ଡାହାଣୀ (ଭାଗ -୧)
ଡାହାଣୀ (ଭାଗ -୧)
ଅନ୍ଧବିଶ୍ୱାସର ମାତ୍ରା ବଢିଲେ ଓ ଏହାର ଚେର ସୁଦୂର ପ୍ରସାରି ହେଲେ ସମାଜରେ କିପରି ନୈତିକତାର ହାନି ଘଟେ, ତାହା ହିଁ ସ୍ପଷ୍ଟ ବାରି ହେଉଥିଲା,ଗତ ମଙ୍ଗଳବାର ଦିନ କାଳିସୀ ଧରାପୃଷ୍ଠକୁ ଉଦୁଉଦିଆ ଖରାବେଳେରେ ନିରୀହ ଆଦିବାସୀ ବହୁଳ ଗାଁ କାଶୀପୁରରେ ଧରାଅବତରଣ କରିଥିଲେ ।
ଦେବୀଙ୍କ ଆଗମନରେ ଥରହର କାଶୀପୁର ।
ଦେବୀଙ୍କ କୃପା ପାଇବାକୁ ସମସ୍ତେ ଦେବୀଙ୍କୁ ତାଙ୍କ ମନମୁତାବକ ବଳି ଜାଚୁଥିଲେ ।
କାହାର ପୁଅ ଅଜଣା ରୋଗରେ ପଡିଛି, କାହାର ଝିଅ ବାହାଘର ଭାଙ୍ଗି ଯାଉଛି ବାରବାର, କାହାର ନିଜ ଶତୃ ଉପରୁ ପ୍ରତିଶୋଧ ନେବାର ଅଛି ।
ସମସ୍ତେ ନିଜ ନିଜର ଅରଦଳି ନେଇ ଆସିଛନ୍ତି ମା ପାଖକୁ ।
କଣ୍ଡୁରୀ ଶୋଉର ଦେହ ଭିତରେ ପଶି ସାରିଥିବା ଦେବୀ ମା ଘଣ୍ଟ ଘଣ୍ଟି,ଝାଞ୍ଜ ,କରତାଳ ,ଢୋଲ ଆଉ ମାଦଳର ତାଳେ ତାଳେ ନାଚୁଥାନ୍ତି ।
ଝୁଲି ଝୁଲି ,ଆଖିକୁ କଟମଟ୍ କରି ଅନାଉ ଥାନ୍ତି ।
କଣ୍ଡୁରୀ ଶୋଉର ଦେହରେ ମା ଏମିତି ପ୍ରତି ମଙ୍ଗଳବାର ଆସନ୍ତି ।
ଜଣ ଜଣ କରି ସମସ୍ତେ ମା ଆଗରେ ଅଧିଆ ପଡି ଯାନ୍ତି । ସାଷ୍ଟାଙ୍ଗ ପ୍ରଣିପାତ କରି ଦୁଃଖ ବାଢନ୍ତି ।
ଦେବୀମାଙ୍କ ଗୋଟିଏ ହାତରେ ଦୁଇଟି ବେତର ପାଞ୍ଚଣ , ଆର ହାତରେ ମୟୁରଚୁଳର ଏକ ଗୁଛ, ଗଳାରେ ଲମ୍ବିଛି ନାଲି ମନ୍ଦାରର ମାଳ ।
ସନିଆ :-ମା' ଗୋ ମା ...!!!!!
-ମୋତେ ଉଦ୍ଧାର କର ଲୋ ମା ।
-ମୋର୍ ପୁଅକୁ ପାଞ୍ଚ ଦିନ ହେଲାଣି ଝାଡାବାନ୍ତି ।
-ମୋର୍ ପୁଅ ପାଟିରେ କିଛି ଦେଉନି ।
-ଝଡି କଣ୍ଟା ହେଇଗଲାଣି ।
-ତାକୁ ଟିକେ ଭଲ୍ କରି ଦେ ଲୋ ମା ।
-ମୁଇଁ ଦୁଇଟା ନାଲି ଗଞ୍ଜା ବଳି ଦେମି ତୋ ପୀଠରେ ।
-ମା ଲୋ ରକ୍ଷାକର ।
-ଏକୋଇରବଳା ବିସିକେଶନ ଟି ମୋର୍ ।
ଦେବୀ ମା (ଆଖି କଟ୍ ମଟ୍ କରି ବିକଟାଳ ସ୍ୱରରେ ,ସନିଆ ମୁଣ୍ଡକୁ ଦୁଇ ପାହାର ଦେଲେ ପାଞ୍ଚଣରେ )
-ହେଁ .....ହେଁ......ହେଁ....
-ଯା ....ଯା...
-ତୋର ପୁତାଟା ଭଲ୍ ହେଇଯିବ ।
-ଗଞ୍ଜା ଦିଟା ଦେବାକୁ ଭୁଲିବୁନି ।
ଦେବୀ ମା ନାଚି ନାଚି ଆଗକୁ ବଢି ଚାଲିଲେ । ବୟସର ଅପରାହ୍ନରେ ପହଁଚିଥିବା କେତକୀ ବୁଢୀ ମା ର ଗୋଡ଼ ତଳେ ଲମ୍ବ ହୋଇ ପଡିଗଲା ।
-ହେ ମା ...ମା ଗୋ ।
-ମୁହିଁ ତୋତେ ଗୋଟେ ଭେଣ୍ଡିଆ ବୋଦା ବଳି ଦେମି ଲୋ ।
-ମୋ ପୁଅର ଚାକିରୀ ଗୁଟେ କରେଇ ଦେ ।
-କିଛି ଗୁଟେ କର୍ ..ମା ।
-ବୁଢୀ ହେଲିଣି ଆଉ ପର ର୍ ଘରେ ପାଇଟି କରି ଭେଣ୍ଡିଆଟାକୁ କେତେ ପୋଷିମି ?
-ତୋର ଟୁକାଟା ବଡ଼ ନିଖଟୁ ଲୋ ବୁଢୀ ।
-ତାର ଭବିଷ୍ୟତ୍ ମୋତେ ଦେଖା ଯାଉଛେ ।
-ସେଇଟା ଗୋଟେ କୁଢିଆ ଟାଏ ।
-ହୋଉ ତୁଇ ଥୟ ଧର ,
ରହ ତୋର ପୁତା କଥା ମୁଇଁ ନିଶ୍ଚୟ ହେଯିମି ।
ମୟୁର ଚୁଳ ବୁଢୀ ମୁଣ୍ଡରେ ମାରି ଦେଲେ ଦେବୀ ମା ।
-ଯା ବୁଢୀ ଇ ମାସର ଶେଷ ସୁଦ୍ଧା ତୋର ପୁତା କାମ୍ ରେ ଲାଗିଯିବ ।
ଦେବୀ ମା ଆଗକୁ ବଢି ଚାଲିଲେ ,ଝୁଲି ଦୋହଲି ,ଆଖିକୁ ଲାଲ ଲାଲ କରି । ଠୁରା ଆସି ମା ର ଗୋଡ଼କୁ ମାଡି ବସିଲ। ।
-ମା ଲୋ ।..ଏ ମା
-ଦୁଷ୍ଟ ନାଶିନୀ
-ବିଘ୍ନ ବିନାସିନୀ
-ମୋର ଏସନ ଫସଲ ସବୁ ଉଜୁଡ଼ିଗଲା ମା..!!
-କଣ ଖାଇକରି ବଞ୍ଚିମି ?
-ମୋର ପିଲା ମାଇପ କଣ ଖାଇବେ ?
-ବାକି ଗୁଟେ ଧାନ୍ ଗଦା ସାଇତି କରି ରଖିଥିଲି ।
-ସେ ହାଡ଼ିଆ ସାଥିରେ ମୋର ଆଗରୁ ବୈରୀ ଥିଲ ।
-ସେ ମୋର ଧାନ୍ ଗଦାରେ ନିଆଁ ନଗେଇ ଦେଲା ଲୋ ମା ।
-ମୁଁଇ ତାକୁ ଟାଙ୍ଗିଆ ଚୋଟ୍ ରେ ଦୁଇଗଡ଼ କରି ଦେଇଛେ...!!!
-ପୁଲୁସି ମୋତେ କୁକୁର୍ ଵାଗିର୍ ଖୋଜୁଛେ । ମୋତେ ବାନ୍ଧି ନେବା ଲୋ ମା ।
-ମୋ ସଂସାର ଭାସି ଯିବା ଲୋ ମା ।
ଦେବୀ ମା ହସି ହସି କହିଲେ...
-ରେ ଠୁରା ,ମୁଁଇ ତତେ ଭଲ୍ ସେ ଜାଣିଛି । ତୁ ଗୋଟେ ବାଗର ପିଲାଟା ।
-ସେ ହାଡ଼ିଆଟା ସୁଦୁ ଦୁଷ୍ଟ ପରକୁତି ପିଲା ଟା ।
-ତୁଇ ମୋଟୁରୁ ଡର ନାଁ ।
-ମୁଇଁ ଗୁଟେ କିଛି କରୁଛେ ।
-ତୁ ଗୁଟେ କାମ୍ କର୍ ।
-ମୋର ମନ୍ଦିର ସାମ୍ନାରେ ଗୋଟେ ପଣା ହାଣ୍ଡିଟେ ବସାଇ ଦେ ।
-ସବୁ ମଙ୍ଗଳବାର ସେଥିରେ ପଣା ପାଣି ଆଣି ଢ଼ାଲେ ।
-ତୋର କିଛି ହେବ ନାଇଁ ।
-ପୁଲୁସି ତୋତେ କେଭେଁ ବାନ୍ଧି ପାର୍ବନି ।
-ମା ଲୋ..ମୁଇଁ ସବୁ କର୍ମି । ତୋ କରୁଣା ମୋର ଉପରେ ଥାଉ ଲୋ ମା ।
-ହବା ହବାରେ ତୋର ସବୁ ଦୁଃଖ୍ ଦୁର୍ ହେବ ।
ହଠାତ୍ ଦେବୀ ମା ,ଜୋରରେରେ ଚିତ୍କାର କରିବାକୁ ଲାଗିଲେ ।
ହଁ....ହଁ...ହୁଁ...ହୁଁ....ହାଂ ....ଆଁ
ନାଚିବାକୁ ଲାଗିଲେ ।
ଅଣ୍ଟାରେ ବନ୍ଧା ଯାଇଥିବା ଘାଗୁଡି ଶବ୍ଦ ଆଉ ଘଣ୍ଟ ଶବଦରେ କାଶୀପୁର କୋଳାହଳ ପୂର୍ଣ୍ଣ ହୋଇ ଉଠୁଥିଲା।
ସଭିଏଁ ଗାଁ ଲୋକେ ମା ର ଏ ଅବତାର ଦେଖି କାକୁସ୍ତ ହେଇ ଯାଉଥାନ୍ତି ।
ଲଙ୍ଗଳା ଛୁଆ ଗୁଡା ଭୟରେ କାନ୍ଦି ପକାଉଥାନ୍ତି ।
ଚମ ଧୁଡୁ ଧୁଡୁ ହେଇ ଯାଇଥିବା ବୁଢ଼ା -ବୁଢୀଙ୍କ ଶରୀରର ଚମଡା ଗୁଡିକ ଯେମିତି ଉଠ୍ ପଡ଼ ହେଉଥାନ୍ତି ।
କଟା ଗଛ ଭୂଇଁରେ ପଡ଼ିବା ପରି ଲଦ୍ କିନା ମା ତଳେ ପଡି ଗଲା ।
କଣ୍ଡୁରୀ ନିସ୍ତେଜ .....
ଗାଁ ଲୋକେ ତା ମୁହଁରେ ପାଣି ଛାଟି ତାର ଚେତା ଫେରାଇ ବାକୁ ଚେଷ୍ଟା କରୁଥାନ୍ତି ।
କ୍ରମଶଃ...........
✍ବଳରାମ ବାରିକ।