ଚୁମକିର ପୃଥିବୀ
ଚୁମକିର ପୃଥିବୀ
ବିଧାତା ଜନ୍ମ ଦେଇଛି ମାନେ କର୍ମ ବି ଦେଇଚି । ପେଟ ଦେଇଚି ମାନେ ଦାନା ବି ଖଞ୍ଜିଚି । ବୋଉ ସବୁବେଳେ ପଜିଟିଭ୍ କଥା କହେ । ନୈରାଶ୍ୟ ଯେମିତି ଆମ ମନକୁ କେବେବି ନ ଢାଙ୍କୁ । କିନ୍ତୁ ମୁଁ ଜାଣେ ବୋଉ ଭିତରେ ଭିତରେ କୋହରି ହୁଏ । ବୋଉ ଓ ଭାଇ ହିଁ ମୋର ପୃଥିବୀ । ବାପା କିଏ କେବେ ଦେଖିନି । ପିଲାବେଳେ ଅନ୍ୟ ପିଲାଙ୍କ ଭଳି ଆମ ବାପା କାହିଁକି ନାହାନ୍ତି ବୋଲି ଯେତେବେଳେ ବୋଉକୁ ପଚାରେ ବୋଉ କୁହେ- ବାପା ବଣିଜ କରିବାକୁ ଦୂରକୁ ଯାଇଛନ୍ତି ।
ସମୟ ବିତି ବିତି ଗଲା । ଏବେ ମୁଁ ଷୋହଳ ବର୍ଷର ହେଲିଣି । ବାପାଙ୍କୁ ଦେଖିଲିନି । ବୋଉ କିନ୍ତୁ ପ୍ରତିଦିନ ଗାଧେଇ ସାରି ସିନ୍ଦୂର ପିନ୍ଧେ । ସାବିତ୍ରୀ ବ୍ରତ କରେ । ତା ହାତରେ ଦିମୁଠା ପାଣି ଚୁଡି ଆଉ ନାଲି ଶଙ୍ଖା ରୁଣୁଝୁଣୁ ହେଉଥାଏ । ପାଦରେ ଝୁଣ୍ଟିଆ ବି ପିନ୍ଧିଚି । ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ । ବୋଉକୁ ପଚାରିବାକୁ ସାହସ ପାଏନି । ଭାଇ କିନ୍ତୁ ବେଳେବେଳେ ବୋଉକୁ ପଚାରି ଦିଏ । ବୋଉ କେବେ କଣ କୁହେ । ବୋଉ ଆଖିରେ ଲୁହ ଦେଖି ସେ ବି କଥା ବାଆଁରେଇ ଦିଏ ।
ଚୁମକି.... ଏ ଚୁମକି.... । ଯଲ୍ଦି ଆ । ତୋ ବୋଉ ବେହୋସ ହେଇଗଲା । ପଡିଶା ଘର ମାଉସୀ ପାଟି ଶୁଣି ମୁଁ ଦୌଡିଲି ଘର ଆଡେ । ଭାଇ ମିସ୍ତ୍ରୀ କାମକୁ ଯାଇଛି । କଣ କରିବି ଏବେ । ପାଣି ଛଟାଛଟି କରି ପାଦ ମାଲିସ୍ କରିବାରୁ କେତେ ସମୟ ପରେ ହୋସ୍ ଆସିଲା ।
ବୋଉ ଶୋଇ ରହିଛି ବିଛଣା ଉପରେ ଦୀର୍ଘ ସମୟ ହେଲା । ରାତି ଆଠଟା ବାଜିଲାଣି । ଭାଇ ବି କାମରୁ ଫେରିଲାଣି । କିନ୍ତୁ ବୋଉ ଉଠୁନି । ଭାଇ ଆସିବା ପୂର୍ବରୁ ବୋଉ ରୋଷେଇ କରିଦେଇ ଥାଏ ସବୁବେଳେ । ମୋ ପିଲାଟା ଦିନ ସାରା ଖଟି ଖଟି ଆସୁଛି କହି ବଳେଇ ବଳେଇ ଖୁଆଏ । ହେଲେ ଆଜି ଉଠୁନି ।
ମୁଁ ଭାତ ରାନ୍ଧି ଖାଲି ଜାଣିଛି । ବୋଉ ରୋଷେଇ ସାରି ଆପାର୍ଟମେଣ୍ଟ ରୁ ଫେରିଲା ବେଳକୁ ଡେରି ହେଇ ଗଲେ ମୁଁ ଖାଲି ଭାତ ରାନ୍ଧି ଦିଏ । ବୋଉ ଆସିଲେ ତରକାରୀ କରେ । ବୋଉ ଆଜି ଉଠୁନଥିବାରୁ ମୁଁ ଭାତ ରାନ୍ଧି ଦେଇଚି ଆଉ ସେଇ ଭାତରେ ଆଳୁ ଚାରିଟା ସିଝେଇ ଦେଇଚି ।
ଭାଇ ଗାଧେଇ ସାରି ଆସି ବସିଲା ଖାଇବାକୁ । ତଥାପି ବୋଉ ଉଠିଲାନି । ଭାଇ ଯାଇ ବୋଉ ପାଖରେ ବସିଲା । ବୋଉ ତୋର କଣ ହେଇଚି । ଦେହ ଭଲ ଲାଗୁନି କି । ବୋଉ ଆଖି ଖୋଲି ଚାହିଁଲା । ସେତେବେଳକୁ ତା ଆଖି ଲୁହରେ ତକିଆଟା ପୁରା ଭିଜି ଯାଇଥିଲା ।
ଯା ଖାଇବୁ । ଚୁମୁକି ଭାତ ଆଳୁ ସିଝା କରିଛି । ଭାଇ କିନ୍ତୁ ମନା କଲା । ଆଜି ତୋ ମନରେ କଣ ଚାଲିଛି ନଜାଣିଲେ ମୁଁ ଖାଇବିନି ବୋଲି ମନା କଲା ।
- ଆଜି ତୋ ବାପାଙ୍କୁ ଦେଖିଲି ।
- କାହିଁ ଘରକୁ ତ ଆସି ନାହାନ୍ତି ?
- ନା ଟିଭିରେ ଦେଖିଲି ।
ବାପାଙ୍କ ବିଷୟରେ କଥା ଶୁଣି ମୁଁ ବି ବୋଉ ଓ ଭାଇ ପାଖରେ ବସିବାକୁ ଗଲି । ବାପା ଙ୍କୁ ଦେଖିଲୁ । ହେଲେ ମତେ ଡାକିଲୁନି । ଟିକେ ଅଭିମାନ ଭରା କଣ୍ଠରେ କହିଲି ।
ବୋଉ ଟିକେ ମୋ ମୁହଁକୁ ଚାହିଁ ରହିଲା । ସତେ ଯେମିତି ମୁଁ କିଛି ଗୋଟେ ଭୁଲ୍ କଥା କହିଦେଲି ।
ଟିଭିରେ କଣ କରୁଥିବା ଦେଖିଲୁ । ଭାଇର ପ୍ରଶ୍ନରେ ବୋଉ ମୋ ଉପରୁ ନଜର ହଟେଇଲା । ଏବେ ବଡ଼ କଣ୍ଟ୍ରାକ୍ଟର ହେଇ ଯାଇଛନ୍ତି । ଦିଲ୍ଲୀରେ ରହୁଛନ୍ତି । ଓଭରବ୍ରିଜ୍ ନିର୍ମାଣ ଦେଖେଇଲା ବେଳକୁ ତାଙ୍କ ଇଣ୍ଟର୍ଭ୍ୟୁ ଦେଖେଇଲା ।
ଯୋଉ ଲୋକ ଆମ କଥା ଭାବୁନି, ତାଙ୍କ କଥା ତୁ କାହିଁକି ଭାବୁଚୁ ? ଚାଲ୍ ଆମେ ଖାଇବା । ରାତିରେ ଆମେ ସବୁ ଏକାଠି ଖାଇ ଶୋଇଲୁ । ସକାଳୁ ଭାଇ କାମକୁ ଗଲା । ମୁଁ କଲେଜ୍ ଆଉ ବୋଉ ରୋଷେଇ କରିବାକୁ ଆପାର୍ଟମେଣ୍ଟ୍ କୁ । ମୁଁ ଆଜି ଘରକୁ ଚଞ୍ଚଳ ଫେରି ଆସିଲି । ମୁଣ୍ଡ ବିନ୍ଧୁଚି ବୋଲି । ଘର ଭିତରେ ବୋଉ ସହ ଆଉ ଜଣେ ସ୍ତ୍ରୀ ଲୋକର ପାଟି ଶୁଭିଲା । କବାଟ କଣରେ ଠିଆ ହେଇ ଶୁଣିଲି ।
ବୋଉ କହୁଥିଲା, ଭାଇକୁ ଚାରିବର୍ଷ ହେଇଥିଲା ବେଳେ ବାପା ଆମକୁ ଛାଡି ଚାଲିଗଲେ ।
- ହେଲେ ଅପା ଭାଇ ଏମିତି ଛାଡି କାହିଁକି ଚାଲିଗଲେ ।
- ତୁ ତ ଜାଣୁ ସିଏ କଣ୍ଟ୍ରାକ୍ଟର ଥିଲେ ବୋଲି ବାପା ଆମ ଭଲ ପାଇବାକୁ ସ୍ଵୀକୃତି ଦେଲେନି । ମୁଁ ଘର ଛାଡି ତାଙ୍କ ସାଙ୍ଗେ ଚାଲି ଆସିଥିଲି । ପ୍ରଥମେ ପ୍ରଥମେ ସବୁ ଠିକ୍ ଥିଲା । ପୁଅ ଜନ୍ମ ପରେ ସେ ଆମକୁ ଭଲରେ ରଖିବାକୁ ଚାହାନ୍ତି କହି ଅଧିକ ରୋଜଗାର କରିବାକୁ ଚେଷ୍ଟା କଲେ । ବଡ଼ ବଡ଼ ଲୋକଙ୍କ ସହ ମିଶିଲେ । ମଦ ପିଇବା ବି ଅଭ୍ୟାସ କରିଦେଲେ । ବଡ଼ବଡିଆ ମାନେ ଏମିତି ପିଅନ୍ତି କହି ମତେ ବୁଝୋଉଥିଲେ । ଦିନେ ମଦ ନିଶାରେ ଘରକୁ ଜଣେ ସାଙ୍ଗକୁ ନେଇ ଆସିଥିଲେ । ଘରେ ଦୁଇଜଣ ବସି ଆହୁରି ପିଇଲେ । ମୁଁ ପୁଅକୁ ଧରି ଭିତରେ ଶୋଇଥାଏ । ହଠାତ୍ କବାଟ ଫିଟେଇ ତାଙ୍କ ସାଙ୍ଗ ପଶିଲା । ମୋର ପାଟିକୁ ବନ୍ଦ କରି ଟାଣିନେଲା । ସେ ମଦ ନିଶାରେ ଶୋଇଥାନ୍ତି । ତାଙ୍କ ସାଙ୍ଗ ମୋ ସହ ଜବରଦସ୍ତି କଲା । କେବେଠୁ ତୋ ଉପରେ ମୋର ନଜର ଅଛି କହି ମୋ ଉପରେ ମାଡି ବସିଲା । ଅନେକ ସମୟର ସଂଘର୍ଷ ପରେ ମୋର ଶରୀର ନିସ୍ତେଜ ହେଇଗଲା । ତା ପରେ ସେ ରାକ୍ଷସ ମୋର ସର୍ବସ୍ବ ଲୁଟିନେଲା । ପରଦିନ ସକାଳୁ ନିଶାରୁ ଉଠିଲା ପରେ ସେ ନିଜ ଭୁଲ୍ ବୁଝି ପାରିଲେ । ସାଙ୍ଗକୁ ଘରୁ ଧକ୍କା ମାରି କାଢିଲେ । କିନ୍ତୁ କିଛି ଦିନ ପରେ ଜଣା ପଡିଲା ମୁଁ ଗର୍ଭବତୀ । ସେତେବେଳେ ସେ ମୋ ସହ ସବୁ ସମ୍ପର୍କ କାଟି ମତେ ଘରୁ କାଢିଦେଲେ । ଏମିତିକି ନିଜ ପୁଅକୁ ବି ନିଜର ବୋଲି ମାନିଲେନି । ମୁଁ ସେ ସହର ଛାଡି ଦେଲି । ପୁଅକୁ ନେଇ ଏଠାକୁ ଚାଲି ଆସିଲି । ଏଇଠି ଚୁମକିର ଜନ୍ମ । ମତେ ଭଲ ରୋଷେଇ ଆସୁଥିଲା ବୋଲି ଆପାର୍ଟମେଣ୍ଟ୍ ମାନଙ୍କରେ ବୁଲି ବୁଲି ରୋଷେଇ କଲି । ଦି ପିଲାଙ୍କୁ ବଡ଼ କଲି । ହେଲେ ଦି ଜଣ ଯାକ ଜାଣି ନାହାନ୍ତି ଯେ ସେମାନଙ୍କ ପିତା କିଏ ।
ଏତେ ବର୍ଷ ପରେ ତତେ ଆଜି ପାଖରେ ପାଇ ମନ ଖୋଲି ଦେଲି । କିନ୍ତୁ ତୁ ବି କେବେ ଏଠାକୁ ଆସିବୁନି କି ମୋ ଭଉଣୀ ବୋଲି ପରିଚୟ ଦବୁନି । ନହେଲେ ବହୁତ ଦବି ରହିଥିବା କଥା ସଂସାର ଜାଣିଯିବ ।
ମୁଁ ଚୁମୁକି । ହେଲେ ଏକ ଅବୈଧ ସନ୍ତାନ । ମୋ ମୁଣ୍ଡ ଘୁରି ଗଲା । ମୋ ପୃଥିବୀ ଓଲଟି ଗଲା ପରି ଲାଗୁଥିଲା । କିନ୍ତୁ ବୋଉକୁ କେବେ ବି ଜଣେଇ ଦେବିନି ଯେ ମୋ ଜନ୍ମ ରହସ୍ୟ ମୁଁ ଜାଣି ଯାଇଛି । ଏବେବି ବୋଉ ଓ ଭାଇ ମୋର ପୃଥିବୀ । ସେମାନଙ୍କ ସ୍ନେହ ମମତା ମୋର ଏକାନ୍ତ ନିଜର ।।
