ହୃଦୟର ସ୍ମୃତି ପଟ୍ଟଳରୁ
ହୃଦୟର ସ୍ମୃତି ପଟ୍ଟଳରୁ
ବେଳେବେଳେ ଜୀବନରେ ଏମିତି ସମୟ ଆସେ ଆମେ କ୍ଳାନ୍ତ ହୋଇ ପଡୁ, ଥକି ପଡୁ ଓ ନିଜକୁ ଢେର୍ ଅସହାୟ ମଣୁ ।
ଜୀବନ ବୋଝ ପରି ଲାଗେ, ପ୍ରତ୍ୟେକ ସମ୍ପର୍କରେ ସ୍ବାର୍ଥ ନଜର ଆସେ … ପ୍ରେମ, ପ୍ରତାରଣାର ଅନ୍ୟ ଏକ ରୂପ ଆମକୁ ଦେଖିବାକୁ ମିଳେ ଓ ଜୀବନ ଜିଇଁବାର ଆଶା ଧିରେ ଧିରେ କ୍ଷୀଣ ହୋଇଯାଏ, ଏବଂ ଯେତେବେଳେ ଏହି ବିଚାର ଆମ ମନ ଓ ହୃଦୟକୁ କବଳିତ କରି ଶେଷ ସୋପାନରେ ପହଞ୍ଚି ଯାଏ, ଜୀବନକୁ ଆମେ ନର୍କ ବୋଲି ମାନିନେଉ । ହଠାତ୍ କେହିଜଣେ ଏହି ସମୟରେ ଆମ ଜୀବନରେ ପାଦ ରଖେ ।
ଜଣେ ଅଜଣା ବ୍ୟକ୍ତି ଜୀବନରେ ପ୍ରବେଶ କରିବା ପରେ ଜୀବନର ଗତିପଥ ଧିରେ ଧିରେ ବଦଳି ଯାଏ, ଯିଏ କି ବୁଝାଇଥାଏ କେବଳ ଗୋଟିଏ ଦୁର୍ଘଟଣାରେ ଜୀବନର ସଂଜ୍ଞା ପରିବର୍ତ୍ତନ ହୁଏ ନାହିଁ... ସଂସାର, ପ୍ରେମ, ସମ୍ପର୍କ, ବନ୍ଧନ ଓ ଜୀବନ ଗତକାଲି ସୁନ୍ଦର ଥିଲା ଆଜି ବି ଅଛି ଓ ଭବିଷ୍ୟତରେ ବି ସେମିତି ସୁନ୍ଦର ହୋଇ ରହିବ । ଜୀବନର ଦୁଃଖଦପୁର୍ଣ ଘୁର୍ଣ୍ଣିବଳୟ ଭିତରୁ ବାହାର କରିବା ପାଇଁ ସେ ସ୍ନେହ ପ୍ରେମ ଓ ବନ୍ଧୁତାର ହାତଟି ବଢାଇଥାଏ ।
ସେହି ହାତର ସ୍ପର୍ଶରେ ଶିରା ପ୍ରଶିରାରେ ଏକ ଅଦ୍ଭୁତପୁର୍ବ ଶିହରଣ ଖେଳିଯାଏ, ମନରେ ନୁତନ ବିଶ୍ବାସ ଭରିଦିଏ । ଜୀବନକୁ ବଞ୍ଚିବାର ଭୋଗିବାର ନିଶା ଜୀବନ୍ତ ହୋଇଉଠେ ।
ସେ ଆପଣଙ୍କୁ ଏତେ ଭଲପାଏ, ଏତେ ଗୁରୁତ୍ବ ଦିଏ ଯେ ଜୀବନର ଚଲାପଥରେ ଅଜଣା ଲୋକଟି ସ୍ବତନ୍ତ୍ର ଭୁମିକା ନିଏ । ପୁନର୍ବାର ସେହି ଅଜଣା ବ୍ୟକ୍ତି ଇଟା ଖଣ୍ଡିଏ ଯୋଡି ଜୀବନରେ ପ୍ରେମ ରୁପକ ମହଲଟିଏ ଗଢିବାର ମନ୍ତ୍ର ଶିଖାଏ । ଧିରେ ଧିରେ ଅଜଣା ପଥିକଟି ଆପଣଙ୍କ ଜୀବନରେ ଖୁସିର ମହଲ ତିଆରି କରିଥାଏ ।
ଦିନେ ସେ ଅତି ନିକଟତର ହୋଇ ସ୍ନେହ ପ୍ରେମଭରା ଚୁମ୍ବନଟିଏ ମଥାରେ ଆଙ୍କିଦିଏ ଓ କହେ "ପ୍ରେମ" ଠିକ୍ ମୋ ପରି ସୁନ୍ଦର । କେବଳ ବିଶ୍ବାସରେ ପ୍ରେମକୁ ଅନୁଭବ କରି ହୁଏ, ଭୋଗୀ ହୁଏ ।
ମୋ ଜୀବନର ସେହି ଅଜଣା ପଥିକଟି ତୁମେ ।
