STORYMIRROR

Dr Jharana Satapathy

Tragedy Inspirational

3  

Dr Jharana Satapathy

Tragedy Inspirational

ଜୀବନର ରଙ୍ଗମଞ୍ଚ

ଜୀବନର ରଙ୍ଗମଞ୍ଚ

2 mins
331


ଲସି ଦୋକାନରୁ ଲସି ପିଇବାବେଳେ ଗୋଟିଏ କୁନି ଛୁଆ ପଛପଟୁ ମତେ ଡାକି କିଛି ଇସାରା ଦେଲା। ମୁଁ ତା ଭାଷା ଠିକ୍ ସେ ବୁଝିପାରୁନଥିଲି। ସେ ତାର କୁନି କୁନି ହାତରେ ବେଲୁନ ଧରିଥାଏ ବିକ୍ରି କରିବା ପାଇଁ। ମତେ ଦେଖି ସେ ତାର ଆଙ୍ଗୁଠି ସାହାର୍ଯ୍ୟରେ ଏବଂ ଆଖିର ଇସାରରେ ପାଖରେ ବିକ୍ରି ହେଉଥିବା ଖେଳଣାଗୁଡିକ ଉପରେ ଦୃଷ୍ଟି ପକାଇବାକୁ କହିଲା। ମୁଁ ତା ମନ କଥା ଠିକ୍ ସେ ଵୁଝିପାରିଲି। ଭାବିଲି ତାକୁ କିଛି ଖେଳଣା ଦରକାର। ଭାବିଲି ତା ପାଇଁ କିଛି ଖେଳଣା କିଣି ଦେଵି। 


ମୁଁ ଲସି ପିଇବା ପରେ ତା ପାଇଁ କିଛି ଖେଳଣା ଆଣି ତାକୁ ଦେବାବେଳେ ତାର ଅନ୍ୟ ଦୁଇଭାଇ ଭଉଣୀ ସଙ୍ଗେ ସଙ୍ଗେ ମୋ ପାଖକୁ ଆସି ପଇସା ମାଗିଲେ। ମୁଁ ସେମାନଙ୍କୁ ପଇସା ଦେବାକୁ ମନାକଲି। ପଇସା ବଦଳରେ କିଛି ଜିନିଷ କିଣି ଦେବାକୁ ଭାବିଲି। ଦୂରରୁ ତା ମାଆ ସବୁ ନଜର କରୁଥିଲା। 


ମୁଁ ସେ କୁନି ଛୁଆର ବଡ ଭଉଣୀକୁ ପଚାରିଲି ତୁମକୁ ପଇସା ମାଗିବାକୁ କିଏ ଶିଖାଇଛି ?


ଏଡିକି ବକଟେ ଛୁଆ ଗାଲ ଚିପୁଡିଲେ ଦୁଧ ବାହାରିବ ମତେ କହିଲା ତୁମେମାନେ । 


ମୁଁ କହିଲି କ'ଣ ଆମେମାନେ......


ସେ ମତେ କହିଲା ହଁ ତୁମେମାନେ.... 


ତୁମେମାନେ ଦେବାଲାଗି ଆମେମାନେ ମାଗୁଛୁ। 


ହେଲା.... 


ଆଉ କ'ଣ କହିବ। ହେ... କହି ସେଠୁ ଚାଲିଗଲା। 


ଲସି ପିଇବା ତାର ଉଦ୍ଦେଶ୍ୟ ନଥିଲା, ବରଂ ବିଭିନ୍ନ ଲୋକଙ୍କଠୁ ପଇସା ମାଗିବା ସେମାନଙ୍କର ବୃତ୍ତିଗତ ଅଭ୍ୟାସ।


ମନରେ ମୋର ପ୍ରଶ୍ନ ଉଠିଲା, ଆମେମାନେ ସତରେ କିଛି ଟଙ୍କା ପଇସା ଦେଇ ସେମାନଙ୍କୁ ସବୁଦିନ ପାଇଁ ଭିକାରୀ କରିଦେଉଛେ କି ? ଯେଉଁ ବୟସ ସେମାନଙ୍କର ଖେଳକୁଦ ସମୟ , ପୁଣି ଭିକ୍ଷା ମାଗୁଛନ୍ତି।


ଠିକ୍ ଏତିକି ବେଳେ ଲକ୍ଷ୍ୟ କଲି ଜଣେ ବୃଦ୍ଧା ମାଗିଯାଚି କରି କିଛି ଖାଦ୍ୟ ଧରି ଖାଇବା ପାଇଁ ନଇଁ ନଇଁ ଯିବାବେଳେ ସବୁ ଖାଦ୍ୟତକ ତାର ତଳେ ପଡିଗଲା। ଭୋକ ବିକଳରେ ଆଉଟୁ ପାଉଟୁ ହୋଇ ସେ ଅସହାୟ ବୃଦ୍ଧା ତଳୁ ପଡିଥିବା ଖାଦ୍ୟକୁ ଗୋଟାଇ ଖାଇବାକୁ ଲାଗିଲା। ମନେ ମନେ ଭାବିଲି ତାକୁ କିଛି ଖାଦ୍ୟ କିଣି ନେଇ ଦେବି ନା କିଛି ପଇସା ଦେବି। 


ସଙ୍ଗେ ସଙ୍ଗେ ସେ କୁନି ଝିଅଟିର କଥା ମନେପଡିଗଲା। 


ପଛଘୁଞ୍ଚା ଦେଇ ସେ ବୃଦ୍ଧାଙ୍କ ହାତରେ କିଛି ଖାଦ୍ୟପଦାର୍ଥ କିଣି ଧରାଇଦେଲି। ଏତେ ଭୋକିଲା ଥିଲା ବୃଦ୍ଧା ଜଣକ ଖାଦ୍ୟକୁ ଚାହିଁ ବସିଥିଲା କିନ୍ତୁ ସେ ଝିଅଟି ଖାଲି ପଇସାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy