ଜଜ୍-ମେଣ୍ଟ୍
ଜଜ୍-ମେଣ୍ଟ୍
ପେଷାରେ ମୁଁ ଜଣେ ଆଡଭୋକେଟ୍ ,ହେଲେ ଜଜ୍ ହେବାର ଭାରି ଇଚ୍ଛା । କାହିଁକି ନା ଫାଇନାଲ୍ ଜଜ୍-ମେଣ୍ଟ୍ ଶୁଣେଇବାରେ ମତେ ବହୁତ ଖୁସି ମିଳେ । ସେଥିପାଇଁ କୋର୍ଟ କୁ ଛୋଟ ମୋଟ କେସ୍ ନେଇ ଆସୁଥିବା , ବହୁତ ଲୋକଙ୍କ ଜଜ୍-ମେଣ୍ଟ୍ ମୁଁ ବାହାରେ ଶୁଣେଇ ଦିଏ । ଆଉ ହଁ , ସେଥିପାଇଁ ମତେ ମୋଟା ଅଙ୍କର ପଇସା ବି ମିଳେ । ମୋର ଗୋଟେ ପ୍ରେମିକା ବି ଅଛି । ତା ନାଁ ହଉଛି, ବର୍ଷା । ଆଜି ତା ସହିତ ମୁଁ ସିନେମା ଦେଖିବାକୁ ଆସିଥିଲି । ହଲ୍ ରୁ ବାହାରିଲା ବେଳକୁ ସନ୍ଧ୍ୟା ହେଇ ଯାଇଥିଲା । ମୁଁ ତାକୁ ପଚାରୁଥିଲି...
- ସିନେମା କେମିତି ଲାଗିଲା ?
- ଭଲ ଲାଗିଲା ।
- ଆସ ମୁଁ ତମକୁ ନେଇ ତମ ଘରେ ଛାଡ଼ି ଦେବି...
- ନାଇଁ ..ନାଇଁ... ତମେ ଯାଅ, ମୁଁ ଅଟୋରେ ପଳେଇବି...
- ହଉ ଠିକ୍ ଅଛି ।
ମୁଁ ବାଇକ୍ ଷ୍ଟାର୍ଟ କରି ଯିବାକୁ ବାହାରିଲା ବେଳେ ବର୍ଷା ମୋ କାନ୍ଧରେ ହାତ ପକାଏ । ମୁଁ ଷ୍ଟାର୍ଟ ବନ୍ଦ କରି ଓହ୍ଲାଏ ଆଉ ପଚାରେ
- ପୁଣି କଣ ହେଲା ?
- ନାଇଁ ..କଥା କଣ କି , ମୋର 5000 ଟଙ୍କା ଦରକାର ଥିଲା ।
- ଏଇ ଦୁଇଦିନ ତଳେ ପରା ମୋ ଠୁ 10000 ନେଇଥିଲ !
- ହଁ ଯେ...ଏବେ ପୁଣି ଟିକେ ଦରକାର ଅଛି ।
- ହଉ ଠିକ୍ ଅଛି । କାଲି ନେଇଯିବ....
- (ଖୁସିରେ) ସତରେ.... ଓ ବେବି , You are So Sweet.... I Love You....
ବର୍ଷା ଏତିକି କହି ମତେ ଭିଡି ଧରେ ଆଉ ଗାଲରେ ଗୋଟେ କିସ୍ କରେ । ମୁଁ ଚୁପ୍ ଚାପ୍ ହେଇ ତାକୁ ଦେଖୁଥାଏ । ସିଏ ମତେ କହେ..
- ମୁଁ ଆସୁଛି ବେବି.... କାଲି ମୁଁ ତମକୁ ଫୋନ୍ କରିବି ।
ବର୍ଷା ଚାଲିଯାଏ । ଆଉ ମୁଁ ବି ଗାଡି ଷ୍ଟାର୍ଟ କରି ଘରକୁ ବାହାରେ । ଆସିବା ବାଟରେ ଭାବୁଥାଏ...
" ଏ ବର୍ଷା ସତରେ ମତେ ଲଭ୍ କରୁଛି ନା ମୋ ପାଖରୁ ଟଙ୍କା ନବା ପାଇଁ ଲଭ୍ ର ବାହାନା କରୁଛି ? କାଲି ଟଙ୍କା ଦେଲା ବେଳେ ତାକୁ ବାହାଘର କଥା କହିବି । ସେତେବେଳେ ସବୁ ସତ କଥା ଜଣା ପଡିଯିବ । "
ଏମିତି ଭାବୁ ଭାବୁ ହଠାତ୍ ମୋ ଗାଡି ସାମ୍ନାକୁ ଗୋଟେ ବଡ଼ ଟ୍ରକ୍ ଚାଲି ଆସେ ଆଉ ମତେ ଜୋର୍ ରେ ଧକ୍କା ଦିଏ । ତାପରେ ଯେତେବେଳେ ମୁଁ ଆଖି ଖୋଲେ......
ଯେତେବେଳେ ମୁଁ ଆଖି ଖୋଲେ ମତେ ଏମିତି ଲାଗେ ଯେମିତି ମୁଁ ଗୋଟେ ଯାତ୍ରା ପାର୍ଟି କୁ ଚାଲି ଆସିଛି । ମୋ ଚାରିପଟେ ଥିବା ସବୁ ଲୋକ ନିଜକୁ ଏମିତି ସଜେଇ ଥାଆନ୍ତି, ଯେମିତି କି ସେମାନେ ଏବେ କୌଣସି ରଙ୍ଗମଞ୍ଚରେ ରାମାୟଣ କିମ୍ବା ମହାଭାରତର ଅଭିନୟ କରିବେ । ପାଖରେ ଥିବା ଗୋଟେ ଲୋକଙ୍କୁ ମୁଁ ପଚାରେ
- ଭାଇ ...ଟିକେ ଶୁଣିବ....ଏଇଟା କୋଉ ଜାଗା ? ଲାଗୁଛି ଏଠି କିଛି ପୌରାଣିକ ନାଟକ ହବ ବୋଧେ ।
ଏତିକି କହୁ କହୁ ଦୂରରୁ କେହି ଜଣେ କହେ....
- ହେ ମୂର୍ଖ ମାନବ, ତୁ ଯମପୁରରେ ଅଛୁ । ଆଉ ମୁଁ ହଉଛି ଯମରାଜ..
ମୁଁ ସେପଟକୁ ଚାହେଁ । ଯମର ବେଶ ପୋଷାକରେ ଜଣେ ଠିଆ ହେଇଥାଏ । ମୁଁ ଖୁସି ହେଇ ତାଙ୍କ ଆଡ଼କୁ ଯାଏ ଆଉ କହେ,
- ବାଃ.. ବାଃ.... ବାଃ...କଣ ଡାଇଲଗ୍ ମାରିଲେ ମ ସାର୍ ମାନିଗଲି ଆପଣଙ୍କୁ । ଆଛା, ଆପଣଙ୍କ ନାଁ ଟା ..?
- (ହସେ) ଏ ମୂର୍ଖ ମାନବ, ଯମରାଜକୁ ନାଁ ପଚାରୁଛି....(ପୁଣି ହସେ)
- ଆପଣ ଯମ..?(ମୁଁ ବି ହସେ) ଦେଖନ୍ତୁ ମଜାକ୍ ବନ୍ଦ କରନ୍ତୁ । ମତେ ଶୀଘ୍ର କୋର୍ଟକୁ ଯିବାର ଅଛି ।
- କୋର୍ଟ....? (ହସେ) ...ଆରେ ମୂର୍ଖ ମାନବ...ଯମପୁର ତ ସବୁଠାରୁ ବଡ଼ କୋର୍ଟ । ତୁ ପୁଣି କୋଉ କୋର୍ଟ କୁ ଯିବାକୁ ଚାହୁଁଛୁ ..?
- ଦେଖନ୍ତୁ ମୋର ଯମପୁରକୁ ଆସିବାର ବୟସ ଏଯାଏ ହେଇନି । ଆଉ ତାପରେ ବି ମଣିଷ ମଲା ପରେ ଯାଇ ଯମପୁରକୁ ଆସେ । ଆଉ ମୁଁ ବଞ୍ଚି ଥାଉ ଥାଉ ଏଠିକି କେମିତି ଆସିବି ?
- ଆରେ ମୂର୍ଖ ତୁ ମରି ସାରିଛୁ ...
- କଣ...?
- କାଲି ରାତିରେ ତତେ ଗୋଟେ ଟ୍ରକ୍ ଧକ୍କା ଦେବା ପରେ ତୁ ସିଧା ଯମପୁରକୁ ଟିକେଟ୍ କାଟିଲୁ ।
- ଏଁ ....ନାଇଁ ...ନାଇଁ..ନାଇଁ.. ଏମିତି କେବେ ହେଇ ପାରିବନି, ମୁଁ ଏତେ ଜଲ୍ଦି ମରି ପାରିବିନି । ଯମ ବାବୁ ମତେ ଦୟା କରନ୍ତୁ.... ମତେ ପୁଣି ଥରେ ପୃଥିବୀ ପୃଷ୍ଠକୁ ପଠେଇ ଦିଅନ୍ତୁ ।
- (ହସେ) ଏ ଯମପୁର କୁ ଯିଏ ଥରେ ଆସେ, ସିଏ ପୁଣି ଥରେ ପୃଥିବୀ ପୃଷ୍ଠକୁ ଯିବା ଅସମ୍ଭବ !
- ଯମବାବୁ ଆପଣ ବୁଝୁ ନାହାନ୍ତି କାହିଁକି ? ମୁଁ ଏଯାଏ ବାହା ହେଇନି । ମୋର ବି କିଛି ଇଛା ଅଛି କି ନାଇଁ...
- ତୋର କଣ ଇଛା ଅଛି ମାନବ ?
- ଆରେ ମୁଁ ଗୋଟେ ଝିଅକୁ ଭଲ ପାଉଥିଲି । ତାକୁ ବାହା ହେଇଥାନ୍ତି । ଆମର ପିଲା ଛୁଆ ହେଇଥାନ୍ତେ । ଏମିତି ଅନେକ ଇଛା ଅଛି ...ଆଉ ତାପରେ ବି ସିଏ କାଲି ମତେ 5000 ଟଙ୍କା ମାଗିଥିଲା । ମତେ ଆଜି ତାକୁ ଦବାର ଅଛି । ମୁଁ ଏବେ ଚାଲିଲି ।
- ରହ ମାନବ ତୁ ଏଠୁ ଯୁଆଡେ ଗଲେ ବି ଶେଷରେ ଏଇଠି ଆସି ପହଞ୍ଚିବୁ ।
- (ମିଛରେ କାନ୍ଦେ) କାହିଁକି ଏମିତି କରୁଛନ୍ତି ଆପଣ ? ମୋ କଥା ନହେଲେ ନାଇଁ, ବିଚାରି ସେ ଝିଅ କଥା ଟିକେ ଭାବନ୍ତୁ । ମୋ ବିନା ସେ ଝିଅ ଟି ଏବେ ପୁରା ବେସାହାରା ହେଇଯିବ ।
- ତାକୁ ସାହାରା ଦବା ପାଇଁ ଲୋକ ଅଛନ୍ତି । ତୁ ଯିବା ଦରକାର ନାହିଁ...।
- ନାଇଁ ଯମ ବାବୁ ତାର କେହି ବି ନାହାନ୍ତି ।
- ମୂର୍ଖ ମାନବ... ଏଇ ଦେଖ୍...
ତାଙ୍କର ଦିବ୍ୟ ଶକ୍ତି ବଳରେ ସିଏ ମତେ ପୃଥିବୀ ପୃଷ୍ଠର ଦୃଶ୍ୟ ଦେଖାନ୍ତି । ମୁଁ ଦେଖେ, ବର୍ଷା ଆଉ ଗୋଟେ ପିଲାକୁ ହଗ୍ କରି ତାକୁ ବି କିସ୍ ଦିଏ । ମୁଁ ମୁଣ୍ଡରେ ହାତ ଦେଇ କହେ ।
- ହେ ଭଗବାନ୍....ଇଏ ମୁଁ କଣ ଦେଖୁଛି, ବର୍ଷା ତୁ ମରିବୁ ଲୋ...ମତେ ଯେମିତି ପ୍ରେମରେ ଧକ୍କା ଦେଇଛୁ ତତେ ବି ସେମିତି କୋଉ ଗାଡି ଆସି ଧକ୍କା ଦେଇ ଦେଉ ।
- ଚୁପ୍ ରହ.... ଦେଖିଲୁ ତ.. ଯାହା ପାଇଁ ପୃଥିବୀ ଯିବୁ କହୁଥିଲୁ , ସିଏ ଆଉ କାହା ସହ କେମିତି ରାସଲୀଳା କରୁଛି ।
- ଯମବାବୁ... ମୋର ଆଉ ଗୋଟେ ବଡ ଇଛା ଅଛି । ମୁଁ ପେଷାରେ ସିନା ଗୋଟେ ଆଡ୍-ଭୋକେଟ୍ ହେଲେ ଜଜ୍ ହେଇ ଜଜ୍-ମେଣ୍ଟ୍ ଦେବାକୁ ମୋର ଭାରି ଇଚ୍ଛା । ମତେ ଯଦି ଆପଣ ପୃଥିବୀ ଲୋକଙ୍କୁ ପଠାନ୍ତେ, ତାହେଲେ ମୋ ଶେଷ ଇଛାଟା ପୂରଣ ହେଇ ଯାଆନ୍ତା ।
- ମାନବ, ତୁ ପୃଥିବୀ ପୃଷ୍ଠରେ କେତେ ଲୋକଙ୍କ ଠୁ ଲାଞ୍ଚ ନେଇ ଭୁଲ୍ ଭାଲ୍ ନିଷ୍ପତି ଶୁଣେଇଛୁ, ମୁଁ କଣ ଜାଣିନି ? ତୁ ଆଜିଯାଏ ଗୋଟେ ଭଲ ଆଡ୍-ଭୋକେଟ୍ ହେଇ ପାରିନୁ, ଜଜ୍ କଣ ହବୁ..?
- ଯମ ବାବୁ ପ୍ଲିଜ୍... ପ୍ଲିଜ୍ ଗୋଟେ ଚାନ୍ସ୍ ମତେ ଦିଅନ୍ତୁ, ଥରେ ଖାଲି ପୃଥିବୀ ପୃଷ୍ଠକୁ ପଠେଇ ଦିଅନ୍ତୁ... ମୋ ଶେଷ ପୂରଣ ହେଇଯାଉ ଆଉ ମୋ ଆତ୍ମା ଶାନ୍ତି ପାଇଯାଉ ।
- ଠିକ୍ ଅଛି ମାନବ ମୁଁ ତତେ ପୃଥିବୀ ପୃଷ୍ଠକୁ ଛାଡ଼ିବି । ହେଲେ ଗୋଟେ ସର୍ତ୍ତରେ.....
- କି ସର୍ତ୍ତ ଯମ ବାବୁ..?
- ତୁ ଜଜ୍ ହବାକୁ ଯୋଗ୍ୟ କି ନୁହଁ ମୁଁ ତାର ଗୋଟେ ପରୀକ୍ଷା କରିବି । ଯଦି ତୁ ଠିକ୍ ଜଜ୍-ମେଣ୍ଟ୍ ଦେଇ ଦେଲୁ ତାହେଲେ ମୁଁ ତତେ ତୋ ଶେଷ ଇଛା ପୂରଣ କରିବାକୁ ପୁଣି ଥରେ ପୃଥିବୀ ପୃଷ୍ଠକୁ ପଠେଇ ଦେବି ।
- ଆପଣଙ୍କ ସର୍ତ୍ତରେ ମୁଁ ରାଜି ।
- (ଚିତ୍ରଗୁପ୍ତ କୁ) ଚିତ୍ରଗୁପ୍ତ କାଲି ରାତିରେ ଇଂଲଣ୍ଡ ରେ ଯୋଉ ଦୁଇଜଣ ଆଡ୍-ଭୋକେଟ୍ ଙ୍କ ମୃତ୍ୟ ହେଇଛି ତାଙ୍କୁ ଏଠିକି ଡକାଅ ।
- କଣ ହେଲା...? ଇଂଲଣ୍ଡ ଆଡ୍-ଭୋକେଟ୍ ? ସେମାନେ ଏଠି କଣ କରୁଛନ୍ତି ? ଇଂଲଣ୍ଡ ରେ ଯମପୁର ନାହିଁ କି ?
- ଆରେ ମୂର୍ଖ ଯିଏ ଯୋଉଠି ମଲେ ବି ସମସ୍ତଙ୍କ ପାଇଁ ଯମପୁର ହଉଛି ଗୋଟେ । ଶୁଣ୍, ସେମାନେ ଦୁଇଜଣ ବି ତୋ ଭଳି ଆଡ୍-ଭୋକେଟ୍ । ତାଙ୍କର ବି ଶେଷ ଇଛା ଏଯାଏ ପୂରଣ ହେଇନି । ସେମାନେ ଗୋଟେ କେସ୍ ରେ ପରସ୍ପର ର ବିରୋଧୀ ହେଇ ଲଢୁଥିଲେ । ହେଲେ କେସ୍ ର ଶେଷ ଶୁଣାଣି ହେବା ଆଗରୁ ଏଇ ଦୁଇଜଣଙ୍କ ମୃତ୍ୟୁ ହେଇଗଲା । ଏବେ ତାଙ୍କର ଶେଷ ଇଛା ହଉଛି କେସ୍ ର ଶୁଣାଣି । ତୁ ଯଦି ଜଜ୍ ହେଇ ତାଙ୍କ କେସ୍ ର ସଠିକ୍ ଜଜ୍-ମେଣ୍ଟ୍ କରିଦବୁ ତାହେଲେ ମୁଁ ତତେ ପୁଣି ଥରେ ପୃଥିବୀ ପୃଷ୍ଠକୁ ପଠେଇ ଦେବି ।
- ଆରେ ଯମବାବୁ, ଭାବି ନିଅନ୍ତୁ ତାଙ୍କର ଶେଷ ଇଛା ପୂରଣ ହେଇଗଲା । ମୁଁ ପୁରା ଜବରଦସ୍ତ୍ ଜଜ୍-ମେଣ୍ଟ୍ ଦେବି ଆଉ ପୃଥିବୀ ପୃଷ୍ଠକୁ ଫେରିବି ।
- ଆଛା ମାନବ, ସେମାନେ ହେଲେ ଇଂଲଣ୍ଡ ର ଲୋକ ତୁ ଇଂରାଜୀ କହି ପାରିବୁ ତ ?
- ଇଏସ୍...ଆଇ...ଇଂଲିଶ୍..କ୍ୟାନ୍...ଟେଲ୍.... ଭେରୀ.... ବଢିଆ ସେ.... ମାନେ... ଗୁଡ଼୍ ..ଇନ୍...
- ଥାଉ ମୁଁ ବୁଝିଗଲି ଏବେ ମୁଁ ମୋ ଶକ୍ତି ବଳରେ ତତେ ଇଂରାଜୀ ଶିଖେଇ ଦେବି । ତାପରେ ତୁ ପୁରା କଡା ଇଂଲିଶ୍ କହିବୁ ।
- ଯମ ବାବୁ...ପ୍ରକୃତରେ ମୁଁ ନିଜକୁ ଓଡ଼ିଆ ବୋଲି ଗର୍ବ କରେ । ସେଥିପାଇଁ ମୁଁ ଓଡ଼ିଆରେ ଜଜ୍-ମେଣ୍ଟ୍ ଶୁଣେଇବି । ଆପଣ ସେଇ ଦୁଇଜଣଙ୍କୁ ଓଡ଼ିଆ ଶିଖେଇ ଦିଅନ୍ତୁ ।
- ଠିକ୍ ଅଛି , ମାନବ...
କିଛି ସମୟ ପରେ ଇଂଲଣ୍ଡର ସେଇ ଦୁଇଜଣ ଆଡ୍-ଭୋକେଟ୍ ସେଠିକି ଆସନ୍ତି । ଜଣଙ୍କର ବୟସ ପାଖାପାଖି 50 ବେଳକୁ ଅନ୍ୟ ଜଣଙ୍କର ବୟସ ପାଖାପାଖି 30 ଲାଗୁଥିଲା । ମୁଁ କହେ...
- ଆଡ୍-ଭୋକେଟ୍ ମହାଶୟ କେସ୍ ଆରମ୍ଭ କରାଯାଉ ।
ପାଖାପାଖି 50 ବର୍ଷ ବୟସର ଲୋକଟି କହେ।
- ମିଲଡ୍....ମୋ ନାଁ ହଉଛି ହେରି । ଆଜିକୁ 7-8 ବର୍ଷ ତଳର କଥା । ସେତେବେଳେ ମୁଁ ଇଂଲଣ୍ଡର ଜଣେ ନାମୀ ଦାମୀ ଆଡ୍-ଭୋକେଟ୍ ଥିଲି । ମୋ ସାମ୍ନାରେ ଠିଆ ହେଇଥିବା ଏଇ ଲୋକ, ଯାହାର ନାଁ ହଉଛି ଡେଭିଡ୍, ସିଏ ଦିନେ ମୋ ପାଖକୁ ଆସିଲା ଆଉ ମୋ ଠାରୁ ଶିକ୍ଷା ଲାଭ କରି ଆଡ୍-ଭୋକେଟ୍ ହେବାକୁ ଚାହୁଁଛି ବୋଲି କହିଲା । ମୁଁ ତାକୁ ଟଙ୍କା କଥା କହିବାରୁ, ତା ପାଖରେ ଜମା ବି ଟଙ୍କା ନାହିଁ ବୋଲି କହିଲା । ସେଥିପାଇଁ ମୁଁ ତାକୁ ଶିକ୍ଷା ଦେଇ ପାରିବିନି ବୋଲି ସିଧା ସିଧା ମନା କରିଦେଲି । ହେଲେ ସେତେବେଳେ ସିଏ ମୋ ଗୋଡ଼ ଧରି ଅନୁରୋଧ କରି କହିଲା ଯେ, ଆପଣ ମତେ ଯେମିତି ହେଲେ ଶିକ୍ଷା ଦାନ କରନ୍ତୁ । ମୁଁ ଆପଣଙ୍କ ପାଖରୁ ଶିକ୍ଷା ନେଉଥିବା ଯାଏ ଦକ୍ଷିଣା ଭାବରେ ଆପଣଙ୍କର ଯେତିକି ବି ଟଙ୍କା ହବ ସେସବୁ ମୁଁ ସେଇଦିନ ଦେବି, ଯୋଉଦିନ ମୁଁ ଆଡ୍-ଭୋକେଟ୍ ଭାବରେ ପ୍ରଥମ କେସ୍ ଜିତିବି । ତାର ଏଭଳି ସର୍ତ୍ତରେ ମୁଁ ରାଜି ହେଇ ତାକୁ ଶିକ୍ଷା ଦାନ କଲି । ହେଲେ ସିଏ ତିନି ବର୍ଷ ହେଲାଣି ଆଡ୍-ଭୋକେଟ୍ ହେଲା ପରେ ବି ମତେ ମୋ ଦକ୍ଷିଣା ଦଉନି ।
ମୁଁ ନିଜ ମୁଣ୍ଡକୁ କୁଣ୍ଡେଇ କୁଣ୍ଡେଇ କହେ...
- କଣ ଡେଭିଡ୍ ବାବୁ, ତମେ ହେରି ବାବୁଙ୍କ ଦକ୍ଷିଣା ଏଯାଏ ଦଉନ କାହିଁକି ?
- ମିଲଡ୍, ସର୍ତ୍ତ ଅନୁସାରେ ମୁଁ ଯୋଉଦିନ ମୋ ପ୍ରଥମ କେସ୍ ଜିତିବି, ସେଇଦିନ ତାଙ୍କୁ ତାଙ୍କର ଦକ୍ଷିଣା ଦେବି ବୋଲି କହିଥିଲି । ହେଲେ ମୁଁ ତ ଏଯାଏ ଗୋଟେ ବି କେସ୍ ଜିତି ନାହିଁ ।
- ଠିକ୍ କଥା... ପୁରା ଠିକ୍ କଥା କଣ ହେରି ବାବୁ, ସିଏ ତ କହିଥିଲେ କେସ୍ ଜିତିଲେ ଦେବେ । କେସ୍ ଜିତନ୍ତୁ ଦେଇଦେବେ ।
- ଆଜ୍ଞା... ସିଏ ତିନି ବର୍ଷ ହେଲାଣି ଆଡ୍-ଭୋକେଟ୍ ହେଇ ସାରଲାଣି । ଆଜିଯାଏ ଅନେକ କେସ୍ ବି ଲଢ଼ି ସାରିଲାଣି । ସିଏ ଯଦି ଜୀବନ ସାରା ଏମିତି କେସ୍ ଲଢ଼ୁଥିବ ଆଉ ଗୋଟେ ବି କେସ୍ ଜିତି ପାରୁ ନଥିବ ତାହେଲେ କଣ ମୁଁ ଆଉ ମୋ ଟଙ୍କା ପାଇବିନି ?
- ଠିକ୍ କଥା... ପୁରା ଠିକ୍ କଥା... ତମକୁ ତମ ପରିଶ୍ରମର ଫଳ ମିଳିବା ଉଚିତ୍ ।
ଏଇ ସମୟରେ ଯମରାଜ ମତେ କହନ୍ତି...
- ମାନବ, ତୁ ଦୁଇଜଣ ଯାକଙ୍କ କଥାକୁ ଠିକ୍ ବୋଲି କହୁଛୁ । ଇଏ କେମିତିକା ଶୁଣାଣି ? କେସ୍ ଚାଲିଛି ମାନେ ଜଣେ ଜିତିବ ଆଉ ଜଣେ ହାରିବ । ତୋର ଶେଷ ଶୁଣାଣି ରେ ମତେ ଖାଲି ଏତିକି କହ ଯେ, ଏ କେସ୍ କିଏ ଜିତିଲା ? ଆଉ ଡେଭିଡ୍ , ହେରି କୁ ଟଙ୍କା ଦବ କି ନାହିଁ ?
- ଯମବାବୁ, ସବୁ ଠିକ୍ ଯେ ହେଲେ ଏମାନଙ୍କର ଓକିଲ କିଏ ?
- ସେମାନେ ନିଜେ ସେମାନଙ୍କର ଓକିଲ । ସେମାନେ ନିଜ ପାଇଁ ନିଜେ କେସ୍ ଲଢ଼ିବେ ।
- ଠିକ୍ ଅଛି ତାହେଲେ, ମୁଁ ଏବେ ଆପଣଙ୍କୁ ଜଜ୍-ମେଣ୍ଟ୍ ଶୁଣୋଉଛି । ଆପଣ ମତେ ପୃଥିବୀ ପୃଷ୍ଠକୁ ପଠେଇବାର ବ୍ୟବସ୍ଥା ଆରମ୍ଭ କରନ୍ତୁ ।
ମୁଁ ଡେଭିଡ୍ ପାଖକୁ ଯାଇ ତା କାନ ପାଖେ କହେ..
- ଯଦି ଆପଣ କେସ୍ ଜିତିବାକୁ ଚାହୁଁଛନ୍ତି ତାହେଲେ କିଛି ଟଙ୍କା ଦେବାକୁ ପଡିବ । କେତେ ଟଙ୍କା ଦେଇ ପାରିବେ...?
- ଆରେ ମୋ ପାଖରେ ଯଦି ଟଙ୍କା ଥାଆନ୍ତା ତାହେଲେ ତ ମୁଁ ହେରି କୁ ତା ଦକ୍ଷିଣା ଦେଇ ଦିଅନ୍ତି ।
- ଠିକ୍ କଥା... ଠିକ୍ କଥା...
ମୁଁ ସାଙ୍ଗେ ସାଙ୍ଗେ ହେରି ପାଖକୁ ଦୌଡ଼ି ଯାଇ ତା କାନ ପାଖରେ କହେ... ।
- ଦେଖନ୍ତୁ ସର୍ତ୍ତ ଅନୁସାରେ ସିଏ ଟିକେ ଷ୍ଟ୍ରଙ୍ଗ୍ ଜଣା ପଡୁଛି । ଆପଣ ଯଦି କେସ୍ ଜିତିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ମତେ କିଛି ଟଙ୍କା ଦେବାକୁ ପଡିବ । କେତେ ଟଙ୍କା ଅଛି ବାହାର କରନ୍ତୁ ।
- ଆରେ ମୋ ପାଖରେ ଯଦି ଟଙ୍କା ଥାଆନ୍ତା ତାହେଲେ ମୁଁ ତା ଠୁ ମୋ ଦକ୍ଷିଣା ଟଙ୍କା ନେବାକୁ କେସ୍ କାହିଁକି କରିଥାନ୍ତି ?
- ଠିକ୍ କଥା ...ଠିକ୍ କଥା...
ଏଇ ସମୟରେ ଯମରାଜ କହନ୍ତି,
- ମୂର୍ଖ ମାନବ ..ଟଙ୍କା ନେଇ ଜଜ୍-ମେଣ୍ଟ୍ ଶୁଣେଇବାକୁ ଚାହୁଁଛୁ ? ତତେ ବିନା ଲାଞ୍ଚରେ ନ୍ୟାୟ ଦେବାକୁ ପଡିବ । ଶୀଘ୍ର ଶୁଣାଣି ଶୁଣା..
ମୁଁ କିଛି ସମୟ ଭାବିବାକୁ ଲାଗେ । ଥରେ ଡେଭିଡ୍ କୁ ଆଉ ଥରେ ହେରିକୁ ଦେଖୁଥାଏ । ମନେ ମନେ ଭାବେ, ଦିଟା ଯାକ ଭିକାରୀ । କାହା ପାଖରେ ଟଙ୍କା ଟେ ବି ନାହିଁ । ହେରି ତ ବୁଢା ହେଲାଣି । ତାକୁ ସପୋର୍ଟ କରି ଲାଭ କଣ ? ଡେଭିଡ୍ କୁ ଜିତେଇ ଦବା । ଏମିତି ଭାବି ମୁଁ କହେ..
- ଏ କେସ୍ ଡେଭିଡ୍ ଜିତିଲା । ତେଣୁ ସିଏ ହେରି କୁ ଦକ୍ଷିଣା ଟଙ୍କା ଦବା ଦରକାର ନାହିଁ ।
ମୋ କଥା ଶୁଣି ହେରି କହେ...
- ସିଏ ମୋ ଦକ୍ଷିଣା ଟଙ୍କା ଅଲ୍-ବତ୍ ଦବ । କାହିଁକି ନା ସିଏ ସର୍ତ୍ତ ରଖିଥିଲା ଯେ, ସିଏ ତାର ପ୍ରଥମ କେସ୍ ଜିତିଲେ ମତେ ମୋର ସବୁ ଟଙ୍କା ଦେଇଦେବ । ଆଜି ସିଏ ତାର ପ୍ରଥମ କେସ୍ ଜିତିଛି ମାନେ , ମତେ ନିଶ୍ଚୟ ଟଙ୍କା ଦବ ।
ମୁଁ ମନେ ମନେ ଭାବେ, ' ଆରେ ବାପ୍ ରେ ଏମିତି କଣ ଫସିଗଲି...? ନା ...ନା... ମତେ ହେରି କୁ ଏ କେସ୍ ଜିତେଇବାକୁ ପଡିବ । ' ଏମିତି ଭାବିକି ମୁଁ କହେ...
- ଶୁଣ ସମସ୍ତେ, ଏ କେସ୍ ଡେଭିଡ୍ ନୁହଁ... ହେରି ଜିତିଲା । ତାମାନେ ଡେଭିଡ୍ , ହେରିକୁ ଦକ୍ଷିଣା ଟଙ୍କା ଦବ ।
ମୋ କଥା ଶୁଣି ଡେଭିଡ୍ କହେ
- ବିଲ୍-କୁଲ ନୁହଁ.... ଶୁଣାଣି ହେଲା ଯେ, ଏ କେସ୍ ହେରି ଜିତିଲା । ତାମାନେ ମୁଁ ଏଯାଏ ଗୋଟେ ବି କେସ୍ ଜିତିନି। ହେଲେ ସର୍ତ୍ତ ଅନୁସାରେ ମୁଁ ମୋର ପ୍ରଥମ କେସ୍ ଜିତିଲେ ହିଁ ହେରିକୁ ଦକ୍ଷିଣା ଟଙ୍କା ଦେବି ବୋଲି କହିଥିଲି । ତେଣୁ ଟଙ୍କା ଦବାର ପ୍ରଶ୍ନ ହିଁ ଉଠୁନି ।
ମୁଁ ମନେ ମନେ ଭାବେ, ' ଏଁ ...ପୁଣି କଣ ଫସିଗଲି ? ଏବେ ଏ କେସ୍ ମୁଁ କାହାକୁ ଜିତେଇବି ? '
ଯମରାଜ କହନ୍ତି..
- କଣ ହେଲା ମାନବ ? ଜଜ୍-ମେଣ୍ଟ୍ ଶୁଣେଇବାକୁ ଆଉ କେତେ ସମୟ ଲାଗିବ ?
- ଟିକେ ...ଟିକେ... ରୁହନ୍ତୁ ଯମବାବୁ...
ମୁଁ ଡେଭିଡ୍ କୁ ଦେଖି କହେ...
- ଡେଭିଡ୍ ବାବୁ, ତମେ ଏ କେସ୍ ଜିତିବାକୁ ଚାହୁଁଛ ନା ହାରିବାକୁ ?
- ମୁଁ ଜିତେ କି ହାରେ ମତେ କିଛି ଫରକ ପଡ଼ିବନି ।
- କାହିଁକି ?
- କାହିଁକି ନା... ପ୍ରଥମ କଥା ଯଦି ଏ କେସ୍ ଟା ମୋ ସପକ୍ଷରେ ଯାଏ ଆଉ ମୁଁ ଜିତେ ତାହେଲେ ହେରି କୁ ତା ଦକ୍ଷିଣା ଟଙ୍କା ଦେବିନି । ଆଉ ଦ୍ଵିତୀୟରେ ଆମର ସର୍ତ୍ତ ଥିଲା ଯେ, ମୁଁ ପ୍ରଥମ କେସ୍ ଜିତିଲା ପରେ ଯାଇ ଟଙ୍କା ଦେବି । ଯଦି ଆଜି କେସ୍ ହାରେ, ତାହେଲେ ମୁଁ ଏଯାଏ ଗୋଟେ ବି କେସ୍ ଜିତିନି, ଟଙ୍କା କେମିତି ଦେବି ? ତେଣୁ ମୁଁ ତାକୁ ଟଙ୍କା ନଦେବା ଟା ଫାଇନାଲ୍ ।
ଏତିକି କଥା ସରୁ ସରୁ ହେରି କହେ...
- ତୁ ମତେ ଟଙ୍କା ଦବା ଟା ଫାଇନାଲ୍ । କାହିଁକି ନା, ପ୍ରଥମ କଥା ଯଦି ଏ କେସ୍ ଟା ମୋ ସପକ୍ଷରେ ଯାଏ, ଆଉ ମୁଁ ଜିତେ ତାହେଲେ ତୁ ମତେ ମୋ ଦକ୍ଷିଣା ଟଙ୍କା ଦବୁ । ଆଉ ଦ୍ଵିତୀୟରେ ଆମର ସର୍ତ୍ତ ଥିଲା ଯେ, ତୁ ପ୍ରଥମ କେସ୍ ଜିତିଲା ପରେ ସବୁ ଟଙ୍କା ଦେବୁ । ଯଦି ଏ କେସ୍ ମୁଁ ହାରେ , ତାହେଲେ ତୁ ଆଜି ତୋର ପ୍ରଥମ କେସ୍ ଜିତିଯିବୁ ଆଉ ମତେ ନିଶ୍ଚୟ ଟଙ୍କା ଦବୁ ।
- ଦେବିନି...
- ଦବୁ...
- କହିଲି ପରା ଦେବିନି...
- କହିଲି ପରା ଦବୁ...
ତାଙ୍କ ଦୁଇଜଣଙ୍କୁ ଦେଖି ମୁଁ ବେହୋସ ହେଇଯାଏ । ଯମରାଜ ମୋ ପାଖକୁ ଆସି କହନ୍ତି...
- ମାନବ.... ଜଜ୍-ମେଣ୍ଟ୍ ଶୁଣାଅ ମାନବ... କିଏ ଏ କେସ୍ ଜିତିଲା ? ଡେଭିଡ୍ ହେରିକୁ ପଇସା ଦବ କି ନାଇଁ...?
ମୁଁ ବେହୋସ ହେଇ ପଡିଥାଏ । ଯମରାଜ ହସି ହସି କହନ୍ତି...
- ଯିଏ ସମସ୍ତଙ୍କୁ ଜଜ୍-ମେଣ୍ଟ୍ ଶୁଣାଏ ତୁ ତାକୁ ଜଜ୍-ମେଣ୍ଟ୍ ଶୁଣେଇ ବୋକା ବନେଇବୁ ଭାବିଥିଲୁ । ଏବେ ତତେ ମୁଁ ମୋର ଜଜ୍-ମେଣ୍ଟ୍ ମୁଁ ଶୁଣୋଉଛି । ତୁ କରିଥିବା କର୍ମ ପାଇଁ ତତେ ଏବେ ଗରମ ତେଲ କଡେଇ ରେ ଛଣା ଯିବ ।
- (ଜୋର୍ ରେ ଚିତ୍କାର କରି) ନାଇଁ..
ମୁଁ ଦୌଡ଼ିବାକୁ ଲାଗେ । ଯମରାଜ ହସି ହସି ମୋ ପଛରେ ଗୋଡେଇ ଥାନ୍ତି।