ଡିଟେକ୍ଟଟିଭ ଜେଜେଙ୍କ ପ୍ରଥମ ଅନୁଭୂତି
ଡିଟେକ୍ଟଟିଭ ଜେଜେଙ୍କ ପ୍ରଥମ ଅନୁଭୂତି
ଦିନେ ସଞ୍ଜ ବେଳଟାରେ ମିକୁ ଚୁଇଁ ଚୁଇଁ ଅକ୍ଷରରେ କ'ଣ ଗୁଡାଏ ଲେଖି ପକାଉଥିଲା । ଜେଜେ ପଛପଟୁ ଆସି ଦେଖିଲେ ମିକୁ କପି ଲେଖୁଛି । ଜେଜେ କହିଲେ, ମିକୁ ! ତୁ କପି ଲେଖୁଛୁ ।ତୋ ଠାରୁ ଏମିତି କଥା ମୁଁ ଆଶା କରିନଥିଲି । ମିକୁ ବିଚରା ବଡ଼ ବଡ଼ ଆଖିରେ ଚାହିଁ ରହିଥିଲା ଜେଜେଙ୍କୁ । ଜେଜେ କହିଲେ ଇତିହାସ ପରୀକ୍ଷାକୁ ଆଉ ଦୁଇ ଦିନ ବାକି ଅଛି । ଏଇ ଦୁଇ ଦିନ ସମୟରେ ତୁ ସତୁରୀ ପ୍ରତିଶତ ମାର୍କ ଆଣିପାରିବୁ । ଯାଆ ଏବେ ପାଠ ପଢ଼ । ମିକୁ ଜେଜେଙ୍କ କଥା ମାନି, ମନ ଲଗେଇ ପାଠ ପଢିଲା ଆଉ ପରୀକ୍ଷାରେ ଭଲ ବି କଲା ।
ପରୀକ୍ଷା ସରିଯାଇ ଥିବାରୁ, ମିକୁ କହିଲା ଜେଜେ ତମେ ମତେ ତମ ପିଲା ଦିନର ଗପ କୁହ । ମୁଁ ତମ କଥା ମାନିଲି ଆଉ ପରୀକ୍ଷାରେ ଭଲ ବି କଲି । ଏବେ ତମ ପାଳି ତମେ ମତେ କୁହ ତୁମ ପରୀକ୍ଷାର ଅନୁଭୂତିକୁ ।
ଜେଜେ କହିଲେ, ମିକୁ ତୁ ଏତେ ବଡ ହେଲାଣୁ ତଥାପି ଗପ ଶୁଣିବାକୁ ତୋର ଜିଦି ଯାଉନି । ହଉ ତେବେ ଶୁଣୁ ମୋର ପ୍ରଥମ ଅନୁଭୂତିକୁ :-
ମୁଁ ଯେବେ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଗୋଟେ ଗଣିତ ଶିକ୍ଷକ ଥିଲେ । ତାଙ୍କ ନାଁ ଥିଲା ଗୌରାଙ୍ଗ ପୃଷ୍ଟି।
ସମସ୍ତେ ତାଙ୍କୁ ଗଉ ମାଷ୍ଟ୍ରେ ବୋଲି ଡାକନ୍ତି । ମୁଁ କିନ୍ତୁ ତାଙ୍କୁ ବହୁତ ସମ୍ମାନ ଦିଏ । କାରଣ ଗଣିତ ମୋର ଟିକେ ହୁଏନି । ସେ ଯେବେ ଗଣିତ ପଢାନ୍ତି ମୁଁ ମନ ଦେଇ ଶୁଣେ । ଆଉ ପ୍ରତିଦିନ କ୍ଲାସ କରେ ।
ଏମିତି ବିତି ଚାଲିଲା ସମୟ । ପରୀକ୍ଷା ବି ପାଖେଇ ଆସିଲା । ସବୁ ପରୀକ୍ଷା ମୋର ଭଲ ହେଲା । ହେଲେ ଗଣିତ ପାଇଁ ମୋର ଚିନ୍ତା ବଢି ଗଲା । ପରୀକ୍ଷା ମଝିରେ ଦୁଇ ଦିନ ସମୟ ଥାଏ । ସେଇ ଦୁଇ ଦିନରେ ମୋର ସାଧ୍ୟ ମତେ ଚେଷ୍ଟା କଲି ପଢିବାକୁ । ହେଲେ ପରୀକ୍ଷା ପୂର୍ବ ଦିନ ରାତିରେ ମତେ ଏମିତି ଲାଗିଲା ଯେ ସତେ ଯେମିତି ମୁଁ କିଛି ପଢିନି । କିଛି ଆସିବନି ମତେ । ମୁଁ ବାଧ୍ୟ ହୋଇ କପି ଲେଖିକି ନେଲି ।
ପରୀକ୍ଷା ହଲକୁ ଯାଉଛି ଗଣିତ ସାର୍ ମତେ ଡାକିଲେ ପାଖକୁ । କହିଲେ, ପତାପ ତୋ ଉପରେ ମୋର ଯଥେଷ୍ଟ ଭରଷା ଅଛି । ତୁ ପାରିବୁ ଗଣିତକୁ । ପତାପ ! ମୁଁ ଶୁଣିଛି କୁଆଡେ କିଛି ପିଲା କପି କରିବେ ବୋଲି । ତତେ ମୁଁ ଡିଟେକ୍ଟଟିଭର ଦାୟିତ୍ଵ ଦେଉଛି । ଚୋରଙ୍କୁ ଧରିବା ଏବେ ତୋ କାମ ।
ମୁଁ ହୁଁ ଟାଏ ମାରି ପରୀକ୍ଷା ହଲକୁ ଗଲି । ବାଟରେ ଗଲା ବେଳେ ସାରଙ୍କ କଥା ଭାବୁଥିଲି । ତାଙ୍କ ଆଖିରେ ଥିବା ବିଶ୍ୱାସକୁ ଦେଖି, ନିଜକୁ ମନେ ମନେ ଭାରି ଧିକ୍କାର କଲି । ତା'ପରେ ପାଖରେ ଥିବା କପି କାଗଜକୁ ଝରକା ବାଟେ ବାହାରକୁ ଫିଙ୍ଗି ଦେଲି ।
ହଲରେ ଶାନ୍ତ ନିରବ ବାତାବରଣ । ଗୁରୁ ଗମ୍ଭୀର ସ୍ୱର ଭାସି ଆସୁଛି ଦୂରରୁ । ଏତେ ଗହଳି ଭିତରେ ବି ଭାରି ଏକା ଲାଗୁଥାଏ ମତେ । ଶିକ୍ଷକମାନଙ୍କ ଜୋତା ମଚମଚ ଶବ୍ଦ ଖାଲି ଶୁଭା ଯାଉଥାଏ । ଛାତି ଧକ୍ ଧକ୍ ଆଉ ମନଟା ଭାରି ଗୋଳେଇ ଘାଣ୍ଟି ହେଉଥାଏ । ଡରଟା ମନ ଭିତରେ ଚିରା ଚରିତ ପ୍ରଥାରେ ପୁରେଇ ଦିଆଯାଇଛି ଯେ, ଗଣିତ ଭାରି ଭିଡ଼ ବୋଲି । ଗଉ ସାର୍ ଯେତେ କହିଲେ ବି ମନଟା ଜମା ବୁଝୁ ନଥାଏ ମୋର ।
ଗଣିତ ପ୍ରଶ୍ନ ପତ୍ର ବଣ୍ଟା ହେଲା । ଖାତା ବି ଦିଆ ହେଲା । ପ୍ରଶ୍ନ ପତ୍ର ମେଲେଇ ଦେଖିଲି ଖୁବ ସହଜ ପ୍ରଶ୍ନ ପଡିଥିଲା । ସବୁ ଆସିଲା ବି ମତେ । ଖୁସିରେ ଖୁସିରେ ଗଣିତ କରିଗଲି ମୁଁ । ଆଉ ଅଧଘଣ୍ଟା ଥାଏ ମୋର ସବୁ ଗଣିତ ସରିଗଲା । ତା'ପରେ ମୁଁ ଦେଖିନେଲି କୋଉଠି କିଛି ଭୁଲ୍ ଅଛି କି ନାହିଁ । ତା'ପରେ ଚୋର ଧରିବା ଅଭିଯାନ ମୁଁ ଆରମ୍ଭ କରିଦେଲି ।
ମୁଁ ଦେଖିଲି ସମସ୍ତେ ତ ଠିକ୍ ଠାକ୍ ଲେଖୁଛନ୍ତି । କିଏ ଆଉ ଚୋରି କରିବ । ସାର୍ ବୋଧହୁଏ ଭୁଲ୍ ସୂଚନା ପାଇଛନ୍ତି । ମୁଁ ମୋର ପ୍ରଶ୍ନର ଉତ୍ତର ଆଉ ଥରେ ଦେଖିବାକୁ ଲାଗିଲି । ହଠାତ ପାଖରେ ବସିଥିବା ଝିଅ ମୋନାଲି ଉପରେ ମୋର ଆଖି ପଡିଗଲା । ସେ ଗଣିତ ବଦଳରେ କିଛି ଠୋପା ଲୁହ ପରଶି ଦେଇଥିଲା ତା' ଖାତା ଉପରେ । ତା' ତଳକୁ ଗୋଟେ କବିତା ଲେଖିଥିଲା । ଦୂରରୁ ବି ସ୍ପଷ୍ଟ ପଢି ପାରୁଥିଲି ସେ କବିତାକୁ । କାରଣ କବିତାର ଅକ୍ଷର ବେଶ୍ ବଡ ଥିଲା ।
ମିକୁ କଥା ମଝିରେ କହିପକେଇଲା । କୁହ ନା ଜେଜେ ସେ କବିତା କ'ଣ ଥିଲା । ତାକୁ ଟିକେ ଶୁଣାଅ ମତେ । ଜେଜେ କହିଲେ ହଉ ବାବା ମୁଁ କହୁଛି ବ୍ୟସ୍ତ ହୁଅନା । ଶୁଣୁ -
" ଗଣିତରେ ନାହିଁ ହୃଦୟର ଭାବ
ନାହିଁ ହୃଦୟର ଛାପ
ଅଛି ଯଦି ଖାଲି ଅଙ୍କର ସ୍ଵଭାବ
ଅଛି କଷା କଷି ମାପ । "
ମୁଁ ତାକୁ ଚାହିଁଛି ବୋଲି ସେ ଜାଣିନେଲା । ତା'ପରେ ସେ ଖାତାକୁ ଲୁଚେଇ ଦେଲା । ମୁଁ ମୋ ଖାତାକୁ ତାକୁ ଦେଖେଇଲି । ସେ କିଛି ସୂତ୍ରକୁ ଲେଖିଦେଲା । ତା'ପରେ .......
ମିକୁ କହିଲା ତା'ପରେ......
ତା'ପରେ ଆଉ କ'ଣ ? ସେ ଝିଅ ରାକେଟ୍ ବେଗରେ ଗଣିତ କରିବାକୁ ଲାଗିଲା ନିଜ ମନକୁ । ମିକୁ ଠୋ ଠୋ ହେଇ ହସିବାକୁ ଲାଗିଲା ।
ଜେଜେ କହିଲେ ସେ ଝିଅର ସୂତ୍ର ମନେ ପଡିନଥିଲା ବୋଲି ଗଣିତର ହୃଦୟ ନାହିଁ ବୋଲି କହୁଥିଲା । ହାଃ.... ହାଃ....
ଏସବୁ ଭିତରେ ମୋ ଆଖି ପଡିଗଲା ଆଉ ଜଣଙ୍କ ଉପରେ । ବିନୋଦ କାନୁନଗୋ, ସେ ଚଲେଇଛି ତା'ର ଲେଖା ଅଭିଯାନ । ଖାତା ଭିତରେ କପି ରଖି ଲେଖି ଚାଲିଛି । କେହି ବି ଆଉ ସନ୍ଦେହ କରିବାର ନାହାନ୍ତି । ମୁଁ ଏକା ଲୟରେ ତା'ରି ଆଡକୁ ଅନେଇବାରେ ଲାଗିଲି । ଗଉ ସାର୍ ଦେଖିନେଲେ ମୋ ଆଖିକୁ । ମୋ ଆଖିକୁ ଲକ୍ଷ୍ୟ କରି ବିନୋଦର କାରନାମାକୁ ଦେଖିନେଲେ ସେ । ତା'ପରେ ତା' ଖାତା ଛଡେଇ ନେଇ ଟେବୁଲ୍ ଉପରେ ରଖିଦେଲେ । ସେ କେବଳ ଏକା ନୁହେଁ । ତା'ର ଆଉ ପାଞ୍ଚ ଜଣ ସାଙ୍ଗ ବି ଧରା ହେଲେ ।
ପରୀକ୍ଷା ସରିଲା ମୁଁ ମୋ ଘରକୁ ଆସୁଥାଏ। ଗଉ ସାର୍ ବହୁତ ଖୁସିରେ ଆସି ମତେ କହିଲେ ଯାହା ହେଉ ତୋ ସକାଶେ ମୁଁ ବିନୋଦକୁ ପରିପାରିଲି । ନହେଲେ ସେ ତ ଚିଠିରେ ଧମକ ଦେଇଥିଲା ଯେ:-,"ସାର୍ ଆପଣ ମତେ ଧରି ପାରିବେନି ବୋଲି ।"
ମୁଁ ସାରଙ୍କର ମୋ ଉପରେ ବିଶ୍ୱାସ ଦେଖି କାନ୍ଦିପକେଇଲି । ସାର୍ କହିଲେ ପତାପ ତୁମେ କାନ୍ଦୁଛ କାହିଁକି ? ମୁଁ କହିଲି ସାର୍ ଆପଣ ଯାହାକୁ ଏତେ ବିଶ୍ୱାସ କରୁଛନ୍ତି । ସେ ବି କପି କରିବାର ଯୋଜନାରେ ଥିଲା । ସାର୍ କହିଲେ କିନ୍ତୁ ତମେ କରିନ କପି । ମୁଁ ଜାଣିଛି କିଏ ବଦଳିବ ଆଉ କିଏ ବଦଳିବନି । ତେଣୁ ମୁଁ ତୁମକୁ ଏଇ କାମ ହସ୍ତାନ୍ତର କରିଥିଲି । ଏଇ ଉପହାରଟିକୁ ସାଇତିକରି ସାରା ଜୀବନ ରଖିବ । ସାର୍ ହସି ଦେଇ ଚାଲି ଗଲେ । ମୁଁ କିଛି ବୁଝିଲି ଆଉ କିଛି ବୁଝି ପାରିଲିନି ସାରଙ୍କ କଥା । ସତରେ ଆମ ଶିକ୍ଷକ ମାନେ କେତେ ଭଲ ଥିଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।
ତା'ପରେ ପରୀକ୍ଷାର ଫଳ ବାହାରିଗଲା ।
ମିକୁ ହଟାତ କହିଲା, ମୋ ଜେଜେ ପ୍ରଥମ ସ୍ଥାନରେ ଥିବେ । ଜେଜେ କହିଲେ ମୁଁ ତ ପ୍ରଥମ ସ୍ଥାନରେ ଥିଲି । ହେଲେ ଗଣିତରେ କିଏ ସର୍ବାଧିକ ମାର୍କ ରଖିଥିଲା ଜାଣୁ । ମିକୁ କହିଲା, କିଏ?
ଜେଜେ କହିଲେ, ମୋନାଲି । କବିତା ଲେଖିଥିବା ଝିଅ ମୋନାଲି ଅଧଘଣ୍ଟାରେ ୯୦ ପ୍ରତିଶତ ଆଣିଥିଲା ଗଣିତରେ । କହୁଥିଲା ଆଉ ଦଶ ମିନିଟ୍ ଦେଇଥିଲେ ମୁଁ ଶହେ ମାର୍କ ରଖିଥାନ୍ତି । ମିକୁ କହିଲା ଜେଜେ ତମ ମାର୍କ ? ଜେଜେ କହିଲେ ମୋର ୮୮ ପ୍ରତିଶତ । ମିକୁ କହିଲା ଜେଜେ ତମେ ନା ଟିକେ ଶୀଘ୍ର ସୂତ୍ର ତକ ମୋନାଲି କବିତାକୁ କହିବାର ଥିଲା । ଜେଜେ ନାତି ଦୁହେଁ ଠୋ ଠୋ କରି ହସି ବାକୁ ଲାଗିଲେ .........
ଜେଜି ଘର ଭିତରୁ ବାହାରି ଆସି କହିଲେ କେତେ ଆଉ ହସିବ ? ଚାଲ ଖାଇବ । ସଞ୍ଜ ବେଳେ ପରା ମିକି ଘରକୁ ଆସିବ।ଗପ ତକ ସାଇତି ରଖି ଥାଅ । ତାକୁ ବି କିଛି ଶୁଣେଇ ଦବ ।
ଜେଜେ ନାତି ପୁଣି ଠୋ ଠୋ ହସିଲେ .......