ଦୁର୍ଗାଙ୍କ ସ୍ୱରୂପ
ଦୁର୍ଗାଙ୍କ ସ୍ୱରୂପ
ଖରା,ବର୍ଷା, ଶୀତ, କାକର ରାସ୍ତାରେ ଚାଲୁ ଚାଲୁ ଜୀଵନରେ କେତେ ବାଟୋଇ ମିଳନ୍ତି ସତ ହେଲେ ଜୀବନସାଥୀଙ୍କ କଥା ଅଲଗା. ଦିନେ ପାଖରେ କେହି ନଥିବେ, ଥିବେ କିନ୍ତୁ ଦୁଇ ପ୍ରେମ ପକ୍ଷୀ ସ୍ୱାମୀ ଓ ସ୍ତ୍ରୀ. ସେତେବେଳେ କଥାଟିଏ ଥିଲା ପୁଅ ଯୋଗ୍ୟର ହେଲେ ଧନ କାହିଁ ପାଇଁ ସଞ୍ଚିବି.. ପୁଅ ଅଯୋଗ୍ୟ ହେଲେ ଧନ କାହିଁ ପାଇଁ ସଞ୍ଚିବି. ଏବେ କିନ୍ତୁ ପ୍ରତି ହୃଦୟରୁ ଶୁଭୁଛି ପୁଅ ପାଠୁଆ ହେଲେ ଘର କାହିଁ କରିବି.. ପୁଅ ଅପାଠୁଆ ହେଲେ ଘର କାହିଁକି ତୋଳିବି. ତଥାପି ପୁଅ ଝିଅ ବା ସନ୍ତାନ ସନ୍ତତି ପାଖରେ ରହନ୍ତୁ ନରହନ୍ତୁ ଶୁକ ଶାରୀ ପରି ଥାଆନ୍ତି ଦୁଇପ୍ରାଣୀ ଯାହାକୁ ଆମେ କହୁ ଦମ୍ପତ୍ତି. ସେମିତି ଅରୁଣା ଓ ଅଶୋକ ଦୁହେଁ ସ୍ୱାମୀ ସ୍ତ୍ରୀ. ଦିନ ଆସେ ପିତା ମାତା, ବନ୍ଧୁ ବାନ୍ଧବ, ସଖା ସହୋଦର, ପୁତ୍ର କନ୍ୟା ଦୂରେଇ ଯାଆନ୍ତି କିନ୍ତୁ ପରସ୍ପରର ବନ୍ଧୁ ହୋଇ ପତି ପତ୍ନୀ ଥାଆନ୍ତି ଜଣେ ଜଣଙ୍କ ପାଇଁ. ଅରୁଣାଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ. ଘରେ ଘରେ ସେ ଦେଖନ୍ତି ବୁଢାଟିମାନ ବୁଢୀଟିକୁ ଛାଡି ଆଗ ବାଟ କାଟନ୍ତି ସ୍ୱର୍ଗକୁ. କାହିଁକି ପ୍ରଶ୍ନରେ ଅଶୋକ ଦେଇଥିଲେ ଚମତ୍କାର ଉତ୍ତର. ମହିଳା ମାନେ ମହିୟସୀ. ସେମାନେ ସବୁ ସହି ଓ ବୁଝି ପ୍ରତିଟି ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା ଓ ପୌତ୍ର ପୌତ୍ରାଦିଙ୍କ ସହିତ ଖାପଖୁଆଇ ଚାଲିପାରନ୍ତି ଯାହା ପୁରୁଷଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ. ସହଜେ ସ୍ୱାମୀମାନେ ବଡ଼ ଥାଆନ୍ତି ନା ବୟସରେ. ଏକଥାରେ କିନ୍ତୁ ସହମତି ନଥାଏ ଅରୁଣାଙ୍କର କାରଣ ଅନୁଭବରୁ ସେ ଦେଖିଛନ୍ତି ବର୍ଷେ, ଦିବର୍ଷ ବା ବେଶୀ ବଡ଼ ହେଲେ ଦଶବର୍ଷ ବଡ଼ ଥିବା ସ୍ୱାମୀ ଆଗ ସ୍ବର୍ଗାରୋହଣ କଲାପରେ ତାଙ୍କ ସ୍ତ୍ରୀ ତ କୋଡିଏ କି ପଚିଶ ବା ତଦୁର୍ଦ୍ଧ କାଳ ବଞ୍ଚିରହୁଛନ୍ତି. ଏହି ସବୁ ଦୁର୍ଭାବନା ଏଡ଼େଇବାକୁ ସେ ଛାତ ଉପରକୁ ଯାଇ ନୀରବରେ ବସିଯାଆନ୍ତି. ଅନାଗତ ଭବିଷ୍ୟତରେ ଏକୁଟିଆ ନୀରବ ରାସ୍ତାକୁ କିପରି ନୀରବରେ କାଟିବେ ଭାବି ବ୍ୟସ୍ତ ହୋଇପଡନ୍ତି. ପୁଣି ମନକୁ ଆସେ ସ୍ତ୍ରୀ ମାନେ ପତିବ୍ରତା ଧର୍ମ ନିଭେଇବାକୁ ଯାଇ ଆଗ ସ୍ୱାମୀଙ୍କୁ ଖାଇବାକୁ ବାଢ଼ନ୍ତି, ସେଇଟା ଅଶୁଭତ୍ବ ପ୍ରଦାନ କରେକି? ଅବଶ୍ୟ ଆଗ କାଉ କୁକୁରଙ୍କୁ ଦେଇ ତା ପରେ ସ୍ୱାମୀଙ୍କୁ ପରଷା ଯାଏ ତଥାପି ଏଭଳି ମାନସିକତାର ଫଳ ନାକାରାତ୍ମକ ହୁଏକି? ଏମିତି ସବୁ ପ୍ରଶ୍ନ ମନକୁ ଉଦବେଳିତ କରୁଥିବା ବେଳେ କାଉଟି ଉଡିଆସି ରଖିଥିବା ଜଳରେ ଥଣ୍ଟ ବୁଡେଇ ପାଣି ପିଉଥାଏ. ଅନ୍ୟ ଚଢେଇ ମାନେ କେହି ଅରୁଣାଙ୍କ ଉପସ୍ଥିତିକୁ ଅଣଦେଖା କରି ପାଣି ପିଉନଥିବା ବେଳେ କାଉଟି ନିର୍ଭୟରେ ପାଣି ପିଇ ଉଡିଯାଏ, ଚାଉଳ ମଧ୍ୟ ଖାଏ କିନ୍ତୁ ଅନ୍ୟ ଚଢେଇ ମାନେ ତାଙ୍କ ଅବସ୍ଥିତିରେ ଆସନ୍ତି ନାହିଁ ଭରଷି କରି ଆଉ ହଳଦୀବସନ୍ତ ବା ଶୁଆ ପକ୍ଷୀଙ୍କୁ ଦେଖିବାକୁ ଭଲ ପାଉଥିବା ଅରୁଣା ଭାବନ୍ତି ସେମାନଙ୍କୁ ସିନା ମଣିଷ ଭଲପାଏ ଦେଖିବାକୁ ବା ତାଙ୍କୁ ଦେଖିଲେ ଶୁଭହୁଏ ବୋଲି ଭାବିବାକୁ କିନ୍ତୁ ସେମାନେ କାଉ ପରି ନୁହଁ. କାଉକୁ ଆଗ ଭାତ ବାଢିଦେଉଥିବା ଅରୁଣା ସେଦିନ ଦେଖି
ଲେ ପ୍ରତିଦିନ ଆସି ପାଣି ପିଇ ଚାଉଳ ଖାଇ ଆକାଶକୁ ଉଡି ଯାଉଥିବା ପକ୍ଷିଟା ସେଦିନ ତାଙ୍କ ଆଖି ସାମ୍ନାରେ ଦୁଇ ବିଜୁଳି ତାର ଯାଇଥିବା ଗଛ ଉପରେ ବସିପଡ଼ି ଛିଟିକି ପଡିଥିଲା ଅଦୁରକୁ. ଛାତିଟା କରତି ହୋଇଗଲା ଅରୁଣାଙ୍କର. କେତେ କାଉ ଆସି କାକା କହି ଉଡ଼ିଲେ ଘେରେ ପୁଣି ଫେରିଗଲେ କିନ୍ତୁ ତା ପରଠୁ ଅରୁଣାଙ୍କୁ ଜର ହେଲା. କାଉ କଥା ଶୁଣି ସ୍ୱାମୀ କହୁଥିଲେ ଏଇଟା ଗୋଟେ କୋଉ ବିରାଟ ଦୁଃଖ କଥା ଯେ. ପ୍ରତିଦିନ ରାସ୍ତା ଘାଟରେ କୁକୁର ମରିବା ପରି ବିଜୁଳି ତାର ଉପରେ ବସି ପକ୍ଷୀ ମରୁଛନ୍ତି. ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି. ଅରୁଣା କହୁଥିଲେ ଅଛି. କଣ ଅଛି ଟିକେ ଶୁଣେ!ଅରୁଣା ଚୁପି ଚୁପି କହୁଥିଲେ ମଣିଷ ସବୁ ଭାରି ସ୍ୱାର୍ଥପର ତ ଏଇ ମୋ ପରି ସ୍ତ୍ରୀ ଲୋକ ମାନେ ଗ୍ରହରିଷ୍ଟ କାଟି ଆଗ ରନ୍ଧାଖାଦ୍ୟ ଓ ବାସିରୁଟି କାଉ କୁକୁରଙ୍କୁ ଦେବା ଫଳରେ ତାଙ୍କର ଅକାଳ ମୃତ୍ୟୁ ହେଉଛି. ସ୍ୱାମୀ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଆରେ ନାହିଁ ଭଗବାନ ତାଙ୍କୁ ଯେତେ ଅଧିକ ବର୍ଷ ଆୟୁଷ ଜାଚିଲେ ମଧ୍ୟ କୁକୁର ତା ଆୟୁଷ କୋଡିଏ ବଦଳରେ ଦଶ ରଖି ଦଶ ଫେରାଇ ଦେଇଥିଲା ଓ ପକ୍ଷୀ ପାଞ୍ଚ ରଖି ଦଶ ଫେରାଇ ଦେଇଥିଲା. ଅରୁଣା କହୁଥିଲେ ଆଉ ସେମାନେ ଫେରେଇ ଦେଇଥିବା ସେଇ କୋଡିଏ ବର୍ଷକୁ ଅଧିକା ଆୟୁଷ ମାଗିନେଇ ମଣିଷ ଦେଖୁଛି ତାଙ୍କ ମୃତ୍ୟୁ ଆଉ ହେଉଛି ଛଟପଟ ।
ଅରୁଣାଙ୍କୁ ପାଇ ଅଶୋକ ଭୁଲିଯାଇଥିଲେ ସିଗାରେଟ ପିଇବାକୁ, ଡେରିରେ ଘରକୁ ଫେରିବାକୁ, ସାଙ୍ଗସାଥିଙ୍କ ସଙ୍ଗେ ମିଳାମିଶା ନକରିବାକୁ ତଥା ଦେଖିଚାହିଁ ଭଲ ସାଙ୍ଗ କରିବାକୁ, ଋଣ ଆଣିବାକୁ ବା ଋଣ ଦେବାକୁ, କାହାକୁ ଅଯଥା ଉପଦେଶ ଦେବାକୁ ବା କେହି ନମାଗିଲେ ଅଜାଚିତ ସାହାଯ୍ୟ ସହଯୋଗ ଦେବାକୁ ବନ୍ଦ କରିଥିଲେ ଅରୁଣାଙ୍କ କଥାରେ. ସୁସ୍ଥ ନିରାମୟ ରହିବାକୁ ଯାହା କହୁଥିଲେ ଅରୁଣା ସେସବୁ ମାନିନେଇଥିଲେ ଅଶୋକ. ଏମିତିକି ପୁଅ ଝିଅ ଭଲରେ ସମାଜରେ ସୁପ୍ରତିଷ୍ଠିତ ଥିଲେ ମଧ୍ୟ ତାଙ୍କୁ କେଵେ ଅଭାବ ଅସୁବିଧା ଜଣେଇ ନଥିଲେ ପତ୍ନୀଙ୍କ କଥା ମାନି ଅଶୋକ. ଆଜି ବି ମନେଅଛି ଅଶୋକଙ୍କର. ସେଥର ପୁଅର ବିବାହ ବାର୍ଷିକୀ ଭୋଜିରେ ଯୋଗ ଦେବାକୁ ଯାଇ ଅରୁଣା ପିନ୍ଧିଥିଲେ କଳାମାଳି କାରଣ ବାପଘରୁ ଆଣିଥିବା ପାଞ୍ଚ ଭରିର ସୁନା ଚେନ ବିକି ଘର ତୋଳିବାକୁ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ ଅରୁଣା. ଆଜି ବୋହୂ ବେକରେ ହୀରା ହାର ଦେଖି ମଧ୍ୟ ଲୋଭ କରିନଥିଲେ ସେ .ଆଜି ଅଶୋକ ସୁସ୍ଥ ଥିବା ବେଳେ ଅରୁଣା ସେଇ ପଡିଲେ ଯେ ଆଉ ଉଠିଲେନି. ଚାଲିଗଲେ ସେଇଠିକୁ ଯୋଉଠିକି ଗଲେ ଆଉ କେହି ଫେରିନଥାନ୍ତି. ସେଦିନ ଖୁବ ବର୍ଷା ଢାଳୁଥିଲା ଧରଣୀରେ. ସମସ୍ତେ କହିଲେ ଅରୁଣା ନିଶ୍ଚୟ ସ୍ୱର୍ଗକୁ ଗଲେ ଅଶୋକଙ୍କୁ ଏକା କରି. ଅରୁଣା ସିନା ଚାଲିଗଲେ ହେଲେ ଅଶୋକ ଯେପରି ନିର୍ଦୋନ୍ଦରେ ଚଳି ପାରିବେ ଏକା ଏକା ସେସବୁ ବ୍ୟବସ୍ଥା ଅରୁଣା କାଟିଦେଇ ଯାଇଥିଲେ ଯିବା ପୂର୍ବରୁ. ନୀରବରେ ବାଟ ଚାଲୁ ଚାଲୁ ନଈ ପଠାରେ କାଶତଣ୍ଡୀ ସମ୍ଭାର ଦେଖି ଅଶୋକ ଭାବୁଥିଲେ ସ୍ତ୍ରୀ ଟା ପ୍ରକୃତରେ ତାଙ୍କର ଦୁର୍ଗା ଦେବୀଙ୍କ ସ୍ୱରୂପ ହିଁ ଥିଲା ।