Brajakishor Bidyadhar

Romance Others

4  

Brajakishor Bidyadhar

Romance Others

ଚନ୍ଦ୍ରମା

ଚନ୍ଦ୍ରମା

12 mins
395


ଭଲପାଏ ବୋଲି କେବେ ସିନା କହି ନଥିଲି, ହେଲେ ତମେ ଜାଣିଥିଲ ମୁଁ ତମକୁ ବହୁତ ଭଲପାଏ । କହିବାର ସାହସ ନଥିଲା , ସେଥିପାଇଁ ମୁଁ ରହିଗଲି ସେମିତି । ହେଲେ ତମେ ଜାଣିଶୁଣି ଅଭିନୟ କଲ । ଆଉ ସେଇ ଅଭିନୟ ଜଗତରେ ମୁଁ ଥିଲି ତମ ବନ୍ଧୁ ଚରିତ୍ରରେ । ଆଜି ବି ମନେ ପଡେ ସେଇ ଚରିତ୍ରରେ ମୋର ଏକ ଦୃଶ୍ୟ । ଶୁନ୍-ଶାନ୍ ରାତିରେ ମୋ ପାଖରେ ବସି ଦେଖୁଥିଲ ତମେ ଜହ୍ନ କୁ । ଆଉ ସେଇ ଜହ୍ନ ଆଲୁଅରେ ମୁଁ ଦେଖୁଥିଲି ତମ ମୁହଁକୁ । ଆଜି ଦେଖୁଛି ବାସ୍ ଖାଲି ଜହ୍ନକୁ


              ଚାନ୍ଦିନୀ ମୋତେ ବହୁତ ଭଲ ଲାଗୁଥିଲା । ତା ଆଖିରେ ଗୋଟେ ପ୍ରକାର ଯାଦୁଶକ୍ତି ଥିଲା । ତା ଆଖିକୁ ଚାହିଁବା ମାତ୍ରେ ହିଁ ଗୋଟେ ଆକର୍ଷଣ ଶକ୍ତି ମୋତେ ତା ଆଡ଼କୁ ଟାଣି ନେଉଥିଲା । ମନରେ ଖୁସି ଖେଳି ଯାଉଥିଲା । ସେତେବେଳେ ମନ ଚାହୁଁଥିଲା ସେ ସବୁବେଳେ ମୋତେ ହିଁ ଦେଖୁଥାଉ । ସେଦିନ ମୁଁ ତାକୁ ପଚାରୁଥିଲି..." ଆମ ଭିତରେ ଥିବା ଏଇ ସମ୍ପର୍କ ର ନାଁ କଣ ? " ସେ ଜାଣି ପାରୁଥିଲା , ମୁଁ ତାକୁ ବହୁତ ଭଲପାଉଛି । କିନ୍ତୁ ତଥାପି ସେ କହୁଥିଲା , ଆମେ ବନ୍ଧୁ । ସେକ୍ସ୍-ପିଅର୍ ଙ୍କ ମତରେ, " ଗୋଟେ ପୁଅ ଏବଂ ଗୋଟେ ଝିଅ କେବେ ବି ସବୁଦିନ ପାଇଁ ବନ୍ଧୁ ହୋଇ ରହି ପାରିବେ ନାହିଁ " । ଅର୍ଥାତ୍ ତାଙ୍କ ମତରେ ସେଇ ସମ୍ପର୍କ ର ନାଁ ହେଉଛି ପ୍ରେମ । କିନ୍ତୁ ଚାନ୍ଦିନୀ କୁ ଏସବୁ କହିବାର ସାହସ ମୋର ନଥିଲା । ମୋତେ ଡର ଲାଗୁଥିଲା, କାଳେ ସେ ରାଗିଯିବ । ଆଉ ଆମ ଭିତରେ ଥିବା ଏଇ ସମ୍ପର୍କ ଟା ବି ଭାଙ୍ଗିଯିବ । 

                 ପାହାଡ଼ ଆଉ ଜଙ୍ଗଲ କୁ ଲାଗି ଦୁଇଟି ଗାଁ । ଦୁଇ ଗାଁ ମଝିରେ ଗୋଟେ ଛୋଟ ନଈଟିଏ ବହି ଯାଉଥାଏ । ଆଉ ସେଇ ନଈ ପାଖରେ ହିଁ ମୁଁ ପ୍ରଥମ ଥର ଦେଖିଥିଲି ଚାନ୍ଦିନୀ କୁ।


               ସେଦିନ ସକାଳେ ମୁଁ ସାଇକେଲ୍ ଟିଏ ଧରି ଜଙ୍ଗଲ କୁ କାଠ ଆଣିବା ପାଇଁ ବାହାରି ପଡ଼ିଲି । ସାଙ୍ଗରେ ଗୋଟେ ବ୍ୟାଗ୍ ରେ ଗୋଟେ ଟିଫିନ୍ ଆଉ ଗୋଟେ ପାଣି ବୋତଲ୍ ଧରିଥାଏ । ଟିଫିନ୍ ଭିତରେ ଭାତ, ଆଳୁ ଭଜା, ଆଉ ଟିକେ ଆଚାର ସହ କଞ୍ଚା ଲଙ୍କା ଥାଏ । ମୁଁ ଜଙ୍ଗଲ ରେ ପହଞ୍ଚି ଗୋଟେ ଗଛ ମୂଳେ ସାଇକେଲ୍ ଟିକୁ ରଖିଦେଇ , କାଠ ହାଣିବା ରେ ଲାଗି ପଡିଲି । ପ୍ରବଳ ଖରା ହେଉଥାଏ । କିନ୍ତୁ ଜଙ୍ଗଲ ଭିତରେ ଗଛର ଛାଇ ପଡ଼ୁଥିବାରୁ ସୂର୍ଯ୍ୟ ଙ୍କ ତେଜ ମୋ ଉପରେ ଏତେ ପଡୁ ନଥାଏ । କିନ୍ତୁ ଶୋଷ ଲାଗିବ ଟା ତ ଥୟ । ସେଥିପାଇଁ ମୁଁ କାଠ ହାଣୁଥାଏ ଆଉ ପାଣି ପିଉଥାଏ । ମଝିରେ ମଝିରେ ବିଶ୍ରାମ ନେଉଥାଏ । ଆଉ ସେତେବେଳେ ଉପରକୁ ଚାହିଁ ସୂର୍ଯ୍ୟ କେତେ ଦୂର ପଶ୍ଚିମାମୁଖୀ ହେଲେଣି ଦେଖୁଥାଏ । କିଛି ସମୟ ପରେ ମୁଁ ଆଣିଥିବା ଭାତ ଖାଇଦେଇ ତଉଲିଆ ଟା ତଳେ ପକେଇ ଦେଇ ଟିକେ ଶୋଇପଡେ । ଆଉ ନିଦ ଭାଙ୍ଗିଲା ବେଳକୁ ଉପରବେଳା ହେଇ ସାରିଥାଏ । ପାଖରେ ଥିବା ପାଣି ବୋତଲ୍ କୁ ଦେଖେ । ସେଇଟା ଖାଲି ହୋଇ ପଡିଥାଏ । ତାପରେ ମୁଁ ସେଇ ବୋତଲ୍ ଧରି ନଈ ଆଡକୁ ଯାଏ । ନଈ ରେ ପହଞ୍ଚି ବହି ଯାଉଥିବା ପାଣି କୁ ଲକ୍ଷ୍ୟ କରେ । ଆଉ ସେଇ ପାଣି ଭିତରେ ପଥର ଉପରେ ଲାଗିଥିବା ଶିଉଳି ଗୁଡିକୁ ଦେଖିଲେ ବହୁତ ଖୁସି ଲାଗେ । ସେଗୁଡିକ ବହୁଥିବା ପାଣି ଶ୍ରୋତରେ ଅଙ୍କା ବଙ୍କା ହୋଇ ନାଚି ବୁଲୁଥାନ୍ତି । ମୁଁ ସେସବୁ କୁ ଯେତେବେଳେ ଧରେ କିଛି କିଛି ଭାଙ୍ଗି ଯାଇ ପାଣି ଧାର ରେ ଆଗକୁ ଚାଲି ଯାଆନ୍ତି । ଆଉ ଏସବୁ ଭିତରେ ସୂର୍ଯ୍ୟ ଆଉ ଟିକେ ପଶ୍ଚିମାମୁଖୀ ହୋଇ ଯାଆନ୍ତି । ମୁଁ ହଠାତ୍ ସେଇଠୁ ଉଠି ପଡି ଗୋଟେ ବାଲି ଥିବା ଜାଗାକୁ ଦୌଡେ । ଆଉ ସେଇଠି ଗାତ ଖୋଳିବାରେ ଲାଗି ପଡେ । କିଛି ସମୟ ପରେ ତଳୁ ଗୋଳି ପାଣି ବାହାରେ । ମୁଁ ପାଣି ସଫା ହେବା ଯାଏ ଅପେକ୍ଷା କରେ । କିଛି ସମୟ ପରେ ପାଣି ସଫା ହେଇଯାଏ ଆଉ ମୁଁ ବୋତଲ୍ ରେ ପାଣି ଧରି ଯିବାକୁ ବାହାରେ । ଠିକ୍ ସେଇ ସମୟରେ ପାଖ ଗାଁ ର କିଛି ଝିଅ, ବୋହୁ କାଖରେ ଗରା ଧରି ଆସି ନଈ ରେ ପହଞ୍ଚି ଯାଆନ୍ତି । ଆଉ ସେମାନଙ୍କ ଭିତରେ ଚାନ୍ଦିନୀ ବି ଥାଏ । ମୁଁ ଯାଉଯାଉ ରହିଯାଏ । ଦୂରରୁ ସେମାନଙ୍କୁ ଦେଖେ । କିଛି ସମୟ ପରେ ସେମାନଙ୍କ ନଜର ବି ମୋ ଉପରେ ପଡେ । କିନ୍ତୁ କିଛି ବି ପ୍ରତିକ୍ରିୟା ନଦେଇ ସେମାନେ ପାଣି ଧରି ନିଜ ଗାଁ କୁ ଫେରି ଯାଆନ୍ତି । ଆଉ ତାପରେ ମୁଁ ବି ଫେରି ଆସେ । ସେତେବେଳେ କୁ ସଞ୍ଜ ନଇଁ ନଇଁ ଯାଉଥାଏ । ମୁଁ ହାଣି ଥିବା କାଠ କୁ ତରବର ହେଇ ସାଇକେଲ୍ ରେ ବାନ୍ଧୁଥାଏ । ଆଉ ତାପରେ ଘରେ ପହଞ୍ଚିଲା ବେଳକୁ ରାତି ହେଇଯାଏ । ସେତେବେଳେ ମା କହେ

             - ଜଙ୍ଗଲ ଟା ଦୂରକୁ ଘୁଞ୍ଚି ଯାଇଥିଲା ବୋଧେ । ସକାଳୁ ଯାଇଛୁ ଯେ ଏବେ ଆସୁଛୁ ? ମୁଁ ଆଉ କିଛି ନକହି କାଠ କୁ ରଖିଦିଏ । ଆଉ ରାତିରେ ଖାଇଦେଇ ଅଚିନ୍ତା ନିଦରେ ଶୋଇପଡ଼େ । ଏମିତି ମୁଁ ଯେତେଥର ବି କାଠ ଆଣିବା ପାଇଁ ଜଙ୍ଗଲ କୁ ଯାଏ , ପ୍ରତିଥର ସେଇ ନଈ କୂଳରେ ଚାନ୍ଦିନୀ କୁ ଦେଖେ । ଧୀରେଧୀରେ ସେଇ ଚେହେରା ଟା ମୋତେ ବହୁତ ନିଜର ନିଜର ଲାଗେ । ତା ଆଖି କୁ ଦେଖିଲେ , ସେ ମୋତେ ପାଖକୁ ଡାକୁଛି ଭଳି ଲାଗେ । କିନ୍ତୁ ମୁଁ କେବେ କିଛି କହି ପାରେନି । 

            ତାପରଠୁ ମୁଁ ସବୁଦିନ ଉପରବେଳା ହେଲେ ସାଇକେଲ୍ ଟିଏ ଧରି ସେଇ ନଈ କୂଳ ଆଡକୁ ଚାଲିଯାଏ । ଦୂରରୁ ତାକୁ ଦେଖେ । ବହୁତ ଖୁସି ଲାଗେ । କେମିତି କଣ କଥା ହେବି ମୁଁ ଜାଣି ପାରେନି । କାହିଁକି ନା.. ସେ ସେଠାରେ ଏକା ନଥାଏ । ତା ସହ ତା ଗାଁ ର କିଛି ଝିଅ ବୋହୁ ବି ଆସିଥାନ୍ତି । ଆଉ ମୋତେ ବି ବହୁତ ଡର ଲାଗୁଥାଏ । ମନେମନେ ଭାବେ ଏକୁଟିଆ କେବେ ଯଦି ଦେଖା ହୁଅନ୍ତା , ମୁଁ ତାକୁ ପସନ୍ଦ କରୁଛି ବୋଲି କହି ଦିଅନ୍ତି । ପୁଣି ଭାବେ, କାଳେ ସିଏ ରାଗିଯିବ ଆଉ କଣ କହିବ ? ସେଥିପାଇଁ ପୁଣି ଯେଉଁଠୁ ଆରମ୍ଭ କରିଥାଏ , ସେଇଠି ରହିଯାଏ । ଯେତେ ଦେଖିଲେ ବି ତାକୁ ଆହୁରି ଦେଖିବାକୁ ଇଛା ହେଉଥାଏ । ସେଥିପାଇଁ ସେମାନେ ସେଦିନ ପାଣି ଧରି ଗାଁ କୁ ଫେରିବା ବେଳେ ମୁଁ ତାଙ୍କ ପଛେପଛେ ସାଇକେଲ୍ ଟିକୁ ଗଡେଇ ଗଡେଇ ଯାଉଥାଏ । ହଠାତ୍ ସେ କଣ ଭାବେ , ଆଉ ପଛକୁ ବୁଲି ଚାହିଁଦିଏ । ସେ ପଛକୁ ବୁଲି ପଡିବାର ଦେଖି ମୁଁ ଚମକି ଉଠେ । ମୋ ପାଦ ସେଇଠି ରହିଯାଏ । ତା ମୁହଁର ଆବଭାଵ ରୁ ଜଣା ପଡୁଥାଏ ଯେ, ବୋଧେ ସେ କିଛି ପଚାରିବାକୁ ଚାହୁଁଛି । ମୁଁ କେବଳ ତାକୁ ଚାହିଁ ଟିକେ ହସିଦିଏ । କିନ୍ତୁ ତାର କିଛି ବି ପ୍ରତିକ୍ରିୟା ନଥାଏ । ମୁଁ ଏପଟ ସେପଟ ଚାହେଁ ଆଉ ମୁଣ୍ଡ ତଳକୁ କରି ଠିଆ ହୁଏ । ତାପରେ ସେ ଚାଲିଯାଏ । ମୋର କିନ୍ତୁ ଆଗକୁ ଯିବାକୁ ଆଉ ସାହସ ନଥାଏ । ତାପରେ ସେଦିନ ମୁଁ ଫେରିଆସେ । 


             ମନୁଷ୍ୟ ପାଇଁ ସବୁଠାରୁ କଷ୍ଟକର କାମ ହେଉଛି, ମନକୁ ସଂଯତ କରିବା । ମୋ ବି ମୋ ମନକୁ ସଂଯତ କରି ପାରୁନଥିଲି । ସେଦିନ ସିନା ମୋ ପାଦ ସେଇଠୁ ଫେରି ଆସିଥିଲା, କିନ୍ତୁ ତାପରଠୁ ତା ଗାଁ ଯାଏ ଯାଉଥିଲା । ତା ମନରେ ବି ସନ୍ଦେହ ଆସୁଥିଲା । ମୁଁ କଣ ପାଇଁ ତାର ପିଛା କରୁଛି ? କଣ ପାଇଁ ସବୁବେଳେ ତାକୁ ଦେଖୁଛି ? ଏସବୁ ପ୍ରଶ୍ନ ବି ତା ମନରେ ଖେଳି ଉଠୁଥିଲା । ଆଉ ସେସବୁ ଜାଣିବା ପାଇଁ ସେ ବି ଗୋଟେ ସୁଯୋଗ ଖୋଜୁଥିଲା । ଆଉ ସେଇ ସୁଯୋଗ ଥିଲା, ସେଦିନ ସନ୍ଧ୍ୟାରେ । ମୁଁ ତାର ପିଛା କରିକରି ତା ଗାଁ ଯାଏ ଚାଲି ଯାଇଥାଏ । ସେମାନେ ଗାଁ ରେ ପହଞ୍ଚିବା ପରେ କିଏ କୁଆଡେ ଯେ ଚାଲିଗଲେ , ମୋତେ ଆଉ ସେମାନଙ୍କ ଦେଖା ମିଳିଲାନି । କିନ୍ତୁ ମୋ ଆଖି ସବୁବେଳେ ତାକୁ ହିଁ ଖୋଜୁଥିଲା । ଏମିତି ଏପଟ ସେପଟ ଚାହୁଁଚାହୁଁ ହଠାତ୍ ନଜର ପଡିଗଲା ତା ଉପରେ । ସେ ଗୋଟେ କୋଣ ରେ ଠିଆ ହେଇ ମୋତେ ଦେଖୁଥିଲା । ମୁଁ କଣ କେମିତି କହି ତା ପାଖକୁ ଯିବି ଜାଣି ପାରୁନଥିଲି । ତାପରେ ପାଖରେ ଥିବା ଗୋଟେ ଭଙ୍ଗା ଘର ଆଡ଼କୁ ସେ ଗଲା । ମୁଁ ଟିକେ ସାହସ କରି ସେଇ ଆଡକୁ ଗଲି । କାଳେ କିଏ ଦେଖିଦେବ ବୋଲି ବହୁତ ଡର ବି ଲାଗୁଥିଲା । ମୁଁ ଏପଟ ସେପଟ ଚାହିଁଚାହିଁ ଧୀରେଧୀରେ ସେଇ ଘର ଭିତରକୁ ଯାଉ ଯାଉ, ସେପଟ କେହିଜଣେ ମୋ ହାତ ଧରି ଭିତରକୁ ଟାଣି ନେଲା । ମୁଁ ଚମକି ପଡି ବୁଲି ଦେଖେ ତ ଚାନ୍ଦିନୀ ଥିଲା । ସେ ମୋତେ କହୁଥିଲା ।

             

            - କିଏ ତମେ ? କାହିଁକି ମୋ ପିଛା କରୁଛ ?

            - ମୁଁ ,ଏଇ ନଈ ଆର ପାଖରେ ମୋ ଗାଁ । 

            - (ବ୍ୟସ୍ତ ହୋଇ) ଧୀରେ କୁହ କିଏ ଦେଖିଲେ , ତମେ ଏଠୁ ଫେରି ପାରିବନି । ମୋ ପିଛା କାହିଁକି କରୁଛ କୁହ...

            - କାରଣ ମୁଁ

            - ତମ ଜାତି କଣ ? 

            - ଜାତି

            

ଏଇ ସମୟରେ ବାହାରୁ କିଛି ଲୋକଙ୍କ ପାଟି ଶୁଭେ, ଆଉ ଚାନ୍ଦିନୀ ଦୌଡି ଘରକୁ ପଳାଏ । ମୁଁ ବି ଲୁଚିଲୁଚି ସେଇ ଘରୁ ବାହାରି ଘରକୁ ଫେରି ଆସେ । ମନେମନେ ବହୁତ ଖୁସି ଲାଗେ ଯେ, ସେ ମୋ ସହିତ କଥା ହେଲା । ଆଉ ସିଏ କଥା ହେଲା ପରେ ମୋ ସାହସ ଆଉ ଟିକେ ବଢିଗଲା । ମୁଁ ପ୍ରତ୍ୟେକ ଦିନ ଏମିତି ତା ଗାଁ କୁ ଯାଉଥିଲି । ତାକୁ ଦୂରରୁ ଦେଖୁଥିଲି । ଆଉ ମନେମନେ ଖୁସି ହେଉଥିଲି । ଏସବୁ ଭିତରେ ସେ ଯେତେବେଳେ ମୋତେ ଚାହିଁ ହସି ଦିଏ , ସତରେ ମୋତେ ଏତେ ଖୁସି ଲାଗେ ତାହା କହିବା ସମ୍ଭବ ନୁହେଁ । 


          ସବୁଦିନ ସନ୍ଧ୍ୟାବେଳେ ତାକୁ ଦେଖା କରି ଫେରିବା ବେଳକୁ ରାତି ହେଇଯାଏ । ମା , ରାଗରେ କହେ

           - ସବୁଦିନ କୁଆଡେ ଯାଉଛୁ ? ଆଉ ରାତି ହେଲେ ଫେରୁଛୁ

           - ନାଇଁ ତ ଏଇ ରବି ଘରେ ଥିଲି ।

           - କେତେ ମିଛ କହିବୁ । ମୁଁ କଣ ଜାଣିନି ନଈ ସେପାଖ ଗାଁ କୁ ଯାଉଛୁ ।

           - ମା

           - ଚୁପ୍ କର୍ । ସବୁଦିନ ରାତିରେ ଫେରୁଛୁ । ନଈ ପାଖରେ ମଶାଣୀ । କେତେବେଳେ କୋଉ କଥା କହିହେବ                    

ମୁଁ ଆଉ କିଛି କହେନି । ନୀରବ ରହି ମା ର ସବୁ ଗାଳି ଶୁଣେ । କିନ୍ତୁ ସନ୍ଧ୍ୟାବେଳେ ନଈ ଡେଇଁ ପାଖ ଗାଁ କୁ ଯିବା କେବେ ବନ୍ଦ ହୁଏନି । ଏମିତି ଚାଲିବା ଭିତରେ ସେଦିନ ଥାଏ , ଖୁଦୁରୁକୁଣୀ । ତା ସଜବାଜ ରେ ତାର ସୁନ୍ଦରତା ଆହୁରି ବଢ଼ି ଯାଇଥାଏ । ତା ପାଖରୁ ନଜର ହଟୁ ନଥାଏ । ଜହ୍ନ ଆଲୋକରେ ତା ମୁହଁ ର ତୋଫା ପଣ ମୋ ମନକୁ ବିଚଳିତ କରି ଦେଉଥାଏ । ସେ ବେଳେବେଳେ ମୋତେ ଚାହିଁ ହସି ଦେଉଥାଏ । ସେତେବେଳେ ମୋତେ ଏମିତି ଲାଗୁଥାଏ, ସତେ ଯେମିତି ତା ବିନା ଏଇ ଜୀବନର ମୂଲ୍ୟ କିଛି ନାହିଁ । ଯେମିତି ହେଲେ ବି ତାକୁ ନିଜର କରିବାକୁ ପଡିବ । ଏମିତି ଭାବୁଥାଏ, ହଠାତ୍ ସେ ମୋ ଆଖି ସାମ୍ନା କୁ ଚାଲି ଆସେ । ମୁଁ ଚମକି ଉଠେ । ସେ ଧୀର ସ୍ୱରରେ ମୋତେ ଚାହିଁ କହେ

          - ଭୋଗ

ମୁଁ ସଙ୍ଗେସଙ୍ଗେ ଡେରି ନକରି ତା ଆଡ଼କୁ ହାତ ବଢ଼େଇ ଦିଏ । ସେ ଗୋଟେ ସ୍ମିତହାସ୍ୟ ଦେଇ ମୋ ହାତରେ ଭୋଗ ଦିଏ ଆଉ ଚାଲିଯାଏ । ମୁଁ ତାର ଯିବା ବାଟକୁ ଚାହିଁ ରହିଥାଏ । କିଛି ବାଟ ଗଲା ପରେ, ସେ ପଛକୁ ବୁଲି ମୋତେ ଦେଖେ । ଠାର ଦେଇ କହେ, " ଭୋଗ ଟା ଖାଇ ଦିଅ " । ମୁଁ ମୋ ହାତରେ ଥିବା ଭୋଗ କୁ ଦେଖୁଥାଏ । ତାପରେ ମୁଁ ଭୋଗ ଖାଉଖାଉ ତାକୁ ଦେଖେ । ସେ ସ୍ମିତହାସ୍ୟ ଦେଉଦେଉ ଆଖି ପତା ବନ୍ଦ କରି , "ହଁ " ବୋଲି ଜଣେଇ ଚାଲିଯାଏ । ତାର ଏମିତି ଗୁଣ ସବୁ ମୋତେ ବହୁତ ଭଲ ଲାଗେ । ସତରେ ତାକୁ ପାଇଗଲେ, ମୋ ଜୀବନ ଟା ଖୁସିରେ ଭରିଯିବ । 


        ସେଦିନ ବି ସେମିତି ନଈ ଡେଇଁ ଆର ଗାଁ କୁ ଯାଉଥାଏ । ଟିକେ ଟିକେ ସନ୍ଧ୍ୟା ହେଇ ଆସୁଥାଏ । କିଛି ଲୋକ ଗୋଟେ ଶବ ଧରି, ମଶାଣୀ କୁ ପୋଡିବା ପାଇଁ ଆସୁଥାନ୍ତି । ମନରେ ଟିକେ ଭୟ ଜାତ ହୁଏ ଯେ, ଫେରିବା ବେଳେ ତ ରାତି ହେଇ ଯାଉଛି । ମୁଁ ରାତିରେ ଏଇ ମଶାଣୀ ଡେଇଁ ଫେରିବି କେମିତି ? ସବୁଦିନ କଥା ଅଲଗା , ଆଉ ଆଜି ଅଲଗା । ତଥାପି ମନରେ ସାହସ ବାନ୍ଧି ତାଙ୍କ ଗାଁ ରେ ଯାଇ ପହଞ୍ଚି ଗଲି । ଚାନ୍ଦିନୀ କୁ ଖୋଜୁଥିଲି । ସେଦିନ କିନ୍ତୁ ତାର ଦେଖା ନଥିଲା । ଅନେକ ସମୟ ଅପେକ୍ଷା କଲି, କିନ୍ତୁ ତଥାପି ସେ ଆସିଲାନି । ମନେମନେ ଭାବିଲି ଯେ, ତାଙ୍କ ଗାଁ ରେ କେହି ଜଣେ ମରିଛି ବୋଲି ବୋଧେ ସେ ଆଜି ଘରୁ ବାହାରୁନି । ଠିକ୍ ଅଛି , ମୋତେ ବି ଆଜି ଜଲ୍ଦି ଫେରିବାର ଅଛି । କାହିଁକି ନା, ବେଶୀ ରାତି ହେଲେ ମଶାଣୀ ଡେଇଁ ଯିବା ଟା ଭାରି କଷ୍ଟ । ତାପରେ ବି ସେ ନିଆଁ ସିନା ଲିଭି ଯାଇଥିବ, କିନ୍ତୁ ଧୂଆଁ ତ ବାହାରୁଥିବ । ସେସବୁ ଦେଖିଲେ, ମନରେ ଭୟ ଟା ଆହୁରି ବଢିଯିବ । ଏମିତି ଭାବି ମୁଁ ଗାଁ କୁ ବାହାରିଲି । ମନରେ ଭୟ ଖେଳି ବୁଲୁଥାଏ । ତଥାପି ମୁଁ ଜହ୍ନ ଆଲୁଆର ସାହାରା ରେ ଆଗକୁ ବାଟ ଚାଲୁଥାଏ । ଯାଉଯାଉ, କୌଣସି ଘଞ୍ଚ ଜଗା ଦେଖିଲେ, ଗଛର ଛାଇ ବି ମନରେ ଭୟ ଖେଳେଇ ଦେଉଥାଏ । ଧୀର ପବନରେ କୌଣସି ଗଛ ହଲିଲେ, ତାର ସେଇ କଳା ଛାଇ ର ଚଳ ପ୍ରଚଳ ଛାତି କୁ ଚମକାଇ ଦେଉଥାଏ । ଧୀରେଧୀରେ ମୁଁ ସେଇ ମଶାଣୀ ପାଖ ଦେଇ ଗଲାବେଳେ, କିଛି ଗୋଟେ ଶବ୍ଦ ଶୁଭେ । ସତେ ଯେମିତି, କୋଉ ଝିଅର ପାଉଁଜି ଶବ୍ଦ । ହଠାତ୍ ମୋ ପାଦ ସେଇଠି ରହିଯାଏ । ପଛ ପଟୁ କେହିଜଣେ ମୋ କାନ୍ଧରେ ସ୍ପର୍ଶ କଲା ଭଳି ଲାଗେ । ମଶାଣୀ ପାଖରେ ଏସବୁ ଘଟଣା ଦେଖି, ଧୀରେଧୀରେ ମୋ ଛାତିର ସ୍ପନ୍ଦନ ବଢ଼ିବାରେ ଲାଗିଥାଏ । ନା ଯେତେ ଯାହା ହେଲେ ବି ପଛକୁ ଚାହିଁବିନି । ଏମିତି ଭାବି ମୁଁ ଧୀରେଧୀରେ ଆଗକୁ ଗୋଟେ ପାଦ ପକେଇଲି । କିନ୍ତୁ ପୁଣି ସେଇ ପାଉଁଜି ର ଶବ୍ଦ । ଆଉ ତାପରେ ମୋ କାନ୍ଧ ରେ କାହାର ସ୍ପର୍ଶ । ମୁଁ ଆଖି ବୁଜି ଜୋର୍ ରେ ଚିତ୍କାର କରି ବୁଲି ପଡି କହୁଥିଲି

       - ନାଇଁ ନଇଁ

       - ଏ ଚୁପ୍ । ଏ ମଶାଣୀ ରେ ଏତେ ଜୋର୍ ରେ ପାଟି କରୁଛ କାହିଁକି ? ଆଖି ଖୋଲ ମୋତେ ଦେଖ


ମୁଁ ଜୋର୍ ରେ ନିଃଶ୍ବାସ ପ୍ରଶ୍ୱାସ ନେଉଥାଏ । ଆଉ ଧୀରେଧୀରେ ଆଖି ଖୋଲୁଥାଏ । ଜହ୍ନ ଆଲୋକରେ ମୁଁ ଅସ୍ବଚ୍ଛ ଭାବେ ଚାନ୍ଦିନୀ କୁ ଦେଖୁଥାଏ । ମୁଁ ସଙ୍ଗେସଙ୍ଗେ ଆଖି କୁ ଭଲ ଭାବେ ଖୋଲି ଦେଖିଲି । ମୁଁ ମୋ ଆଖିକୁ ବିଶ୍ୱାସ କରି ପାରୁନଥିଲି । ମୁଁ ତାକୁ କହୁଥିଲି

         - ମୋତେ ପୁରା ଡରେଇଦେଲ । ତମେ ଗାଁ ରୁ ହିଁ ମୋ ପିଛା କରୁଥିଲ ନା ? 

         - (ସ୍ମିତହାସ୍ୟ ଦେଇ) ଆସ , ସେଇ ପଥର ଉପରେ ବସି କଥା ହେବା । 

ତାପରେ ଆମେ ଦୁହେଁ ସେଇ ପଥର ଉପରେ ଯାଇ ବସିଲୁ । ମୁଁ ତାକୁ ପଚାରୁଥିଲି

        - ଗାଁ ରେ କିଏ ମରିଗଲା ? ଆଉ କେମିତି ?

        - ଗୋଟେ ଝିଅ ଆତ୍ମହତ୍ୟା କରିଦେଲା । 

        - ହେଲେ କଣ ପାଇଁ ? 

        - ସିଏ କୁଆଡେ କୋଉ ପୁଅକୁ ଲୁଚି ଲୁଚି ଭଲ ପାଉଥିଲା । ସାଇ ପଡିଶା ଲୋକ ତାକୁ ବାର କଥା କହିଲେ । ତେଣୁ ସେ ଏସବୁ ସହି ନପାରି ଆତ୍ମହତ୍ୟା କରିଦେଲା । 

ତା ମୁହଁ ରୁ ଏତିକି ଶୁଣି ମୁଁ ନୀରବ ହେଇଗଲି । ମୁଁ ବି ତ ଚାନ୍ଦିନୀ କୁ ଲୁଚି ଲୁଚି ଭଲପାଉଛି । କାଳେ ଚାନ୍ଦିନୀ ଏମିତି କେବେ ଭୁଲ୍ କରିବନି ତ ? ହଠାତ୍ ମୋ ନୀରବତା ଭାଙ୍ଗି ଚାନ୍ଦିନୀ କହେ..


       - କଣ ଭାବୁଛ ?

       - ନାଇଁ ମାନେ ଆମ ଭିତରେ ଥିବା ଏଇ ସମ୍ପର୍କର ନାଁ କଣ ?

       - (ହସି ଦେଇ) ଆମେ ବନ୍ଧୁ । 


ମୁଁ ଟିକେ ନୀରବ ରହିଯାଏ । ସେ ପୁଣି ପଚାରେ


         - କଣ ହେଲା ?

         - ନାଇଁ କିଛି ନାଇଁ

         - ଜହ୍ନ କୁ ଦେଖିଲ କେତେ ସୁନ୍ଦର ଲାଗୁଛି ନା ?

         - ତମେ ତା ଠୁ ବି ବେଶୀ ସୁନ୍ଦର ଲାଗୁଛ ।

         - ଚୁପ୍ବ ଦ୍-ମାସ୍ । ପାଟି କରନି ଚୁପ୍ ଚାପ୍ ସେଇ ଜହ୍ନକୁ ଦେଖ ତାପରେ ଆମେ ଦୁହେଁ ନୀରବ ହେଇ ଜହ୍ନକୁ ଦେଖୁଥିଲୁ । ଗୋଟେ ଶୁନ୍-ଶାନ୍ ରାତିରେ ମଶାଣୀ ଉପରେ ବସି ଜହ୍ନ କୁ ଦେଖିବା ହୁଏତ ଗୋଟେ ପ୍ରକାର ପାଗଳାମି , କିନ୍ତୁ ସେଇ ପାଗଳାମି ମୋତେ ବହୁତ ଭଲ ଲାଗୁଥିଲା । କିଛି ସମୟ ପରେ ମୁଁ ଜହ୍ନ ପାଖରୁ ମୁହଁ ଫେରେଇ ଆଣି ଚାନ୍ଦିନୀ ର ମୁହଁ କୁ ଚାହିଁ ରହିଲି । ଚାନ୍ଦିନୀ ସବୁ ଜାଣି ବି ଚୁପ୍ ରହିଥିଲା ଆଉ ମନେମନେ ହସୁଥିଲା । ଠିକ୍ ଏଇ ସମୟରେ ଜୋର୍ ରେ ପବନ ହେଲା ଆଉ ଚାନ୍ଦିନୀ ର ଓଢଣୀ ଟା ଉଡିଯାଇ, ଯେଉଁଠି ଆଜି ଶବ ପୋଡା ହେଇଥିଲା ସେଇଟା ପୋତା ହେଇଥିବା ଗୋଟେ ବାଡି ଉପରେ ଲାଖି ଗଲା । ମୁଁ ଟିକେ ପାଟି କରି କହିଲି

         - ଚାନ୍ଦିନୀ ତମ ଓଢଣୀ

         - ତମେ ରୁହ ସିଏ ସେଇଠି ଥାଉ । ସମୟ ବହୁତ ହେଇ ଗଲାଣି । ତମେ ଏବେ ଯାଅ ।

         - ହେଲେ ତମ ଓଢଣୀ ଟା ?

         - ଆରେ ମୁଁ ନେଇଯିବି । ତମେ ଯାଅ

         - ତମକୁ ସେଠିକି ଯିବାକୁ ଡର ଲାଗୁନି ?

         - (ସ୍ମିତହାସ୍ୟ ଦେଇ) ତମେ ପ୍ରତିଦିନ ଏପଟ ଯିବା ଆସିବା କରୁଛ । ତମକୁ ଡର ଲାଗୁନି ? ତାପରେ ଏଇଟା ତ ଆମ ଗାଁ । ଏଇଠି ଆମ ଘର । ଡରିବି କାହିଁକି ? ତମେ ଯାଅ ଘରେ ବ୍ୟସ୍ତ ହେଉଥିବେ ।


ମୁଁ ତା କଥା ଶୁଣି ଟିକେ ହସିଦେଲି । ଆଉ ତା ପରେ ମୁଁ ଏକ ମୁହାଁ ହେଇ ଘରକୁ ଦୌଡ଼ିଲି । ଘରେ ପହଞ୍ଚିଲା ବେଳକୁ ଦେହ ହାତ ସବୁ ବ୍ୟଥା ଲାଗୁଥିଲା । ତା ସହିତ ମା ର ଗାଳି କୁ ବି ସହିବାକୁ ପଡୁଥିଲା । କଣ ଦି ଟା ଖାଇଛି କି ନାଇଁ ଆଖି ପତା ଗୁଡିକ ଆଉ ସମ୍ଭାଳି ପାରିଲେ ନାହିଁ । ମୁଁ ସିଧା ଯାଇ ବିଛଣାରେ ଶୋଇପଡ଼ିଲି । ଧୀରେଧୀରେ ଜୋର୍ ରେ ଶୀତ ଲାଗିଲା । ଚାଦର, କନ୍ଥା, କମ୍ବଳ, ଯାହା ଘୋଡେଇ ହେଲେ ବି ଶୀତ କମୁ ନଥିଲା । ମୁଁ ଶୀତରେ ଥରୁଥିଲି । ମା, ଟିକେ ବ୍ୟସ୍ତ ହୋଇପଡେ ଆଉ କହେ

        - କେତେଥର କହିଛି, ସନ୍ଧ୍ୟାରେ ଥଣ୍ଡା ପବନ । ହେଲେ ମୋ କଥା ଜମା ଶୁଣିଲୁଣି । ଦେହ ସାରା ତାତି । ହେ ଭଗବାନ୍ ମୁଁ କଣ କରିବି ?


ମୁଁ ତାର କିଛି ଉତ୍ତର ଦିଏନି । ସେମିତି ଜର ରେ ରାତି ପହିଯାଏ । ସକାଳୁ ବଇଦ ବୁଢା ଆସି ଔଷଧ ପାନେ ଦିଏ । ମୋତେ ଟିକେ ଭଲ ଲାଗେ । ମା ତାଗିଦ୍ କରି କହୁଥାଏ

        - ଆଉ ଦିନେ ସନ୍ଧ୍ୟାରେ, ସେପଟ ଗାଁ କୁ ଯାଇଥିବୁ ତ ତୋ କଥା ବୁଝିବି । 

ମୁଁ କିଛି କହେନି । ତାପରେ ସାଇକେଲ୍ ଧରି ଟିକେ ବୁଲିବା ପାଇଁ ବାହାରି ପଡେ । ପୁଣି ଇଛା ହୁଏ, ଚାନ୍ଦିନୀ ପାଖକୁ ଯିବାକୁ । ମୁଁ ସେଇ ମଶାଣୀ ଦେଇ ତା ଗାଁ କୁ ଗଲା ବେଳେ ଦେଖେ ଯେ, କାଲି ରାତିରୁ ଚାନ୍ଦିନୀ ର ଓଢଣୀ ଟି ସେଇ ବାଡ଼ି ଉପରେ ସେମିତି ଲାଖି ରହିଛି । ମନେମନେ ଭାବେ, " ପାଗେଳି ଭୁଲି ଯାଇଛି ବୋଧେ " । ଏମିତି ଭାବି ମୁଁ ଯାଇ ସେଇ ଓଢଣୀ ଟି ଧରିଲା ବେଳେ, କେହି ଜଣେ ପାଟି କରି ମୋ ଆଡ଼କୁ ପଥର ଫିଙ୍ଗେ ଆଉ କହେ

          - ଆରେ ହେ ପାଗଳ ଏମିତି ତା ପିଛା କରି କରି ତ ଝିଅ ଟାକୁ ମାରିଦେଲୁ । ଏବେ ବି ତା ପିଛା ଛାଡୁନୁ ?

          - କଣ କହୁଛ ତମେ ? ମୁଁ କାହାକୁ ମାରିଲି ?

          - ଯାହାର ଓଢଣୀ ଧରିଛୁ ତାକୁ ମାରିଲୁ । ଯାହାର ମଶାଣୀ ଉପରେ ଠିଆ ହେଇଛତାକୁ ମାରିଲୁ ।

          - ନା ସିଏ ମରିନି କାଲି ରାତିରେ ମୁଁ ତା ସହ କଥା ହେଉଥିଲି । 

          - ତୁ ପାଗଳ ହେଇ ଯାଇଛୁ ଯା ଯା ଘରକୁ ଯା


ମୁଁ ତା କଥା କୁ ବିଶ୍ୱାସ କରି ପାରୁନଥିଲି । ତା କଥା ଶୁଣି ମୋ ଆଖିରୁ ଲୁହ ଝରି ଆସୁଥିଲା । ନିଜକୁ ନିଜେ କହୁଥିଲି


          - ମାନେ ଚାନ୍ଦିନୀ କାଲି ରାତିରେ ନିଜର କାହାଣୀ ମୋତେ ଶୁଣାଉଥିଲା ? 


ମୁଁ ନୀରବ ହେଇ ସେଇଠି ବସି ପଡ଼ିଲି । ସେଇ ପାଉଁଶ ଭିତରେ ମୁଁ ତାକୁ ପାଗଳ ଭଳି ଖୋଜୁଥିଲି । କିନ୍ତୁ ସମୟ ବହୁତ ଆଗକୁ ଚାଲି ଯାଇଥିଲା । 

        ଅନେକ ଦିନ ପରେ ଗୋଟେ ନିଶବ୍ଦ ରାତିରେ ମୁଁ ବସି ଜହ୍ନକୁ ଦେଖୁଥାଏ ଆଉ ମୋ ଅତୀତ କଥା ଭାବୁଥାଏ ଭଲପାଏ ବୋଲି କେବେ ସିନା କହି ନଥିଲି, ହେଲେ ତମେ ଜାଣିଥିଲ ମୁଁ ତମକୁ ବହୁତ ଭଲପାଏ । କହିବାର ସାହସ ନଥିଲା , ସେଥିପାଇଁ ମୁଁ ରହିଗଲି ସେମିତି । ହେଲେ ତମେ ଜାଣିଶୁଣି ଅଭିନୟ କଲ । ଆଉ ସେଇ ଅଭିନୟ ଜଗତରେ ମୁଁ ଥିଲି ତମ ବନ୍ଧୁ ଚରିତ୍ରରେ । ଆଜି ବି ମନେ ପଡେ ସେଇ ଚରିତ୍ରରେ ମୋର ଏକ ଦୃଶ୍ୟ । ଶୁନ୍-ଶାନ୍ ରାତିରେ ମୋ ପାଖରେ ବସି ଦେଖୁଥିଲ ତମେ ଜହ୍ନ କୁ । ଆଉ ସେଇ ଜହ୍ନ ଆଲୁଅରେ ମୁଁ ଦେଖୁଥିଲି ତମ ମୁହଁକୁ । ଆଜି ଦେଖୁଛିବାସ୍ ଖାଲି ଜହ୍ନକୁ   ।        


Rate this content
Log in

Similar oriya story from Romance