Panchanan Jena

Comedy Inspirational

4.6  

Panchanan Jena

Comedy Inspirational

ଡାକ୍ତର ବାବୁଙ୍କ ପେଳେହି ପାଣି

ଡାକ୍ତର ବାବୁଙ୍କ ପେଳେହି ପାଣି

14 mins
555



ଟୁଟୁର ବୟସ ବହୁତ କମ ଥିଲା । କେତେ ହେବ କି ବୋଲି କେହି ପଚାରିଲେ,ଏହି ବାର ତେର ବର୍ଷର ହେବ ବୋଲି ମାଳୀ କାକୀ ସବୁବେଳେ କହେ । ବୟସରେ କ’ଣ ବା ଅଛି ? ପୁଅ ଟାକୁ ଖୁଣି ସାରିଲଣି । ଧେତ ! ମା ଶିଙ୍ଗାରବୁଢୀ ଅଞ୍ଚଳ ଘୋଡେଇ ରଖିଥା ଲୋ ମା’ । ମା-ବାପ ଛେଉଣ୍ଡ ପିଲାଟା ଉପରେ ତୋ ଅଭୟ ହାତ ରଖିଥିବୁ ଲୋ ମା’ ।


 ବୟସ ଯାହାହେଉନା କାହିଁକି ଟୁଟୁ ରାଣୀଖୁଡୀ ଉଚ୍ଛତର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢେ । ପାଠ ପାଇଁ ଯେତେ ପ୍ରସିଦ୍ଧ ନଥିଲା କିନ୍ତୁ ତାର ଦୁଷ୍ଟାମି –ଚଗଲାମି –ବଦମାସୀ ପାଇଁ ସେ ଖଣ୍ଡମଣ୍ଡଳରେ ବେଶ ଜଣାଶୁଣା ଥିଲା ।ବଗଦା ଗାଁର ମୋକମାନେ ତାକୁ ଡ଼ରୁଥିଲେ ।ତା’ର ଅତ୍ୟାଚାର କେବେ କେଉଁ ଦିଗରେ କେତେ ବେଗରେ କିଭଳି ରୂପରେ କେମିତି ପ୍ରକାରେ ଆରମ୍ଭ ହୋଇଯିବ ତା’ହା ପାଣିପାଗ ଅଫିସ ପରି ଅନୁମାନ କରିବା କଷ୍ଟକର ଥିଲା ।କିନ୍ତୁ ଅନ୍ୟପକ୍ଷ୍ୟରେ ଟୁଟୁର ବଡ ଭାଇ ଭେଣ୍ଟୁ ଠିକ ବିପରୀତ ପ୍ରକୃତିର ଥିଲା । ଶାନ୍ତ – ସୌମ୍ୟକାନ୍ତ ମିଜାଜର ।ମାତ୍ର ଏକଦମ ସରଳ ବି କହିହେବନି । କାରଣ ସେ ବାଲିଆପାଳ ବ୍ଲକରେ କିରାଣୀ ଚାକିରି କରୁଥିଲା । ଘରର ଯାବତୀୟ ଅଳି –ଅର୍ଦ୍ଦଳି ଓ ଜମିବାଡିର ତଦାରଖ ମଧ୍ୟ କରୁଥିଲା । ପ୍ରାୟତଃ ବାପାଙ୍କ ଅନ୍ତେ ବଡପୁଅ ହିସାବରେ ବଳଦ କାନ୍ଧରେ ଜୁଆଳି ପଡିବା ନ୍ୟାୟରେ ସଂସାରର ବୋଝ ବୋହି ଚାଲୁ-ଚାଲୁ ପିଲାବେଳର ସରଳ ନିଷ୍ପାପ ମିଜାଜ କେମିତି ରହିବ କହିଲ ଭାଇ ?


ଘର କହିଲେ ବଗଦା ଗାଁରେ ଛଅ ବଖରା ବାପା ଜେଜେବାପା ଅମଳର ଉଚ୍ଛପିଣ୍ଡା ବାଲା ଘର , ଚାରି-ଛଅ ଏକର ଚାଷ ଜମି ଷୋଳଶା ପାଣ୍ଠରେ , ଭିକାଗଡିଆକୁ ଲାଗି ଦାମ –କନ୍ଧାରେ ୫୫ ଗଛ ୧୨ ଆଉଡ଼ ପାନ ବରଜ , ଦୁଇଟି ପହଣାମାଛ ଗଡ଼ିଆ , ୯ଟି ନଡିଆ ଗଛ ଏମିତି ଏମିତି ଅନେକ .... ।ଘର ଠିକ ଠାକ ଚଳୁଥିଲା ।ମୋଟ ଉପରେ କହିଲେ ସୁଖୀ -ସ୍ବଚ୍ଛଳ ପରିବାର ଭେଣ୍ଟୁର ସହଧର୍ମିଣୀ ଶ୍ରୀମତୀ କଲ୍ୟାଣୀ ଦେବୀ ଯେବେ ପ୍ରଥମେ ପ୍ରଥମେ ଘରକୁ ଆସିଲେ , ସେତେବେଳେ ତାଙ୍କୁ ୨୦-୨୨ ବର୍ଷ ହୋଇଥିଲା ଏବଂ ସେହି ବର୍ଷ ଟୁଟୁର ବିଧବା ମା’ ଇହଲୀଳା ସମ୍ବରଣ କଲେ ।ମାତ୍ର ମାରିବାର ଅବ୍ୟବହିତ ପୂର୍ବରୁ ଦୁଇ ବର୍ଷର ଦୁଧପିଆ ଟୁଟୁକୁ ଓ ଘରର ସମସ୍ତ ଭାର କଲ୍ୟାଣୀ ଉପରେ ନ୍ୟସ୍ତ କରି ଆଖି ବୁଝିଥିଲେ ।


ଏ ବର୍ଷ ଚାରିଆଡେ ଜ୍ଵରର ତାଣ୍ଡବ ଲୀଳା । ଡେଙ୍ଗୁ କୁଆଡେ ବ୍ୟାପିଛି । ଚାନ୍ଦମଣି ଗ୍ରାମର ପର୍ଶୁଆ ବେହେରା ପୁଅ ହରିପଦ କୁଆଡେ କଟକ ବଡଡାକ୍ତରଖାନାରେ ଚାଲିଗଲା । କ’ଣ ବା ନ ଦେଖିଲା ଏ ବେନି ନୟନ ! କାଲି ଶବ ଯେତେବେଳେ ଅଦଭୁତିଆ ମାର୍କେଟରେ ପହଞ୍ଚିଲା କିଏ କହିବ ଡେଙ୍ଗୁରେ ପୁଅ ଟେ ମରିଛି ?ଗଯା ଟୋକାଟିଏ ଚିର ନିଦ୍ରାରେ ଯେମିତି ଶୋଇଯାଇଛି ?


ମାତ୍ର କଲ୍ୟାଣୀ ଦେବୀଙ୍କୁ ଜ୍ଵର ହେଇଛି । ତିନି ଚାରିଦିନ ହେଲାଣି । ଜ୍ଵର ଆସୁଛି ଛାଡି ଯାଉଛି । ସେତେ ଜୋର ରେ ଆସୁନି କିନ୍ତୁ ଜ୍ଵର ଆସିବା ବେଳେ ଅଳ୍ପ ଅଳ୍ପ ଦଳକ ମିଶା କମ୍ପ ଆସୁଛି ଯେ ଦେହ ହାତ ଏକଦମ ଶିର ଶିର ଚୁର ଚୁର ହେଇ ଯାଉଛି । ମାତ୍ର ଫେରାଦ ଡାକ୍ତର କହିଛି ଠିକ କରିଦେବ । ବ୍ୟସ୍ତ ହେବାର ନାହିଁ ।


ଫେରାଦ ଅଲ୍ଲୀ ହିଁ ଆଖପାଖ ଖଣ୍ଡ ମଣ୍ଡଳରେ ଏକମାତ୍ର ଡାକ୍ତର । ପାଠ ଘରେ ଶୂନ କିନ୍ତୁ ଫିସ ସବୁବେଳେ ଚଢା । ଅର୍ଥାତ ଫେରାଦ ବାବୁ MBBS ପଢି ନାହାନ୍ତି କିନ୍ତୁ ସମସ୍ତେ ତାଙ୍କୁ ଡାକ୍ତର ବାବୁ କହନ୍ତି । ଏହାବ୍ୟତୀତ ସେ ଅଦଭୁତିଆ ମାର୍କେଟରେ ତାଙ୍କ ଗୁରୁଦେବଙ୍କ ନାଁରେ “ସୁଲେମାନ କ୍ଲିନିକ “ କରିଛନ୍ତି । ଚାପା ଗୁଞ୍ଜରଣ ବେଳେ ବେଳେ ଶୁଣାଯାଏ ଯେ ଫେରାଦ ବାବୁ କୁଆଡେ ଭେଜାଲ ମିସା ଜେନେରିକ ଔଷଧ ଚଢା ଦାମରେ ଦିଏ । ସକାଳୁ ସକାଳୁ ନନା ଚା’ହା ଦୋକାନରେ କରିତକର୍ମା ଫେରାଦ ବାବୁଙ୍କ କେଳେଙ୍କାରିର ଫରିଆଦ ଏକ ନିୟମିତ କଥା । ଚା’ହା ଗ୍ଳାସର ବାମ୍ଫମିସା ଚୁସ୍କି ସହିତ ଫେରାଦ ବାବୁଙ୍କ ବିରୁଦ୍ଧରେ କିମ୍ଭୂତ କିମ୍ଭାକାର ଖଟି ବେଶ କିଛି ଗରାଖଙ୍କୁ ବାନ୍ଧି ରଖିବାରେ ଖୋରାକ ଯୋଗାଏ ।


ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ କଲ୍ୟାଣୀ ଦେବୀଙ୍କ ଜ୍ଵର ଛାଡିବାର ନାଁ ଧରୁନି । କମିଯାଉଛି, ପୁରା ଠିକ ମାତ୍ର ସଞ୍ଜ ନଇଁଲେ ପୁଣି ଜ୍ଵର ମାଡି ଆସୁଛି ।ଏହି କଥାକୁ ନେଇ ସମସ୍ତେ ବ୍ୟସ୍ତ ମାତ୍ର ଭେଣ୍ଟୁ ବାବୁଙ୍କର ମୁଣ୍ଡବ୍ୟଥା ବଢିବାରେ ଲାଗିଛି । କ’ଣ କରିବେ ? କିଏ କହୁଛି ବାଲେଶ୍ଵର ଦୀପକ ଦାଶମହାପାତ୍ର ପାଖକୁ ତ କିଏ କହୁଛି KIIMS ଭୁବନେଶ୍ବର ନେଇଯିବାକୁ ? ଉପଦେଶ ତ ଗୋଟେ ଅଧେ ନୁହେଁ ଗଣ୍ଡା ଗଣ୍ଡା କହୁଛନ୍ତି । ମାତ୍ର ଭେଣ୍ଟୁ ବାବୁ କିଛି ଠିକ କରିପାରୁ ନାହାନ୍ତି ।


ଘରର ବୋଲହାକ କରୁଥିବା ପାତ୍ର ସାହିର ପଇଁଦା ମା’ କଚିମ , ଯିଏ କି ଡାକ୍ତର ଫେରାଦ ବାବୁଙ୍କୁ ଡାକିବାକୁ ଯାଇଥିଲା , ଘୂରିଆସି କହିଲା ---“ ଡାକ୍ତର ବାବୁ ଆଜି ଅନ୍ୟ ଗାଁକୁ ଯିବେ ୨୦୦ ଟଙ୍କା ଫିସ ନେଇ କରି । ତେଣୁ ଏଠାକୁ ଆସି ପାରିବେନି । ସମୟ ମିଳିଲେ ଗତ କାଲି ଆସିପାରନ୍ତି ।”


ଭେଣ୍ଟୁ ବାବୁ ରାଗରେ ଅଗ୍ନିଶର୍ମା ପାଲଟି ଗଲେ । ଶଳାକୁ ମୁଁ ୨୦୦ ଟଙ୍କା ଫିସ ଦେଇଦିଅନ୍ତି । ମାତ୍ର ଆସନ୍ତା ଭଲା । ପଇସା ବଡ କି ଜୀବନ ବଡ । ହଉ ଶୁଣ ! ତୁ ପୁଣି ଯା , ବେଗି ବେଗି ଯା, ଡଗ ଡଗ ଯା , ଉଡି ଉଡି ଯା । ଡାକ୍ତରକୁ ଡାକିକରି ଆଣ ।ଶଳାର କୁମୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ଆଣ , ଅଲବତ ଆଣ । ଜାଣିନି ମୋତେ , ଚିହ୍ନିନି ମୋତେ । ଥରେ ଥାନାରେ ସାଲିସ କରିବି ଯେ , କ୍ଲିନିକ ବେପାର ଯିବ ମାମୁଁ ଘର । କଲ୍ୟାଣୀ ଦେବୀ ଘର ଭିତରେ ପଲଙ୍କ ଉପରୁ ସବୁ ଶୁଣୁଥିଲେ । ଧୀରେ ରୋଗିଣା ସ୍ଵରରେ କହିଲେ –“ ହେଇଟି ! ଶୁଣୁଛ ! ଏଠାକୁ ଆସିଲ । ଡାକ୍ତର ଆଜି ନ ଆସିଲେ କାଲିକି ଆସିବେ । ଗୋଟିଏ ଦିନରେ କ’ଣ ସବୁ ବିଗାଡି ଯାଉଛି କି ?”


ଟୁଟୁ , ଯେ କି ଘର ଅଗଣାର ଏକ କୋଣରେ ଥିବା ଆମ୍ବ ଗଛ ତଳେ ବସି ପୁତୁରା ଗୌରା ସହିତ ମିଶି ଗୁଡି ବନଉ ଥିଲା, ଉଠି ଠିଆ ହେଲା , ଅଣ୍ଟାକୁ ସଳଖ କଲା ଏବଂ ଶୀଘ୍ର କହିଲା –“ ତୁ ଠିଆ ରହ ! ମୁଁ ଯାଉଛି ।”


ଦିଅରଙ୍କ ଗୁରୁଗମ୍ଭୀର ରୋକଠୋକ କଥାଶବ୍ଦ ଶୁଣି କଲ୍ୟାଣୀଦେବୀ ବିଚଳିତ ହୋଇପଡିଲେ । ଶୋଇଥିବା ଅବସ୍ଥାରୁ ସହସା ଉଠିବସିଲେ, ପଲଙ୍କରୁ ଗୋଡକାଢିଲେ ବାହାରକୁ ଚାଲିଆସିବେ ମାତ୍ର ବଳ ପାଉନଥିଲା । ଏଣୁ ଧୀର ବେଗରେ କହି ଚାଲିଲେ –“ ଶୁଣୁଛ ହେ ଶୁଣୁଛ ! ଟୁଟୁକୁ ମନା କର , ଯିବାକୁ ବାରଣ କର । ହେ ଟୁଟୁ ! ମୋ ରାଣ ରହିଲା , ତୁ ଜମା ଯାଆନା ଭାଇ । ତୁ ମୋର କଟି ଭାଇ , ରାଜା ଭାଇ । ମୋର ସାନ ଭାଇ । କାହା ସହିତ କଜିଆ କରିବୁନି । ମୋ ସୁନାଟା ପରା , ମୋ ଧନଟା ପରା । ଯାଆନା କହୁଛି ଯାଆନା ।”


ଟୁଟୁ ଶୁଣିଲା ଆଉ ନ ଶୁଣିଲା ପରି ପାହୁଣ୍ଡ ଆଗକୁ ପକେଇ ବାହାରକୁ ଚାଲିଗଲା । ତାର ପାଞ୍ଚ ବର୍ଷର ପୁତୁରା ଗୌରା , ଯିଏକି ହାତରେ ବାଉଁଶ କଣିଚା ଓ ସୁତୁଲି ଧରି ବସିଥିଲା , କହିଲା –“ ଗୁଡି ଆଉ ବନେଇବୁନି , କାକା ।”


“ବନେଇବା ,ତୁ ବସିଥା । ଆଜି ପାଞ୍ଚପାଇକା ପଦାରେ ଗୁଡି ଉଡେଇବା ।ହେଇ ଗଲି ଆଉ ଆସିଲି ।” – କହି ଟୁଟୁ ଚାଲିଗଲା ।

କଲ୍ୟାଣୀ ଦେବୀ ବ୍ୟତିବ୍ୟସ୍ତ ହୋଇପଡିଲେ । କାନ୍ଦୁରା କଣ୍ଠରେ ନେହୁରା ହୋଇ ଦଦରା ସ୍ଵରର ଦ୍ଵାହିଦେଇ କହି ଚାଲିଲେ –“ ମୁଣ୍ଡ କୋଡି ଦିଅନ୍ତି କି ? ତୁମେ ତାକୁ ଯିବାକୁ କାହିଁକି ଦେଲ ? ଦେଖିବ ! ନିହାତି ଗୋଟେ କାଣ୍ଡ କାରଖାନା କରି ଆସିବ । “


ଭେଣ୍ଟୁ ବାବୁ ତ ରାଗ ମୁଡରେ ଥିଲେ । ପୁଣି ସହଧର୍ମିଣୀଙ୍କ ରେ ରେ ରା ରା । ଆହୁରି ଚଢା ଗଳାରେ କହିଲେ , “ ମୋ କଥା କିଏ ଶୁଣୁଛି ନା ମାନୁଛି ? ନା ଫେରାଦ ଡାକ୍ତର ନା ଟୁଟୁ । ତୁମେ ତ ତାକୁ ମୁଣ୍ଡ ଉପରେ ବସେଇଛ ।ତୁମ ଗୁଣମଣି ତୁମ କଥା ଶୁଣିଲେ କି, ତିଳେ ଖାତିର କଲେ କି ? ଆହୁରି କ’ଣ ନା ପାଠ ପଢିବ , କାଳିଆ ଘୋଡାରେ ଚଢିବ , ମଧୁବାବୁ ସଙ୍ଗେ ଲଢିବ , କଟକରେ ହାକିମ ହେବ ? ବକଟେ ଟୋକାଟା , ଚାରି ଦଉଡି କଟା । ସବୁ ତୁମରି ପାଇଁ । ଆହୁରି କ’ଣ ନା ଆକଟ କଲନି କାହିଁକି ? ସେ କ’ଣ ମାନିବା ମୋଡ଼ରେ ଥିଲାଟି ।” “ତା’ ହାତ କ’ଣ ପାଇଁ ଧରିନେଲନି ? ତାକୁ କ’ଣ ପାଇଁ ଆକଟ କଲନି ? ଏ ଅଭାଗା ପାଇଁ ଦଣ୍ଡେତ ଶାନ୍ତିରେ ଶୋଇହେଉନି । ମରିଯାଆନ୍ତି କି ତରି ଯାଆନ୍ତି ? ଏ ସବୁ ନାଟ ତାମସା ଦେଖନ୍ତି ନାହିଁ । ବାଡିପଶା ଅଳପେଇସା ଯମ ବି ନେଉଛି କାହିଁ ?”- ଧକେଇ ଧକେଇ କଲ୍ୟାଣୀ ଦେବୀ କହି ଚାଲିଥାନ୍ତି ।


ପୁଣି ଆଙ୍ଗୁଳି ଦେଖେଇ –“ ଏ ମିଲି ! ଯାଆ ତୋ ଝିଅ , ଠିଆ ହେଏନା କହୁଛି । ନୁତୁରାକୁ ପଠେଇଦବୁ , ତମ୍ପଡା-ବାବୁଲି ହେରିକା ଯାହାକୁ ପାଇବୁ ଠେଲିକି ପଠେଇଦବୁ । ବୁଝେଇ ସୁଝେଇ ମୋ ପାଖକୁ ନେଇ ଆସିବେ । ମଥାରେ ପଶିଲା ଟି । ଜା .....”


ମିଲି ମୁଁହ ମୋଡ଼ି ଦଉଡି ପଳେଇଲା । ପଇଁଦା ମା’ କଚିମ ନୁତୁରା-ପାପୁଆ ହେରିକାକୁ ଖୋଜିବା ପାଇଁ ଚାଲିଗଲା । ଟୁଟୁ ଫେରାଦ ଡାକ୍ତରଙ୍କ ପାଖରେ ପହଞ୍ଚିଲା ।ଡାକ୍ତର ବାବୁ କ୍ଲିନିକରେ ବସିଥିଲେ – ଯାହାକି ଗୋଟେ ଅଧା ଭଙ୍ଗା ଆଲମାରି ଆଗରେ ଦରଭଙ୍ଗା କାଠ ଚୌକିରେ ବସି ଔଷଧ ଖୋଜୁଥିଲେ ଏବଂ ଚାରି ପାଞ୍ଚଜଣ ରୋଗୀ ମୁଁହକୁ ଖୋଲାକରି ଆଖିରେ ପଲକ ନ ପକେଇ ତାଙ୍କୁ ହିଁ ଦେଖୁଥିଲେ ।ଫେରାଦ ବାବୁ ଟୁଟୁକୁ ବାଙ୍କ ଚାହାଣୀରେ ଦେଖିନେଇ ଆହୁରି କାମରେ ଜାଣିଶୁଣି ଲାଖିରହିଲେ ।


ଟୁଟୁ ଅଳ୍ପ ସମୟ ଚୁପ ଚାପ ଠିଆ ହେଲା , ପୁଣି କହିଲା , “ ଭାଉଜଙ୍କ ଜ୍ଵର କାହିଁକି ଛାଡୁନି ?”


ଡାକ୍ତର ବାବୁ ତାଙ୍କ କାମରେ ମନ ଯୋଗ ଲଗେଇବା ଆଳରେ ମୁଣ୍ଡ ଅଳ୍ପ ଉଠେଇ କହିଲେ , “ ଜ୍ଵର ଛାଡୁନି , ମୁଁ କ’ଣ କରିପାରିବି? ଔଷଧ ତ ଦେଇଛି ।”


“ଚୋପା ଦେଇଛ ! ଭେଜାଲ –ନକଲି-କମଜୋରିଆ –ଜେନେରିକ ଔଷଧରେ କ’ଣ ଜ୍ଵର ଛାଡିବ ? ବେନାମୀ କମ୍ପାନୀର ଡୁପ୍ଳିକେଟ ଔଷଧରେ ଜ୍ଵର ନା ଫର ଛାଡିବ ?- ଟୁଟୁ ଡଗ ଡଗ ମୁଁହେ ମୁଁହେ ଶୁଣେଇଦେଲା । 


କେଇପଦ କାନରେ ପଡ଼ନ୍ତେ ଡାକ୍ତର ବାବୁ ସବୁ କାମକୁ ଧଡାସ କରି ଛାଡିଦେଇ ଟମାଟୋ ପରି ଲାଲ ଲାଲ ଆଖିଡୋଳା ବାହାର କରି ଟୁଟୁ ଆଡକୁ ଟକ ଟକ ଚାହିଁଲେ ସତେ ଯେମିତି ଆହତ ସର୍ପ । ବର୍ତ୍ତମାନ ଦଂଶିଦେବେ ।ଏତେ ବଡ କଥା ତାଙ୍କ କ୍ଲିନିକରେ ଛିଡାହୋଇ ତାଙ୍କ ମୁଁହ ଉପରେ ତାଙ୍କୁ କଟାକ୍ଷ କରି କହିବାକୁ କାହାରି ଜିଭରେ ହାଡ ହେଲାଣି ତାଙ୍କର କାହିଁ ମାନେ ପଡୁନଥିଲା । କପାଳରେ ଝାଳସବୁ ଟୋପି ଟୋପି ହୋଇ ଇଜ୍ଜତ ଚାଲିଯିବାର ଝୋଟିଦେବାକୁ ଯେମିତି ଛନ୍ଦାୟିତ ଚଳଚଞ୍ଚଳ ରୀତିରେ ଫୁଟି ଉଠୁଥାନ୍ତି ।ଟିକିଏ ଚୁପ ରହି , ଫେରାଦ ବାବୁ ଆହତ ବ୍ୟାଘ୍ର ଭଳି ହେଣ୍ଟାଳ – ଗର୍ଜନ କରି ଉଠିଲେ – “ ଭେଜାଲ ଔଷଧ , ବେନାମୀ କମ୍ପାନୀ । ତମେ ଆପଣ ମାନେ ସବୁ ନେବାକୁ କାହିଁକି ଆସ ? ମୁଁ ତ ଗୁଆ ପାନ ଦେଇ ଡାକେନି । ଆଉ ତୋ’ ଭାଇ ମୋ ପାଦ ଧରି କାକୁତି ମିନତୀ କରି ନେଇ ଯିବାକୁ ବାରମ୍ବାର ଲୋକ ପଠାଏ । ବଡ ନେହେରା ହୁଏ । ଆଉ ଏ ସାନ କ’ଣ ନା ଦେଖାଉଛି ହାକିମାତି ? ଯା ବେ ଯା । ଷଣ୍ଢ କୁ ପାଇଖାନା । ପଳା ପଳା ବେ … ।”


ଟୁଟୁ ବି ଛାଡିବାର ନୁହଁ । ଫଟାସ କରି ମୁଁହ ଖୋଲିଲା ଆଉ ବାଟୁଳି ବେଗରେ –“ ଚୁପ ...ଗାଁରେ ଆଉ କେହି ଡାକ୍ତର ନ ଥିବାରୁ, ସେଇଥିପାଇଁ । ଯଦି ଆଉ ଜଣେ ହୁଅନ୍ତା, ଭାଇ କେବେ ବି ପଠାନ୍ତେ ନାହିଁ ?”


କ୍ଲିନିକରେ ବସିଥିବା ଲୋକ ହତବାକ ହୋଇ ଏକେଲା ମାରି ସବୁ ଶୁଣୁ ଥିଲେ – ତାଙ୍କ ଆଡକୁ ମୁଖ ଭଙ୍ଗିମା ବଦଳେଇ ଟୁଟୁ କହିଲା – “ତୁମେ ସବୁ ଜାଣ ମୋ ଭେଣ୍ଟୁ ଭାଇ କେବେ ବି କାହାର ପାଦ ଧରି ନାହାନ୍ତି କି କାହାର ପାଦଧରିବାକୁ କେବେ ବି କହିଥିବେ କି ? ଆସିବା ସମୟରେ ଭାଉଜ ରାଣ ନିୟମ ପକେଇଦେଲେ , ନୋହିଲେ ସବୁ ବିଶ ଦାନ୍ତ ବର୍ତ୍ତମାନ ତୁମରି ଆଗରେ ଉପାଡି ଦିଅନ୍ତି ।”


ପୁଣି ଶିବାନୀ ଗଣନାଟ୍ୟର ବିକ୍ଷାତ-ପ୍ରକ୍ଷାତ ଖଳନାୟକ ଦୈତ୍ୟାରି ପଣ୍ଡା ପରି ତର୍ଜନୀ ଆଙ୍ଗୁଳି ବନ୍ଧୁକ ଭଳିଆ ଦେଖେଇ ଫେରାଦ ବାବୁଙ୍କୁ କହିଲା –“ ଆଉ ଶୁଣ !ସବୁଠାରୁ ଭଲ ଔଷଧ ଆଣିକରି ଶୀଘ୍ର ଆସ ।ଡେରି କରିବୁ ତ ତୋର ଦିନେକୁ ମୋର ଦିନେ । ଆଜି ଯଦି ଜ୍ଵର ଠିକ ହେଲାନି , ତୋ ଘର ଆଗରେ ଯେଉଁ କଲମୀ ଆମ୍ବଗଛ ଲହଲହକା ମାରୁଛି , ରାତିରେ ଗୋଟିଏ କୁରାଢି ଚୋଟରେ ଗଡ ଗଡ ହୋଇଯିବ । ଆଉ ସକାଳୁ ସକାଳୁ ତୋ’ର ଏହି ଆଲମାରି-ଚୌକି –ବୋତଲ –ଔଷଧ –ଶିଶି –କାଚ ସବୁ ଭାଙ୍ଗିରୁଜି ଛାରଖାର ହୋଇଯିବ, ପତ୍ତା-ଶତ୍ତାବି ମିଳିବନି ।” ଏତିକି କହି ଟୁଟୁ ସେଠାରୁ ଛୁ ....

ସବୁ ଯେମିତି ନାଟକୀୟ ଢଙ୍ଗରେ ନିସ୍ତବ୍ଧ ମଙ୍ଗରେ ଘଟିଗଲା । ଫେରାଦ ବାବୁ, ବସିଥିବା ରୋଗୀ , କାହାରି ମୁଁହରେ ଭାଷା ନାହିଁ ।


ହଠାତ ଏକ ବୟସ୍କ ରୋଗୀ କଣା ବାପ ଭାନୁଆ ବିଶ୍ଵାଳ ଟିକିଏ ହିମ୍ମତ ବାନ୍ଧିବା ଆଳରେ ଆହିସ୍ତା ଆହିସ୍ତା ପାଟି ଫିଟେଇଲା –“ ଫେରାଦ ବାବୁ , ଆଉ ଜମା ଡେରି କରନ୍ତୁନି । ଭଲ ମାର୍କାମାରା ଔଷଧ ଯଦି କେଉଁଠି ଲୁଚେଇକି ରଖିଛନ୍ତି , ତେବେ ତା’କୁ ହାତରେ ଧରି ଶୀଘ୍ର ହୋଇଆସ । ତା’ ନାଁ ଟୁଟୁ । ଯାହା କହିଗଲା ସବୁ ଅମଳ କରି ଛାଡିବ ।”


ଡାକ୍ତର ବାବୁ ହାତରେ ବୋତଲ ରଖିବା ଆଳରେ କହିଲେ –“ ମୁଁ ପ୍ରଥମେ ଥାନାରେ ଏତେଲା ଦେବି , ତା’ ନାଁ ରେ ମାନହାନି ମୋକର୍ଦମା କରିବି । ପ୍ରଥମେ ତା’ର ଚିକିତ୍ସା , ପରେ ଭାଉଜର । ଶଳା ! ବକଟେ ପିଲାଟା । ଚିପି ଦେଲେ ଅନ୍ତବୁଜୁଳା ବାହାରି ଆସିବ । କଥା କହୁଛି ଦରିଆ ପାରି । ପୂରା ସଭାରେ ସମସ୍ତଙ୍କ ଆଗରେ ଲଙ୍ଗଳା ଫୁଙ୍ଗୁଳା କରି ଚାଲିଗଲା । ଧେତ ! ---“ ରକ୍ତ ଚାଉଳ ଚୋବେଇ ଚୋବେଇ ବକି ଚାଲିଥାନ୍ତି ।


ପୁଣି ଟିକେ ବିରାମ ନେଲେ ଆଉ ବସିଥିବା ରୋଗୀ ମାନଙ୍କଆଡେ ନୟନ ଯୋଗଳକୁ ବୋଲେଇ କହିଲେ –“ ହିଁ ! ଶୁଣ ! ତୁମେ ସବୁ ସାକ୍ଷୀ ଦେବ ତ ? ତୁମେ ସବୁ ଥାନାରେ ଟୁଟୁ ବିରୁଦ୍ଧରେ କହିବ ତ ?”  


କଣା ବାପ ଭାନୁଆ ବିଶ୍ଵାଳ ଯିଏ ଉପାୟ କହୁଥିଲା , କହିଲା –“ ସାକ୍ଷୀ ! କି’ଏ ଦେବ ? ଝିଭ କାମୁଡି ପକେଇଲା, ଦାନ୍ତ ଜିଗିଡ଼େଇ କହିଲା , ଡାକ୍ତର ବାବୁ , କି’ଏ ସାକ୍ଷୀ ଦେବ ଭାବୁଛନ୍ତି ?”କାନରେ ପୂଜ ପଚ ପଚ କରୁଥିବାରୁ ତ ମୁଁ ଏଠାକୁ ଆସିଛି । ମୋତେ ଶୁଭୁଥିଲେ ମୋ କାନ ଠିକ ଥିଲେ ମୁଁ ବା କାହିଁ ନିଇତି ଏଠାରେ ଅଧିଆ ପଢିବାକୁ ଆସନ୍ତି ନ ପଡି ଜଗତିପୁର ଶିବ ମନ୍ଦିର ମଣ୍ଡପରେ ? ଟୁଟୁଆ କ’ଣ ବକବକ କରି ଚାଲିଗଲା , ମୋତେ ବିଲକୁଲ ଶୁଭିନାହିଁ । ଆଉ !ଶଳାଟା ଏତେ ଡ଼ଗ ଡ଼ଗ ହୋଇ ଏତେ ବେଗି ବେଗି କହିଗଲା ଯେ , ମୁଁ ତା’ର କୂଳ କିନାରା ପାଇଲି ନାହିଁ ।


ପୁଣି ପୁଲିସ କ’ଣ କରିବ ? ଦେଖିବାକୁ ଶଳା ଛୋଟ , ମାତ୍ର ତା’ର ଯେଉଁ ବାମନ ଦଳ ଛୋଟ ନୁହେଁ । ଯଦି ଆପଣ ଘରେ ଶୋଇଥିବା ସମୟରେ ରାତିରେ ନିଆଁ ଲଗେଇ କରି ଚାଲିଯିବ , ଥାନାକୁ ଖବର ଯିବ ନା , ଥାନାର ଲୋକେ ଆସି ଆପଣଙ୍କ ଭସ୍ମୀଭୂତ ଶ୍ରୀମନ୍ଦିରକୁ ଦେଖିବାକୁ ଆସିବେ । ସାକ୍ଷୀ –ଫାକ୍ଷୀ ମୁଁ ଦେଇ ପାରିବିନି । ଏହାକୁ ଗାଁଟା ଯାକର ସମସ୍ତଙ୍କର ଡର । ଏହାଠାରୁ ଆଚ୍ଛା ହେବ , ସେ ଯାହା କହିଗଲା ତାହାହିଁ କରିଆସ ।


କଣା ବାପ ଭାନୁଆ ଏପଟେ ସେପଟେ ଚାହିଁଲା , ତରକ ମରକ ହେଲା । ଟିକେ କଅଁଳେଇ କହିଲା , ହୋ ଡାକ୍ତର ବାବୁ ବେଶୀ ଚିନ୍ତା କରନି । ସବୁ ଠିକ ହେଇଯିବ ।ଦେଖିଲେ ଏପଟେ , ମୋର ନାଡି ଟିକେ ଦେଖିବେ କି ଡାକ୍ତର ବାବୁ ! ଆଜି ରାତିରେ ଗଣ୍ଡାଏ ତତଲା ତବତ ପେଟରେ ପଡିବ କି ? ତଳିପେଟ ହପ୍ତାହେ ହେଲା ବି ଦାନାଗୁଣ୍ଡାଏ ଛୁଇଁ ପାରିଲାନି ।”


ଡାକ୍ତର ବାବୁ ଭିତରେ ଭିତରେ କୁହୁଳୁ ଥିଲେ । ବୁଢାର ନାଡି ଦେଖିବା କଥା କାନରେ ପଡିବା କ୍ଷଣି ସେ ରାଗରେ ନିଆଁବାଣ ହୋଇଗଲେ । ସାକ୍ଷୀ ଦେବୁନି ।ଯାଅ ସବୁ ଏଠାରୁ । ଭାଗ ନିକଲୋ । ମୁଁ କାହାରି ନାଡି-ତାଡି ନେହିଁ ଦେଖୁଙ୍ଗା । କେହି ମରିଯାଉଛି କହିଲେ ବି ଔଷଧ ମିଳିବନି । ଦେଖେ , କେତେ ଦମ ଅଛି ।ପଇସା ପାଞ୍ଚ ଟଙ୍କା ଅଧିକା ଦେବାକୁ,ଚାହା କପେ ଦେବାକୁ କଲିଜା ଥରୁଥିବ , କଥା ସବୁ ଶହେ –ହଜାରେ –କୁଇଣ୍ଟାଲିଆ । ଭାଗସବୁ ....ଭାଗିସ ....।”


କଣା ବାପ ଭାନୁଆ ବିଶ୍ଵାଳ ବଙ୍କୁଲି ବାଡିକୁ ଧରି ଉଠି ଠିଆ ହେଲା । ଅଣ୍ଟା ସଳଖି ଗୋଟିଏ ଗୋଟିଏ ଗଣି ଗଣି ପକାଇବା ଆଳରେ ମୁଁହରେ ଫିସ ଫିସ କହୁଥିଲା “ଦୋଷ କାହାରି ନୁହେଁ , ଡାକତର ବାବୁ । ତାକୁ ଆପଣ ଜାଣିନାହାନ୍ତି । ବହୁତ ବଦ୍ ମାସ ସେମାନେ ।ପୂରାପୂରି ଶୈତାନ ସେମାନେ । ହଁ !ତାଙ୍କୁ ବି ଖବର ଦେବାକୁ ହେବ ।ନୋହିଲେ ଟୁଟୁଆ ଭାବିପାରେ ଆମେସବୁ ଥାନାରେ ତା’ ବିରୁଦ୍ଧରେ ସାକ୍ଷୀ ଦେବାକୁ ବାଲିଆପାଳ ଚାଲିଯାଇଛୁ । ବାଡିରେ କଣ୍ଟା ବାଇଗଣ ବଡ ବଡ ହୋଇଗଲାଣି , ମାର୍କେଟରେ କିଲୋ ୬୦ ଟଙ୍କା ଚାଲିଛି । ରାତି ନ ପାହୁଣୁ ସବୁ ସଫା ହୋଇଯିବ ।ଭାବିଥିଲି ବଡଝିଅ ଶାନ୍ତି ଘରକୁ ଝୋଲେ ଦି ଝୋଲା ପଠେଇ ଥାନ୍ତି । ଏ ସନ ହେବନି ପ୍ରାୟ ।ଲଡକାମାନେ ରାତିରେ ଶୁଉନାହାନ୍ତି । ଥାନାକୁ ଆପଣ ପରେ ବି ଯାଇପାରିବେ ।ମାତ୍ର ପ୍ରଥମେ ଅସଲି ଠିପିଏ ଔଷଧ ନେଇ ଟୁଟୁଆ ଭାଉଜକୁ ଥଣ୍ଡା କରନ୍ତୁ । ମୁଁ ଚାଲିଲି ।ରାମ ରାମ ।କାହା ମୁଁହ ଦେଖି ଘରୁ ପାଦ ପକେଇ ଥିଲି କେଜାଣି ।ଜଗନ୍ନାଥ ପାରିକର , ତ୍ରାହିକର ନିରାକାର ।


କଣା ବାପ ଭାନୁଆ ଚାଲିଗଲା ଆଉ ଧୀରେ ଧୀରେ ଅନ୍ୟମାନେ ବି ମୁଁହ ତଳକୁ କରି ଲାଙ୍ଗୁଡ ଜାକିଜୁକି ପଳେଇଲେ । ଫେରାଦ ବାବୁ ଗୋଟେ ଲମ୍ବା ନିଶ୍ଵାସ ନେଇକରି ମାନବ ଜୀବନର ଅନ୍ତିମ ଅନୁଚିନ୍ତାକୁ ମନରେ ମନରେ ବାରମ୍ବାର ଉଛାରଣ କରି ଚାଲିଥିଲେ –ଶଳା ! ଜୀବନରେ କାହାରି ଭଲ କରିବ ନାହିଁ ?


 କଲ୍ୟାଣୀ ଭାଉଜ ଝରକା ଭିତର ଦେଇ ବାହାରକୁ ଚାହିଁ ବକର ବକର ହେଉଥିଲେ । ଏତିକିବେଳେ ଟୁଟୁ ଝଡଭଳି ଆସି ଥପକିନା ଗୌରା ପାଖରେ ବସିପଡିଲା –ଗୌରା ଚାଲ , ଗୁଡି ବନେଇବା ।


କଲ୍ୟାଣୀ ଟୁଟୁକୁ ଡାକ ପକେଇଲେ – ଏ ଟୁଟୁ – ଶୁଣ ତ ଟିକେ ।


ଟୁଟୁ ମୁଣ୍ଡ ଉଠେଇଲା , ଝରକା ଫାଙ୍କରେ ଭାଉଜର ସନ୍ଦେହୀ ମୁଖମଣ୍ଡଳକୁ ଦେଖି କହିଲା – ଯାଇ ହେବନି । ମୁଁ ପରା କାମ କରୁଛି ।

କଲ୍ୟାଣୀ ଦେବୀ ଧମକେଇବା ଭଙ୍ଗୀରେ ଡାକିଲେ – ଶୀଘ୍ର ଆସୁଛ ନା ନାହିଁ ।ମୁଁ କହୁଛି ପରା । ଭାଇଙ୍କୁ ଡାକିବି । ହେଇ ଟି ଶୁଣୁଛ ।


ଟୁଟୁ ସବୁ ଛୁଡ଼ –ଛାଡକର ହଠାତ ଠିଆହେଲା , ଦେହ ହାତ ଝାଡିଝୁଡି ହେଲା । କଣିଚା –କାଠି-କାଗଜ ସବୁ ଠନ ଠାନ ଶବ୍ଦ କରି ତଳେ ପଡୁଥିଲା । ଧୀରେ ଧୀରେ ଟୁଟୁ ଆସି ଭାଉଜର ଶୁଇଥିବା ଘର ଏରୁଣ୍ଡି ବନ୍ଧ ପାଖରେ ଛିଡାହେଲା । କ’ଣ ମନକୁ ଆସିଲା କେଜାଣି , ଭାଉଜ ଶୋଇଥିବା ପଲଙ୍କର ଗୋଟିଏ ପାଖରେ ଯାଇ ଲଥ କରି ବସି ପଡିଲା ଅପରାଧୀ ପରି ।କଲ୍ୟାଣୀ ଭାଉଜ ଧୀରେ ଧୀରେ ବିଛଣାରୁ ଉଠିବାକୁ ଚେଷ୍ଟା କାଲେ ।ତାଙ୍କ ସ୍ନେହିଳ କର ଯୁଗଳକୁ ଟୁଟୁର ପାଣ୍ଡୁର ପଡିଯାଇଥିବା ଗଣ୍ଡ ପ୍ରଦେଶରେ ବୁଲେଇଆଣିଲେ , ପଣତ କାନିରେ କାନ ତଳେ ଲାଗିଥିବା କିଛି ମଇଳାକୁ ପୋଛି ଦେଲେ । ମୋ ସୁନା ଟା ମୋର କଳାକାଠ ପଡିଗଲାଣି ।ଗଳା ସଫା କରି ଭାଉଜ ପଚାରିଲେ -“ ଡାକ୍ତରବାବୁ ଦେଖାହେଲେ ।”

ହଁ । ଟୁଟୁ ମୁଣ୍ଡ ଟୁଙ୍ଗାରିଲା ଏଣ୍ଡୁଅ ପରି ।

“କ’ଣ କହିଲେ ? “- ଭାଉଜ ପୁଣି ପ୍ରଶ୍ନ କଲେ ।

“ଆସିବେ ବୋଲି କହିଲେ “- ଉତ୍ତର ମିଳିଲା ।

କଲ୍ୟାଣୀ ଦେବୀଙ୍କୁ ଜମାରୁ ବିଶ୍ବାସ ହେଲାନି । ମୁଖରେ ସନ୍ଦେହର କୁଝ୍ହଟିକା , ସନ୍ଦେହର କଳା କାଳିମା କାରଣ ଏ ବିଛୁଆତିଟା କ’ଣ କିଛି କାଣ୍ଡ କାରଖାନା ନକରି ଖାଲି ହାତରେ ଫେରି ଆସିଲା ।ଜମାରୁ ବିଶ୍ଵାସ କରିପାରୁ ନ ଥିଲେ । ତଥାପି କଥା ଲମ୍ବେଇ ରଖିଲେ ଅଦାଲତରେ ଓକିଲର ଜେରାକଲା ଭଳି କାଳେ କିଛି ସୁରାକ ପାଇଯିବେ ।” ଖାଲି ଆସିବେ ବୋଲି କହିଲେ , ନା ଆଉ କିଛି ଅଧିକା କହିଲେ । ସେ ପରା ଆଉ କେଉଁ ଗାଁ କୁ ଯିବେ ୨୦୦ ଟଙ୍କା ଫିସ ନେଇ ।”

ଟୁଟୁ ଚୁପ ରହିଲା ।


ଟୁଟୁର ମୌନ ରହିବା ପୁଣି କଲ୍ୟାଣୀ ଦେବୀଙ୍କୁ ଘୋର ସଙ୍କଟରେ ପକେଇଲା । ସେ ମନେ ମନେ ଯେଉଁ ପ୍ରମାଦ ହେଜି ହେଉଥିଲେ ତା’ର ପୁନରାବୃତ୍ତି କରି ଆସିଲା କି ? ପୁଣି ପଚାରି ବସିଲେ – “ ସତ କହରେ ମୋ ଧନ , ସତ କରି କହ ।ଫେରାଦ ବାବୁ କ’ଣ କହିଲେ ?”  

“କହି ପାରିବିନି ।”- ଟୁଟୁ ଝଟାସ କରି ଫଟାସ କରି ଓଗାଳି ଦେଲା ।

ଏତିକି ବେଳେ ପଇଁଦା ମା’ କଚିମ କହି ଉଠିଲା – ବୋହୁ ! ବୋହୁ ! ଡାକ୍ତର ବାବୁ ଆସିଲେଣି ।


କଲ୍ୟାଣୀଦେବୀ ମୋଟା ବେଡ଼ଶିଟକୁ ଟାଣି ଆଞ୍ଛୁଡି ଠିକ କଲେ କାରଣ କୁଞ୍ଚ ପଡିଯାଇଥିଲା , ମକଚା-ମକଚି ହେଇଯାଇଥିଲା । ଆଉ ଏକପାଖିଆ ହୋଇ ଡାକ୍ତରଙ୍କ ଆଡକୁ ଶାଢୀର ଆଞ୍ଚଳ ଠିକ ଠାକ କରି ଓଢଣା ଟାଣି ବୁଲି ପଡିଲେ । ଡାକ୍ତରବାବୁ ତାଙ୍କ ଷ୍ଟେଥେସ୍କୁପ ପକେଇ ଦେଖିଲେ , ଥୋର୍ମୋମିଟରକୁ ଜିଭତଳେ ରଖିବାକୁ କହିଲେ ଓ ପଲ୍ସରେଟ ଚେକ କଲେ । କହିଲେ ବ୍ୟସ୍ତ ହେବାର କିଛି ନାହିଁ । ଡେଙ୍ଗୁ ତ ଜମାରୁ ନୁହଁ । ଭାଇରାଲ ଜ୍ଵର । ଇଞ୍ଜେକଶନ ଦେଲେ । କହିଲେ ସପ୍ତହେ ଲାଗିବ । ନିଜ ବ୍ଯାଗରୁ କିଛି ଟାବ୍ଲେଟ ଆଉ ବୋତଲ ବାହାର କେଲେ । ମାର୍କର କଲମରେ କେତେବେଳେ ଖାଇବେ ଲେଖିଦେଇ ଭାଇଜଙ୍କୁ ବୁଜେଇଦେଲେ । ଯିବାକୁ ଉଠୁ ଉଠୁ କଲ୍ୟାଣୀଦେବୀଙ୍କୁ କହିବା ମୁଦ୍ରାରେ ସମବେତ ସମସ୍ତଙ୍କୁ କହିଲେ –“ ଭାଉଜ ! ଜ୍ଵର ଛାଡିବା –ନ ଛାଡିବା କ’ଣ ଡାକ୍ତର ହାତରେ ବନ୍ଧା ? କ’ଣ କହିବି ଭାଉଜ ? କିନ୍ତୁ କହିବାର ବିଷୟ ଏହି କି ଯେ ତୁମର ଗୁଣମଣି ଟୁଟୁ ଦେବର ପ୍ରବର ତ ମୋତେ ହିଁ ଦୋଷୀ ମାନୁଛନ୍ତି ଆଉ ମାତ୍ର ଦୁଇ ଦିନ ସମୟ ଦେଇଛନ୍ତି । ଏହା ଭିତରେ ଆପଣ ଠିକ ହୋଇଗଲେ ତ ଠିକ , ନୋହିଲେ ସେ ମୋ କ୍ଲିନିକରେ ନିଆଁ ଲଗେଇ ଦେବ ବୋଲି ଧମକ ଚମକ ଦେଇଛି । ଏଣୁ ମୋର ଭୁଲ ରହିଲା କେଉଁଠି କହିଲେ ?


କଲ୍ୟାଣୀଦେବୀ ସରମରେ ଯେମିତି ଜଳି ଗଲେ । କ୍ଷମା ମାଗିବା ମୁଦ୍ରାରେ କହିଲେ , “ ତା’ର ସବୁ କଥା ଏମିତି । ପିଲାଳିଆ ବୁଦ୍ଧି ଶୁଦ୍ଧି ହେଇନି । ଆପଣ ସେ ସବୁ କଥାକୁ ଜମା ଧରିବେନି ।ମୁଁ କଥା ଦେଉଛି , ଆପଣଙ୍କର କିଛି ବି କ୍ଷତି ହେବନି । ପିଲାର ରାଗରେ ଘର ପୋଡି ଯାନ୍ତା ତ ଗାଁରେ ଘର ବା ରହନ୍ତା କାହିଁ ।


ଡାକ୍ତର ବାବୁଙ୍କୁ ତଥାପି ବିଶ୍ଵାସ ହେଉ ନଥିଲା । ଅଧିକ ଆଶ୍ଵାସନା ଆଶାରେ ପୁଣି ବଖାଣିଲେ –“ ଲୋକେ କହୁଥିଲେ କି ଟୁଟୁର ଗୋଟିଏ ବାନର ସେନା ଦଳ ଅଛି । ସେ ଦଳର କଥା ଓ କାମ ଟଙ୍କାର ଦୁଇପାଖ ଭଳି । ବ୍ୟତିକ୍ରମ ହେବାର ନାହିଁ । ଏହାହିଁ ଡରର ମୁଖ୍ୟ କାରଣ । ମୁଁ ଔଷଧ ଦେଇ ପାରେ ,କିନ୍ତୁ ଜ୍ଵର ଛାଡିବା କ’ଣ ମୋ ହାତରେ ଥୁଆ , ଜୀବନ କ’ଣ ଦେଇ ପାରେକି ? ରୋଗୀମାନେ ମୋ ପାଇଁ ସାକ୍ଷାତ ଈଶ୍ଵର କାରଣ ସେମାନେ ମୋତେ ସେବା କରିବା ପାଇଁ ମୌକା ଦେଇଥିବାରୁ ମୁଁ ଡାକ୍ତର ଆଉ ତାଙ୍କର ଦିଆ ପାରିତୋଷିକରେ ମୋ ପରିବାରର ଭରଣ ପୋଷଣ ସହିତ ସମାଜ କଲ୍ୟାଣ ସମ୍ଭବ ।


କଲ୍ୟାଣୀ ଦେବୀ ଚୁପ ରହିଗଲେ । ଲାଜ ସରମରେ ପାଟି ଦୁଇଫାଳ ହେବାକୁ ଯେମିତି ନ ଥିଲା । ଭେଣ୍ଟୁ ବାବୁ ରାଗରେ ପାଚିଗଲେଣି ଏ ସବୁ କାଣ୍ଡ କାରଖାନା ଶୁଣିକରି । କଲ୍ୟାଣୀ ଦେବୀ ଆଡକୁ କ୍ରୋଧିତ ମୁଦ୍ରାରେ ” ମୁଁ ଜାଣେ ପରା ଏ ବଗୁଲିଆ ମେଞ୍ଚଡ ଟୋକାଟା ଦିନେ ନା ଦିନେ ଜେଲ ଯିବ । ପୁଣି ତା’ ସହିତ ଆମ ସମସ୍ତଙ୍କୁ ହାଜତରେ ଡାଲି ଭାତ ଚଖେଇକରି ରହିବ । କହିଦେଉଛି ମୁଁ ଏ ସବୁରି ମୂଳରେ ହିଁ ତୁମେ ଆଉ ତୁମର ଦେବର ସୋଆଗ । ଦେଖିଲ ତ !


ଆଜି ଫେରାଦ ବାବୁ ନିଜ କ୍ଲିନିକ କୋଣରେ ଥିବା ଗୋଦ୍ରେଜ ଆଲମୀରା ଖୋଳିକାରି ଅସଲି ଇଞ୍ଜେକଶନ ଓ ଔଷଧ ଆଣିଥିଲେ । ତାକୁ ଦେଇକରି , ସବୁ ଭଲକରି ଦୁଇ ଚାରିଥର ବାରମ୍ବାର ବୁଝେଇ ସୁଝେଇ କରି ଯେତେବେଳେ ସେ ଯିବାକୁ ବସିଲେ , ଭେଣ୍ଟୁବାବୁ ତାଙ୍କୁ ୨୦୦ ଟଙ୍କା ଫିସ ଦେଲେ । ମାତ୍ର ଫେରାଦ ବାବୁ ଦାନ୍ତ ତଳେ ଜିଭକୁ ଚାପିରଖି କହିଲେ –“ ସର୍ବନାଶ । ମୋର ଫିସ ତ ମାତ୍ର ୫୦ ଟଙ୍କା ମାତ୍ର । ତା’ ଠାରୁ ବେଶୀ ମୁଁ କଦାପି ନେଇ ପାରିବି ନାହିଁ । ଏହା ମୋ ଆଚରଣ ଓ ଉଚ୍ଛାରଣର ବାହାରେ । ଭେଣ୍ଟୁ ବାବୁ ! ପଇସା ଦୁଇ ଦିନର , ଆଜି ଅଛି କାଲି ନ ଥିବ । ମାତ୍ର ଧର୍ମ ସବୁଦିନର , ସମାଜ ସେବା ଯୁଗ ଯୁଗର । ମାନବ ସେବା ପରା ମାଧବ ସେବା ।


ଦୁଇ ଦିନ ପୂର୍ବରୁ ସେହି ଫେରାଦ ବାବୁ ୧୦୦ ଟଙ୍କା ୫୦ ଟଙ୍କା ଜାଗାରେ ନେଇଥିଲେ । ଆଉ ୨୦୦ ଟଙ୍କା ଫିସ ନେଇ ଅନ୍ୟ ଗାଁକୁ ଯିବା କଥା ବି ତାଙ୍କ କାନରେ ପଡିଥିଲା । ହଠାତ ଆଜି ସେ କଥାକୁ କେମିତି ପାଶୋରି ପକେଇଲେ , ଏ କଥା ଭେଣ୍ଟୁ ବାବୁଙ୍କ ମୁଣ୍ଡରେ ମଗଜରେ ପଶୁ ନ ଥିଲା । କିନ୍ତୁ ସେ ଏ ସବୁ ଆମୂଳଚୂଳ ପରିବର୍ତ୍ତନକୁ ଭଲଭାବରେ ହୃଦୟଙ୍ଗମ କରିପାରୁଥିଲେ ।କଲ୍ୟାଣୀ ଦେବୀ ଭଲ ହୋଇଗଲେ । ଘରକାମ ପୂର୍ବବତ ସୁରୁଖୁରରେ ହସଖୁସିରେ ମଉଜମଜଲିସରେ ଚାଲିଲା ମାତ୍ର ବେଳେ ବେଳେ ଫେରାଦ ବାବୁଙ୍କ ଏହି ଅସ୍ଵାଭାବିକ ଅବିଶ୍ଵାସନୀୟ ପରିବର୍ତ୍ତନ କଥା ଭାବିଲେ ଗୋଟିଏ କଥା ଦମ୍ପତି ଦ୍ୱୟ ମନେ ମନେ ଭାବି ହସିପକଉ ଥିଲେ । ସିଧା ଆଙ୍ଗୁଳିରେ ଘିଅ କ’ଣ ଉଠେ ? ଟୁଟୁ ଦେଲା ଯେ ପାନେ, ଶଳା ଡାକ୍ତର ବାବୁଙ୍କ ପେଳେହି ପାଣି ।  



Rate this content
Log in

Similar oriya story from Comedy