ଇଂ ଶୁଭ୍ରାଂଶୁ କୁମାର ବେହେରା

Romance Tragedy Fantasy

4.6  

ଇଂ ଶୁଭ୍ରାଂଶୁ କୁମାର ବେହେରା

Romance Tragedy Fantasy

ଆଇସ୍କ୍ରିମ୍

ଆଇସ୍କ୍ରିମ୍

10 mins
526


" ... ଓଃ ମାଇଁ ଗଡ଼ ... ସରି , ସରି ସରି ..." କିଛି ବୁଝିବା ଅବା ଦେଖିବା ଆଗରୁ ପ୍ରାୟଶ୍ଚିତ ଭାବାବେଗକୁ ଯଥାର୍ଥ କରି ପାରୁଥିଲା । ଶବ୍ଦମାନଙ୍କୁ ଆଲିଙ୍ଗନ କରି ଧ୍ଵନିର ରୂପ ଦେଇ ପାରିଥିବା ସରଳ, ନିର୍ମଳ ତଥା କୋମଳ କଣ୍ଠ ସ୍ଵରଟି । ଯୁବତୀଙ୍କ କଣ୍ଠ ସ୍ଵରଟି ଯେତେ ସୁମଧୁର ଥିଲା ରୂପଚର୍ଯ୍ଯାକୁ ଚିତ୍ତ ଗ୍ରହଣ କରିବାକୁ ହୁଏତ ସମୟର ଅନୁମତି ନଥିଲା । 


ଭୁବନେଶ୍ୱର ରୂପାଲି ଛକର ଅନତି ଦୂରରେ ଥିବା ଏକ ଫ୍ରେସ ଜୋନ ମଧ୍ୟରେ । ଫ୍ରେସ ଜୋନରେ ପ୍ରାୟ ଯୁବକ ଯୁବତୀଙ୍କର ଭିଡ଼ , କୋଲ୍ଡ ଡ୍ରିଙ୍କସ , କଫି , ବ୍ଯାକେରି ଇତ୍ୟାଦି ଇତ୍ୟାଦି ପରସା ଯାଏ ଶକ୍ତ ପ୍ଲାଷ୍ଟିକର ଟେବୁଲ୍ ଉପରେ ରୁଚି ଅନୁଯାୟୀ ବରାଦ ହିସାବରେ । ସେ ଦିନ ସନ ଡେ ଫ୍ରେସ ଜୋନଟି ଥିଲା ଅପେକ୍ଷାକୃତ ଭିଡ଼ । କୋୖଣସି ଟେବୁଲ୍ ଫାଙ୍କା ନଥିବାରୁ ଅଳ୍ପ ସମୟ ଅପେକ୍ଷା କରି ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲି , ଯଦିଓ ବନ୍ଧୁ ସଂଜୀବ ମୋ ନିଷ୍ପତ୍ତିରେ ବାଧ୍ୟ ଥିଲେ । ଫ୍ରେସ ଜୋନରୁ ବାହାରୁ ବାହାରୁ ଅତି ଅସହଜ ଭାବରେ ଧକ୍କା ହୁଏ ଯୁବତୀଙ୍କ ସହିତ ସେ ଥିଲେ ସମ୍ପୂର୍ଣ୍ଣ ଅନ୍ୟମନସ୍କ ଆଉ ମୁଁ ବି କିଛିକାଂଶରେ । ହାତରେ ଧରିଥିବା ଆଇସ୍କ୍ରିମର କପ୍ ମୁଁ ପିନ୍ଧିଥିବା ସାର୍ଟ ଉପରେ ପଡ଼ିଲା ପରେ କପଟି ଫ୍ରେସ ଜୋନର ଚଟାଣରେ ... ମୋ ସାର୍ଟଟି ଆଇସ୍କ୍ରିମର  ପ୍ରଲେପରେ ... ମୁଁ ହଠାତ୍ ସ୍ତମ୍ଭିଭୂତ ମୁଦ୍ରାରେ ଆଉ ଯୁବତୀ ଜଣକ ପ୍ରାୟଶ୍ଚିତର ବିଳାପରେ । ରୂପଚର୍ଯ୍ଯାକୁ ଚିତ୍ତ ଗ୍ରହଣ କରିବା ପୂର୍ବରୁ କ୍ଷଣ କୋପ ଗ୍ରାସ କରି ସାରିଥିଲା । ପ୍ରାୟଶ୍ଚିତ ଅଭିପ୍ରାୟରେ ସମ୍ମୁଖରେ ଛିଡ଼ା ହୋଇଥିବା ଯୁବତୀ ଜଣକଙ୍କ ପାଇଁ ମୋ ମନରେ ଯଦିଓ କ୍ଷଣ କୋପ ଆସିବା ଅବଶ୍ୟମ୍ଭାବୀ କିନ୍ତୁ ଫ୍ରେସ ଜୋନ ମଧ୍ୟରେ ଥିବା କୋଳାହଳ ପରିବେଶ । କିଛି କ୍ଷଣ ମଧ୍ୟରେ ସ୍ଵଳ୍ପ ନୀରବତା ସାଂଗକୁ ଉପସ୍ଥିତ ମଣିଷ ମାନଙ୍କର ମୋ ଆଡ଼କୁ ରଖିଥିବା ନଜର ମୋତେ ଅସହଜ କରିବା ସହିତ କରି ପକାଇଥିଲା ଅସ୍ଵସ୍ତିକର ଯାହା କେବଳ ଗମ୍ଭୀର ନିରବତାକୁ ହିଁ ପ୍ରକାଶ କରି ପାରିଥିଲା । ସିଧା ଫ୍ରେସ ଜୋନରୁ ଚାଲି ଆସିଲି ଆଉ ବନ୍ଧୁ ପଛେ ପଛେ । ଖରା ଦିନର ଅପରାହ୍ନରେ ଅଦିନିଆ ବର୍ଷାର ପ୍ରକୋପ ସେ ପର୍ଯ୍ୟନ୍ତ କମି ନଥିଲା । ହେଲେ ଆପଣାକୁ ଲାଗୁଥିବା ଅସ୍ଵସ୍ତିକର ଅନୁଭବ ବର୍ଷାରେ ବାଜେ ଭାବେ ଭିଜିବାର ଅନୁଭବ ଠାରୁ ଢେର ଆଗରେ ଥିଲା । ବନ୍ଧୁ ସଞ୍ଜିବ ବନ୍ଧୁତାର ଦ୍ଵାହି ଦେଇ ଓଦା ହୋଇ ଆସିବା ପାଇଁ ପ୍ରସ୍ତୁତ ଥିଲେ । ବୋଧହୁଏ ଅପରିଷ୍କାର ସାର୍ଟରେ ମୋର ଉପସ୍ଥିତି ତଥା ବ୍ୟକ୍ତିଗତ ଅନୁଭବ ଅଭିମାନକୁ ବୁଝି ପାରିଥିଲେ । ବନ୍ଧୁଙ୍କ ବାଇକରେ ପ୍ରବଳ ବର୍ଷାରେ ସେ ଫ୍ରେସ ଜୋନ ଛାଡ଼ିବା ପୂର୍ବରୁ କେମିତି କେଜାଣି ନଜର ଫ୍ରେସ ଜୋନ ସମ୍ମୁଖ ଆଡ଼କୁ ଚାଲି ଯାଇଥିଲା ଆଉ ଦେଖିଲି ସେଇ ଯୁବତୀ ଜଣକ ଫ୍ରେସ ଜୋନ ସମ୍ମୁଖରେ ଛିଡ଼ା ହୋଇ ଅନାଇଁ ରହିଛନ୍ତି ବର୍ଷାରେ...। ପ୍ରବଳ ବର୍ଷାର ପ୍ରକୋପରେ ଯୁବତୀ ଜଣକ ସ୍ପଷ୍ଟ ଦେଖାଯାଉ ନ ଥିଲେ ବି ସଂପୂର୍ଣ୍ଣ ଅସ୍ପଷ୍ଟ ନ ଥିଲେ । ହୁଏ ତ ମୋର ଗମ୍ଭୀର ନିରବତାର ପ୍ରତିଫଳନ ଯୁବତୀଙ୍କୁ ଫ୍ରେସ ଜୋନ ସମ୍ମୁଖ ଗେଟ୍ ପର୍ଯ୍ୟନ୍ତ ଆଣି ପାରିଥିଲା ଅବଶୋଷର ବିଷାଦରେ ।

        ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ ହାସଲ ପରେ ରାଜଧାନୀରେ ଭବିଷ୍ୟତ ପାଇଁ ସଂଘର୍ଷ ଗ୍ରାଜୁଏଟ ଆପ୍ଟିଟ୍ଯୁଡ ଟେଷ୍ଟ ବା ଗେଟ୍ ପରୀକ୍ଷା ନିମିତ୍ତ ପ୍ରସ୍ତୁତି । ନିଜକୁ ସ୍ନାତକୋତ୍ତର ଭାବେ ସାମାଜିକ ସ୍ବୀକୃତି ମିଳି ସାରିଲା ପରେ ହୁଏତ ସ୍ଵ ଅଭିମାନର ରଂଗ ବୋଳି ହୋଇସାରିଥିଲା । ଯେଉଁ ଦିନରୁ ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଆଉ ଘର ଉପରେ ନିର୍ଭର କରି ନଥିଲି । ଏକ ଘରୋଇ କୋଚିଂ ସେଣ୍ଟରରେ ପାର୍ଟ ଟାଇମ୍ ଶିକ୍ଷାଦାନ ନିମନ୍ତେ ଅବସର ମିଳିଯିବା ଯଦିଓ ବେକାରୀର ପରିଚୟଟିକୁ ଲୁଚାଇବା ପାଇଁ ପ୍ରୟାସ କରୁଥିଲା , ତେବେ ଆତ୍ମ ନିର୍ଭରଶୀଳ ବୋଲି ଯେଉଁ ମାନସିକ ଶାନ୍ତି ମିଳୁଥିଲା ସେଥିରେ ଅଭିମାନକୁ କିଛି ଇଜ୍ଜତ ମଧ୍ୟ ମିଳୁଥିଲା ଆପଣାର ଦୃଷ୍ଟିରେ । ବନ୍ଧୁ ସଞ୍ଜିବ ମୋର ଥିଲେ ରୁମ ମେଣ୍ଟ ଆଉ ବ୍ଯାଚ ମେଣ୍ଟ । ଯୁକ୍ତ ଦୁଇ ବିଜ୍ଞାନର ଦୁଇ ତିନୋଟି ମ୍ଯାଥ ଆଉ ସାଇନ୍ସ କ୍ଳାସ ପରେ ପୁରା ଦିନ ଫ୍ରି , କିଛି ସମୟ ରୋଷେଇ ବାସ ... କେବେ କେମିତି ବାହାରେ ଆଉ ସମୟ ଗେଟ୍ ପରୀକ୍ଷା ନିମନ୍ତେ ପ୍ରସ୍ତୁତିରେ । କେଜାଣି କେମିତି କିଛି ଦିନ ପରେ ଏକ ଅବସର ଆଉ ଦୁର୍ବଳ ମୁହୂର୍ତ୍ତରେ ଫ୍ରେସ ଜୋନର ଘଟଣାଟି ମନକୁ ଚାଲି ଆସିଲା ଆଉ ଆସୁ ଆସୁ ମନଟା ରୋମାଞ୍ଚିତ ବି ହେଲା । ଏଇ କିଛି ଦିନ ଭିତରେ କ୍ଷଣ କୋପ ସମୟର ଉଷ୍ଣତାରେ ପାଣି ହୋଇ ଯାଇଛି । ଘଟଣାଟିକୁ ଜୀବନ୍ତ କରୁ କରୁ ଅର୍ଦ୍ଧ ନିମିଳିତ ଆଖି ଦୁଇ ମୁଦି ହୋଇଗଲେ । ଚିତ୍ତର ରଂଗୀନ ପରଦାରେ ଝଲସି ଉଠିଲା ପ୍ରତିଛବି । ସେ ଦିନ ସମ୍ଭାବ୍ୟ ବର୍ଷା ଦେଖି କଫି ପିଇବା ପାଇଁ ପହଞ୍ଚି ଯାଇଥିଲୁ ସଞ୍ଜିବ ଆଉ ମୁଁ , ସେ ଫ୍ରେସ ଜୋନରେ । ତା ପରର ସେ ସବୁ ଘଟଣା । ହଁ ରୂପଚର୍ଯ୍ଯାର ବିନ୍ଯାସ ନ କଲେ ହବନି । ସରି କହିଲା ପରେ ପ୍ରାୟଶ୍ଚିତ ଭାବାବେଗରେ ଯେତିକି ସତ୍ୟତା ଥିଲା ଯୁବତୀ ଜଣକ ଦେଖିବା ପାଇଁ ଚେହେରାରେ ସେମିତି ସତ୍ୟତା ଥିଲା ଅର୍ଥାତ୍ ବିନା ମେକଅପ ... ପୁରା ଗୋରା , ମଧ୍ୟମ ଶରୀର ସାଂଗକୁ ଭଲ ଚିତ୍ରକାରର ଭଲ ଚିତ୍ରକଳା ପରି ମୁଖ ମଣ୍ଡଳର ସୋନ୍ଦର୍ଯ୍ଯ । ଆଧୁନିକ ଲାଗୁଥିଲେ ହେଲେ ସଞ୍ଜମ ପରିଧାନ ଯୁବତୀଙ୍କ ବ୍ଯକ୍ତିତ୍ଵକୁ ଅନ୍ୟ ମାନଙ୍କଠାରୁ ଅତି ସହଜରେ ଅଲଗା କରି ପାରୁଥିଲା । ହେଲେ ... ଆମର ସେ ସ୍ଥାନ ତ୍ୟାଗକରି ଆସିଲା ପରେ, ଯୁବତୀ ଜଣକଙ୍କ ଫ୍ରେସ ଜୋନ ବାହାରକୁ ଆସିବା ମୋତେ ଅତ୍ୟନ୍ତ ସଙ୍କୋଚ କରି ପକାଇଥିଲା । ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ମନେ ପଡ଼ିଲା । ସେ ଦିନ ବର୍ଷାର ପ୍ରଭାବରେ ପ୍ରାୟ ସମସ୍ତଙ୍କ ଟେବୁଲରେ କଫି କପ୍ , ଆଉ ଅଳ୍ପ କେତେ ଜଣକଙ୍କ ଟେବୁଲରେ ପେଟିସ , କେକ୍ ଥିଲା ବେଳେ ଯୁବତୀ ଜଣକଙ୍କ ଆଇସ୍କ୍ରିମରେ ଉଲ୍ଲାସ ଶ୍ରଦ୍ଧା...। କେଜାଣି କାହିଁକି ଅତୀତର ସେଇ ମୁହୂର୍ତ୍ତକୁ ଭେଟୁ ଭେଟୁ ଶୁଷ୍କ ଓଠରେ ହସଟିଏ ସ୍ପର୍ଶ କରି ଚାଲିଗଲା ।


       ଗେଟ୍ ପରୀକ୍ଷା ପାଖେଇ ଆସୁଥିଲା କିଛି ଦିନ ହେଲା କୋଚିଂ ସେଣ୍ଟରରୁ ଛୁଟି ବି ଆଣି ସାରିଥିଲି । ପ୍ରଥମ ଥର ସେତେ ଭଲ ରାଙ୍କ୍ ନ ଥିବା ହେତୁ ଏ ଥର ଆଉ ଅଧିକ ପ୍ରଚେଷ୍ଟା । ଜୀବନର କିଛି ମାସ ହେଉ ପଛେ ଟିକେ ଅଧିକ ପରିଶ୍ରମ ଭବିଷ୍ୟତ ପାଇଁ ସୁନିଶ୍ଚିତ ବୃତ୍ତି ଗୋଟିଏ ଅନେକ କିଛି ସୁଗମ କରି ଦେଇପାରେ । ପରୀକ୍ଷାର ଦିନ ସେଇ ଭୁବନେଶ୍ୱରରେ ହିଁ ଥିଲା ପରୀକ୍ଷା କେନ୍ଦ୍ର । ଯାହା ହେଉ ପରୀକ୍ଷା ସରିଲା ପରେ ଗୋଟିଏ ଆତ୍ମ ତୃପ୍ତି ବୋଧ ହେଲା ଯଦିଓ ବହୁତ ଭଲ ହୋଇନଥିଲା କିନ୍ତୁ ଗତ ଥର ଠାରୁ ଢେର ଗୁଣରେ ଭଲ ହୋଇଥିଲା । ସକାଳୁ ଖାଇଥିବା କିଣା ଛତୁଆ ଚାରି ଚାମଚ ପରୀକ୍ଷା କେନ୍ଦ୍ର ପହଞ୍ଚିବା ବେଳୁ ସରିଗଲାଣି । ପରୀକ୍ଷା କେନ୍ଦ୍ର ଭିତରେ ପରୀକ୍ଷାର ଚାପ , ବ୍ୟସ୍ତ , ମାନସିକତା ଭିତରେ ପେଟ ତାର ଅସ୍ତିତ୍ବ ହରାଇ ଥିବା ବେଳେ , ପରୀକ୍ଷା ସରୁ ସରୁ ପେଟ ତାର ଉପସ୍ଥିତି ଜାହିର କରୁଥିଲା ସତେ ପ୍ରାୟ ଦାଦାଗିରି । ବ୍ୟସ୍ତରେ ପରୀକ୍ଷା କେନ୍ଦରୁ ବାହାରୁ ବାହାରୁ ଗେଟର କିଛି ଦୂର ପୂର୍ବରୁ ଏସକ୍ଯୁଜ ମି ... ଏକାଧିକବାର ଶୁଣିଥିଲି । ହେଲେ ଭୋକ ଦାଉରେ ... କାନ ଅପେକ୍ଷା ପେଟ ଅଧିକ ଗୁରୁତ୍ଵପୂର୍ଣ୍ଣ ଥିଲା । ତଥାପି କାହିଁକି ପେଟ ଅପେକ୍ଷା ହଠାତ୍ ମନଟା ବଡ ହୋଇଗଲା । ଟିକେ ଠିଆ ହୋଇ ପଛକୁ ଅନାଇ ଦେଖିଲି , ଯୁବତୀ ଜଣେ କ୍ଷୀପ୍ର ଗତିରେ ମୋ ଆଡ଼କୁ ଚାଲି ଆସୁଥିଲେ । ଯୁବତୀ ଜଣକ ଅତି ନିକଟକୁ ଆସୁ ଆସୁ , ଚେତନାରେ ଧ୍ଵନିଟିଏ ବାଜି ଉଠିଲା 

" ଆଇସ୍କ୍ରିମ " ।  


        ମୋତେ ଚିହ୍ନା ଦେବା ବାହାନାରେ ଯୁବତୀ ଜଣକ କହିଲେ " ଆପଣ ଏଗଜାମ୍ ... ଚିହ୍ନି ପାରିଲେ ... ସେ ଦିନର ଆଇସ୍କ୍ରିମ ..." । କହୁ କହୁ ଉତ୍କଣ୍ଠିତ କଣ୍ଠଟି ନରମି ଯାଇଥିଲା ।ବୋଧହୁଏ ଆଜି ଯାଏଁ ସେ ଘଟଣାଟି ପାଇଁ କେଉଁଠି ନା କେଉଁଠି ଯୁବତୀ ଜଣକ ଉଦବେଳିତ ହେଉଥିଲେ । ପୁରୁଷର ଗାରିମା ଆଳରେ ଅଭିନୟ କରି କହିଲି " ଓଃ ... ହଁ ... ହଁ ... ସେ ଫ୍ରେସ ଜୋନରେ , ହଁ ସେ ଆକ୍ସିଡେଣ୍ଟ ... ଆଇସ୍କ୍ରିମ ... ୟେସ୍ , ବଟ ଇଟସ ଓକେ " । ମୋ ମୁହଁରୁ ଏତିକି ଶୁଣିବା ପରେ ହଠାତ ଯୁବତୀଙ୍କ ମୁହଁରେ ସତେଜତା ଦେଖିବାକୁ ପାଇଲି । ସଂଗେ ସଂଗେ ଚଞ୍ଚଳା ହୋଇ କହିଲେ " ଯାହା ହୋଇଥିଲା ମୋ ଅଜାଣାତରେ ସେ ଦିନ ସରି କହିଥିଲି , ହେଲେ ଏତେ ଦିନ ପରେ ଇଟସ ଓକେ " । ଯୁବତୀ ଜଣକ ଆପଣାର ପରି ଅଭିମାନ କରିବା ମୋ ପାଇଁ ସ୍ଵାଭାବିକ ନ ଥିଲା । ସେ ଦିନର ସେ ଘଟଣା ପାଇଁ ଯେ ସେ ଆଜି ଯାଏଁ ଅନୁତପ୍ତ , ମୋ ମୁହଁରୁ ପଦୁଟିଏ " ଇଟସ ଓକେ " ଶୁଣିବା ପର୍ଯ୍ୟନ୍ତ ସତରେ ଅବିଶ୍ଵସନୀୟ । ସେଥିପାଇଁ ହୋଇପାରେ ସେ ଦିନ ଫ୍ରେସ ଜୋନର ଗେଟ୍ ଯାଏ ପଳାଇ ଆସିଥିଲେ ବର୍ଷାକୁ ଭୃକ୍ଷେପ ନ କରି । ଯୁବତୀଙ୍କର ସଭ୍ୟ ବ୍ଯକ୍ତିତ୍ଵ ବେଶ ଆକର୍ଷଣୀୟ ଥିଲା । ତେବେ ନିରବତା ଭାଙ୍ଗିବାକୁ ଯାଇ ଯୁବତୀ ଜଣକ କହିଲେ " ମାଇଁ ସେଲ୍ଫ , ଅନିମା ବି ଟେକ କମ୍ପୁଟର ସାଇନ୍ସ ...ଆପଣ " । ମୁଁ ତତ୍ କ୍ଷଣାତ ପଚାରିଥିଲି " ଇଜ୍ ୟୋର ଫାଷ୍ଟ ଆଟେମ୍ପ୍ଟ " । ଅନିମା ହଁ ମାରିଲେ । " ମୋର ଇଲୋକ୍ଟ୍ରୋନିକ ଆଣ୍ଡ ଟେଲିକମ୍... ଇଟ ଇଜ୍ ମାଇଁ ସେକେଣ୍ଡ ଆଟେମ୍ଟ ... , ଏଗଜାମ କେମିତି ହୋଇଛି ... କଲେଜ ... ପାସ୍ ଆଉଟ୍ ... " ପଚାରୁ ପଚାରୁ , ଜାଣିବାକୁ ପାଇଲି ଅନିମା ମୋ ଠାରୁ ଗୋଟିଏ ବର୍ଷ ଜୁନିଅର । ଭାବ ପ୍ରବଣ ହୋଇ କହି ଦେଲି " ଆଇ ଆମ୍ ୟୋର ସିନିୟର୍ " । ଅନିମାଙ୍କ ଠାରୁ ସିନିୟର୍ ହେବାରେ ଏତେ ଉତ୍କଣ୍ଠିତ ହେଉଥିଲି ... ସ୍ଵାଭିମାନ ଦେଖାଉଥିଲି କେଜାଣି କାହିଁକି ! " ଆଜ୍ଞା ... " କହି ହସି ଉଠିଲେ ଅନିମା ଆଉ କହିଲେ " ଚାଲନ୍ତୁ ଏ ସେଣ୍ଟର ପାଖରେ ରୋଡ କ୍ରସ ସପ ପାଖକୁ ବାବା ... ମୋତେ ସେଇଠୁ ... ପିକପ କରିବେ ଆପଣ ..." । ମୁଁ କହିଲି,"ହଁ.. ହଁ... ଚାଲ ମୁଁ ସାଂଗ ଏଗଜାମ ଦେଇ ଆସିଥିଲୁ । ତାର ଅଲଗା ସେଣ୍ଟର ତ ମୋତେ ସେ ଏଇଠୁ ପିକପ କରିବ " ।

           ମାତ୍ର ଶହେ ମିଟର ଦୂରରେ ଥିବା ସପ୍ ଆଡ଼କୁ ଅଗ୍ରସର ହେଲୁ । ପରୀକ୍ଷା କେନ୍ଦ୍ର ସାମ୍ନା ରାସ୍ତାଟି ପରୀକ୍ଷା ସରୁ ସରୁ ଗାଡ଼ି ମଟରରେ ଭିଡ଼ ହୋଇ ସାରିଥାଏ । ରୋଡ କ୍ରସ ହେଉ ହେଉ ସ୍ଵତପ୍ରବୃତ୍ତ ଭାବରେ ମୋ ହାତଟି ବଢ଼ି ଯାଇଥିଲା ଅନିମାଙ୍କ ହାତ ଆଡ଼କୁ ... ସ୍ଵୀକୃତି ବଶତଃ ଅନିମାଙ୍କ ହାତ ଧରି ଗହଳି ପୂର୍ଣ୍ଣ ରାସ୍ତା ପାର ହୋଇ ଗଲୁ । ମୁଁ ଥିଲି ଆଗରେ ଅନିମା ଥିଲେ ସାମାନ୍ୟ ପଛରେ । ରାସ୍ତା ପାର ହୋଇ ସାରିବା ପରେ ମୋର ପାପୁଲି ଅନିମାଙ୍କ ପାପୁଲିକୁ ମୁକ୍ତ କରି ସାରିଥିଲା ହେଲେ ଅନିମାଙ୍କ ଆଡ଼କୁ ଅନାଇ ଦେଖିଲି ଲାଜରେ ସଂପୂର୍ଣ୍ଣ ଛନ୍ଦି ହୋଇ ପଡିଥିବା ଅନିମା ତଳକୁ ଚାହିଁ ରହିଥିଲେ । ଏସବୁର କାରଣ ଯେ ଦୁଇ ହାତର ସ୍ପର୍ଶ ଏ କଥା ଅଛପା ରହିଲାନି । ଅନିମାଙ୍କୁ ଏ ପରିସ୍ଥିତି ଠାରୁ ଅଲଗା କରିବା ଛଳରେ ପଚାରିଲି " ଆଛା ! ଅନିମା ... ତୁମେ ଆଇସ୍କ୍ରିମ ଖାଇବାକୁ ବହୁତ ଭଲ ପାଅନା ! ହେଲେ ବର୍ଷା ବେଳରେ ଆଇସ୍କ୍ରିମ ଖାଇବା ଲଜିକଟା ବୁଝି ପାରିଲିନି !" ଅନିମା ସାମାନ୍ୟ ପ୍ରକୃତିସ୍ଥ ହୋଇ କହିଲେ " ହଁ ... ଭଲ ଲାଗେ ବଟ ବର୍ଷାରେ ବେଶୀ ଭଲ ଲାଗେ "। ଆଶ୍ଚର୍ଯ୍ୟ ହୋଇ ପଚାରିଲି "ଏନି ଲଜିକ୍ ..."? ସାମାନ୍ୟ ହସି ଲାଜେଇ ଯାଇ ଅନିମା କହିଲେ " ଇଟସ ଏକସେପ୍ସାନାଲ୍" । ଆଉ କିଛି ନ ପଚାରି ପାଖ ସପକୁ ଗଲି ଏବଂ କୋନ୍ ଆଇସ୍କ୍ରିମଟିଏ ଆଣି ଅନିମାଙ୍କ ଆଡ଼କୁ ବଢାଇ କହିଲି " ନିଅ ଅନିମା ଏଇଟା ମୋ ତରଫରୁ ସେ ଦିନ ମୁଁ ହିଁ ତୁମ ଆଇସ୍କ୍ରିମ ଖାଇବାର ଶ୍ରଦ୍ଧାରେ ପ୍ରତିବନ୍ଧକ ହୋଇଥିଲି " । ଅନିମା ମୋ କଥାକୁ କାଟିବା ଆଳରେ ହୁଏତ ନା ନା କହିଥିଲେ କିନ୍ତୁ ଆଇସ୍କ୍ରିମ ନେବା ପାଇଁ ଅନିଚ୍ଛା ଥିଲେ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରି ନ ଥିଲେ । ହଠାତ୍ ମୋ ହାତରୁ ଆଇସ୍କ୍ରିମଟି ନେଇ ସପ ଆଡ଼କୁ ଚାଲି ଯାଇଥିଲେ । ଆଉ ଗୋଟିଏ ଆଇସ୍କ୍ରିମ ମୋ ପାଇଁ ଆଣିଥିଲେ ଏବଂ ମୋତେ ବଢାଇ ଦେଇଥିଲେ । ମୁଁ ହତବାକ ବି ହେଲି ଇତସ୍ତତଃ ବି କାରଣ ପିଲା ଦିନରୁ କାହିଁକି କେଜାଣି ଆଇସ୍କ୍ରିମକୁ ବାରଣ ପରେ ତାହା ଅପସନ୍ଦର ରୂପ ନେଇଥିଲା । ପୁଣି ମୋ ମାନସିକତାରେ ଏଇଆ ଥିଲା ଯେ ଆଇସ୍କ୍ରିମ ଛୁଆ ଏବଂ ଝିଅ ପିଲା ଖାଆନ୍ତି । ବଡ଼ ଅଡ଼ୁଆରେ ପଡ଼ିଲା ଭଳି ମନେ କଲି ଶେଷ ଥର କେବେ ଯେ ଆଇସ୍କ୍ରିମ ଖାଇଥିଲି ସ୍ପଷ୍ଟ ଭାବରେ ମନେ ପଡୁନି । ମୋର ଭାବନାରେ ପୂର୍ଣ୍ଣଛେଦ ପକାଇ ଅନିମା ଆଇସ୍କ୍ରିମର କଭର ଖୋଲି ଆଇସ୍କ୍ରିମଟିକୁ ମୋତେ ବଢାଇ ଦେଲେ । ଅନିମାଙ୍କ ହାତରୁ ଆଇସ୍କ୍ରିମଟି ଆଣି ଖାଇବା ପାଇଁ ସାହାସ କରି ପ୍ରଥମ କଳ ପାଟିରେ ପୁରାଇଛି ... ବାସ୍ ଏକାବେଳେ ବତିଶି ଦାନ୍ତ ଶିର୍ ଶିର୍ , ଦାନ୍ତ ମାଢି ବରଫ ସ୍ପର୍ଶରେ କାଲୁଆ ହେଲା ଭଳି ଅନୁଭବ ହେଲା ବେଳେ ଆଇସ୍କ୍ରିମର ସ୍ପର୍ଶରେ ତଣ୍ଟି ତାଳୁ ... ବଡ଼ ଅସହାୟ ଅନୁଭବ କରି କ'ଣ କରିବି କିଛି ବୁଝି ପାରୁନଥାଏ । ସାମ୍ନାରେ ଅନିମା , ପାଟିରେ ବରଫ ... ଆଇସ୍କ୍ରିମର ଥଣ୍ଡାରେ ମୋ ଆଖି ମୁହଁର ଅପ୍ରାକୃତ ଅବସ୍ଥା ଦେଖି ଅନିମା ବି ଆଶ୍ଚର୍ଯ୍ୟ । ହଠାତ୍ , ପାଟିରେ ଥିବା ଗୋଟିଏ କଳ ଆଇସ୍କ୍ରିମ ଗିଳି ଦେଲି । ଓଃ ... ସାମାନ୍ୟ ପ୍ରକୃତିସ୍ଥ ହେବାର ଅନୁଭବ କରି ପାରିଲେ ବୋଧ ହୁଏ ଅନିମା ମୋ ଆଡ଼କୁ ଚାହିଁ ସ୍ମିତ ହସୁଥିଲେ । ମୁଁ କହିଲି ଉଠିଲି " ସରି , ମୁଁ କେବେ ଆଇସ୍ ନିଏନି । ହେଲେ ତୁମେ ଆଇସ୍କ୍ରିମ ଖାଉନ "। ମୋ ହାତରେ ଥିବା ଅଇଁଠା ଆଇସ୍କ୍ରିମଟିକୁ ଛଡ଼ାଇ ନେଲେ କିଛି ଭାବିବା ପୂର୍ବରୁ ହସି ହସି ଅଇଁଠା ଆଇସ୍କ୍ରିମଟିକୁ ଖାଇବାକୁ ଲାଗିଲେ । ମୁଁ କ'ଣ କହିବି କିଛି ଭାବି ପାରିବା ଦୂରରେ ଥାଉ କିଛି ଜାଣି ହିଁ ପାରୁ ନ ଥିଲି । ଖାଲି ଏତିକି ଦେଖୁଥିଲି ସୁକୁମାରୀଟିଏ ମୋ ଆଖି ସାମ୍ନାରେ ଆଉ ମୁଁ ତାକୁ ହିଁ ଦେଖୁଛି । ଆବାକ ହୋଇ ଦେଖୁଥାଏ ତାଙ୍କର ଆଇସ୍କ୍ରିମ ଖିଆକୁ । କିଛି ଆଇସ୍କ୍ରିମ ଓଠ , ଓଠର ସାମାନ୍ୟ ଓପରେ ତଥା ଓଠର ସାମାନ୍ୟ ତଳେ ଲେସି ହୋଇଗଲେ ଅନିମା ଜିଭ ବାହାର କରି ବୁଲାଇ ଆଇସ୍କ୍ରିମକୁ ଚାଟି ଯେମିତି ଆଗ୍ରହର ସହ ଛୋଟ ଛୁଆଟିଏ ପରି ଖାଉଥିଲେ , ମୁଁ ତ ମୁଗ୍ଧ ହୋଇ ଯାଇଥିଲି । ଆଇସ୍କ୍ରିମ ସରି ଆସିଲା ଆଉ ଅନିମା ମୋତେ ସାମାନ୍ୟ ହସି କହିଲେ " ଏଇମିତି ହିଁ ଆଇସ୍କ୍ରିମ ଖାଆନ୍ତି " । ଅନେକ କିଛି ମୁଗ୍ଧ ଅନୁଭବ ... ମୁଁ ଆଉ କିଛି କହିବାକୁ ଉଦ୍ୟମ ହୁଅନ୍ତେ , କାରଟିଏ ଆସି ପାଖରେ ଛିଡ଼ା ହେଲା । ହଠାତ୍ ଅନିମା ମୋ ହାତରେ ଅନ୍ୟ ଆଇସ୍କ୍ରିମଟିକୁ ଧରାଇ ଦେଇ କହିଲେ " ବାବା ଆସିଲେଣି , ମୁଁ ଯାଉଛି ... " । ମାତ୍ର କିଛି କ୍ଷଣ ମଧ୍ୟରେ ଅନିମା କାରଟିରେ ବସି ମୋରି ଆଖି ଆଗରୁ ଅପସରି ଯାଉଥିଲେ । ମୁଁ ଥିଲି ନିର୍ବାକ । ଅଟକାଇ ପାରୁନଥିଲି ଅନିମାଙ୍କୁ। ନିର୍ବାକ ନିଶ୍ଚଳ ହୋଇ ଥିଲେ ବି ମନ ବିନା ଧ୍ବନିରେ ଚିତ୍କାର କରି ଡାକୁଥିଲା " ଅନିମା ତୁମେ କେଉଁଠି ରୁହ ... ଅନିମା ତୁମର କଣ୍ଟାକ୍ଟ ନମ୍ବର ... ଅନିମା ଫେସବୁକ ... ଅନିମା " । ସଞ୍ଜିବ ବି ଏ ପର୍ଯ୍ୟନ୍ତ ପହଞ୍ଚିନି କିଛି ନ ହେଲେ ତାକୁ ପିଛା କରି ଘର ଠିକଣାଟା ... ଆଖି ଆଗରୁ କିଛି ସମୟ ଭିତରେ ଅନିମା ବସିଥିବା କାରଟି ଅଦୃଶ୍ୟ ହୋଇଯାଇଥିଲା ।

          ସମୟର ନଦୀଟା ଗୋଟିଏ ତୁଠରୁ ଆଣି ଆଉ ଗୋଟିଏ ତୁଠରେ ପିଟି ଚାଲେ ମଣିଷର ଶକ୍ତି , ଧୈର୍ଯ୍ୟ ପରୀକ୍ଷା କରେ । ସମ୍ମୋହନ , ସ୍ଵପ୍ନ ସବୁ ତୁଠରେ ପିଟି ହୋଇ ଅଣନିଃଶ୍ବାସୀ ହୋଇଯାଆନ୍ତି କିନ୍ତୁ ମିଳେ ମେଞ୍ଚା ମେଞ୍ଚା ଅନୁଭବ । ସମୟ ସତର୍କ କରିଦିଏ ଅନୁଭବର ଛାଞ୍ଚରେ ସ୍ଵପ୍ନ ତିଆରି କରିବାକୁ ପୁଣି ମାଟିଟା ଦୃଢ଼ କର୍ମ ନିଷ୍ଠତାର ହେବା ଦରକାର । ଏତିକି ମୁହୂର୍ତ୍ତର ପରିଣାମ ସ୍ଵରୂପ ସ୍ଵପ୍ନ ଅନେକ ଦିନ ପର୍ଯ୍ୟନ୍ତ ରହି ଯାଇଛି ବ୍ଯାକୁଳତାର ନାମ ନେଇ । ସଞ୍ଜିବ ପଚାରି ପଚାରି ଥକି ପଡ଼ିଛନ୍ତି ହେଲେ କହି ପାରିନି । କିଛି ପରିଶ୍ରମ କରିଥିଲି ହେଲେ କିଛି ଫଳ ହୋଇ ନ ଥିଲା । ଏକ ବର୍ଷ ଭିତରେ ଗେଟ୍ ପରୀକ୍ଷାର ଫଳ ମନୋନୟନ ... ଡିଆରଡିଓରେ ନିଯୁକ୍ତି,ବହୁତ ଶୀଘ୍ର ହୋଇଗଲା ପରି ଲାଗିଲା ହୁଏତ ଅନିମାର ଅନ୍ଵେଷଣ ସଶକ୍ତ କାରଣଟିଏ । ଏ ଭିତରେ ସଞ୍ଜିବ ବି ଏନଗେଜଡ । ନୂଆ ନିଯୁକ୍ତି , ଟ୍ରେନିଂ,ପରିବାର, ସାମୁହିକ ସ୍ଵପ୍ନ , ବାପା , ମା , ଭାଇ , ଭଉଣୀ ... ଦୀର୍ଘ ତିନି ବର୍ଷ ପରେ ରଜରେ ଦୁଇ ବନ୍ଧୁ ଭୁବନେଶ୍ୱରେସାକ୍ଷାତ କରିବାର କାର୍ଯ୍ୟକ୍ରମ କଲୁ । ଠିକଣା ସମୟ ଆଉ ଠିକଣା ଜାଗାରେ ପହଞ୍ଚିଗଲୁ ବନ୍ଧୁ । ଯଦିଓ ଟେଲିଫୋନ ଯୋଗେ ଯୋଗାଯୋଗ ଥାଏ ହେଲେ ସମସ୍ତ କଳ୍ପନା, ବେଦନା ଆଖିରେ ଲୁଚି ରହି ଥିଲା ବେଳେ ଆଖି ହିଁ ତାକୁ ଧରି ପାରେ । ଅପରାହ୍ନରେ ଫ୍ରେସ ଜୋନ ଆଡେ ଯିବା ପାଇଁ ସ୍ଥିର କରି ପହଞ୍ଚିଲୁ । ସେତେବେଳକୁ ଝିପ ଝିପ ବର୍ଷା ବି ଆରମ୍ଭ ହୋଇ ସାରିଥାଏ । ଫ୍ରେସ ଜୋନ ସମୟ କ୍ରମେ ଆହୁରି ଫ୍ରେସ ହୋଇ ଯାଇଛି । ଫ୍ରେସ ଜୋନର ଗୋଟିଏ କୋଣରେ ଆସନ ଅକ୍ତିଆର କରି ବସିଲା ପରେ ଦୁଇ କପ୍ କଫି ଅର୍ଡର କଲେ ବନ୍ଧୁ । ମୁଁ ବାରଣ କରି କହିଲି "ଦେଖିଲ ବାହାରେ ବର୍ଷା ନା "! ଆଶ୍ଚର୍ଯ୍ୟ ହୋଇ -ହଁ ଭରି କହିଲେ , "ସେଥିପାଇଁ ତ କଫି ଅର୍ଡର ଦେଇଛି "। ହେଲେ ମୁଁ କହିଲି " ମୋ ପାଇଁ ଆଇସ୍କ୍ରିମ " । ବନ୍ଧୁ ତାତ୍ସଲ୍ୟ କରି କହିଲେ " କେବେଠୁ , କ'ଣ ଡିଆରଡିଓର ପ୍ରିନ୍ସପୁଲସ୍ " । "ନା ...ନା... ସେମିତି କିଛି ନୁହେଁ, ବର୍ଷା ହେଲେ ଆଇସ୍କ୍ରିମ ଖାଏ " । ମୋର ଉତ୍ତର ଶୁଣି ବନ୍ଧୁ କହିଲେ " ହାଭ ୟୁ ଗନ ମ୍ଯାଡ୍ " । ବନ୍ଧୁଙ୍କ କଥାରେ ହସି ଦେଇ କହିଲି " ନୋ ନୋ ... ଇଟସ ଏକସେପ୍ସାନାଲ୍ " । ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥିଲେ ବନ୍ଧୁ ମୋର ଲଜିକ ଶୁଣି ସାରିଲା ପରେ ।

ପରିଶେଷରେ ଗୋଟିଏ କଫି ଏବଂ ଗୋଟିଏ ଆଇସ୍କ୍ରିମ ଅର୍ଡର ଦେଲେ ଆଉ ମୋ ଆଡ଼କୁ ଅନାଇ ଚୁପ୍ ରହିଲେ । କିଛି ସମୟର ନୀରବତା ଭଂଗ ପରେ ବନ୍ଧୁଙ୍କୁ କହିଲି " ଜୀବନରେ ମଣିଷର ଟିକିଏ ସ୍ନେହ , ଭଲ ପାଇବା , ଆଦର , ପ୍ରେମ ... ଏ ସବୁକୁ କେମିତି ମୂଲ୍ୟାଙ୍କନ କରିବ ? କେଉଁଟା ଭଲ ପାଇବା , କେଉଁଟା ଆଦର , କେଉଁଟା ଭଲ ମଣିଷ ପଣିଆ ଆଉ କେଉଁଟା ପ୍ରେମ ... ଯଦି ଉଭୟ ପାର୍ଶ୍ଵରେ ବିପରୀତ ଲିଙ୍ଗ ଥାଆନ୍ତି " ? ମୋର ପ୍ରଶ୍ନ ଶୁଣି ବନ୍ଧୁ ଯେତିକି ଆଶ୍ଚର୍ଯ୍ୟ ହେଉଥିଲେ , ସେତିକି ଉତ୍କଣ୍ଠିତ ହେଉଥିଲେ । ଆଶଙ୍କାରେ ପଚାରିଲେ " ଏ କରୁଣତା ... ଆଉ ଏ ଜୀବନ ଦର୍ଶନ ... ଆପଣ କ'ଣ ସେ ବିଦଗ୍ଧ ନାୟକ" । ଏତିକି ଭିତରେ ବନ୍ଧୁଙ୍କ ପାଇଁ କଫି ଆଉ ମୋ ପାଇଁ ଆଇସ୍କ୍ରିମ ପ୍ରସ୍ତୁତ ଥିଲା ଟେବୁଲରେ । ବନ୍ଧୁଙ୍କୁ ସ୍ମିତ ହସି କହିଲି " ପ୍ରତ୍ୟେକଟି ଜୀବନର ଭିନ୍ନ ଦର୍ଶନ" । କଫି କପ୍ ହାତରେ ନେଇ ନୀରବତାର ସହ ମୋତେ ଶୁଣୁଥିବା ବନ୍ଧୁଙ୍କ ଉଦ୍ଦେଶ୍ୟରେ, ମୋ ପାଇଁ ଥିବା ଆଇସ୍କ୍ରିମଟିକୁ ହାତରେ ଖୋଲୁ ଖୋଲୁ କହିଲି " ନାୟକ ମୁଁ ନୁହେଁ ବରଂ ଅସଲ ନାୟକ ଏଇ ଆଇସ୍କ୍ରିମ "।



Rate this content
Log in

Similar oriya story from Romance