Siddhartha Tripathy

Comedy Crime Inspirational

4.0  

Siddhartha Tripathy

Comedy Crime Inspirational

ଦଶହରା ବଟି

ଦଶହରା ବଟି

4 mins
385


  ବୁଝିଲ ନବଘନବାବୁ ! ବାପାମାଆ ଏତେ କଷ୍ଟରେ ଇଞ୍ଜିନିୟରିଂ ପାଠ ପଢେଇଲେ । କେତେ ଆଶା, ପୁଅ ଇଞ୍ଜିନିୟର ହୋଇ ବଡ କୋଠାଘର କରିବ, ଆମକୁ ଖୁସିରେ ରଖିବ । ଭଲ ଚାକିରୀ । ଆବାହମାନ କାଳରୁ ଚାଲିଆସିଛି ଇଞ୍ଜିନିୟରର ପ୍ରାପ୍ୟ ପୂର୍ବ ନିର୍ଦ୍ଧାରିତ । ତାହାକୁ ଲାଞ୍ଚ କିମ୍ୱା ବଟି ରୂପରେ ଗଣତି କରାଯାଏ ନାହିଁ । ହେଲେ ଏ ନିଆଁଗିଳା ମହାମାରୀର ପ୍ରକୋପରେ ସବୁ ନିୟମ ବଦଳିଗଲା, କ୍ଷୋଭରେ କହୁଥିଲେ ଜିଲ୍ଲା ଅଫିସରେ ଅବସ୍ଥାପିତ ସନତ ବାବୁ । ନବଘନ ବାବୁ ହେଉଛନ୍ତି ଜିଲ୍ଲା ଅଫିସର ଉପବିଭାଗୀୟ ଅଧିକାରୀ । ନବଘନବାବୁ କହିଉଠିଲେ, ହଇହୋ ସନତବାବୁ, ଏଇ ଚାରିଦିନ ତଳେ କହୁଥିଲ ଆଜିକାଲି ଦୁର୍ନୀତି ବିଭାଗର ଚଢୋଉ, ତାଛଡା କ୍ଷେତ୍ର ପରିଦର୍ଶନ, ଉପରିସ୍ଥ ଅଧିକାରୀଙ୍କୁ ଖୁସିକରିବା, ଏସବୁ ଝାମେଲାରେ ପଶିବା ଅପେକ୍ଷା ଜିଲ୍ଲା ଅଫିସରେ ଫାଇଲ୍ ଚାଷ ଭଲ । 


  ଆଜି କାହିଁକି କରୋନା, ଦୁର୍ନୀତି, ଅର୍ଥ ଆଡକୁ ମନ ବଳେଇଛନ୍ତି କହିଲେ ନବଘନ? ସନତ ବାବୁ କହିଲେ ନା ଆଜ୍ଞା, ଆପଣଙ୍କର ସିନା ସ୍ୱାମୀ, ସ୍ତ୍ରୀ ଉଭୟ ଚାକିରୀଆ, ତାଛଡା ଛୁଆମାନେ ପାରିଗଲେଣି, ଆପଣଙ୍କୁ ଲକ୍ଷ୍ୟ କରି ତ ମୁଁ ବି ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ । ଏଇ ଦେଖୁନାହାନ୍ତି ପ୍ରତିଦିନ ଦୂରଦର୍ଶନ ଗଳା ଫଟାଇ ଚିତ୍କାର କରୁଛି ବିଭିନ୍ନ କର୍ମଚାରୀ ଦୁର୍ନୀତି ନିବାରଣ ଅଧିକାରୀଙ୍କ ଜାଲରେ, ତାପରେ ଜେଲ୍ । ବଦନାମ ନା । ତା ଅପେକ୍ଷା ଏମିତି ଶାନ୍ତିରେ ବଞ୍ଚିବା ଆରାମଦାୟକ । ସନତବାବୁଙ୍କ ମନକଥା ମାପି ପାରି ସ୍ମିତ ହସି ନବଘନ ବାବୁ କହୁଥିଲେ ଓଃ ତା ମାନେ ଜଗତଜନନୀ ମହାମାୟୀ ମାଆ ଦୁର୍ଗାପୂଜା ଅବସରରେ ଆପଣଙ୍କୁ ଉତ୍କୋଚ ଦରକାର । 


  ଚିଡି ଉଠିଲେ ସନତବାବୁ । କହିଲେ ନା ନା ନବଘନ ବାବୁ, ସେକଥା ନୁହଁ, ଦଶହରାରେ ଖୁସିରେ କିଏ କଣ ଦେଲେ ରଖିବାରେ ଆପତ୍ତି ନାହିଁ । ତାଛଡା ଅନ୍ୟ ଦପ୍ତରରୁ ଯେ କେହି ବି ଆସୁଛନ୍ତି ସବୁ କିଛି ତ ଅଧିକାରୀଙ୍କ ପେଟକୁ ନିଅଣ୍ଟ, ଆମକଥା ପଚାରେ କିଏ ? ହଠାତ ଆସି ପହଞ୍ଚିଗଲେ ଇଞ୍ଜିନିୟର ମହାପାତ୍ର ବାବୁ । ପାଠ ପଢା ସାଙ୍ଗ । ଖୁସିରେ ଆଶାର ଆଲୋକ ସଞ୍ଚାର ହେଲା ସନତବାବୁଙ୍କ ମୁଖମଣ୍ଡଳରେ । ନବଘନ ବାବୁ କହିଉଠିଲେ, ଏଇ ଆପଣଙ୍କ ଲୋକ ଆସିଗଲେ । ଚୁପଚାପ ନବଘନ ବାବୁଙ୍କ ଠାରୁ ବିଦାୟନେଇ ମହାପାତ୍ର ବାବୁଙ୍କ ସହ ନିଜ ପ୍ରକୋଷ୍ଠରେ ପହଞ୍ଚିଲେ ସନତବାବୁ । 


 ଭଦ୍ରାମୀ ଦୃଷ୍ଟିରୁ ଚପରାଶୀକୁ ଡକାଇ ଚାହା ବରାଦ କଲେ । ଚାହାପିଆ ପର୍ବ ସରିଲା । ମହାପାତ୍ର ବାବୁଙ୍କ ସାଙ୍ଗରେ ପଣ୍ଡାବାବୁ । କଥାରେ ଅଛି ଲୋଭରୁ ମୃତ୍ୟୁ । ଦୁଇଦୁଇଜଣ ଯନ୍ତ୍ରୀ । ବୋଧେ ଧନରାଶୀ ଅଧିକ, ତେଣୁ ଦୁଇଦୁଇଜଣ ଯନ୍ତ୍ରୀ ଟଙ୍କା ବାଣ୍ଟିବାକୁ ଆସିଯାଇଛନ୍ତି । ମନେମନେ ମାଆ ଦୁର୍ଗାଙ୍କୁ ପ୍ରଣାମ କରୁଥିଲେ ସନତବାବୁ । ଜିଲ୍ଲା ଅଫିସରେ କାଗଜଚାଷ, ଆମଦାନୀ ଶୂନ । ହଁ ଏମିତି ପୂଜାପାର୍ବଣରେ ଖୁସିବାସି । ଦୁଇପଇସା ମିଳିବାର ଆଶା । 


  ଚାହାପିଆ ପର୍ବ ସରୁସରୁ ମହାପାତ୍ରବାବୁ କହିଲେ ଭାଇ ପେଟ୍ରୋଲ ଖର୍ଚ୍ଚ ରଖ ଏଇ ଟଙ୍କା ହଜାରେ । ଚମକିଉଠିଲେ ସନତବାବୁ । ଆରେ ଅତିକମରେ ଟଙ୍କା ଦଶହଜାର ଆଶା କରୁଥିଲେ, ହେଲେ ଏ କଣ ? ସନତବାବୁ ଚାହା ଜଳଖିଆରେ ଦୁଇଶହ ଖର୍ଚ୍ଚ କରିସାରିଲେଣି । ଟଙ୍କା ହଜାରେ ?? ମନଟା ଖଟକା ହୋଇଗଲା । ସ୍ଵାଭିମାନରେ ବି ଆଞ୍ଚ ଆସିଲା ପରି ପରିଲକ୍ଷିତ ହେଉଥିଲା ସନତବାବୁଙ୍କ ମୁଖମଣ୍ଡଳରୁ । 



  ଚାଲାକ ସନତବାବୁ ହଠାତ କହିଉଠିଲେ, ହଇହୋ ମହାପାତ୍ର ବାବୁ, ତମେ ତ ଜାଣ ମୁଁ ଲାଞ୍ଚ ବିରୋଧି । ତେଣୁ ତ ଜିଲ୍ଲା ଅଫିସରେ ଇଞ୍ଜିନିୟର ହେଲେ ବି କିରାଣୀ ପରି ତମମାନଙ୍କର ସେବାରେ ନିୟୋଜିତ ଅଛି । ଉଠାଅ ଏ ଟଙ୍କା । ଏସବୁ ପ୍ରଥାକୁ ମୁଁ ବିରୋଧ କରେ । ପୂଜାବଟି ପ୍ରଥା କରୋନା ମହାମାରୀ ଠାରୁ ବି ଭୟଙ୍କର । ତା ଛଡା ମୋ ଓଜନ କଣ ଏକ ହଜାର ?


  ଆଶ୍ଚର୍ଯ୍ୟ ହୋଇଗଲେ ମହାପାତ୍ରବାବୁ । ସେ ତ ଲାଞ୍ଚ ଦେଉନଥିଲେ, ହେଲେ ସନତ ଏମିତି କଣ କହୁଛନ୍ତି । ଟଙ୍କା ନେଇ ଉଠିଗଲେ ପଣ୍ଡା ଓ ମହାପାତ୍ରବାବୁ । ବାହାରକୁ ଆସି କଥାହେଉଥିଲେ, ଶଳା ! କି ଯୁଗ ହେଲା କେଜାଣି । କାହିଁକି ବାପା ମାଆ ଏଇ ଇଞ୍ଜିନିୟରିଂ ପାଠ ପଢୋଉଥିଲେ କେଜାଣି ? ତେଲିଆ ମୁଣ୍ଡରେ ତେଲ । ସତେ ଯେମିତି ଇଞ୍ଜିନିୟର ହିଁ ଲାଞ୍ଚ ନିଏ, ଆଉ ସବୁ କର୍ମଚାରୀ ସଚ୍ଚୋଟ ? ଟଙ୍କା ବାଣ୍ଟିବାକୁ ଅଫିସ ଅଫିସ ଘୁରି ବୁଲ, ତାପରେ ଖୋସାମତ କରି ଏମିତି ଅଫିସରମାନଙ୍କୁ ଟଙ୍କା ଦେଇ ଦୁଇପଦ ଶୁଣ । ଏ ସନତବାବୁଟା ଆଗକୁ ହଇରାଣ କରିବ କି କଣ ?



  ପଣ୍ଡାବାବୁ କହୁଥିଲେ, ଭାଇନା, ବ୍ୟସ୍ତ ହୁଅନି, ତମେ ବୋକାଟା । ଟଙ୍କା ଦେବା ପଦ୍ଧତି ଜାଣି ନାହଁ । ସେ ଟଙ୍କା ଦିଅ । ଚାଲିଗଲେ ଦୁହେଁ । ସନତବାବୁ ଭାବୁଥିଲେ, ଯା, ଟଙ୍କାଟା ଫେରାଇଦେଲି ମୂଳ ବୁଡିଗଲା । ଅଶାନ୍ତିରେ ଦିନଟି କଟିଲା । 



  ସନ୍ଧ୍ୟାବେଳକୁ ପଣ୍ଡାବାବୁଙ୍କ ଫୋନ କଲ୍ । ଭାଇନା ! ମୁଁ ରାତି ଆଠଟା ବେଳେ ଆପଣଙ୍କ ସାହି ଛକକୁ ଆସିବି । ଆପଣ ଗାଆଁକୁ ପଳେଇ ଯିବେ ନାହିଁ । ହଁ ଆଉ ଗୋଟିଏ କଥା, ଆଜିକାଲି ଧରପଗଡ ଅଧିକ । ଆପଣ ଠିକ୍ ରାତି ଆଠଟାରେ ଛକରେ ଠିଆ ହୋଇଥିବେ ମୁଁ ପହଞ୍ଚିବି । ଉତ୍କଣ୍ଠା ବଢିଗଲା ସନତବାବୁଙ୍କର । ପଣ୍ଡାବାବୁଙ୍କର ଭୁରିଭୁରି ପ୍ରଶଂସା କରିବା ସହ କହିଲେ, ସେ ମହାପାତ୍ରବାବୁଟା ଭଲ ନୁହଁ, ଲୋକଙ୍କ ଓଜନ ମାପିପାରେନା ଏତେବର୍ଷର ଚାକିରୀ ଭିତରେ ବି । ହେଲେ ପଣ୍ଡାବାବୁ ତମ କଥା ନିଆରା । 



   ଖରାବେଳେ ଖାଇବାରେ ବି ମନଲାଗିଲାନି । ଜଲ୍ଦି ଟଙ୍କାଟା ପାଇଲେ ଘରକୁ ଯିବେ । ଘରେ ପିଲାଛୁଆ ସ୍ତ୍ରୀଙ୍କର ଲମ୍ୱା ତାଲିକା । ରାତି ଆଠଟା । ଛକରେ ପହଞ୍ଚିଗଲେ ସନତବାବୁ । ଅପେକ୍ଷା ପଣ୍ଡାବାବୁଙ୍କର ଆଗମନକୁ । ଓଃ, ଅନ୍ଧାରକୁ ମଶା ଓ ଛକରେ ମଦ୍ୟପଙ୍କ ଅତ୍ୟାଚାର । ଦେଖୁଦେଖୁ ନଅଟା ବାଜିଲା । ବାରମ୍ବାର ଫୋନ କଲେ ପଣ୍ଡାବାବୁଙ୍କର ଉତ୍ତର ଭାଇନା, ଏଇପରା ଆସୁଛି । 


  ଅପେକ୍ଷାର ଅନ୍ତ ଘଟାଇ ପହଞ୍ଚିଗଲେ ପଣ୍ଡା ବାବୁ । ଅନ୍ଧାରରେ ବଢାଇ ଦେଲେ ମୋଟା ପକେଟଟିଏ । କହିଉଠିଲେ, ଭାଇନା ଏଇ ନିଅନ୍ତୁ ପୂଜାବଟି । ଖୁସିରେ କେତେ ଟଙ୍କା କଣ ନପଚାରି ଗଦଗଦ ହୋଇ ବିଦାୟ ନେଲେ ଦୁହେଁ । ମନର ବ୍ୟାକୁଳତା ତଥା ଲୋଭସମ୍ୱରଣ କରିନପାରି ସାହିପାଖ ଇଲେକ୍ଟ୍ରିକ ପୋଲ ପାଖରେ ପ୍ୟାକେଟଟି ଖୋଲି ଚମକିଉଠିଲେ ସନତ ବାବୁ । ଆରେ ଏ କଣ ? ସକାଳେ ମହାପାତ୍ରବାବୁ ପାଞ୍ଚଶହ ଟଙ୍କିଆ ଦୁଇଟି ବଢାଉଥିଲା ନନେଇ ପ୍ରବଚନ ଶୁଣେଇ ବିଦାୟ କଲି । ଅଥଚ ଚାଲାକ ପଣ୍ଡାବାବୁ ପଚାଶ ଟଙ୍କିଆ କୋଡିଏଟି ରଖି ବଡ ପ୍ୟାକେଟକରି ଦେଇ ଚାଲିଗଲେ । ବୋକା କିଏ ??? 


  ମନେପଡୁଥିଲା, ଉପବିଭାଗୀୟ ଅଧିକାରୀ ନବଘନବାବୁଙ୍କ କଥା । ପ୍ରକୃତରେ ଉତ୍କୋଚ କଷ୍ଟଦାୟୀ । ସେ ପୂଜାବଟି ହେଉ ବା ଯାହାକିଛି । ଆକାଶକୁ ଅନେଇଥିଲେ ସନତ ଗ୍ଳାନିରେ, କ୍ଷୋଭରେ, ଅନୁତାପରେ । ହଠାତ ଆକାଶରେ ଦେଖାଗଲା ଟୁଟାତାରା । ସନତବାବୁ କହୁଥିଲେ, ଛୋଟବେଳୁ ଶୁଣିଛି, ଟୁଟାତାରାକୁ ଯାହା ବି ମାଗିଲେ ମିଳେ । ହାତଯୋଡି ସନତବାବୁ କହୁଥିଲେ, ହେ ଟୁଟା ତାରା ! ବନ୍ଦକର ଏ ପୂଜାବଟି ପ୍ରଥା । ବନ୍ଦକର ଏ ଉତ୍କୋଚ । ଦୁର କର ପୂଜା ବଟି ଦେଇ ଅଶାନ୍ତି ଓ ନେଇ ଅଶାନ୍ତି । ନିଜର ସ୍ଵାଭିମାନକୁ ଜଳାଞ୍ଜଳି ଦେଇ ହାତରେ ଧରିଥିବା ପୂଜା ବଟିକୁ କଟମଟ କରି ଅନୋଉଥିବା ସମୟରେ ସାମ୍ନାରେ ଭିକାରୀଟି କହୁଥିଲା, ବାବୁ! ଟଙ୍କା ପାଞ୍ଚଟା ଦିଅ । ଚାହା ଟିକେ ପିଇବି, କିଛି ଖାଇନି । ଇଚ୍ଛା, ଅନିଚ୍ଛାରେ ପ୍ୟାକେଟଟି ବଢାଇଦେଲେ ଭିକାରୀଟିକୁ । ଆଶୀର୍ବାଦ ଓଜାଡିଦେଉଥିଲା ଭିକାରୀଟି । ଦୁଃଖ ଗ୍ଳାନିରେ ଘରର ନିକଟବର୍ତ୍ତୀ ହେବା ସମୟରେ ଅଜାଣତରେ ଆଖି କୋଣରୁ ବୋହି ଯାଉଥିବା ଲୁହ ଦୁଇବୁନ୍ଦା ପୋଛୁଥିଲେ ସନତ !!



Rate this content
Log in

Similar oriya story from Comedy