ଚର୍ଚ୍ଚା
ଚର୍ଚ୍ଚା
ଏକ ନିର୍ଦ୍ଦିଷ୍ଟ ପରୀକ୍ଷା ଦେବା ଲାଗି ଯାଇଥିଲି ଭୁବନେଶ୍ୱର। କିଛି ଅଧିକ ଅର୍ଥ ଉପାର୍ଜନ ଆଶାରେ ନିଜ ଗାଆଁ ,ପିଲାଛୁଆଙ୍କୁ ଛାଡି ଅନେକ ଲୋକ ଗ୍ରାମାଞ୍ଚଳରୁ ଭୁବନେଶ୍ୱର ଯାଇ ସେଠି ଅତି କଷ୍ଟରେ ଦି ହାତିଆ ଘରେ ରହି ,ଦିନ ମଜୁରିଆ ରୂପରେ ପରିଶ୍ରମ କରନ୍ତି ଓ ନିଜ ପେଟରୁ କାଟି ଟଙ୍କା ସଞ୍ଚୟ କରନ୍ତି। ସେହିପରି ଆମ ଗାଆଁରୁ ବି ଅନେକ ଭୁବନେଶ୍ୱର ରେ ଅଛନ୍ତି। ମୁଁ ଭୁବନେଶ୍ୱର ଯିବା କଥା ଶୁଣି ଆମ ପଡିଶା ଘର ବାପା ଫୋନ କରି ତାଗିଦ କରିଦେଲେ ଯେ ମୁଁ ଗଲେ ତାଙ୍କରି ଘରେ ରହିବି। ଆଉ ମୁଁ ଅଧମ ଯେ ମନା ତ କରି ପାରିଲିନି କିନ୍ତୁ ତା ସାଙ୍ଗରେ ତିନି ଦିନିଆ ଯୋଜନା ମଧ୍ୟ ପ୍ରସ୍ତୁତ କରିଦେଲି। କିଏ ସବୁଦିନ ଯାଉଛି ଯେ ? ଆଉ ଯଦି ଯାଉଛି ରହିବାରେ ଚିନ୍ତା ନାହିଁ ତେବେ ପୁରା ଭୁବନେଶ୍ୱର ବୁଲି ଚାଲି ଆସିବା ବୋଲି ଭାବି ବାହାରି ପଡ଼ିଲି।
ପ୍ରଥମ ଦିନ ରାତିରେ ପହଞ୍ଚି ଗଲି। ଦି ହାତ ଚାଖଣ୍ଡର ଘରଟିଏ। ସେଇଥିରେ ସେ ଦି ଜଣ ରୁହନ୍ତି। ଗୋଟିଏ ସର୍ବସାଧାରଣ ଭଙ୍ଗା ଦଦରା ପାଇଖାନା। ପାଣି ପାଇଁ ଗୋଟିଏ କୂଅଟିଏ ଅଛି। ଏତିକି ଟିକେ ଘରେ ବାପା ମା' କିପରି ବଞ୍ଚୁ ଥିବେ ମୁଁ ଟିକେ ଟିକେ ଅନୁମାନ କରି ପାରୁଥାଏ। ଏତିକି ସମୟରେ ବାପା ଆସିଲେ।ଯେହେତୁ ପଡିଶା ଘର ଲୋକ ସେ ଜାଣନ୍ତି ମୁଁ ଆମିଷକୁ କେତେ ଭଲ ପାଏ। ତେଣୁ ଆସିଲା ବେଳେ ଚିକେନ୍ ଚିଲି ନେଇ ଆସିଥିଲେ। ନିଶ୍ଚୟ ଦୁଇ ଶହ ଟଙ୍କାରୁ କମ ହୋଇନଥିବ। ସେମାନେ ତ ଆମିଷ ଖାଆନ୍ତି ନାହିଁ , ମୋ ପାଇଁ ବଢା ଗଲା। ଖାଇଲା ବେଳେ ଯେଉଁ ପାଣି ମୋ ପାଖରେ ରଖା ହେଇଥିଲା ସେଥିରେ ବୋଧେ କ୍ଲୋରିନ ବଟିକା ପଡିଥିଲା। ସେ ପାଣି ତ ମୁଁ ପିଇ ପାରିଲି ନାହିଁ। ତେଣୁ ମା' ଦୌଡ଼ି ଯାଇ କେଉଁଠୁ ଗୋଟେ ବୋରିଂ ପାଣି ଆଣିଲେ ଯେଉଁ ଥିରେ କ୍ଲୋରିନ ବଟିକା ନ ଥିଲା। ସଭିଏଁ ଖାଇ ପିଇ ଆରାମରେ ଶୋଇଲୁ।
&nb
sp; ସକାଳୁ ଉଠି ବାପା ମୋ ପାଇଁ କୂଅରୁ ପାଣି କାଢି ସାରିଥିଲେ ଆଉ ମା' ବିନିଷି ଆଳୁ ଭଜା କରିସାରିଥିଲେ। ବିନିଷି କିଲୋ ତ ସେ ସମୟରେ ନିହାତି ୧୦୦ ଟଙ୍କା ଥିଲା। ତା ପରେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ବାପା ମୋତେ ଗାଡ଼ିରେ ବସାଇ କଣ୍ଡକ୍ଟର ଭାଇନାଙ୍କୁ କହିଦେଲେ କେଉଁଠି ଉଠେଇବ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଇସା ବି ଆଗରୁ ଦେଇଦେଲେ। ସମସ୍ତଙ୍କ ଆର୍ଶୀବାଦରୁ ପରୀକ୍ଷା ଭଲ ହେଲା। କିନ୍ତୁ ଫେରିଲା ବେଳେ ମୋ ମନରେ ଅନେକ ପ୍ରଶ୍ନ ନିଜକୁ ଆନ୍ଦୋଳିତ କରୁଥିଲା। ତେଣୁ ମୁଁ ଘରେ ପହଞ୍ଚି ଗାଆଁକୁ ଯିବା ପାଇଁ ପ୍ରସ୍ତୁତ ହେଲି। ବାପା ମା' ବହୁତ ନା କଲେ କିନ୍ତୁ କଲେଜରେ ଜରୁରୀ କାମ ରହିଯାଇଛି ବୋଲି ବାହାନା କରି ମୁଁ ଫେରି ଆସିଲି। ଆସିଲା ବେଳେ ପୁଣି ଗାଡ଼ିରେ ବସେଇଲେ ଆଉ ବାଟ ଖର୍ଚ୍ଚ ଲାଗି ୧୦୦ ଟଙ୍କା ମଧ୍ୟ ଦେଲେ।
ମୁଁ ଠିକ କଲି କି ନାହିଁ ? ନିଜର ପିଲା ପରିବାରକୁ ଛାଡି ପେଟକୁ ଦି ମୁଠା ଦାନା ଯୋଗାଡ଼ କରିବା ପାଇଁ ସହରକୁ ଯାଇଛନ୍ତି ସେମାନେ। ଦିନକୁ ମାତ୍ର ପାଞ୍ଚ ଶହ ତିନିଶହ ମୋଟ ଆଠ ଶହ ସେମାନଙ୍କ ରୋଜଗାର। ସେଥିରେ ବି ସବୁଦିନ କାମ ମିଳେନି। ଏପଟେ ଦୈନଦିନ ଖର୍ଚ୍ଚ ସାଙ୍ଗକୁ ଘରଭଡା। ଏଥିରେ ପୁଣି ମୋ ପାଇଁ ଦୁଇ ଶହ ଟଙ୍କାର ଚିକେନ୍ ଶହେ ଟଙ୍କାର ବିନିଷି। ମୋର ସବୁ ଗାଡି ଭଡା। ସକାଳୁ ଉଠି ମୋ ପାଇଁ ପାଣି, ମୋ ପାଇଁ ରୋଷେଇ। ମୋ ଭିତରେ କଣ ମାନବିକତା ମାରି ଯାଇଥିଲା ଯେ ମୁଁ ସେଠାରେ ରହି ସେମାନଙ୍କ ଉପରେ ଆହୁରି ବୋଝ ସାଜିବି। ତେଣୁ ତିନି ଦିନର ଯୋଜନାକୁ ଗୋଟିଏ ଦିନରେ ସାରି ଚାଲି ଆସିଲି। ଅବଶ୍ୟ ସେମାନେ ଏପରି କେବେ ଭାବି ନଥିବେ। କିନ୍ତୁ ଫଳ ଚାକୁ ଉପରେ ପଡୁ କିମ୍ବା ଚାକୁ ଫଳ ଉପରେ କାଟି ହେବା ତ କେବଳ ଫଳର ଭାଗ୍ୟରେ ପଡିବ। ତେଣୁ ସେମାନଙ୍କ ଉପରେ ଆଉ ବୋଝ ନ ହେଇ ମୁଁ ଚାଲି ଆସିଲି। କଣ ଠିକ କରିଛି ତ ?