STORYMIRROR

Brajakishor Bidyadhar

Drama Others

4  

Brajakishor Bidyadhar

Drama Others

ଅଜବ୍ ଯୁଗର ଗଜବ୍ ଲଭ୍

ଅଜବ୍ ଯୁଗର ଗଜବ୍ ଲଭ୍

12 mins
391

ଲୋକମାନେ ଆତ୍ମହତ୍ୟା କରିବାକୁ ଚାହାଁନ୍ତି , ଏଥିପାଇଁ ନୁହଁ ଯେ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ଚାହାଁନ୍ତି ବରଂ ଏଥିପାଇଁ ଯେ ସେମାନେ ନିଜ କଷ୍ଟକୁ ଶେଷ କରିଦେବାକୁ ଚାହାଁନ୍ତି । 

              ଥରେ ଇନ୍ଦ୍ର ଆଉ ନାରଦ ପରସ୍ପର ସହ କଥା ହେଉଥିଲେ । ସେମାନଙ୍କ କଥାବାର୍ତ୍ତା ଭିତରେ ପ୍ରେମ ଆଉ ଭଲପାଇବାର କଥା ପଡିଲା । ଆଉ ତାପରେ ସେମାନେ ପୃଥିବୀ ପୃଷ୍ଠ କୁ ଆସିବା ପାଇଁ ଚାହିଁଲେ । ପୃଥିବୀର ଲୋକମାନେ ପ୍ରେମ କୁ କେଉଁ ଦୃଷ୍ଟିରେ ଦେଖନ୍ତି , ତାକୁ ଜାଣିବା ପାଇଁ ଚାହିଁଲେ । ଆଉ ତାପରେ ସେମାନେ ଆସି ପହଞ୍ଚି ଗଲେ ପୃଥିବୀ ପୃଷ୍ଠରେ ....

              


 ଶୁଭଶ୍ରୀ ମୋ ପାଖରୁ ତା ସାଙ୍ଗ ମାନଙ୍କ ପାଖକୁ ଫେରି ଯାଉଥାଏ । ମୁଁ ତାକୁ ପଛରୁ କହୁଥାଏ.....


              - ଶୁଭ, ଆଇ ଲଭ୍ ୟୁ ।

              - (ମୋ ଆଡ଼କୁ ବୁଲି ପଡି) ମୋତେ କିଛି ଶୁଭୁନି ।

              - ଆଇ ଲଭ୍ ୟୁ ।

              - କଣ କହୁଛ ? କିଛି ଶୁଭୁନି । ଜୋର୍ ରେ କୁହ ।


ମୁଁ ଜାଣିଥିଲି, ସେ ସବୁ ଶୁଣି ପାରୁଛି । ଜାଣିଶୁଣି ସେ ଏମିତି ଅଭିନୟ କରୁଛି । ମୁଁ ଆଉ କିଛି ନକହି ଟିକେ ହସିଦିଏ । ସେ ବି ମୋତେ ଚାହିଁ ହସିଦିଏ ଆଉ ଚାଲିଯାଏ । ମୁଁ ତାକୁ ସେମିତି ଚାହିଁ ରହିଥାଏ । ମୁଁ ବୁଲି ପଡି ଫେରି ଆସିଲା ବେଳକୁ ହଠାତ୍ ଗୋଟେ ଗାଡି ଆସି ମୋତେ ଜୋର୍ ରେ ଧକ୍କା ଦିଏ । ଆଉ ତାପରେ ମୋର ଚେତା ଆସିଲା ବେଳକୁ ମୁଁ ଥାଏ ମେଡିକାଲ୍ ରେ । ମୋ ସାମ୍ନାରେ ଦୁଇଜଣ ଭଦ୍ର ବ୍ୟକ୍ତି ଠିଆ ହୋଇଥାନ୍ତି । ସେମାନେ ମୋତେ ହାତ ଠାରି ନିଜର ପରିଚୟ ଦେଉଥାନ୍ତି । ଜଣେ କହୁଥାଏ, ' ମୁଁ ଦେବରାଜ ଇନ୍ଦ୍ର ' । ଆଉ ଜଣେ କହୁଥାଏ, ' ମୁଁ ନାରଦ ' । ମୋ ଆଖି ଗୁଡିକ ଲାଗି ଯାଉଥାଏ । ଆଉ ମୁଁ ପୁଣିଥରେ ଅଚିନ୍ତା ନିଦରେ ଶୋଇପଡେ । 


              କିଛିଦିନ ପରେ ଯେତେବେଳେ ମୁଁ ପୁରା ସୁସ୍ଥ ହୁଏ, ସେତେବେଳେ ମୁଁ ମୋ ନିଜକୁ ଆଇନାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । ମୋ ଚେହେରା ପୁରା ବଦଳି ଯାଇଥାଏ । ମୁଁ ବୁଝିଗଲି ଆକ୍ସି-ଡେଣ୍ଟ୍ ପରେ ମୋ ଚେହେରା ପୁରା ନଷ୍ଟ ହୋଇ ଯାଇଥିଲା । ସେଥିପାଇଁ ମୋତେ ଏକ ନୂଆ ଚେହେରା ମିଳିଛି । କିନ୍ତୁ ଏଇ ଚେହେରା ରେ ଶୁଭ କଣ ମୋତେ ଚିହ୍ନି ପାରିବ ? ଏମିତି ଭାବୁଥାଏ, ଆଉ ହଠାତ୍ ନଜର ପଡେ ସେଇ ଦୁଇଜଣ ଭଦ୍ର ବ୍ୟକ୍ତିଙ୍କ ଉପରେ । ଯେଉଁମାନେ କି ଆଗରୁ ମୋତେ ନିଜର ପରିଚୟ ଇନ୍ଦ୍ର ଆଉ ନାରଦ ବୋଲି ଦେଇଥିଲେ । ମୁଁ ସେମାନଙ୍କୁ ପଚାରୁଥିଲି.....

              - ଆପଣମାନେ କିଏ ?

              - ଆମେ ଦେବଲୋକ ରୁ ଆସିଛୁ । ମୁଁ ହେଉଛି ଇନ୍ଦ୍ର । (ପାଖ ଲୋକ ଆଡକୁ ହାତ ବଢ଼ାଇ) ଇଏ ନାରଦ ।

              - କିନ୍ତୁ ଦେବଲୋକ ରୁ ପୃଥିବୀ ପୃଷ୍ଠ କୁ କାହିଁକି ଆସିଛନ୍ତି ?

               

ସେମାନେ ମୋ କଥାର ଉତ୍ତର ନଦେଇ ପରସ୍ପରକୁ ଚାହିଁ ହସି ହସି ବାହାରକୁ ଚାଲିଗଲେ । ମୁଁ ସଙ୍ଗେସଙ୍ଗେ ବାହାରକୁ ଆସି ଦେଖେ ତ ସେମାନେ ଆଉ ସେଠାରେ ନଥିଲେ । ଠିକ୍ ଏଇ ସମୟରେ ନର୍ସ ମୋ ପାଖକୁ ଆସି ମୋତେ କିଛି ଜିନିଷ ଦେଇ ଚାଲିଗଲେ । ସେଇ ସବୁ ଜିନିଷ ଭିତରେ ଗୋଟେ ପର୍ସ ମଧ୍ୟ ଥିଲା । ମୁଁ ପର୍ସ ଖୋଲି ସେଠାରେ ଥିବା ଆଧାର କାର୍ଡ ଟି ଦେଖୁଥିଲି । ସେଇ ଆଧାର କାର୍ଡ ଟି ସେଇ ଲୋକର ଥିଲା, ଯାହାର ଚେହେରା ମୋତେ ମିଳିଥିଲା । ପୁରା ନାମ ଅବିନାଶ ମିଶ୍ର । ନାମ ଆଉ ଚେହେରା ଛଡା ସେଠାରେ ଆଉ କିଛି ବି ଠିକ୍ ଭାବେ ଦେଖା ଯାଉନଥିଲା । ପ୍ରକୃତରେ ଏ ଲୋକଟି କିଏ ? ଏମିତି ଭାବି ମୁଁ ବାହାରକୁ ଚାଲି ଆସିଲି । 


                 ତାପରେ ମୁଁ ଗୋଟେ କଫି ସପ୍ ଭିତରକୁ ଗଲି । ସେଠାରେ ମୁଁ ଶୁଭ କୁ ଦେଖିଲି । ତାକୁ ଦେଖିଲା ପରେ ମୋତେ ବହୁତ ଖୁସି ଲାଗିଲା । ମୁଁ ତା ପାଖକୁ ଦୌଡି ଯାଉଯାଉ ଅଟକିଗଲି । ମୋ ମନରେ ଖେଳି ବୁଲୁଥିବା କିଛି ପ୍ରଶ୍ନ ମୋତେ ତା ପାଖକୁ ଯାଉଯାଉ ଅଟକାଇ ଦେଲା । ସେ କ'ଣ ମୋତେ ଚିହ୍ନି ପାରିବ ? ମୋ ସହିତ ଘଟିଥିବା ପ୍ରକୃତ ଘଟଣା କଥା କହିଲେ , ସେ କଣ ମୋ କଥା କୁ ବିଶ୍ୱାସ କରିବ ? ଏମିତି ଭାବି ମୁଁ ସେଇଠି ଠିଆ ହୋଇ ରହିଗଲି । ଶୁଭ କଫି ସପ୍ ର ଗୋଟିଏ କୋଣରେ ବସି ବାରମ୍ବାର ନିଜ ଘଣ୍ଟା କୁ ଦେଖୁଥାଏ । ବୋଧେ ସେ କାହାକୁ ଅପେକ୍ଷା କରିଥାଏ ଭଳି ଲାଗୁଥାଏ । ଅନେକ ଦିନରୁ ତାକୁ ଦେଖି ନଥିଲି ଆଉ କଥା ବି ହୋଇନଥିଲି ବୋଲି ଭଲ ଲାଗୁ ନଥିଲା । ଗୋଟିଏ ଦୁର୍ଘଟଣା କାରଣରୁ ମୁଁ ଶୁଭ ଠାରୁ କିଛିଦିନ ହେବ ଦୂରେଇ ଯାଇଥିଲି । କିନ୍ତୁ ପ୍ରତ୍ୟେକଦିନ ଆସି କଫି ସପ୍ ରେ ଦେଖା କରିବା କଥା ସେ ଜମା ଭୁଲିନି । ସେଥିପାଇଁ ସେ ଆଜି ବି ମୋତେ ଅପେକ୍ଷା କରିଛି । କିନ୍ତୁ ମୁଁ ତାକୁ କେମିତି କହିବି ଯେ, ସେ ଯାହାକୁ ଅପେକ୍ଷା କରିଛି , ସିଏ ହେଉଛି ମୁଁ । ଯିଏ କି ଏବେ ଗୋଟେ ଭିନ୍ନ ଚେହେରା ନେଇ ବଞ୍ଚୁଛି । କିଛି ସମୟ ପରେ ମୁଁ ଯାହା ଦେଖିଲି ତାହା ମୋ ଜୀବନର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ର କଥା ଥିଲା । ମୋ ଅସଲ ଚେହେରା ଭଳି ଅବିକଳ ଦେଖା ଯାଉଥିବା ଜଣେ ଯୁବକ ସେଠାକୁ ଆସିଲା । ଆଉ ତାପରେ ସେ ଶୁଭ ସହିତ କଥା ହେଲା । ଆଉ ଶୁଭ ବି ତାକୁ ସମୀର୍ ବୋଲି ଭାବୁଥିଲା । କିନ୍ତୁ ପ୍ରକୃତରେ ସମୀର୍ ହେଉଛି ମୁଁ । ଗୋଟେ ଦୁର୍ଘଟଣା ପାଇଁ ମୋ ଚେହେରା ପରିବର୍ତ୍ତନ ହୋଇ ଯାଇଛି । କିନ୍ତୁ ଏଇ ଯୁବକ ଜଣକ କିଏ ? ଯିଏ ମୋର ସ୍ଥାନ ନେଇ ଶୁଭ ସହ ନାଟକ କରୁଛି । ଆଉ ମୁଁ ବି ଏବେ ମୋର ଅସଲ ପରିଚୟ ଦେଇ ପାରିବିନି। କାରଣ ମୋ ଚେହେରା ବଦଳି ସାରିଛି ଆଉ ମୋ ଅସଲ ଚେହେରା ନେଇ ଜଣେ ଅଜଣା ଯୁବକ ତା ପାଖରେ ବସିଛି । ସେଇ ଅଜଣା ଯୁବକ ବି ନିଜକୁ ସମୀର୍ ସଜେଇ ବହୁତ ଭଲ ଅଭିନୟ କରୁଥିଲା । ଏମିତି ଅନେକ ପ୍ରଶ୍ନ ଆଉ ଉତ୍ତର ମଧ୍ୟରେ ମୁଁ ଛନ୍ଦି ହୋଇ ରହୁଥିଲି । କିଛି ସମୟ ପରେ ଶୁଭ ଫୋନ୍ କୁ କଲ୍ ଆସେ । ସେ ସେଠାରୁ ଟିକେ ଦୂରକୁ ଯାଇ କଥା ହୁଏ । ଆଉ ସେଇ ସୁଯୋଗରେ ମୁଁ ସେଇ ଯୁବକ ପାଖକୁ ଯାଇ ପଚାରେ.....


          - ପ୍ରକୃତରେ ତମେ କିଏ ?

          - ସମୀର୍....

          - ମିଛ କଥା । ପ୍ରକୃତରେ ସମୀର୍ ହେଉଛି ମୁଁ ।

          - (ସ୍ମିତହାସ୍ୟ) ଏତେ ବଡ ଦୁନିଆରେ କ'ଣ ଜଣେ ମାତ୍ର ସମୀର୍ ଥିବ କି ? 

          - ମୋ କହିବାର ଅର୍ଥ ସେମିତି ନଥିଲା । ପ୍ରକୃତରେ ଶୁଭ ଯେଉଁ ସମୀର୍ କୁ ଭଲପାଉଥିଲା , ସିଏ ହେଉଛି ମୁଁ । ଗୋଟିଏ ଆକ୍ସି-ଡେଣ୍ଟ୍ ରେ ମୁଁ ମୋର ପ୍ରକୃତ ଚେହେରା ହରେଇ ବସିଲି । ଆଉ ତାପରେ ଏବେ ତମେ ସେଇ ସୁଯୋଗର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛ । ସତ କୁହ , ତମେ କିଏ ?

          - ମୁଁ ସତ କହିଲେ ବି ତମେ ବିଶ୍ୱାସ କରୁନ । ପ୍ରକୃତରେ ତମେ କିଏ ? ଆଉ ତମେ ମୋତେ ଏସବୁ କାହିଁକି କହୁଛ ?

          - ମୁଁ ହିଁ ପ୍ରକୃତ ସମୀର୍ । ଆଉ ମୁଁ ଏସବୁ ଏଥିପାଇଁ କହୁଛି, କାରଣ ମୁଁ ଶୁଭକୁ ବହୁତ ଭଲପାଏ । ଆଉ ମୁଁ ଚାହୁଁନି ସେ ମୋ ଆଖି ସାମ୍ନାରେ ଆଉ କାହାର ହୋଇଯାଉ । ମୋତେ ବହୁତ କଷ୍ଟ ଲାଗୁଛି । 

          - ଏମିତି ମନଗଢା ଗପ ତମେ ଆଉ କାହାକୁ ଶୁଣେଇବ । ମୁଁ ହେଉଛି ପ୍ରକୃତ ସମୀର୍ । ଆଉ ମୁଁ ଶୁଭ କୁ ବହୁତ ଭଲପାଏ । 


ଠିକ୍ ଏତିକିବେଳେ ଶୁଭ ସେଠାରେ ଆସି ପହଞ୍ଚି ଯାଏ । ତାପରେ ମୁଁ ଗୋଟେ ଅଜଣା ଲୋକ ଭଳି ଆଉ କିଛି ନକହି ନୀରବ ରହି ଯାଏ । ଆଉ ସେ ଦୁହେଁ ମିଶି ସେଠାରୁ ଚାଲି ଯାଆନ୍ତି । ମୁଁ ଘରକୁ ଆସି ମୋ ଚେହେରା କୁ ଆଇନାରେ ଦେଖେ । ମନରେ ବହୁତ ରାଗ ଆସୁଥାଏ । ମୁଁ ଜୋର୍ ରେ ଚିତ୍କାର କରି କହୁଥାଏ, " ମୁଁ ହେଉଛି ପ୍ରକୃତ ସମୀର୍ " । ମୋର ମନେ ପଡି ଯାଉଥାଏ ଆକ୍ସି-ଡେଣ୍ଟ୍ ର ପୂର୍ବ କଥା । ସେକଥା ମନେ ପଡ଼ିଲା ବେଳକୁ ମୋ ଆଖିରୁ ଲୁହ ଝରି ଯାଉଥାଏ । ମୁଁ ଆଇନା କୁ ଚାହିଁ ସେଇ କଥାକୁ ପୁଣି ଥରେ ଦୋହରାଉ ଥାଏ , " ଶୁଭ, ଆଇ ଲଭ୍ ୟୁ " । ଠିକ୍ ଏତିକିବେଳେ ମୋ କାନ ପାଖରେ ଗୁଞ୍ଜରିତ ହୁଏ, " ଜୋର୍ ରେ କୁହ । ମୋତେ କିଛି ଶୁଭୁନି " । ମୁଁ ସଙ୍ଗେସଙ୍ଗେ ଖୁସି ହୋଇ ଆଖିରୁ ଲୁହ ପୋଛିଦେଇ ଜୋର୍ ରେ କହେ, " ଶୁଭ, ଆଇ ଲଭ୍ ୟୁ " । ଏଥର କିନ୍ତୁ କିଛି ବି ଗୁଞ୍ଜରିତ ହେଉ ନଥିଲା । ମୁଁ ପୁଣିଥରେ ସେଇ କଥା କହେ । କିନ୍ତୁ ପ୍ରତିଉତ୍ତରରେ ମୁଁ କେବଳ ନୀରବତାର ଶବ୍ଦ କୁ ହିଁ ଅନୁଭବ କରେ । ବହୁତ କଷ୍ଟ ଲାଗେ । ମୁଁ ଜୋର୍ ରେ ଚିତ୍କାର କରି କହେ, " ଶୁଭ, ଆଇ ଲଭ୍ ୟୁ " । ଆଉ ଶେଷରେ କାନ୍ଦିକାନ୍ଦି ତଳେ ବସିପଡ଼େ । 


                  ମୁଁ ଦୂରରୁ ସେମାନଙ୍କୁ ଲକ୍ଷ୍ୟ କରେ । ସେମାନେ ବହୁତ ଖୁସିରେ ସମୟ ବିତାଉଥାନ୍ତି । ମୋତେ ବହୁତ କଷ୍ଟ ଲାଗୁଥିଲା । ଆଉ ଏସବୁର କାରଣ ଥିଲା ମୋ ଭଳି ଦେଖା ଯାଉଥିବା ଗୋଟେ ଅବିକଳ ଚେହେରା । କିଏ ସିଏ ? ଯିଏ କି ମୋ ପ୍ରେମ କୁ ମୋ ଠାରୁ ଦୂରେଇ ଦେବାକୁ ଚାହୁଁଛି । ମୁଁ କଣ କରିବି ଜାଣି ପାରୁନଥିଲି । ମୋ ଜୀବନରେ ଶୁଭ ବିନା ବଞ୍ଚିବା ର ଅର୍ଥ କିଛି ବି ନୁହେଁ । ନା, ଏ କଷ୍ଟ ଆଉ ସହି ହେବନି । ତେବେ କଣ ଆତ୍ମହତ୍ୟା ? ବାସ୍ ଏଇ ଭାବନା ମନରେ ଆସୁ ଆସୁ ମୋ ଆଖି ସାମ୍ନାକୁ ଜଣେ ଚାଲି ଆସିଲା । ମୁଁ ଦେଖିଲା ବେଳକୁ ସେ ସେଇ ଲୋକ ଥିଲେ , ଯିଏ ନିଜକୁ ନାରଦ ବୋଲି କହୁଥିଲେ । ସେ ମୋତେ କହୁଥିଲେ...


             - କଣ ଭାବୁଛୁ ପୁଅ ? ଆତ୍ମହତ୍ୟା କରିବୁ ?

             - (ଡରିଯାଇ) ନା... ମାନେ ...ସେମିତି କିଛି ନୁହେଁ । 

             - ଜୀବନ ବହିରେ ଆତ୍ମହତ୍ୟା ବୋଲି କିଛି ବି ଶବ୍ଦ ନାହିଁ । ଯଦି ବି କେହି ତାକୁ ବ୍ୟବହାର କରୁଛି, ତେବେ ସେ ଜାଣି ଶୁଣି ନିଜ ଜୀବନକୁ ଶେଷ କରି ଦେଉଛି । 

             - ଲୋକମାନେ ଆତ୍ମହତ୍ୟା କରନ୍ତି, ଏଥିପାଇଁ ନୁହଁ ଯେ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ଚାହାଁନ୍ତି ବରଂ ଏଥିପାଇଁ ଯେ ସେମାନେ ନିଜ କଷ୍ଟ କୁ ଶେଷ କରିଦେବାକୁ ଚାହାଁନ୍ତି । 

             - ପ୍ରେମ ର ଅର୍ଥ ଖାଲି କ'ଣ ପାଇବା ? ବେଳେବେଳେ ଜିତିବା ଅପେକ୍ଷା ହରିଯିବା ବି ଠିକ୍ । ସମୟ ତୋ ସାଥିରେ ଶାପ ଶିଡି ର ଖେଳ ଖେଳୁଛି । ନିଷ୍ପତି ତୋ ହାତରେ....ବାରମ୍ବାର ସାପ ମୁହଁରେ ପଡୁଛୁ ବୋଲି ଖେଳ ରୁ ଓହରି ଯିବୁ ନା ଶିଡି ରେ ଚଢିବା ପାଇଁ ଚେଷ୍ଟା କରିବୁ ।


ଏତିକି କହି ସେ ସେଠାରୁ ଚାଲିଗଲେ । ମୋ କାନ ପାଖରେ ସେଇ ଗୋଟିଏ କଥା ସବୁବେଳେ ଶୁଭୁଥିଲା ଯେ, " ବାରମ୍ବାର ସାପ ମୁହଁରେ ପଡୁଛୁ ବୋଲି ଖେଳ ରୁ ଓହରି ଯିବୁ ନା ଶିଡିରେ ଚଢିବା ପାଇଁ ଚେଷ୍ଟା କରିବୁ " । ମନେମନେ ଭାବୁଥିଲି ଶିଡିରେ ଚଢିବା ପାଇଁ ଚେଷ୍ଟା କରିବି । କିନ୍ତୁ କେମିତି ? 


           ସେଦିନ ମୁଁ ସେଇ କଫି ସପ୍ ରେ ବସି ଶୁଭ ଆଉ ସମୀର୍ କୁ ଦୂରରୁ ଦେଖୁଥାଏ । ଜଣେ ଅଚିହ୍ନା ଝିଅ ଆସି ମୋ ସହ କଥା ହୁଏ....


           - ହେ... ଅଭି । କେମିତି ଅଛ ?

           - ତମେ ମୋତେ ଜାଣିଛ କି ? ମୁଁ ତ ତମକୁ ଜାଣି ପାରୁନି । 

           - ଆରେ... ମୁଁ ସୀମା । ଏତେ ଶୀଘ୍ର ଭୁଲିଗଲ ? 


ମୁଁ ତାର କଥା ଶୁଣି ତାକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ । କିଛି ସମୟ ପରେ ସେ ଝିଅ ପୁଣି କହେ..........


           - (ଶୁଭ ଆଡ଼କୁ ହାତ ବଢ଼େଇ) ତମେ ତାକୁ କାହିଁକି ଦେଖୁଛ ? ସିଏ କିଏ ?

           - ମୋ ସାଙ୍ଗ , ଶୁଭ । 

           - ଭଲ ପାଉଥିବା ଝିଅ କୁ ଛାଡି ତମେ ତମ ସାଙ୍ଗ ସହ ସମୟ ବିତାଉଛ ? ତମ ପାଇଁ ଏଇ ଝିଅ କଣ , ମୋ ଠୁ ବି ଅଧିକ ଦରକାରୀ ?


ତା ପ୍ରଶ୍ନର ଉତ୍ତର ମୁଁ କଣ ଦେବି ଜାଣି ପାରୁନଥିଲି । ମୁଁ ମୋ ମୁଣ୍ଡରେ ହାତ ଦେଇ ଜୋର୍ ରେ ଦବାଉଥାଏ । ହେ ଭଗବାନ୍ , ଏଇ ଝିଅ ପୁଣି କିଏ ? ମୁଁ ନିଜେ ବି ଜାଣି ପାରୁନଥାଏ ଯେ, ମୋ ସହ କଣ ସବୁ ଘଟି ଚାଲିଛି । ମୁଁ ଟିକେ ତା ପାଖକୁ ଯାଇ କହିଲି ....


          - ପ୍ରକୃତରେ ତମେ ଭୁଲ୍ ବୁଝୁଛ । ମୁଁ ଅଭି ନୁହଁ । ମୋ ନାଁ ସମୀର୍ । ଗୋଟିଏ ଆକ୍ସି- ଡେଣ୍ଟ୍ ରେ ମୋ ଚେହେରା ନଷ୍ଟ ହୋଇଗଲା ଆଉ ମୁଁ ନୂଆ ଚେହେରା ଭାବେ ଅଭି ର ଚେହେରା ପାଇଗଲି । ସେଥିପାଇଁ ସମସ୍ତେ ମୋତେ ଅଭି ବୋଲି ଭାବୁଛନ୍ତି । 

          - ତାହେଲେ ଅଭି ଏବେ କେଉଁଠି ?

          - ସେ କଥା ମୁଁ କେମିତି ଜାଣିବି ? 

          - (ସ୍ମିତହାସ୍ୟ ଦେଇ) ମୁଁ ଜାଣିଛି, ତମେ ମିଛ କହୁଛ । କ'ଣ ହୋଇଛି ତମର ? ମୁଁ ଖରାପ ହୋଇଗଲି ନା ଆଉ କିଏ ପସନ୍ଦ ଆସିଗଲା ?


ମୁଁ ନୀରବ ହୋଇ ସୀମା କୁ ଚାହିଁଥାଏ ଆଉ ତା କଥା ସବୁ ଶୁଣୁଥାଏ । ମନରେ ବହୁତ ରାଗ ଆସୁଥାଏ । ଇଚ୍ଛା ହେଉଥାଏ , ତା ଗାଲରେ ଦୁଇ ଚାପୁଡ଼ା ଦେଇ ସବୁ କିଛି ବୁଝେଇ ଦେଇଥାନ୍ତି । ଠିକ୍ ଏଇ ସମୟରେ ସୀମା ମୋ ଫୋନ୍ ନମ୍ବର୍ ମାଗି ସେଠାରୁ ଚାଲିଯାଏ ।


             ସବୁକିଛି ମୋ ବିପକ୍ଷରେ ଯାଉଥାଏ । ଭାବୁଥିଲି ଯାହା ଘଟିଗଲା ସବୁକିଛି ଭୁଲିଯିବି । ଶୁଭ କୁ ସେଇଠି ଛାଡ଼ି ଦେବି , ଯେଉଁଠି ସେ ରହିବା ପାଇଁ ଚାହୁଁଛି । ସେ ଯେଉଁଠି ବି ରହୁ ଖୁସିରେ ରହୁ । ଏହା ହିଁ ତ ପ୍ରକୃତ ପ୍ରେମ । ବାସ୍ ମୁଁ ଏମିତି ଭାବୁଥାଏ ଆଉ ହଠାତ୍ ସୀମା ର ଫୋନ୍ ଆସେ ଯେ ଶୁଭ ମେଡିକାଲ୍ ରେ ଅଛି । ମୁଁ ସିଧା ଯାଇ ପହଞ୍ଚେ ମେଡିକାଲ୍ ରେ । ସମୀର୍ ର ଆକ୍ସି-ଡେଣ୍ଟ୍ ହୋଇଥାଏ । ତାର ଚେହେରା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥାଏ । ଶୁଭ , ବାହାରେ ବସି ଲୁହ ଝରାଉଥାଏ । ପାଗେଳି ଗୋଟେ ଛଦ୍ମବେଶୀ କୁ ମୁଁ ବୋଲି ଭାବି କେତେ ଭଲ ପାଉଛି । ମୁଁ ବି ତ ତାକୁ ଭଲ ପାଉଛି । ତେବେ ମୁଁ କଣ କରିବି ? ମୁଁ କଣ ଶୁଭ ର ଖୁସି ପାଇଁ ମୋ ଚେହେରା , ସମୀର୍ କୁ ଦେଇ ଦେବି ? ଏମିତି ଭାବି ମୁଁ ଡକ୍ଟର୍ ଙ୍କୁ ଦେଖା କରିବା ପାଇଁ ଗଲି । ମୋତେ ବହୁତ ଖୁସି ଲାଗିଲା । କାରଣ ସୀମା ସେଇ ମେଡିକାଲ୍ ର ଡକ୍ଟର୍ ଥିଲା । ସବୁକିଛି ଅଜବ୍ ଲାଗୁଥିଲା । କିନ୍ତୁ ପରିସ୍ଥିତି ଅନୁସାରେ ବହୁତ ଭଲ ଥିଲା । ମୁଁ ଯେତେବେଳେ ମୋ ଚେହେରା ସମୀର୍ କୁ ଦେବା ପାଇଁ କହିଲି, ସୀମା କହିଲା .....


          - ତମେ ପାଗଳ କି ? ଗୋଟେ ଜୀବନ୍ତ ମଣିଷର ଚେହେରା ଆଉ ଜଣଙ୍କୁ କେମିତି ଦେଇ ହେବ ?

          - ତେବେ ମୁଁ ମରିଯିବା ହିଁ ଭଲ ହେବ । କାରଣ ଶୁଭ ର ଖୁସି ପାଇଁ ମୁଁ କିଛି ବି କରି ପାରିବି ।

          - କିନ୍ତୁ କାହିଁକି ? ଶୁଭ ସହ ତମର ସମ୍ପର୍କ କଣ ?

          - ମୁଁ ତମକୁ ଆଗରୁ ବି କହି ସାରିଛି ଯେ, ମୁଁ ଅଭି ନୁହଁ । ମୁଁ ହେଉଛି ସମୀର୍ । ଗୋଟେ ଆକ୍ସି-ଡେଣ୍ଟ୍ ପାଇଁ ମୁଁ ଅଭି ର ଚେହେରା ପାଇଛି । ପ୍ରକୃତରେ ମୁଁ ଶୁଭ କୁ ବହୁତ ଭଲ ପାଏ । ତା ଖୁସି ପାଇଁ ମୋତେ ଏଇ ଚେହେରା ଟା ...

          - ଭଲ କି ଭାବି ନିଅ .....

          - (ସ୍ମିତହାସ୍ୟ ଦେଇ) ମୁଁ ନିଷ୍ପତି ନେଇ ସାରିଛି । 


ଏତିକି କହି ମୁଁ ବାହାରକୁ ଚାଲି ଆସିଲି । ମୁଁ ଦୂରରେ ଠିଆ ହୋଇ ଶୁଭ କୁ ଦେଖୁଥାଏ । ତା ଆଖିରେ ଲୁହ ଦେଖି ମୋତେ ବି ବହୁତ କଷ୍ଟ ହେଉଥାଏ । ମନେମନେ ଭାବୁଥାଏ, ତା ପାଖରେ ନଥିଲେ କଣ ହେଲା , ତା ଭାବନାରେ ତ ମୁଁ ସବୁବେଳେ ଅଛି । ଏମିତି ଭାବି ମୁଁ ଶୁଭ କୁ ଦେଖୁଥାଏ । ଠିକ୍ ଏଇ ସମୟରେ ସୀମା ଆସି ମୋତେ କହିଲା ...


               - ତମେ ପ୍ରସ୍ତୁତ ତ ?

                

ମୁଁ ଶୁଭ ଆଡ଼କୁ ଚାହିଁଥାଏ । ମୋ ଆଖିରୁ ଲୁହ ଝରି ପଡୁଥାଏ । ମୋତେ ଏମିତି ଦେଖି ସୀମା ଆଖିରେ ବି ଲୁହ ଆସିଗଲା । ତାପରେ ମୁଁ ସୀମା ସହିତ ଭିତରକୁ ଗଲି । ତାପରେ ଗୋଟେ ଇଂଜେକସନ୍ ନେଲା ପରେ କଣ ହେଲା କେଜାଣି ମୁଁ ନିଜେ ବି ଜାଣି ପାରିଲିନି । 


           ଗୋଟିଏ ମାସ ପରେ......


ମୁଁ ଆଖି ଖୋଲିଲି । ମୁଁ ମୋ ସାମ୍ନା ରେ ଇନ୍ଦ୍ର ଆଉ ନାରଦ ଙ୍କୁ ଦେଖୁଥିଲି । ସେମାନେ ମୋତେ ଚାହିଁ ହସୁଥିଲେ । ମୋ ଆଖି ଲାଗି ଯାଉଥିଲା ଆଉ ମୁଁ ପୁଣିଥରେ ଶୋଇ ପଡ଼ିଲି । କିଛି ସମୟ ପରେ ମୋ ନିଦ ଭାଙ୍ଗିଲା । ଆଉ ନିଦ ଭାଙ୍ଗିଲା ପରେ, ମୁଁ ଆଖି ସାମ୍ନାରେ ଶୁଭ କୁ ଦେଖୁଥିଲି । ସେ ଖୁସିରେ ମୋ ପାଖକୁ ଦୌଡି ଆସି ମୋତେ ଭିଡି ଧରି ଦୁଇ ଟୋପା ଲୁହ ଝରେଇ ଦେଲା । ମୋତେ ସବୁକିଛି ଆଶ୍ଚର୍ଯ୍ୟ ଲାଗୁଥିଲା । ମୁଁ ବଞ୍ଚିଛି କେମିତି ? ଆଉ ସେଇ ସମୀର୍ କୁଆଡେ ଗଲା ? ଶୁଭ କଣ ସବୁ ସତ କଥା ଜାଣି ପାରିଲା ? ଏମିତି ପ୍ରଶ୍ନ ସବୁ ମୋ ମନରେ ଖେଳି ବୁଲୁଥାଏ । ମୁଁ ଏପଟ ସେପଟ ଦେଖୁଥାଏ । ନଜର ପଡେ ଗୋଟେ ଆଧାର କାର୍ଡ ଉପରେ । ପୁରା ନାମ ଅବିନାଶ ମିଶ୍ର । ନାମ ଆଉ ଚେହେରା ଛଡା ସେଠାରେ ଆଉ କିଛି ବି ଠିକ୍ ଭାବେ ଦେଖା ଯାଉ ନଥିଲା । ମୁଁ ସଙ୍ଗେସଙ୍ଗେ ଆଇନା ପାଖକୁ ଦୌଡି ଯାଇ ନିଜ ଚେହେରା କୁ ଦେଖୁଥିଲି । ମୋତେ ଟିକେ ବି ଆଶ୍ଚର୍ଯ୍ୟ ଲାଗିଲାନି । କାରଣ ଅଭି ର ଚେହେରା ହିଁ ଥିଲା । ଯେଉଁ ଚେହେରା ମୋତେ ଆଗରୁ ମିଳିଥିଲା ସେଇ ଚେହେରା ଏବେ ବି ଅଛି । ମୋତେ ଏମିତି ଦେଖିବା ପରେ ଶୁଭ କହୁଥିଲା ...


           - କଣ ଭାବୁଛ ? ପ୍ରକୃତରେ ସେଦିନ ଆକ୍ସି-ଡେଣ୍ଟ୍ ପରେ ତମ ଚେହେରା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଏବେ ତମକୁ ଏକ ନୂଆ ଚେହେରା ମିଳିଛି । 

            

ଶୁଭ ଯାହା ସବୁ କହିଲା, ସେସବୁ ତ ମୁଁ ଆଗରୁ ଜାଣିଥିଲି । କିନ୍ତୁ ମୋ ମନରେ ପ୍ରଶ୍ନ ଉଠୁଥିଲା ଯେ, ଏସବୁ ତ ବହୁତ ଦିନ ଆଗରୁ ଘଟି ସାରିଛି । ତେବେ ଏସବୁ ଏବେ ଘଟିଛି ବୋଲି ଶୁଭ କାହିଁକି ଭାବୁଛି ? ତାପରେ, ମୁଁ ହିଁ ପ୍ରକୃତ ସମୀର୍ ବୋଲି ଶୁଭ କେମିତି ଜାଣିଲା ? ମୋ ପ୍ରଶ୍ନର ଉତ୍ତର କିଏ ଦେବ ? ଠିକ୍ ସେତିକିବେଳେ ମୁଁ ନାରଦ ଙ୍କୁ ଖୋଜୁଥିଲି । ମୁଁ ଟିକେ ବାହାରୁ ଆସୁଛି କହି ମେଡିକାଲ୍ ବାହାରକୁ ଚାଲି ଆସିଲି । ଇନ୍ଦ୍ର ଆଉ ନାରଦ ପରସ୍ପର ସହ କଥା ହୋଇ ଯାଉଥିଲେ । ମୁଁ ସଙ୍ଗେସଙ୍ଗେ ତାଙ୍କ ପାଖକୁ ଦୌଡି ଗଲି । ମୁଁ ନାରଦଙ୍କୁ କହୁଥିଲି....


              - ସାପ ଶିଡି ଖେଳ ରେ ମୁଁ ଆଜି ଶିଡି ଚଢ଼ିଗଲି ପ୍ରଭୁ । କିନ୍ତୁ ଅନେକ ଦ୍ଵନ୍ଦ ମୋ ମନରେ ଅଛି । 

               

ଠିକ୍ ଏଇ ସମୟରେ ଦେବରାଜ ଇନ୍ଦ୍ର କହୁଥିଲେ ...


             - ତମ ପ୍ରେମ ଦେଖି ମୁଁ ଅତ୍ୟନ୍ତ ପ୍ରସନ୍ନ ମାନବ । ମୁଁ କେବେ ଭାବି ନଥିଲି ଯେ , ଏମିତି ବି ପ୍ରେମ ହୋଇପାରେ ବୋଲି । ତମେ ପରୀକ୍ଷା ରେ ପାସ୍ କରିଛ ।

             - କେଉଁ ପରୀକ୍ଷା ପ୍ରଭୁ ?


ତାପରେ ଦେବରାଜ ଇନ୍ଦ୍ର ପ୍ରକୃତ କଥା କହିବା ଆରମ୍ଭ କଲେ..


ତମର ଆକ୍ସି-ଡେଣ୍ଟ୍ ପରେ ତମକୁ ଏକ ନୂଆ ଚେହେରା ମିଳିଲା । ସେତେବେଳେ ଆମେ ତମର ପରୀକ୍ଷା କରିବା ପାଇଁ ମୁଁ ନିଜେ ହିଁ ଛଦ୍ମବେଶୀ ସମୀର୍ ହୋଇ ଶୁଭ ପାଖକୁ ଯାଇଥିଲି । କିନ୍ତୁ ତମେ ଆତ୍ମହତ୍ୟା କରିବା କଥା ଭାବୁଭାବୁ ନାରଦ ତମ ମନକୁ ପରିବର୍ତ୍ତନ କରାଇଥିଲେ । ଆଉ ତାପରେ ନାରଦ ହିଁ ସୀମା ବେଶରେ ତମ ଜୀବନକୁ ଆସିଥିଲେ । କିନ୍ତୁ ତମ ପ୍ରେମରେ ଟିକେ ବି ଛଳନା ନଥିଲା । ସେଥିପାଇଁ ତମେ ସୀମା ର ପ୍ରେମ କୁ ମଧ୍ୟ ଗ୍ରହଣ କଲ ନାହିଁ । ଶେଷରେ ନିଜ ପ୍ରେମ ପାଇଁ ନିଜର ବଳିଦାନ ଦେବାକୁ ମଧ୍ୟ ପଛାଇଲ ନାହିଁ । କିନ୍ତୁ ଆମେ ତ ଛଦ୍ମବେଶୀ ଥିଲୁ । ସେଇଟା ତମର ପରୀକ୍ଷା ଥିଲା । ଆଉ ତମେ ସଫଳ ମଧ୍ୟ ହେଲ । 


ଏତିକି ଶୁଣିବା ପରେ ମୁଁ ପଚାରୁଥିଲି....


              - ତେବେ ପୂର୍ବ ଘଟଣା ବିଷୟରେ ଶୁଭ କୁ କିଛି ବି ଜଣା ନାହିଁ କି ?

              - ନା... ସେ କିଛି ଜାଣିବା ଆଗରୁ ତମର ପରୀକ୍ଷା ପାଇଁ ମୁଁ ଛଦ୍ମବେଶୀ ସମୀର୍ ସାଜି ସାରିଥିଲି । ଏବେ ଘଟିଥିବା ଦୁର୍ଘଟଣା କୁ ହିଁ ସେ ସତ ଭାବୁଛି । 

               

ଏତିକି ଶୁଣିବା ପରେ ମୋ ଆଖିରୁ ଖୁସିରେ ଲୁହ ଝରି ଯାଉଥିଲା । ତାପରେ ଦେବରାଜ ଇନ୍ଦ୍ର ଆଉ ନାରଦ ମୋତେ ଆଶୀର୍ବାଦ ଦେଇ ଦେବଲୋକ କୁ ଚାଲିଗଲେ । ମୁଁ ଖୁସିରେ ଶୁଭ ପାଖକୁ ଦୌଡ଼ିଲି । ମୁଁ ପହଞ୍ଚିଲା ପରେ ଶୁଭ ମୋତେ କହୁଥିଲା ...


              - କୁଆଡେ ଯାଇଥିଲ ...?

              - ଶୁଭ, ଏଇ ଚେହେରା ରେ ମୁଁ ଟିକେ ବୁଢା ଭଳି ଲାଗୁଛି ନା....?

              - (ହସିହସି) କାହିଁ... ନାହିଁ ତ । ଏମିତି କାହିଁକି କହୁଛ ? ଭାରି ଭଲ ଚେହେରା ଟା ମିଳିଛି ତ ....

              - ସତରେ ... 

              - (ମୋ ପାଖକୁ ଢଳି ଆସି) ହଁ.. ଆଇ ଲଭ୍ ୟୁ...

              - ଶୁଭ , ଆକ୍ସି-ଡେଣ୍ଟ୍ ପରେ ମୋତେ ଟିକେ ଭଲ କି ଶୁଭୁନି । ଜୋର୍ ରେ କୁହ ..

              - (ଜୋର୍ ରେ ) ଆଇ ଲଭ୍ ୟୁ....

              - ମୋତେ କିଛି ଶୁଭୁନି....


ଶୁଭ ମୋତେ ଚାହିଁ ଟିକେ ଅଭିମାନ କରୁଥିଲା । ମୁଁ ତାକୁ ଭିଡି ଧରି ତା କାନ ପାଖରେ କହୁଥିଲି, " ଆଇ ଲଭ୍ ୟୁ " ।

              

              

             

           

           

          


     


 

 

 


                


Rate this content
Log in

Similar oriya story from Drama