ଭୁବନେଶ୍ୱର ଅଟୋବାଲା
ଭୁବନେଶ୍ୱର ଅଟୋବାଲା
ଗୋଟିଏ ପରୀକ୍ଷା ଦେବା ପାଇଁ ମୁଁ ଆଉ ମୋର ଜଣେ ସାଙ୍ଗ ଯାଇଥାଉ ଭୁବନେଶ୍ୱର। ବରମୁଣ୍ଡା ବସ ଷ୍ଟାଣ୍ଡ ରେ ଓଲ୍ହାଇ କିପରି ପରୀକ୍ଷା କେନ୍ଦ୍ରକୁ ଯିବୁ ସେ ବିଷୟରେ ଭାବୁଥାଉ।ହଠାତ କିଛି ଜଣ ଅଟୋବାଲା ଆମ ହାତ ଧରି ଆମକୁ ପଚାରିଲେ ଯେ ଆମେ କୁଆଡେ ଯିବୁ। ଆମେ କହିଲୁ ଦାରୁଠେଙ୍ଗ ପାଖରେ ଗୋଟିଏ ନିର୍ଦ୍ଧିଷ୍ଟ କଲେଜ ଅଛି। ସେମାନଙ୍କ ଭିତରୁ ଜଣେ ଅଟୋବାଲା ଆମକୁ ତା ଅଟୋ ପାଖକୁ ନେଉଥାଏ। ଆମେ ପଚାରିଲୁ କେତେ ଟଙ୍କା ସେ କହିଲା ଦେଡ ଶହ। ଆମେ କହିଲୁ ଶହେ। ସେ ରାଜି ବି ହୋଇଗଲା। ଏମିତିରେ ବି ତ ୨୦ କିମି ପାଖା ପାଖି ହେବ। ତେଣୁ ଆମେ ରାଜି ହେଇଗଲୁ। ଆମକୁ ଅଟୋରେ ବସେଇ ଦେଇ ସେ ଆଉ କେତେ ଜଣଙ୍କୁ ଯୋଗାଡ଼ କରିବା ପାଇଁ ଗଲା। ମୁଁ କହିଲି ଏ ରାଜଧାନୀ ଉପରେ ୨୦ କିଲୋମିଟର ପରେ ଯିବା ପାଇଁ ଦି ଜଣଙ୍କୁ ମାତ୍ର ଶହେ କାହିଁ ବିଶ୍ୱାସ ହେଲା ନାହିଁ। ତେଣୁ ମୁଁ ଅଟୋରୁ ଓଲ୍ହାଇ ସୁନିଶ୍ଚିତ ହେବାକୁ ଗଲି। କିନ୍ତୁ ଜାଣିବାକୁ ପାଇଲି ସେ ସିଏ ଜଣଙ୍କ ପିଛା ଶହେ ଟଙ୍କା କହୁଥିଲେ। ଆମ ପାଖରେ ତ ଏତେ ଟଙ୍କା ନ ଥାଏ ଅଯଥା ଖର୍ଚ୍ଚ କରିବା ପାଇଁ। ତେଣୁ ଆମେ ଓଲ୍ହାଇ ଗଲୁ। ସେଠାରୁ ତ ଆରମ୍ଭ ହେଲା ଦାଦାଗିରି।
"ଓଲ୍ହାଇ ଲେ ହବ ନାହିଁ। ପ୍ରଥମରୁ ବସିଲ ମାନେ ଯିବାକୁ ହବ।"
" କଣ ତମ ଇଚ୍ଛାରେ"
"ହଁ। ବସିଲା ବେଳେ ପଚାରି କି ବସିଲ ନାହିଁ କାହିଁକି ?"
"ଆମେ ତ ପଚାରିଥିଲୁ"
"ମୁଁ ନ ନେଲେ ଦେଖିବା ତମକୁ ଏଠୁ କେଉଁ ଅଟୋବାଲା ନବ।"
ସତକୁ ସତ ଆଉ କେହି ନେଲେନି ଆଉ ଯିଏ ବି ନେବାକୁ ରାଜି ହେଲେ ଏମାନଙ୍କ ଧମକରେ ସେମାନେ ଚାଲିଗଲେ। ପରେ ସେ ବାଟ ଦେଇ ଏକ ସିଟି ବସ ଆସିବାରୁ ଆମେ ତ୍ରାହି ପାଇଲୁ। ଏତିକିରେ କଣ ସେ ଛାଡିଲେ ଗଲାବେଳେ ମୋତେ କହିବାକୁ ଲାଗିଲା ପରୀକ୍ଷା ଦେବାକୁ ଆସିଛୁ ପରା **** ହବ ଫେଲ ହବୁ ******। ମନ ଅବଶ୍ୟ ଟିକେ ଦୁଃଖ ହେଲା ମୋତେ କିଛି କ୍ଷଣ ଲାଗି ଲାଗିଲା ସତେ ଯେପରି ମୁଁ ବହୁତ ବଡ଼ ପାପ କରି ଦେଇଛି। କିନ୍ତୁ ଆମେ ତ ଆମ ଜାଗାରେ ଠିକ ଥିଲୁ। ଶେଷରେ ସେ ଯେଉଁ ପ୍ରକାରର ବ୍ୟବହାର ଦେଖେଇଲା ତାହା କଣ ଠିକ କଲା। ବହୁ ଆଶା ନେଇ ପରୀକ୍ଷା ଦେବାକୁ ଆସିଥିବା ପିଲାଙ୍କ ମନୋବଳ ଭାଙ୍ଗି ଦେଇ ସେ କଣ ଠିକ।ମୋ ପୁରା ନି
ରୁତ୍ସାହିତ ହୋଇଗଲି। ସେ ନିହାତି ଜଣେ ବିକୃତ ମସ୍ତିଷ୍କ ର ଲୋକ ହୋଇଥିବେ। ଏହି ସବୁ ଅନୁଭବ କଲା ପରେ ଭୁବନେଶ୍ୱର ଅଟୋବାଲାଙ୍କ ପ୍ରତି ମୋର ଖରାପ ଧାରଣା ଆସିଗଲା।
ଯେନ ତେନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଲି। ଯଥା ସମ୍ଭବ ଚେଷ୍ଟା କଲି ଭଲ କରିବା ପାଇଁ। ପରୀକ୍ଷା ସରିଲା ପରେ ବହୁ ସମୟ ଜଗିଲା ପରେ ବସ ମିଳିଲା ନାହିଁ ତେଣୁ ପୁଣି ଅଟୋବାଲା ଙ୍କ ପାଖକୁ ଯିବାକୁ ପଡିଲା। କିନ୍ତୁ ଏଥର ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଅଟୋବାଲା ଜଣଙ୍କ ମଧ୍ୟବୟସ୍କ ଲୋକ । ଚିତା ଚୈତନ କାଟିଛନ୍ତି। ପ୍ରଥମ ବାକ୍ୟର ହିଁ ଏକ ଅଜଣା ସନ୍ତୋଷ ଅନୁଭୂତ ହେଲା।
"କେତେ ନେବେ ବରମୁଣ୍ଡା ପର୍ଯ୍ୟନ୍ତ"
"କେତେ ଦବ ତମେ ସବୁ ସ୍ତୁଡେଣ୍ଟସ ପିଲା ଆସିଲା ବେଳେ କେତେ ଦେଇଥିଲ କି "
" ଜଣଙ୍କୁ ପଚାଶ"
"ସେତିକି ଦବ। ବସ"
ଆଉ ଦି ଜଣ ହେଇଯିବା ପରେ ସେ ଯାତ୍ରା ଆରମ୍ଭ କଲେ। ଆସିବା ବାଟରେ କେତେବେଳେ ତ ଟିକେ ପାଟି ବନ୍ଦ ନାହିଁ। ନିଜ ଘର ପରିବାର ବ୍ୟବସାୟ ବିଷୟରେ ସବୁ କହିବା ଆଳରେ ଆମ ଠୁ କେତେବେଳେ ଆମ ବିଷୟରେ ସବୁ କଥା ବାହାର କରିଦେଲେ ଜଣା ପଡିଲା ନାହିଁ। ସେ ପରୀକ୍ଷା ବିଷୟରେ ବି ପଚାରିଲେ। ମୁଁ ଭଲ ହେଇଛି ବୋଲି କହିଲି।ଶେଷରେ ଆମ ପହଞ୍ଚି ଗଲୁ ବାସ ଷ୍ଟାଣ୍ଡ ରେ। ମୁଣାରେ ମୋର ୯୦ ଟଙ୍କା ଆଉ ୫୦୦ ଶହ ଟଙ୍କିଆ କିଛି ଟା ନୋଟ। ତେଣୁ ମୁଁ ତାକୁ ପାଞ୍ଚ ଶହ ଟଙ୍କା ବଢ଼େଇଲି। ସେ କହିଲେ ତାଙ୍କ ପାଖରେ ଖୁଚୁରା ନାହିଁ। ମୋ ପାଖରେ ବି ତ ଖୁଚୁରା ନଥିଲା। ତେଣୁ ମୁଁ କହିଲି ୯୦ ଟଙ୍କା ଅଛି ଆଉ ଦଶ ହୋଇଗଲେ ହେଇଯାଅନ୍ତା। ସେ କହିଲେ ସେତିକି ଦେଇଦିଅ। ମୁଁ ପଚାରିଲି ହୋଇଯିବ ତ ? ସେ କହିଲେ ହଁ ହେଇଯିବ। ଏ ସବୁ ତ ସେ କାଳିଆର ବାକି ଆଜି ଏଠୁ ୧୦ କମ ନେଲେ କାଲି କେଉଁଠୁ ଅଧିକ ୧୦ ମିଳିଯିବ। ଆଉ ବାବୁ ତୁମ ପରୀକ୍ଷାରେ ଯଦି ପାସ ହୋଇଯାଅ ତେବେ ସେ ୧୦ ର ମୂଲ୍ୟ ରହିଯିବ।ମୁଁ କହିଲି ହଁ ନିଶ୍ଚୟ। ସେ ହସି ଦେଇ ଚାଲିଗଲେ। ମୁଁ ବି ଫେରି ଆସିଲି। ଆଉ ଫେରିଲା ବେଳେ ବସରେ ବସି ଭୁବନେଶ୍ୱର ଅଟୋବାଲାଙ୍କ ବ୍ୟବହାରର ଏ ଭିନ୍ନତା କୁ ପର୍ଯ୍ୟବେକ୍ଷଣ କରୁଥିଲି। ଅବଶ୍ୟ ସେ ପରୀକ୍ଷାରେ ମୁଁ କୃତକାର୍ଯ୍ୟ ହେଇଥିଲି। ପ୍ରଥମ ଜଣଙ୍କ ଅଭିଶାପରୁ ନୁହେଁ ଦ୍ୱିତୀୟ ଜଣଙ୍କ ଆର୍ଶୀବାଦ ରୁ।