠକାମିର ଶୀକାର ହେଲୁ?


-ନା ମା'ଶ୍ରୁତି ଉଚ୍ଚ ଶିକ୍ଷିତା। ତା'ଜୀବନ ବିଷୟରେ ଭାବିବାର ସ୍ବାଧୀନତା ସଂପୂର୍ଣ୍ଣ ଭାବରେ ତାର ଅଛି।ଏମିତି ବି ଆର୍ଯ୍ୟନ ବହୁତ ଭଲ ଓ କ୍ୟାରିଅର ଓରିଏଣ୍ଟେଡ଼୍ ।ଆମେ ଆଜି ତିନି ଜଣ ଅଫିସ ପରେ ଏକାଠି କିଛି ସମୟ କ୍ୟାଫେ ରେ ବସିଥିଲୁ।


ଅରୁଣାଙ୍କ ଉପରେ ଚଡକ ପଡିଲା ପରି ଲାଗିଲା।କଣ କହିବେ ସେ ବନ୍ଧୁ ବାନ୍ଧବଙ୍କୁ।ଭାବୀ ବୋହୁର ଫଟୋକୁ ସମସ୍ତଙ୍କ ପାଖକୁ ପଠାଇସାରିଛନ୍ତି ସେ। ଆଖିରୁ ଲୁହ ପୋଛିଲେ ସେ। ଠାକୁରଙ୍କ ସାମ୍ନାରେ ବଡ଼ ବ୍ୟାଗ୍ ଦୁଇଟିରେ ନିମନ୍ତ୍ରଣ ପତ୍ର ଗୁଡିକ ଥିଲା। ହଠାତ୍ କଇଁଚି ଟିଏ ଆଣି ସେ ସବୁ ଗୋଟି ଗୋଟି କରି ଟିକ୍ ଟିକ୍ କରିଦେଲେ। ସେ ଟୁକୁରା ସବୁକୁ ନେଇ ବଡ଼ ପାଣି କୁଣ୍ଡରେ ବୁଡାଇ ଦେଲେ। ପଛରେ ସୁନନ୍ଦ ଏସବୁ ଲକ୍ଷ୍ୟ କରୁଥିବାର ଦେଖି ଅରୁଣା କହିଲେ-ନା, ଏତେ ଘଟଣା ପରେ ମୁଁ ଶ୍ରୁତିକୁ ଆଦୌ ସହଜ ଭାବୁନି। ଭଲ ହୋଇଛି ଏଘରକୁ ସେ ବୋହୁ ହୋଇ ଆସିନି,ନହେଲେ ମତେ ଆଗକୁ ଆହୁରି ଅପଦସ୍ତ ହେବାକୁ ପଡିଥାନ୍ତା। ଏତିକି କହି ସେ ସୁନନ୍ଦ ପାଖରୁ ଉଠି ଆସିଲେ ନିଜ ରୁମକୁ। ଫୋନ ରିଂ ହେଉଛି। ଉଠାଇବାକୁ ଇଚ୍ଛା ହେଉନି ତାଙ୍କର। ସୁନନ୍ଦ ଆସି ଫୋନ ଉଠାଇ କହିଲା-ମା'ଶ୍ରୁତି ତୁମକୁ ଫୋନ କରିଛି,କଥାହୁଅ।


-ନା,ତୁ ମନାକରିଦେ,ତା'ସହ ମୋର ସଂପର୍କ ଆଉ କଣ? ମୋର ଆଉ କି ମୁହଁ ରହିଲା,ସମସ୍ତଙ୍କୁ ମୁଁ କଣ କହିବି? ମୁଁ ଏମିତି ଠକାମିର ଶୀକାର ହେଲି।


ସୁନନ୍ଦ ବୁଝିଥିଲା ଯେ ମା'ର ସବୁ କଥା ଶ୍ରୁତି ଶୁଣିସାରିଛି। ବାଧ୍ୟ ହୋଇ ଅରୁଣାଙ୍କ କାନ ପାଖକୁ ଫୋନ ଆଣି ଶ୍ରୁତିର କଥା ଶୁଣାଇଲା। ଅରୁଣା ଅଭିମାନ ଭରା କଣ୍ଠରେ କହିଲେ- କେଉଁ ଅଧିକାରରେ ତୁ ମୋ ପୁଅ ମନରେ ଏତେ କଷ୍ଟ ଦେଲୁ? ସେପଟୁ ଶ୍ରୁତିର ସ୍ବରରେ ଭାସିଆସିଲା-ମା'ମତେ ଆପଣଙ୍କର ଝିଅ ଭାବି କ୍ଷମା କରିଦିଅନ୍ତୁ। ଆର୍ଯ୍ୟନ ବିଦେଶ ଗଲାପରେ କର୍କଟ ଆକ୍ରାନ୍ତ ମୋ ମା'ର ଇଚ୍ଛା ପୁରଣ ପାଇଁ ମୁଁ ଆପଣଙ୍କ ଘରଆଡୁ ଆସିଥିବା ଏହି ବିବାହ ପ୍ରସ୍ତାବରେ ରାଜି ହୋଇଥିଲି। ମା'ର ଶେଷ ଇଚ୍ଛା ଥିଲା ମୋର ବିବାହ ଦେଖିବା।


   ଅଧିକ ଆଉ କିଛି ଶୁଣିବାକୁ ଚାହୁଁ ନଥିଲେ ଅରୁଣା। ଫୋନ କାଟି ସୁନନ୍ଦକୁ କହିଲେ- ଯାହାହେଲେ ନିର୍ବନ୍ଧ ପରେ ବାହାଘର ଭାଙ୍ଗିବା କଣ ଖେଳଘର ହୋଇଛି। ସୁନନ୍ଦ ଧିର ସ୍ବରରେ ମା'କୁ କହିଲା-ମା,ଶ୍ରୁତି ଓ ଆର୍ଯ୍ୟନଙ୍କ ଏହି ସଫଳତାରେ ମୁଁ ବହୁତ ଖୁସି। କାରଣ ସେ ଦୁହେଁ ପରସ୍ପରକୁ ବହୁତ ଭଲପାନ୍ତି। ମୁଁ, ତତେ ନେଇ ଆସନ୍ତାକାଲି ସେମାନଙ୍କ ବିବାହଭୋଜିକୁ ଯିବି। ସୁନନ୍ଦକୁ କିଛି ଉତ୍ତର ନଦେବା ଠିକ୍ ଭାବି ନିରବରେ ଅରୁଣା ଶୋଇବାକୁ ଚାଲିଗଲେ। ମନଟା ଛଟପଟ ହେଉଥିଲା।ଭାବୁଥିଲେ, ସୁନନ୍ଦଟା ତାଙ୍କର କେତେ ଭଲ ପିଲା। ଏତେବଡ଼ ଅସହଜ କଥାଟିରେ ତା ମନର ବ୍ୟଥା ଓ ଦୁଃଖ କାହାକୁ ଜଣାଇବାକୁ ଦେଇନି।ବରଂ ଶ୍ରୁତିକୁ କ୍ଷମା କରିବାପାଇଁ ତାଙ୍କ ପାଖରେ ଅଳି କରୁଛି । ଏକ ନିରବ ବୁଝାମଣାରେ ତାଙ୍କ ମନ ଖୁସି ହୋଇଗଲା।


ପରଦିନ ସକାଳୁ ଶିଘ୍ର ଶେଯରୁ ଉଠି ନିଜର କାମସାରି ପୋର୍ଟିକୋରେ ଥିବା ଗୋଲାପ କୁଣ୍ଡରେ ନଜର ପକାଉଥିଲେ।ଗୋଲାପ ଫୁଲର ମୃଦୁ ବାସ୍ନା ତାଙ୍କୁ ଆମୋଦିତ କରୁଥିଲା।ସୁନନ୍ଦ ଅଫିସ ବାହାରିବାକୁ ପ୍ରସ୍ତୁତ ହେବାରୁ,ଅରୁଣା ଅଳ୍ପ ହସି କହିଲେ-ଆଜି ଅଫିସରୁ ଶିଘ୍ର ଆସିବୁ।ସଂଧ୍ୟାରେ ଆମେ ଶ୍ରୁତିର ବାହାଘର ଭୋଜିକୁ ଯିବା। ଆଶ୍ଚର୍ଯ୍ୟ ହୋଇ ମା' ମୁହଁକୁ ଚାହିଁଲା ସୁନନ୍ଦ। ଅରୁଣା ପୁଣି କହିଲେ-ହଁ,ମୁଁ ଯିବି ଶ୍ରୁତିର ଅନ୍ତରଙ୍ଗ ମାଉସୀ ହିସାବରେ।


Rate this content
Log in

Similar oriya story from Romance