ଋଷି ହେଲେ ଜଟା ଛିଣ୍ଡେଇବ
ଋଷି ହେଲେ ଜଟା ଛିଣ୍ଡେଇବ


ବଡ଼ ମାଉସୀ ଛନ୍ଦାର ଚିଠି ଖଣ୍ଡିକୁ ପାଇ ଭାରି ଖୁସି ହେଇଗଲେ. ସେ ମନେ ମନେ ଭାବିଲେ, ଯାହାହେଉ ଗୋଟିଏ ଗୁଳିରେ ଦୁଇଟା ଶିକାର ହେଇଗଲା.ମୋ ବୋହୂ କେମିତି ଆଧୁନିକ ରୋଷେଇ କରିବା ସହିତ ନୂଆ ନୂଆ ଆଇଟମ ଜଳଖିଆ ତିଆରି ଉଦ୍ଭାବନ କରିପାରେ, ସେ କଥାକୁ କେବଳ ଛନ୍ଦା ନୁହେଁ, ବରଂ ଶୌର୍ଯ୍ୟ ବି ଜାଣି ପାରିଲା. ଏବେ ଟୋକା ନିଜ ଗାଲକୁ ଚାପଡ଼ ମାରି ହେଉଥିବ.ଠିକ ସମୟରେ ଛନ୍ଦାକୁ ଚେଙ୍କଦେଇ କହିପାରିବ- ତମରି ଭଳି ସିଏ ତ ପାଠ ପଢୁଥିଲା, ତା' ସଂଗେ ସଂଗେ ଏତେ ପ୍ରକାର ରୋଷେଇ ପ୍ରସ୍ତୁତ ପ୍ରଣାଳୀ କଥା କେମିତି ଶିଖି ପାରିଲା ? ତୁମେ ଘରେ ବସି କ'ଣ କରୁଥିଲ ? ନା' କୋଉ ଟୋକା ସାଙ୍ଗରେ ମୋଟର ସାଇକେଲରେ ବସି ବୁଲୁଥିଲ ? ସତରେ, ଭାରି ମଜାହେବ. ଯାହାହେଉ, ମୋ ଔଷଧ ତାକୁ ଠିକ କାଟୁ କରିଛି.ଆଜି ତାକୁ ଆଉ ଗୋଟାଏ ନୂଆ ଆଇଟମ ବିଷୟରେ ଲେଖି ତା' ପାଖକୁ ପଠାଇବାକୁ ହେବ.
ଏମିତି ଭାବୁଭାବୁ ସେ ଆଲମାରୀ ପାଖକୁ ଯାଇ ଆଧୁନିକ ରୋଷେଇ ଶିକ୍ଷା ବହି ଖୋଜି ବାହାର କଲେ.ସେଥିରୁ ବାଛି ବାଛି ମାଛ କୋରମା ପ୍ରସ୍ତୁତ ପ୍ରଣାଳୀକୁ ଭଲକରି ପଢ଼ିନେଲେ.କାଗଜ କଲମ ବାହାର କରି ଛନ୍ଦା ଉଦ୍ଦେଶ୍ୟରେ ଚିଠି ଲେଖି ବସିଲେ.
ସ୍ନେହର ମା' ଛନ୍ଦା ! ଶୌର୍ଯ୍ୟକୁ ମୋର କଲ୍ୟାଣ ଜଣାଇବୁ. ତୋ ଚିଠି ପାଇ ମୁଁ ବହୁତ ଖୁସିହେଲି.ମୋ ବୋହୂ ଉଦ୍ଭାବନ କରିଥିବା ନୂଆ ଆଇଟମକୁ ତୁ ତିଆରି କରି ସଫଳ ହେଲୁ, ସେଥିପାଇଁ ମୁଁ ସତରେ ବହୁତ ଖୁସିହେଲି.ତୁ ତ ଆଗରୁ କିଛି ରୋଷେଇ କାମ ଜାଣି ନ ଥିଲୁ, ଏମିତି ମୁଁ ତୋତେ ଚିଠିରେ ଗୋଟିଏ ଗୋଟିଏ ନୂଆ ଆଇଟମ ତିଆରି କରିବା ଶିଖେଇଦେବି.ତୁ ବ୍ୟସ୍ତ ହେବୁନାହିଁ.ତୋ ଶାଶୂ ମୋର ସାନ ଭଉଣୀ ହେଲେ କ'ଣ ହେବ, ସେ କିଛି ଭଲ ରୋଷେଇ ଜାଣେନା. ସେଥିପାଇଁ ଆଗରୁ ମୋଠାରୁ କେତେ ଗାଳି ଖାଏ. ମୋ ବୋହୂ ଏହା ଭିତରେ ଆଉ ଗୋଟାଏ ଆଇଟମ ଉଦ୍ଭାବନ କରି ସାରିଛି.ସେ ନିଜେ ପରୀକ୍ଷା କରି ମୋତେ ଚାଖିବାକୁ ଦେଇଥିଲା, ମୋତେ ତ ଭାରି ବଢ଼ିଆ ଲାଗିଲା.ଶୌର୍ଯ୍ୟକୁ ବି ଭଲ ଲାଗିବ.ପୂରା ନୂଆ ଆଇଟମ, ଏମିତି ଆଗରୁ କେହି କେବେ କରି ନ ଥିବେ.ମୋ ବୋହୂ ବହୁତ ଦିନ ଧରି ଗବେଷଣା କରି ଏ' ଆଇଟମକୁ ବାହାର କରିଛି.ଏକଥା ଶୌର୍ଯ୍ୟକୁ ବି କହିଦେବୁ.ତିଆରି କରି ସାରି ମୋତେ ପୁଣି ଚି଼ଠିରେ ଜଣାଇବୁ.ହଉ ଶୁଣ, ଏହି ମାଛ କୋରମା ତିଆରି କରିବା ପାଇଁ କି କି ସାମଗ୍ରୀ ଯୋଗାଡ଼ କରିବାକୁ ହେବ, ସେକଥା ମୁଁ ଆଗ ତୋତେ କହୁଛି, ମନେ ରଖିବୁ.
ମାଛ କୋରମା ତିଆରି କରିବା ପାଇଁ ଦରକାର ହେବ-ଦୁଇଜଣକ ପାଇଁ ପାଞ୍ଚଶହ ଗ୍ରାମ ମାଛ, ତିନି ଚାରି ଚାମଚ ଦହି, ଲମ୍ଵାଲମ୍ଵା କଟା ଯାଇଥିବା ଗୋଟିଏ ପିଆଜ, ଅଦା-ରସୁଣ ପେଷ୍ଟ ଦୁଇ-ତିନି ଚାମଚ, ଅଧା ଚାମଚ ଲଙ୍କାଗୁଣ୍ଡ, ଦୁଇଟା ଗୋଟା ଡାଲଚିନି, ତିନି ଚାରିଟା ଲବଙ୍ଗ, ଗୋଟାଏ ତେଜପତ୍ର, ଅଳ୍ପ କଟା ଧନିଆ ପତ୍ର, ଅଳ୍ପ ତେଲ, ଆଉ ଲୁଣ ଦରକାର ଅନୁସାରେ ଯୋଗାଡ଼ କରି ପାଖରେ ରଖିବୁ. ତାପରେ କେମିତି ରାନ୍ଧିବୁ ସେକଥା ଏବେ କହୁଛି-ସାବଧାନ ହେଇ ଶୁଣିନେ, ମନେରଖି ସେହି ଅନୁସାରେ ମାଛ କୋରମା ତିଆରି କରିବୁ. ଆଗ ମାଛରେ ଲୁଣ ଆଉ ହଳଦୀ ଗୋଳେଇ ଅଳ୍ପ ଭାଜି ରଖିବୁ. ମନେ ରଖିବୁ ମାଛ ଯେମିତି ଲାଲହେଇ ନ ଯାଏ.ଏବେ କଡ଼େଇରେ ତେଲକୁ ଗରମ କରି, ସେଥିରେ କଟା ପିଆଜକୁ ପକେଇ ଭାଜିବୁ. ପିଆଜ ଭାଜି ହେଇଗଲା ପରେ ସେଥିରେ ଗୋଟା ଡାଲଚିନି, ଲବଙ୍ଗ ଆଉ ତେଜପତ୍ରକୁ ପକେଇ ଟିକେ ଭାଜିବୁ.ତାପରେ ଅଦା
-ରସୁଣ ପେଷ୍ଟ ପକେଇ କସିବୁ.ଏବେ ସେହି ମସଲାରେ ଭଜାମାଛକୁ ପକେଇ ଟିକେ ଓଲଟ ପାଲଟ କରିଦେବୁ. ପାଖରେ ରଖିଥିବା ଦହିକୁ ଭଲ ଭାବରେ ଫେଣ୍ଟି ସାରି ମାଛ କଡ଼େଇରେ ଢାଳିଦେବୁ.କିଛି ସମୟ ତାକୁ ଟିକେ ଗୋଳେଇ ଘାଣ୍ଟିଦେବୁ.ଫୁଟିଗଲା ପରେ ତାକୁ ଓହ୍ଲେଇ ପକେଇ ତା' ଉପରେ କଟା ଧନିଆ ପତ୍ରକୁ ଛିଞ୍ଚିଦେଇ ଖାଇବାକୁ ଦେବୁ. ଦେଖିବୁ ବହୁତ ବଢ଼ିଆ ଲାଗିବ.ତୋର ସାହି ପଡ଼ିଶାଙ୍କୁ ମଧ୍ୟ କହିଦେବୁ, ମୋ ବୋହୂ ମାନେ ମୋ ବଡ଼ ଯାଆ ଏଇ ଆଇଟମକୁ ଉଦ୍ଭାବନ କରିଛି.ସେମାନେ ବି ଏମିତି ତିଆରି କରି ମାଛ କୋରମା ମଜାରେ ଖାଇ ପାରିବେ. ତୋ ଶାଶୁକୁ ମୁଁ ଏଇଠି ତିଆରି କରିବା ଶିଖେଇ ଦେବି.ମନେ ରହିଲା ? ତୁ ମାଛ କୋରମା ତିଆରି କରି ଆଗ ମୋ ଶୌର୍ଯ୍ୟକୁ ଚଖେଇବୁ. ହଉ, ମୁଁ ତୋ ଚି଼ଠିକୁ ଅନେଇଁ ରହିଲି. ଇତି,ତୋର ବଡ଼ ମାଉସୀ.
ମାଉସୀଙ୍କ ଚିଠି ପାଇବା ଆଗରୁ ଛନ୍ଦାର ମାଆ ଡାକରେ ପଠେଇଥିବା ଆଧୁନିକ ରୋଷେଇ ଶିକ୍ଷା ବହି ଖଣ୍ଡେ ମିଳି ଯାଇଥିଲା. ଶୌର୍ଯ୍ୟ ଅଫିସକୁ ଚାଲିଯିବା ପରେ ଛନ୍ଦା ସେ ବହିଟିକୁ ଆମୂଳ ଚୂଳ ପଢ଼ି ନେଇଥିଲା.ସେଥିରୁ ଅଧିକାଂଶ ଆଇଟମ ସେ ନିଜେ ତିଆରି କରି ସାରିଥିଲା.ତେଣୁ ସେ ସବୁ ପ୍ରସ୍ତୁତ ପ୍ରଣାଳୀ ଗୁଡ଼ିକ ତାକୁ ଏତେକଷ୍ଟ ଜଣା ପଡ଼ି ନଥିଲା.ମାଉସୀଙ୍କ ଚିଠି ପାଇ ଛନ୍ଦା ସେ ନୂଆ ଆଇଟମ ମାଛ କୋରମା ତିଆରି ପ୍ରଣାଳୀ ଆଉ ଆବଶ୍ୟକ ଜିନିଷ ଗୁଡ଼ିକୁ ପଢୁ ପଢୁ ସେ ବହିକୁ କାଢ଼ି ତା' ସହିତ ମିଳେଇ ଦେଖିଲା.ସବୁ ସମାନ ଲେଖା ଯାଇଛି.ଟିକିଏ ବି ଫରକ ନାହିଁ.ସେ ମାଉସୀଙ୍କର ମିଛ କଥାକୁ ଅତି ସହଜରେ ଧରି ପାରିଲା.ସେ ଭାବୁଥିଲା-ଏଇ ବହିରୁ ସେ କପିକରି ମିଛରେ ମୋ ବୋହୂ ଏ' ସବୁ ଆଇଟମକୁ ଉଦ୍ଭାବନ କରିଛି ବୋଲି ବାରାମ୍ବାର ଲେଖିଛନ୍ତି.ଏମିତି କରି ସେ କି' ଲାଭ ପାଉଛନ୍ତି କେଜାଣି ? ଛାଡ଼, ଏମିତି ଢଙ୍ଗର ମଣିଷ କେତେ ଅଛନ୍ତି, ଆଗକୁ ବି ରହିବେ.ସେ ମିଛ କହି ଯଦି ଖୁସି ହେଉଛନ୍ତି, ହଉ ଥାଆନ୍ତୁ,କିନ୍ତୁ ଏସବୁ ତ ଦିନେ ନା ଦିନେ ଧରା ପଡ଼ିବ, ସେକଥାକୁ କାହିଁକି ଭାବିପାରୁ ନାହାନ୍ତି ? ମୁଁ ତ କେବେ ତାଙ୍କୁ ରୋଷେଇ ଶିଖେଇ ଦେବାକୁ ଅନୁରୋଧ କରିନାହିଁ! ବିଚିତ୍ର ଲାଗୁଥିଲା ଏ' ମାଉସୀଙ୍କ ଚରିତ୍ର. ବିନା କାରଣରେ ସେ ମୋ ପଛରେ ପଡ଼ି ଯାଇଛନ୍ତି.ସେଥିରେ ଯଦି ସେ ଆନନ୍ଦ ପାଉଛନ୍ତି, ପାଆନ୍ତୁ,ମୁଁ ଆଉ ଉତ୍ତର ନଦେଲେ ଗଲା.
ଅଫିସରୁ ଫେରି ଶୋର୍ଯ୍ୟ ସବୁକଥା ଶୁଣି ବହୁତ ସମୟ ଧରି ଭାବିଲା ପରେ କହିଲେ କଥାଟିଏ ଅଛି ଋଷି ହୋଇଥିଲେ ଜଟା ଛିଣ୍ଡେଇ ପକାନ୍ତାଣି. ବଡ଼ମାଉସୀ ବୋଲି କିଛି ନକହି ପାରି ମୋର କେବଳ ଯୋଗୀ ହୋଇଯିବାକୁ ମନ କହୁଛି. ଛନ୍ଦା କହୁଥିଲେ ତୁମରି ପରାମର୍ଶ ନେଇ ଚିଠି ଲେଖିବାକୁ ବାଧ୍ୟ ହୋଇଥିଲି. ତୁମେ ହିଁ କହିଥିଲ ତାଙ୍କ ପୂର୍ବ ଚିଠିର ଉତ୍ତର ଲେଖିକି ଦେବାକୁ. ଯାହା ହେଲେ ସେ ଗୁରୁଜନ ଉତ୍ତର ନଦେଲେ କଣ ଭାବିବେ କହିବାରୁ ତାଙ୍କ ପୂର୍ବ ରୋଷେଇ ଆଇଟମର ଖୁବ ପ୍ରଶଂସା କରି ଲେଖିବା ସହ ପୂର୍ବରୁ ମୁଁ ସେ ଆଇଟମ ଶିଖିଥିଲେ ମଧ୍ୟ ତାଙ୍କଠୁଁ ପ୍ରଥମ ଶିଖିଲି ବୋଲି ମିଛ ଲେଖି ବଡ଼ ମାଉସୀଙ୍କୁ ସନ୍ତୁଷ୍ଟ କରିବା ଅର୍ଥ କଣ ତୁମେ ଯୋଗୀ ହେବ!ତେବେ ମୁଁ କରିବି କଣ? ସେହି ବଡ଼ ମାଉସୀ ହିଁ କହିବେ ମୋ ପାଇଁ ତୁମେ ଯୋଗୀ ହେଲ ବୋଲି. ଛନ୍ଦା କଥା ଶୁଣି ଶୌର୍ଯ୍ୟ ଏମିତି ହସିଥିଲା ଡ଼ିସେମ୍ବର ମାସର ଅଦିନିଆ ବର୍ଷା ଶବ୍ଦକୁ ଟପି ଯାଉଥିଲା ସେ ଶବ୍ଦ ଯେମିତି.