ରାକ୍ଷୀ ପାଉଣା
ରାକ୍ଷୀ ପାଉଣା
ଆଜି ରକ୍ଷାବନ୍ଦନ। ଭଉଣୀ ଭାଇ ହାତରେ ସ୍ନେହର ଡୋରୀକୁ ବାନ୍ଧି ନିଜ ସୁରକ୍ଷାର ବଚନ ମାଗିଥାଏ। ସେଥିପାଇଁ ତ ଆଜି ପରିବେଶ ପୁରା ଉତ୍ସବ ମୁଖର। ମଧୁ ଆଉ ମୋହନ ଉଭୟେ ଭଉଣୀ ଭାଇ।ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ସକାଳୁ ଉଠି ଗାଧୋଇ ପାଧୋଇ ରାକ୍ଷୀ, ଦୀପ,ଫୁଲ, ଚନ୍ଦନ ସବୁ ପ୍ରସ୍ତୁତ କରି ଭାଇକୁ ଅପେକ୍ଷା କରିଥାଏ ମଧୁ।ମୋହନ କିନ୍ତୁ କିଛି ଦିନ ହେବ ଅନ୍ୟମନସ୍କ ଥିଲା ପରି ଜଣା ପଡୁଥାଏ। ତା ବ୍ୟବହାରରେ ପରିବର୍ତ୍ତନ ସ୍ଵର ମଧ୍ୟ ବାରି ହେଉଥାଏ।ସେ ମଧ୍ୟ ପ୍ରସ୍ତୁତ ହୋଇ ଆସିଲା ରାକ୍ଷୀ ବାନ୍ଧିବା ପାଇଁ। ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାର ଆଗ୍ରହ ତା ମନରେ ବି ଥିଲା କିନ୍ତୁ ତାକୁ କେଉଁ ଅଜଣା ବ୍ୟସ୍ତତା ବାରମ୍ବାର ଅନ୍ୟମନସ୍କ କରି ପକାଉଥିଲା। ଭାଇ ଭଉଣୀ ଗୋଟିଏ ଜାଗାରେ ବସିଲେ ରାକ୍ଷୀ ବାନ୍ଧିବା ପାଇଁ। ମଧୁ ଅତି ସ୍ନେହରେ ଫୁଲ ଚନ୍ଦନ ଲଗାଇ ତାକୁ ରାକ୍ଷୀ ବାନ୍ଧିଲା। କିନ୍ତୁ ପାଉଣା ଦେବା ଆଗରୁ ଏକ ଫୋନ ଆସିବାରୁ ବ୍ୟସ୍ତ ବିବ୍ରତ ହୋଇ ତା ରୁମକୁ ଚାଲିଗଲା। ସମସ୍ତେ ଆଶ୍ଚର୍ଯ୍ୟ, ମୋହନ ତ କେବେ ଏପରି କରେନି ? ମୋ ଭାଇ ତ କେବେ ଏପରି କରେନି। କଣ ହୋଇଛି ତାର ? କୌଣସି ବିପଦର ଆଶଙ୍କା କରି ମଧୁ ଭାଇ ପଛେ ପଛେ ତା ରୁମକୁ ଗଲା ପ୍ରକୃତ ସତ୍ୟତା ଜାଣିବା ପାଇଁ।
"(ମୋହନ ନିଜ ରୁମରେ ଫୋନରେ) କେତେ ଥର କହିବି ମୁଁ ଘରେ ଥିଲାବେଳେ ଫୋନ କରିବ ନାହିଁ ବୋଲି। ଆଜି ପରା ଦିନ ଟାରେ ସକାଳୁ ସକାଳୁ ମୋ ମନଟା ଖରାପ କରିଦେଲ।. ମୁଁ କିଛି ଶୁଣିବି ନାହିଁ। ହଉ ଠିକ ଅଛି ଗୋଟେ ପାଞ୍ଚ ହଜାର ଫୋନ ପେ କଲ,କାମ ଅଛି। କଣ? ନାହିଁ। ତମେ କଣ ମୋ ପାଖରେ ଥିବା ଆମ ଅନ୍ତରଙ୍ଗ ମୁହୂର୍ତ୍ତର ଛବି ଗୁଡିକୁ ଭୁଲି ଗଲଣି ନା କଣ ? ଗୋଟିଏ ମୁହୂର୍ତ୍ତରେ ମୁଁ ତୁମ ଜୀବନକୁ ବର୍ବାଦ କରି ଦେଇପାରେ। ମୋ ସାଙ୍ଗରେ ଧୋକା। କଣ ଅଭାବ ଥିଲା ମୋ ପ୍ରେମରେ ଯେ ତୁମକୁ ରାହୁଲର ଆବଶ୍ୟକତା ପଡିଗଲା। ମୁଁ କିଛି ଶୁଣିବି ପାଇଁ ଛାହୁଁ ନାହିଁ।ଏବେ ପାଞ୍ଚ ହଜାର ପଠାଅ। ଆଉ ଯଦି ସମ୍ପୂର୍ଣ୍ଣ ସମାଧାନ ଚାହୁଁଛ ତେବେ ଦି ଲକ୍ଷ ମାତ୍ର।.... ଆଜି ସନ୍ଧ୍ୟା ଭିତରେ ଏ ଘଟଣାର ସମାଧାନ କରିଦିଅ। ନହେଲେ ମୁଁ ଆଉ ରହି ପାରିବି ନାହିଁ।"
ନିଜ ରାଗକୁ ନିୟନ୍ତ୍ରଣ କୁ ଆଣି ସେ ଏବେ ହଲକୁ ଆସିଲା। ସେ ଦେଖିଲା ମଧୁ ଚିନ୍ତା ମଗ୍ନ ହୋଇ ବସିଥାଏ।
ମୋହନ: ଟିକେ ଲେଟ ହୋଇଗଲା ବୋଲି ମୁହଁ ଶୁଖେଇ ଦେଲୁ ନା। ପାଗେଳି। ହଉ ହେଲା ରାଗ ଶାନ୍ତ କର ଆଉ କଣ ଦରକାର ମାଗି ନେ।
ମଧୁ : ଦେଇ ପାରିବୁ ତ ?
ମୋହନ : ଆଜି ଯାଏଁ କେବେ ମନା କରିଛି।
ମଧୁ : ମୋତେ ଦି ଲକ୍ଷ ଟଙ୍କା ଦରକାର।
ମୋହନ : କଣ ! ଦି ଲକ୍ଷ ? ଏତେ ଟଙ୍କା କଣ କରିବୁ ତୁ ? ସତରେ ପାଗେଳି ହେଇଗଲୁ କି ?
ମଧୁ : ଏ ଟିକିଏ ପୂର୍ବରୁ ଭଲ ଥିଲି କିନ୍ତୁ ଟଙ୍କା ନ ମିଳିଲେ ନିଶ୍ଚୟ ପାଗେଳି ହୋଇଯିବି। ଦେବୁ କି ନାହିଁ କହ ତ ?
ମୋହନ : ହେଲେ ତ
ୋତେ ଏତେ ଟଙ୍କା କଣ ପାଇଁ ଦରକାର ?
ମଧୁ : ଜଣେ ଭାଇ ତା ରାକ୍ଷୀର ପାଉଣା ଦେବାରେ ସମର୍ଥ ହେଉନାହିଁ ତ । ଯଦି ମୁଁ ଦେଇପାରିବି ତେବେ ଭାଇଟିର ମର୍ଯ୍ୟାଦା ରହିଯିବ।
ମୋହନ : କିଏ ସେ ହାତଭାଗା ? ଆଉ କିଏ ସେ ପାଗେଳି ଭଉଣୀ ? ଏକା ଥରକେ ତାକୁ ଦି ଲକ୍ଷ ମାଗୁଛି। ତୁ ସେ ପାଗଳ ମାନଙ୍କ ପାଇଁ ଏତେ ଚିନ୍ତା କାହିଁକି କରୁଛୁ। କହିଲୁ କିଏ ସେ ମହାପୁରୁଷ ମାନେ?
ମଧୁ : ତୁ ସେମାନଙ୍କୁ ଜାଣିଛୁ।
ମୋହନ : କିଏ ?
ମଧୁ : ରଶ୍ମିତା।
(କିଛି ସମୟର ନୀରବତା )
ମଧୁ : କଣ ଭାଇ ତୁ କେବେଠୁ ଏତେ ବଦଳି ଗଲୁଣି। ମୋ ଭାଇ ତ ଏପରି ନଥିଲା। ସେ ତ ରଶ୍ମିତାକୁ ଭାରି ଭଲ ପାଉଥିଲା। ସେ କେବେଠୁ ସାମାନ୍ୟ ଟଙ୍କା ପାଇଁ ଝିଅଙ୍କ ଜୀବନ ସହ ଖେଳିବା ଆରମ୍ବ କରି ଦେଲାଣି ? ତୁ ମୋ ଭାଇ ନୁହଁ। ଆହୁରି କହୁଛି ପାଉଣା ଦବ। ଆରେ ଯଦି ପାଉଣା ଦେବାର ଅଛି ତେବେ ଯାଆ ସେ ଝିଅର ଭବିଷ୍ୟକୁ ତାକୁ ଫେରେଇ ଦେ। ତୁ ପରା ତାକୁ ଭଲ ପାଉଥିଲୁ। କେବେ ପ୍ରକୃତ ସତ୍ୟତା କଣ ଜାଣିବାକୁ ଚେଷ୍ଟା କରିଛୁ। ଅନ୍ୟ ଜଣଙ୍କ ଭଉଣୀ ଆଖିର ଲୁହରୁ ପାଇଥିବା ଟଙ୍କାରେ ତୁ ନିଜ ଭଉଣୀ ପାଇଁ ଖୁସି କିଣିବାକୁ ଭାବୁଛୁ।
କିଛି ନ କହି ମୋହନ ବ୍ୟସ୍ତ ବିବ୍ରତ ହୋଇ ଧାଇଁଲା ଓ କିଛି ସମୟ ପରେ ରଶ୍ମିତା ଓ ତା ଭାଇକୁ ନେଇ ଘରକୁ ଫେରିଲା।
ମୋହନ : ମଧୁ ମୁଁ ରଶ୍ମିତାକୁ ପ୍ରକୃତରେ ଭୁଲ ବୁଝିଥିଲି। ସେ ଦିନ ପାର୍କରେ ସେ ରାହୁଲ ସହ ହଠାତ ଦେଖା ହୋଇଯାଇଥିଲା ଆଉ ଅନ୍ୟ ଜଣଙ୍କ ଅପେକ୍ଷାରେ ସେମାନେ ମିଶିକି ବସିଥିଲେ ।ଆଉ ସେ ଶଳା ରାହୁଲ ହିଁ ଫୋଟୋ ଉଠେଇ କି ମତେ ଭ୍ରମିତ କରିଦେଲା , କାରଣ ସେ ବି ତ ରଶ୍ମିତା କୁ ଭଲ ପାଉଥିଲା। ଆଉ ମୁଁ ବି କିଛି ଖରାପ ସଙ୍ଗତ ରେ ପଡି ଯାଇଥିଲି। ଯେଉଁମାନେ ମୋତେ ଏ ବାଟରେ ନେଇଯାଉଥିଲେ। କିଛି ସମୟ ପାଇଁ ମୁଁ ତ ପୁରା ଅନ୍ଧ ହୋଇଯାଇଥିଲି। କଣ ଠିକ, କଣ ଭୁଲ କିଛି ଜାଣି ପାରୁ ନଥିଲି। ମୋତେ ସମସ୍ତେ କ୍ଷମା କରିଦେବ।
ମଧୁ : ହଉ ଠିକ ଅଛି ଭାଇ ତୁ ତୋ ଭୁଲ ବୁଝି ପାରିଛୁ ଓ ତାକୁ ସୁଧାରି ପାରିଛୁ ସେଇଟା ହିଁ ମୋ ପାଇଁ ସବୁଠୁ ବଡ଼ ପାଉଣା।
ତାପରେ ସମସ୍ତେ ମିଶି ରାକ୍ଷୀ ବନ୍ଦନ ପାଳିଲେ ଆଉ ରଶ୍ମିତା ବି ମୋହନକୁ କ୍ଷମା କରି ସାରିଥିଲା।
କାହାଣୀଟିର ତାତ୍ପର୍ଯ୍ୟ ଅନ୍ୟ ଝିଅର ଜୀବନ ସହ ଖେଳିବା ପୂର୍ବରୁ ଠାରୁ ଟିଏ ନିଜ ଭଉଣୀ ମାନଙ୍କ କଥା ଭାବି ନେବା ଉଚିତ। ଭୁଲ ବୁଝାମଣା ଓ କୁସଙ୍ଗତ ବେଳେବେଳେ ମନୁଷ୍ୟ ଦ୍ୱାରା ଜଘନ୍ୟ ରୁ ଜଘନ୍ୟ କର୍ମ କରାଇଦିଏ। ତେଣୁ ମନୁଷ୍ୟକୁ ସଦାବେଳା ଏଥିରୁ ସମ ଦୂରତା ରଖିବା ଉଚିତ। କାରଣ ସେ ଯଦି ତୁମ ଭଉଣୀ ନୁହଁ ତ ନିଶ୍ଚୟ ଆଉ କାହାର ଭଉଣୀ ତ ହୋଇଥିବ। ରାକ୍ଷୀର ଅର୍ଥ କେବଳ ନିଜ ଭଉଣୀର ରକ୍ଷା ନୁହେଁ ଅନ୍ୟ କାହା ଭଉଣୀ ଜୀବନରେ ଆମେ ଯେପରି ବିପଦର କାରଣ ନ ହେବା ସେଥିପ୍ରତି ଧ୍ୟାନ ଦେବାକୁ ପଡିବ।