Brajakishor Bidyadhar

Drama Romance Tragedy

3  

Brajakishor Bidyadhar

Drama Romance Tragedy

ଟିକେ ଖଟା ଟିକେ ମିଠା

ଟିକେ ଖଟା ଟିକେ ମିଠା

11 mins
170


ନମସ୍କାର, ମୋ ନାଁ ଆନନ୍ଦ୍ । ମୋ ସ୍ତ୍ରୀ ନାଁ ହଉଛି ତିଥି । ଆଜିକୁ ପ୍ରାୟ ତିନି ବର୍ଷ ତଳେ ଆମ ଦୁହିଁଙ୍କର ବାହାଘର ହେଇଥିଲା । ହେଲେ ବାହାଘରର ଗୋଟେ ଦୁଇ ବର୍ଷ ପରେ ମୋର ଗୋଟେ ବଡ ଭୁଲ୍ ପାଇଁ ସିଏ ମୋ ପାଖରୁ ଦୂରେଇ ଯାଇ ଅଲଗା ରହୁଛି । ଏଇ ବର୍ଷେ ଭିତରେ ମୁଁ ତାକୁ ବହୁତ୍ ବୁଝେଇବାକୁ ଚେଷ୍ଟା କରିଛି ହେଲେ କିଛି ଲାଭ ହେଇନି । ମୁଁ ଆଉ ତା ପାଖକୁ ଯାଏ ବୋଲି ସେ ଜମା ଚାହୁଁନଥିଲେ ବି ଚିଣ୍ଟୁକୁ ଦେଖା କରିବା ବାହାନାରେ ମୁଁ ତା ପାଖକୁ ଯାଉଛି । ତେବେ ଏ କାହାଣୀର ଆରମ୍ଭ ହଉଛି..


        ସେଦିନ ମୁଁ ତିଥିକୁ ଦେଖିବା ପାଇଁ ତାଙ୍କ ଘରକୁ ଯାଇଥିଲି । ସବୁ କଥାବାର୍ତ୍ତା ସରିବା ପରେ ମୁଁ ତିଥି ସହିତ ଏକୁଟିଆ କଥା ହେବା ପାଇଁ ଚାହିଁଲି । ସେଥିପାଇଁ ଆମେ ଛାତ ଉପରକୁ ଗଲୁ । ମୁଁ ତାକୁ କହୁଥିଲି ।


   - ଆଜିକାଲି ଯୁଗରେ ସମସ୍ତେ ପ୍ରେମ କରୁଛନ୍ତି । ତମେ ବି କାହାକୁ ନିଶ୍ଚୟ କରୁଥିବ । ଯଦି ଏବେ ବି ତମେ..।


ମୁଁ ଏତିକି କହି ତିଥିକୁ ଦେଖିଲା ବେଳେ ସିଏ ମୋ କଥା ନଶୁଣି ଦୂର ପାହାଡକୁ ଚାହିଁ ରହିଥାଏ । ମୁଁ କଣ କହିବି ଜାଣି ପାରେନି । ନୀରବ ହେଇ ତାକୁ ଦେଖୁଥାଏ । କିଛି ସମୟ ପରେ ସେ ମୋ ଆଡେ ଦେଖି ମତେ କହେ ।

 - କଣ ହେଲା ? ଚୁପ୍ ହେଇଗଲ କାହିଁକି ? କଣ କହୁଥିଲ କୁହ....

      - ତମେ କାହାକୁ ଲଭ୍ କରୁଛ କି ?

      - ହଁ.. କରୁଥିଲି ହେଲେ ଏବେ ଆଉ ନାହିଁ...

      - ଲଭ୍ କରୁଥିଲ ମାନେ... ମାନେ.... କଣ ସବୁ କିଛି.... ତମ ଭିତରେ...?

      - ହଁ.. ସବୁକିଛି ସରି ଯାଇଛି ...


ତିଥି ମତେ ଚାହିଁଥାଏ, ମୁଁ ତାକୁ ଚାହିଁ ପାରେନି । ମୁଁ ମୁହଁ ବୁଲେଇଲା ବେଳେ ତିଥି ମତେ କହେ...


  - ତମେ ଆଉ ନିଜକୁ ସାଧୁ ଦେଖେଇ ଏତେ ଲାଜ କରିବା ଦରକାର ନାହିଁ । ଆଜିକାଲି ପିଲାଙ୍କୁ ମୁଁ ଠିକ୍ ଜାଣିଛି । ତମେ କଣ କାହାକୁ ଲଭ୍ କରିନ ?


ତା କଥା ଶୁଣି ମତେ ଲାଗିଲା ଆଉ ଲୁଚେଇ କିଛି ଲାଭ ନାହିଁ । ସବୁ କଥା ଖୋଲିକି କହିଦେଲେ ଭଲ ହବ ।


 - ପ୍ରକୃତରେ ମୋର ଆଗରୁ ତିନି ଜଣଙ୍କ ସହ ସମ୍ପର୍କ ଥିଲା । ଆଉ ତାଙ୍କ ସହିତ ମୋର ବି..।


ଏତିକି କହି ମୁଁ ତିଥିକୁ ଦେଖେ ତ ସେ ମତେ ଚାହିଁ ରହିଥାଏ । ମୁଁ ସଙ୍ଗେ ସଙ୍ଗେ କଥା ବୁଲେଇ କହେ


 - ହେଲେ ତମେ ବ୍ୟସ୍ତ ହୁଅନି, ସେମାନଙ୍କର ବାହାଘର ହେଇଗଲାଣି । ଆମ ବାହାଘର ପରେ ମୁଁ ଖାଲି ତମକୁ ହିଁ ଲଭ୍ କରିବି । 


ତିଥି ମତେ ଚାହିଁ ଜୋର୍ ରେ ହସେ । ମୁଁ ପଚାରେ..


         - କଣ ହେଲା ?

         - ଚୋର ଧରା ପଡ଼ିଗଲା.....

         - ମାନେ..?

         - ମାନେ ଆଉ କଣ ? ମୁଁ ତମ ବିଷୟରେ ଜାଣିବା ପାଇଁ ହିଁ ମିଛରେ ନାଟକ କରୁଥିଲି । ସତ କଥା ହେଲା , ଆଜି ଯାଏ ମୁଁ ସେମିତି କାହାକୁ ବି ଭଲ ପାଇନି । 


ଏତିକି କହି ସେ ଆହୁରି ଜୋର୍ ରେ ହସିବାକୁ ଲାଗେ । ମତେ ଟିକେ ଖରାପ ଲାଗେ । ମୁଁ ମୁହଁ ବୁଲେଇ ଠିଆ ହୁଏ । କିଛି ସମୟ ପରେ ସେ ମୋ ସାମ୍ନାକୁ ଆସି କହେ,


   - Sorry... ଟିକେ ବେଶୀ ହେଇଗଲା ନା ? 


ମୁଁ ନୀରବ ହେଇ ତାକୁ ଦେଖୁଥାଏ । ସେ ପୁଣି ପଚାରେ....


 - ଆଉ କିଛି କହିବ ?


ମୋର ଆଉ କିଛି କହିବା ପାଇଁ ସାହାସ ନଥାଏ । ମୁଁ କେବଳ ମୁଣ୍ଡ ହଲେଇ ନାଁ କହେ । ତାପରେ ସିଏ ମୋ ହାତ ଧରି ଟାଣି ଟାଣି ତଳକୁ ନେଇଯାଏ ।


ବାହାଘର ସିନା ଠିକ୍ ହେଇ ସାରିଥିଲା ହେଲେ ତିଥିକୁ ମୁଁହ ଦେଖେଇବାର ଆଉ ସାହାସ ମୋର ନଥିଲା । କାହିଁକି ନା, ମତେ ଲାଗୁଥିଲା, ମୁଁ ଗୋଟେ ବହୁତ ବଡ଼ ଭୁଲ୍ କରି ଦେଇଛି ଆଉ ସେଇ ଭୁଲ୍ ଟା ତିଥି ଜାଣିଛି । ତାକୁ ଦେଖିବା ଆଗରୁ ଭାବିଥିଲି, ବାହାଘର ଠିକ୍ ହେଲା ପରେ ତା ଫୋନ୍ ନମ୍ୱର୍ ଆଣି ତା ସହିତ ଗପିବି । ହେଲେ ଏବେ ଆଉ କୋଉ ମୁହଁରେ ଗପିବି ? ସେଥିପାଇଁ ଚୁପ୍ ଚାପ୍ ହେଇ ବାହାଘର ଯାଏ ରହିଲି । ବାହାଘର ବି ହେଲା । ହେଲେ ମୁଁ ଆଉ ତା ପାଖରୁ କେତେ ଦିନ ବା ଲୁଚିଥାନ୍ତି ? ଚତୁର୍ଥୀ ରାତିରେ ପୁଣି ଆମର ଦେଖା ହେଲା । ମୁଁ ତାକୁ କିଛି କହି ପାରୁ ନଥାଏ କି ତା ମୁହଁକୁ ଠିକ୍ ସେ ଚାହିଁ ପାରୁ ନଥାଏ । ଖାଲି ଏପଟ ସେପଟ ଦେଖୁଥାଏ । ସେ ମତେ ଚାହିଁ କହେ


        - କଣ ଖୋଜୁଛ ?

        - ନାଇଁ... କିଛି ନାହିଁ.... ତମେ ଶୋଅ,

        - ଶୋଇ ପଡିବି ତ...? ହେଲେ ଥରେ ଶୋଇଲେ ଆଉ ଡ଼ାକିଲେ ବି ଜମା ଉଠିବିନି,

        - ନାହିଁ... ମାନେ.....


ସିଏ ମୋ ମୁହଁକୁ ତା ଆଡ଼କୁ ବୁଲେଇ ଦେଇ କହେ,

       - ଚୋରକୁ ଚୋରି କରିବାକୁ ଡର ଲାଗୁଛି କି ?


ମୁଁ ମନେମନେ ଭାବେ, ' ନା, ଆଉ ହବନି । ଯେତେ ଯାହା ହେଲେ ବି ସିଏ ମୋ ସ୍ତ୍ରୀ, ତା ଆଗରେ ପୁଣି ଡର କଣ ଯେ..? ' ଏମିତି ଭାବି ମୁଁ ତାକୁ ମୋ ବାହୁରେ ଧରି ନିଏ । ସିଏ ମତେ କହେ....

       - କଣ କରୁଛ ?

       - ଚୋରି କରୁଛି.....


ତାପରେ ମୁଁ ଲାଇଟ୍ ଅଫ୍ କରିଦିଏ । ଆଖି ଖୋଲିଲା ବେଳକୁ ସକାଳ ହେଇ ଯାଇଥାଏ । ଗୋଟେ ନୂଆ ସକାଳକୁ ନେଇ ମୁଁ ତିଥି ସହିତ ଗୋଟେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥାଏ । ସବୁକିଛି ଠିକ୍ ଠାକ୍ ଚାଲେ । ମନେମନେ ମୁଁ ବହୁତ୍ ଖୁସି ବି ହଉଥାଏ ଯେ, ତିଥି ଭଳି ସ୍ତ୍ରୀ ଟିଏ ପାଇଛି । କାହିଁକି ନା ସିଏ ମତେ ବହୁତ୍ ଭଲ ପାଉଥିଲା । ମୁଁ ବି କେବେ ମୋ ଭଲପାଇବା ରେ ହେଳା କରୁ ନଥିଲି । ସବୁବେଳେ ତାକୁ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲି । ଏଇ ଖୁସି ଆହୁରି ବଢି ଯାଇଥିଲା, ଯେତେବେଳେ ପିଣ୍ଟୁ ଜନ୍ମ ହେଇଥିଲା । ହେଲେ ମୁଁ କେବେ ଭାବି ନଥିଲି, ମୋ ଜୀବନରେ ଏମିତି କିଛି ଘଟିଯିବ ଯାହାକି ମୋ ଜୀବନକୁ ପୁରା ବର୍ବାଦ୍ କରିଦେବ । 


         ସାଙ୍ଗର ବାର୍ଥଡେ ପାର୍ଟି ଗୋଟେ ହୋଟେଲ୍ରେ ସେଲିବ୍ରେଟ ହଉଥାଏ । ମୁଁ ଟିକେ ଅଧିକ ପିଇ ଦେଇ ଥାଏ । ପାର୍ଟିରେ ଗୋଟେ ସୁନ୍ଦର ଝିଅ ଉପରେ ମୋର ନଜର ପଡେ । ତା ସହିତ ମୁଁ ଗୋଟେ ଅଲଗା ରୁମ୍ କୁ ଯାଇ ଭିତର ଆଡୁ ଲକ୍ କରିଦିଏ । ସେତେବେଳେ ଠିକ୍ କଣ ଆଉ ଭୁଲ୍ କଣ ମୁଁ ବୁଝିବା ପରିସ୍ଥିତିରେ ନଥାଏ । ବୋଧେ ମୁଁ ଯାହା ଚାହୁଁଥାଏ, ସେ ଝିଅ ବି ସେୟା ଚାହୁଁଥାଏ । ସେଥିପାଇଁ ସିଏ ମତେ ସହଯୋଗ କରେ ଆଉ ତା ସହିତ ମୁଁ ଗୋଟେ ରାତି ସେଇ ରୁମ୍ ରେ ବିତେଇ ଦିଏ । ନିଦ ଭାଙ୍ଗିଲା ବେଳକୁ ସକାଳ ୯ ଟା ବାଜିଥାଏ । ମୁଁ ଚାରିଆଡ଼େ ଚାହେଁ, ସେ ଝିଅ ବି ଆଉ ସେଠି ନଥାଏ । ମତେ ଟିକେ ଦୁର୍ବଳ ଲାଗୁଥାଏ, ତଥାପି ମୁଁ ଫ୍ରେସ୍ ହେଇ ଘରକୁ ବାହାରେ । ମତେ ଏକଥା ଜଣା ନଥିଲା ଯେ, ମୋ ସାଙ୍ଗ ଭିତରୁ କେହି ଜଣେ ଗତ ରାତିର ସବୁ ଘଟଣା ତିଥିକୁ କହି ଦେଇଛି । ଯେତେବେଳେ ମୁଁ ଘରେ ପହଞ୍ଚି ତିଥିର ହାତ ଧରି ତାକୁ କିଛି କହିବାକୁ ଯାଏ, ସିଏ ମୋ ହାତ ଛାଟି ଦେଇ ରାଗରେ କହେ..


         - ଛୁଅଁନି ମତେ....

         - କଣ ହେଇଛି ତିଥି ?

         - କାଲି ରାତିରେ କୋଉଠି ଥିଲ?


ବାସ୍ ତା ମୁହଁରୁ ଏତିକି ଶୁଣି ମୁଁ ପୁରା ଚୁପ୍ ହେଇଯାଏ । ଜାଣତରେ ହେଉ କି ଅଜାଣତରେ ହଉ ଭୁଲ୍ ସବୁବେଳେ ଭୁଲ୍ । ଆଉ ଏଇଟା ଗୋଟେ ଏତେ ବଡ ଭୁଲ୍ ଥିଲା ଯେ, ମୁଁ ନିଜକୁ ବି ନିଜେ କ୍ଷମା କରି ପାରୁ ନଥିଲି । ମୋ ନୀରବତା ଦେଖି ତିଥି କହିଲା....

        - ମୁଁ ତମ ସାଙ୍ଗରେ ଆଉ ରହିବାକୁ ଚାହୁଁନି । ମୋ ପାଇଁ ଗୋଟେ ଭଡା ଘର ଠିକ୍ କରିଦିଅ


        - ମୋର ଭୁଲ୍ ହେଇ ଯାଇଛି ତିଥି.... ମତେ କ୍ଷମା କରିଦିଅ । ଏମିତି ଭୁଲ୍ ଆଉ କେବେ ହବନି । ପ୍ଲିଜ୍... ମତେ ଛାଡ଼ିକି ଅଲଗା ରହିବା କଥାକୁହନି...

        - ବାହାଘର ଆଗରୁ ତମର ତିନି ଜଣ ଗାର୍ଲଫ୍ରେଣ୍ଡ ଥିଲେ ବୋଲି କହୁଥିଲ । ଭାବିଲି ବାହାଘର ପରେ ତମେ ବଦଳି ଯିବ । ହେଲେ ନାଇଁ... ତମେ ଟିକେ ବି ବଦଳିନ,

        - ତିଥି ପ୍ଲିଜ୍.....

        - ଚୁପ୍ କର.... ତମକୁ ସେମିତି କାମ କରିବାକୁ ଟିକେ ବି ଖରାପ୍ ଲାଗିଲାନି..? ଛି... ମତେ ଭାବିଲା ବେଳକୁ ବି ଘୃଣା ଲାଗୁଛି ।

    - ମୁଁ ଜାଣି ଶୁଣି କିଛି ବି କରିନି । ନିଶାରେ,

     - ତମ ମୁହଁରୁ ମୁଁ ଆଉ କିଛି ବି ଶୁଣିବାକୁ ଚାହୁଁନି । ଦୁଇ ଦିନ ଭିତରେ ମୋ ପାଇଁ ଗୋଟେ ଘର ଖୋଜି ଦିଅ ।

        - ମୁଁ ଜାଣିଛି, ମୋ ଭୁଲ୍ ର କ୍ଷମା ନାହିଁ । କିନ୍ତୁ ତମେ ଯଦି ଏଠି ରହିବାକୁ ଚାହୁଁନ, ତାହେଲେ ତମ ଘରକୁ ଚାଲିଯାଅ । ଭଡା ଘରେ କାହିଁକି ରହିବ ?

        - ଘରେ ପଚାରିଲେ କଣ କହିବି ? ମୋ ସ୍ବାମୀ ଗୋଟେ ବାହାର ଝିଅ ସହିତ ସଂପର୍କ ରଖିବାରୁ ମୁଁ ତାକୁ ଛାଡି ଚାଲି ଆସିଛି ? ଶୁଣ, ମୁଁ ଚାହୁଁନି ଏ ବିଷୟରେ ଆମ ଆମ ଘରେ କେହିବି କିଛି ଜାଣନ୍ତୁ । ବୁଝିଲ...?

        - କିଛି ଦିନ ପରେ ମା, ଗାଁ ରୁ ଫେରିବ । ସିଏ ତମ ବିଷୟରେ ପଚାରିଲେ ତାକୁ ମୁଁ କଣ ଉତ୍ତର ଦେବି ?

        - ସେକଥା ତମେ ଜାଣ..

ତିଥିର ରାଗ ଆଗରେ ମୁଁ ସବୁବେଳେ ହାରି ଯାଉଥିଲି । ତାକୁ ବହୁତ୍ ବୁଝାଇବାକୁ ଚେଷ୍ଟା କଲି । ହେଲେ କିଛି ଲାଭ ହେଲାନି । ସିଏ ତା ଜିଦ୍ ରେ ହିଁ ଅଟଳ ରହିଲା । ମୁଁ ବାଧ୍ୟ ହେଇ ତା ପାଇଁ ଗୋଟେ ଭଡା ଘର ଖୋଜିଦେଲି । ସିଏ ପିଣ୍ଟୁକୁ ନେଇ ଭଡା ଘରେ ଏକୁଟିଆ ରହିଲା । ମତେ ଟିକେ ବି ଭଲ ଲାଗୁ ନଥିଲା । ମାନୁଛି ମୁଁ ଗୋଟେ ଭୁଲ୍ କରି ଦେଇଛି, ହେଲେ ଏକଥା ବି ସତ ଯେ, ତିଥିକୁ ମୁଁ ବହୁତ୍ ଭଲପାଏ । ନା ଠିକ୍ ସେ ଖାଇ ପାରୁଥିଲି ନା ଠିକ୍ ସେ ଶୋଇ ପାରୁଥିଲି ? ସବୁବେଳେ ମୋର ତିଥି କଥା ମନେ ପଡ଼ୁଥିଲା । ମନ ଭିତରେ ହଉଥିବା କଷ୍ଟ ଆଖିରେ ଲୁହ ହେଇ ଝରି ପଡ଼ୁଥିଲା । ଏମିତି ପରିସ୍ଥିତିରେ ମୁଁ ତିଥିକୁ ଦେଖା କରିବାକୁ ଯେତେବେଳେ ଯାଏ, ସିଏ ମତେ କହେ...


       - ଏଠିକି କାହିଁକି ଆସିଛ?

       - ତମକୁ ଦେଖା କରିବାକୁ....

       - ହେଲେ କାହିଁକି? ମୁଁ ତମର କିଏ କି?

       - ତିଥି , ଆଇ ଆମ୍ ସରି...ଗୋଟେ ଭୁଲ୍ ପାଇଁ ମତେ ଏତେ ବଡ ଶାସ୍ତି ଦିଅନି । ମୁଁ ତମକୁ ବହୁତ୍ ଭଲପାଏ । 

       - (ହାତ ଯୋଡ଼ି) ମୁଁ ତମକୁ ହାତ ଯୋଡୁଛି... ପ୍ଲିଜ୍.... ଏ ଡ୍ରାମା ବନ୍ଦ୍ କର । ମତେ ଟିକେ ଶାନ୍ତିରେ ରହିବାକୁ ଦିଅ । ଏଠିକି ଆଉ କେବେ ବି ଆସିବନି....


ତିଥି କଥା ଶୁଣି ମତେ ଯେତିକି କଷ୍ଟ ହଉଥାଏ ସେତିକି ରାଗ ବି ଲାଗୁଥାଏ । ମୁଁ ଜୋର୍ ରେ ଚିଲ୍ଲେଇ କି କହେ....


       - ମୁଁ ଆସିବି... ନିଶ୍ଚୟ ଆସିବି.... ତମେ ମତେ ଯେତେ ଘୃଣା କଲେ ବି ଆମ ଭଲ ପାଇବାର ସନ୍ତକ ତମ ପାଖରେ ଅଛି । ମୋ ପୁଅ ପାଇଁ ମୁଁ ଏଠିକି ନିଶ୍ଚୟ ଆସିବି....


ମୋ କଥା ଶୁଣି ତିଥି ର ଆଖି ଲୁହ ଛଳ ଛଳ ହେଇଯାଏ । ମୋ ପାଟି ଶୁଣି ପିଣ୍ଟୁ ର ନିଦ ଭାଙ୍ଗିଯାଏ । ସେ କାନ୍ଦିବାକୁ ଲାଗେ । ତିଥି ଆଉ ମୁଁ ଏକା ସାଙ୍ଗରେ ତା ପାଖକୁ ଦୌଡ଼ି ଯାଉ । ଦୁହେଁ ତାକୁ ଏକା ସାଙ୍ଗରେ କୋଳେଇ ନେବାକୁ ହାତ ବଢ଼ାଉ । ମୁଁ ପିଣ୍ଟୁକୁ କୋଳେଇ ଆଣି ତିଥିକୁ ଦିଏ । ତିଥି ଆଖିରୁ ଲୁହ ଝରୁଥାଏ । ମୋ ଆଖି ବି ଲୁହ ଛଳଛଳ ହେଇଯାଏ । ମୁଁ ଆଉ କିଛି ନକହି ତା ପାଖରୁ ଫେରି ଆସେ । 


         କିଛି ଦିନ ପରେ ମା ଗାଁରୁ ଫେରେ । ସିଏ ତିଥି ବିଷୟରେ ପଚାରେ । ସିଏ ତା ଘରକୁ ଯାଇଛି ବୋଲି ମାକୁ ମୁଁ ମିଛ କହେ । ମୋର କିଛି ବି କାମରେ ମନ ଲାଗୁ ନଥାଏ । ତିଥି କଥା ସବୁବେଳେ ମନେ ପଡୁଥାଏ । ବେଳେବେଳେ ଅଜାଣତରେ ଆଖିରୁ ଲୁହ ଝରି ପଡୁଥାଏ । ମତେ ଏମିତି ଦେଖି ମତେ ମା କଣ ହେଇଛି ବୋଲି ପଚାରେ । ମୁଁ କିଛି କହିବା ଆଗରୁ ମା ପାଖରେ ଜୋର୍ ରେ କାନ୍ଦିବାକୁ ଲାଗେ । ସିଏ ମତେ ତା କୋଳକୁ ନେଇଯାଏ ଆଉ ମୋ ମୁଣ୍ଡରେ ହାତ ମାରି କହେ...


       - ତିଥି ସହିତ ଝଗଡ଼ା କରିଛୁ କି ?

       - ମୁଁ ତାକୁ ବହୁତ୍ ଭଲପାଏ ମା ...


ମୁଁ ମା ଆଗରେ ସବୁ ସତ କଥା କହିଦିଏ । ମା ମତେ କହେ ଯେ, କାଲି ମୁଁ ତିଥି ପାଖକୁ ଯିବି ଆଉ ତାକୁ ବୁଝେଇ କି ଫେରେଇ ଆଣିବି । ତା ପରଦିନ ମାକୁ ନେଇ ମୁଁ ତିଥି ପାଖକୁ ଯାଏ । ମା ସହିତ ମୁଁ ବି ଭିତରକୁ ଗଲା ବେଳେ ମା କହେ, ତୁ ବାହାରେ ଥା । ତାପରେ ମୁଁ ବାହାରେ ରହିଯାଏ । ହେଲେ ମନ ବୁଝୁନଥାଏ, ସେଥିପାଇଁ ମୁଁ ଝରକା ପାଖକୁ ଦୌଡ଼ିଯାଇ ତାଙ୍କ କଥା ଶୁଣିବାକୁ ଚେଷ୍ଟା କରେ । 


   ମା ଭିତରକୁ ଗଲା ପରେ, ତିଥି ମାର ପାଦ ଛୁଇଁ ପ୍ରଣାମ କରେ । ମା ତିଥିକୁ କହୁଥାଏ....

          - ତୁ କଣ ସାରା ଜୀବନ ଏଇଠି ରହିବୁ ବୋଲି ଭାବିଛୁ ?


ତିଥି ନୀରବ ଥାଏ । ମା ପୁଣି କହେ...


          - ମୁଁ ବି ଜାଣିଛି, ମୋ ପୁଅ ଗୋଟେ ବହୁତ୍ ବଡ ଭୁଲ୍ କରିଛି । କିନ୍ତୁ ଏକଥା ବି ସତ ଯେ, ସିଏ ତତେ ବହୁତ୍ ଭଲପାଏ । ତୋ ମନରେ କଣ ଆଉ ତା ପାଇଁ ଆଉ ଟିକେ ବି ଭଲ ପାଇବା ନାହିଁ ?


ତିଥିର ଆଖି ଛଳ ଛଳ ହେଇଯାଏ । ମା କହୁଥାଏ......


     - ତୁ ମତେ ସ୍ୱାର୍ଥପର ଭାବିପାରୁ । କାହିଁକି ନା ମୁଁ ମୋ ପୁଅର ଖୁସି ପାଇଁ ତା ସପକ୍ଷରେ ଓକିଲାତି କରୁଛି । ହେଲେ ମୁଁ ଆଉ କଣ କରିଥାନ୍ତି କହ ? ମୁଁ ବି ଗୋଟେ ମା....ପୁଅ ଆଖିରେ ଲୁହ ଦେଖିଲେ କୋଉ ମା ସହି ପାରିବ...?


ମା ର ବି ଆଖି ଛଳ ଛଳ ହେଇଯାଏ । ସିଏ ସେଇ ଛଳଛଳ ଆଖିରେ ତିଥି ଆଗରେ ଆଣ୍ଠେଇ ପଡ଼ି କହେ,

          - ମୁଁ ତତେ କାନି ପତେଇ ଭିକ ମାଗୁଛି, ତୁ ପୁଣି ଥରେ ଘରକୁ ଫେରି ଆସ୍ .....


ତିଥି ସାଙ୍ଗେ ସାଙ୍ଗେ ମାର ହାତ ଧରି ପକେଇ ତାକୁ ତଳୁ ଉଠେଇ କହେ.....


    - ମୋର ଭୁଲ୍ ହେଇ ଯାଇଛି ମା । ମତେ କ୍ଷମା କର...।


ମା ଯାହା କହିଥିଲା, ସେୟା କରିକି ଦେଖେଇଲା । ତିଥିକୁ ବୁଝେଇ ଘରକୁ ଆଣି ଆସିଲା । ମତେ ଲାଗିଲା ମୋର ସବୁ ଖୁସି ପୁଣି ଥରେ ଫେରି ଆସିଲା । ଘରକୁ ଆସିଲା ପରେ ମୁଁ ଖୁସିରେ ଯାଇ ତିଥିକୁ ପଛ ଆଡୁ ଭିଡ଼ି ଧରି କିଛି କହିବାକୁ ଗଲା ବେଳେ ସିଏ ମତେ ଛାଟି ଦେଇ କହେ.....


         - ଘରକୁ ଆସୁ ଆସୁ ଆରମ୍ଭ ହେଇଗଲା ? ଛିଃ.... ତମେ କେବେ ବି ସୁଧୁରିବନି....


ଏତିକି କହି ତିଥି ଭିତରକୁ ଚାଲି ଯାଏ । ମୁଁ ତା ଯିବା ବାଟକୁ ଚାହିଁ ରହିଥାଏ । ଧିରେଧିରେ ଅତୀତର ସ୍ମୃତି ଆଖି ଆଗରେ ନାଚି ଯାଏ ...

 

     ତିଥିକୁ ମୁଁ ପଛ ଆଡୁ ଭିଡ଼ି ଧରିଥାଏ । ସେ କହୁଥାଏ ।


       - ଛାଡ ମତେ....

       - ନା...

       - କଣ ନା..? ତମେ ଯଦି ସବୁବେଳେ ମତେ ଏମିତି ଧରିଥିବ, ତାହେଲେ ଘରର କାମ ସବୁ କିଏ କରିବ ?

       - ଘରର କାମ କରିବା ପାଇଁ ଆମେ ଜଣକୁ ରଖିଦେବା । କଣ କହୁଛ ?

       - ଚୁପ୍ କର... ମୁଁ ସବୁ କାମ କରି ପାରିବି... (ହଠାତ୍ କିଛି ମନେ ପକେଇ) ଆରେ.... ମୁଁ ତ ଭୁଲି ଯାଇଛି.... ମାଙ୍କୁ ମେଡ଼ିସିନ୍ ଦେଇନି.... ପ୍ଲିଜ୍ ମତେ ଟିକେ ଛାଡ... ମୁଁ ମେଡ଼ିସିନ୍ ଦେଇକି ଆସେ ।


ମୁଁ ତିଥିକୁ ବାହୁ ବନ୍ଧନରୁ ମୁକ୍ତ କରି ଦିଏ । ସିଏ ମୋତେ ଗୋଟେ ଆଖି ଠାର ମାରିକି କହେ....


 - ଦେଖିଲ ନା, କେମିତି ବୋକା ବନେଇ ଦେଲି......


ତିଥି ଗୋଟେ ସ୍ମାଇଲ ଦେଇ ଚାଲି ଯାଉଥାଏ । ମୁଁ ତା ଯିବା ବାଟକୁ ଚାହିଁଥାଏ । ସେଇ ଚାହିଁବାରୁ ମୁଁ ମୋ ବର୍ତ୍ତମାନକୁ ଫେରି ଆସେ । ମୁଁ ବୁଝି ଯାଏ, ତିଥି ଏବେ ବି ମତେ କ୍ଷମା କରିନି । ତା ପାଇଁ ମୋ ମନରେ ଥିବା ଭଲପାଇବା ମୁଁ ବି ଆଉ ତାକୁ ଦେଖେଇବାକୁ ଚେଷ୍ଟା କଲିନି । ବଡ କଥା ହେଲା, ସିଏ ମୋ ପାଖକୁ ଫେରି ଆସିଛି । ଏବେ ତା ଖୁସିରେ ମୋର ବି ଖୁସି । 

ମା ମତେ ପଚାରେ, ' ଏବେ ତୁ ଖୁସି ନା? ' 

ମୁଁ ଗୋଟେ ସ୍ମିତହାସ୍ୟ ଦେଇ ମୁଣ୍ଡ ହଲେଇ ଦିଏ । 

           ରାତିରେ ଶୋଇବା ବେଳେ ମୁଁ ଜାଣି ଶୁଣି ଆଗରୁ ଶୋଇପଡିବାର ବାହାନା କରେ । ହେଲେ ଆଖିରେ ଟିକେ ବି ନିଦ ନଥାଏ । ମୁଁ ବୁଝି ପାରୁ ନଥାଏ, ତିଥି ମନରେ ମୋ ପ୍ରତି ଥିବା ଘୃଣା ଭାବ କେବେ ଭଲ ପାଇବାରେ ବଦଳିବ । ତା ପାଖରୁ ଭଲ ପାଇବା ଟିକେ ପାଇବାକୁ ମୁଁ ଛଟ ପଟ ହଉଥାଏ ହେଲେ ତା ସାମ୍ନାରେ ଠିଆ ହେଇ କଥା କହିବାର ସାହାସ ବି ମୋର ଆଉ ନଥାଏ । 


        ସେଦିନ ରାତିରେ ମୁଁ ସେମିତି ଶୋଇବାର ଅଭିନୟ କରି ଆଖି ବୁଜି ଥାଏ । ତିଥି ବି ଚୁପ୍ ଚାପ୍ ଆସି ବେଡ୍ ରେ ମୋ ପାଖରେ ଶୋଇପଡେ । ତାର ନିଦ ହେଇଗଲା ପରେ, ମୁଁ ବେଡ୍ ରୁ ଉଠି ଛାତ ଉପରକୁ ଚାଲି ଆସେ । କୋଟି କୋଟି ତାରାଙ୍କ ମେଳରେ ଜହ୍ନକୁ ଚାହିଁଥାଏ । ଚାହୁଁ ଚାହୁଁ ଅତୀତର ଗୋଟେ ସ୍ମୃତି ପାଖକୁ ଚାଲିଯାଏ । 


         ଜହ୍ନ ଆଲୁଅ ତଳେ ତିଥି ଆଉ ମୁଁ ଛାତ ଉପରେ ବସିଥାଉ । ସେ ମତେ ପଚାରୁ ଥାଏ.....

         - ତମେ ମତେ କେତେ ଭଲପାଅ ?

         - ଏଇ ଆକାଶରେ ତାରା ମାନଙ୍କୁ ଦେଖୁଛ ? ସେମାନଙ୍କୁ ତମେ ଯେମିତି ଗଣି ପାରିବନି, ତମ ପ୍ରତି ମୋ ଭଲ ପାଇବାକୁ ବି ତମେ ମାପି ପାରିବନି । 

         - ତମେ ଏଇ ସବୁ କଥା କୋଉଠୁ ଶିଖିଛ? ତମ ପୁରୁଣା ଗାର୍ଲଫ୍ରେଣ୍ଡ ମାନେ ସବୁ ଶିଖେଇ ଥିଲେ ନା ?


ମୁଁ କିଛି ନକହି ତିଥିକୁ ଚାହିଁ ଟିକେ ହସି ଦିଏ । ତିଥି ମତେ କହୁଥାଏ....


        - ରାତି ଅନେକ ହେଲାଣି, ଥଣ୍ଡା ବି ପଡ଼ିଲାଣି.... ଚାଲ ଶୋଇବା....

        -(ସ୍ମିତହାସ୍ୟ ଦେଇ) ତିଥି, ଜହ୍ନର ଜ୍ୟୋତ୍ସ୍ନା ରେ ଭିଜିବାର ମଜା କିଛି ଅଲଗା । ଆଜି ସେ ମଉକା ମିଳିଛି, ହାତ ଛଡା କରନି । କାହିଁକି ନା ସବୁଦିନ ଆକାଶରେ ଜହ୍ନ ନଥାଏ । 

        - ଆଚ୍ଛା... ଜ୍ୟୋତ୍ସ୍ନାରେ ଭିଜିବାକୁ ଏତେ ଇଛା...? ମୋ ନାଁ କଣ କହିଲ ?

        - ତିଥି.....

        - ସେଇଟା ତ ଡାକ ନାଁ, ପୁରା ନାଁ କଣ ?

        - ଜ୍ୟୋତ୍ସ୍ନାରାଣୀ ସାହୁ....

        - ତାହେଲେ , ତମ ପାଖରେ ଜ୍ୟୋତ୍ସ୍ନା ର ରାଣୀ ଥାଉ ଥାଉ ତମେ ଜହ୍ନର ଜ୍ୟୋତ୍ସ୍ନା ରେ ଭିଜିବାକୁ ଚାହୁଁଛ ? ମୁଁ କଣ ତମକୁ ମୋ ପ୍ରେମରେ ଭିଜେଇ ପାରିବିନି ?


ମୁଁ ଅତୀତରୁ ବାହାରି ଆସି ବର୍ତ୍ତମାନରେ ପାଦ ଦିଏ । ଆଖିରୁ ଅଜାଣତରେ ଦୁଇ ଟୋପା ଲୁହ ଝରି ଯାଏ । ମୁଁ ବୁଲିକି ଚାହିଁଲା ବେଳେ ସାମ୍ନାରେ ତିଥି ଠିଆ ହେଇଥାଏ । ମୁଁ ହଠାତ୍ ତାକୁ ଦେଖି ଟିକେ ଚମକି ପଡେ । ମୁଁ କିଛି କହିବା ଆଗରୁ ସେ କହେ,

        - ଏତେ ରାତିରେ ତମେ ଏଠି କଣ କରୁଛ ?

         - ନାଇଁ... ନିଦ ଲାଗୁ ନଥିଲା ତ, ସେଇଥି ପାଇଁ..।

         - ସରି... ମୁଁ ତମକୁ ବହୁତ କଷ୍ଟ ଦେଇଛି .... ହେଲେ ବିଶ୍ୱାସ କର ତା ଠୁ ବେଶୀ କଷ୍ଟ ମୁଁ ନିଜେ ପାଇଛି । ଥରେ ଭାବିଲ, ତମେ ଯାହା କଲ ମୁଁ ବି ଯଦି ଠିକ୍ ସେମିତି ଆଉ କୋଉ ପୁରୁଷ ସହିତ ସମ୍ପର୍କ ରଖିଥାନ୍ତି ତମକୁ କେମିତି ଲାଗିଥାଆନ୍ତା ? 


ତିଥି ପ୍ରଶ୍ନର ଉତ୍ତର ସେଦିନ ବି ମୋ ପାଖରେ ନଥିଲା ଆଉ ଆଜି ବି ନାହିଁ । ମୁଁ ନୀରବ ହେଇ ତାକୁ ଦେଖୁଥାଏ । ସେ କହୁଥାଏ.....


         - ତମେ ଜହ୍ନର ଜ୍ୟୋତ୍ସ୍ନା ରେ ଭିଜିବାକୁ ବହୁତ୍ ଭଲପାଅ । ହେଲେ ମୁଁ ତମକୁ କହିଥିଲି, ମୁଁ ମୋ ପ୍ରେମର ଜ୍ୟୋତ୍ସ୍ନାରେ ତମକୁ ଭିଜେଇ ତା ଠୁ ଅଧିକ ଖୁସି ଦେଇ ପାରିବି । ତଥାପି ତମେ....

         - ତିଥି ପ୍ଲିଜ୍.... ସେସବୁ ମନେ ପକେଇ ମତେ ଆଉ କଷ୍ଟ ଦିଅନି । 

         - ଶୁଣିଥିଲି ଜଣେ ଭଲ ସ୍ତ୍ରୀ ହେଉଛି ସିଏ, ଯିଏ ନିଜ ସ୍ୱାମୀକୁ ସକାଳେ ଜଣେ ମା ପରି ସେବା କରେ, ଦିନରେ ତାଙ୍କୁ ଭଉଣୀ ପରି ଭଲ ପାଏ ଏବଂ ରାତିରେ ବେଶ୍ୟା ପରି ଖୁସି ଦିଏ । ବୋଧେ ମୁଁ ତମକୁ ସେ ଖୁସି ଦେଇ ପାରିଲିନି....?


ତିଥିର ଆଖି ଲୁହ ଛଳ ଛଳ ହେଇଯାଏ । ମୁଁ ତାକୁ ପାଖକୁ ଟାଣି ଆଣେ । ସେ ମୋ ଛାତିରେ ମୁଣ୍ଡ ରଖି କାନ୍ଦିବାକୁ ଲାଗେ । ମୁଁ ତାକୁ କହେ


          - ଭୁଲ୍ ମୋର ଥିଲା ତିଥି, ତମର ନୁହଁ । ତମ ଭଳି ସ୍ତ୍ରୀ ତ ଭାଗ୍ୟରେ ଥିଲେ ମିଳେ । ଆଇ ଆମ୍ ସରି....


ତିଥି ମତେ ଜୋର୍ ରେ ଜାବୁଡ଼ି ଧରେ । ମୁଁ ବି ତାକୁ ବାହୁ ବନ୍ଧନରେ ଧରି ନେଇ କହେ...


         - ଆଇ ଲଭ୍ ୟୁ.....


ମୁଁ ଦୂର ଆକାଶକୁ ଚାହିଁଥାଏ । ଜହ୍ନ ଧୀରେ ଧୀରେ ଲୁଚି ଯାଏ । ଜ୍ୟୋତ୍ସ୍ନା ରେ ଭିଜିବାର ମଜା ବି କମିଯାଏ । କିନ୍ତୁ ମୁଁ ତଥାପି ଖୁସି ଥାଏ । କାହିଁକି ନା ମୁଁ ଭଲପାଇବାର ଜ୍ୟୋତ୍ସ୍ନାରେ ଭିଜୁଥାଏ । ମୁଁ ତିଥିକୁ ଚାହିଁଲା ବେଳେ ସିଏ ମୋ ଛାତିରେ ଆଖି ବୁଜି ଶୋଇଥାଏ । ମୁଁ ତା ଗାଲରେ ହାତ ରଖୁ ରଖୁ, ସିଏ ମୋ ହାତ ଛାଟି ଦେଇ ସେମିତି ଆଖି ବୁଜି କି ଗୋଟେ ସ୍ମାଇଲ୍ ଦିଏ ଆଉ ଧୀରେ ଧୀରେ କହେ...।


       " Good Night "


Rate this content
Log in

Similar oriya story from Drama