ଏକ ଅଭାବନୀୟ ପ୍ରେମ
ଏକ ଅଭାବନୀୟ ପ୍ରେମ
ଆଧୁନିକ ପ୍ରେମ କାହାଣୀ ହୁଏତ ଆକର୍ଷଣରୁ କିନ୍ତୁ ଏ ପ୍ରେମ କାହାଣୀ ପ୍ରେମର ଅଭାବରୁ। ନ ଥିଲା ଦେହରେ ଦେହ ଯୋଡ଼ି ଦେହ ସୃଷ୍ଟିର ଅଭିପ୍ରାୟ।ନାଥିଲା ଆଜି ସତ କାଲି ମିଛର ପ୍ରତିଶ୍ରୁତି।ଖାଲି ବଞ୍ଚିବାର ପ୍ରୟାସରେ ଏ ପ୍ରେମ କାହାଣୀ।
ଦୁଇଟା ଯୋଗ୍ୟ ପୁଅ।ଜଣେ ଓଏଏସ ଆଉ ଜଣେ ଶିକ୍ଷକ।ଯମୁନା ଗଲା ପରେ କେତେ କଷ୍ଟ ରେ ବଢ଼େଇଚି ମୁଁ ଜାଣେ। ସାନ ପୁଅ ଟାକୁ ଜନ୍ମ ଦେଇ ସେ ଚାଲିଗଲା।ମୁଁ ଯେ କେତେ କଷ୍ଟରେ ବାପା ମା ଦୁହିଁଙ୍କ ଭୂମିକା ପରିବହନ କରିଛି।ହେଲେ ସବୁ ଦୁଃଖ କଷ୍ଟ ଭୁଲିଯାଏ ଯେତେବେଳେ ପୁଅମାନେ ଆସି କୁଣ୍ଢେଇ ପକାଉଥିଲେ।ମୋର କାଠୁଆ କାଠୁଆ କଳା ଗାଲରେ କେତେ ଚୁମ୍ବନ ଦଉଥିଲେ। ସେତେବେଳେ ବୁଝୁଥିଲି ମା ହେବା ପାଇଁ କଉ ଗର୍ଭାଶୟର ଆବଶ୍ୟକତା ନାହିଁ ଖାଲି ମନରେ ମାତୃତର ଭାବନା ଥିବା ଦରକାର। ବକ୍ଷ ଚିରି ସିନା କ୍ଷୀର ଦେଇନି,କିନ୍ତୁ ଦେହ ଭିଜା ଝାଳରୁ ଯାହା ମିଳିଛି ତୁଣ୍ଡରେ ଦେଇଛି।ସେତେବେଳେ କେତେ କହିଥିଲେ ଆଉ ଗୋଟେ ବାହା ହେଇଯାଅ।ପିଲା ଦୁଇଟା ମୁହଁକୁ ଚାହିଁ ଆଉ ବାହା ହେଇପାରିଲିନି।ଆଜି କିନ୍ତୁ ମୁଁ ତାଙ୍କ ପାଇଁ ଅପରିଚିତ ପାଲଟି ଯାଇଛି।ତଥାପି ସବୁବେଳେ ଭଗବାନଙ୍କୁ ଡାକେ ସେମାନେ ଖୁସିରେ ଥାଆନ୍ତୁ।ବଡ଼ପୁଅ ଅଲଗା ସହରରେ ସାନ ପୁଅ ଅଲଗା ସହରରେ କିଛି ଦିନ ମୋତେ ବଣ୍ଟାହେଲା ମାସେ ମାସେ ପାଳିରେ ତେଣୁ ସେଠି ହିନସ୍ତ ହେବା ଅପେକ୍ଷା ଗାଆଁରେ ରହିବାକୁ ବେଶୀ ପସନ୍ଦ କଲି।ଏବେ ତାରର (ଚିଠି) ସମୟ ଗଲାଣି ମୋବାଇଲ ର ବ୍ୟବହାର ମୁଁ ଜାଣେନି ବୋଲି କେହିବି ଖବର ବୁଝନ୍ତି ନାହିଁ।ବର୍ଷେ ଦୁଇ ବର୍ଷରେ ଦେଖିବାକୁ ଆସନ୍ତି ।ସେଥିରେ ପୁଣି କିଛି ଅନୁରାଗ ନଥାଏ।ବେଳେବେଳେ ଲାଗେ ଯେମିତି ବାଧ୍ୟରେ ଆସନ୍ତି।ଆଜି କାଲି ଦେହଟା ଠିକ୍ ରହୁନି।୫୫ବର୍ଷ ବୟସ ଛୋଟ ସମୟରୁ କେତେ କାମ କରିଛି।ଆଉ ଏବେ କରିପାରୁନି।ସବୁବେଳେ ନିସଂଗତାର ଅନୁଭବ ହୁଏ,ଲାଗେ ଯେମିତି ପୁଅ ଜନ୍ମ କରିବା ପାପ ନୁହେଁ ତ।ଭଲପାଇବାର ଅଭାବ ଦେଖାଦିଏ। ଏକା ବସି କାନ୍ଦିବା ଛଡା ଆଉ ଉପାୟ କିଛି ନାହିଁ ମୁଁ ଉପାୟ ଶୂନ୍ୟ।ଅତି କମ୍ ବୟସରୁ ବାହାଘର ତାପରେ ପିଲା ଚିନ୍ତା ତେଣୁ ଟିକେ ଦୁର୍ବଳ ହୋଇପଡେ।କେବେ ରାନ୍ଧି ପାରେ କେବେ ପୁଣି ମୁନା ବୋଉ ଆଣି ଦେଇଯାଏ।ତାକୁ ବି ତା ପୁଅ ମୁନା ଅଲଗା କରିଦେଇଛି ଗାଆଁରେ ପ୍ରାୟ କମ୍ ବୟସରେ ବାହାହୁଅନ୍ତି।ସେ ବି କମ୍ ବୟସରୁ ବିଧବା ଖୁବ୍ କଷ୍ଟ ରେ ମୂଲ ଲାଗି ପୁଅକୁ ପାଳିଲା।ଆଜି ପୁଅ ରାଜଉଆସରେ ଆଉ ସେ ଗୁହାଳ ଘରେ।ସବୁଦିନ ଆସି ଦୁଃଖ ସୁଖ ହୁଏ।କେତେ କଥା ହୁଏ ସେ ପାଖରେ ଥିଲେ ଟିକେ ହୃଦୟକୁ ଶାନ୍ତି ମିଳେ। ଅଶାନ୍ତ ମନଟା ଶାନ୍ତ ହୋଇଯାଏ। କାହିଁକି ଏମିତି ଜାଣେନା ସେଦିନ ପ୍ରବଳ ଜ୍ଵର ହେଲା ସେ ମୋର ସେବା କଲା।ସେଦିନ ତା ଭିତରେ ମୁଁ ଯମୁନାକୁ ଦେଖିଲି।ମନରେ ଅନ୍ୟ ଏକ ଭାବନା ଆସିଲା। ଏ କଣ ପାପର ଭାବନା।ନା ଏଇଟା ହେଉଛି ଖୁସିରେ ରହିବାର ଗୋଟେ ବୁଝାମଣା। ଏତେ ଦୁଃଖ ଭିତରେ ଯଦି ଟିକେ ସୁଖ ମିଳିପାରୁଛି ତାହାଲେ ତାକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୋଟେଇନବା। ବହୁତ ଭାବିଚିନ୍ତି ତାକୁ ଦିନେ ସେଇ କଥା କହିଲି।ସେ କହିଲା ସମାଜ କଣ କହିବ।ସମାଜ ଯେ ସବୁବେଳେ ଭୁଲ ଦେଖିବ,ସବୁବେଳେ ଦୁଃଖ ଦବ ଏଇ କଥା ନିଜକୁ ବୁଝାଇ ତାକୁ ବି ବୁଝାଇବାକୁ ପଡ଼ିଲା।ସେଦିନ ମୋର ଜ୍ଵର ହେଲା କେହି ଆସିଥିଲେ ତୁମେ ହିଁ ତ ମୋର ସେବା କଲ ଏତେ ବଡ଼ ସମାଜରେ ଆଉ କିଏ ଆସିଲା କୁହ।ସେ ପୁଣି ପ୍ରଶ୍ନ କଲା ଆଉ ଆମ ପିଲାମାନଙ୍କୁ ଯେ ସମସ୍ତେ ଅପମାନ ଦେବେ ସେଇଟା କଣ ଆମେ ସହି ପାରିବା।ମୁଁ କହିଲି ସେମାନଙ୍କୁ ଯଦି ଆମ ଦେହ ଖରାପ ହେଲେ କିଛି ଫରକ୍ ପଡୁନି ତାହାଲେ ଆମେ ଭଲରେ ରହିଲେ ଅସୁବିଧା କଣ??
ତାଙ୍କର ଖୁସି ପାଇଁ ତ ସାରା ଜୀବନ ଲଗେଇଦେଇଛୁ କଣ ମିଳିଲା ନା ଖୁସି ନା ସମ୍ମାନ।ଥରେ ନିଜ ଖୁସି ଟିକେ ଭାବିକି ଦେଖ ଯେତିକି ଦିନ ବଞ୍ଚିବା ଟିକେ ଖୁସିରେ ତ ରହିପାରିବା।ବହୁତ୍ ବୁଝାଇଲା ପରେ ରାଜି ହେଲା ଆଉ ମନ୍ଦିରରେ ଯାଇ ବାହାହୋଇ ଆସିଲୁ।ଗାଆଁରେ ଅନେକ କଥା ଶୁଣିବାକୁ ମିଳିଲା ହେଲେ ସାହସ ବାନ୍ଧି ରହିବାକୁ ପଡ଼ିଲା।ଖରାପ ଖବର ଶୀଘ୍ର ବ୍ୟାପି ଯାଏ।ପଡିଶା ଘରକୁ ବଡ଼ପୁଅ କଲ କଲା ଆଉ ବହେ ଗାଳି ଦେଲା ବାସ୍ ଏତିକି କହିଲି ତୁମରି ପାଇଁ ତ ସାରା ଜୀବନ କାଟିଦେଇଛି ,ତୁମରି ଖୁସି ପାଇଁ ଶେଷ ବେଳରେ ଟିକେ ମୋତେ ଖୁସି ହେବାକୁ ଦିଅ।ନିଜକୁ ନିଜେ ଟିକେ ଜାଣିବାକୁ ଦିଅ। ବାସ୍ ଏତିକି କହି ପଳେଇ ଆସିଲି।ଆମର ସମ୍ପର୍କରେ ଯେ କିଛି ପାପ ଭାବନା ନଥିଲା।ଖାଲି ଟିକେ ଖୁସି ପାଇଁ ଏମିତି କରିବାକୁ ପଡିଲା।ଆଉ କଥାରେ ତ ଅଛି ପ୍ରେମ ବୟସ ଦେଖେନା। ଏ ପ୍ରେମ ପ୍ରେମର ଅଭାବରୁ ଆକର୍ଷଣରୁ ନୁହଁ।ନିସଂଗତା ଦୂର ଉଦ୍ଦେଶ୍ୟରେ ଏ ପ୍ରେମ।
