The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Romance Inspirational

5.0  

Dr Jharana Satapathy

Romance Inspirational

ଏକ ଭକ୍ତିଭରା ପ୍ରେମ କାହାଣୀ

ଏକ ଭକ୍ତିଭରା ପ୍ରେମ କାହାଣୀ

7 mins
690


ପ୍ରଥମ ଦେଖାରେ ତୁମକୁ କାହଁ ଭଲପାଇ ବସିଲି ଜାଣେନି ମୀରା ତୁମର ସେହି ସ୍ମିତହାସ୍ୟ ବଦନ, ମଥାରେ ଚନ୍ଦନର ଟିପା,ହଳଦୀଆ ରଙ୍ଗର ଡ୍ରେସ ନାଲି ଚୁନି ଏବଂ ଲମ୍ବା କେସ ମତେ ସତରେ କେତେ ପାଗଳ କରିଦେଲା। ଇସ୍କନ ମନ୍ଦିରରେ ତୁମେ ଯେତେବେଳେ କୃଷ୍ଣ ପ୍ରେମରେ ବିଭୋର ହୋଇଥିଲ, ଖାଲି ତୁମ ନଜର ଥିଲା କୃଷ୍ଣ ପ୍ରତି କିନ୍ତୁ ମୋ ନଜର ଥିଲା ତୁମ ପ୍ରତି।ସେଇଟା ମୋର ପ୍ରଥମ ଦେଖା ।ପ୍ରଥମ ଦେଖାରେ ହିଁ ତୁମେ ମୋ ରାଧା ବୋଲି ମନେ ମନେ ଭାବି ନେଇଥିଲି।


ସବୁବେଳେ ତୁମକୁ ଦେଖିବାକୁ ଇଛା ହେଉଥାଏ ଏବଂ କହିବାକୁ ,କିନ୍ତୁ କିଛି ନ କହି ମନକୁ ବୁଝାଇଦିଏ।କାରଣ ଅପେକ୍ଷା କରିଥିଲି ତୁମେ ମତେ କେତେ ବେଳେ ସେହି କଥା କହିବ।ନିଶ୍ଚୟ ସେହି ସମୟ ଆସିବ ସତରେ ଅପେକ୍ଷାର ଫଳ ଭାରି ମିଠା। 


ପ୍ରକୃତ ପ୍ରେମର ପଥ କେବେ କଣ୍ଟକିତ ନୁହେଁ କି ଶାଶ୍ବତ ପ୍ରେମର ପରିଭାଷା କେବେ ଦୁଃଖ ଦେଇ ନ ପାରେ।


ଜନ୍ମାଷ୍ଟମୀର ସେହି ଗହଳି ଭିତରେ ମୋହନର ନଜର ପଡିଗଲା ସେହି ଝିଅଟି ପ୍ରତି ଯିଏକି ଭାରି କୃଷ୍ଣ ଭକ୍ତ। ପ୍ରବଳ ବର୍ଷା,ତୁହାକୁ ତୁହା ହେଉଥାଏ।ମନ୍ଦିର ଭିତରେ ପ୍ରବଳ ଗହଳି।ବିରାଟ ଲାଇନ ଲାଗିଥାଏ।ତିନିଚାରି ଘଣ୍ଟା ଛିଡା ହେଲାପରେ ହିଁ ଯେ କୌଣସି ଭକ୍ତ ମନ୍ଦିର ଭିତରକୁ ଯାଇପାରିବ।କେହି କେହି ଭକ୍ତ ପାଖରେ ଛତା ବି ନଥାଏ।ଭିଜୁଥାନ୍ତି ସେହି ବର୍ଷାରେ।କିଛି ସମୟ ଖରା ହେଉଥାଏ ଆଉ କେତେବେଳେ ବର୍ଷା।ମୀରା ଭୁଲି ଯାଇଥାଏ ଛତାଟି ଆଣିବାକୁ।ସେହି ବର୍ଷାରେ ଛିଡା ହେବା ପାଇଁ ପଡିଲା ମଧ୍ୟ ମୀରାକୁ।ହାତରେ ମୁଣି ଭିତରେ ଥାଏ ଜପାମାଳି।ଖାଲି ମାଳ ଗଡାଇ କୃଷ୍ଣ କୃଷ୍ଣ ଜପୁଥାଏ।ପ୍ରବଳ ବର୍ଷା ସର୍ତେ କୃଷ୍ଣ ପ୍ରେମରେ ବିଭୋର ହୋଇଥାଏ।ମୋହନର ନଜର ପଡିଗଲା ସେହି ଝିଅଟି ଉପରେ।


ତା ସାଙ୍ଗ ତାକୁ ମୀରା ଵୋଲି ଡାକୁଥାଏ।ମୋହନ ଜାଣିଲା ଓଃ ଝିଅଟିର ନାମ ମୀରା। ସେ ନିଜେ ଯାଇ ଛତାଟି ମୀରା ହାତରେ ଧରାଇ ଦେଲା।ମୀରା ଭାବିଲା ଏ ଗହଳି ଭିତରେ ଜଣେ ସାହାର୍ଯ୍ୟ କରିବା ବ୍ୟକ୍ତି କିଏ? ମୋହନ ମୀରା ପାଖକୁ ଯାଇ କହିଲା ମୁଁ ମୋହନ ମୋର ଦର୍ଶନ ସରିଗଲାଣି।ମୁଁ ଦେଖେ ତୁମେ ଏ ମନ୍ଦିରକୁ ସବୁବେଳେ ଆସ। ତୁମେ ଭିଜିବା ଲାଗି ଏ ଛତା ତୁମକୁ ଧରାଇ ଦେଲି।ତୁମେ କେତେ କୃଷ୍ଣ ପ୍ରେମି ମୁଁ ଏକଥା ଜାଣେ।ତୁମ ହୃଦୟରେ ଖାଲି କୃଷ୍ଣଙ୍କ ବାସ।କୃଷ୍ଣ ପ୍ରେମରେ ତୁମେ ଭାରି ବିଭୋର।


ମୋହନ ଦେଖିଛି ପ୍ରତ୍ୟକ ଦିନ ଏ ଝିଅଟି ମନ୍ଦିରକୁ ଆସେ।ସନ୍ଧ୍ୟା ଆଳତି ସମୟରେ ସେ କୃଷ୍ଣ ପ୍ରେମରେ ହଜିଯାଏ କିଛି ସମୟ। ହରେ କୃଷ୍ଣ ହରେ ରାମର ନାମ ସଂକିର୍ତନର ତାଳେ ତାଳେ ବିଭୋର ହୋଇ ନାଚିଚାଲେ ଏବଂ ଗାଇ ଚାଲେ। ମୋହନ ମଧ୍ୟ ପ୍ରତ୍ୟକ ଦିନ ସେହି ମନ୍ଦିରକୁ ଆସେ।ସେ ତାର ଗତି ବିଧି ଲକ୍ଷ୍ୟ କରୁଥାଏ।ଏମିତି ତ ମନ୍ଦିରକୁ ବହୁ ଭକ୍ତ ଆସନ୍ତି ମୋହନ ତା ମଧ୍ୟରୁ ଗୋଟିଏ। ଆଳତି ସମୟରେ ସମୂହ ପାଦକୁ ପାଦ ଛନ୍ଦି ଆଗପଛ ହୋଇ କୃଷ୍ଣରାଧା ପ୍ରେମରେ ବିଭୋର ହୋଇ ଉଠେ ମୀରା ଏବଂ ମନ୍ଦିରରେ ଥିବା ସମୂହ ଭକ୍ତଗଣ। ଢୋଲ,ଗିନି ,ମୃଦଙ୍ଗ ଧ୍ବନିରେ ରାଧେ ରାଧେ ଖାଲି ତୁଣ୍ଡରେ।


ଭକ୍ତ ପାଇଁ ଭଗବାନଙ୍କର ପ୍ରେମ,ରାଧାରାଣୀଙ୍କ ପାଇଁ କୃଷ୍ଣ ପ୍ରେମ ଚିର ଶାଶ୍ବତ ତଥା ଅମୃତ ମୟ।ପ୍ରେମ ମଣିଷକୁ ଅମୃତର ପଥ ପ୍ରଦର୍ଶନ କରେ।ପ୍ରତ୍ୟେକ ମଣିଷର ହୃଦୟରେ ବିଭୁପ୍ରେମ ସୃଷ୍ଟି ହୁଏ ।ସୁତରାଂ ଏ ସାରା ଜଗତ ସତରେ ପ୍ରେମମୟ।ପ୍ରେମର ବାର୍ତା ମଧୁମୟ,ଅମୃତମୟ,ଛନ୍ଦମୟ,ଲାସ୍ୟମୟ ଏବଂ ହାସ୍ୟମୟ।


ମୀରା ସ୍ମିତହାସ୍ୟ ପ୍ରକାଶ କରି ରାଧେ ରାଧେ କହି ମନ୍ଦିର ଭିତରକୁ ପ୍ରବେଶ କଲା।ସେତ ଖାଲି ବିଭୁ ପ୍ରେମରେ ବିଭୋର।ତାର ହୃଦୟରେ ଖାଲି କୃଷ୍ଣଙ୍କ ବାସ।ସେ କଣ ବୁଝିବ ମୋହନର ପ୍ରେମ ! ସେ କେଵେ କାହାକୁ ଆଡ ଆଖିରେ ଚାହେଁନି ।


ଜନ୍ମାଷ୍ଟମିରେ ମନ୍ଦିରଟି ଭିଡ ହୋଇଥିବା ଲାଗି କେତେଜଣ ଭକ୍ତ ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିଲେ।ମୋହନକୁ ମଧ୍ୟ ଏହି କାର୍ଯ୍ୟ ଦିଆ ଯାଇଥିଲା।ଯାତ୍ରୀମାନେ ଶୃଙ୍ଖଳା ବଜାୟ ରଖି ଧାଡିରେ ମନ୍ଦିର ଭିତରେ କେମିତି ପ୍ରବେଶ କରିବେ,ସବୁ ଭକ୍ତ ସୁବିଧାରେ ଠାକୁରଙ୍କୁ କିଭଳି ଦର୍ଶନ କରିପାରିବେ ଏ ସବୁ କାର୍ଯ୍ୟ ମୋହନକୁ ମଧ୍ୟ ଦିଆ ଯାଇଥାଏ।ମୋହନ ଖୁସି ମନରେ ଏ ସବୁ କାର୍ଯ୍ୟ ତଦାରଖ କରୁଥିଲା।କିନ୍ତୁ ସେ ଦିନ ପ୍ରବଳ ବର୍ଷା ଯୋଗୁ ମନ୍ଦିର ଭିତରକୁ ପାଣି ପଶି ଯାଇଆସେ ଓ୍ବାଇପର ସହାୟତାରେ ମୋହନ ଏବଂ ତାର କିଛି ସହକର୍ମୀ ପାଣିକୁ ବାହାର କରୁଥାନ୍ତି।ବାହାରୁ ଯେତେ ଭକ୍ତ ଆସୁଥାନ୍ତି ସେମାନେ ଓଦା ହେବାଲାଗି ମନ୍ଦିରଟି ମଧ୍ୟ ଓଦାମୟ ହୋଇ ଯାଉଥାଏ ସେମାନଙ୍କ ପିନ୍ଧିଥିବା ବସ୍ତ୍ରର ପାଣି ଧାରରେ।


ମୀରା କୃଷ୍ଣ ନାମ ଜପି ଜପି କୃଷ୍ଣ ପ୍ରେମରେ ବିଭୋର ହେବା ସମୟରେ ତାର ନଜର ପଡିଲା ମନ୍ଦିରର ତଳ ଓଦା ହେବାକୁ ଲାଗିଲାଣି କିଛି ଭକ୍ତ ପାଣି ବାହାର କରୁଛନ୍ତି।ସେ ସଙ୍ଗେ ସଙ୍ଗେ ନିଜକୁ ନିୟୋଜିତ କଲା ମନ୍ଦିରର ସେବା କାର୍ଯ୍ୟରେ।ସେ ଏକ ଖଡିକା ଧରି ମନ୍ଦିର ଭିତରୁ ପାଣିତକ ବାହାର କରିବାକୁ ଲାଗିପଡିଲା ।ମୋହନ ମଧ୍ୟ ସେଠି ଥାଏ।ମୀରା ମନ୍ଦିର ଭିତରୁ ପାଣି ବାହାର କରିବା ସମୟରେ କିଛି ପାଣି ମୋହନ ଉପରେ ପଡିଗଲା।ମୋହନ ମଧ୍ୟ ହାତରେ ଓ୍ୟାଇପର୍ ଧରି ସଫା କରୁଥାଏ।ମୀରା ମୋହନ ଉପରେ ପାଣି ପଡିବା ଦେଖି ସଙ୍ଗେ ସଙ୍ଗେ ରାଧେ ରାଧେ କହିଦେଲା।କେହି କାହାକୁ କିଛି କହି ନ ଥିଲେ ବି ମୋହନ ନିଜକୁ କୃଷ୍ଣ ଏବଂ ମୀରାକୁ ରାଧା ହିସାବରେ ସଜେଇ ସାରିଥିଲା ଯେଉଁ ଦିନ ତାକୁ ପ୍ରଥମେ ଦେଖିଥିଲା। ମୀରାର ମନର ଅବସ୍ଥା କେବେ ଜାଣିବାକୁ ଚେଷ୍ଟା କରିନଥିଲା ଦିନେବି।ସେ ତ ମନେ ମନେ ମୀରାକୁ ଭଲପାଉଥିଲା ।


ମୋହନ ଦିନେ ମୀରାର ହାତ ଧରି ସେ କୃଷ୍ଣ ଏବଂ ରାଧାଙ୍କ ସମୁଖରେ ନିଜ ମନକଥାଟି ଜଣାଇଦେଲା। ମୁଁ ତୁମକୁ ଭଲପାଏ।ତୁମେ କୃଷ୍ଣ ପ୍ରେମରେ ବିଭୋର ମୁଁ ତୁମ ପ୍ରେମରେ ବିଭୋର।


--- "ମୁଁ ସାରା ଜୀବନ ଅଭିବାହିତ ହୋଇ କୃଷ୍ଣକୁ ମୋ ସ୍ବାମୀ ରୂପେ ବାଛି ନେଇଛି"।


 --- "କୃଷ୍ଣ ପ୍ରେମରେ ବିଭୋର ହୋଈ ତୁମେ ଅଭିବାହିତ ଏମିତି ରହିବା ଠିକ୍ ନୁହଁ ମୀରା।ବିବାହ ବନ୍ଧନରେ ବାନ୍ଧି ହୋଇ ମଧ୍ୟ କେହି ଚାହିଁଲେ କୃଷ୍ଣଙ୍କୁ ପ୍ରେମ କରିପାରିବ।ଏହା ପାପ ନୁହଁ। ଚାହିଁଲେ ଯେ କୌଣସି ଭକ୍ତ ତାଙ୍କୁ ଭଲପାଇ ପାରିବେ। ରାଧା ନିଜେ ବିବାହ କରି ମଧ୍ୟ କୃଷ୍ଣକୁ ଭଲ ପାଉଥିଲେ"।


--- " ତୁମେ କିଏ କାହାକୁ କହୁଛ?ମୁଁ ତୁମକୁ ଜାଣିନାହିଁ କ'ଣ କହୁଛ।ଭଲ ପାଇବାର ଅଛି ତ କୃଷ୍ଣକୁ ପାଅ।ଆମେ ସବୁ ଏଠି ଜଣେ ଜଣେ ଭକ୍ତ"।


----- "ମୀରା ତୁମ ହୃଦୟରେ କୃଷ୍ଣ ଅଛନ୍ତି ନା ନାହିଁ ମତେ କୁହ !ଅଛନ୍ତି ତାହାହେଲେ ମୁଁ ତୁମ ହୃଦୟକୁ ଭଲପାଏ ମୀରା।ତୁମ ହୃଦୟଟାକୁ ଦେଖି ଭଲପାଇଲି।ମୋ ହୃଦୟରେ ମଧ୍ୟ ତୁମେ କୃଷ୍ଣକୁ ଦେଖିପାରିବ ଯଦି ତୁମେ ସତରେ କୃଷ୍ଣ ଭକ୍ତ ହୋଇଥିବ"।


------- "ତୁମ ହୃଦୟ ନୁହଁ ପ୍ରତ୍ୟେକ ଜଣକ ହୃଦୟରେ ମୁଁ କୃଷ୍ଣଙ୍କୁ ଦେଖି ପାରୁଛି।ସକଳ ଦେହେ ନାରାୟଣ ଅଛନ୍ତି। ପ୍ରେମକୁ କିଏ କେତେ ପ୍ରକାର ଆଖିରେ ଦେଖିଛି।ପ୍ରେମକୁ କିଏ ଭିଜା ଭିଜା ଜହ୍ନରାତିରେ ଠାବ କରିଛି ତ କିଏ ପ୍ରେମକୁ ଋତୁ ଭିତରେ ପାଇଛି।ପ୍ରେମ ରୂପକ ଅଢେଇ ଅକ୍ଷରିଆ ଶବ୍ଦର ସର୍ବଶେଷ ସାରତତ୍ବ ହେଉଛି ଅନ୍ତର୍ଚେତନାରେ ଭଲପାଇବା ମୁଁ ଯେମିତି କୃଷ୍ଣଙ୍କୁ ଅନ୍ତରରେ ଭଲପାଉଛି।


ମୀରାବାଇ,କବୀର ଓ ଚୈତନ୍ୟଙ୍କ ପରି ଭକ୍ତମାନେ କୃଷ୍ଣ ପ୍ରେମରେ ବିଭୋର।ମୁଁ ଠିକ୍ ସେହିପରି।ପ୍ରକୃତ ପ୍ରେମର ପଥ କଣ୍ଟକିତ ନୁହଁ କେବେ ବି।


ପ୍ରେମ ହେଉଛି ବିଶ୍ବନୟନ୍ତାଙ୍କର ଅମୃତ ସୃଷ୍ଟି।ଯିଏ ଅମୃତ ଦୃଷ୍ଟିରେ ଏହି ଅମୃତ ସୃଷ୍ଟିକୁ ଦେଖିପାରିଛି ,ସେ ନିଶ୍ଚୟ ଅନୁଭବ କରିପାରିଛି ପ୍ରେମର ମହାନତାକୁ।


ଆଜି ମୋହଗ୍ରସ୍ତ ମାନବ ପ୍ରେମ ନାଆରେ ମରିଚିକା ପଛରେ ଧାଇଁବାରେ ଲାଗିଛି।ଆଜିର ଯୁବପିଢୀ ପ୍ରେମର ଗୁରୁତ୍ବକୁ ନ ବୁଝି ଏବଂ ଅନୁଭବ ନ କରି ପାରି କେବଳ ଦେହର ଲାଳସା,ବିଳାସ ବ୍ୟସନରେ ଅତିବାହିତ ହୋଇଥିବା ଯୋଗୁ ମଣିଷ ଜୀବନରେ ଘୋର ଅଶାନ୍ତି ସୃଷ୍ଟି ହେଉଛି ।


ତୁମେ ମତେ କହୁଛ କୃଷ୍ଣ ପ୍ରେମ କରୁଥିଲେ, ଶୋଳ ସହସ୍ର ଗୋପନାରି ସହ।


ଶୋଳ ସହସ୍ର ଗୋପନାରି ଓ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ପ୍ରେମ ଥିଲା ତାହା ଦେହ ସମ୍ଭୋଗର ନ ଥିଲା।ତାହାଥିଲା ଦିବ୍ୟଚେତନାଧାରି ବିଭୁ ପ୍ରେମ"।ରାଧାଙ୍କ ସହ ପ୍ରେମ ଦେହାତୀତ।


------ "ସତରେ ତୁମ ପ୍ରତି ଆସକ୍ତି କାହିଁକି ଆସୁଛି ମୀରା! ଯଦି ଆସୁଛି ତାହାହେଲେ ମନକଥା କହି କିଛି ପାପ କରିନାହିଁ ମୀରା"। 


ଅନ୍ୟ ଉପସ୍ଥିତ ଯେତିକି ଭକ୍ତ ଗଣକ ନଜର ଏମାନଙ୍କ ଉପରେ ପଡିଗଲା।କିଛି ସମୟ ପରେ ଯିଏ ଯାହା ବାଟରେ ଗଲେ।


ମନ୍ଦିରରୁ ଫେରି ଘରକୁ ଯିବାବେଳେ ମନ୍ଦିର ବାହାରେ ଆଣ୍ଠୁଏ ପାଣିରେ ଭାସି ଯାଇଥିଲା ମୀରା ପିନ୍ଧିଥିବା ଚପଲ ହଳେ।ମୋହନ ଆଣ୍ଠୁଏ ପାଣିରେ ପଶି ମୀରାର ଚପଲ ଖୋଜି ବାହାର କରିଥିଲା ।ସେହି ଚପଲକୁ ପିନ୍ଧି ମୀରା ଘରକୁ ଫେରିଥିଲା।ଏସବୁ ସର୍ତ୍ତେ ବି ମୀରା ମୋହନ ଆଡକୁ ତିଳେ ହେଲେ ଢଳି ନ ଥିଲା।


ଏସବୁ କଥା ମୀରାର ବାପା ଏବଂ ମାଆଙ୍କ କାନରେ ପଡିଲା ସେମାନେ ଜାଣିବାକୁ ଇଛୁକ ପ୍ରକାଶ କଲେ ସେ ପିଲାଟା କିଏ।ଜଣାପଡିଲା ସେ ପିଲାଟି ମହନ୍ତଙ୍କ ପୁଅ।ସିଏ ବି କୃଷ୍ଣ ଭକ୍ତ।ବୃତ୍ତିରେ ଇଞ୍ଜିନିୟର।ସିଏ ଚାକିରି କରିବା ସହ କୃଷ୍ଣ ଭକ୍ତ ହୋଇ ସଂସାରିକ ଜୀବନ ପ୍ରତି ଆଗ୍ରହ ପ୍ରକାଶ କରିଥିଲା।


ପିଲାଟି ବିଷୟରେ ସବୁ ଜାଣି ମୀରାର ବାପା ମାଆ ପିଲାଟି ଉପରେ ଖୁସି ପ୍ରକାଶ କରିଥିଲେ।ମୀରା ଆଉ ମୋହନର ନାଆ ମଧ୍ୟ ମିଶୁଛି।ବାକି ରହିଲା ମୀରା ଉପର କଥା।


ତାର ବାପା ମାଆ ମନ୍ଦିର ଆସି ପିଲାଟିର ଗତିବିଧି ଲକ୍ଷ୍ୟ କଲେ।ବହୁ ଶାନ୍ତ ସ୍ବଭାବର ଭଲ ଘରର ପିଲାଟିଏ।ଯାହାହେଉ ପିଲାଟି କୃଷ୍ଣ ଭକ୍ତ ,ଠିକ୍ ମୀରା ପରି।ମୋହନ ସହ ମୀରାର ବାପା ମାଆ ଦୁଇପଦ କଥା ହୋଇ ଘରକୁ ଫେରିଲେ।କିନ୍ତୁ ମୀରା ଏକଥା ଜାଣିନଥାଏ।


ମୀରା ଦିନେ ତରବରରେ କୃଷ୍ଣ ପ୍ରେମରେ ବିଭୋର ହୋଇ ହାତରେ ମୁଣିଟିଏ ଧରି ଜପାମାଳି ଜପି ଜପି ମନ୍ଦିର ସିଢି ଚଢିବା ସମୟରେ ହଟାତ୍ ତା ଗୋଡଟି ଖସି ଯାଇଥିଲା ଫଳରେ ସେ ଉପର ପାହାଚରୁ ଗଡି ଗଡି ତଳେ ପଡି ଯାଇଥିଲା।ପାଦଟା ସଙ୍ଗେ ସଙ୍ଗେ ଫୁଲି ଯାଇଥିଲା।ସେ ଯମା ଉଠି ପାରିଲା ନାହିଁ।ଖାଲି କୃଷ୍ଣକୁ ଡାକୁଥାଏ।ମୋହନ କେଉଁଠି ଥିଲା କେଜାଣି ମୀରାର ହାତ ଧରି ଉଠାଇବାକୁ ଲାଗିଲା।ସଙ୍ଗେ ସଙ୍ଗେ ତାକୁ ମେଡିକଲ ନେଇ ଯାଇଥିଲା। ମୋହନ ତା ପାଦର ଏକ୍ସରେ କରାଇ ସଙ୍ଗେ ସଙ୍ଗେ ବ୍ୟାଣ୍ଡଜ କରାଇଦେଲା।ମୀରା ମନରେ ଖାଲି କୃଷ୍ଣଙ୍କୁ ହିଁ ଡାକୁଥାଏ।କେମିତି ଗୋଡ ଶିଘ୍ର ଭଲ ହେବ ଏବଂ କୃଷ୍ଣଙ୍କୁ ଦର୍ଶନ କରିବ।ସେହି ଚିନ୍ତା ହିଁ ମୀରା ମନରେ ଥାଏ।କିନ୍ତୁ ମୋହନ ହୃଦୟରେ ମନରେ ଖାଲି ମୀରାକୁ ରଖିଥାଏ।


ସତରେ ମୀରା ତୁମ ହୃଦୟ ସ୍ବଛ୍ଛ ଏବଂ ପବିତ୍ର।ଏତେ ସତ୍ତ୍ବେ ବି ତୁମେ ମୋ ଆଡେ ଟିକେ ଢଳିନ।ମୁଁ ନିଜେ ହିଁ ତୁମକୁ ଏକତରଫା ପ୍ରେମ କରିବସିଲି।ସତରେ ତୁମ ହୃଦୟରେ ଖାଲି କୃଷ୍ଣଙ୍କ ବାସ।ମୁଁ ମନେ ମନେ ତୁମକୁ ଏକ ତରଫା ପ୍ରେମ କରି ଭଲ ପାଇ ବସିିିଲି।


ମୋହନ ମୀରାକୁ ଏକ ଗାଡି କରି ତାଙ୍କ ଘରେ ନେଇ ଛାଡି ଆସିଲା।ରାତିରେ ଶୋଇବା ବେଳେ ମୀରା କୃଷ୍ଣକୁ ସବୁକଥା ଯାହା ଯାହା ଦିନ ଭିତରେ ଘଟେ ସବୁ ଜଣାଇଦିଏ।ସେ ଦିନ ରାତିରେ ହାତ ଟେକି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତୀ ଚାହିଁଲା ବେଳେ ମୀରାକୁ କୃଷ୍ଣଙ୍କ ସ୍ଥାନରେ ମୋହନ ଦିଶିଲା ଏବଂ ରାଧାଙ୍କ ସ୍ଥାନରେ ନିଜେ ସିଏ।ହାତରେ ଆଖିକୁ ମନ୍ଥି ମନ୍ଥି ପୁଣି ଦେଖିଲା କ'ଣ ପ୍ରଭୁ ତୁମ ଯାଗାରେ ମୋହନକୁ ଦେଖୁଛି।


କାହିଁ ପ୍ରଭୁ ଆଧ୍ୟାତ୍ମିକ ଚିନ୍ତାଧାରା ଛାଡି ସାଂସାରିକ ଜୀବନର ଲୋଭ ଦେଖାଉଛ।ଖାଲି ପ୍ରଭୁ ମୁଁ ତୁମର ପ୍ରେମର ବନ୍ଧନରେ ବାନ୍ଧି ହୋଇଯାଇଛି।ତୁଛ ମୋହ ମାୟା କାହିଁକି ଲଗାଉଛ।ତୁମ ପ୍ରେମ ଛଡା ଆଉ ସମସ୍ତଙ୍କ ପ୍ରେମ ଛଳନା।ରାତିରେ ମୀରା ଶୋଇବା ସମୟରେ ସାକ୍ଷାତ୍ କୃଷ୍ଣ ଆସି ତାକୁ ଦେଖା ଦେଇ କହିଲେ ତୁ ମୋହନର ହୃଦୟରେ ମୋତେ ଦେଖିପାରିବୁ।ମୋହନକୁ ମନ କଥା ଜଣାଇଦେ।


ମୀରାର ଚାଉଁ କିନା ନିଦ ଭାଙ୍ଗିଗଲା ଆଖି ଖୋଲି ଚାରିଆଡେ ଖାଲି ଚାହିଁଲା।ଏକି ସ୍ବପ୍ନ ପ୍ରଭୁ।ମୁଁ କେମିତି ମୋହନକୁ ଏକଥା ଜଣାଇବି।ସେହିଦିନ ରାତିରେ ବି ମୋହନକୁ ଠିକ୍ ଏଭଳି ସ୍ବପ୍ନ ହୋଇଥିଲା।ସକାଳୁ ସକାଳୁ ମୋହନ ମୀରା ଘରେ ପହଞ୍ଚି ତାକୁ ରାତିରେ ଦେଖିଥିବା ସ୍ବପ୍ନ କଥା କହିଥିଲା।ମୀରା ବି ସେହି କଥା ମୋହନକୁ କହିଲା। 


ଏତିକି କହୁ କହୁ ଦୁହେଁ ଦୁହିଁଙ୍କ ଅତି ନିକଟତର ହୋଇ ଯାଇଥିଲେ।କାନ୍ଥରେ ଲାଗିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀକୁ ଚାହିଁ ରାଧାକୃଷ୍ଣ ପ୍ରେମରେ ବିଭୋର ହୋଇ ସାରା ଜୀବନ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଲେ।


କିଛି ଦିନ ପରେ ମୀରାର ଗୋଡରୁ ବ୍ୟାଣ୍ଡେଜ୍ ଖୋଲାଗଲା ଏବଂ ମନ୍ଦିରକୁ ଯାଇ କୃଷ୍ଣକୁ ଦର୍ଶନ କରିବା ସମୟରେ କୃଷ୍ଣଙ୍କ ମୁଁହରେ ପୁଣି ମୋହନ ହିଁ ତାକୁ ଦେଖାଗଲା। କୃଷ୍ଣ ପିନ୍ଧିଥିବା ଏକ ଫୁଲମାଳକୁ ମାଗି ମୋହନ ବେକରେ ସେ ପିନ୍ଧାଇ ଦେଇଥିଲା।ସେହିପରି ରାଧା ବେକରେ ପଡିଥିବା ଏକ ମାଳକୁ ବାହାର କରି ମୀରା ବେକରେ ପିନ୍ଧାଇ ଦେଇଥିଲା।ସମସ୍ତେ ଅବାକ୍ ହୋଇ ରହିଗଲେ ସତରେ ରାଧାକୃଷ୍ଣଙ୍କ ଭଳି ଦିଶୁଛନ୍ତି ଏହି ଯୋଡି।ତାଙ୍କ ପ୍ରେମ ଶାଶ୍ବତ ଏବଂ ପବିତ୍ର।


ଯେଉଁମାନେ ଘରଦ୍ବାର ଛାଡି,ନିଜ ସ୍ତ୍ରୀ ପିଲାଛୁଆକୁ ଛାଡି ବୈରାଗ୍ୟ ମନବୃତ୍ତି ହୋଇ କୃଷ୍ଣ ପ୍ରେମରେ ବିଭୋର ହୋଇଥିଲେ କିଛି କ୍ଷଣ ସେମାନଙ୍କୁ ଚାହିଁ ରହିଥିଲେ।ମନେ ପଡିଯାଇଥିଲା ତାଙ୍କର ସେହି ସମୟ।ସମସ୍ତଙ୍କ ପାଟିରୁ ବାହାରୁ ଥାଏ ରାଧେ ରାଧେ ।ବୋଲ ରାଧେ ରାଧେ।ଏହି ସମୟରେ ମୀରା ଏବଂ ମୋହନ ହାତରେ ମୁର୍ଦଙ୍ଗ ଧରି ନାଚି ନାଚି ଡେଇଁ ଡେଇଁ କୃଷ୍ଣ ପ୍ରେମରେ ବିଭୋର ହୋଇ ହରେ କୃଷ୍ଣ ଏବଂ ହରେ ରାମ ଧ୍ବନିରେ ନିଜକୁ ହଜାଇ ଦେଇଥିଲେ।ବାହାରୁ ଆସିଥିବା ସବୁ ବିଦେଶୀ ଦମ୍ପତ୍ତି ଏମାନଙ୍କ ସହ ନାଚି ନାଚି କୃଷ୍ଣ ପ୍ରେମରେ ବିଭୋର ହୋଇଗଲେ।


ମୀରା ଏବଂ ମୋହନ ବହୁ ଦମ୍ପତ୍ତିକୁ ବୁଝାଇ କୃଷ୍ଣ ପ୍ରେମ ପ୍ରତି ଆକୃଷ୍ଟ କରାଇଥିଲେ ଏବଂ ଦିକ୍ଷା ନେବା ପାଇଁ କହିଥିଲେ।ବୁଝାଇ ଥିଲେ କେହି ବି ଚାହିଁଲେ ସାଂସାରିକ ଜୀବନ ଯାପନ କରି ମଧ୍ୟ କୃଷ୍ଣ ପ୍ରେମରେ ନିଜକୁ ହଜାଇ ଦେଇ ପାରିବେ।ମୀରା ଏବଂ ମୋହନ କୃଷ୍ଣ ପ୍ରେମରେ ବିଭୋର ହୋଇ ଆଳତି ସମୟରେ ଆଗରେ ନିଜକୁ ରାଧା ଏବଂ କୃଷ୍ଣ ରୂପେ ସଜାଇ ଢୋଲ, କିର୍ତ୍ତନର ତାଳେ ତାଳେ ନୃତ୍ୟ କରିଚାଲନ୍ତି ସବୁବେଳେ।ଦାମ୍ପତ୍ୟ ପ୍ରେମରେ ବାନ୍ଧିହୋଇ ମଧ୍ୟ କୃଷ୍ଣକୁ କେବେ ଭୁଲି ନାହାନ୍ତି।ତାଙ୍କ ପ୍ରେମ ପବିତ୍ର ଠିକ୍ ରାଧା ଏବଂ କୃଷ୍ଣଙ୍କ ଭଳି।


ବୁଢାବୁଢୀ ପର୍ଯ୍ୟନ୍ତ ମୋହନ ଏବଂ ମୀରା ଏକମନ ଏକ ପ୍ରାଣ ହୋଇ ବଞ୍ଚି ମନରେ ଭଲପାଇବା ରଖି କୃଷ୍ଣ ପ୍ରେମରେ ବିଭୋର ହୋଇ ଏକ ଘଡିସନ୍ଧି ମୂହୁର୍ତରେ ଦୁହେଁ କିର୍ତ୍ତନ କରିବା ସମୟରେ ଆଖି ବୁଜିଦେଇଥିଲେ।ଦୁହେଁ ଦୁହିଁଙ୍କ ଉପରେ ଢଳି ପଡିଥିଲେ।ସମସ୍ତେ ମୋହନ ଏବଂ ମୀରାକୁ ଦେଖି ଅବାକ୍ ହୋଇ ରହିଯାଇଥିଲେ।ସମସ୍ତଙ୍କ ମୁଁହରେ ଗୋଟିଏ କଥା ସତରେ ଏମିତି ଭଲପାଇବା କାହା ଭିତରେ ନଥିବ।ସତରେ ଏହି ଦମ୍ପତି ଠୁ ପ୍ରେମ ବିଷୟରେ ଶିଖିବା କଥା।ଉଦାହରଣ ପାଲଟିଗଲେ ଯୁଗ ଯୁଗ ପାଇଁ ଏକ ଭକ୍ତିଭରା ପ୍ରେମ କାହାଣୀ ମାଧ୍ୟମରେ।



Rate this content
Log in