ଛାତିର କୋହ
ଛାତିର କୋହ
ଆବେଗରେ ଛାତି ରୁନ୍ଧି ହୋଇଯାଉଛି । ବେଳେବେଳେ ସନ୍ତୋଷରେ ମନ ଭିଜିଯାଉଛି । ମନ କହୁଛି ଦଉଡି ଦଉଡି ପୁରା ଘରଟାକୁ ଓଲଟ ପାଲଟ କରିଦିଅନ୍ତି । ପାଟି କରି ଘରଦ୍ୱାର କମ୍ପେଇ ଦିଅନ୍ତି .. ଯେମିତି କରୁଥିଲି ପିଲାବେଳେ ! ବୋଉର ଡାକ, ଜେଜେମା’ର ଗାଳିକୁ, ଏ କାନରେ ପୂରେଇ ସେ କାନରେ ବାହାର କରିଦେଉଥିଲି.. ପିଲାବେଳେ ରୋଷେଇ ଘରର ଟିଣଛାତ ଉପରକୁ ଚଢି ଯାଉଥିଲି ତ ଆଉ କେତେବେଳେ ବାଡି ପଟ ନଡିଆ ଗଛ, ଲେମ୍ବୁଗଛ ମୂଳରେ ଲୁଚି ଯାଉଥିଲି । ଆଉ କେବେ ଗଛ ଉପରକୁ ଚଢିଯାଇ ଆମ୍ୱ, ପିଜୁଳି, ବରକୋଳି, ଆତ ତୋଳି ପକାଉଥିଲି । ଆଉ କେତେବେଳେ ଦାଣ୍ଡ ପଟେ ଥିବା କୂଅ ପାଖକୁ ଯାଇ ତା’ ଭିତରେ କେତେ ପାଣି ଅଛି ବୋଲି ଉଣ୍ଡିକି ଦେଖୁଥିଲି । ସେ ସମୟ, ସେ ବୟସ, ସେ ମନ.. ଅତିକ୍ରାନ୍ତ ହୋଇ ଯାଇଛି । ବିଗତ ଦିନର ସ୍ମୃତିକୁ ଖାଲି ରୋମନ୍ଥନ କରୁଛି । ଏବେ ଦାୟିତ୍ୱ ବଢି ଯାଇଛି । ମନ ଭାଙ୍ଗି ଯାଇଥିଲେ ମଧ୍ୟ କର୍ତ୍ତବ୍ୟ ଅନ୍ୟ ପାଇଁ... ଆଉ ଏ ଜୀବନ ଆଉ କାହା ପାଇଁ ସମର୍ପିତ ... କିଛି ନାହିଁ ଜୀବନର ସୁଖ ଲାଳସା । ବେଳେବେଳେ ତପନ ଦାୟିତ୍ୱର ଭାର ପାଇଁ ଫୋନ୍ କରୁଛନ୍ତି । ସ୍ୱେଚ୍ଛାକୃତ ଭାବେ ପ୍ରତ୍ୟୁଷା ସେସବୁ ଦାୟିତ୍ଵ ନିଜ ଉପରକୁ ନେଇ ଯାଇଛି । ଚପନ ଫୋନ କରି କୁହନ୍ତି - ଦେଖଛୁ ପ୍ରତ୍ୟୁଷା ! ମୁଁ ଦାୟିତ୍ଵ ବୋଝରେ ବୁଡି ରହିଛି । ବାପା ମାଆଙ୍କ କଥା ଟିକେ ବୁଝି ପାରୁନାହିଁ । ତୁ ସେ କଥା ଟିକେ ବୁଝୁଥିବ । ହେଲେ କେଉଁ ଅଧିକାରରେ ଏସବୁ କହି ଯାଉଛ ? ବେଳେ ବେଳେ ମନ ହୁଏ ପ୍ରଶ୍ନ କରିବାକୁ । କିନ୍ତୁ ମନର କଥାକୁ ମନରେ ମାରି ଆଗକୁ ବଢି ଚାଲେ। କେବେ ପଦିଏ ବି ପଚାରନ୍ତି ନାହିଁ ତୁ କେମିତି ଅଛୁ ? ସେହି ମିଛି ମିଛିକା ଟୋପାଏ ସିନ୍ଦୁର ର ବୋଝ ପାଇଁ ସବୁ ସହିଚାଲେ ପ୍ରତ୍ୟୁଷା । ଅଯାଗା ଘା ଦେଖି ହୁଏନି କି ଦେଖେଇ ହୁଏନି । ଲୋକେ ବୋଲିବେ କ'ଣ ? ବାଡ଼ିରେ ଥିବା ବଉଳ ଗଛ ମୂଳ ସିମେଣ୍ଟ ଚାନ୍ଦିନିରେ ବସି ଭାବି ହେଉଛି ପ୍ରତ୍ୟୁଷା । ଫିକା ଫିକା ଜହ୍ନ ଆଲୁଅର ମିଠା ଆଲିଙ୍ଗନରେ ସେ ଭୁଲିବାକୁ ଚେଷ୍ଟା କରୁଛି ବିଗତ ଦିନର ସ୍ମୃତିକୁ । ମନ ଭିତରେ ଗୋଟିଏ ପ୍ରଚ୍ଛନ୍ନ ନୀରବତାକୁ ସେ ଖୋଜି ଚାଲିଛି । ଫିଙ୍ଗି ଦେବାକୁ ଚାହୁଁଛି ବିଗତ ସ୍ମୃତିକୁ... ବହୁ ଦୂରକୁ । କିନ୍ତୁ ମନର ଅଭିମାନ ହେତୁ ଯେତେ ଚେଷ୍ଟା କଲେ ମଧ୍ୟ ଅତୀତଟାକୁ ଭୁଲି ପାରୁ ନ ଥାଏ । ଚଳଚ୍ଚିତ୍ରର ରିଲ୍ ପରି ପିଲା ବେଳର ସ୍ମୃତିଗୁଡ଼ିକ ଆଖି ଆଗରେ ନାଚି ଯାଉଥିଲା । ଆମ ଘରଠାରୁ ମାତ୍ର ଟିକେ ଦୂରରେ ତପନଙ୍କ ଘର । ତପନ ସହିତ ଆମ ଗାଁ ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ ପର୍ଯ୍ୟନ୍ତ ଏକାଠି ପଢିଛୁ । ଏକାଠି ବସିଛୁ। ଖୁସି ହସ ଗପ ମଜା ମଜଲିସ କେତେ କରିଛୁ । ଦୁଇ ଜଣଙ୍କ ମଧ୍ୟରେ ପୁଅ ଝିଅ ବୋଲି ବାଛ ବିଚାର କିଛି ନ ଥାଏ । ଏମିତିକି କଥା କଥାରେ ମାଡ଼ ଗୋଳ, ଧରା ଧରି, କୁଣ୍ଢାକୁଣ୍ଢି ହୋଇ ଭୂଇଁରେ ଗଡାପଡା । ସେତେବେଳେ ଛୋଟ ପିଲା, ସାଙ୍ଗ ହୋଇ ବିଲକୁ ଯାଉ । ବିଲରୁ ଚଣା, ବିରି ଛୁଇଁ,ମଟର ଛୁଇଁ, ଖିରୀ କୋଳି ଓ କଣ୍ଟେଇ କୋଳି ତୋଳି ଖାଉ । କିଆ ବୁଦା ଭିତରେ ଥିବା କୋଳି, ପିଜୁଳି ଗଛରୁ ପିଜୁଳି ଓ ଜାମୁକୋଳି ଗଛରୁ ଜାମୁକୋଳି ତୋଳି ଖାଉ । ଖରାଦିନେ ଲୁଚିଛପି ଯାଇ ଆମ୍ବତୋଟାରୁ ଆମ୍ବ ପାରୁ । ଆଜି ସେସବୁ ଗୋଟି ଗୋଟି ହୋଇ ମନେ ପଡ଼ି ଯାଉଛି । ତପନ ଗାଁ ସ୍କୁଲରୁ ମେଟ୍ରିକ୍ ପାସ୍ କଲା । ସେତେବେଳେ ପର୍ଯ୍ୟନ୍ତ ପୁଅ ଝିଅର ସମ୍ପର୍କ ଜାଣି ନ ଥିଲା । ବେଳେ ବେଳେ ତପନ ମୋତେ ଛାତିରେ ଚାପି ଧରି ଗେଲ କରେ ଓ ଓଠକୁ କାମୁଡ଼ି ପକାଏ । କିନ୍ତୁ ମୋତେ ଏସବୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ପ୍ରତିବାଦ କରେ ନାହିଁ । କାରଣ ମନେ ମନେ ତପନକୁ ଭଲ ପାଇ ବସିଥିଲି । ହେଲେ ତପନକୁ ଭଲ ପାଇବା ବିଷୟରେ ଧାରଣା ନଥିଲା । ତପନର ବାପା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ବାପାଙ୍କ ସଂସ୍କାର ଅନୁସାରେ ତପନ ଖୁବ୍ ଭଲ ପଢ଼ୁଥିଲା । ପ୍ରତ୍ୟୁଷାର ବାପା ଜଣେ ଡ୍ରାଇଭର । ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ଥିଲା । ପ୍ରତ୍ୟୁଷା ପିଲାବେଳୁ ମଧ୍ୟ ଭଲ ପଢ଼ୁଥିଲା । ତପନ ମେଟ୍ରିକ୍ ରେ କୃତିତ୍ଵ ହାସଲ କରି ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଲା । ପ୍ରତ୍ୟୁଷା ଗାଁ ପାଖ କଲେଜରେ ପଢିଲା । ଏଇଠୁ ଆରମ୍ଭ ହେଲା ଦୁଇଜଣଙ୍କ ମଧ୍ୟରେ ଦୂରତା । ଅବଶ୍ୟ ତପନ ମଝିରେ ମଝିରେ ପ୍ରତ୍ୟୁଷା ପାଖକୁ ଚିଠି ଦେଉଥିଲା । ତପନ ଥିଲା ବାପା ମା' ଙ୍କର ଅଲିଅଳି ପୁତ୍ର । ତପନ କୃତିତ୍ୱରେ ଘରେ ଖୁବ୍ ଖୁସି । ପ୍ରତ୍ୟୁଷା ବାପାଙ୍କର ଦୁଇ ଝିଅ ।
ଧିରେ ଧିରେ ପରିସ୍ଥିତି ବଦଳିବାକୁ ଲାଗିଲା । ପ୍ରତ୍ୟୁଷାର ବାପା ଦୁଇ ଝିଅଙ୍କୁ ପାଠ ପଢ଼ାଇବାରେ ସମର୍ଥ ନ ଥିଲେ । ବାଧ୍ୟ ହୋଇ ପ୍ରତ୍ୟୁଷା ୩ ପରେ ସିଟି ଟ୍ରେନିଂ କଲା । ତପନର ବାପା ଚାକିରୀରୁ ଅବସର ନେଲେ । ତପନ ବହୁ ପରିଶ୍ରମ କରି ଲେଦର ଇଞ୍ଜିନିୟରିଂ ହେଲା । ସିଧାସଳଖ ହଂକଂରେ ତାର ପୋଷ୍ଟିଂ ହେଲା । ପୁଅ ବିଦେଶରେ ଚାକିରି ପାଇଲା ବୋଲି ତପନର ବାପା ଖୁସିରେ ଗାଆଁରେ ବଡ ଭୋଜି ଭାତ କଲେ । କିନ୍ତୁ ଯୋଗଦେଇ ପାରିଲାନି ତପନ । ପ୍ରତ୍ୟୁଷା ମା' ମଙ୍ଗଳାଙ୍କ ପାଖରେ ଭୋଗ ଲଗାଇ ଗାଆଁ ସାରା ମିଠା ବାଣ୍ଟିଲା । ପ୍ରତ୍ୟୁଷା ମଧ୍ୟ ସି.ଟି. ପାସ୍ କରି ଗାଆଁ ସ୍କୁଲରେ ଶିକ୍ଷୟିତ୍ରୀ ହେଲା । ଏହାର ଠିକ୍ ବର୍ଷେ ପରେ ତପନର ଚିଠି ଆସିଲା - ମୋ ଅଫିସରେ କାମ କରୁଥିବା ଗୋଟିଏ ଝିଅକୁ ମୁଁ ଭଲ ପାଉଛି । ମୁଁ ତାକୁ ବିବାହ କରିବାକୁ ଚାହେଁ । ହେଲେ ବାପାଙ୍କୁ ଏକଥା କେମିତି କହିବି, କିଛି ବୁଝି ପାରୁନାହିଁ । ତୁ ମୋତେ ଟିକେ ସାହାଯ୍ୟ କର । ପ୍ରତ୍ୟୁଷା ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା । ଯାହାକୁ ସେ ମନ ପ୍ରାଣ ହୃଦୟ ଦେଇ ଭଲ ପାଉଥିଲା । ସେ ଅନ୍ୟ କାହାର ହୋଇଗଲା... ଛାତି ଭିତରୁ କୋହ ଉପରେ କୋହ ଉଠେଇ ଆସିଲା । କିନ୍ତୁ ସେ ଦୋଷ ଦେବ କାହାକୁ... ଯେଉଁ ସମୟରେ ମନ ଖୋଲି "ତୁମକୁ ଭଲ ପାଏ" ବୋଲି କହି ପାରିଲା ନାହିଁ । ଏବେ କ'ଣ କରିବ ? ଏବେ ତ ଲେଡି ଗୁଡ କହୁଣିକୁ ବୋହି ଗଲାଣି... ଆଶା ଆଶାରେ ହିଁ ମିଳେଇ ଗଲା । ତା ବିଶ୍ଵାସର ବାଲିବନ୍ଧ ଭାଙ୍ଗି ଗଲା । ଛାତି ଭିତରୁ ଉଠୁଥିବା କୋହକୁ ସେ ଛାତି ଭିତରେ ଚାପି ଧରିଲା । ତପନକୁ ଚିଠି ଲେଖିଲା ତୁ ସେ ଝିଅକୁ ଧରି ଆସେ, ସବୁ ଠିକ୍ ହୋଇ ଯିବ । ପ୍ରାୟ ପନ୍ଦର ଦିନ ପରେ ତପନ ସିଧାସଳଖ ସେ ଝିଅକୁ ଧରି ପ୍ରତ୍ୟୁଷା ଘରେ ପହଞ୍ଚିଲା । ହୃଦୟର ସମସ୍ତ ଦୁଃଖକୁ ଚାପି ରଖି ପ୍ରତ୍ୟୁଷା ସେ ଦୁହିଁଙ୍କୁ ନେଇ ମଙ୍ଗଳା ମନ୍ଦିରକୁ ଗଲା । ମଙ୍ଗଳାଙ୍କ ଠାରୁ ଫୁଲ ହାର ନେଇ, ଦୁହେଁ ଦୁହିଁଙ୍କ ଗଳାରେ ଫୁଲମାଳା ପିନ୍ଧାଇ ଦେଲେ ଏବଂ ଚିରଦିନ ପାଇଁ ପ୍ରତ୍ୟୁଷା ଭାବୁକ ହୋଇ ରହିଗଲା । ସେମାନେ ମଙ୍ଗଳା ମନ୍ଦିରରୁ ତଳକୁ ଓହ୍ଲାଇ ଯାଉଥିବା ବେଳେ ଲୁହ ଛଳଛଳ ଆଖିରେ ମଙ୍ଗଳାଙ୍କୁ ସାକ୍ଷୀ ରଖି ପ୍ରତ୍ୟୁଷା ସିନ୍ଦୂର ବୋଳା ହାତକୁ ନିଜ ମୁଣ୍ଡରେ ବୋଳିଦେଲା । ନିଜେ ତପନର ଅଜ୍ଞାତରେ ତପନର ହୋଇଗଲା । ସାଙ୍ଗ ହୋଇ ସମସ୍ତେ ତପନ ଘରେ ପହଞ୍ଚିଲେ । ସବୁ କଥା ପ୍ରତ୍ୟୁଷା ତା ବାପା ମାଆଙ୍କୁ କହି ବୁଝାଇଲା । ତପନର ବାପା ଗମ୍ଭୀର ହୋଇଗଲେ । ହେଲେ ଦ୍ୱିଧାରେ ପଡ଼ି ସ୍ୱୀକାର କରିବାକୁ ବାଧ୍ୟ ହେଲେ । ଯେତେ ହେଲେ ଗୋଟିଏ ବୋଲି ପୁଅ । ବୈଦିକ ରୀତିରେ ପୁନଶ୍ଚ ବାହାଘର କରାଇଲେ । ଅଷ୍ଟମଙ୍ଗୁଳା ପରେ ପରେ ସେମାନେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିଗଲେ । ସେମାନେ ସେହି ଦିନଠାରୁ ଯାଇଛନ୍ତି ଯେ ଆଉ କେବେ ଫେରି ନାହାଁନ୍ତି । ତପନ ବର୍ତ୍ତମାନ ଜଣେ ସୁଦକ୍ଷ ଅଫିସର । ଏପଟେ ପ୍ରତ୍ୟୁଷା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ । ତପନର ଗୋଟିଏ ପୁଅ ଓ ଗୋଟିଏ ଝିଅ । ତପନର ବାପା ମାଆ ବୁଢ଼ାବୁଢ଼ୀ ହୋଇ ଗଲେଣି । ଦେଖା ଶୁଣା କରିବାକୁ କେହି ନାହାନ୍ତି । ସ୍ୱେଚ୍ଛାକୃତ ଭାବେ ପ୍ରତ୍ୟୁଷା ସେସବୁ ଦାୟିତ୍ଵ ନିଜ ଉପରକୁ ନେଇ ଯାଇଛି । ଭାବି ସ୍ୱାମୀ ଠାରୁ ସୁଖ ନ ପାଇଲେ ନାହିଁ କିନ୍ତୁ ଭାବି ଶାଶୁ ଶ୍ୱଶୁରଙ୍କର ଦାୟିତ୍ଵ ବୋଝରେ ଏବେ ବୁଡି ରହିଛି । ଭାବି ହେଉଛି ଏ ଜୀବନ ଯାହା ପାଇଁ ସମର୍ପିତ.. ଯଦି ତାଙ୍କର ନ ହୋଇଲା ନାହିଁ ... ତେବେ ତାଙ୍କ ବାପା ମାଆଙ୍କ ପାଇଁ ଏ ଜୀବନ କିଛି କାମରେ ଲାଗୁ....

