ଯୋଗୀ ଓ ଯୋଗିଆଣୀ
ଯୋଗୀ ଓ ଯୋଗିଆଣୀ


ଫାଇଲ ପତ୍ର ସଜାଡି ରଖୁଥିଲେ ସ୍ମିତା ଓ ମନେ ପକାଉଥିଲେ ବାପାଙ୍କ କଥା, ବାପାଙ୍କ ସ୍ବପ୍ନ ସେ ପୂରଣ କରିପାରିଛନ୍ତି, ବାପା ବ୍ଲକ ତହସିଲରେ ଚାକିରୀ କରୁଥିଲେ ତ ବିଭିର୍ଣ୍ଣ ବ୍ଲକ ତହସିଲ ରେ କ୍ୱାଟର ପାଇ ସପରିବାରେ ରହୁଥିଲେ, ସ୍ମିତା କଲେଜରେ ପଢ଼ନ୍ତି ନିଜ ଜନ୍ମ ସହର ପୁରୀରେ, ତ କେବେ ବାଣପୁର, କେଵେ ଓଡଗାଁରେ ଥାନ୍ତି ବାପା ବୋଉ ଭାଇ ଭଉଣୀ. ଆଉ ସ୍ମିତା ପୁରୀରୁ ଚପଳା ବସରେ ଯିବା ଆସିବା କରନ୍ତି ଅନେକ ସମୟରେ ଘରକୁ ଅର୍ଥାତ ବାପା ମାଆ ଭାଇ ଭଉଣୀ ରହୁଥିବା କ୍ୱାର୍ଟରକୁ.
କଲେଜର ଶେଷ ବର୍ଷଠୁ ଆରମ୍ଭକରି ସେ ଗ୍ରାଯୁଏଟ ହେବା ବେଳକୁ ବାପା ବଦଳି ହୋଇ ବେଗୁନିଆ ବ୍ଲକରେ ତ ପୁରୀରୁ ସେହି ଚିହ୍ନା ଜଣା ଚପଳା ବସରେ ଯିବା ଆସିବା ଲାଗିରହିଥାଏ ସ୍ମିତା ଙ୍କର, କଲେଜ ରୁ ସାଟିଫିକେଟ ହେଉ ବା କାର୍ତ୍ତିକ ମାସରେ ପୁରୀରେ ରହୁଥିବା ଜେଜେମା ଓ ଆଇଙ୍କ ପାଖକୁ ଯିବାକୁ ଅସୁବିଧା ନଥାଏ, ତ ତାଙ୍କ ଦ୍ୱାରା କେତେକ ଘରୋଇ କାମ ବି ହୋଇଯାଏ, ହେଲେ ସେଥର! ଚପଳା ବସରେ ଉଠିବା ଅସମ୍ଭବ, ତଳୁ ଟିକେଟଟି କରାଇ ଶେଷ ଗନ୍ତବ୍ୟ ସ୍ଥଳ ଯାଏଁ ଯାଉଥିବା ଯାତ୍ରୀଙ୍କ ପାଇଁ ଆଗ ସିଟ, ତା ପରେ ଅନ୍ୟ ମାନଙ୍କ କଥା, ଚିହ୍ନା ଜଣା କଣ୍ଡକ୍ଟର ଭାଇ ଦେଖାଯାଉ ନାହାଁନ୍ତି, ତ ଟିକେଟଟିଏ କରିବାପାଇଁ ଭିଡ ଭିତରକୁ ଯାଇ ହେଉନି, ହଠାତ ସୁଦର୍ଶନ ଯୁବକ ଜଣେ କୋଉଠିକୁ ଯିବେ ପଚାରି ଟିକେଟ କରି ଆଣିଥିଲେ, ଏବଂ ପଇସା ବି ନେଲେ ନାହିଁ, ସିଟ ବି ଥିଲା ତାଙ୍କ ପାର୍ଶ୍ୱରେ, ଜିନିଷ ପତ୍ର ବସ ଉପରେ ରଖାରଖି କରିଦେବାରେ ବି ସାହାଯ୍ୟ କରିଥିଲେ. ପାଖାପାଖି ବସିଥିଲେ ବି ପଦେ ବି ଅନ୍ୟ କିଛି ପଚାରି ନଥିଲେ, କିନ୍ତୁ ହଠାତ ଭୋଗ ପ୍ୟାକେଟଟି ଖସି ପଡିଥିଲା ଆମ ଦୁହିଁଙ୍କ ମଝିରେ, ତ, ପୁରୀ ଖଜା ଜଗନ୍ନାଥବଲ୍ଲଭ ର ନିଆରା ସ୍ୱାଦ ଓ ମହିମା କହି, ଆପଣଙ୍କର ତ ବୋଲି ଥରେ ପଚାରି, ରଖିଦେଇଥିଲେ ଉପରକୁ, କିଛିବି କହି ପାରି ନଥିଲେ ସ୍ମିତା.ବେଗୁନିଆରେ ଓଲ୍ହେଇଲା ବେଳେ ଅସମ୍ଭବ ଭିଡ କାଟି ତଳକୁ ଆସିବାରେ ସାହାଯ୍ୟ କରି ଜିନିଷପତ୍ର ବଢାଇ ବି ଦେଇଥିଲେ, ଆଉ ହାତ ହଲେଇ ବିଦାୟ ଦେଉଥିଲେ ବି ନିଜେ ସେ ବୟସରେ ହାତ ହଲେଇ ପ୍ରତ୍ୟୁତ୍ତର ଟିକେ ଦେବାକୁ ବି ଲାଜ ମାଡ଼ିଥିଲା ସ୍ମିତାଙ୍କୁ.ବାପା ଅପେକ୍ଷା କରିଥିଲେ ତଳେ, କିନ୍ତୁ ତା ପରଠୁ କେବଳ ସେଇ ମୁଁହ ଦିଶୁଥିଲା ସ୍ମିତାଙ୍କୁ, ନିଜ ଜାଣନ୍ତେ ବା ଅଜଣାନ୍ତେ, ଟିକେଟ ପଇସା ନଦେଇ ପାରିବାର କ୍ଷୋଭ ବି ବିଚଳିତ କରୁଥିଲା ଅନେକ ଥର.
ବାହାଘର ପାଇଁ ଯେତେ ଯିଏ ଭଲ ପ୍ରସ୍ତାବ ଆଣିଲେ ବି ମନା କରିଦିଅନ୍ତି ସ୍ମିତା, ସେହି ଶୁଦର୍ଶନ ଯୁବକଙ୍କ କଥା ମନେ ପଡେ, ପୁଣି ଦୀର୍ଘ ନିଶ୍ୱାସଟିଏ ବାହାରି ଆସେ, ବାପାଙ୍କ ପ୍ରେରଣାରେ ସେ ଆଜି ବ୍ଲକରେ କିରାଣୀ ଚାକିରୀଟିଏ ପାଇ ଯାଇଛନ୍ତି ଆଉ କଲେକ୍ଟରଙ୍କ ଇନିସପେକ୍ସନ ଥିବାରୁ ଯତ୍ନବାନ ହେଉଛନ୍ତି ସତ ହେଲେ ଜୀଵନ ଲାଗୁଛି ଯୋଗିଟିଏ ପରି. ମନେଅଛି ପିଲ
ାଦିନେ ଯୋଗୀଙ୍କ କେନ୍ଦେରା ଗୀତ ଶୁଣିଲେ ହିଁ ତାଙ୍କ ଧ୍ୟାନ ଭଗ୍ନ ହୁଏ ନହେଲେ ଖାଇବା ଥାଳି ପାଖରେ ମଧ୍ୟ ବହି ଧରି ବସିରହି ପଢିବା ଅଭ୍ୟାସରେ ବୋଉ ସିନା ବିରକ୍ତ ହୁଏ ହେଲେ ବାପା ହସିଦିଅନ୍ତି ଏମିତି ସତେ କି ପାଇଛନ୍ତି ହୀରା କି ମୋତି. ଧଡ଼ପଡ଼ ହେଲେ ସ୍ମିତା ଇନ୍ସପେକ୍ସନ ପାଇଁ .
ନିର୍ଦିଷ୍ଟ ସମୟରେ ସବୁ କାଗଜ ପତ୍ର ଦେଖେଇସାରିବା ପରେ, କୌଣସି ଅରଜେଣ୍ଟ ଫାଇଲ ନେଇ ସେ ନିଜେ ଯିବାକୁ ପଡ଼ିଛିତ ଚମକି ପଡିଛନ୍ତି.ସେ ଏତେ ଦିନ ଧରି ଯାହାକୁ ଖୋଜୁଥିଲେ, ଯାହାଙ୍କୁ ଆଉ ଜୀବନରେ ପାଇପାରିବେନି ଭାବି ଆଖିରୁ ଲୁହ ଗଡାଉଥିଲେ, ଆଜି ସେହି ସୁଦର୍ଶନ ଯୁବକ କଲେକ୍ଟର ରୂପରେ ତାଙ୍କ ସମ୍ମୁଖରେ.ଭାରସାମ୍ୟ ରଖୁ ରଖୁ ସବୁ ପ୍ରଶ୍ନର ଉତ୍ତର ଦେଇ ସାରିବା ପରେ କଲେକ୍ଟର ଯେବେ ଆପଣଙ୍କୁ କୋଉଠି ଦେଖିଲା ଭଳି ମନେହେଉଛି କହିଥିଲେ, ଭୂମିରୁ ମାଟି ଖସିଗଲା ଭଳି ଲାଗିଥିଲା ସ୍ମିତାଙ୍କୁ.ଘରେ ପହଁଚିଲା ପରେ ବୋଉ ଯୋଗୀବାବାଙ୍କୁ ଡକାଇ ଖୁଆଇ ପିଆଇ ତାଙ୍କଠାରୁ କେନ୍ଦେରା ଗୀତ ଶୁଣୁଥିଲା ଆଉ ସ୍ମିତାଙ୍କ ଜାତକ ଦେଖାଇ ପଚାରୁଥିଲା ଦେଖିଲେ ବାବା ଆମ ଝିଅ କଣ ଯୋଗିଆଣୀ ହେବ କି!
ସମସ୍ତଙ୍କୁ ଚମତ୍କୃତ କରି ଏଥର ଆସିଥିବା ପ୍ରସ୍ତାବରେ ସ୍ମିତା ରାଜି ହୋଇଯାଇଥିଲେ, ସେ ଜାଣିସାରିଥିଲେ ସେ ତାଙ୍କ ପ୍ରଥମ ପ୍ରେମର ଠିକଣା ଯୋଉ ଭଳି ପାଇଲେ ତାହା ଆକାଶ କୁସୁମ ବା ସ୍ୱର୍ଗକୁ ନିଶୁଣି ସଦୃଶ ତେଣୁ ଅଯଥା ବାପା ମାଆଙ୍କୁ କଷ୍ଟ ନଦେଇ ରାଜି ହୋଇଗଲେ ବରପାତ୍ର ଆଗକୁ ଯିବାକୁ.ହେଲେ ବରପାତ୍ର କୁଆଡେ ତାଙ୍କୁ ଦେଖିଛନ୍ତି ବାହାରେ, ଏବଂ ସିଏ ରାଜି, ତ ବାହାଘର ହୋଇଗଲା. ବେଦୀରେ ଓଢଣା ଫାଙ୍କରୁ ବର ରୂପେ ସେହି କଲେକ୍ଟର ମହାଶୟ ଅର୍ଥାତ ତାଙ୍କ ପ୍ରଥମ ପ୍ରେମର ଠିକଣା ପାଇ ଚେତା ଶୁନ୍ୟ ହେଇ ପଡ଼ିଥିଲେ ସ୍ମିତା.ପ୍ରଥମ ଦେଖାରେ ସ୍ୱାମୀ ଯେବେ କହିଥିଲେ ସେଦିନ ପୁରୀ ଖଜା ଦିଟା ଦେଇନଥିଲ, ଆଜି ପୁରୀ ଯିବା ଚାଲ ଅବଢ଼ା ଖାଇବା ତ ଚମତ୍କୃତ ସ୍ମିତାଙ୍କ ଆଖିରେ ଆନନ୍ଦାଶ୍ରୁ.ପୁଣି ସେ ଲାଜେଇ ଯାଇଥିଲେ ସ୍ୱାମୀ ଯେବେ ଅବଢ଼ା କିନ୍ତୁ ତମେ ଖୁଆଇବ କହୁଥିଲେ.ବିଦା ବେଳେ ବୋଉ କହୁଥିଲା ଏଇ ଯୋଗୀ ବର ପାଇଁ ଯୋଗିଆଣୀ ହୋଇ ଗଡ଼ଉଥିଲୁ କି ବାର ଝିଅ ମୋର. କାନ୍ଦ ଭିତରେ ହସ ଝରିପଡିଥିଲା ସ୍ମିତାଙ୍କର ଠିକ ଆଜି ପରି. ସ୍ୱାମୀ ନେଇଯାଇଥିଲେ ସ୍ମିତାଙ୍କୁ ଜଗନ୍ନାଥ ଦର୍ଶନକୁ ଠିକ ନବବର୍ଷରେ ଆଉ ଓଢଣ ଲାଗି ଠାକୁରମାନଙ୍କୁ ଦେଖି ସ୍ୱାମୀ ଯେବେ କହୁଥିଲେ ଯୋଗୀ ଠାକୁର ତ ସ୍ମିତା କହୁଥିଲେ ଚୁପ ଚୁପ, ଠାକୁରଙ୍କୁ ନୂଆବର୍ଷରେ ଯୋଗୀ କହିବା ଉଚିତ ନୁହେଁ.ସ୍ୱାମୀ କହୁଥିଲେ ନୂଆବର୍ଷରେ ଠାକୁରଙ୍କ ଯୋଗୀବେଶ ଭାରି ସୁନ୍ଦର ପରା. ସ୍ମିତା କହୁଥିଲେ ହଁ ଠିକ ତୁମରି ପରି ତ ଦୁହେଁ ହସିଥିଲେ ଖୁବ. ନନା ତୁଳସୀ ପତ୍ର ଦେଉଥିଲେ ତ ଧ୍ୟାନ ଭାଙ୍ଗିଥିଲା ଦୁହିଁଙ୍କର. ନବବର୍ଷରେ ବଡ଼ମନ୍ଦିରରେ ଅବଢ଼ା ଖାଇ ଓ ନେଇ ଫେରିଥିଲେ ଦୁହେଁ ପୁରୀରୁ ଯୋଗୀ ଯୋଗିଆଣୀ ବେଶରେ.