କିଏ ସେ ଡାହାଣୀ ?
କିଏ ସେ ଡାହାଣୀ ?


କିଏ ସେ ଡାହାଣୀ ?
କୋଉ ଡାହାଣୀ?
"ସେଇ, ଯାହା ସହିତ ହ୍ବାଟସଅପରେ ଚାଟିଙ୍ଗ କରୁଛ"
ସମୀର ର ହୃଦୟ ସ୍ପନ୍ଦନ ବଢିଗଲା,
"ଆରେ କିଏ ?"
"ସେଇ ସୁମନ,,ଆମେରିକା ବାଲି"
ଆରେ,ସେ ତ ମୋ କ୍ଲାସମେଟ୍"
"କ୍ଲାସମେଟ୍ ନା ଆଉ କିଛି,
"ତୁମ ଲାଇଫ୍ ର ଫାଷ୍ଟ କ୍ରସ୍"
"କିନ୍ତୁ ବୁଝିପାରୁନି କଣ ଦେଖି ତାକୁ ପସନ୍ଦ କଲ ?"
"ଆରେ ବାବା,କାହିଁକି ବେକାର କଥାକୁ ନେଇ ଟେନସନ ଦେଉଛ କହିଲ ?"
"ମୋତେ ତା ନମ୍ବର ଦିଅ,ମୁଁ ଏବେ ତା ସହ କଥା ହୋଇ ପଚାରିବି ଅନ୍ୟର ଘର ଭାଙ୍ଗି ତାକୁ କଣ ମିଳୁଛି ?"
"କାହିଁକି ଅଜଥା କଥାରେ ଝାମେଲା ସୃଷ୍ଟି କରୁଛ ?"
"ମୁଁ ନା ତୁମେ ? ଆଜିକାଲି ତୁମେ ମୋତେ ଭାରି ଇଗ୍ନୋର କରୁଛ ଦେଖଛି ।"
"ମୁଁ କେବେ ତୁମକୁ ଇଗ୍ନୋର କଲି ?"
"ଗତକାଲି ଭ୍ୟାଲେଣ୍ଟାଇନ୍ ଡେ ଗଲା,ମୋତେ ଓ୍ବିସ୍ କଲନି ।"
"ଆରେ ପିଲାମାନେ ବଡ ହୋଇଗଲେଣି,ଆଉ କି ଭ୍ୟାଲେଣ୍ଟାଇନ ?"
"କାଲି ତ ତାକୁ ଭୋଓର ପାଞ୍ଚଟାରୁ ଓ୍ବିସ୍ କରିଥିଲ ହ୍ବାଟସଅପରେ ।"
ମୁଁ ଅଫିସ୍ ଚାଲିଲି ।
ସମୀର ଅଖିଆ ଅଫିସ୍ ବାହାରି ଗଲା । ଗେଟ୍ ବାହାରେ କାର ରେ ବସି ସମୀର ଟେରସକୁ ଚାହିଁଲା,ଗତ କିଛିଦିନ ପରି ପତ୍ନି ଆଜି ବି "ବାଏ" କହିବା ପାଇଁ ଆସିଲାନି,ସମୀର ଦୁଖୀ ମନରେ ଗାଡି ଷ୍ଟାର୍ଟ କଲା ।
*******
ରେଖାର ମନ ଭାରି ଭାରି ଲାଗୁଥାଏ । ସଂଧ୍ୟାର ଦୂର୍ଭାଗ୍ୟ ଘଡି ପାଖେଇ ଆସୁଥାଏ । ଘର ଅଗଣାରେ ଆକୂଳ କ୍ରନ୍ଦନର ବାତାବରଣ,ଅଫିସ୍ ରୁ ଫେରିବା ସମୟରେ ଆକ୍ସିଡେଣ୍ଟ ଓ ଅନ୍ ଦ ସ୍ପଟ୍ ସମୀରର ମୃତ୍ୟୁ ।
*****
ବିରାଟ ବିରାଟ କ୍ଷତ ସୃଷ୍ଟି କରିବାରେ ସମୟ ଯେମିତି ମାହିରକ୍ଷତକୁ ମଲମ ଲଗାଇ ଶୁଖାଇବାରେ ସମୟ ସେତିକି ଧୂରନ୍ଧର । କିଛିଦିନ ପରେ ରେଖା ଦୂର୍ଭାଗ୍ୟ କବଳରୁ ନିଜକୁ ମୁକୁଳାଇ ନେଲା,ସତ ସାହଶର ସହିତ ଘର ପରିବାର ନିଜ କଣ୍ଟ୍ରୋଲକୁ ନେଲା । କିନ୍ତୁ ସେଦିନ ସକାଳର ଝଗଡା ତାକୁ ଅପରାଧ ବୋଧ ମନେ ହେଉଥାଏ ଓ ନୀରୋଳା ସମୟରେ ସମୀରକୁ ମନେ ପକାଇ ଆଖିରୁ ଲୁହ ଝରାଉଥାଏ। ସେବେ ଠାରୁ କାହାକୁ କିଛି ବିରୋଧ କରେନିସମସ୍ତଙ୍କ "ହଁ"ରେ ହଁ ମିଶାଏ, ନିଜର ପସନ୍ଦ ନାପସନ୍ଦ ମନରେ କିଛି ରଖେନି,ସମସ୍ତଙ୍କୁ ହସି ହସି କଥା କୁହେହେଲେ ଅନ୍ତରରୁ ଝରୁଥାଏ ପଶ୍ଚାତ୍ତାପର ଝରଣା ।
**********
ଗତକାଲି ଇନ୍ସ୍ୟରାନ୍ସ ବାଲା ଗୋଟିଏ ଫର୍ମ ଦେଇ ଯାଇଛନ୍ତି । ରାତିରେ ଫର୍ମ ଭରୁଥିବା ସମୟରେ କିଛି ଦରକାରୀ କାଗଜପତ୍ର ପାଇଁ ସମୀର ର ବ୍ରିଫକେସ୍ ଖୋଲିଲା । ସମୀର ର ବ୍ରିଫକେସ୍ ଖୋଲିବା ସହିତ ଅନେକ ପୁରୁଣା ସ୍ମୃତି ମନ ଗହୀରରୁ ଧୀରେ ଧୀରେ ତାଜା ହେବାରେ ଲାଗିଥାଏ । ଛାତିର କୋହକୁ ଛାତିରେ ରଖି ଦରକାରୀ କାଗଜ ଖୋଜୁଥାଏବ୍ରିଫକେସ୍ ଭିତରୁ ସମୀରର ମୋବାଇଲ ଫୋନ୍ ମିଳିଲା ।
ମୋବାଇଲ୍ ଫୋନ୍ ଡିସଚାର୍ଜ ହୋଇ ପଡିଥାଏ ।
ଦରକାରୀ କାଗଜ ସହିତ ସେ ଫୋନ୍ କୁ ମଧ୍ୟ ନିଜ ପାଖେ ରଖି ବ୍ରିଫକେସ୍ ବନ୍ଦ କରିବା ପରେ ସାମାନ୍ୟ ସ୍ବାଭବିକ ଅନୁଭବ କଲା ।
*******
ଆଜି ତାକୁ ନିଦ ହେଉନଥାଏ ।
ବିପ୍ ,ବିପ୍ ମେସେଜ୍ ର ଶବ୍ଦ।
"ଅନ୍ୟମନଷ୍କତାର ସହିତ ନିଜ ଫୋନ୍ ଉଠାଇ ଚେକ୍ କଲା ନାଁ,ସମୀର ଫୋନ୍ ର ମେସେଜ୍ ଟୋନ୍ ।
ହ୍ବାଟସଅପ ମେସେଜ୍ ।
ମହାପାତ୍ର ବାବୁ ୧୫ ମେସେଜ୍ ।
ମିଶ୍ର ସାରେ ୨୨ ମେସେଜ୍ ।
ମହିମା ଆଣ୍ଟି ୬ ମେସେଜ୍ ।
ସୁମନ ୩ ମେସେଜ୍ ।
"ସୁମନ "
ଏକ ପ୍ରକାର କ୍ଷୋଭ ଓ ଉତ୍ସୁକତା ମିଶ୍ରିତ ଭାବନାରେ ସେ ସୁମନ ଉପରେ କ୍ଲିକ୍ କଲା ।
"GOOD MORNING"
"GOOD NIGHT"
"କଣ କିଛି ରିପ୍ଲାଇ କରିବନି ?" ତିନୋଟି ମେସେଜ୍ ଏହି ପ୍ରକାରର ।
ସେ ପୁରୁଣା କନଭରସେସନ ପଢିଲା ।
ସପ୍ତାହସପ୍ତାହ,ମାସ ମାସ ପୂର୍ବ ମେସେଜ୍ ।
ସେ ଯେତେ ଯେତେ ପୁରୁଣା ମେସେଜ୍ ପଢୁଥାଏ ସମୀରର ଭାବନାତ୍ମକ ଆବେଗର ସନ୍ଧାନ ପାଉଥାଏ ।
ସୁମନ ସୁନ୍ଦର ସାଧା ସିଧା ଖୋଲା ମନୋଭାବ ଝିଅଟିଏ ଥିଲା ଓ ସେ ତାର ବୈବାହିକ ଜୀବନରେ ଜମା ବି ଡିଷ୍ଟର୍ବ କରୁନଥିଲା । ସେ ମାନସିକ ସ୍ତରରେ ସମୀର ର ଭଲମନ୍ଦ ବୁଝୁଥିଲା ଜଣେ ସ୍ବାବଲମ୍ବି ପ୍ରିୟ ବାନ୍ଧବୀ ପରି,ଯେମିତି ଖାଇବା ପିଇବା, ସ୍ବାସ୍ଥ୍ୟ, ଘର,ପରିବାର ଓ ପିଲାଛୁଆଙ୍କ ପ୍ରତି ଦାୟିତ୍ବବାନ ହେବା ପାଇଁ ସମୀରକୁ ବାରାମ୍ବାର ମନେ ପକାଉଥିଲା ।
ସମୀରର ରଙ୍ଗଢଙ୍ଗ ଭିତରେ ଏକ ବାଳୁତପଣ ବି ଲୁଚି ରହିଥିଲା । କେହି ନଜାଣିଲେ ବି ରେଖା ଏସବୁ ମର୍ମେ ମର୍ମେ ବୁଝିଛି ଓ ଅଙ୍ଗେ ନିଭେଇଛି । ସମୀରର ପ୍ରତି ଆବଶ୍ୟକତାରେ ରେଖା ଲୋଡା ପଡେ ।
ଦୁହେଁ ସପନ ସହରର ସହଯାତ୍ରୀ ଥିଲେ,ଯେଉଁ ସହର ଦୁନିଆର ବନ୍ଧନରୁ ବହୁତ ଆଗରେ । ଦୁହିଁକ ମଧ୍ୟରେ ଭେଟଘାଟ ହେବାର କୌଣସି ଯୋଜନା ନଥିଲା କିନ୍ତୁ ଦୁହେଁ ଦୁହିଁକ ଭଲମନ୍ଦରେ ସମଭାବନା ବ୍ୟକ୍ତ କରୁଥିଲେ । ଦୁହେଁ ଦୁହିଁକୁ ଭୁଲିବାକୁ ଚାହୁଁନଥିଲେ ।
ସୁମନ… ସମୀର ପରିବାରର ପ୍ରତ୍ୟେକଟି ସଦଶ୍ୟଙ୍କ ଭଲମନ୍ଦ ବୁଝୁଥିଲା । ରେଖା ପ୍ରତି ସମୀରର କର୍ତ୍ତବ୍ୟକୁ ବାରମ୍ବାର ମନେ ପକାଉଥିଲା,ପ୍ରତି କ୍ଷେତ୍ରରେ ହିତୋପଦେଶ ଦେଉଥିଲା ଜଣେ ଅନ୍ତରଙ୍ଗ ବାନ୍ଧବୀର ଭୂମିକା ନିର୍ବାହ କରି ।
ରେଖା ମନରେ ସୁମନ ପ୍ରତି ଦୟାଭାବ ଜାଗ୍ରତ ହେଉଥାଏ,ଧୀରେ ଧୀରେ ସନ୍ଦେହର ବିଷ ଅମୃତମୟ ରେ ପରିବର୍ତ୍ତନ ହେଉଥାଏ । ରେଖା ବୁଝି ପାରୁଥାଏ ସୁମନ ତା ପାରିବାରିକ ସମସ୍ୟାର ସମାଧାନ କରୁଥିଲା କୌଣସି ବୈବାହିକ ସମସ୍ୟାର ଜନ୍ମଦାତ୍ରୀ ସୁମନ ନୁହଁ ।
ସେ ସମୀର ତରଫରୁ ସୁମନକୁ ହ୍ବାଟସଅପ ମେସେଜରେ ଚାଟିଙ୍ଗ କଲା,କ୍ରମାଗତ ଭାବେ ଚାଟିଙ୍ଗ ଅନେକ ଦିନ ଯାଏ ଅବ୍ୟାହତ ରହିଲା । ଥରେ ଦୁଇଥର ଫୋନ୍ ଆସିଥିଲା, ରେଖା ଫୋନ୍ ଗ୍ରହଣ ନକରିବାରୁ ଆଉ ଫୋନ୍ ଆସିଲା ନାହିଁ । କିନ୍ତୁ ହ୍ବାଟସଅପ୍ ମେସେଜ୍ ଚାଟିଙ୍ଗର ଯାତ୍ରା ଆଜି ବି ଜାରି ଥିଲା । ଧୀରେ ଧୀରେ ରେଖା ବି ହ୍ବାଟସଅପ ଚାଟିଙ୍ଗରେ ଅଭ୍ୟସ୍ତ ହୋଇଗଲା ଓ ଏହି ବାହାନାରେ ସମୀରକୁ ବଞ୍ଚାଇ ରଖିଥାଏ ।
ଟ୍ରିନ୍…ଟ୍ରିନ୍ ।
କେହି ଜଣେ ସଦର ଦରଜାରେ ଦଣ୍ଡାୟମାନ । ବୋଧହୁଏ ଜଣେ ମହିଳା । ସେ ଦରଜା ଖୋଲିଲା, "ହେଲୋ" ସ୍ମିତହାସ୍ୟ ଭରା ବଦନରେ ଆଗନ୍ତୁକା ସମ୍ଭୋଧନ କଲେ ।
"ହାଏ" ପ୍ରତିଉତ୍ତରରେ ରେଖା ହାତ ହଲାଇ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଥାଏ ।
"ଆପଣ ରେଖା ଅଟନ୍ତି ନା?" ସମୀରର ଓ୍ବାଇଫ୍ ।
"ହଁ",କିନ୍ତୁ?
"ମୁଁ ସୁମନ, ଆଗନ୍ତୁକା ବିଶ୍ବାସ ଓ ଦମ୍ଭର ସହିତ କହିଥିଲେଯେପରି ବହୁ ପୂର୍ବରୁ ସେ ରେଖାକୁ ଜାଣନ୍ତି ।
" ଆସନ୍ତୁ ।"
ରେଖା ଭିତରକୁ ଆସିବା ପାଇଁ ନିମନ୍ତ୍ରଣ କଲା ।
ସୁମନ,ଗୋଲ ମୁହଁଖଣ୍ଡାଧାର ପରି ନାକ,ପୋଟଳ ଚିରା ଆଖି,ଓଠରେ ଗୋଲାପି ଲିପିଷ୍ଟିକ୍,ସାବନା ରଙ୍ଗ,ଅନମ୍ୟାରେଡ୍ ମହିଳାକିନ୍ତୁ ଦେଖିବା ପାଇଁ କେଉଁ ଉର୍ବଶୀ ଠାରୁ କମ୍ ନୁହଁ । ବିଲକୁଲ୍ ମେକଅପ୍ ନକରି ମଧ୍ୟ ସୁମନ ଖୁବ୍ ସୁନ୍ଦର ଦେଖା ଯାଉଥିଲା । ହସ ହସ ବଦନଟି ତାର ରୁପକାନ୍ତି ଦ୍ବିଗୁଣିତ କରୁଥାଏ ।
ସୁମନ ଓ ରେଖା,ସାମନା ସାମନି,ହଠାତ୍ ଖଣ୍ଡେ କଳା ହାଣ୍ଡିଆ ମେଘ ସୁମନର ମନ ଆକାଶରେ ।
ସମ୍ବେଦନାର ଶବ୍ଦ ଗୁଡିକ ଉଭାନ ହୋଇ ଯାଇଥାନ୍ତିକେବଳ ଥରିଲା କଣ୍ଠରେ ସୁମନ ଏତିକି କହି ପାରିଲା,
"ଗଲା ସପ୍ତାହରେ ସମୀର ବିଷୟରେ ଜାଣିବାକୁ ପାଇଲି ।"
ସମ୍ପୂର୍ଣ୍ଣ ନୀରବ, ଉଭୟ ନିଶବ୍ଦ । କିଛି ସମୟର ନୀରବତା ପରେ ରେଖା ସୁମନ ପାଇଁ ଚା କରି ଆଣିଲା । ଅଳ୍ପ କିଛି ହାଲଚାଲ୍ ବୁଝିବା ପରେ ସୁମନ ଫେରିଗଲା ।
************
ଆରେ ସୁମନ ତ ନିଜ ଫାଇଲ୍ ଛାଡିଗଲା ।
*********
ଶୋଇବା ସମୟରେ ରେଖାକୁ ଏକ ଅଦ୍ଭୁତ ଧରଣର ଖୟାଲ ମନରେ ଆସୁଥାଏ । ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ,କିଛିର ଉତ୍ତର ନିଜ ପାଖେ ଓ କିଛିର ଉତ୍ତର କାହା ପାଖେ ବି ନାହିଁ । ସମୟ କାହ ଆୟତ୍ତରେ ନା ସମୟକୁ କିଏ ନିଜ ଆୟତ୍ତରେ ରଖି ପାରିବ ।
"ବିଚରା" ବାପା ମାଆ ଛେଉଣ୍ଡ ଝିଅଟା ମାତ୍ର ଛଅମାସର ଅତିଥି,ନିଜ ଦୁଃଖ ଠାରୁ ସୁମନର ଦୁଃଖରେ ସେ ଅଧିକ ଦୁଖୀ ହେଉଥାଏଭାଙ୍ଗି ପଡୁଥାଏ ଓ ବୁଝିପାରୁଥାଏ ସମୀର କାହିଁକି ଅନେକ ସମୟରେ ଚାଟିଙ୍ଗ କରନ୍ତି । ସୁମନକୁ ଯେ ବ୍ଲଡ କ୍ୟାନ୍ସର ।
***********
ସେ ହ୍ବାଟସଅପ୍ ଖୋଲିଲା ।
ସମ୍ବେଦନା ଜଣେଇବା ପାଇଁ ନୁହଁ ବରଂ ଓଠରେ ଟିକିଏ ହସ ଦେବା ପାଇଁ ।
"ବିପ୍ ,ବିପ୍ ।
"ହ୍ବାଟସଅପ ମେସେଜ୍ ଥିଲା ସୁମନର, "ହେଲୋ ସମୀର,ଫ୍ରି ଅଛ ?
ହଁ
ଡିନର ସରିଲାଣି ?
ହଁ, ଆଉ ତୁମର ?
*********
"ସବୁ ରାତିରେ ଚାଟିଙ୍ଗ ଜାରି ରହିଲା, ରେଖା ସମୀର ଭୂମିକାରେ, " ଶେଷ ବିଦାୟ ଦେବା ଯାଏ, ଜଣେ ସ୍ତ୍ରୀ ଓ ଜଣେ ବାନ୍ଧବୀ ସମୀରକୁ ବଞ୍ଚାଇ ରଖିଲେ ଆସନ୍ତା କିଛି ମାସ ଯାଏ ।