Prasant Kumar Senapati

Drama Inspirational

3  

Prasant Kumar Senapati

Drama Inspirational

ବିଧିର ବିଧାନ

ବିଧିର ବିଧାନ

3 mins
7.4K


ବରଯାତ୍ରୀ ଦଳ ଗାଁ ମୁଣ୍ଡରେ ପହଞ୍ଚି ସାରିଥିଲେ । ଡିଜେ ଗୀତର ତାଳେ ତାଳେ ବରଯାତ୍ରୀମାନେ ବହୁତ ଖୁସିରେ ନାଚୁଥାନ୍ତି । ମନୋଜର ବାପା ନାରାୟଣ ବାବୁ ଏକମାତ୍ର ପୁଅ ବାହାଘରରେ ବହୁତ ଖୁସିରେ ବରଯାତ୍ରୀମାନଙ୍କ ନାଚ ଗୀତକୁ ଉପଭୋଗ କରୁଥାନ୍ତି। ଏହି ସମୟରେ ତାଙ୍କ ସମବୟସ୍କ କେତଜଣ ବନ୍ଧୁ ନାରାୟଣ ବାବୁ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରା ଦେବୀଙ୍କୁ ଭୀଡ ଭିତରକୁ ଟାଣି ନେଇ ନାଚିବା ପାଇଁ ବାଧ୍ୟ କଲେ । ଏକମାତ୍ର ପୁଅ ବାହାଘରରେ ସେ କିପରି ମନା କରିପାରିଥାନ୍ତେ, ବାଧ୍ୟ ହୋଇ ସାଙ୍ଗ ସାଥିଙ୍କ ମେଳରେ ନାଚିଲେ । ହଠାତ୍ ନାଚୁ ନାଚୁ ସେ ତଳେ ପଡିଗଲେ ଓ ବହୁତ ଜୋରରେ ଧଇଁସଇଁ ହୋଇ ନିଶ୍ବାସ ପ୍ରଶ୍ବାସ ନେଉଥାନ୍ତି । ଅତିଥୀ ଗୃହକୁ ସ୍ଥାନାନ୍ତର କରି ତୁରନ୍ତ ଡାକ୍ତରଙ୍କ ନିକଟକୁ ଖବର ପଠାଗଲା । କିନ୍ତୁ ଦୁଃଖର କଥା ଯେ ଡାକ୍ତର ଆସିବା ପୂର୍ବରୁ ନାରାୟଣ ବାବୁ ସଂସାର ତ୍ୟାଗ କରି ସାରିଥିଲେ । ହୃଦଘାତ ଯୋଗୁଁ ନାରାୟଣ ବାବୁଙ୍କ ମୃତ୍ୟୁ ହୋଇଥିଲା ।

ଏହି ଦୂର୍ଘଟଣା ପରେ ମନୋଜର ମା ସୁମିତ୍ରା ଦେବୀଙ୍କ ଉପରେ ଏକ ବଡ ଚଡକ ପଡିବା ପରି ଲାଗିଲା । ସେ ସ୍ଥାଣୁ ପ୍ରାୟ ହୋଇ ଗୋଟିଏ ସ୍ଥାନରେ ଆଖିରୁ ଧାର ଧାର ଲୁହ ଗଡାଉଥାନ୍ତି । ସମୟେ ସମୟେ ସେ ବେହୋସ ହୋଇ ଯାଉଥାନ୍ତି । ସେ ଅବା କଣ କରି ପାରିବେ, ଗୋଟେ ପଟେ ଏକମାତ୍ର ପୁଅର ଖୁସିର ସଂସାର ସଜାଡୁଥିବା ସମୟରେ ଅନ୍ୟପଟେ ନିଜ ସଂସାର ଭାଙ୍ଗି ଯାଇଛି। କିଛି ଲୋକ କଥାବାର୍ତ୍ତା ହେଉଥିଲେ କନ୍ୟା ଅଲକ୍ଷଣି, ଅଶୁଭ ନଚେତ୍ ଉଆଁସି ହୋଇଥିବ ।

କନ୍ୟା ଘର ଲୋକମାନେ କଣ ହେବ କଣ ନାହିଁ ଏହି ଚିନ୍ତାରେ ଥାନ୍ତି । ଏପରି ଏକ ଦୁଃଖଦ ଘଡିସନ୍ଧି ମୁହୂର୍ତ୍ତରେ ବିବାହ ହେବ କି ନାହିଁ ପ୍ରଶ୍ନ ପଚାରିବାର ସତସାହଶ ସେମାନଙ୍କ ନିକଟରେ ନଥାଏ । କିଛି ସମୟ ପୂର୍ବରୁ ରଙ୍ଗ ବେରଙ୍ଗ ଲିଚୁମାଳ ଏବେ ଦପ୍ ଦପ୍ ହୋଇ ଲିଭିବା ହେଲେଣି । ହସ ଖୁସିର ପରିବେଶଟା ଏବେ ଖାଁ ଖାଁ ସ୍ମସାନ ସଦୃଶ ମନେ ହେଉଛି । ସମସ୍ତେ ନୀରବ, ନିଶ୍ଚଳ । କିଏ କୁଆଡେ ଯାଉଛନ୍ତି, କିଏ ଆସୁଛନ୍ତି କେହି ବୁଝିବା ପରିସ୍ଥିତିରେ ନାହାନ୍ତି ।

କନ୍ୟାର ପିତା ନାରାୟଣ ବାବୁଙ୍କ ମୃତ୍ୟୁରେ ବହୁତ ଦୁଃଖ ଅନୁଭବ କରିଥିଲେ ମଧ୍ୟ ତାଙ୍କ ନିକଟରେ କଣ ବା ଆଉ ଚାରା ଅଛି ? କିନ୍ତୁ ମନରେ ଅନେକ ଭୟ । ମନୋଜର ପରିବାର ଯୌତୁକ ଦାବୀ କରିନଥିଲେ ମଧ୍ୟ ସେ ବହୁତ ଗୁଡିଏ ଟଙ୍କା ଧାର କରଜ କରି ବିବାହର ଆୟୋଜନ କରିଥିଲେ। ଯଦି ବିବାହ ନହୁଏ କଣ କରିବେ ଓ କାହା ବେକରେ ବାନ୍ଧିବେ ଏପରି ଅଲକ୍ଷଣି ଝିଅକୁ ।

ହଠାତ୍ ସୁମିତ୍ରା ଦେବୀଙ୍କ ଚିନ୍ତା ଚେତନା ଯେପରି ଜାଗ୍ରତ ହେଲା ଓ ସେ ତୁରନ୍ତ କନ୍ୟା ପିତାଙ୍କୁ ଡକାଇ ବାହାଘର ଶିଘ୍ର ସାରିବା ପାଇଁ ଅନୁରୋଧ କଲେ । କାଳ ବିଳମ୍ବ ନକରି ବେଦୀରେ ହୋମ ନିଆଁ ସହ ମନ୍ତ୍ର ପାଠ ଆରମ୍ଭ ହୋଇଗଲା ଓ ବିବାହର ତୁରନ୍ତ ପରେ ପରେ ବର ବୋହୁ ଓ ନାରାୟଣ ବାବୁଙ୍କ ପାର୍ଥିବ ଶରୀରକୁ ନେଇ ସମସ୍ତେ ବିଦା ହୋଇଗଲେ ।

ଯେତେବେଳେ ବର ବୋହୁ ଘରେ ପହଞ୍ଚିଲେ, ସେମାନଙ୍କୁ ବନ୍ଦାଇ ଘର ଭିତରକୁ ନେବା ପାଇଁ ସୁମିତ୍ରା ଦେବୀଙ୍କ ବଦଳରେ ମନୋଜର ପିଉସୀ ଆସିଲେ । କାରଣ ଗୋଟିଏ ରାତି ପୂର୍ବରୁ ତାଙ୍କ ମା ସୁମିତ୍ରା ଦେବୀ ବିଧବା ହୋଇ ସାରିଥିଲେ ଓ ଜଣେ ବିଧବା ଖୁସିର ମୁହୁର୍ତ୍ତରେ ପୁଅ ବୋହୁକୁ ବନ୍ଦାଇ ଘରକୁ ନେବା ଅଶୁଭ ହେବ । ଏହା ଦେଖି ମନୋଜ ଓ ନବ ବିବାହିତା ଦୁହେଁ ଜିଦ୍ଦି ଧରି ବସିଲେ ଯେ ଯେଉଁ ମା'ର ସଙ୍ଖା ସିନ୍ଦୁର ଉଜୁଡି ଯିବା ପରେ ବି ଧର୍ଯ୍ୟର ସହକାରେ ବିବାହ କରାଇଲେ, ସେ କାହିଁକି ନିଜ ପିଲାମାନଙ୍କ ଅମଙ୍ଗଳର କାରଣ ହେବେ ? ଯଦି ମା ଆମ ଦୁହିଁକୁ ବନ୍ଦାଳ ଥାଳିରେ ବନ୍ଦାଇ ଘରକୁ ପାଛୋଟି ନେବେ, ତେବେ ଆମେ ଭିତରକୁ ଯିବୁ ।

ମନୋଜ ଓ ନବ ବିବାହିତା ବଧୂର ଜିଦ୍ଦି ସାମନାରେ ସମସ୍ତେ ପରାସ୍ତ ହୋଇ ସୁମିତ୍ରା ଦେବୀଙ୍କୁ ଅନୁରୋଧ କରିଥିଲେ ପୁଅ ଓ ବୋହୁକୁ ବନ୍ଦାଇ ଘର ଭିତରକୁ ଆଣିବା ପାଇଁ । ସୁମିତ୍ରା ଦେବୀ ବନ୍ଦାଳ ଥାଳି ନେଇ ଆସିବା ସମୟରେ ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା । ଗୋଟିଏ ପକ୍ଷେ ପୁଅ ବୋହୁଙ୍କ ଗୃହ ପ୍ରବେଶ ସମୟରେ ଅନ୍ୟ ପକ୍ଷେ ନିଜ ପ୍ରାଣ ଠାରୁ ପ୍ରିୟ ସ୍ବାମୀଙ୍କ କୋକେଇ ତିଆରି ହେଉଥାଏ । ଗୋଟାଏ ପକ୍ଷେ ଶଙ୍ଖ ହୁଳାହୁଳି ଶବଦରେ କମ୍ପୁଥିଲା ତ ଅନ୍ୟ ପକ୍ଷେ "ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ'ର ଉଚ୍ଚାରଣ ହେଉଥିଲା । ସୁମିତ୍ରା ଦେବୀ ଶାନ୍ତ ଓ ନୀରବ ଥିଲେ । ସେ ଏହା ମାନି ନେଇଥିଲେ ବୋଧେ ଏହା ବିଧୀର ବିଧାନ ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Drama