Sachidananda Kar

Fantasy

5.0  

Sachidananda Kar

Fantasy

ଦୁଃସ୍ବପ୍ନ

ଦୁଃସ୍ବପ୍ନ

2 mins
348



       ଏବେ ଏମିତି ହେଉଛି। ସବୁ ରାତିରେ ନିଦ ଭାଙ୍ଗୁଛି।କେମିତି ସବୁ ସ୍ବପ୍ନ ମୋର ନିଦ ଭାଙ୍ଗି ଦେଉଛନ୍ତି। ଘଡିକିଘଡି ଉଠି ପାଣି ପିଉଛି ମୁଁ।ଶୋଷ ମରୁନି,ରାତି ପାହୁନି କି ସ୍ବପ୍ନ ଦେଖା ସରୁନି। କି ଯେ ଅଜବ ସ୍ବପ୍ନ ସେସବୁ !


       ଏବେ ଦିନେ ସ୍ବପ୍ନରେ ନାନା ବାୟା ଗୀତ ଶୁଣିଲି।ପ୍ରଥମେ ପ୍ରଥମେ ମନେହେଲା ଯେମିତି କେଉଁ ଗଛ ଡାଳରେ ବସି କୋଇଲିଟେ ନାନା ବାୟା ଗାଉଛି।ବୁଲିବୁଲି ଖୋଜିଲି।ଦେଖିଲା ବେଳକୁ କୋଇଲି ନୁହେଁ,କୁଆଟେ ଗାଉଛି।ଆଶ୍ଚର୍ଯ୍ୟ ହେଲି ଯେ ମୋର ନିଦ ଭାଙ୍ଗିଗଲା।


       ଫଗୁଣ କାହିଁ ଯେ କୋଇଲି ଗାଇବ ! ସେ'ତ କେବେଠୁ ଫେରାର୍ ଏଠି। - ଉଠି ବସି ଏମିତି ଭାବିଲି।


       ଆଉ ଦିନେ ନିଦରେ ଗୋଟିଏ ନାବାଳିକା ଆସିଲା।ତା'ର କଅଁଳିଆ ପାଦ,ଶାନ୍ତ ଆଖି,ନାଲି ଓଠ ମୋତେ ତା' ମନସ୍କ କଲା।ସେ ଚାଲି ଆସି ମୋ କାନ ପାଖରେ ଧୀରେ କହିଲା - " ମୋତେ ରକ୍ଷାକର।ଏ କାମାନ୍ଧ ମଣିଷମାନେ ମୋତେ ଖାଇ ଯିବାକୁ ବସିଛନ୍ତି। " ସ୍ତବ୍ଧ ହୋଇ ତାକୁ ଚାହିଁ ରହିଲି।


        ସେ ପୁଣି କହିଲା - " ମୋତେ ଥରେ ନିରିଖେଇ ଦେଖ ତ ! ମୋର ମାଂସଳ ଶରୀରରେ କାମାନ୍ଧର ଶୋଷ ମାରିବା ପାଇଁ କିଛି ଅଛି କି ? ସେମାନଙ୍କୁ ମୁଁ କ'ଣ ସେମାନଙ୍କ ଝିଅ ପରି ଦିଶୁନାହିଁ ? ମୋର ଦେହ କ'ଣ ଦେହଜୀବିର ଦେହ ଯେ ସେମାନେ ମନ ଇଚ୍ଛା ଉପଭୋଗ କରିବାକୁ ଚାହୁଁଛନ୍ତି ? ପାରିବ ତ ରକ୍ଷାକର ମୋତେ।ପାରିବ.....? "


        ତା'ର ଏତିକି କଥାରେ ମୁଁ ଚିତ୍କାର କରି ଉଠିଲି ଯେ ମୋର ନିଦଟା ଭାଙ୍ଗିଗଲା। ଇଏ କି ମର୍ଦ୍ଦପଣ ! କାହିଁକି ଏ ଦୁଃସାହସ ! କୁନି ଝିଅଟେ ସେ।ଥରେ ତ ତାକୁ ସ୍ନେହରେ ଭିଜାଇବା ଶିଖ।ଭିଜେଇଦିଅ।ଦେଖିବ ସେ ତୁମ ପାଇଁ ନିଶ୍ଚେ ଗୋଟେ ସ୍ବର୍ଗ ତିଆରି ଦବ। - ଉଠି ବସି ଏମିତି ଭାବିବାକୁ ବାଧ୍ୟ ହେଲି।


  ଆଉ ଦିନେ ବିଧବା ନାରୀଟେ ଆସିଲା ମୋ ସ୍ବପ୍ନରେ।ତାକୁ କେମିତି ସାମ୍ନା କରିବି ଭାବି ମନେମନେ ଡରିଗଲି।ମୋ ହୃଦୟରେ ଆତଙ୍କ ଖେଳିଗଲା। ଧୀରେଧୀରେ ମୋର ନିକଟତର ହେଲା ସେଇ ନାରୀ।ଏବେ ଦେଖିଲି - ହାତରେ ଶଙ୍ଖା, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ନ ଥିଲେ କ'ଣ ହେଲା, ପଦ୍ମ ଫୁଲ, ମଲ୍ଲୀ କି ଚମ୍ପା ହାର୍ ମାନିଯିବ ତା'ର ସୌନ୍ଦର୍ଯ୍ୟ ପାଖରେ।ବେଶ୍ ଗୋଟିଏ ତପସ୍ବିନୀ ଭଳି ଦିଶୁଥିଲା ସେ। ମୋ ଭାବନା ଭୁଲ୍ ହେଲା।ମୁଁ ଆଉ ଆତଙ୍କିତ ହେଲିନାହିଁ।ବରଂ ପଚାରିଲି - " କୁଆଡେ ? ତୁମେ କୁଆଡେ ଆସିଛ,ଦେବୀ ? "


        ସେ ତା'ର ଉତ୍ତରରେ କହିଲା - " ମୁଁ ଜଣେ ଶହୀଦଙ୍କ ପତ୍ନୀ।ହେଲେ ଏବେ ଅଲୋଡ଼ା ଅଖୋଜା ପରି ପଡି ରହିଛି।ଏ ଦେଶର ଜଣେ ଯବାନଙ୍କୁ ବିବାହ କରିବା କ'ଣ ମୋର ଭୁଲ୍ ଥିଲା ତେବେ ? କେବେ ତ ଥରେ ଆସ ମୋ ଘରକୁ।ମୋ ଅବସ୍ଥା ଦେଖିଯାଅ।କିଛି କ'ଣ କରି ପାରିବନି ତୁମେ ମୋ ପାଇଁ ?କ'ଣ....? ପାରିବନି....? "


       ତାକୁ ଚୁପ୍ କରାଇ ଦେବାକୁ ତା' ମୁହଁରେ ହାତ ଦେଇ ଦେଲି ଯେ ମୋ ନିଦ ଭାଙ୍ଗିଗଲା।


       ହାୟ ! ଜଣେ ଯବାନର ବିଧବା ପତ୍ନୀଙ୍କୁ ଏଠି ଏମିତି ଏକ ଅଲୋଡା ଜୀବନ କାଟିବାକୁ ହୁଏ ! ହୋ ରାଜା ! ତୁମେ କ'ଣ କରୁଛ ତେବେ ? କାହିଁକି ଏ ଅବିଚାର ! ସିଂହାସନରୁ ଓହ୍ଲାଇ ଆସି ଥରେ ତ ବୁଲି ଦେଖ ! - ଉଠି ବସି ବିଳାପ କରିବାକୁ ଲାଗିଲି।ମୋ ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହେଉଥିଲା।


        ଏବେ ପ୍ରତି ରାତିରେ ମୋର ନିଦ କୁଆଡେ ହଜି ଯାଉଥିଲା।କାହିଁକି କେଜାଣି ଏମିତି ସବୁ ସ୍ବପ୍ନ ଦେଖୁଥିଲି ମୁଁ ।ରାତି ପାହୁଥିଲା,ସ୍ବପ୍ନ ସରୁ ନ ଥିଲା।ନିର୍ଜୀବ ପରି ପଡି ରହୁଥିଲି।


       ଏହାକୁ ସ୍ବପ୍ନ କହିବି ନା ଦୁଃସ୍ବପ୍ନ !


        ଦୁଃସ୍ବପ୍ନ......!!!


Rate this content
Log in

Similar oriya story from Fantasy