ପହିଲି ରଜରେ ପ୍ରଥମ ପ୍ରେମ
ପହିଲି ରଜରେ ପ୍ରଥମ ପ୍ରେମ
ତୁମ ପୁରିଲା ଢଳ ଢଳ ରୁପ ଯୌବନ ଦେଖି ମୁଁ ଭଲ ପାଇନଥିଲି । ବାସ୍ ତୁମ ନୀରିହ ସରଳ ଆଖିରେ କି ପ୍ରକାର ଯାଦୁ ଥିଲା କେଜାଣି ପ୍ରଥମ ଦେଖାରେ ତୁମେ ମୋତ ଭଲ ଲାଗିଲ । କଳାନାଗ ପରି ଲହ ଲହ ଝୁଲୁଥିବା ତୁମ ଲମ୍ବା ବେଣୀ ମୋତେ ମନ୍ତ୍ରମୁଗ୍ଧ କରି ଟାଣି ନେଇଥିଲା ତୁମ ପାଖକୁ । ତୁମର ସେହି ନୀରିହ ଆଖିରେ ମୁଁ ଦେଖି ପାରିଥିଲି ଭିନ୍ନ ଏକ ଦୁନିଆ । ଯେଉଁ ଦୁନିଆରେ ଭରି ରହିଥିଲା ପ୍ରେମର ଗୋଲାପ, ସ୍ନେହର ଶତାଧିକ ତରଙ୍ଗାୟିତ ଢେଉ ଓ ବିଶ୍ବାସର ନୀଳ ସବୁଜିମାରେ ଭରା ଉଦ୍ୟାନ । ଯାହା ତୁମକୁ ଦେଖିବା ପରେ ମୁଁ ନିଜକୁ ତୁମ ପାଖେ ମନେ ମନେ ସମର୍ପି ଦେଇଥିଲି । ଆଖିରେ ଆଖିରେ ମୁଁ ତୁମକୁ ସ୍କାନ କରି ଛାପି ଦେଇଥିଲି ହୃଦୟର ଗଭୀରତମ ପ୍ରଦେଶରେ । ପ୍ରଥମ ଦେଖାରେ ମନେ ମନେ ଗଢି ସାରିଥିଲି ତୁମ ସହିତ ଜନ୍ମ ଜନ୍ମାନ୍ତର ସମ୍ପର୍କ । ପ୍ରଥମ ଦେଖା ଓ ଦୁଇ ପଦ ଫୁଲେଇ କଥାରେ ଲାଗିଥିଲ ଅତି ଆପଣାର । ସତେ ଯେମିତି ଏବେ ନୁହେଁ, ବହୁତ ପୂର୍ବରୁ ଆମେ ଦୁହେଁ ପରିଚିତ ।
କଲେଜ୍ ରେ ପଢିବା ସମୟରେ ମୁଁ ମୋର ଜଣେ ଦୂର ସମ୍ପର୍କିୟ ମାଉସୀ ଘରେ ରହୁଥିଲି । ରଜରେ ଘରକୁ ଯିବା ପାଇଁ କହିବାରୁ ମାଉସୀ ମନା କଲା ଓ କହିଲା ମଝି ରଜରେ ଘରକୁ ଯିବୁ । ଶେଷ ରଜ ତ ତୋର ଜନ୍ମଦିନ, ତେବେ ଏତେ ବ୍ୟସ୍ତ କାହିଁକି ? ବାଧ୍ୟ ହୋଇ ମାଉସୀ କଥା ଏଡାଇ ନପାରି ରହିଲି । ପ୍ରଥମ ରଜରେ ମାଉସୀ ଓ ମୁଁ ତାଙ୍କର ଜଣେ ସମ୍ପର୍କିୟଙ୍କ ଘରେ ପହଞ୍ଚିଲୁ ।
ବାହାରେ ପ୍ରବଳ ଖରା ଯୋଗୁଁ ସେ ନୁଆଁଣିଆ ଚାଳଘର ଭିତରଟା ଭାରି ଅନ୍ଧାର ଦିଶୁଥାଏ । ଘର ଭିତରେ ପଶିବା ମାତ୍ରେ ଅନ୍ଧାରରେ ଦେଖି ନପାରି ହଠାତ୍ ତୁମ ସହ ଧକ୍କା ହେବା ପରେ ମୁଁ କହିଥିଲି "ଆଇ ଆମ ରିୟଲି ସରି' । ତୁମେ ମୋର ମନଭାବକୁ ବୁଝିପାରି କହିଥିଲ "ହଁ ଏମିତି ବେଳେ ବେଳେ ଅଜାଣତରେ ହୋଇଯାଏ' । ପୁଣି ଦାନ୍ତ ଚାପି ଚାପି ତୁମେ ହସିଦେଇ ଚାଲିଯିବା ପୂର୍ବରୁ ମୁଁ ପଚାରିଥିଲି ତୁମ ନାଁ କଣ ? ପୁଣି ଫିକ୍ କରି ହସିଦେଇ କହିଥିଲ ନେହା । ତାପରେ ତୁମେ ଚାଲି ଯାଇଥିଲ ଓ ମୁଁ ଅପଲକ ନୟନରେ ତୁମ କଳା ନାଗ ପରି ଲମ୍ବା ବେଣୀକୁ ଦେଖି ଚାଲିଥାଏ, ଯେପର୍ଯ୍ୟନ୍ତ ମୋ ଆଖିର ଲେନ୍ସ ତୁମକୁ ଧରି ପାରିଛି ।
ପରେ ଜାଣିବାକୁ ପାଇଲି ତୁମେ ପଡିଶା ଘର'ର ଝିଅ। ତୁମକୁ ଦେଖିବା ପରେ ମୁଁ ନିଜକୁ ଯେତିକି ଭୁଲି ଭୁଲି ଯାଉଥିଲି, ସେତିକି ପଡି ଯାଉଥିଲି ତୁମ ପ୍ରେମରେ । ପୁଣି ସଂଧ୍ୟାରେ ଲୁଡୁ ଖେଳିବା ପାଇଁ ତୁମେ ଆସିଲ ଓ ମୋ ଦଳର ହୋଇ ଲୁଡୁ ଖେଳିଲ । ଲୁଡୁ ଖେଳରେ ଆମେ ଜିତିବା ପରେ ତୁମର ସେ ଖିଲିଖିଲି ହସ ମୋ ହୃଦୟର ପଟଳରେ ସବୁ ଲେପି ହେଇ ଯାଉଥିଲା । ଖୁସିରେ ଯେତେବେଳେ ତୁମେ ହେଣ୍ଡସେକ୍ କରିବା ପାଇଁ ହାତ ବଢାଇଲ ମୁଁ ଖୁସିରେ ଆତ୍ମଭରା ହୋଇ ଯାଇଥିଲି । ଖାଇପିଇ ସାରିବା ପରେ ଭିଡିଓ ଦେଖିବା ପାଇଁ ଭୀଡ ଜମି ଯାଇଥିଲା ଗାଁ ଦାଣ୍ଡରେ । ତୁମେ କେଉଁଠି ବସିବାକୁ ଯାଗା ନପାଇ ମୋ ପାଖରେ ଥିବା ଅଳପ ଯାଗାରେ ଜାକିଜୁକି ହୋଇ ବସିଗଲ । ବିଳମ୍ବିତ ରାତି ଓ ଦିନରେ ଦୋଳି ଖେଳର ଥକ୍କାପଣ ଯୋଗୁଁ ତୁମେ ତୁମ ଅଜାଣତରେ ମୋର କାନ୍ଧ ଉପରେ ମଥା ରଖି ଶୋଇଗଲ । ତୁମେ ସିନା ଶୋଇ ଯାଇଥିଲ, କିନ୍ତୁ ମୋ ଆଖି ହଟିନଥିଲା ତୁମ ମୁଖ ମଣ୍ଡଳରୁ । ମୋ କାନ୍ଧକୁ କଷ୍ଟ ହେଉଥିଲେ ମଧ୍ୟ ତୁମକୁ ଉଠାଇ ନଥିଲି । ତୁମ ସୁନ୍ଦର ମୁଖମଣ୍ଡଳ ଦେଖୁ ଦେଖୁ କେତେବେଳେ ରାତି ପାହିଗଲା ନିଜେ ଜାଣି ପାରିଲି ନାହିଁ । ନିଦ ଭାଙ୍ଗିବା ପରେ ଅଳସି ଆଖିରେ ଲାଜ ଲାଜ ଚାହାଣୀରେ ଚାହିଁଥିଲ ମୋତେ । ମୁଁ ବି ତୁମକୁ । ଦୁହିଁକ ଆଖି ଏକ୍ ହୋଇ ଯାଇଥିଲା । କିଛି ସମୟ ପରେ ଲାଜରେ ଆଖି ପତା ତଳକୁ କରି କଣେଇ କଣେଇ ବସିବା ସ୍ଥାନରୁ ଚାଲିଗଲ । ହେଲେ ମୋ ହୃଦୟରେ ଆଙ୍କି ହୋଇ ଯାଇଥିଲା ତୁମର ସେ ସୁନ୍ଦର ମୁଖମଣ୍ଡଳଟି । ତୁମର ସେହି ଲାଜୁଆ ଚାହାଣୀରେ ମୋ ଖୋଲା ହୃଦୟରେ ଲେଖି ହୋଇଯାଇଥିଲା ଏକ ଅଭିନ୍ନ କାହାଣୀ । ତୁମ ଚିତ୍ରପଟଟି ମୋ ଆଖିର ଲେନ୍ସରେ ସବୁଦିନ ପାଇଁ ଛାପି ହୋଇ ଯାଇଥିଲା ।
ହେଲେ ବିଡମ୍ବନା ସେହି ପ୍ରଥମ ଦେଖା ଆମର ଶେଷ ଦେଖା ହୋଇଥିଲା । ପୁନେଇ ଚାନ୍ଦଟା ଥରୁଟିଏ ଦେଖା ଦେଇ ଏତେବଡ ଆକାଶରେ କୁଆଡେ ଉଭାନ ହୋଇଗଲା ଯେ ଆଉ ଦେଖାଦେଲା ନାହିଁ । ତୁମ ସହ ଦ୍ବିତୀୟ ଥର ଦେଖାହେବାର ସୁଯୋଗ ପୁର୍ନବାର ଜୀବନରେ ଆସିଲା ନାହିଁ । ତୁମ ଗାଁ ଠାରୁ ମୋ ଗାଁ'ର ଦୂରତା ଅଧିକ ନଥିଲେ ମଧ୍ୟ କାହିଁକି କେଜାଣି ଏକ ଲକ୍ଷ୍ମଣ ରେଖା ଟାଣି ହୋଇ ଯାଇଥିଲା । ମନେମନେ ତୁମକୁ ଅନେକ ଥର ଖୋଜିଛି । ମୌସୁମିର ବର୍ଷାର ଛିଟାରେ ଦେହଟା ଓଦା ହେବା ସମୟରେ ତୁମ ମୁହଁ ଜଳଜଳ ଦିଶେ । ଶୀତ ସକାଳର କୁହୁଡିରେ ବି ତୁମ ପ୍ରତିଛବି ପାଇଛି । ସେ କୁହୁଡି ଭିତରୁ ତୁମେ ସାଧବ ବୋହୁ ବେଶରେ ଆସିବାର ଦେଖିଛି । କେବଳ ମୁଁ ଠକି ଯାଇଛି ନିଜ ମନର ମାୟା ମରିଚିକା ଭିତରେ ।
ଦିନେ କି ଦୁଇଦିନ ନୁହେଁ, ଏମିତି ଅନେକ ଥର ସ୍ବପ୍ନରେ ଦେଖିଛି । ସ୍ବପ୍ନରେ ତୁମ ସହ କଥା ହୋଇଛି । ହାତରେ ହାତ ଛନ୍ଦି ନଇ ପଠାରେ ବୁଲିଛି । ତୁମ ପାଇଁ ଗୋଲାପ ତୋଳିଛି । ମାତ୍ର ଆଖି ଖୋଲିବା ପରେ ସବୁ ସ୍ବପ୍ନ ସ୍ବପ୍ନରେ ରହିଯାଏ । ଯେମିତି ମୋ ସ୍ବପ୍ନରେ କାହାର ନଜର ଲାଗି ଯାଇଛି । ଏମିତି ସ୍ବପ୍ନ ଦେଖିବା ଓ ଭାଙ୍ଗିବା ଭିତରେ କଲେଜ୍ ସାରି ମୁଁ ଅହମଦାବାଦରେ ଦାଦନ ଖଟିବା ପାଇଁ ପହଞ୍ଚି ଯାଇଛି ।
ସ୍ବପ୍ନ ଭାଙ୍ଗିନଥାନ୍ତା ଯଦି ତୁମେ ଚାହିଁଥାନ୍ତ, ଦୂରସଂଚାର ସାହଯ୍ୟ ନେଇ ମୋ କାନରେ ପ୍ରେମର ମନ୍ତ୍ର ଫୁଙ୍କିଥାନ୍ତ । ମୋ ପ୍ରେମର ସ୍ବପ୍ନ କିପରି କେଉଁ ପରିସ୍ଥିତିରେ ଭାଙ୍ଗିଗଲା, ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ଯାହା ବି ହେଉ ମୋ ମନ ରାଇଜର ପ୍ରେମ ପକ୍ଷୀଟା କେଉଁଠି ନା କେଉଁଠି ଆଘାତ୍ ପାଇ ମୁ୍ର୍ଛିତ ହୋଇ ସାରିଥିଲା । ସେଦିନ ଠାରୁ ତୁମକୁ ମୁଁ ସ୍ବପ୍ନରେ ଖୋଜିନାହିଁ କି ତୁମ ଚିତ୍ରପଟକୁ ମୋ ଆଖିର ଲେନ୍ସରେ ଆଣିନାହିଁ ।
ତୁମେ ବୋଧେ ଆଉ କାହା ହାତର ସିନ୍ଦୁର ପିନ୍ଧିସାରି ତାର ଚଉଁରା ମୂଳେ ସଞ୍ଜବତୀ ଦେଉଥିବ । ମୋତେ ମନେ ରଖିଥିବ କି ନାହିଁ, ଜଣାନାହିଁ । ତୁମ ଖିଲିଖିଲି ହସ ଓ ଫୁଲେଇ କଥା କହି ଅନ୍ୟ କାହା ହୃଦୟର ଶୂ
ନ୍ୟସ୍ଥାନ ପୁରଣ କରି ସାରିଥିବ । କାହା ବାଇକ୍ ପଛରେ ବସି ଗୀତ ଗାଇ ଗାଇ ଆନନ୍ଦ ମନରେ ଘୁରି ଆସୁଥିବ ।
ବୋଧେ ମୋତେ ଏବେ ବି ସ୍ବପ୍ନରେ ଦେଖୁଥିବ, ନାଁ ନାଁ, ମୋତେ ଏବେ ସ୍ବପ୍ନରେ କାହିଁକି ବା ଦେଖିବ । ତୁମେ ତ ତୁମ ହୃଦୟର ରାଜାକୁ ପାଇ ସାରିଛ । ତୁମର ମୋର ସେଦିନର ଧକ୍କା ଆକସ୍ମିକ ହୋଇପାରେ । ଏବେ ତୁମେ ଅନ୍ୟ କାହା ବଗିଚାର ଗୋଲାପ ସାଜିଥିବ । କାହା ପାଇଁ ସାବିତ୍ରୀ ବ୍ରତ ମଧ୍ୟ କରୁଥିବ । ମୁଁ ତୁମକୁ ମୋ ମନର ବଗିଚାରେ ଗୋଲାପଟିଏ ଭାବି ସଜାଇଥିଲି, ଏହା ଅର୍ଥ ନୁହେଁ ତୁମେ ବି ତୁମ ମନ ବଗିଚାରେ ମୋତେ ସ୍ଥାନ ଦେବ । ଏମିତି ଅନେକ ଭାବିବା ପରେ ମୋ ହୃଦୟରେ ପୁରଣ କରିବାକୁ ଯାଉଥିବା ଶୂନ୍ୟସ୍ଥାନକୁ ପୁର୍ନବାର ମୁଁ ଶୂନ୍ୟ କରିଦେଲି । ଫଗୁଣର ପ୍ରଥମ ପ୍ରେମ ସିଡି ଚଢୁ ଚଢୁ ଆଘାତ୍ ଲାଗିଥିଲା । ସେଦିନ ଠାରୁ ତୁମକୁ ମୁଁ ଆଉ କେବେ ମନେ ପକାଏ ନାହିଁ ।
ଦୂର୍ଭାଗ୍ୟ ଯାହାର ପଛ ଧରେ ତାକୁ କେହି ବି ବଞ୍ଚାଇ ପାରନ୍ତି ନାହିଁ । ହଠାତ୍ ମା'ଙ୍କର ହୃଦଘାତରେ ମୃତ୍ୟୁ ମୋର ହୃଦୟକୁ ଆହୁରି ଦ୍ରବିତ କରି ଦେଇଥିଲା । ଘର'ର ବଡପୁଅ ହିସାବରେ ମା'ଙ୍କ ମୃତ୍ୟୁର ଛଅମାସ ପରେ ମୃତ୍ୟୁବାର୍ଷିକ ପୁରଣ କରାଯାଇ ବିବାହ ପାଇଁ ବାଧ୍ୟ କରାଗଲା । ବାପା ଚାହୁଁଥିଲେ ଘର'ର ଯତ୍ନ ପାଇଁ ସ୍ତ୍ରୀ ଲୋକଟେ ନିହାତି ଦରକାର । ସେଥିପାଇଁ ସେ ଝିଅ ଦେଖି ସବୁକିଛି ଠିକ୍ କରି ସାରିଛନ୍ତି । ବାହାହେବା ପାଇଁ ଇଛା ନଥିଲେ ମଧ୍ୟ ବାପାଙ୍କ ମୁହଁରେ ମନା କରିପାରିନଥିଲି, ଯେହେତୁ ବାପାଙ୍କ ଆଜ୍ଞ୍ୟାକାରି ପୁଅ ଥିଲି । ଅନିଛା ସତ୍ତ୍ବେ ଅହମଦାବାଦରୁ ଘରକୁ ଫେରିଲି । ଝିଅଘର ଲୋକ ଆସି ମୋତେ ଦେଖିଗଲେ । ସମସ୍ତେ ବାରମ୍ବାର ଝିଅ ଦେଖିବାକୁ ଯିବା ପାଇଁ କହିଥିଲେ ମଧ୍ୟ ମୁଁ ମନା କରିଥିଲି । ଏପରି ମଧ୍ୟ ଝିଅର ଫଟୋକୁ କେବେ ବି ଦେଖିବା ପାଇଁ ଇଛା ପ୍ରକାଶ କରିନାହିଁ । ମନର କଥା ମନରେ ରଖି ନିଜ ଭାଗ୍ୟକୁ ଆଦରି ନେଇଥିଲି ।
ଶେଷରେ ବିବାହ ଦିନ ଧାର୍ଯ୍ୟ କରି ଦିଆଗଲା । ଘର'ର ଆର୍ଥିକ ପରିସ୍ଥିତି ଦୂର୍ବଳ ଥିବାରୁ ମନ୍ଦିରରେ ବିବାହ ସ୍ଥିର ହେଲା । ବିବାହ ଦିନ ମୁଁ ବରବେଶରେ ମନ୍ଦିରରେ ପହଞ୍ଚି ସାରିଥାଏ । କିଛି ସାଙ୍ଗମାନେ ମୋର ଶୁଖିଲା ମୁହଁକୁ ଦେଖି ବାରମ୍ବାର କାରଣ ପଚାରୁଥାନ୍ତି । ମୁଁ ବି ବାପାଙ୍କ ମନରେ ଦୁଃଖ ନଦେବା ପାଇଁ କିଛି ନକହି ଚୁପ୍ ରହିଥାଏ । ଯଦି କହିଥାନ୍ତି କଣ ବା କହିଥାନ୍ତି ? ଯେତେବେଳେ ମୁଁ ନିଜେ ଜାଣିନଥିଲି ତୁମର ବିବାହ ସରିଛି କି ନାହିଁ, ତୁମେ ମୋତେ ଭଲପାଅ କି ନାହିଁ, କଣ ବା କହି ପାରିଥାନ୍ତି । ଚୁପଚାପ୍ ନୀରବ ଦ୍ରଷ୍ଟା ସାଜିଥାଏ ମୁଁ । ବିବାହର ଶୁଭ ସମୟ ଆସି ସାରିଥିଲା । ମନ୍ଦିରରେ ମାଳ ମାଳ ହୋଇ ଘୁରି ବୁଲୁଥିବା ବରକନ୍ୟାଙ୍କ ସ୍ରୋତ । ସେ ସ୍ରୋତରେ ମୁଁ ବି ଥିଲି ଏକ ଧାର । ସେମାନଙ୍କ ଭିତରେ ଖୋଜି ବୁଲୁଥାଏ ମୁଁ ତୁମର ସେହି ଖିଲିଖିଲି ହସର ମୁହଁ ।
ବିବାହ ଆରମ୍ଭ ହୋଇ ସାରିଥିଲା । ସମସ୍ତ ଝିଅଘର ଓ ଆମ ତରଫରୁ ବନ୍ଧୁ ପ୍ରିୟଜନ ମାନେ ମନ୍ଦିର ବେଢାର ବେଦୀ ଚାରିପାଖେ ଘେରାଇ ହୋଇ ବସିଥାନ୍ତି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀ ସହିତ ଶୁଭ ଶଂଙ୍ଖ ହୁଳାହୁଳି ଦ୍ବାରା ଚର୍ତୁଦିଗ କମ୍ପୁଥିବା ସମୟରେ ଆଖିରେ ମୋର ଝଲସି ଯାଉଥିଲା ଭିଡିଓର ଉଚ୍ଚତମ ଧ୍ବନୀକୁ ଖାତିର୍ ନକରି ମୋ କାନ୍ଧରେ ମଥା ରଖି ଶୋଇଥିବା ତୁମର ସେହି ନୀରିହ ମୁହଁଟି । ହଠାତ୍ ବ୍ରାହ୍ମଣଙ୍କ ଡାକରେ ମୋର ତନ୍ଦ୍ରା ଭାଙ୍ଗିଗଲା ଓ ବ୍ରାହ୍ମଣ କହୁଥିଲେ କନ୍ୟାର ମଥାରେ ସିନ୍ଦୁର ଲଗାଅ । ମୁଁହ ତଳକୁ କରି ସିନ୍ଦୁର କନ୍ୟାର ମଥାରେ ନଲଗାଇ ପାରି ତାର ନାକରେ ଲଗାଇ ଦେଇଥିଲି । ସମସ୍ତେ ହସିଥିଲେ ଓ ବ୍ରାହ୍ମଣ କହିଲେ କନ୍ୟାକୁ ଚାହିଁ ତାର ମଥାରେ ସିନ୍ଦୁର ଦିଅ । କନ୍ୟାର ମଥାରୁ ସାମାନ୍ୟ ଓଢଣା ହଟି ଯାଇଥିଲା ଓ ସିନ୍ଦୁର ଚିମୁଟାଏ ନେଇ ମଥାରେ ଲଗାଇବା ସମୟରେ ମୁଁ ଆଚମ୍ଭିତ ହୋଇ ଯାଇଥିଲି । କନ୍ୟାର ମଥାରେ ସିନ୍ଦୁର ଦେବା ପରିବର୍ତ୍ତେ ମୁଁ ଅନେକ ପ୍ରଶ୍ନରେ ଛନ୍ଦି ହୋଇ ଯାଇଥିଲି । ଦୀର୍ଘ ସମୟ ଧରି ଅପଲକ ନୟନରେ ଚାହିଁ ରହିଥିଲି ସେ ଝିଅକୁ । ସମସ୍ତେ ମୋତେ ଅନେଇ ହସିବା ଆରମ୍ଭ କଲେଣି, ସେପ୍ରତି ମୋର ନିଘା ନାହିଁ । ହଠାତ୍ ଭଉଣୀର ଚିମୁଟାରେ ମୋ ଆଖି ଫେରି ଯାଇଥିଲା ସେ ଝିଅର ସୁନ୍ଦର ମୁଖମଣ୍ଡଳରୁ । ସେ ଝିଅ ଆଉ କେହି ନଥିଲା, ସେ ଥିଲା ମୋ ଆଖିର ଲେନ୍ସରେ ଦୀର୍ଘଦିନ ଧରି ବାନ୍ଧି ହୋଇ ରହିଥିବା ମୋ ନେହା। ଯାହାକୁୁ ମୁଁ ମୋ ମାଉସୀଙ୍କ ସମ୍ପର୍କିୟଙ୍କ ଘରେ ଦେଖିଥିଲି । ଯେଉଁ ପୁନେଇ ଚାନ୍ଦକୁ ପ୍ରେମିକା ରୁପେ ପାଇବା ପାଇଁ ବାରମ୍ବାର ସ୍ବପ୍ନ ଦେଖୁଥିଲି, ସେ ଆଜି ମୋ ହାତ ପାହାନ୍ତାରେ ଥିଲା । ଏମିତି ଲାଗୁଥିଲା ବର ବେଶରେ ହେଉ ପଛେ ମୁଁ ଟିକିଏ ନାଚି ପକାନ୍ତି କି । ମୁହଁରେ ଥିବା ମୋର ନାଖୁସ୍ ଭାବ ଉଭାନ୍ ହୋଇ ସାରିଥିଲା । ମୁହଁରେ ଏକ ପ୍ରକାର ଗଡ ଜିତିବାର ଖୁୁସିର ଲହରୀ ଖେଳି ଯାଉଥିଲା ।
ଚତୁର୍ଥି ରାତିରେ ମୁଁ ତାର ଆଖିରେ ଦେଖିପାରିଥିଲି ଅଭିମାନ ଓ ରାଗ । ସେ ବି ମୋତେ ମନେ ମନେ ଭଲପାଉଥିଲା । ମୋ ମାଉସୀଙ୍କ ଠାରୁ ମୋ ନମ୍ବର ମଧ୍ୟ ନେଇ କଥା ହେବାକୁ ଚାହୁଁଥିଲେ । ଅନେକଥର ମୋ ନମ୍ବର ମୋବାଇଲ୍ ରେ ଡାଏଲ୍ କରି କାଟି ଦେଇଛନ୍ତି । କାଳେ ମୁଁ ତାଙ୍କୁ ଚିହ୍ନି ପାରିବିନାହିଁ । ତାଙ୍କ ଭଲପାଇବାକୁ ଅସ୍ବୀକାର କରିବି । ଏହି ଭୟର ଆଶଙ୍କାରେ ସେ ପ୍ରେମ ପକ୍ଷୀର ଡେଣାକୁ କାଟି ଦେଇଥିଲେ ।
ଯାହା ହେଉନା କାହିଁକି ଆଜି ମୋ ଝୁରିଲା ଫଗୁଣକୁ ଫେରି ପାଇଛି । ସେ ଫଗୁଣ ଆଜି ମୋ ସମ୍ମୁଖରେ ମଥାରେ ଓଢଣୀ ଦେଇ ଫୁଲେଇ ଫୁଲେଇ ଦାନ୍ତ ଚିପି ଚିପି ହସୁଛି । କୃଷ୍ଣପକ୍ଷ ମୋ ଜୀବନ ଆକାଶରୁ ଦୂରେଇ ଯାଇଛି ଓ ମୁଁ ମୋ ଚାନ୍ଦକୁ ନିଜ ହାତ ମୁଠାରେ ପାଇ ସାରିଛି । ମୁଁ ଆଜି ବୁଝିପାରୁଛି ନିଚ୍ଛକ ପ୍ରେମ କେବେ ମରେନା । ତାହା ଆସେ ଜୀବନ ସାଗରରେ ଶତ ତରାଙ୍ଗାୟିତ ଖୁସୀର ଲହରୀ ନେଇ । ଯେଉଁ ଖୁସିରେ ଉଲ୍ଲସିତ ହୋଇ ଉଠେ ଦେହ, ମନ ଓ ପ୍ରାଣ ।