ସହରୀ ଡାହାଣୀ
ସହରୀ ଡାହାଣୀ
ରୋହିତ୍ ସହର କୁ ନୂଆ ନୂଆ ଆସିଥିଲା। ପାଠ ପଢିବା ପାଇଁ। ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିବା ସତ୍ତ୍ୱେ ବି ବାପା ଧାର କରଜ କରି ରୋହିତ୍ କୁ ପାଠ ପଢ଼ାଇବା ପାଇଁ ସହରକୁ ପଠାଇଲେ। ଭଲ କଲେଜ୍ ରେ ନାମ ଲେଖା ହେଲା। ରୋହିତ୍ ମଧ୍ୟ ଭଲ ପଢେ। ନିଜ ସଫଳତାର ସାମ୍ରାଜ୍ୟ ର ନିଜ ବାପା ମାନଙ୍କୁ ରାଜା ରାଣୀ କରି ରଖିବା ଆଶାରେ ସେ ସହରକୁ ଆସିଥିଲା ସତ କିନ୍ତୁ କିଛି ଦିନ ମଧ୍ୟରେ ସହରୀ ପାଣି ପବନ ଓ ମିଛ ସହରୀ ସମ୍ପର୍କ ଗୁଡିକ ତାକୁ ଭିନ୍ନ ଏକ ମଣିଷ ରେ ପରିଣତ କରି ଦେଲା। ଏ ସବୁ ର କାରଣ ସେ ଭଲ ପାଇ ବସିଥିଲା ଏକ ସୁନ୍ଦରୀ ସହରୀ ତରୁଣୀଙ୍କୁ। ରୂପରେ ଲାବଣ୍ୟ ଝିଅଟିର ପ୍ରେମ ଆବେଦନ ରୋହିତ୍ ଅସ୍ବୀକାର କରି ପାରି ନ ଥିଲା। ନିବିଡ଼ତା ଏତେ ବଢି ଯାଇଥିଲା ଯେ ପ୍ରେମିକାର ଛୋଟ ଛୋଟ ଇଚ୍ଛାକୁ ପୂରଣ କରିବା ଲାଗି ସେ ଯଥା ସମ୍ଭବ ଚେଷ୍ଟା ବି କରୁଥିଲା। ଏହି ସମୟରେ ସେ ନିଜ ପାଠ ପଢା ପ୍ରତି ଅଯତ୍ନଶୀଳ ହୋଇ ପ୍ରେମିକା ସାଥିରେ ସମୟ ବିତାଇବାକୁ ସ୍ୱର୍ଗ ସୁଖ ମଣୁଥିଲା। କିନ୍ତୁ ଏ ସବୁ କ୍ଷେତ୍ରରେ ତାର ସବୁଠୁ ବଡ ବାଧକ ଥିଲା ଅର୍ଥ। ବାପା ତ ମାସକୁ ମୋଟ ୫୦୦୦ ଟଙ୍କା ଦେବେ, ଘରଭଡା,ଖାଇବା ଖର୍ଚ୍ଚ ଆଦି ପରେ ତ ମୋଟ ୨୦୦୦ ଟଙ୍କା ବଳେ ସେତିକିରେ ବା କଅଣ ହେବ, ତେଣୁ ସେ ମଝିରେ ମଝିରେ ବାପାଙ୍କୁ ଫୋନ କରି କେବେ ବହି ଖାତା ତ କେବେ ବିଭିନ୍ନ ପ୍ରକାରର ଫି ତ ପୁଣି କେବେ ଚାକିରୀ ଆବେଦନ ପାଇଁ ଟଙ୍କା ମାଗୁ ଥାଏ। ବାପା ମଧ୍ୟ ଅନେକ କଷ୍ଟ କରି ଯୋଗାଡ଼ କରନ୍ତି।
ଆଉ କିଛି ଦିନ ପରେ ତା ପ୍ରେମିକାର ଜନ୍ମଦିନ ଆସୁଥାଏ। ତା ପ୍ରେମିକାର ଆଶା ତା ପାଇଁ ଗୋଟିଏ ମୋବାଇଲ। କିନ୍ତୁ ଗୋଟିଏ ମୋବାଇଲ ମାନେ ତ ଆଜିକା ସମୟରେ କୋଡ଼ିଏ ପଚିଶ ହଜାର। ତେଣୁ ସେ ଛୁଟି ନେଇ ଘରକୁ ଆସିଲା ପଇସା ଯୋଗାଡ଼ କରିବା ପାଇଁ।
ପୁଅ ଆସିବା ଖବର ପାଇ ବାପା ମାଆଙ୍କର ତ ପାଦ ତଳେ ଲାଗୁ ନଥାଏ। ପୁଅର ମନ ପସନ୍ଦର ଦରବ ପ୍ରସ୍ତୁତ କରି ଚାହିଁ ରହିଥାଏ ତା ଫେରିବା ବାଟକୁ। ରୋହିତ୍ ଆସିଲା। କେହି କିଛି କହିବା ପୂର୍ବରୁ ସେ କହି ଚାଲିଲା..
" ବାପା ମୋର ଗୋଟିଏ ମୋବାଇଲ୍ ଦରକାର, ପୁରୁଣା ମୋବାଇଲ୍ ଟା ଚୋରି ହେଇଗଲା। ବିନା ମୋବାଇଲ୍ ରେ ପାଠ ପଢ଼ାରେ ଅସୁବିଧା ହେଉଛି, କେଉଁଠୁ କୋଡିଏ ପଚିଶ ହଜାର ଯୋଗାଡ଼ କରି ଦିଅନ୍ତ ନି ? "
" କୋଡିଏ ପଚିଶ ହଜାର! ଏହି ମାସରେ ତ ପ୍ରଥମେ ପାଞ୍ଚ ହଜାର ପଠେଇଥିଲି। ତା ପରେ ଚାକିରୀ ଆବେଦନ ପାଇଁ ରଘୁକୁ ମାଗି ଦି ହଜାର ପଠେଇଲି। ଏବେ ଆଉଥରେ କୋଡିଏ ପଚିଶି ହଜାର କେଉଁଠୁ ଆଣିବିରେ ବାବୁ ?ଏବେ ତ ଆଉ କେହି ଋଣ ଦେବାକୁ ବି ରାଜି ହେଉନାହାନ୍ତି। ନା ଫସଲ ବିକା ହୋଇପାରିଛି। ତ କି
ପରି ଆଉ କେଉଁଠୁ ଆଣିବି ଏତେ ଟଙ୍କା ?"
" ତୁମେ ରୁହ ହେ ପୁଅଟା ମୋର ଏତେ ବାଟରୁ ଆସିଛି। ପ୍ରଥମେ କିଛି ଖାଇଦେଉ ତା ପରେ କଥା ହେବ।"
" ତୁ ରହ ବୋଉ, ପଇସା ଯଦି ଦେଇ ପାରିବ ତେବେ କୁହ। ନହେଲେ ମୁଁ ପଳେଇବି। ଜୀବନ ସାରା ତମେ ମାନେ ମୋତେ କ'ଣ ଦେଇଛ କି ? ମୋ ସାଙ୍ଗ ମାନଙ୍କର ବାପା ମାଆ ତାଙ୍କ ପିଲାଙ୍କ ଉପରେ ଲକ୍ଷ ଲକ୍ଷ ଖର୍ଚ୍ଚ କରୁଛନ୍ତି ଆଉ ଏଠି ଟଙ୍କା ପଚିଶି ହଜାର ବି ହେଇପାରୁନାହିଁ।ମୁଁ ଯଦି ଆଉ କାହା ଘରେ ଜନ୍ମ......... " (ଏତିକି କହି ଚାଲିଗଲା)
" ସତରେ କଣ ଏ ଆମ ସେଇ ରୋହିତ୍? ନା।"
ଗାଆଁରୁ ଫେରି ଆସି ରୋହିତ୍ କିଛି ନିଜ ସାଙ୍ଗ ସାଥୀଙ୍କୁ ମାଗି ଆଉ ନିଜ ମୋବାଇଲ କୁ ବନ୍ଧା ପକାଇ ପ୍ରାୟ କୋଡିଏ ହଜାର ଟଙ୍କାର ମୋବାଇଲ ଟିଏ କିଣିଲା। ପ୍ରେମିକାର ଜନ୍ମଦିନରେ ତାକୁ ଆଶ୍ଚର୍ଯ୍ୟ କରିବା ପାଇଁ ସେ କିଛି ସମୟ ଆଗରୁ ପାର୍ଟି କୁ ଚାଲିଗଲା।
"(ଫୋନ୍ ରେ) ଆଇ ଲଭ୍ ୟୁ ସଙ୍ଗମ୍। ମୁଁ ତୁମ ବିନା ବଞ୍ଚି ପାରିବିନି। ସତରେ ମୁଁ ତମକୁ ବହୁତ ଭଲ ପାଏ।.... ଆଚ୍ଛା, ଛାଡ଼। ଆଜି ମୋ ଜନ୍ମଦିନରେ କଣ ଗିଫ୍ଟ୍ ଦେଉଛ ? ... ସତ! ଆଇ ଫୋନ? ୱାଓ! ଆଇ ଲଭ୍ ୟୁ ସୋ ମଚ୍। ଆଉ କେତେବେଳେ ଦେଖା ହେବା?.... ହଉ ମୁଁ ରଖୁଛି ମତେ ପାର୍ଟି ପାଇଁ ମେକଅପ୍ ନେବାର ଅଛି।"
କିଛି ସମୟ ପରେ ରୋହିତ୍ ସେ ଘର ଭିତରକୁ ଗଲା। ତା ପ୍ରେମିକା ତାକୁ କୋଳେଇ ଧରି କହି ଚାଲିଲା...
" ଓ ହୋ ରୋହିତ୍। ଏତେ ଦିନ ହେଲା କୁଆଡେ ଯାଇଥିଲ ଯେ। ଦିନେ କହି ପୁରା ପାଞ୍ଚ ଦିନ ରହିଗଲ। ତମେ କଣ ଜାଣି ନାହିଁ ମୁଁ ତୁମକୁ ନ ଦେଖି ଗୋଟିଏ ମୁହୂର୍ତ୍ତ ରହି ପାରେନି ଆଉ ତୁମେ ?"
"ଏଇ ନିଅ"
" ୱାଓ ନୂଆ ମୋବାଇଲ। ମୋ ପାଇଁ ? ଥାଙ୍କ ୟୁ।"ଏତିକି କହି ସେ ମୋବାଇଲ ଖୋଲିବାକୁ ଲାଗିଲା।
"ଆଚ୍ଛା ଗୋଟେ କଥା କହିବି?"
"କହୁନ"
" ପିଲାବେଳେ ଯେବେ ମୁଁ ମୋ ମାଆକୁ ସହରକୁ ଯିବା କଥା କହେ, ସେ ସବୁବେଳେ କହେ ସହରରେ ସହରୀ ଡାହାଣୀ ମାନେ ରୁହନ୍ତି। ସହରକୁ ଗଲେ ସେମାନେ ମୋତେ ଖାଇଯିବେ। ମୁଁ ଭାବୁଥିଲି ନିଜ ଅଭାବ ପଣିଆକୁ ଲୁଚାଇବା ପାଇଁ ସେ ମୋତେ ମିଛ କହୁଥିଲା। କିନ୍ତୁ ଆଜି ...?"
"ଆଜି କ'ଣ ?"
" ଆଜି ତୁମର ସବୁ କଥା ଶୁଣି ସାରିଲା ପରେ ଲାଗିଲା ସହରରେ ସତରେ ସହରୀ ଡାହାଣୀ ରୁହନ୍ତି ଆଉ ସେମାନେ ସତରେ ମଣିଷ ମାନଙ୍କୁ ଖାଇ ଯାଆନ୍ତି।ଭଗବାନ, ତୁମକୁ ଧନ୍ୟବାଦ୍ ମୋତେ ସମୟ ପୂର୍ବରୁ ସଚେତନ କରେଇ ଦେଇଥିବାରୁ। ଗୁଡ୍ ବାଏ।"