Papu parida

Children Stories Children

4.0  

Papu parida

Children Stories Children

ଭୁଲ ବୁଝାମଣା

ଭୁଲ ବୁଝାମଣା

3 mins
144


    ରଘୁ ପେଷାରେ ଜଣେ ଦିନ ମଜୁରିଆ। ଅନେକ କଷ୍ଟ କରି ସେ ତାର ମାଆ ଛେଉଣ୍ଡ ଦୁଇ ପୁଅ ଶିବ ଓ ଶମ୍ଭୁକୁ ଗୋଟିଏ ଭଲ ବେସରକାରୀ ସ୍କୁଲରେ ନାମ ଲେଖାଇଲା। ସେମାନଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବା ଆଶାରେ ସେ ମୁହୂର୍ତ୍ତେ ମଧ୍ୟ ବିଶ୍ରାମ ନେଉ ନଥିଲା। କିନ୍ତୁ ଦୁଇ ପୁଅ ସମୁର୍ଣ୍ଣ ବିପରୀତ ବୁଦ୍ଧିର ଥିଲେ।ରଘୁ ତାଙ୍କୁ ଉଚିତ ସଂସ୍କାର ଦେଇ ଗଢି ତୋଳିବାକୁ ଚେଷ୍ଟା କରୁଥିଲା କିନ୍ତୁ ସାମାଜିକ ପରିବେଶ ସେମାନଙ୍କ ଭିତରେ ଚାପଳାମି, ଦୃଷ୍ଟାମୀ, ଦାୟିତ୍ବହୀନତା ଗୁଣ ସବୁ ଭରିଦେଇ ଥିଲା । ଯଦିଓ ସେମାନେ ନିଜ ବାପାଙ୍କୁ ଭଲ ପାଉଥିଲେ କିନ୍ତୁ ତାଙ୍କ ମାନ ରଖିଲା ପରି କିଛି କାମ କରି ପାରୁନଥିଲେ।ସ୍କୁଲକୁ ବିଳମ୍ବରେ ଯିବା, ପାଠ ପଢ଼ାରେ ଧ୍ୟାନ ନ ଦେବା, ଅନ୍ୟମାନଙ୍କ ସହ ଝଗଡା କରିବା ଯେପରି ସେମାନଙ୍କ ନିତିଦିନିଆ କାର୍ଯ୍ୟସୂଚୀ ଥିଲା। ଦୃଷ୍ଟତା ଏତେ ବଢିଯାଇଥିଲା ଯେ ପରୀକ୍ଷାରେ କମ ମାର୍କ ପାଇବାରୁ ଦୁଇ ଭାଇ ପ୍ରଧାନ ଶିକ୍ଷକଙ୍କ ଉପରକୁ ପଥର ଫିଙ୍ଗି ଦେଇଥିଲେ। ସେ ସାମାନ୍ୟ କ୍ଷତାକ୍ତ ହେଲେ। ସ୍କୁଲରୁ ବାପାଙ୍କୁ ଡାକରା ହେଲା।ପ୍ରଧାନ ଶିକ୍ଷକ ରଘୁକୁ ବିଭିନ୍ନ ଉପାୟରେ ଅପମାନିତ କଲେ ଓ ନିଜ ପିଲାଙ୍କୁ ସ୍କୁଲରୁ ନେଇଯିବା ପାଇଁ କହିଲେ।ସ୍ୱାଭିମାନି ରଘୁ ଗରିବ ହୋଇଥାଇପାରେ କିନ୍ତୁ ଆଜି ଯାଏଁ କାହା ଆଗାରେ ମୁଣ୍ଡ ନୁଆଁଇ ନଥିଲା। କିନ୍ତୁ ପ୍ରଥମ ଥର ପାଇଁ ସେ ପ୍ରଧାନ ଶିକ୍ଷକଙ୍କ ପାଦ ଧରି ନିଜ ପିଲାମାନଙ୍କ ପାଇଁ କ୍ଷମା ମାଗିଲେ। ଆଖିରୁ ଧାର ଧାର ଲୁହ ବହି ଯାଉଥାଏ। କାରଣ ନିଜ ପିଲାଙ୍କ ଯୋଗୁଁ ତାର ସ୍ୱାଭିମାନ ଧୂଳିସାତ ହୋଇଯାଇଥିଲା। 


   ବାପାଙ୍କ ଏତେ ଦୁଃଖ ଦେଖି ଦୁଇଭାଇଙ୍କ ମନରେ ଅନୁତାପର ନିଆଁ ଲାଗିଗଲା।ସେମାନେ ନିଜ ଭୁଲ ବୁଝିପାରିଲେ। ସେହିଦିନ ଠାରୁ ସେମାନେ ପ୍ରବଳ ପରିଶ୍ରମ କଲେ। ଦୁହେଁ ମିଶି ରାତି ରାତି ପଢିଲେ, ବାପାଙ୍କ ଅଜାଣତରେ ଶୋଇଲା ବେଳେ ତାଙ୍କ ଗୋଡ଼ ଚିପି ଦେଉଥିଲେ,ସ୍କୁଲରୁ ସିଧା ଘରକୁ ଫେରି ଆସୁଥିଲେ। ପ୍ରଧାନ ଶିକ୍ଷକଙ୍କୁ କ୍ଷମା ମାଗିବା ପାଇଁ ତ ଚାହୁଁଥିଲେ କିନ୍ତୁ ସୁଯୋଗ ମିଳୁ ନଥିଲା। ଏଣେ ବାପା ବି ଅଭିମାନରେ ସେମାନଙ୍କ ସହ କଥା ହେଉ ନଥିଲେ। ଦିନେ ନା ଦିନେ ବାପା ତାଙ୍କ ସହ ପୁଣି କଥା ହେବେ ବୋଲି ଭାବି ସେମାନେ ଆଗାମୀ ପରୀକ୍ଷା ପାଇଁ ମନ ଧ୍ୟାନ ଦେଇ ପଢିଲେ।


   ପରୀକ୍ଷା ଦିନ ସକାଳେ ପ୍ରଧାନ ଶିକ୍ଷକ ସ୍କୁଲକୁ ଯିବା ସମୟରେ ହଠାତ ପଛରୁ ଦୁଇ ଜଣ ପିଲା ତାଙ୍କ ପାଣି ବୋତଲ ଆଉ ରୁମାଲ ଝିକି ରାସ୍ତା ଆରପାରିକୁ ଧାଇଁଲେ।ପ୍ରଧାନ ଶିକ୍ଷକ ଭାରସାମ୍ୟ ହରାଇ ପଡିଗଲେ କିନ୍ତୁ ସେ ଚିହ୍ନିପାରିଥିଲେ ସେ ଦୁଇଜଣ ପିଲାଙ୍କୁ। ସେ ରାଗ ତମତମ ହୋଇ ସ୍କୁଲକୁ ଚାଳଗଲେ। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପରେ ଦୁଇଭାଇ ମଇଳା ଜାମାପଟା ପିନ୍ଧି ସ୍କୁଲକୁ ଆସିଲେ। ପ୍ରଧାନ ଶିକ୍ଷକ ତାଙ୍କୁ ଗାଳି ଦେବା ସହ ନିର୍ଧୁମ ବାଡେଇଲେ । ତାଙ୍କ ସାର୍ଟିଫିକେଟ ତାଙ୍କ ହାତରେ ଧରାଇ ବାହାରକୁ ଠେଲିଦେଲେ। ଘରକୁ ଗଲା ପରେ ବାପା ମଧ୍ୟ ରାଗରେ ସେମାନଙ୍କୁ ପ୍ରଥମ ଥର ପାଇଁ ବାଡେଇଲେ ଆଉ ଆଖି ସମ୍ନାରୁ ଚାଲିଯିବା ପାଇଁ କହିଦେଲେ।


  ପ୍ରଧାନ ଶିକ୍ଷକ ସ୍କୁଲ ସାରି ଘରକୁ ଗଲା ପରେ ତାଙ୍କୁ ଏକ ମେଲ୍ ଆସିଲା, ଯେଉଁଥିରେ ଲେଖାଥିଲା ଆପଣଙ୍କ ସ୍କୁଲର ଦୁଇଜଣ ପିଲା ଆଗାମୀ ମୁଖ୍ୟମନ୍ତ୍ରୀ ଶିଶୁ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଯଥାଶୀଘ୍ର ସେମାନଙ୍କ ପରିଚୟ ଆମ ପାଖକୁ ପଠାନ୍ତୁ। ତା ତଳେ ଗୋଟିଏ ଭିଡିଓ ଥିଲା। ଯେଉଁଥିରେ ଦୁଇଜଣ ନ ଦଶ ବର୍ଷର ପିଲା ଜଣେ ଅଂଶୁଘାତରେ ବେହୋସ ହେଇଥିବା ଲୋକକୁ ବହୁ କଷ୍ଟରେ ନେଇ ଗଛ ପାଖରେ ବସାଉଛନ୍ତି। ତାପରେ ସେମାନେ ନୀଳ ରଙ୍ଗର ପାଣି ବୋତଳରୁ ପାଣି କାଢି ତାଙ୍କ ମୁଣ୍ଡରେ ପକାଉଥିଲେ। ଆଉ ଧଳା ରୁମାଲକୁ ଓଦା କରି ତାଙ୍କ ମୁଣ୍ଡରେ ରଖିଲେ। ତା ପରେ ରାସ୍ତାରେ ଏଣେ ତେଣେ ଧାଇଁ ଧାଇଁ ଲୋକମାନଙ୍କ ଏକାଟଜି କଲର ଏବଂ ତାପରେ ଲୋକମାନେ ଆମ୍ବୁଲାନ୍ସ ଡାକି ଲୋକଟିକୁ ମେଡିକାଲ ନେଲେ। ଭିଡ଼ିଓଟି ସହରର ସିସିଟିଭି କେମେରାରେ କଏଦ ହେଇଯାଇଥିଲା।


   ପ୍ରଧାନ ଶିକ୍ଷକ ଚିହ୍ନି ପାରିଲେ ସେ ଦୁଇଜଣ ଭାଇଙ୍କୁ ଆଉ ନିଜ ବୋତଲ ଏବଂ ରୁମାଲକୁ। ଯାହାଙ୍କୁ ସେ ସକାଳେ ନିର୍ଧୁମ ବାଡେଇ ଥିଲେ ଏବଂ ସ୍କୁଲରୁ ବାହାର କରିଦେଇଥିଲେ। ସେ ଯଥାଶୀଘ୍ର ରଘୁ ଘରକୁ ଗଲେ କିନ୍ତୁ ଘରେ ତ ଦୁଇଭାଇ ନଥିଲେ। ସେ ରଘୁକୁ ସବୁ କଥା କହିଲେ। ରଘୁ କାନ୍ଦି କାନ୍ଦି ସେମାନଙ୍କୁ ଖୋଜିବାକୁ ବାହାରିଗଲା। ଶେଷରେ ସେମାନଙ୍କୁ ପାକ ମନ୍ଦିର ପିଣ୍ଡାରେ ବସିଥିବାର ଦେଖିବାକୁ ପାଇଲା। ସେ ସେମାନଙ୍କୁ ଶ୍ରଦ୍ଧାରେ କୋଳେଇ ନେଲା।ବାପା ଖୁସି ଥିବାରୁ ଦୁଇଭାଇ ବି ଅତ୍ୟନ୍ତ ଖୁସି ହେଲେ। ସେମାନେ ପ୍ରଧାନ ଶିକ୍ଷକଙ୍କୁ କ୍ଷମା ମାଗିଲେ ଓ ତାଙ୍କ ପାଦ ଛୁଇଁଲେ। ପ୍ରଧାନ ଶିକ୍ଷକ ଆଜ୍ଞା ମଧ୍ୟ ନିଜ ଭୁଲକୁ ବୁଝି ସେମାନଙ୍କୁ ଆଲିଙ୍ଗନ କରି ନେଲେ।ପରବର୍ତ୍ତୀ ସମୟରେ ଦୁଇ ଭାଇ ମନ ଲଗାଇ ପାଠ ପଢିଲେ ଓ ସଫଳ ମଣିଷ ରୂପେ ଉଦୀୟମାନ ହେଲେ। 



Rate this content
Log in