STORYMIRROR

Papu parida

Drama Horror Others

4.0  

Papu parida

Drama Horror Others

ଅନ୍ଧାର ରାସ୍ତା

ଅନ୍ଧାର ରାସ୍ତା

3 mins
218


ସାଙ୍ଗସାଥି ମିଶି କୋଣାର୍କ ବୁଲିବାକୁ ଯାଇଥାଉ।ଭୁବନେଶ୍ୱର ର ବିଭିନ୍ନ ଜାଗା ବୁଲି ରାତି ୯ ଟାରେ କୋଣାର୍କ ଛକରେ ପହଞ୍ଚିଲୁ। ଆମେ ତ ଏତେ ଆର୍ଥିକ ସ୍ୱଚ୍ଛଳ ନୁହେଁ ଯେ ରୁମ୍ ନେଇ ରାତି ରହିବୁ। ତାପରେ ଯଦି ଚନ୍ଦ୍ରଭାଗା ସୂର୍ଯ୍ୟୋଦୟ ଦେଖିବାର ଅଛି ତେବେ ଭୋର୍ ରୁ ଯିବାକୁ ପଡ଼ିବ। ତେଣୁ ନିଷ୍ପତ୍ତି ନେଲୁ ଯେଉଁଠି ଟିକିଏ ସୁବିଧା ହେବ ସେଇଠି ଶୋଇ ଯିବୁ। ଶେଷରେ ଗୋଟିଏ ଦୋକାନ ଆଗରେ ଥିବା କେତୋଟି କାଠ ଟେବୁଲ୍ ରେ ସଭିଏଁ ଶୋଇଲୁ। ମଶା ଙ୍କ ପ୍ରାଦୁର୍ଭାବ ଆଉ ନିଜ ଜିନିଷ ପତ୍ରର ଚିନ୍ତାରେ କେହି ଭଲରେ ତ ଶୋଇ ନ ଥିଲୁ ତେଣୁ ନିଷ୍ପତ୍ତି ନେଲୁ ଏଥର ବାହାରିବା ଚନ୍ଦ୍ରଭାଗା ପାଇଁ। ପାଖାପାଖି ୩ କି.ମି ରୁ ଅଧିକ ରାସ୍ତା ହେବ। ଘଞ୍ଚ ଝାଉଁ ଜଙ୍ଗଲ ମଧ୍ୟରେ ଏକ ପିଚୁ ରାସ୍ତା ଟିଏ। ଗାଉଁଲିଆ ପିଲା ଆହୁରି ପାଞ୍ଚ ଜଣ ସାଙ୍ଗ, ଚାଲି ଚାଲି ଯିବାକୁ ଡ଼ରିବୁ କାହିଁ। ବାହାରି ପଡ଼ିଲୁ। କିନ୍ତୁ ଆମେ କ'ଣ ଜାଣିଥିଲୁ ଏତିକି ରାସ୍ତା ଆମ ପାଇଁ ବହୁତ କଷ୍ଟ ପଡିବ ବୋଲି। 


      ରାତିର ଅନ୍ଧାର ସତେ ଯେପରି ରାସ୍ତାକୁ ଗ୍ରାସ କରିସାରିଥିଲା। ମଝିରେ ମଝିରେ କିଛି ଜାଗାରେ ଲାଇଟ୍ ଲାଗିଥାଏ କିନ୍ତୁ ଅନ୍ଧକାର ଏତେ ସଶକ୍ତ ଥିଲା ଯେ ମାତ୍ର କିଛି ପାଦ ପରେ ଆଲୁଅ କାହିଁ ନିଶ୍ଚିହ୍ନ ହୋଇଯାଉଥିଲା। ରାସ୍ତାରେ ନା ଗୋଟିଏ ମଣିଷର ଚିହ୍ନ ନା ଗୋଟିଏ ଗାଡି ଘୋଡାର ଶବ୍ଦ। ପ୍ରକୃତି ଏ ଶାନ୍ତ ରୂପ ମନରେ ସନ୍ତୋଷ ନୁହେଁ ଖାଲି ଭୟର ବାତାବରଣ ସୃଷ୍ଟି କରୁଥାଏ। ସାହାସ କରି ସିନା ଅଧା ବାଟ ଚାଲି ଆସିଲୁ। ଠିକ୍ ମଝି ରାସ୍ତାରେ ପହଞ୍ଚିଛୁ ଆମ ସାହସ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା। ଘନ ଅନ୍ଧାର ରାତି, ସେଥିରେ କୀଟ ପତଙ୍ଗ ମାନଙ୍କ ଚିରି ଚିରି ଶବ୍ଦ ତ ଯଥେଷ୍ଟ ଥିଲା ମନରେ ଭୟ ସୃଷ୍ଟି କରିବା ପାଇଁ। ଯେତେ ଯେତେ ଆଗକୁ ବଢୁଥାଉ ସେତେ ସେତେ ସଂସାର ରୁ ଆଶା ଛାଡି ଯାଉଥାଏ।ଠିକ ସେତେବେଳେ ଗୋଟିଏ ଫଳକ ଦେଖି ସମସ୍ତଙ୍କ ଅବସ୍ଥା ପୁରା ଶୋଚନୀୟ ହେଇଗଲା। ଜଙ୍ଗଲୀ ହାତୀ ଏବଂ ପଶୁ ମାନଙ୍କ ବିତରଣ ଅଞ୍ଚଳ। ଆଉ କ'ଣ ଅଛିକି ? ଏବେ ତ ଏତେ ରାସ୍ତା ଚାଲି ଆସିଛୁ ଯେ

ଆଗକୁ ଯେତିକି ପଛକୁ ସେତିକି। ଯିବୁ କୁଆଡେ ? ଭୂତ ଫୂତ ହେଲେ ସିନା ହନୁମାନ ଚାଳିଶା ଅଛି ହେଲେ କେଉଁ ଜଙ୍ଗଲୀ ପ୍ରାଣୀ ଚାଲି ଆସିଲେ କ'ଣ କରିବୁ। ସେତିକି ବେଳେ ଆମ ଭିତରୁ ଯିଏ ସବୁଠୁ ଡରୁଆ ସେ କହିଦେଲା ସେ କାଳେ ଶୁଣିଛି ସେଇଟା ନକ୍ସଲ ପ୍ରବଣ ଅଞ୍ଚଳ। ବାସ୍ ଏତିକି ରେ କଥା ସରିଲା। କିନ୍ତୁ କରିବୁ କ'ଣ ? କିଛି ଉପାୟ ନ ପାଇ ଯିଏ ଯେଉଁଠୁ ପାଇଲା ଗୋଟିଏ ଗୋଟିଏ ଲେଖାଏଁ ବାଡ଼ି ଧରିଲୁ ସତେ ଯେପରି ବାଘ, ଭାଲୁ କିମ୍ବା ହାତୀ ଅବା କେଉଁ ନକ୍ସଲ ଆସିଲେ ଆମେ ତାଙ୍କ ସହ ଲଢିଯିବୁ।ପୁରା ପଞ୍ଚରଥୀ ରୀତିରେ ପ୍ରସ୍ତୁତ ହୋଇଗଲୁ। ସମସ୍ତେ ଜାଣି ସାରିଥିଲୁ ଗୋଟିଏ ବହୁତ ବଡ଼ ଭୁଲ୍ ହୋଇଯାଇଛି। ହାତ ମାପି ମାପି ଚାଖଣ୍ଡେ ଚାଲୁଥିଲୁ। କଥା ହୋଇସାରିଥିଲୁ ଯଦି ସୁରକ୍ଷିତ ଚନ୍ଦ୍ରଭାଗାରେ ପହଞ୍ଚି ଯିବୁ ତେବେ କିଏ କ'ଣ କେଉଁ ଦେବତାଙ୍କୁ ଦେବ। ଆମେ ସିନା ଏପରି ଭୁଲ୍ କରିଥିଲୁ କିନ୍ତୁ ଆପଣ ମାନେ କେବେ କରିବେ ନାହିଁ। ପ୍ରକୃତ ଭୟାଭୟତା ନ ଜାଣି କେବେ ବି କୌଣସି କାମରେ ହାତ ଦେବନି। ନହେଲେ ନିଶ୍ଚୟ ପଶ୍ଚାତାପ କରିବାକୁ ପଡିବ।


       ମନରେ ଅସୁମାରୀ ଭୟ କୁ ମୁଣ୍ଡେଇ ଯାଉ ଯାଉ ହଠାତ୍ ପଛ ପଟୁ ବହୁତ ଦୂରରୁ ଗୋଟିଏ ଗାଡି ଆସୁ ଥିବାର ଟିକେ ଟିକେ ଦେଖାଗଲା। ଏମିତିରେ ତ ଅନ୍ତରର ସବୁ ପାଣି ଶୁଖି ସାରିଥାଏ। ଯେତେବେଳେ ଆମ ଭିତରୁ କେହି ଜଣେ କହିଦେଲା ନକ୍ସଲ କିରେ ? ଆଉ ଅଛୁ କି ଏକ ନିଶ୍ୱାସ ରେ କିଏ କେଉଁ ବେଗରେ ,କିଏ କେଉଁ ବାଗରେ ଚନ୍ଦ୍ରଭାଗା ପହଞ୍ଚିଛୁ ତାହା କେବଳ ସିଏ ନିଜେ ଜାଣିଛୁ। ଘଟଣାଟି ମନରେ ଭୟ, ରୋମାଞ୍ଚ ଓ ହାସ୍ୟ ରସ ଭରିଦେଲା ସତ କିନ୍ତୁ ବହୁତ କିଛି ଶିଖେଇଦେଲା। ଯେ ପ୍ରଥମେ ତ ଗଭୀରତା ନ ଜାଣି ନଈକୁ ଡେଇଁବ ନାହିଁ ଆଉ ଦ୍ଵିତୀୟରେ ଭୟ ମନୁଷ୍ୟ ଦ୍ୱାରା କିଛି ବି କରାଇ ଦେଇ ପାରେ। ଯେପରି ପାଖାପାଖି ଦି କିଲୋମିଟର କୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗି ଥିବା ବେଳେ ଆଉ ବଳକା ରାସ୍ତା ମାତ୍ର କିଛି ମିନିଟ୍ ରେ ଅତିକ୍ରମ ହୋଇଗଲା।କିନ୍ତୁ ଚନ୍ଦ୍ରଭାଗାରେ ପହଞ୍ଚି ଜାଣିଲୁ ସେଇ ଗାଡି ଟା ଗୋଟିଏ ପର୍ଯ୍ୟଟକ ଗାଡି ଟିଏ ଥିଲା।


Rate this content
Log in

Similar oriya story from Drama