ଅନ୍ଧ ଥରେ ଲହୁଡି ହଜାଏ
ଅନ୍ଧ ଥରେ ଲହୁଡି ହଜାଏ


ମାଆ ଚାଲିଗଲା ପରେ ବାପା ଯେତିକି ଅସହାୟବୋଧ କଲେ.ପୁଅ ବିପ୍ଳବ ତା ଠାରୁ ଦୁଇଗୁଣା ବିବ୍ରତବୋଧ କରୁଥିଲା, କାରଣ ଏଇ ଏଇ ତାର ଦିଭୋର୍ସ ହୋଇଥିଲା ସାଗରୀକା ସହ ତ ବାପା ଏକୁଟିଆ ଗାଁରେ କେମିତି ଚଳିବେ ଭାବି ବ୍ୟସ୍ତ ହୋଇପଡ଼ିଲା ବେଳେ ତାଙ୍କ ନିଜ ଜାତିର ଗୋଟେ ଅଳ୍ପ ଶିକ୍ଷିତ ଝିଅ ବାପାଙ୍କ ଦେଖାଶୁଣା ପାଇଁ ମିଳିଗଲା. ତାକୁ ଚିଠି ଲେଖିବା ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ଚଳେଇ ଆସୁଥିଲା ଏବଂ ସମସ୍ତ ଆଧୁନିକ ଉପକରଣର ବ୍ୟବହାର ମଧ୍ୟ ଜଣା ଥିଲା. ତେଣୁ ନିର୍ଦୋନ୍ଦରେ ବିପ୍ଳପ ତା ସରକାରୀ କ୍ଵାଟରକୁ ଫେରିଗଲା ପରେ ସେହି ଝିଅଟି ରିତାଠାରୁ ହ୍ୱାଟ୍ସ ଆପ ଓ ମେସେଜ ଇତ୍ୟାଦି ରୁ ଅଳ୍ପ ଖର୍ଚ୍ଚ ଓ ଅଳ୍ପ ସମୟ ମଧ୍ୟରେ ସବୁ ଖବର ପାଇଯାଉଥିଲା ବିପ୍ଳବ. ଏଡ଼େ ଚଳ ଚଞ୍ଚଳ ବାପାଙ୍କର ମାଆ ଚାଲିଯିବା ପରେ ପରେ ହଠାତ ପାରାଲିସିସ ପେସେଣ୍ଟ ହୋଇଯିବେ ଭାବି ପାରୁନଥିଲା ବିପ୍ଳବ. ତା ବାହାଘର ଖୋଜିବାକୁ ଯାଇ ମାଆ ଓ ବାପା କେତେ ବ୍ୟସ୍ତ ହୋଇପଡୁଥିଲେ ସେଦିନ ସବୁ ଗୋଟି ଗୋଟି ମନେ ପଡି ଯାଉଥିଲା ବିପ୍ଳବର.ବାପା ପରମାନନ୍ଦ ବାବୁ ତାଙ୍କ ପୁଅ ବିପ୍ଳବର ବାହାଘର ପାଇଁ କେତେ ଯେ ପରିଶ୍ରମ କରିଥିଲେ, ତା'ର ହିସାବ ନାହିଁ. କାରଣ, ଆଜିକାଲି ସବୁଦିଗରୁ ଭଲଥିବା ଝିଅଟିଏ ପାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା ନିଜ ଜାତିର ସୁନ୍ଦରୀ ଝିଅଟି ପାଇବା ବେଳକୁ ତା'ର ପାରିବାରିକ ସଂସ୍କାର ନାହିଁ. କାହାର ଶିକ୍ଷା ଦୀକ୍ଷା ପୁଅ ସହିତ ମେଳ ଖାଉନାହିଁ ତ ପୁଣି କେଉଁଠି ଝିଅ ଡେଙ୍ଗୀ ହେଇଯାଉଛି. ସେଇମିତି କେଉଁ ଝିଅ ସବୁ ଠିକ ଠାକ ଜଣା ପଡୁଥିବା ବେଳେ ସେ ମୋଟୀ ହେଇଥିବାରୁ ପସନ୍ଦ ହେଉନାହିଁ.
କେଉଁଠି ପରମାନନ୍ଦ ବାବୁଙ୍କ ମନକୁ ପାଇଗଲେ କ'ଣ ହେବ ? ପତ୍ନୀଙ୍କ ମନକୁ ପାଉନାହିଁ. ଶିକ୍ଷା, ସଂସ୍କାର, ରଙ୍ଗ, ଉଚ୍ଚତା, ଜାତି, ଜାତକ ପୁଣି ସମକକ୍ଷ ବନ୍ଧୁ ଏ'ସବୁକୁ ଖୋଜୁ ଖୋଜୁ ତାଙ୍କର ତିନିବର୍ଷ ବିତିଗଲା. ଏହା ଭିତରେ ପରମାନନ୍ଦ ବାବୁ ବ୍ୟସ୍ତହେଇ କେତେଜଣ ମଧ୍ୟସ୍ଥିଙ୍କର ଶରଣ ପଶିଥିଲେ.ହଜାର ହଜାର ଟଙ୍କା ଗସ୍ତଖର୍ଚ୍ଚ ବାବଦକୁ ଅଗ୍ରିମ ଦେଇ ନିରାଶ ହେଇସାରିଲେଣି. ମଧ୍ୟସ୍ଥି ଥରକୁ ଥର ବିଭିନ୍ନ ସୁନ୍ଦରୀଙ୍କ ଫଟୋ ଦେଖାଇ କେତେ କ'ଣ ମିଛ-ସତ କହି ଘରୁ ଟଙ୍କା ନେଇ ସାରିଛନ୍ତି, କିନ୍ତୁ ଫଳ କିଛିନାହିଁ. ସେ ଫଟୋକୁ ଧରି କ୍ଷେତ୍ର ଉପରେ ଦେଖିବା ବେଳକୁ ସେ ଫଟୋ ସହିତ ଝିଅର cଚେହେରା ମିଶୁନାହିଁ.ବେଙ୍ଗ ପାଟିରେ ଘିଅ ଢାଳିବା ପରି ସେ ଟଙ୍କା ଅଯଥାରେ ଯାଇଛି. କେହି କେହି କହିଲେ-ଆପଣ ଏତେ ଖୋଜି ହେଉଛନ୍ତି କ'ଣ ପାଇଁ ? ଆଜିକାଲି ନେଟ ମାଧ୍ୟମରେ ଅନେକ ଝିଅ ମିଳୁଛନ୍ତି. ଖବରକାଗଜରେ ବିଜ୍ଞାପନଟିଏ ଦେଇ ଘର ବସି ଯାଆନ୍ତୁ. ଝିଅଘର ଲୋକେ ଆସି ଆପଣଙ୍କ ଘରେ ପହଞ୍ଚିବେ.
ତାଙ୍କକଥା ମାନି ସେ ତିନି-ଚାରିଟା ଖବରକାଗଜରେ ଦୁଇ ହଜାର ଟଙ୍କା ଲେଖାଦେଇ ବିଜ୍ଞାପନ ବି ଦେଇଥିଲେ. ସେଥିରୁ ଯାହା ଫଳ ମିଳିଲା, ସେଥିରେ ପରମାନନ୍ଦ ବାବୁଙ୍କ ଅକଲ ଗୁଡୁମ ହେଇଗଲା. ସେ ଗୁମର କଥାକୁ ଆଉ କେବେ କାହାରି ଆଗରେ ପ୍ରକାଶ କରି ପାରନ୍ତି ନାହିଁ. ବିପ୍ଳବର ମାମୁଁ ଥରେ ଘରକୁ ଆସି ପରାମର୍ଶ ଦେଲେ- ମାଟ୍ରିମୋନିରେ ନାଁ' ରେଜିଷ୍ଟ୍ରେସନ କରିଦେବା. କମ୍ପାନୀ ଉପଯୁକ୍ତ ମ୍ୟାଚିଙ୍ଗ ଝିଅ ଠିକ କରିଦେବ । ଥରେ ମାତ୍ର ତିନି ହଜାର ଟଙ୍କା ସେଇଠି ଦେବାକୁ ପଡ଼ିବ.ତାଙ୍କ କଥାରେ ପରମାନନ୍ଦ ବାବୁ ରାଜି ହେଇଥିଲେ. ସେ କାମକୁ ନିଜେ ବିପ୍ଳବର ମାମୁଁ କରିଦେଇଥିଲେ.ସତକୁ ସତ ଶହଶହ ସଂଖ୍ୟାରେ ଯୋଗ୍ୟ ଝିଅଙ୍କ ବାୟୋଡ଼ାଟା ସହ ଫଟୋ ଆସିଲା. ସେମାନେ ସବୁ ସିନେମା ହୀରୋଇନ ଭଳି ଦେଖା ଯାଉଥିଲେ. କିଏ କେତେ ରକମର ଛଇ ଛଟକ କରି ଫଟୋ ଉଠେଇଛନ୍ତି. ଯେଉଁ କେତେଜଣଙ୍କର ଫଟୋ ମନକୁ ପାଇଲା, ତାଙ୍କ ଘର ସହିତ ଯୋଗାଯୋଗ ବି କରାଗଲା, କିନ୍ତୁ ସେଥିରୁ କେଉଁ ଗୋଟାଏ ପ୍ରସ୍ତାବ ବି ମନକୁ ପାଇଲା ନାହିଁ. କିଏ କହିଲା-ଆମ ଝିଅ ଭୁବନେଶ୍ୱରରେ ହିଁ ରହିବ ତ ଆଉ କିଏ କହିଲା-ସେ ବାହା ହେଲେ ବି ଚାକିରି ଛାଡ଼ିବ ନାହିଁ. ପୁଣି କିଏ କହିଲା- ଆପଣଙ୍କୁ ପରେ ଜଣାଇବୁ.ଏ'ସବୁ କଥା ଶୁଣିଶୁଣି ପରମାନନ୍ଦ ବାବୁଙ୍କ ମୁଣ୍ଡ ବିଗିଡ଼ି ଗଲା. ସତରେ ସେ ଏକ ପ୍ରକାର ହାର ମାନିଗଲେ, ଗୁମମାରି ବସି ପଡ଼ି ଭାବୁଥିଲେ- ଏ' ଯୁଗ ଆସି କୋଉଠି ପହଞ୍ଚିଲାଣି ? ଆମ ସମୟରେ ଝିଅ ଘର ଲୋକ ବରପାତ୍ର ପାଇଁ ବୁଲିବୁଲି ଥକି ପଡୁଥିଲେ. ବରଘର ଲୋକେ ଗୋଡ଼ ଲମ୍ବେଇ ଘରେ ବସି ରହୁଥିଲେ. ମାସକୁ ଦୁଇ ଚାରିଟା ଲେଖାଁ ପ୍ରସ୍ତାବ ଆସୁଥିଲା. ଧନୀଘର ଝିଅର ବାପା ଆସି ପୁଅ ବାପା ପାଖରେ ଗୋଡ଼ ଭାଙ୍ଗି ଠିଆ ହେଉଥିଲେ. ଯାହା ଇଚ୍ଛା କରିବେ, ସବୁ ଜିନିଷ ଦେବାକୁ ଆଗତୁରା ପ୍ରତିଶ୍ରୁତି ଦେଉଥିଲେ. ଗରିବ ଘରେ ଥିବା ପ୍ରତିଭାବାନ ସୁନ୍ଦରୀ ଝିଅର ବାପା-ମାଆ ବର ଘରଲୋକଙ୍କୁ ଦେବତା ଭଳି ସମ୍ମାନ ଦେଇ କହୁଥିଲେ- ଆମେ ଝିଅ ଦେବୁ, ଆମେ ତମର ବାଡ଼ି କାନିସିରିକୁ ସରି ନୁହଁ. ବରଘର ଲୋକଙ୍କ ଆଗରେ ହାତଯୋଡ଼ି ଠିଆ ହେଉଥିଲେ.ବାହାଘର ବେଳେ ସମୁଦୀ ହାତକୁ ଧରି ଝିଅର ବାପା ଅନୁନୟ ବିନୟ ହେଇ କହୁଥିଲେ- "ଧନ ତ ଦେଇ ପାରିଲିନି, ମାନ ବି ଦେଇ ପାରିଲିନି.କନ୍ୟାରତ୍ନ ଦେଇ ଶରଣ ପଶିଲି, ସମୁଦୀ ମୋ ଦୋଷ ଧରିବନି। ଝିଅର ଦଶ-ଦୋଷକୁ କ୍ଷମା କରିଦେବ ".
ଏବେ ସବୁ ବଦଳି ଯାଇଛି. ପୁଅଘର ଲୋକେ ଝିଅ ଖୋଜି ଖୋଜି ପୁଅ ବୁଢାହେଇ ଯାଉଛନ୍ତି. ଛାଡ଼ ସେକଥା, ସତରେ ମୁଁ ଆଉ ପାରିବିନି ବିପ୍ଳବ ନିଜେ ସେ ତା' ପାଇଁ ଝିଅ ଯୋଗାଡ଼ କରୁ ଶୁଣେଇ ଦେଇଥିଲେ ବାପା.ନିଜର ଅସହାୟତା ପ୍ରକାଶ କରିକହିଦେଲେ ମାଆକୁ ତମେ ପୁଅକୁ ଆଜି ଫୋନରେ କହିଦିଅ- ଜାତି, ଧର୍ମ, ବର୍ଣ୍ଣ, ଶିକ୍ଷା, ରଙ୍ଗ, ଭାଷା, ବୟସ ଓ ଯୌତୁକ ନିର୍ବିଶେଷରେ ସେ ତା' ନିଜ ପସନ୍ଦର ଝିଅ ଠିକ କରୁ. ଆମର କୌଣସି ପ୍ରକାର ପ୍ରତିବାଦ ରହିବ ନାହିଁ.ଆମେ ଯାଇ ଆନନ୍ଦରେ ତାକୁ ବୋହୂକରି ଘରକୁ ନେଇ ଆସିବୁ. ଆରେ, ବାପରେ ବାପ ! ମୁଁ ସାରା ଜୀବନରେ ଯେତିକି ପରିଶ୍ରମ କରିଥିଲି, ଏଇ ଝିଅ ଖୋଜା କାମରେ ତା' ଠାରୁ ଅଧିକ ପରିଶ୍ରମ ମୁଁ କରି ସାରିଲିଣି. ମୁଁ ଆଉ ସେ ଧନ୍ଦା ପାରିବି ନାହିଁ. ପରମାନନ୍ଦ ବାବୁ ସହଜରେ ହାରିଯିବା ମଣିଷ ନୁହଁନ୍ତି. ତାଙ୍କ ଜୀବନରେ ସେ କେତେ ବାହାଘର କରି ସାରିଛନ୍ତି.କେତେ ବରପତ୍ର ଓସ୍ତପତ୍ର ଯୋଡ଼ିବା କାମ ବି କରିଛନ୍ତି,କିନ୍ତୁ ନିଜପୁଅ ବେଳକୁ ସେ ହାଲିଆହେଇ ପଡ଼ିଛନ୍ତି. ବୁଢ଼ା ବୟସରେ ସେ କେତେ ଆଉ ବୁଲିବେ ? ତାଙ୍କ ମୁହଁରୁ ଏମିତି ଅସହାୟତା କଥା ଶୁଣି ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଲେ. ନିଜ ତରଫରୁ ସେ ତାଙ୍କର ସାଙ୍ଗ-ସାଥି, ବନ୍ଧୁ ବା
ନ୍ଧବଙ୍କ ଜରିଆରେ ଭଲ ଆଉ ଉପଯୁକ୍ତ ଝିଅଟି ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଠିକ ସମୟରେ କେହି ଧରାଛୁଆଁ ଦେଲେନାହିଁ.ଏଣେ ପୁଅର ବୟସ ବଢ଼ି ବଢ଼ି ଯାଉଛି.ପୁଅର ସାଙ୍ଗମାନେ କେବେଠାରୁ ବାହା-ଚୋରାହେଇ ସାରିଲେଣି. ତା' ଠାରୁ ବର୍ଷେ ସାନ ମୋ ଅପାର ପୁଅ ମଣ୍ଟୁ ବାହାହେଇ ଦୁଇଟା ପିଲାର ବାପାହେଇ ସାରିଲାଣି ବୋଲି କହି ସ୍ତ୍ରୀ ବ୍ୟସ୍ତ ହୋଇ ପଡୁଥିଲେ.ମୋ ପୁଅର କ'ଣ ବାହା ହେବାକୁ ଇଚ୍ଛା ହେଉ ନ ଥିବ ! ଏମିତି କେତେ ଚିନ୍ତା କରି କରି ସେ ମନରେ ସାହସ ବାନ୍ଧି ପୁଅକୁ ସବୁ କଥା ଶୁଣେଇଦେଲେ.ସେପଟରୁ ବିପ୍ଳବ କହିଲା- ମାଆ ! ମୁଁ ଜାଣେ ବାପା ଥକି ପଡ଼ିଲେଣି.ତାଙ୍କୁ ଆଉ କୁଆଡ଼େ ପଠେଇବା ଦରକାର ନାହିଁ.ମୋର ବାହା ଯୋଗ ବୋଧହୁଏ ଖୋଲିନାହିଁ, ତମେ ବ୍ୟସ୍ତ ହୁଅନାହିଁ.ଯେତେବେଳେ ଭଲ ପ୍ରସ୍ତାବ ଆସିବ, ତମେ ସେତେବେଳେ ବାହାଘର କଥା ଚିନ୍ତା କରିବ.ତମେ ମୋତେ ଜନ୍ମ ଦେଇଛ, ମଣିଷ କରିବା ଉଦ୍ଦେଶ୍ୟରେ ସବୁ ପ୍ରକାର ତ୍ୟାଗ ମୋ ପାଇଁ କରି ସାରିଛ.ତେଣୁ ତମ ପସନ୍ଦର ଝିଅକୁ ହିଁ ମୁଁ ବାହାହେବି.ମୁଁ କେବେ କୌଣସି ଝିଅ ସମ୍ପର୍କରେ ଆସି ନାହିଁ କି, ମୋତେ ଭଲପାଇ ଆସେ ନାହିଁ.ଝିଅ ମନୋନୀତ କରିବା ତମର ଅଧିକାର.ମୁଁ ସେଭଳି କାମ କେବେ କରିବି ନାହିଁ ବୋଲି ସ୍ଥିର କରିଛି.ତମର ଅଧିକାରକୁ ମୁଁ ଛଡ଼େଇ ନେବା ଭଳି କାମ କରି ପାରିବି ନାହିଁ.ପୁଅର ମନଖୋଲା କଥାଶୁଣି ବିପ୍ଳବର ବାପା-ମାଆ ଦୁହେଁ ଜୋକ ମୁହଁରେ ଲୁଣ ଦେବାପରି ମୁହଁ ଗୁଞ୍ଜି ଚୁପ ରହିବାକୁ ବାଧ୍ୟ ହେଇଥିଲେ.
ଦିନେ ହଠାତ ପରମାନନ୍ଦ ବାବୁଙ୍କ ମନରେ ଥିବା ଅସହାୟତାର ଅନ୍ଧକାର ଭିତରେ ଆଶାର କ୍ଷୀଣ ଆଲୋକ ରେଖା ଦେଖାଦେଲା.ପଡ଼ିଶାରେ ରହୁଥିବା ଲେଙ୍କା ବାବୁଙ୍କ ପତ୍ନୀ କହୁ କହୁ କହିପକାଇଲେ- ମୋ ବଡ଼ ଭାଇଙ୍କର ସାଗରୀକା ନାମରେ ଗୋଟିଏ ସୁନ୍ଦରୀ ଝିଅ ଅଛି, ସେ ଇଂଜିନିୟରିଂ ପାସ କରି ଘରେ ରହିଛି. ଆଜିଯାଏ ଚାକିରି କରିନାହିଁ, ତା' ଫଟୋ ମୋ ପାଖରେ ଅଛି. କହିବେ ଯଦି ବିପ୍ଳବ ପାଇଁ ପ୍ରସ୍ତାବ ପକେଇବି, କିନ୍ତୁ ଗୋଟିଏ କଥା-ମୋ ଭାଇର ଆର୍ଥିକ ଅବସ୍ଥା ଭଲନାହିଁ.ପିଲାଙ୍କ ପାଠ ପଢ଼ାରେ ସବୁ ସଞ୍ଚିତ ଅର୍ଥ ଶେଷ କରି ଦେଇଛନ୍ତି. ତେଣୁ ସେ ଯୌତୁକ ସେମିତି ବେଶି କିଛି ଦେଇପାରିବେ ନାହିଁ. ମୁଁ ଜୋରଦେଇ ଏତିକି କହି ପାରିବି ଯେ, ସାଗରୀକା ସବୁ ଦିଗରୁ ବିପ୍ଳବ ପାଇଁ ଉପଯୁକ୍ତ ହେବ. ବିନା ଯୌତୁକରେ ଯଦି ଆପଣ ରାଜିହେବେ, ତେବେ ମୁଁ କଥା ପକେଇବି.ପରମାନନ୍ଦ ବାବୁ ତ କେବେ ଯୌତୁକ ଅର୍ଥ ପାଇଁ ଲାଳାୟିତ ନ ଥିଲେ. ସେ ସଂଗେ ସଂଗେ କହିଲେ- ଆମେ ଯୌତୁକ ବାବଦକୁ କିଛି ଦାବି କରିବୁ ନାହିଁ, କେବଳ ଝିଅଟି ମନକୁ ପାଇଲେ ହେଲା.ତାଙ୍କର ପତ୍ନୀ ବି ସେହି କଥାରେ ରାଜି ହେଇଗଲେ.ସେ ଜାଣନ୍ତି ବିପ୍ଲବ ମଧ୍ୟ କୌଣସି ପ୍ରକାର ଯୌତୁକ ଆଣିବାକୁ ବିରୋଧ କରେ.ସେତିକି କଥାରୁ ପ୍ରସ୍ତାବ ପକ୍କା ହେଇଗଲା. ଝିଅ ଦେଖିବାକୁ ପରମାନନ୍ଦ ବାବୁ ତାଙ୍କ ପତ୍ନୀଙ୍କ ସହିତ ସାଗରୀକା ବାପାଙ୍କ ଘରକୁ ଯାଇଥିଲେ. ସେମାନେ ସେଠାରେ ଝିଅକୁ ଦେଖି ଖୁସି ହେଇଗଲେ.ତାଙ୍କର ପୁଅପାଇଁ ଏହି ଝିଅଟି ହିଁ ଜନ୍ମ ହେଇଛି ବୋଲି ସେ ଅନୁଭବ କରିନେଲେ.ଝିଅର ମାଆ ନମ୍ରତା ସହିତ କହିଲେ-ମୋ ଝିଅ ଏଇବର୍ଷ ପାଠପଢ଼ା ଶେଷ କରିଛି.ରୋଷେଇ ବାସ, ଘରକାମ ଭଲକରି ଜାଣିନାହିଁ.ତା'ର ଦୋଷ ଦୁର୍ବଳତା କଥା, ଆଗରୁ ମୁଁ ଆପଣମାନଙ୍କୁ ଜଣେଇ ଦେବାକୁ ଉଚିତ ମନେ କରୁଛି.ତାଙ୍କ କଥାଶୁଣି ପରମାନନ୍ଦ ବାବୁ କହିଲେ-ଏଇ ଝିଅଟି ଆମ ମନକୁ ପସନ୍ଦ ହେଇଛି.ଜାନୀ-ଯୌତୁକ ଆମର କିଛି ଦରକାର ନାହିଁ.ମୋ ସ୍ତ୍ରୀ ରୋଷେଇ ବାସ କାମରେ ନିପୁଣା.ଆମ ଘରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ସେ ନିଜେ ପ୍ରସ୍ତୁତ କରନ୍ତି.ଏପରିକି ପିଠା-ପଣା, ମିଠା, ଆଧୁନିକ ଜଳଖିଆ ସବୁ ଆମଘରେ ତିଆରି ହୁଏ.ମୋ ବୋହୂ ଟିକେ ଆଗ୍ରହ ପ୍ରକାଶ କଲେ, ତାଙ୍କଠାରୁ ସବୁ କିଛି ଅତି ସହଜରେ କମଦିନ ଭିତରେ ଶିଖିଯାଇ ପାରିବ, ସେ କଥା ଚିନ୍ତା କରନ୍ତୁ ନାହିଁ. ଆମେ ଆମ ବୋହୂକୁ ସବୁ ଶିଖେଇ ଦେବୁ. ଆମେ ଠିକ କରିଛୁ, ଆଗାମୀ ତିଥିରେ ବାହାଘର କାମ ଶେଷ କରିଦେଇ ପୁଅ-ବୋହୁଙ୍କୁ ବାଙ୍ଗାଲୁରୁ ପଠେଇ ଦେବୁ.
ସତକୁ ସତ ଅତି ଅଳ୍ପକଥାରେ ବିନା ମଧ୍ୟସ୍ଥିରେ ଏତେ ସୁନ୍ଦର ପ୍ରସ୍ତାବଟା ବାହାଘରରେ ପରିଣତ ହେଇଯିବ, ସେକଥାକୁ ପରମାନନ୍ଦ ବାବୁ କେବେ ବିଶ୍ୱାସ କରି ପାରୁ ନ ଥିଲେ.ବୋଧହୁଏ, ବାହାଯୋଗ ପୁଅ-ଝିଅଙ୍କର ଖୋଲି ଯାଇଥିଲେ, ଶୁଭକାର୍ଯ୍ୟ ସହଜରେ ହେଇଯାଏ.ତାହା ହିଁ ହେଲା, ଧୁମଧାମରେ ବିପ୍ଳବ ସହିତ ସାଗରୀକାର ବାହାଘର ହେଇଗଲା ସତ ହେଲେ ବାହାଘର ପରେ ସାଗରୀକାର ଅସଲ ଚେହେରା ପ୍ରକାଟିତ ହୋଇଥିଲା. ଶାଶୁ ଶଶୁରଙ୍କୁ ମରହଟ୍ଟୀ ଓ ଗାଉଁଲି କହିବା ସହ କିଛି କାମ ନକରି ଅୟସ ଆରାମ କରିବା ସହ ବିପ୍ଳବ ସଙ୍ଗେ ଯିବାକୁ ଭାରିଲା. ସାରୁ ଭିତରେ ମାରୁ ଥିଲା ବୋଲି ବୁଝିବା ବେଳକୁ ନେଡିଗୁଡ଼ କହୁଣୀକୁ ବୋହି ସାରିଥିଲା. ଶେଷରେ ବିପ୍ଳବ ଛାଡ଼ପତ୍ର ନୋଟିସ ପଠାଇଥିଲା ବାପାଙ୍କ ଘରେ ରହୁଥିବା ସାଗରିକାକୁ ତ ବିନା ଯୌତୁକରେ ବାହା ହୋଇ ଆସିଥିବା ଝିଅ ତା ଯୌତୁକ ଜିନିଷ ପତ୍ର ସହ ଭରଣ ପୋଷଣ ଦାବୀ କରି କୋର୍ଟ କରିବା ଖବରରେ ମାଆ ଖାଲି ଶଯ୍ୟାଶାୟୀ ହେଲନାହିଁ ବରଂ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ଓ ତା ପରେ ପରେ ବାପାଙ୍କ ପରାଲିସିସ ପରି ଦୁର୍ଦ୍ଦିନରେ ବିପ୍ଳବକୁ ଧର୍ଯ୍ୟ ଦେଉଥିଲା ସେଇ ଝିଅଟି. ଯିଏ ଅନାଥ ଓ ଗରୀବ ଥିଲେ ମଧ୍ୟ ଲୋଭୀ ନଥିଲା. ବାପାଙ୍କ ମେଡ଼ିସିନ ସବୁ ନେଟରେ ମଗେଇ ନିଜ ଦରମା ପଇସାରୁ ଦେଇଦେବା ସହ ଖବର କାଗଜ ସବୁରେ ବାହାରିଥିବା ସମ୍ପାଦକୀୟ ପୃଷ୍ଠାର ଭଲ ଭଲ କଥା ପରମାନନ୍ଦବାବୁଙ୍କୁ ଶୁଣେଇଲା ବେଳେ ସମାଜରେ ପୁରୁଷ ଲୋକ ମାନେ ଆଜ଼ିକାଲି କେମିତି ପାରିବାରିକ ଶୋଷଣର ଶୀକାର ହେଉଛନ୍ତି ସେ ବିଷୟରେ ପଢିବା ସହ କହୁଥିଲା ନାରୀ ନିର୍ଯ୍ୟାତନା ପାଇଁ ସବୁ ପ୍ରକାର ଆଇନ ପ୍ରଣୟନ ହୋଇସାରିବା ପରେ ନାରୀ ଆଜି ଆଇନର ଆଶ୍ରୟ ନେଇ ପୁରୁଷକୁ ଲୁଣ୍ଠନ କରିବାକୁ ପଛାଉନି, ଏମିତିକି ନିର୍ଯ୍ୟାତନା ଦେବାକୁ ମଧ୍ୟ. ସେଦିନ କୋର୍ଟ ରେ ସବୁ ଫଇସଲା ହେଇଯିବା ପରେ ବିପ୍ଳବ ବାପାଙ୍କ ପାଖକୁ ଆସିଥାଏ. ବାପାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲେ ମଧ୍ୟ ଝିଅ ରୀତା ତା କର୍ତ୍ତବ୍ୟରେ ହେଳା କରିନଥାଏ. ବାବୁଙ୍କ ବିନା ମୁଁ ବଞ୍ଚିପାରିବିନି ବିପ୍ଳବବାବୁ କହି କାନ୍ଦୁଥିବା ଝିଅଟିର ହାତ ବିପ୍ଳବ ହାତରେ ଦେଇ ପରମାନନ୍ଦବାବୁ କହିଲେ ଅନ୍ଧ ଥରେ ଲହୁଡି ହଜାଏ ବାରମ୍ବାର ନୁହେଁ. ଏ ଝିଅ ଖାଲି ଝିଅ ନୁହେଁ ବରଂ ପରୀଟିଏ ଆମ ଅଗଣାର. ଏହାରି ହାତ ଧରି ବାଟ ଚାଲିଲେ ଆଉ ଝୁଣ୍ଟିବୁନି କେବେ ଜୀବନରେ.ବାପା ଚାଲିଯାଇଥିଲେ.ରୀତାକୁ ସ୍ତ୍ରୀ ରୂପେ ଗ୍ରହଣ କରି ବିପ୍ଳବ ବାପା କହିଥିବା କଥାର ସତ୍ୟତା କେତେ?ଉପଲବ୍ଧି କରୁଥିଲେ.