Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Prasant Kumar Senapati

Romance Thriller


4.8  

Prasant Kumar Senapati

Romance Thriller


ଦୁଇଟି ନିରବ ହୃଦୟର ପ୍ରେମ କାହାଣୀ

ଦୁଇଟି ନିରବ ହୃଦୟର ପ୍ରେମ କାହାଣୀ

13 mins 1.0K 13 mins 1.0K

ହଠାତ୍ ଏପରି ସୋନାଲି ସହ ଦେଖାହୋଇଯିବ କେବେ ବି ଭାବିନଥିଲା ଅଜୟ । ଶେଷଥର ପାଇଁ ସେ ତାକୁ ୬ବର୍ଷ ତଳେ ଭେଟିଥିଲା। ଏତେ ବର୍ଷର ଦୂରତା ମଧ୍ୟରେ କିଛି ବଦଳି ନଥିଲା ସୋନାଲି । ସେଦିନ ସେ ସାଲୁଆର କମିଜ୍ ପିନ୍ଧି କଲେଜ୍ ଆସୁଥିଲା କିନ୍ତୁ ଆଜି ସାଢି ପିନ୍ଧି ଆସିଛି । ସେ ଆଜି ବହୁତ ସୁନ୍ଦର ଦେଖାଯାଉଥିଲା । ଅଜୟ ଭାବିଲା ସୋନାଲି ପାଖକୁ ଯାଇ ଟିକିଏ ଭଲମନ୍ଦ କଥା ହେବ ଓ ଏହି ବାହାନାରେ ଜାଣିପାରିବ ତାର ବାହାଘର ହୋଇଛି କି ନାହିଁ । କିନ୍ତୁ ତାର ପୁର୍ବକଥା ମନେ ପଡିଯିବାରୁ ପାଦ ଦୁଇଟି ଆପେଆପେ ଅଟକିଗଲା । ସେଦିନ ପୁରା କଲେଜଟି ସୋନାଲିମୟ ଲାଗୁଥିଲା ଅଜୟକୁ । ବସିଲେ ଖାଇଲେ ଓ ଶୋଇଲେ ତାକୁ ସୋନାଲିର ମୁହଁ ଦେଖାଯାଉଥିଲା । ସେଦିନ ଥିଲା ସୋନାଲିର ବାର୍ଥଡେ । ବାର୍ଥଡେ ଗିଫ୍ଟ ସହ ନିଜ ମନର ଭାଷାକୁ ଲେଖି ଏକାନ୍ତରେ ସୋନାଲି ହାତକୁ ବଢାଇଥିଲେ ଅଜୟ । ଅପେକ୍ଷା କରିଥିଲା ସୋନାଲିର ପ୍ରତିକ୍ରିୟା କୁ । କିନ୍ତୁ ସୋନାଲି ଥରୁଟିଏ ଖୋଲି ପଢିଲା ନାହିଁ । ସିଧା ସିଧା ଫେରାଇ ଦେଇ କହିଥିଲା, ମୁଁ ଜାଣେ ତୁମେ ଏଥିରେ କଣ ଲେଖିଥିବ । ତୁମେ ମୋତେ ବହୁତ ଭଲପାଅ । ମୋ ବିନା ତୁମେ ବଞ୍ଚି ପାରିବନି । ଶୁଣ ସେ ପ୍ରେମ ପରି ଫାଲ୍ତୁ କାମ ପାଇଁ ମୋ ପାଖରେ ସମୟ ନାହିଁ । ଯଦି ତୁମେ ମୋତେ ପ୍ରକୃତରେ ଭଲ ପାଉଛ ମୋ ସାମନାକୁ କେବେ ବି ଆସିବନି । ଏହି କଥା କହିବା ସମୟରେ ତାର ମୁହଁ ଲାଲ୍ ପଡିଯାଇଥିଲା । ସେସବୁ ଘଟଣା ଅତୀତ । କିନ୍ତୁ ଏବେ ସୋନାଲି ତାର ପ୍ରତିଦ୍ବନ୍ଦି । କଲେଜରେ ଖୋଲିଥିବା ଅଧ୍ୟାପକ ପୋଷ୍ଟ ପାଇଁ ଦୁହେଁ ଆସିଛନ୍ତି ଇଣ୍ଟରଭିଉ ଦେବାକୁ ।

ଇଣ୍ଟରଭିଉ ଦେବା ପରେ କଲେଜ କତୃପକ୍ଷ ଫଳାଫଳ ଜଣାଇଥିଲେ । ସୋନାଲି ଅଧ୍ୟାପକ ପଦ ପାଇଁ ସିଲେକ୍ଟ ହୋଇଥିଲା । ଆଜିବି ସୋନାଲି ନିକଟରୁ ହାରିଯାଇଥିଲା ଅଜୟ । ସେ ହାରିଯାଇଥିଲା ବୋଲି ଯେତିକି ଦୁଃଖି ନଥିଲା ଅଧିକ ଖୁସି ହୋଇଥିଲା ସୋନାଲି ସିଲେକ୍ଟ ହୋଇଛି । କୁହାଯାଏ ଯୁଦ୍ଧ ଓ ପ୍ରେମରେ ସବୁକିଛି ସମ୍ଭବ । ଫରକ ଏତିକି ଯେ ଯୁଦ୍ଧରେ ଅନ୍ୟକୁ ପରାସ୍ତ କରି ବିଜୟ ପ୍ରାପ୍ତି ହୁଏ ପ୍ରେମରେ ଅନ୍ୟଠାରୁ ପରାସ୍ତ ହୋଇ ମଧ୍ୟ ବିଜୟ ଅନୁଭବ କରିହୁଏ । ସେଥିିପାଇଁ ତ ସେ ଜାଣି ଶୁଣି ଈଣ୍ଟରଭିଉରେ ଭୁଲ୍ ଉତ୍ତର ଦେଇଥିଲା । ଶେଷଥର ପାଇଁ ସୋନାଲିକୁ ଅଭିନନ୍ଦନ ଜଣାଇବା ପାଇଁ ଯାଇଥିଲା ଅଜୟ । କଙ୍ଗ୍ରାଚୁଲେସନ ସୋନାଲି ।

ହସିଲା ସୋନାଲି । ଠିକ୍ ସେହି ହସ, ଯେଉଁ ହସ ଦିନେ ପାଗଳ କରିଥିଲା ଅଜୟକୁ । ସୋନାଲି ହସି ହସି କହିଥିଲା ମୁଁ ଅଧିକ ଖୁସି ହୋଇଥାନ୍ତି ଯଦି ତୁମେ ସିଲେକ୍ଟ ହୋଇଥାନ୍ତ । ଏତିକି କହି ଚାଲିଯାଉଥିଲା ସୋନାଲି । ଅଜୟ ତାକୁ ପଛରୁ ଚାହିଁ ରହିଥିଲା ଓ ମନେ ମନେ ଭାବୁଥିଲା ତେବେ ସୋନାଲି କଣ ତାକୁ ବି ଭଲ ପାଉଛି ?

ସୋନାଲିର ସେହି ପଦିଏ କଥା ବାରମ୍ବାର ଅଜୟର ହୃଦୟକୁ ଦୋହଲାଇ ଦେଉଥିଲା । ଅଜୟ ବୁଝିପାରୁନଥିଲା ସୋନାଲି ଏବେ ତାକୁ ଭଲପାଇ ବସିନି ତ ? ତାର ମନେପଡିଗଲା କିଛି ପୁର୍ବ ସ୍ମୃତି । କଲେଜକୁ ନୂଆ ହୋଇ ଆସିଥିଲା ସୋନାଲି । ଯୁକ୍ତ ତିନ୍ କଳାରେ ଆଡମିଶନ କରିଥିଲା । ତାର ବାପା ଜଣେ ସରକାରି ଚାକିରିଆ ଥିଲେ । ବାପାଙ୍କ ବଦଳି ଯୋଗୁଁ ତାକୁ ତାର ପୁରୁଣା କଲେଜ୍ ଛାଡି ଏଠାରେ ଆଡମିଶନ୍ କରିବାକୁ ପଡିଥିଲା । କଲେଜ୍ ରେ ସେ ନୂଆ ହୋଇଥିବାରୁ ତାକୁ ସମସ୍ତଙ୍କ ସହିତ ଖାପ ଖୁଆଇ ଚଳିବାକୁ ସମୟ ଲାଗିଲା । ଏକ କଲେଜ୍ ଉତ୍ସବରେ ସୋନାଲି ତାର ନାଁ ଦେଇଥିଲା ଗିତ ଗାଇବା ପାଇଁ । ମଞ୍ଚ ଉପରକୁ ଯାଇ ଏକ ଜଗନ୍ନାଥ ଭଜନ ଗାଇଲା । କିଛି ଯୁବକ ତାକୁ ଥଟ୍ଟା କରିଥିଲେ ଯେ ଆଜିର ମଡର୍ଣ୍ଣ ଯୁଗରେ ସଡନ୍ ଆଲବମ୍ ଗାଇବାକୁ କହିଥିଲେ । ହୋ ହାଲ୍ଲା ଭିତରେ ମଞ୍ଚରୁ ଫେରିଆସୁଥିବା ସୋନାଲିକୁ ଅଟକାଇ ଥିଲା ଅଜୟ । ସେ ଅନ୍ୟମାନଙ୍କୁ ପାଟି କରି ଚୁପ୍ କରିବା ପରେ ସୋନାଲିକୁ ଅନୁରୋଧ କରିଥିଲା ଗିତ ପରିବେଷଣ କରିବା ପାଇଁ । ସୋନାଲି ଗାଇଥିଲା, ଖୁବ୍ ସୁନ୍ଦର, ମନମୁଗ୍ଧକର କାଳିଆ ଭଜନ । ଉତ୍ସବ ଶେଷରେ ସୋନାଲି ପୁରଷ୍କୃତ ହୋଇଥିଲା ମନମୁଗ୍ନକର କାଳିଆ ଭଜନ ପାଇଁ । କେବଳ ସୋନାଲି ନୁହଁ ଅନ୍ୟମାନେ ବି ପୁରଷ୍କୃତ ହୋଇଥିଲେ ।

ପରଦିନ ସୋନାଲି ଅଜୟକୁ ଦେଖି ଧନ୍ୟବାଦ ଜଣାଇଲା । ପ୍ରତିବଦଳରେ ଅଜୟ ଖୁବ୍ ସୁନ୍ଦର ହସଭରା ମୁହଁରେ ତାକୁ ସ୍ବାଗତ ଜଣାଇଥିଲା । ଅଜୟ ପଚାରିଲା ଏ ଭଜନ ମୁଁ ଆଗରୁ କେବେ ଶୁଣି ନାହିଁ, ତୁମେ ଏତେ ସୁନ୍ଦର ଭଜନ କେଉଁଠୁ ପାଇଲ ? ସୋନାଲି କହିଥିଲା ମୁଁ ସମୟ ପାଇଲେ କିଛି ଲେଖାଲେଖି କରେ, ଏ ଭଜନ ମୋର ନିଜ ଲେଖା । ଅଜୟ ତାକୁ ଭବିଷ୍ୟତରେ ଅଧିକରୁ ଅଧିକ ଲେଖିବା ପାଇଁ ଉତ୍ସାହିତ କରିଥିଲା । ସେଦିନ ଠାରୁ ଦୁହିଁକ ସମ୍ପର୍କ ଭଲ ବନ୍ଧୁ ରୁପେ ଗଢିଉଠିଥିଲା । ଧୀରେ ଧୀରେ ଦୁହେଁ ସାଙ୍ଗ ହୋଇ କଲେଜ୍ ଗଲେ, ସାଙ୍ଗ ହୋଇ କଲେଜ୍ କ୍ୟାଣ୍ଟିନ୍ ରେ ମଧ୍ୟାହ୍ନ ଭୋଜନ କଲେ ଓ ସାଙ୍ଗ ହୋଇ ଲାଇବ୍ରେରିରେ ପଢିବା ନିତିଦିନିଆ ହୋଇଗଲା । ସମୟ ଗଡିବା ସହିତ ଦୁହେଁ ଦୁହିଁକୁ ଭଲ ଭାବେ ବୁଝିସାରିଥିଲେ । ସୋନାଲି ପ୍ରତ୍ୟକ ଆବଶ୍ୟକତାରେ ସେ ଅଜୟର ସାହାଯ୍ୟ ଲୋଡୁଥିଲା । କେବେ ଚେବେ ସୋନାଲି କବିତା କି ଭଜନ ଲେଖି ସାରିବା ପରେ ଅଜୟକୁ ଶୁଣାଇ କେଉଁଠି ତୃଟି ଅଛି ପଚାରେ ଓ ଅଜୟ ନିଜର ମତାମତ ଦେଇଥାଏ । ଦିନେ ଦୁହେଁ ନିରୋଳାରେ ଲାଇବ୍ରେରିରେ ବସିଥିଲେ । ସୋନାଲି ଏକ କବିତା ପଢି ଶୁଣାଇଲା । କବିତାଟି ଶୁଣି ଅଜୟ ଅଧିକ ରୋମାଞ୍ଚିତ ହୋଇଗଲା । ତାକୁ ଲାଗିଲା ସୋନାଲି ଏ କବିତା ତା ଉଦ୍ଦେଶ୍ୟରେ ଲେଖିଛି । ସେଦିନ ସେ କିଛି ନକହି କବିତାଟି ଖୁବ୍ ସୁନ୍ଦର ହୋଇଛି କହି ଚାଲିଯାଇଥିଲା ସେଠାରୁ । ସେଦିନ ଠାରୁ ଅଜୟ ମନରେ ସୋନାଲି ପ୍ରତି ଦୁର୍ବଳତା ବଢିଲା । ସେ ମନେମନେ ସୋନାଲିକୁ ଖୁବ୍ ଭଲପାଇ ବସିଲା । ଅଜୟ ଭାବିଥିଲା ସୋନାଲି ଯେବେ ଖୁସି ଥିବ, ମୁଁ ତାକୁ ଭଲ ପାଉଛି କହିବି । ତେଣୁ ସେ ସୋନାଲିର ଜନ୍ମଦିନ ଗିଫ୍ଟ ସହିତ ନିଜ ମନର ଭାଷାକୁ ଲେଖି ସୋନାଲି ହାତରେ ଧରାଇଦେଇଥିଲା । କିନ୍ତୁ ସେଦିିନ ତାର ଆଶା ଆକାକ୍ଷ୍ୟାଂକୁ ସୋନାଲି ପାଦରେ ଆଡେଇଦେଲା । ଚିଠିକୁ ଖୋଲି ପଢିବାକୁ ଚେଷ୍ଟା କରିନି ସେ । ସିଧା ସିଧା ସୋନାଲି ଅଜୟକୁ କହିଥିଲା ଯଦି ପ୍ରକୃତରେ ମୋତେ ଭଲପାଉଛ, ମୋ ଆଗକୁ ଆଉ କେବେ ଆସିବ ନାହିଁ । ବାସ୍ ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ୬ବର୍ଷ ବିତିଗଲେ ମଧ୍ୟ ଅଜୟ କେବେ ତାକୁ ଦେଖା କରିନଥିଲା କି ତାର ସାମନାକୁ ଆସିନଥିଲା । ପୁଣି ଆଜି ସୋନାଲି କଣ ପାଇଁ କହିଥିଲା ଅଜୟ ତୁମେ ଯଦି ସିଲେକ୍ଟ ହୋଇଥାନ୍ତ ମୁଁ ଅଧିକ ଖୁସି ହୋଇଥାନ୍ତି । କଣ ହୋଇପାରେ ଏହାର ଅର୍ଥ ?

ଆଜ୍ଞା ଚାଲନ୍ତୁ ଫାଟକ ବନ୍ଦ କରିବି । କଲେଜ୍ ଜଗୁଆଳିର ଡାକରେ ଅଜୟ ଫେରିଆସିଥିଲା ଭାବନା ଦୁନିଆରୁ । ସେ ନିଜ ହାତ ଘଣ୍ଟା ଦେଖିଲା, ୨ଟା ବାଜିଲାଣି । ସୋନାଲି ଏଠାରୁ ଦୁଇ ଘଣ୍ଠା ହେଲା ଯାଈସାରିଛି । କିନ୍ତୁ ଅଜୟ ଏବେ ବି ଚାହିଁ ରହିଥିଲା ସୋନାଲିର ଯିବା ବାଟକୁ । ମନେମନେ ସେ ଭାବିଲା ଆଜି କାହିଁକି ସୋନାଲି ପାଇଁ ମୋର ଏତେ ଚିନ୍ତା । ସେ ତ ମୋତେ ମନା କରିଥିଲା ତାର ସାମନାକୁ ଯିବା ପାଇଁ । ମୁଁ ଏତେ ଦୁଃଖରେ ଥାଇ ତାକୁ ଚାକିରି ଦେବା କଣ ଠିକ୍ କରିଛି ....ନାଁ ନାଁ ବୋଧେ ଭୁଲ୍ କରିଦେଲି ମୁଁ । ଗାଁରେ ମୋ ବୁଢିମା ଅନେକ ଦୁଃଖ କଷ୍ଟ ସହି ପାଠ ପଢାଇଥିଲା ତାର ବୃଦ୍ଧବସ୍ଥାରେ ସାହା ହେବା ପାଈଁ , ହେଲେ ମୁଁ ମୋ ନିଜ ଗୋଡରେ କୁରାଢି ମାରିଛି । ଏ ପ୍ରଶ୍ନର ଉତ୍ତର ତାର ମନ ଖୋଜି ପାଉନଥିଲା ସତ ହେଲେ ହୃଦୟ କହୁଥିଲା ପ୍ରେମରେ ସବୁ ସମ୍ଭବ । ତୁ ହାରି ନାହୁଁ, ତୁ ଯିତି ଯାଇଛୁ । ନିଜ ପ୍ରେମ ଭଲପାଇବା ପାଇଁ ତୁ ତ୍ୟାଗ କରିଛୁ, ତୁ ମହାନ୍ ।

ଏହି କିଛିଦିନ ଯିବା ଆସିବା ସମୟରେ ସୋନାଲି ସହିତ ଦୁଇଥର ଦେଖାହେଲିଣି । ତାର ସେହି ସୁନ୍ଦର ତେଜିଆନ ଆଖି ଦୁଇଟି ଆଜି ଅଜୟକୁ ନିରିହ ପରି ଦିଶୁଛି । ନା ଅଜୟ ତାକୁ କିଛା କହେ ନା ସୋନାଲି । ବାସ୍ ଦୁହେଁ ଦୁହିଁକୁ ଅପଲକ ନୟନରେ ଦେଖନ୍ତି । ଅଜୟକୁ ଲାଗୁଥିଲା ସୋନାଲିର ସେ ନିରିହ ଆଖି ଦୁଇଟି ତାକୁ କିଛି କହିବାକୁ ଚାହୁଁଛି । ବୋଧେ ବୁଝି ପାରୁଥିଲା ଅଜୟ ସୋନାଲି ଆଖିର ଭାଷାକୁ । କିନ୍ତୁ ଭୟ ଲାଗୁଥିଲା ତାକୁ । ଥରୁଟିଏ ନିଜ ମନର ଭାଷାକୁ ଚିଠିରେ ଲେଖି ଦେଇଥିଲା ବୋଲି ଏତେ ସୁନ୍ଦର ସମ୍ପର୍କକୁ ସେ ୬ବର୍ଷ ପାଇଁ ହଜାଇ ଦେଇଥିଲା । ନା, ନା ମୁଁ ତା ସହିତ ଏପରି କିଛି କରିବି ନାହିଁ, ଯାହାକି ମୋତେ ଆଉଥରେ ଦୂରକୁ ଠେଲିଦେବ । ମୋ ପାଇଁ ସେ ନିରିହ ଆଖିର ଭାଷା ବହୁତ୍ କିଛି । ସେ ଭାଷାକୁ ପଢି ପଢି ତାର ସ୍ମୃତିରେ ସାରା ଜୀବନ ବଞ୍ଚି ରହିବି ।

ଆଜି ସୋନାଲିର ପ୍ରଥମ ଦିନ କଲେଜ୍ ଅଧ୍ୟାପକ ରୁପେ । ଖୁବ୍ ତରତର ହୋଇ ସେ କଲେଜ୍ କୁ ବାହାରିଗଲା । ପ୍ରଥମ ଦିନର ପ୍ରଥମ ଅନୁଭୂତି ଯେତିକି ତାକୁ ରୋମାଞ୍ଚିତ କରୁଥିଲା, ଅଜୟ କଥା ଭାବି ଭାବି ସେତିକି କଷ୍ଟ ଅନୁଭବ କରୁଥିଲା । ଆଜିବି ଅଜୟ ତା ନିକଟରୁ ହାରିଯାଇଥିଲା । ଅଜୟକୁ ଚାକିରି ମିଳିଥିଲେ ସେ ଅଧିକ ଖୁସି ହୋଇଥାନ୍ତେ ।

କଲେଜ୍ ରେ ପହଞ୍ଚିବା ପରେ ସମସ୍ତ ସାଥି ଅଧ୍ୟାପକ ଓ ଅଧ୍ୟାପିକା ତାକୁ ସ୍ବାଗତ କରିଥିଲେ । କଲେଜ୍ ର ପ୍ରଥମ ଦିନ ହୋଇଥିବାରୁ ତାକୁ ବେଶି କ୍ଲାସ୍ କରିବାକୁ ପଡିନଥିଲା । ମଧ୍ୟାହ୍ନରେ ବସି କଛି ଅଧ୍ୟାପିକା ବାନ୍ଧବିଙ୍କ ସହିତ କଥା ହେବା ସମୟରେ ଜଣେ ବାନ୍ଧବି ପଚାରିଲେ ଆପଣ ଏପର୍ଯ୍ୟନ୍ତ ବିବାହ କାହିଁକି କରିନାହାନ୍ତି ?

ଏ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲା ସୋନାଲି । ସେ ତ କେବେ କାହାକୁ କହିନାହିଁ ସେ ବିବାହିତ କି ଅବିବାହିତ । ଅଧ୍ୟାପିକା ମହାଶୟା ଜାଣିଲେ କିପରି ? ସେ ପଚାରିଲା ଆପଣ କିପରି ଜାଣିଲେ ମୁଁ ବିବାହ କରିନାହିଁ ? ସୋନାଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଧ୍ୟାପିକା ମହାଶୟା କହିଲେ ଇଣ୍ଟରଭିଉରେ ଆପଣ ଯେଉଁ ବାୟୋଡାଟା ଦେଇଥିଲ, ସେଥିରେ ଅବିବାହିତ ଲେଖା ଥିଲା । ସୋନାଲି ମୁହଁରେ ଏକ ଖୁସିର ଚମକ ଖେଳିଗଲା । ତାର ମନେପଡିଗଲା ଅଜୟ ବି ତାର ବାୟୋଡାଟାରେ ବିବାହିତ କି ଅବିବାହିତ ନିଶ୍ଚୟ ଲେଖିଥିବ । ତାର ମନରେ ସୁପ୍ତ ଭଲପାଇବା ଟିକିଏ ଜାଗି ଉଠିଲା । ମନେ ମନେ ସ୍ଥିର କଲା ଯେପରି ହେଉ ଅଜୟର ବାୟୋଡାଟା ମୋତେ ଦେଖିବାକୁ ପଡିବ । ତିନିଦିନର କଠିନ ପରିଶ୍ରମ ପରେ କଲେଜ୍ କ୍ଲର୍କ ଦୀନବନ୍ଧୁ ବାବୁଙ୍କ ବିଶ୍ବାସ ପାତ୍ର ହୋଇପାରିଥିଲା । ସେ ତାଙ୍କୁ ଅନୁରୋଧ କରିଥିଲା ଅଜୟର ବାୟୋଡାଟା ଦେଖାଇବା ପାଇଁ । ଦୀନବନ୍ଧୁ ବାବୁ ଯେତେବେଳେ ତାର ହାତରେ ଅଜୟର ବାୟୋଡାଟା ଧରାଇଦେଲେ, ସେ ଅପଲକ ନୟନରେ ଚାହିଁ ରହିଥିଲା । ଏ କଣ, ଅଜୟ ବି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । କଣ ଆଜିବି ମୋତେ ଭଲ ପାଉଛନ୍ତି କି ? ଏ ପ୍ରଶ୍ନର ଉତ୍ତର ଖୋଜି ପାଇନଥିଲା ସୋନାଲି । ତାର ସମସ୍ଥ ସ୍ନାୟୁ ଚଳଚଞ୍ଚଳ ହେଲା । ସେ ନିଜ ଭବିଷ୍ୟତକୁ ଅଜୟ ହାତରେ ଟେକିଦେବ ସ୍ଥିର କଲା । ହେଲେ କିପରି ଓ କେଉଁଠି ମୁଁ ଅଜୟକୁ ପାଇବି ? ଯେଉଁ ମୁହଁରେ ତାଙ୍କୁ ଏତେ ଦୂରକୁ ଠେଲି ଦେଇଥିଲି, ଆଜି ପୁଣି କେଉଁ ମୁହଁରେ କହିବି ମୁଁ ତୁମକୁ ଭଲପାଏ ?

ବାୟୋଡାଟାରେ ଦିଆଯାଇଥିବା ଠିକଣାକୁ ସୋନାଲି ସଂଗ୍ରହ କଲା । ସେ ଠିକଣା ପୁଣି ଏହି ସହରର । ଯାହା ବି ହେଉ ମୁଁ ଅଜୟକୁ ଖୋଜିବି, ମୋ ନିଜ ଭୁଲ୍ ପାଇଁ ତାଙ୍କୁ ଶାସ୍ତି ଦେବା କଦାପି ଠିକ୍ ନୁହଁ । ମୁଁ ମୋ ଭୁଲ୍ ର ପ୍ରାୟଶ୍ଚୀତ ନିଶ୍ଚୟ କରିବି ।

ହାତରେ ଏକ କାଗଜ ଧରି କାହାକୁ ଖୋଜୁଥିଲା ସୋନାଲି । ମୁକୁତା ପରି ସୁନ୍ଦର ଦେଖାଯାଉଥିବା ମୁହଁଟି ଆଜି କଳା କାଠ ପଡିଯାଇଥିଲା । ହେଲେ କିଛି ଫରକ୍ ପଡିନଥିଲା ତାକୁ । ଅନେକ ଲୋକଙ୍କୁ ପଚାରି ପଚାରି ପହଞ୍ଚିଥିଲା ଅଜୟ ଦେଇଥିବା ଠିକଣାରେ । କଲିଂବେଲ୍ ଶଦ୍ଦରେ ଜଣେ ଯୁବକ ବାହାରକୁ ଆସି ସୋନାଲିକୁ ଦେଖି ପଚାରିଥିଲା କାହାକୁ ଖୋଜୁଛନ୍ତି ମାଡାମ ?

ସୋନାଲି ପଚାରିଥିଲା ଅଜୟ ମହାପାତ୍ର ଏଠାରେ ରୁହନ୍ତି ? ଯୁବକଟି କହିଲା କେବେ କେବେ ଇଣ୍ଟରଭିଊ କିମ୍ଭା ଅନ୍ୟ କୌଣସି କାମରେ ସହରକୁ ଆସିଲେ ଏଠାରେ ରୁହନ୍ତି । ସୋନାଲି କହିଲା ତେବେ ଏହି ୧୫ଦିନ ପୂର୍ବରୁ ଆସିଥିଲେ, ଏବେ ନାହାନ୍ତି କି ସେ ?

ଯୁବକଟି କହିଲା ଆପଣ ସୋନାଲି ମାଡାମ ନା ? ଅଜୟ କହିଥିଲା କେବେ ନା କେବେ ମୋର ଜଣେ ଅତି ନିଜର ମୋତେ ଖୋଜି ଖୋଜି ଏଠାରେ ପହଞ୍ଚିବେ । ସେ ତୁମକୁ ବହୁତ ଭଲପାଏ । ସେ କେବେ କହିନଥିଲେ ମଧ୍ୟ ମୁଁ ତାର ସାଙ୍ଗ ହିସାବରେ ଅନୁଭବ କରିଛି । କିନ୍ତୁ ସେ ଏହି ଦୁଇଦିନ ପୂର୍ବରୁ ଏଠାରୁ ରାଉଲକେଲା ଚାଲିଯାଇଛି ।

ସୋନାଲି ନିଜକୁ ସମ୍ଭାଳି ପାରିଲା ନାହିଁ, ଆଖିରୁ ତାର ଗଡି ଯାଉଥିଲା ଧାର ଧାର ଲୁହ । ସେଠାରେ ସୋନାଲିକୁ ଅଜୟ ମିଳି ନଥିଲା ସତ ମିଳିଥିଲା ଆଉ ଏକ ଠିକଣା । ମନ ଦୃଢ କଲା ସୋନାଲି । ନା ମୁଁ ଅଜୟ ଠାରୁ କେବେ ହାରିନି କି ଆଜି ହାରିବିନି । ମୋର ଗୋଟେ ଭୁଲ୍ ପାଇଁ ଯେତେ କଷ୍ଟ ହେବ ହେଉ, ଯେତେ ନୂଆ ଠିକଣା ମିଳିବ ମିଳୁ କିନ୍ତୁ ମୁଁ ନିଶ୍ଚୟ ଖୋଜି ବାହାର କରିବି । ୬ବର୍ଷ ମୋ ଠାରୁ ଦୂରେଇ ଯାଇଥିଲା, ଯାଉ ସେ କେତେ ଦୂର ଯିବ । ମୁଁ ଜିତି ଆସିଛି ଜିତିବି ମଧ୍ୟ । ନିଶ୍ଚୟ ମୁଁ ମୋ ପ୍ରେମକୁ ଖୋଜିପାଇବି ।

ସୋନାଲି ଭାବୁଥିଲା କଣ ମୋତେ ଅଜୟ କ୍ଷମା କରିବେ ନାହିଁ । ମୁଁ କଣ କରିପାରିଥାନ୍ତି, ମୁଁ ସେଦିନ ତାର ଭଲପାଇବାକୁ ଆଡେଇ ଦେଇ କିଛି ଭୁଲ୍ କରିନଥିଲି । ସେଥିରେ ମୋର କଣ ଦୋଷ ଥିଲା ?

୬ବର୍ଷ ପୂର୍ବର ଘଟଣା ତାର ମନେ ପଡିଗଲା । ସେଦିନ ସେ ରକ୍ତଦାନ ଶିବିରକୁ ରକ୍ତ ଦେବା ପାଇଁ ଯାଇଥିଲା । ସେଠାରେ ରକ୍ତ ନେବା ପୂର୍ବରୁ ପ୍ରଥମେ ପରିକ୍ଷା କରିଥିଲେ । ସେଦିନର ଘଟଣା ସୋନାଲିକୁ ବଞ୍ଚି ଥାଉ ଥାଉ ମାରିଦେଇଥିଲା । ରକ୍ତ ପରିକ୍ଷା ପରେ ଡକ୍ଟର କହିଥିଲେ ତୁମେ ଏଚ୍. ଆଇ. ଭି ପଜେଟିଭ୍ ରେ ଆକ୍ରାନ୍ତ ।

କିଛି ବୁଝିପାରିନଥିଲା ସୋନାଲି । ସେ ଏଚ୍.ଆଇ.ଭି ପରି ଏତେ ବଡ ରୋଗରେ ଆକ୍ରାନ୍ତ ହେଲା କିପରି ? ଡକ୍ଟର କହିଥିଲେ ତୁମେ ଏବେ ପ୍ରଥମ ପର୍ଯାୟରେ, ଏହାର ଚିକିତ୍ସା କଲେ ଭଲ ହୋଇପାରିବ । କିଛି ପରାମର୍ଶ ଦେଇ ରକ୍ତ ନନେଇ ଫେରାଇ ଦେଇଥିିଲେ । କିନ୍ତୁ ସୋନାଲି ଏସବୁ କଥା କହିବ କାହାକୁ ? କିଏ ବା ତାକୁ ବିଶ୍ବାସ କରିବ ? କାହାକୁ କିଛି ନକହି ଘଣ୍ଟା ଘଣ୍ଟା ଏକାନ୍ତରେ ବସି କାନ୍ଦୁଥିଲା । ସେ ବାପା ଓ ମାଙ୍କ ଏକମାତ୍ର ଅଲିଅଳି ଝିଅ ଥିଲା । ତେଣୁ ସେ ବାପା ଓ ମାଙ୍କୁ ତାର ରୋଗ ବିଷୟରେ ଜଣାଇ ଦୁଃଖ ଦେବାକୁ ଚାହୁଁନଥିଲା । ଦ୍ବତିୟତଃ ସେ ଭଲଭାବେ ଚିହ୍ନିଥିଲା ସମାଜକୁ । ଆଜି କଲି କାନ୍ଥ ବାଡରେ କାନ ଅଛି ଯଦି ଏକଥା କେହି ଶୁଣିନିଏ, ଦୁନିଆ ପ୍ରକାରର କଥା ଶୁଣିବାକୁ ମିଳିବ । କଲେଜ୍ ପଢୁଆ ଝିଅ କେଉଁ ଟୋକା ସହିତ ନଶର ପସର ହୋଇଥିବ, ନଚେତ୍ ଏପରି ସାଂଘାତିକ ଆସିଲା କେଉଁଠୁ ? ସେ ମରିବା ପାଇଁ ଯେତିକି ଡରୁନଥିଲା, ତାର ଚରିତ୍ରକୁ ନେଇ କଟୁ ମନ୍ତବ୍ୟ କୁ ଭୟ କରୁଥିଲା । ତେଣୁ ମନର କଷ୍ଟକୁ ମନରେ ରଖି ସମସ୍ତଙ୍କ ସହିତ ଖୁସିରେ ରହିବାର ଅଭିନୟ କରିଥିଲା ।

ସେ ବି ଭଲପାଉଥିଲା ଅଜୟ କୁ । ହେଲେ ଏସବୁ ଘଟଣା ପରେ କିପରି ସେ ଅଜୟକୁ ନିଜ ପ୍ରେମ ଡୋରିରେ ବାନ୍ଧି ପାରିଥାନ୍ତା ? ସେ ନିଜ ଛାତିରେ ପଥର ରଖି ଅଜୟ ଲେଖିଥିବା ଚିଠିକୁ ସିଧା ସିଧା ଫେରାଇ ଦେଇଥିଲା । ଚାହିଁଥିଲେ ସେ ଅଜୟର ପ୍ରେମ ସମ୍ପର୍କକୁ ଆଡେଇ ଦେଇ ବନ୍ଧୁତ୍ବ ସମ୍ପର୍କ ଯୋଡି ପାରିଥାନ୍ତା । କିନ୍ତୁ ଅଜୟର ପ୍ରେମ ଆଗରେ କେବେ ଯଦି ସେ ହାରିଯାଏ, ଯଦି ଭୁଲବଶଃତ ମଥା ତଳକୁ କରି ସେ ପ୍ରେମ ପାଇଁଁ ସ୍ବକୃତି ଦେଇଦିଏ, କଣ ହେବ ଅଜୟର ? ଅଜୟ ପରି ଏକ ସୁନ୍ଦର ମଣିଷ ସଂସାରର ଖୁସି ଲୁଟିବାକୁ ଯାଇ ନିଜେ ଲୁଟି ଯାଇଥାନ୍ତା । ସେଥିପାଇଁ ସେ ନିଜ ଭଲ ପାଇବାକୁ ବଳି ପକାଇଦେଇଥିଲା ଓ ଅଜୟକୁ ମନା କରିଥିଲା ତା ସାମନାକୁ ନଆସିବା ପାଇଁ । ସେଦିନ ଠାରୁ ଅଜୟ ଯାଇଛି ଯେ ଆଜି ୬ବର୍ଷ ପରେ ଦେଖା । ଅଜୟ ଅଲଗା ହେବା ପରଠାରୁ ସେ ଡକ୍ଟର କହିଥିବା କଥା ଭାବି ଭାବି ଦୁର୍ବଳ ହୋଇପଡିଲା । ମୃତ୍ୟୁର ଭୟ ସବୁ ମୁହୁର୍ତରେ ତାକୁ ଖାଇଯାଉଥିଲା ।

ଧିରେ ଧିରେ ଚିନ୍ତାଗ୍ରସ୍ଥ ହୋଇ ଶଯ୍ୟାଶାୟୀ ହେଲା ସୋନାଲି । ଶରିରରେ ଜ୍ବରର ପରିମାଣ ବଢିବାକୁ ଲାଗିଲା । ଯେଉଁଦିନ ଡକ୍ଟର କହିଥିଲେ ଜ୍ବରର କାରଣ କିଛି ଜଣାପଡୁନି, ରକ୍ତ ପରିକ୍ଷା କରିବାକୁ ପଡିବ , ସେଦିନ ସୋନାଲି ବହୁତ କାକୁତି ମିନତୀ ହୋଇଥିଲା ନିଜ ବାପା, ମା' ଓ ଡକ୍ଟରଙ୍କ ନିକଟରେ । ଯଦି ରକ୍ତ ପରିକ୍ଷା ପରେ ବାପା ଓ ମା ଜାଣିପାରିବେ ମୁଁ ଏଚ୍.ଆଇ.ଭି ରେ ଆକ୍ରାନ୍ତ, ସେ ବଞ୍ଚି ଥାଉ ଥାଉ ଦୁହେଁ ମରିଯିବେ । କିନ୍ତୁ ତାର ସମସ୍ତ କାକୁତି ମିନତୀ ବିଫଳ ହୋଇଥିଲା । ରକ୍ତ ପରିକ୍ଷା ପରେ ସୋନାଲି ଡକ୍ଟରଙ୍କୁ ଏକାନ୍ତରେ ଡାକି ପଚାରିଥିଲା ମୋ ରକ୍ତ ଏଚ୍.ଆଇ.ଭି ପଜେଟିଭ୍ ନା ? ଡକ୍ଟର ବିରକ୍ତ ହୋଇ କହିଥିଲେ ଏପରି ଲକ୍ଷଣ ତୁମ ରକ୍ତରେ କେବେ ବି ନାହିଁ ଓ ସେ ଯେଉଁ ଔଷଧ ଦେଇଥିଲେ ତତ୍କ୍ଷଣାତ ସୋନାଲି ଶୁସ୍ଥ ଅନୁଭବ କରିଥିଲା । ଏବେ ସୋନାଲି ଜାଣି ସାରିଥିଲା ସେ ସମ୍ପୁର୍ଣ୍ଣ ସୁସ୍ଥ । ରକ୍ତଦାନ ଶିବିରରେ ଯେଉଁ ରକ୍ତ ପରିକ୍ଷା କରାଯାଇଥିଲା ସେଥିରେ କୌଣସି ତ୍ରୁଟି ରହିଥିବ ସେ ନିଶ୍ଚିତ ହେଲା । ତାର ଶରୀର ପୁର୍ନର୍ବାର ଉଜ୍ବଳ ଦେଖାଗଲା । ରାତି ପାହିଲେ ସେ ଅଜୟ ପାଖକୁ ଯାଇ ସବୁ ସବୁକଥା କହି କ୍ଷମା ପ୍ରାଥନା କରିବ । ସେ ତାର ସପନର ରାଜକୁମାରକୁ ପୁଣି ଥରେ ଫେରାଇ ଆଣିବ ।

କିନ୍ତୁ ରାତି ପାହିଲା ସତ ହେଲେ ତାର ସପନର ରାଜକୁମାର ଆଉ ଫେରିନଥିଲା । ସେ ସବୁଦିନ ପାଇଁ କଲେଜ୍ ଛାଡି ଚାଲି ଯାଇଥିଲା । ଆଜି ୬ବର୍ଷ ପରେ ଆଉଥରେ ମୋ ଜୀବନକୁ ଫେରିଛି । କିନ୍ତୁ ସେ ଜାଣି ନାହିଁ ଅଜୟ ଏବେ ତାକୁ ବିବାହ କରିବ କି ନାହିଁ ? ହଠାତ୍ ସେ ଭାବନା ଦୁନିଆରୁ ଫେରି ଆସିଲା । ବସ୍ ପହଞ୍ଚି ସାରିଥିଲା ରାଉଲକେଲା ବସଷ୍ଟାଣ୍ଡରେ । ଏକ ଭୁଲ୍ ରକ୍ତ ପରିକ୍ଷା ତାର ଜୀବନରେ କିପରି କଳା ଅନ୍ଧାର ଆଣିଦେଇଥିଲା ସେ କଥା ଭାବି ଦୁଃଖ ଯେତିକି ଲାଗୁଥିଲା, ଅଧିକ ଭାବପ୍ରବଣ ହୋଇଯାଉଥିଲା ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ମଧୁର ପ୍ରେମର ମିଳନ ଆଶାରେ ।

ରାଉଲକେଲା ସହର- ହଠାତ୍ ଅଜୟ ସୋନାଲିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଆଖିରେ ଆଖିରେ ଦୁହେଁ ଦୁହିଁକୁ ଚିହ୍ନିବାକୁ ଚେଷ୍ଟା କରୁଥିଲେ । ଆଗକୁ ଆଗକୁ ମାଡି ଯାଉଥିବା ପାଦ ଦୁଇଟି ଅଟକି ଯାଇଥିଲା ସୋନାଲିର । କିଛି ସମୟ ପାଇଁ ଏକ ଶାନ୍ତ ବାତାବରଣ ଆଛାଦିତ କରିଥିଲା ସମଗ୍ର ପରିବେଶ । ସେ ଶାନ୍ତ ବାତାବରଣକୁ ଭାଙ୍ଗିଥିଲା ଦକ୍ଷିଣା ଦିଗରୁ ବହୁଥିବା ହାଲୁକାଏ ପବନ । ସୋନାଲିର ଓଢଣିଟି ହାଲୁକାଏ ପବନରେ ଉଡିଆସି ଛୁଇଁଥିଲା ଅଜୟର ଶରୀରକୁ । ଏକ ଲମ୍ବା ନିଶ୍ବାସ ନେଇଥିଲା ଅଜୟ । ଆଜି ପର୍ଯ୍ୟନ୍ତ ସୋନାଲି ଓଢଣୀର ବାସ୍ନା ତାର ମନେ ଅଛି । ଏପଟେ ସୋନାଲି ତାର ଓଢଣିକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରୁଛି କିନ୍ତୁ ସେ ବାରମ୍ବାର ବିଫଳ । ଯେପରି ଦକ୍ଷିଣା ପବନ ତା ସହିତ ଲୁଚକାଳି ଖେଳୁଛି । SORRY, ସୋନାଲି ନିଜ ଓଢଣିକୁ ଆୟତ କରୁକରୁ କହିଥିଲା । ଯେପରି ଅଜୟର ନିଦ ଭାଙ୍ଗିଗଲା ଓ ସେ ପଚାରିଲା, ତୁମେ ଏଠାରେ ? କିପରି ଅଛ ସୋନିଲି ?

ଅଜୟକୁ ଏତେ ପାଖରୁ ପାଇ ବହୁତ ଖୁସି ହୋଇଯାଇଥିଲା । ସେ ବୁଝି ପାରୁନଥିଲା କିପରି ମୁଁ ମୋ ଭୁଲ୍ ପାଇଁ କ୍ଷମା ମାଗିବି । ଅଜୟକୁ ଇମ୍ପ୍ରେସ କରିବାକୁ ଯାଇ ପଚାରିଲା "କିପରି ଦେଖାଯାଉଛି ?' ଅଜୟ ପ୍ରଶ୍ନର ଉତ୍ତର ନଦେଇ ପଚାରିଥିଲା ସୋନାଲି । ଆଗପରି ବହୁତ ସୁନ୍ଦର ଦେଖାଯାଉଛ କହିବାକୁ ଚାହୁଁଥିଲେ ବି କହିପାରିନଥିଲା ଅଜୟ ।

ଅଜୟ କହିଲା ଶୁଣ, ଏବେ ମଧ୍ୟାହ୍ନ ଭୋଜନ ସମୟ ହୋଇଯାଇଛି । ମୁଁ ଏବେ ହୋଟେଲକୁ ଖାଇବାକୁ ଯାଉଥିଲି, ଆପଣ ଆସନ୍ତୁନା । ମୁଣ୍ଡ ହଲାଇ ହଁ କହିଥିଲା ସୋନାଲି । ଦୁହେଁ ସାମନାରେ ଥିବା ଏକ ହୋଟେଲ୍ କୁ ଯାଇଥିଲେ । କିଛି ଦୁରତାର ବ୍ୟବଧାନ ରଖି ପହଞ୍ଚିଥିଲେ ଝରକା ନିକଟରେ ଥିବା ଟେବୁଲରେ । ସୋନାଲି ମେନୁ କାର୍ଡ ଅଜୟ ହାତରେ ଧରେଇ ଦେଇ ନିଜ ଅସଜଡା ବାଳକୁ ସଜାଡିଲା । ଅଜୟର ଧ୍ୟାନ ମେନୁ କାର୍ଡ ଉପରେ ଯେତିକି ଥିଲା ତା ଠାରୁ ଅଧିକ କିଛି ସୋନାଲିକୁ ସେ ଲୁଚି ଲୁଚି ଦେଖୁଥିଲା । ପୁନର୍ବାର ଅଜୟ ସୋନାଲି ହାତକୁ ମେନୁ ଦେଇ କହିଲା ତୁମେ ଅର୍ଡର ଦିଅ । ଓ୍ବେଟର ଆସି ପହଞ୍ଚିଯାଇଥିଲା ଓ ଅର୍ଡର ଉଦ୍ଦେଶ୍ୟରେ ଅପେକ୍ଷ୍ୟା କରିଥିଲା । ସୋନାଲି କହିଥିଲା ଡାଲି, ମାଛ, ପନିର ଓ ପାପଡ, ବାସ୍ ଏତିକି ଯଥେଷ୍ଟ । ଓ୍ବେଟର ଯିବା ପରେ ସୋନାଲି ପଚାରିଥିଲା ତୁମେ ଆଜି ବି କଣ ପୂର୍ବ ପରି ଶାନ୍ତ ଓ ନିରବ ରହୁଛ ? ଅଜୟ ନିଜ ମନୋଭାବକୁ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ କହିଥିଲା ଏବେ ବି ମୋ ପସନ୍ଦର ଖାଦ୍ୟ ତୁମର ମନେ ଅଛି ?

ସୋନାଲି କହିଲା କେତେ ବଦଳି ଯାଇଛ ତୁମେ ? କଣ ଆଜି ବି ଝିଅମାନେ ତୁମ ପ୍ରେମର ସାନିଧ୍ୟ ପାଇବା ପାଇଁ ପଛରେ ପଡୁଛନ୍ତି ?

ହଁ, ବହୁତ ଝିଅ ମୋ ପାଇଁ ସାରା ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ତୁମ ପରି କେହି ନୁହନ୍ତି । କେବଳ ତୁମେ ଥିଲ ମୋ ପାଇଁ ସବୁକିଛି ହେଲେ ତୁମେ ବୁଝିଲ ନାହିଁ ।

ତୁମେ ମୋତେ ବୁଝାଇଲ କେତେବେଳେ ଯେ ମୁଁ ବୁଝିଥାନ୍ତି । ସୋନାଲି କହିଥିଲା - କେବେ ବି ମୁହଁ ଖୋଲି କିଛି କହିଲ ନାହିଁ ।

କ'ଣ ମୁହଁ ଖୋଲି କହିବା ନିହାତି ଆବଶ୍ୟକ । ମୋ ଚିଠିର ଭାଷା କଣ ତୁମେ ବୁଝି ପାରିଲ ନାହିଁ । ଇତିମଧ୍ୟରେ ଓ୍ବେଟର ଆସି ସେମାନଙ୍କ ନିରବତାକୁ ଭାଙ୍ଗିଲା ଓ ଦୁହେଁ ଖାଇବାରେ ବ୍ୟସ୍ତ ହୋଇଗଲେ । କିନ୍ତୁ ସେମାନଙ୍କ ନିରବ ଆଖି ଦୁଇଟି ସବୁ କିଛି କହି ଚାଲିଥିଲା । ଦୁହେଁ ଖାଇସାରି ହୋଟେଲ୍ ବାହାରକୁ ଆସିଲେ । ରାସ୍ତା ପାର ହେବାକୁ ଯାଇ ଅଜୟ ଧରିଥିଲା ସୋନାଲିର ହାତକୁ । ସୋନାଲିକୁ ଯେପରି କୋଟି ରଙ୍କନିଧୀ ମିଳି ଯାଇଥିଲା । ଅଜୟର ହାତ ସ୍ପର୍ଶରେ ବାନ୍ଧି ହୋଇ ସେ ରାସ୍ତା ପାର ହୋଇଥିଲା । ଦୁହେଁ ଦୁହିଁକୁ ଆଖିରେ ଆଖିରେ କହୁଥିଲେ ମୁଁ ଆଜି ବି ତୁମକୁ ଅପେକ୍ଷା କରିଛି । ହେଲେ ସୋନାଲି ନିଜ ମନକଥା ଖୋଲି କହିପାରୁ ନଥିଲା ।

ସୋନାଲି ନିଜ ହାତଘଡି ଦେଖି କହିଲା ମୋତେ ଏବେ ଯିବାକୁ ପଡିବ । ଅଜୟ ମନରେ ତାକୁ ଛାଡିବାକୁ ଇଛା ନଥିଲେ ମଧ୍ୟ ସେ ନିରବରେ ମୁଣ୍ଡ ହଲାଇଥିଲା । ଚାପା କଣ୍ଠରେ ଅଧା ଫୁଟା ଫୁଲ ପରି ଅଜୟ କହିଥିଲା ଠିକ୍ ଅଛି ।

ସୋନାଲି ବୁଝିପାରୁନଥିଲା ଅଜୟ ତାକୁ ଯିବାକୁ କହୁଛି ନା ରହିବାକୁ କହୁଛି । ଗୋଟେ ଅଟୋ ଆସି ଅଟକି ଯାଇଥିଲା ସୋନାଲି ନିକଟରେ । ଅଟୋରେ ବସିବା ପରେ ସୋନାଲି ପଚାରିଥିଲା ମୁଁ ଏବେ ଯିବି ? ଅଜୟ ବି ମନେମନେ ଭାବୁଥିଲା କଣ ଏବେ ବି ତୁମେ ମୋ ନିରବତାକୁ ପଢିପାରୁନ ? ମୁଁ ଏବେ ବି ତୁମକୁ ଚାହେଁ ସୋନାଲି, ତୁମକୁ ଚାହେଁ । ତୁମେ ମୋ ଜୀବନ, ହେଲେ ମୁହଁ ଖୋଲି କହିପାରୁନଥିଲା । ସୋନାଲିର ହୃଦୟ ଯେପରି ଅଜୟର ମନକଥା ଶୁଣି ପାରିଥିଲା । ସେ ବି ଭାବିଲା ମୁଁ ବି ତୁମ ବିନା ବଞ୍ଚି ପାରିବି ନାହିଁ । କିନ୍ତୁ ତୁମେ ପୁଅଟେ ହୋଇ କାହିଁକି ମୋତେ କହିପାରୁନ, ତୁମେ ମୋତେ ଆଜି ବି ଭଲ ପାଉଛ । ମୁଁ ପରା ଗୋଟେ ଝିଅ, ମୋର ମନ ଓ ହୃଦୟ ବୋଲି ଗୋଟେ ଜିନିଷ ଅଛି କିନ୍ତୁ ନାରିର ପ୍ରକୃତ ଗହଣା ଲଜ୍ଜା ମୋତେ ମୋ ସୀମା ଟପିବା ପାଇଁ ଅନୁମତି ଦେଉନି । ମୁଁ ଆଜି ମୋ ଭୁଲ୍ ର କ୍ଷମା ମାଗିବା ପାଇଁ ଆସିଛି ହେଲେ କିଛି କହିବାକୁ ସାହସ ହେଉନାହିଁ । ତୁମେ କିଛି କୁହନା ଅଜୟ...

ଅଟୋ ଷ୍ଟାଟ ହୋଇସାରିଥିଲା - ଅଜୟ ଆଖିରେ ଧାର ଧାର ଲୁହ ଓ ସୋନାଲି ଆଖିରେ କ୍ଷମା ପ୍ରାଥନାର ଲୁହ । କିଛି ଦୂର ଅଟୋ ଆଗକୁ ଯାଇଛି କି ନାହିଁ, ଅଜୟର ହୃଦୟ ପଚାରିଲା କଣ ତୁ ଜାଣିପାରିଲୁ ନାହିଁ ସୋନାଲି ରାଉଲକେଲା କାହିଁକି ଆସିଥିଲା । ତୁ ଏତେ ପାଖରୁ ପାଇ ଆଉଥରେ ଛାଡିଦେଲୁ, ଏତେ କାପୁରୁଷ ତୁ୍, ଏତେ ଭୀରୁ ତୁ ? ତାର ହୃଦୟର ବାହାରି ଆସୁଥିବା ପ୍ରଶ୍ନ ଗୁଡିକ ତାର ମରଦପଣିଆକୁ ଧୀକ୍କାର କରୁଥିଲା । ସେ ନିଜର ସମସ୍ତ ଶକ୍ତି ଖଟାଇଲା ଓ ଅଭିନୟ ଢଙ୍ଗରେ ଦୁଇ ହାତ ଆଗକୁ ବଢାଇ ଈସାରା କଲା ସୋନାଲି ଉଦ୍ଦେଶ୍ୟରେ । ଅଜୟର ଦୁଇ ହାତ ଆଗକୁ ଲମ୍ବି ଯାଇ ସୋନାଲିକୁ ଆଲିଙ୍ଗନ କରିବାକୁ ଚାହୁଁଥିଲା । ବୋଧେ ଏ ଦୃଶ୍ୟ ଅଟୋର ମିରର୍ ରେ ଦେଖି ସାରିଥିଲା ସୋନାଲି । ନିଜ ଲଜ୍ଜାର ବନ୍ଧ ବାଡକୁ ଭାଙ୍ଗି ଦେଲା, ସେ ଆଜି ଅଜୟର । ଅଟୋକୁ ଅଟକାଇ ଦୌଡି ଆସିଥୀଲା ଅଜୟ ପାଖକୁ । ଯେପରି ଯୁଗ ଯୁଗ ଧରି ଦୁହେଁ ଦୁହିଁକୁ ଅପେକ୍ଷା କରିଥିଲେ । ଅଜୟ ବାହୁ ବନ୍ଧନରେ ଲୋଟି ଯାଇଥିଲା ସରମି ସୋନାଲି । ଦୁହିଁକ ଆଖିରେ ଆନନ୍ଦର ଅଶ୍ରୁ । ଦୁଇଟି ନିରବ ହୃଦୟର ମିଳନ ହୋଇଥିଲା ଓ ଦୁହେଁ ଗାଇଚାଲିଥିଲେ ପ୍ରେମର ଗାଥା । ସୋନାଲି କହିଲା ମୋତେ କ୍ଷମା କରିଦିଅ । କିନ୍ତୁ ତାର କଥା ଶେଷ ହେବା ପୂର୍ବରୁ ଅଜୟ ହାତରେ ତାର ମୁହଁ ବନ୍ଦ ହୋଇଯାଇଥିଲା । ଏକ ନିରବ ପ୍ରେମ କାହିଣିର ସୁନ୍ଦର ଓ ସୁଖଦ ମିଳନ ହୋଇଥିଲା ।


Rate this content
Log in

More oriya story from Prasant Kumar Senapati

Similar oriya story from Romance