Rama Chandra Padhi

Crime Thriller

3.4  

Rama Chandra Padhi

Crime Thriller

ଛାଇ

ଛାଇ

5 mins
218


ଦୁର୍ଯ୍ୟୋଧନ ପ୍ରଧାନ ବୟସ ପଚାଶ ହବ । ଦୁର୍ବଳ ଶରୀର ସାଙ୍ଗକୁ ହାଡରୁ ଅଲଗା ହୋଇପଡିଥିବା ମାଂସପେଶୀ ଚର୍ମ ସାହାଯ୍ୟରେ ହିଁ ତା ଦେହରେ ଝୁଲି ରହିଥାଏ । ବାମ ପାଖ ମୁହଁ ପରାଲେସିସ ଶିକାର କେବେଠୁ ହୋଇ ସାରିଛି । ଆଖି ଦୁଇଟି କୋରଡ ଭିତରେ ପଶି ଯାଇଥିଲେ ବି କାନକୁ ଛୁଞ୍ଚି ପଡିବା ଧ୍ୱନି ଶୁଭିଯାଏ । ନୁଖୁରା ପାଚିଲା ଚୁଟି ଅସନା ଦେହ । ବୟସ ହିସାବରେ ଦେଖିଲେ ଅଶି ନବେ ବର୍ଷର ବୃଦ୍ଧ ଭଳି ଦିଶେ । ସାରା ଦିନ ଅନ୍ଧାର ନିର୍ବୁଜ ଘର ଭିତରେ ଲୁଚି ରୁହେ । ବାପ ଜେଜେ ଅମଳର ଦୁଇ ମହଲା କୋଠା ବାହାରୁ କେହି ଡାକିଲେ ନା ଶୁଣେ ନା ଜବାବ ଦିଏ । କେବଳ ସାହିର କିଛି ବାଳୁଙ୍ଗା ଛୁଆଙ୍କ ବ୍ୟତୀତ କେହି ବି ତା ମୁହଁରୁ ଉଁ ପଦେ କଥା ବାହାର କରିବାରେ ସକ୍ଷମ ହୁଅନ୍ତି ନାହିଁ।

ସାହିର ବାଳୁଙ୍ଗାଙ୍କ ମୁହଁରୁ ‘ଛାଇ ଆସିଲା’ ଶୁଣିଲା ମାତ୍ରେ କଥା ସରିଲା । ଅସୀମିତ ଦୋ ଅକ୍ଷରି ଚାରି ଅକ୍ଷରି ଶବ୍ଦର ବର୍ଷା ତା ମୁହଁରୁ ବର୍ଷି ଚାଲେ । ଗର୍ଜନ ଏମିତି ସାତ ସାହି କମ୍ପି ଉଠେ । ଆଉ ସାହି ପିଲେ ଠୋ ଠୋ ହସି ମଜା ନିଅନ୍ତି । ଲୋକେ କୁହନ୍ତି ଏହି ପିଲାଙ୍କୁ ଡରି ଦୂରୁଜ ବୁଢା ଘରୁ ଦିନରେ ବାହରେନି । ଆଉ କିଛି ଲୋକ କୁହନ୍ତି ସେ ତା ଛାଇକୁ ଦେଖି ଡରେ ସେଥିପାଇଁ ଆଲୋକ ଥିବା ସ୍ଥାନକୁ ଯାଏନି । କିନ୍ତୁ ସେ ଡରୁଥିଲା ତା ଛାଇ ଭିତରେ ଲୁଚିଥିବା ପିଚାଶକୁ ଦେଖି ।

ସଞ୍ଜ ନଇଁଲେ ଚିରା ମଇଳା ଲୁଙ୍ଗି ଓ ସାର୍ଟ ଖଣ୍ଡେ ପିନ୍ଧି ବାହାରକୁ ବାହାରେ । ହାତରେ ଚିରା ବ୍ୟାଗ ଖଣ୍ଡେ ଧରିଥାଏ । ଧୂଳି ଧୂସର ଚଉଡା ପାଦରେ ଅନ୍ଧାରିଆ ବାଟ ଖୋଜି ଛୋଟେଇ ଛୋଟେଇ ଧିମେଇ ଧିମେଇ ଚାଲେ । ବାଟ ଯାକ ଯାହା ଅଳିଆ ଆବର୍ଜନା ମନକୁ ପାଏ ଗୋଟାଇ ବ୍ୟାଗରେ ପୁରାଏ । ଏମିତି ଗୋଟେଇ ନେଇ ଗଦେଇ ଘରଟିକୁ ଅଳିଆ ଗଦା କରି ସାରିଲାଣି । ବେଠିଆ ଭଳି ଛକ ଦୋକାନୀଙ୍କ ବୋଲ ହାକ ବି କରିନିଏ । ବଦଳରେ ତାକୁ କିଛି ଖାଇବା, ବିଡ଼ି ପୁଡ଼ିଆ ମିଳିଯାଏ । ତାକୁ ଧରି ପୁଣି ଫେରିଆସେ ଭୂତ କୋଠି ଭଳି ଦିଶୁଥିବା ସେହି ଅନ୍ଧାର ଘର ଭିତରକୁ । ଆଉଥରେ ଦେଖା ମିଳେ ପର ଦିନ ସନ୍ଧ୍ୟାରେ । ବାସ ଏହାହିଁ ତା ପ୍ରତି ଦିନର ଜୀବନ କାହାଣୀ।

କୁହନ୍ତି ଦୂରୁଜ ବୁଢାର ଜନ୍ମ କୁଆଡେ ଏକ ସମ୍ଭ୍ରାନ୍ତ ପରିବାର ରେ । ବାପା ଜେଜେଙ୍କର ଅଜସ୍ର ସମ୍ପତି । ସାତ ପୁରୁଷ ବସି ଖାଇଥିଲେ ବି ସରିନଥାନ୍ତା । ଏବେ ସେ ସମ୍ପତ୍ତିର ହିସାବ ରଖିବାକୁ କେହି ନାହାଁନ୍ତି । କିଛି ଜମିବାଡ଼ି ଆଖପାଖ ଲୋକ ମାଡି ବସିଲେଣି, ଆଉ କିଛି ଭୂତ କୋଠି ଗୋଚର ଭୂଇଁ ହୋଇ ପଡିରହିଛି । ଅଳିଆ ସ୍ତୁପ ପାଲଟି ଯାଇଥିବା ଦୁଇ ମହଲା ଘରକୁ ଦେଖିଲେ ଯେ କେହି ବି ଏକଥାକୁ ବିଶ୍ୱାସ କରିବ।

ବର୍ତ୍ତମାନ ଜୀବନରେ ନିଜ ଛାଇକୁ ଦେଖି ଡରୁଥିବା ଦୂରୁଜ ବୁଢ଼ାର ଅତୀତ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେତେବେଳେ ଆଖପାଖ ଅଞ୍ଚଳରେ ନିଜ କ୍ରୂର ହିଂସ୍ର ସ୍ଵଭାବ ବଳରେ ପତିଆରା ଜାହିର କରି ରଖିଥିଲା । ଲୋକେ ଦୁର୍ଯ୍ୟୋଧନ ନାଁ ଧରିବାକୁ ଡରୁଥିଲେ । ତା ବୁଲେଟ ଧ୍ୱନି ଶୁଭିଲେ ଘରେ ଲୁଚି ଯାଉଥିଲେ । ଛଅ ଫୁଟ ଉଚ୍ଚତାକୁ ହୃଷ୍ଟପୁଷ୍ଟ ଭେଣ୍ଡିଆ ଶରୀର ଚାରି ଚାରିଟା ଲୋକକୁ ଏକା ସାମ୍ଭାଳିବାକୁ ସାମର୍ଥ୍ୟ ଥିଲା । ଆଉ କଲା ମିଚି ମିଚି ବହଳ ମାଗୁର ନିଶକୁ, ବୁଲେଟରେ ଟାଙ୍ଗିଥିବା ଭୁଜାଲିକୁ ଦେଖିଲେ ଯେତେ ବଡ଼ ସାହସୀ ହେଇଥାଉ ନା କାହିଁକି ତା ପାଖକୁ ଯିବାକୁ ଥରଟିଏ ଭାବିବ।

ବେଶି ଡରୁଥିଲା ସୁମୀ ନାମକ ସତର ବର୍ଷର ଝିଅଟି । କିନ୍ତୁ ଦୁର୍ଯ୍ୟୋଧନ ଭୟରେ ଘରେ ଲୁଚି ରହି ନିଜ ଜୀବନକୁ ବର୍ବାଦ କରିବା ବି ସେ ଚାହୁଁନଥିଲେ । ଚାହୁଁନଥିଲେ ନିଜ ସ୍ୱପ୍ନ ନିଜ ଭବିଷ୍ୟତକୁ ସେହି ରାକ୍ଷସର ପାଦ ତଳେ ଦଳି ମକଚି ମାରି ଦେବାକୁ । ସ୍ୱପ୍ନ ଦେଖୁଥିଲା ଭବିଷ୍ୟତରେ ଜଣେ ବଡ ଓକିଲ ହେବ । ଅର୍ଥ, ବାହୁ ବଳରେ ସମାଜର ଶତ୍ରୁ ସାଜିଥିବା ଦୁର୍ଯ୍ୟୋଧନ ଭଳି ଦୁର୍ଦାନ୍ତ ଅପରାଧୀ ମାନକୁ ଦଣ୍ଡ ଦେବ । ଲାଂଛିତ ନିର୍ଯ୍ୟାତିତ ଙ୍କୁ ନ୍ୟାୟ ମିଳିବ । ନ୍ୟାୟ ବଳରେ ସଭିଏଁ ସୁରକ୍ଷିତ ମଣିବେ, ନିର୍ଭୟରେ ମୁଣ୍ଡ ଟେକି ଚାଲି ପାରିବେ । ସେ ଭୟରେ ଘରେ ଲୁଚି ରହିଲେ ତା ସ୍ୱପ୍ନ କେବେବି ପୁରା ହେବନି । ତାକୁ ବାହାରକୁ ବାହାରିବାକୁ ପଡିବ ଦୁର୍ଯ୍ୟୋଧନ ପରି ରାକ୍ଷସର ସାମ୍ନା କରିବାକୁ ପଡିବ।

ଏମିତି ଅନେକ କଥା ଭାବି ସୁମୀ ମନରେ ସାହସ ବାନ୍ଧେ । ପରଦିନ ପୁଣି ବାହାରି ପଡେ ନିଜ ସ୍ୱପ୍ନ ସାକାର କରିବା ଉଦେଶ୍ୟ ନେଇ । ବାଟରେ ପୁଣି ତାକୁ ସମ୍ନା କରିବାକୁ ପଡେ ଦୁର୍ଯ୍ୟୋଧନର ଶିକାର ହୁଏ ଅଶ୍ଳୀଳ ଇଙ୍ଗିତ ଘୃଣ୍ୟ ସ୍ପର୍ଶର । ଦୁର୍ଯ୍ୟୋଧନ ନିର୍ଯ୍ୟାତନାର କିଛି କଥା ଘରେ କୁହେ ଆଉ କିଛି କଥା ମନରେ ଚାପିଦିଏ । ନିରୋଳରେ ଲୁହ ରୂପରେ ଝରାଇ ବାକୁ ଚେଷ୍ଟା କରେ ଅକୁହା ଯନ୍ତ୍ରଣାକୁ । ବାପା ମାଆ ସବୁ ଜାଣି ବି ଚୁପ ରୁହନ୍ତି । ଦୁର୍ଯ୍ୟୋଧନର ବଳ ପତିଆରା ଆଗରେ ଭାଗ୍ୟକୁ ନିନ୍ଦି ନଜି ଇଜ୍ଜତ ସ୍ୱାଭିମାନକୁ ସମର୍ପଣ କରିଦିଅନ୍ତି । ଭାଗ୍ୟ ଭଗବାନଙ୍କ ଭରସାରେ ଛାଡି ଦିଅନ୍ତି ଏକମାତ୍ର ଗେହ୍ଲା ଅଲିଅଳି ଝିଅର ଜୀବନକୁ।

ସେଦିନ ସୁମୀର ପରୀକ୍ଷା ଥାଏ, ବେଶ ଖୁସି ଥିଲା, ସଭିଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଲା । ସମୟ ଗଡି ଚାଲିଲା, ଦିପ୍ରହରରେ ଆସୁଛି କହି ଯାଇଥିବା ସୁମୀର ସନ୍ଧ୍ୟା ଯାଏଁ ଦେଖା ଦର୍ଶନ ନଥିଲା । ପରିବାର ଲୋକେ ସାରା ଅଞ୍ଚଳ ଖୋଜି ବୁଲିଲେ ସୁମୀର ଅତାପତା ମିଳିଲାନି । ରାତି ହେଲା ପରିବାର ଲୋକେ ଥାନାରେ ହାଜର ହେଲେ । ଝିଅକୁ ଦୁର୍ଯ୍ୟୋଧନ ଅପହରଣ କରିଥିବା ଅଭିଯୋଗ କଲେ । ହେଲେ ପୋଲିସ ତା କର୍ତ୍ତବ୍ୟକୁ ଭୁଲି ନିଘୋଡ଼ ନିଦରେ ଶୋଇ ରହିଥିଲା । କେଉଁ ପ୍ରେମିକ ସହିତ ଫେରାର ହୋଇଥିବା କହି ପରିହାସ କଲା । ନା ଅଭିଯୋଗ ଗ୍ରହଣ କଲା ନା ତଦନ୍ତ ହେଲେ । ଥାନା ବାହାରୁ କେଶ୍ ରଫାଦଫା ହୋଇଗଲା।

ସମୟ ଗଡିଚାଲିଲା ଲୋକଙ୍କ ମଧ୍ୟରେ ଶଙ୍କା, ଆଶଙ୍କା ଅନେକ କଥା ଘୁରି ବୁଲିଲା । କିଏ କହୁଥାଏ ଦୁର୍ଯ୍ୟୋଧନ ସୁମୀକୁ ମାରି ବାରିରେ ପୋତି ଦେଇଛି, ଆଉ କିଏ କହୁଥିଲା ସୁମୀ ବଞ୍ଚିଛି, ଦୁର୍ଯ୍ୟୋଧନର ସେହି ଦୁଇ ମହଲା କୋଠା ଭିତରେ ନିର୍ଯ୍ୟାତିତ ହେଉଛି । ହେଲେ ସେ କୋଠା ପାଖକୁ ଯାଇ ଦେଖିବାକୁ କାହାରି ପାଖରେ ସାହସ ନଥିଲା । ସାହସ ନ ଥିଲା ଦୁର୍ଯ୍ୟୋଧନକୁ ପଚାରିବାକୁ।

ଯେଉଁ ପୋଲିସ ପ୍ରଶାସନର ଏ କାର୍ଯ୍ୟ ଥିଲା ଦୁର୍ଯ୍ୟୋଧନ ତାକୁ ଟଙ୍କାର ବୋଝ ଲଦି ଅଚଳ କରି ଦେଇଥିଲା । ସବୁ ଜାଣି ଶୁଣି ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହିଥାଏ । ଦିନ ଗଡି ଚାଲିଲା ଧୀରେ ଧୀରେ ଘଟଣାଟି କାହାଣୀର ରୂପ ନେଲା ପରେ କାହାଣୀ ବି ଲୋକଙ୍କ ସ୍ମୃତିରୁ ଉଭେଇ ଗଲା । ହେଲେ ପ୍ରକୃତିର ନ୍ୟାୟ ଗ୍ରନ୍ଥରେ ସେଦିନର ପ୍ରତିଟି ଘଟଣା କଳା ଅକ୍ଷରରେ ଲିପିବଦ୍ଧ ହୋଇ ସାରିଥିଲା । ଦୁର୍ଯ୍ୟୋଧନକୁ ତା କୁକର୍ମର ଦଣ୍ଡ ଦେବାକୁ ପ୍ରକୃତି ପ୍ରସ୍ତୁତ ହେଉଥିଲା । ସମୟ ଅପେକ୍ଷା କରିଥିଲା ପ୍ରକୃଷ୍ଟ ସମୟର । ଦଣ୍ଡ ଯାହା ମଣିଷ କଳ୍ପନା ଉର୍ଦ୍ଧ୍ୱରେ, ଦଣ୍ଡ ଯାହା ଏଭଳି ଅତ୍ୟାଚାରୀଙ୍କ ପାଇଁ ଦୃଷ୍ଟାନ୍ତ ହେବ । ଦଣ୍ଡ ଯାହା ଆଗେ ମୃତ୍ୟୁ ବି ଡରିବ।

ସେ ସମୟ ଆସିଲା । ସେଦିନ ଦୁର୍ଯ୍ୟୋଧନର ବିବାହ ନିର୍ବନ୍ଧ ଥିଲା । ରାତିରେ ନିର୍ବନ୍ଧ ହେବା ଖୁସିରେ ସାଙ୍ଗ ସାଥୀଙ୍କ ସହ ପେଟେ ମଦ ପିଇ ବୁଲେଟ ଚଲେଇ ଯାଉଥିଲା । ନିଶାରେ ନିଜକୁ ଭଗବାନଙ୍କଠୁ ବି ବଡ଼ ଭାବୁଥିଲା । କେଉଁଠି ଥିଲା କେଜାଣି ଏକ ସିମେଣ୍ଟ ବୋଝେଇ ଟ୍ରକ ଅନ୍ଧାର ରାସ୍ତାକୁ ଚିରି ଧସେଇ ଆସି ତା ଦେହରେ ପିଟି ହେଲା । ଟ୍ରକ ତଳେ ଚାପି ହୋଇଗଲା ସେ, ତା ବଳ ତା ଅହଙ୍କାର । ମରଣ ସହ ସଂଘର୍ଷ କରି ମାସେ ପରେ ଆଖି ଖୋଲିଲା । ସେତେବେଳେକୁ ତା ଶରୀରରେ ନା ପୂର୍ବର ବଳ ଥିଲା ନା ମସ୍ତିଷ୍କ ତା ସାଥ ଦେଉଥିଲା । ଚାଲିବାକୁ ବି ତାକୁ ଅନ୍ୟର ସାହାରା ଆବଶ୍ୟକ ପଡୁଥିଲା । ସମୟ ଗଡି ଚାଲିଲା ଧୀର ଧୀରେ ଅନେକ ରୋଗ ତା ଶରୀରକୁ କାବୁ କରିନେଲେ । ଆଭିଜାତ୍ୟ, ପତିଆରାଠୁ ନେଇ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସମସ୍ତେ ତାଠୁ ଦୁରେଇବାକୁ ଲାଗିଲେ । ସେ ବର୍ତ୍ତମାନ ଭୟାଳୁ ନିଃସହାୟ ମଣିଷଟିଏ, ଯିଏକି ନିଜ ଛାଇକୁ ଦେଖି ଡରେ, ଅନ୍ୟର ଦୟାରେ ଚଳେ । କାଲିକା ଛୁଆ ତାକୁ ଥଟ୍ଟା ମଜା କରନ୍ତି । ୟା ଠାରୁ ବଡ଼ ଦଣ୍ଡ ତାକୁ କିଏ ବା ଦେଇ ପାରିଥାନ୍ତା । ୟା ଠାରୁ ଭଲ ନ୍ୟାୟ ସୁମୀକୁ କେଉଁଠୁ ବା ମିଳିପାରିଥାନ୍ତା । ଏହା ହିଁ ପ୍ରକୃତିର ନ୍ୟାୟ ଏହା ହିଁ ଭଗବାନଙ୍କ ଶାସ୍ତି ଯାହା ଥରେ ମିଳେ ସାରା ଜୀବନ ଭୋଗିବାକୁ ପଡେ।



Rate this content
Log in

Similar oriya story from Crime