Rama Chandra Padhi

Drama Inspirational

2.8  

Rama Chandra Padhi

Drama Inspirational

ଭଉଁରୀ

ଭଉଁରୀ

11 mins
643



ସମୟ ପଶାପାଲିରେ ସୂର୍ଯ୍ୟ ନିଜର ରୌଦ୍ରତା ବହୁ ପୂର୍ବରୁ ହାରି ସାରିଥାଏ। ହରାଇ ଥିବା ତେଜକୁ ନୂତନ ସକାଳେ ଫେରି ପାଇବା କାମନା କରି, କ୍ଲାନ୍ତ ତେଜହରା ଲାଲ ସୂର୍ଯ୍ୟ ତରବର ହୋଇ ପ୍ରସ୍ତୁତ ହେଉଥାଏ ପ୍ରଦୂଷିତ ସହର ର ନଭଶ୍ଚୁମ୍ବି ଅଟ୍ଟାଳିକା ମଧ୍ୟରେ ନିଜ ଅସ୍ତିତ୍ବ କୁ ବୁଡ଼ ପକାଇବା ପାଇଁ। ଏକ ଶୀତଳ, ଶାନ୍ତ ରାତିର ପରିକଳ୍ପନା ରେ ପକ୍ଷୀ ମାନେ କୋଳାହଳ କରି ପଛକୁ ପଛ ଦଳ ଦଳ ହୋଇ ଫେରି ଯାଉଥିଲେ ନିଜ ନିଜ ବସାକୁ। ସ୍ୱାର୍ଥୀ ମଣିଷ ଓ ସହରର ବିଷାକ୍ତ ପରିବେଶ କବଳରୁ ଜୀବନ ଦାନ ପାଇଥିବା ଆନନ୍ଦ ସେମାନଙ୍କ କୋଳାହଳ ରେ ସ୍ପଷ୍ଟ ବାରିହୋଇ ପଡୁଥିଲା। ଦିନକ ଯାକର ଗୋଲାମୀ ଜୀବନର କ୍ଳାନ୍ତିକୁ ପରିବାରର ସ୍ନେହ, ପ୍ରେମ ପରସ ଦ୍ୱାରା ମେଣ୍ଟେଇବାକୁ ସେହି ସହରର ମଣିଷ ମାନେ ମଧ୍ୟ ତରତର ହୋଇ ଘର ମୁହଁ ହେଉଥିଲେ। 


ବିଚିତ୍ର ଏ ସୃଷ୍ଟି ତା ଠାରୁ ବିଚିତ୍ର ଏହାର ନିୟମ। ଏହି ନିୟମ ମାନଙ୍କ ମଧ୍ୟରୁ ଘର, ପରିବାରର ପ୍ରେମ ଡୋରିରେ ବାନ୍ଧି ହୋଇ ଜୀବନକୁ ଅସୁମାରୀ ଆନନ୍ଦ ରେ ଭରିଦେବା ନିୟମଟି ସମସ୍ତ ଜୀବଜଗତ ପାଇଁ ପ୍ରକୃତିର ଏକ ବରଦାନ। କାହିଁ କେଉଁ ଆଦିମ କାଳରୁ ସୃଷ୍ଟିର ସମସ୍ତ ଜୀବ ନିଃସଙ୍ଗତା ର ଯନ୍ତ୍ରଣା, ଅବସାଦ ର ଆକ୍ରମଣ ରୁ ନିଜକୁ ରକ୍ଷା କରିବାକୁ ପ୍ରେମ ନାମକ ଉପଚାର ଆବିଷ୍କାର କରିଥିଲେ। ଯାହା ବାନ୍ଧି ରଖେ ଜଣକୁ ଅନ୍ୟ ସହ ଜୀବନ ପ୍ରତି ମୋହ ବଢାଏ। ଯଦି ଜୀବନରେ ଏ ପ୍ରେମ ହିଁ ନ ରହିବ? 


ଜଳ ବିନ୍ଦୁ ଟିଏ ମଧ୍ୟ ନିଃସଙ୍ଗତା ର ପୀଡା ଅବସାଦ ରେ ବାଷ୍ପ ହୋଇ ହଜିଯାଏ ଶୂନ୍ୟ ଆକାଶ ମଧ୍ୟକୁ। କିନ୍ତୁ ସେହି ଜଳ ବିନ୍ଦୁ ମାନେ ଯେତେବେଳେ ପ୍ରେମର ଡୋରି ରେ ବାନ୍ଧି ହୋଇ ସମ୍ପର୍କ ଗଢନ୍ତି ସେତେବେଳେ ସୃଷ୍ଟି କରିଦିଅନ୍ତି ନଇ, ନାଳ, ସାଗର। ତାରି ଉପରେ ଆନନ୍ଦରେ ଢେଉ ମାରି ନାଚନ୍ତି, ଖେଳନ୍ତି। କିନ୍ତୁ ଆଜିର ସ୍ୱାର୍ଥୀ ମଣିଷ ସେହି ପ୍ରେମର ମହତ୍ତ୍ୱକୁ ଲୋଭର ବୋଝ ତଳେ ଚାପି ଦେଉଛି। ଅସରନ୍ତି ସୁଖର ଭଣ୍ଡାର ଅନ୍ୱେଷଣ ରେ ଆଲିଙ୍ଗନ କରୁଛି ଦୁଃଖର ପାହାଡ଼ କୁ। ଛଟପଟ ହେଉଛି ନିଃସଙ୍ଗତା ର ପୀଡା, ମାନସିକ ଅବସାଦ ଯନ୍ତ୍ରଣା ଦ୍ବାରା। 


ସେଦିନ ସେହି ସହରର ଏକ ସରକାରୀ କାର୍ଯ୍ୟାଳୟରୁ ବାହାରୁ ଥିବା ଲୋକଙ୍କ ଭିଡ଼ ମଧ୍ୟରୁ ଏ ଯନ୍ତ୍ରଣା ବାରିହୋଇ ପଡୁଥିଲା ଜଣକ ମୁହଁରେ। ନାଁ ଆକାଶ ମିଶ୍ର, ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରେ। ସାଧାରଣ ପେଣ୍ଟ ସାର୍ଟ, ଆଖିରେ ଧଳା ମୋଟା କାଚ ଚଷମା, କାନ୍ଧରେ କଳା ଚମଡା ବେଗ ଟିଏ ଝୁଲୁ ଥାଏ। ନିଜର ସାଧାରଣ ଚଳଣି, ମିତ ବ୍ୟବହାର ପାଇଁ ସେ କାର୍ଯ୍ୟାଳୟରେ ସମସ୍ତଙ୍କ ପ୍ରିୟ ପାତ୍ର। କିନ୍ତୁ କିଛି ଦିନ ହେବ ତା ବ୍ୟବହାର ରେ ଅନେକ ପରିବର୍ତ୍ତନ ଅନୁଭୂତ ହେଉଥିଲା। ଅଫିସ ଭିତରେ ଚୁପଚାପ, ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ରଖୁଥିଲା। ବାହାରେ ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରୁଥିଲା। କର୍ତ୍ତବ୍ୟକୁ ନିଷ୍ଠା, ଉତ୍ସାହ ସହ ପାଳନ କରୁଥିବା ଆକାଶ ପାରିବାରିକ ଦାୟିତ୍ୱ ଜଞ୍ଜିରରେ ବାନ୍ଧି ହେଲା ଭଳି ଅନୁଭବ କରୁଥିଲା। ଜୀବନ ଭଉଁରୀରେ ଫସିଯାଇ ଅଣନିଶ୍ୱାସୀ ହୋଇ ପଡୁଥିଲା। ପରିବାର ବୋଝ ବୋହି ଅଧା ଚୁଟି ଉପୁଡ଼ି ଯାଇଥିଲା। ବାକି ଅଧା ଚୁଟି ପାଚିବା ଆରମ୍ଭ କରି ସାରିଥିଲେ। 


ସମୟ ବଡ଼ ବିଚିତ୍ର ଅଟେ, ନିଜର ରଙ୍ଗ ରୂପ ନ ଥାଇ ବି ଅନ୍ୟର ରଙ୍ଗ ରୂପକୁ ବଦଳାଇ ଦିଏ। ଆକାଶ ପାଇଁ ଅଧିକ ଦାଉ ସାଜିଥିଲା ସମୟ। ରଙ୍ଗ ରୂପ ସହ ଛଡାଇ ନେଉଥିଲା ତା ଜୀବନରୁ ପ୍ରେମ, ହସ, ଥଟ୍ଟା, ମଜା। ତଥାପି କାହିଁକି ବଞ୍ଚିଛି ସେ ଜାଣି ପାରୁନଥିଲା।


ଆକାଶ ଟିକିଏ ଶୁଣ। ପଛରୁ ଡାକ ଶୁଣି ବୁଲି ଚାହିଁଲା। ତା ପୁରୁଣା ବନ୍ଧୁ ଏବଂ ସହକର୍ମୀ। 


ସାଲେରୀ ପାଇଲୁ, ଚାହା ଟିକିଏ ଦେଇଯା।


ଆଜି ନୁହେଁ। ଘରେ କିଛି ଅର୍ଜେଣ୍ଟ କାମ ଅଛି।


ବିବାହ ପରଠୁ ତୋର ସବୁବେଳେ ଘରେ କାମ! ସାତ ବର୍ଷ ହେଲାଣି ବାହା ହେଲୁଣି ତଥାପି ମନରେ ଏତେ ପ୍ରେମ ଝରୁଛି ଯେ ସ୍ତ୍ରୀ କୁ କ୍ଷଣେ ନ ଦେଖିଲେ ରହିପାରୁନୁ!


ଇଚ୍ଛା ନ ଥାଇ ବି ମୁରୁକି ହସି ଦେଇ ଆକାଶ ମୁହଁ ବୁଲେଇ ପୁଣି ଆଗକୁ ଚାଲିଲା।


ପ୍ରେମ ଏ ସାତ ବର୍ଷରେ ଏତେ ମାତ୍ରାରେ ଝରିଲା ଯେ, ତା ପ୍ରଖର ସୁଅରେ ଭାସି ଦୂରକୁ ଚାଲିଗଲେ ମୋତେ ଭଲ ପାଉଥିବା ଆତ୍ମୀୟମାନେ। ଆକାଶ ମନେ ମନେ ଭାବିଲା। ଯନ୍ତ୍ରଣାର ଗହନବନ ଭିତରେ ଭାବନାର ଶୀତଳ ଛାଇ ପାଇ ତା କ୍ଳାନ୍ତ ଦିଗହରା ମନ କିଛି ସମୟ ଆରାମ ନେଇ ପୁଣି ପ୍ରଶ୍ନ କଲା...... 


ସତରେ କ'ଣ ବିବାହର ସାତ ବର୍ଷ ବିତି ଗଲାଣି?


ଛବିଶ ବର୍ଷରେ ତା ବିବାହ ଅଞ୍ଜଳି ସହ ହୋଇଥିଲା ଏବେ ଆସି ତେତିଶ ଛୁଇଁଲାଣି। ମନେମନେ ଗୁଣୁଗୁଣୁ ହୋଇ ହିସାବ କରିଚାଳିଲା। ଏହି ସାତ ବର୍ଷ ତାକୁ ସତୁରି ବର୍ଷର ବୃଦ୍ଧା ରେ ପରିଣତ କରିଦେଇଛି। କ୍ଷତାକ୍ତ ମନ ଶରୀରକୁ ଦୁର୍ବଳ କରିଦେଇଛି। ଯନ୍ତ୍ରଣାରେ ଛଟପଟ ହୃଦୟ ଖୋଜୁଥାଏ ପ୍ରେମ ଭରା ପ୍ରଲେପ। ଯାହା କେବଳ ତା ଅତୀତ ସ୍ମୃତିରେ ଭରି ରହିଥିଲା।


ବାପା, ବୋଉ, ବଡ଼ ଭାଇକୁ ନେଇ ତା ଛୋଟ ପରିବାର। ବାପା ଗାଁ ସ୍କୁଲ ମାଷ୍ଟ୍ର ଥିଲେ। ଦରମା ବାବଦ କୁ ଗାଁ କୋଠ ରୁ ମିଳୁଥିଲା କିଛି ବସ୍ତା ଧାନ ଓ କିଛି ଶହ ଟଙ୍କା। ଏହା ଯଥେଷ୍ଟ ନ ଥିଲା ସେମାନଙ୍କ ପାଇଁ। କିନ୍ତୁ ବାପା ବୁଝାଇ ଦିଅନ୍ତି, ଧନ ସିନା ଗାଁ ରେ ନାହିଁ କିନ୍ତୁ ପ୍ରେମ ଅଛି। ପ୍ରେମ ଅମୂଲ୍ୟ, ଧନ ବିନା ମଣିଷ ବଞ୍ଚିପାରେ କିନ୍ତୁ ପ୍ରେମ ବିନା ଜୀବନ ପଥର ସଦୃଶ। ଆକାଶର କୋମଳ ମତିଷ୍କରେ ଏ ସବୁ କଥା ପଶେନି। 


ଅଭାବ ଅନାଟନ ମରୁଭୂମିରେ ଅପୁରଣ ଆଶାର ତୃଷ୍ଣାରେ ଛଟପଟ ହୋଇ ପିଲାଦିନ ବିତିଛି। ହେଲେ ସେ ଭାଙ୍ଗିପଡିନି। ବାପା, ବୋଉ, ଭାଇ ସ୍ନେହର ଛୋଟ ବାଦଲ ଟି ସବୁବେଳେ ଛାଇ କରି ତାକୁ ଘୋଡାଇ ରହିଥିଲା। ଶୋଷରେ ଛଟପଟ ହେଲାବେଳେ ପ୍ରେମର କେଇ ବୁନ୍ଦ ଜଳ ବର୍ଷା ରୂପେ ଝରି ପଡୁଥିଲେ ତା ମୁହଁରେ। କିନ୍ତୁ ସେହି ଜଳରେ ତା ଶୋଷ ମେଣ୍ଟିନି। ସେ କାମନା କରିଛି ଦୂର ମରୀଚିକା ସାଗର କୁ ପାଇବାକୁ। ପଣ କରିଛି ଯାହା ବର୍ତ୍ତମାନ ପାଇନି ଭବିଷ୍ୟତରେ ନିଜ ଅଧିନ ରେ କରିବ। ଲକ୍ଷ ହାସଲ ପାଇଁ ସେ ସାଥି ପାଠକୁ କଲା। ଲକ୍ଷ୍ୟ କେବଳ ଥିଲା ସଫଳତା ଅର୍ଜନ କରିବା। ସଫଳତା ଯାହା ଅଜାଡିଦବ ତା ଜୀବନରେ ଅନେକ ଧନ ସମ୍ପତ୍ତି। ଲିଭେଇ ଦେବ ଗରିବ ସ୍କୁଲ ମାଷ୍ଟ୍ର ପୁଅର ପରିଚୟ। ଅନେକ ସଂଘର୍ଷ ପରେ ପାଇଲା ନିଜର ପରିଚୟ। କିନ୍ତୁ ସେହି ପରିଚୟ ଆଜି ତା ପାଇଁ ଅଭିଶାପ ପାଲଟି ଯାଇଛି। ଆକାଶ ଅଣନିଶ୍ୱାସୀ ହୋଇଯାଉଥିଲା ସହରର ବିଷାକ୍ତ ପବନରେ। ତରବର ହୋଇ ପକେଟରୁ ଧଳା ରୁମଲ ଟି କାଢି ନାକକୁ ଢାଙ୍କିଦେଲା।  


ଓଃ କି ଯନ୍ତ୍ରଣା! ମଣିଷ ସହର ଗଢ଼ିଛି ଶାନ୍ତିରେ ବଞ୍ଚିବା ପାଇଁ। କିନ୍ତୁ ଏଠି ଶାନ୍ତି କାହିଁ? ଘର ଆଉ କିଛି ଦୂର ଥିଲା। ସେ ପୁଣି ହଜି ଗଲା ଅତୀତରେ।


ସେଦିନ ଥିଲା ଏକ ମେଘୁଆ ରବିବାର ସକାଳ। ପୂର୍ବ ଯୋଜନା ଅନୁଯାୟୀ ମାମୁଁ ଭଡା କାର ଧରି ଘରେ ପହଞ୍ଚି ଗଲେ। ବାପା ବୋଉ ଆକାଶକୁ ଧରି ବାହାରି ପଡିଲେ ସେଠାରୁ ସତୁରି କିଲୋମିଟର ଦୂର ହରିପୁର ଗାଁ ଆଡକୁ। ଜୀବନରେ ପ୍ରଥମ ଥର ସେ ଝିଅ ଦେଖିବାକୁ ଯାଉଥିଲା। ମନରେ ଯେତିକି କୌତୁହଳ ଥିଲା ତା ଠାରୁ ଅଧିକ ଭାବି ସ୍ତ୍ରୀ କୁ ନେଇ ସ୍ୱପ୍ନ। ସ୍ୱପ୍ନ ଯାହା ସେ ତା ଜୀବନ କାଳରେ କୌଣସି ଝିଅକୁ ନେଇ ଦେଖି ନ ଥିଲା। କିନ୍ତୁ କିଛି ଦିନ ହେବ ଦେଖିବା ଆରମ୍ଭ କରିଛି। ଝିଅଟିଏ ଯିଏ ସ୍ୱର୍ଗର ଅପସରା ଭଳି ହୋଇଥିବ। ଯେ ପାଠ ପଢିଥିବ, ଚାଲାକ ଥିବ, ସଂସ୍କାରି ଥିବ, ବଡ଼ମାନଙ୍କୁ ମର୍ଯ୍ୟାଦା ଦେଉଥିବ। ସହରୀ ସମ୍ଭ୍ରାନ୍ତ ପରିବେଶ ରେ ଖାପକୁଆଇ ତା ସମ୍ନାନ ବୃଦ୍ଧିରେ ସହାୟକ ହେବ। ସବୁଠୁ ମୁଖ୍ୟ ଥିଲା ସେ ଏକ ଅଭିଜାତ୍ୟ ପରିବାରର ହୋଇଥିବ। ସେତେବେଳେ ଆକାଶ କୁ ସରକାରୀ ଚାକିରୀ ମିଳିସାରିଥାଏ। ରୋଜଗାର ବଳରେ ସେ ତା ଅତୀତର ଗରିବ ଚିତ୍ରକୁ କିଛି ପରିମାଣରେ ଲିଭାଇ ସାରିଥାଏ। ଆଉ କିଛି ଶଶୁର ଘର ଆଶୀର୍ବାଦରେ ଲିଭାଇବା କୁ ଚାହୁଁଥାଏ।  


ଯେତିକି ଭାବନାର କୁହୁଡି ଭିତରେ ସେ ପସୁଥାଏ, ସେତିକି ବର୍ଷାର ପ୍ରଖରତା ବଢୁଥାଏ। କିଛି ଦୂର ବାକି ଥାଏ ସେମାନଙ୍କ କାର ଅଟକି ଗଲା। ଖବର ମିଳିଲା ଆଗରେ ଗଛ ଉପୁଡି ପଡିଛି। ରାସ୍ତା ସଫା ହେବା କୁ ଦୁଇ ତିନି ଘଣ୍ଟା ଲାଗିବ।


କାହିଁକି ଏଠାରେ ଏତେ ସମୟ ରହିବା? ଚାଲ ପାଖ ଗାଁ ରେ ମୋ ପିଲା ଦିନର ବନ୍ଧୁ ଘର ତାଙ୍କରି ଘରେ କିଛି ସମୟ ରହିଯିବା। ତା'ର ବି ଗୋଟେ ବିବାହ ଯୋଗ୍ୟ ଝିଅ ଅଛି ନାଁ ଜ୍ୟୋସ୍ନା, ମେଟ୍ରିକ ଯାଏଁ ପଢ଼ିଛି। ଅବଶ୍ୟ ଗରିବ ଘର, ବେସି କିଛି ଦେଇ ପାରିବନି। କିନ୍ତୁ ଝିଅର ଗୁଣ ଭଲ, ଧନ ସମ୍ପତ୍ତି ସିନା ନାହିଁ କିନ୍ତୁ ବ୍ୟବହାରରେ ସମସ୍ତଙ୍କ ମନ କିଣି ନେବ। ମୁଁ କହୁଛି ଅପା ସେମିତି ଗୋଟେ ବୋହୁ ଖୋଜିଲେ ବି ମିଳିବନି। 


ସେମାନଙ୍କ ପାଖେ ଅନ୍ୟ ଉପାୟ କିଛି ନଥିଲା, ଇଚ୍ଛା ନ ଥାଇ ଆକାଶ ମାମୁଁଙ୍କ କଥାରେ ରାଜି ହୋଇଗଲା। କିଛି କ୍ଷଣ ମଧ୍ୟରେ ସେମାନେ ପହଂଚି ଗଲେ ଏକ ଚାଳ ଛପର ଘର ଆଗରେ। ଆକାଶ କାରରୁ ଓଲ୍ହାଇ ଘରକୁ ନିରେଖି ଚାହିଁଲା। ଘରଟି ଚିନ୍ହିଲା ଚିନ୍ହିଲା ଭଳି ଲାଗିଲା। ମନେ ପକେଇଦଉଥିଲା ତା ପିଲା ଦିନ ହଜିଲା ସ୍ମୃତିକୁ । ଯୋଉଠେ ପ୍ରେତେକ ବର୍ଷା ପୂର୍ବରୁ ପୁରା ପରିବାର ଲାଗି ପଡୁଥିଲେ ଭଙ୍ଗା ଘରଟିକୁ ସଜାଡିବାରେ। ତଥାପି ନିର୍ଦୟୀ ବର୍ଷା ରାତିରେ ସୁଆଇ ଦିଏନି। ଛପର ଉପରୁ ବାଟ ଖୋଜି ପଶି ଆସେ ଘର ଭିତରକୁ। ବୋଉ, ବାପାର କୋଳରେ ମୁଣ୍ଡ ଗୁଂଜି ସୋଇଯାନ୍ତି ଦୁଇ ଭାଇ ହେଲେ ବାପା ବୋଉ ସାରା ରାତି ଅନିଦ୍ରା ରୁହନ୍ତି। ସେତେବେଳେ ସମୟ ପ୍ରତ୍ୟେକ କ୍ଷଣ ପରୀକ୍ଷା ନେଉଥିଲା। ପରିବାର ରେ ପ୍ରତିଯୋଗିତା ସୃଷ୍ଟି କରାଏ ତ୍ୟାଗ ବଳିଦାନ ପାଇଁ। ଠିକ ଯେମିତି ବଡ଼ଭାଇ ନିଜ ପଢ଼ା ଛାଡି ଦେଲେ ତା ପାଇଁ। ଜ୍ୟୋସ୍ନା ବି ସେମିତି ସାନ ଭାଇ ରାଜା ପାଇଁ ନିଜ ପାଠ ଛାଡି ଦେଇଥାଏ।


ବାପା ତମେ ମୋ ପଢା କଥା ଛାଡ, ମୁଁ ବାହା ହୋଇ ଅନ୍ୟ ଘରକୁ ଚାଲିଯିବି। ଯଦି ରାଜା ପାଠ ପଢି ଭଲ ଚାକିରୀ ଟିଏ କରିବ, ତମମାନଙ୍କ ଶେଷ ସମୟ ତକ ତ ଭଲରେ କଟିବ।


ଜ୍ୟୋସ୍ନା ବାପାର କଥା ସରୁସରୁ ଆକାଶ ନିଜକୁ ସେହି ଘର ଭିତରରେ ଏକ ଭଙ୍ଗା ଚେୟାର ଉପରେ ପାଉଛି। ଦୁଇ ଓଲି ଦୁଇ ମୁଠା ଭାତର ଅଭାବ ନ ହେବା ପାଇଁ ସାଇତା ହୋଇ ଚାରିପଟେ ରହିଥାଏ କିଛି ଧାନ, ଚାଉଳ ବସ୍ତା। ସାମ୍ନାରେ ଏକ ଥାଳି ରେ ଥୁଅ ହୋଇ ଥାଏ କିଛି ମିଠା ଓ ବିସ୍କୁଟ। ସେଠାରୁ କିଛି ଦୂରରେ ଚୁପଚାପ ଠିଆ ହୋଇ ମିଠା ଉପରକୁ ଚାହିଁ ରହି ଥାଏ ଦଶ, ବାର ବର୍ଷର ଛୁଆ ଟିଏ। ସେ ଜ୍ୟୋସ୍ନା ର ଭାଇ ବୋଧେ ଆକାଶ ଭାବିଲା।


କିଛି କ୍ଷଣ ଅପେକ୍ଷା ପରେ, ରୁଣୁଝୁଣୁ ପାଉଁଛି ଶବ୍ଦ କରି, ହାତରେ ଚାହା ଥାଳି ଧରି ଜ୍ୟୋସ୍ନା ଆସି ପହଁଚିଲା। ପାଖରେ ତା ବୋଉ ଥାଏ। ବୋଉର ପୁରୁଣା ନାଲି ଲୁଗାଟିକୁ ପିନ୍ଧି ଥାଏ। ଲାଗୁଥିଲା ହଠାତ ଅସମୟ ରେ ନୁଆଁ ବନ୍ଧୁଙ୍କ ଉପସ୍ଥିତି ଯୋଗୁ ସଜେଇ ହେବାକୁ ସମୟ ମିଳି ନ ଥିଲା। ତଥାପି ଦେଖିବାକୁ ଏତେ ଖରାପ ନ ଥିଲା। କିନ୍ତୁ ଆକାଶ ଦେଖିଥିବା ସ୍ୱପ୍ନର ଅପସରି ସେ ନ ଥିଲା। ତଥାପି କାହିଁକି ଜ୍ୟୋସ୍ନା ର ଆଖିର ସ୍ୱପ୍ନ କୁ ଦେଖି ବିଚଳିତ ହୋଇ ପଡୁଥିଲା ଆକାଶ। ଜ୍ୟୋସ୍ନା ର ବର୍ଣ୍ଣହୀନ ଅସ୍ପଷ୍ଟ ସ୍ୱପ୍ନ ଟି ରଙ୍ଗୀନ ହୋଇ ଉଠିଥିଲା। ସେହି ସ୍ୱପ୍ନ ରେ ଥିଲା କେବଳ ଆକାଶ ର ଚେହେରା। ନିରୀହ ଆଖି ଯେମିତି କଥା କହିବା ଆରମ୍ଭ କରିଦେଇଥିଲା। କହୁଥିଲା ମୁଁ ଗରିବ କମପାଠୋଇ ହେଲି ବୋଲି କ'ଣ ତମ ଘର ବୋହୂ ହବା ଯୋଗ୍ୟତା ନାହିଁ? ତମ ସ୍ୱପ୍ନର ସହଭାଗୀ ହୋଇ ପୁରା କରିବା କୁ କ'ଣ ମୁଁ ସକ୍ଷମ ନୁହେଁ? ଥରଟିଏ ମୋ ଉପରେ ବିଶ୍ୱାସ କରି ଦେଖ, ଦେଖିବ ମୋ ଭାଗ୍ୟର ସୁଖ କୁ ବି ପ୍ରେମର ଫୁଲରେ ଗୁନ୍ଥି ତମ ସାରା ଜୀବନ କୁ ସଜେଇ ଦେବି।


ପଣ୍ଡାବାବୁ, ମୋ ଝିଅ ପିଲାଟି ଦିନରୁ ବହୁ କଷ୍ଟ କରିଛି ଆଜି ବି ସିଲେଇ କରି ତା ଭାଇକୁ ପଢ଼ାଉଛି। ମୁଁ ସବୁବେଳେ ଭଗବାନ ଉପରେ ଅଭିମାନ କରି ପଚାରେ, ଜ୍ୟୋସ୍ନା ଭଳି ତ୍ୟାଗର ଦେବୀକୁ କାହିଁକି ମୋ କୋଳରେ ଦେଲ? ସେ କ'ଣ ଜୀବନ ସାରା ଏମିତି କଷ୍ଟ ଭୋଗୀ ବଞ୍ଚିବ? କିନ୍ତୁ ଭଗବାନଙ୍କ ଲିଳା ଭିନ୍ନ ଆଜି ଆପଣମାନଙ୍କୁ ଏଠାରେ ଦେଖି ଲାଗୁଛି ତା ଜୀବନରେ ବି ଅନେକ ସୁଖ ଅଛି। ଲୁହ ଛଳଛଳ ଆଖିରେ ଜ୍ୟୋସ୍ନା ବାପା ମାମୁଁଙ୍କୁ ଚାହିଁ କହିଲେ।   


ବର୍ଷା ବହୁ ଆଗରୁ ଛାଡି ଯାଇଥିଲା, ଆକାଶ ରୁ କଳା ବାଦଲ ହଟି ଯାଇଥିଲା। ସେମାନେ ହରିପୁର ଆଡକୁ ଯାତ୍ରା ଆରମ୍ଭ କଲେ। ହେଲେ ଆକାଶ ମନରେ ଦ୍ୱନ୍ଦ ର ବାଦଲ ଘୁରି ବୁଲୁଥାଏ। ଆଗରେ ଗାଈ ପଲ କୁ ଦେଖି ଡ୍ରାଇଭର କାର କୁ ଧିମା କରୁଛି। 


ଦେଖ ସେ ଘର ହେଉଛି ଅଞ୍ଜଳି ର। 


ଦୂରରୁ ରାଜଉଆସ ଭଳି ଦିଶୁଥିବା ଘର ଆଡ଼କୁ ଆଙ୍ଗୁଳି ଦେଖାଇ ମାମୁଁ କହିଲେ। ସେ ଘର ଚମକ ଆକାଶ ମନର ସମସ୍ତ ଦ୍ଵନ୍ଦ କୁ ଦୁରେଇ ଦେଇଥିଲା। ସ୍ୱପ୍ନ ଦେଖିବାକୁ ଲାଗିଲା ଅଞ୍ଜଳୀର ରାଜଉଆସ ଛାଇ ତଳେ ନିଜର ମହଲ ଗଢିବ। କିନ୍ତୁ ତା ସ୍ୱପ୍ନ କୁ ଧୂସର କରୁଥିଲା ଉଡି ଆସୁଥିବା ଗୋଧୂଳି। ଯାହାକୁ ସେ ହାତରେ ଝାଡ଼ି ପକାଉଥିଲା।


ଆକାଶ ଅନୁଭବ କଲା, ଯାହା ସେ ଗୋଧୂଳି ଭାବି ଝାଡୁଛି ତାହା ଉଡ଼ିଆସୁଥିଲା ସହରରେ ଗଢା ହେଉଥିବା ଉଚ୍ଚ କୋଠା ମଧ୍ୟରୁ। ଏମିତି ଏକ ଆକାଶ କୁ ଛୁଉଁଥିବା କୋଠା ରେ ସେ ରହୁଛି। ଅବଶ୍ୟ ଏଥିପାଇଁ ତାକୁ ଆୟ ର ଏକ ବଡ଼ ଅଂଶ ଦେବାକୁ ପଡୁଛି। ଅଞ୍ଜଳି ର ପସନ୍ଦର ସେହି ଘର। ବୋଉ କିନ୍ତୁ ପସନ୍ଦ କରେନି, କୁହେ କାହା ସହ କାହାର ମିଳାମିଶା ନାହିଁ, ଜେଲ ଭଳି ଲାଗୁଛି। ଘର ବଡ ସିନା ଏଠାରେ ରହୁଥିବା ଲୋକଙ୍କ ହୃଦୟ ବହୁତ ଛୋଟ। ଆମ ବୁଢା ବୁଢ଼ୀ ପାଇଁ ଆମ ଗାଁ ଘର ଭଲ।


ବୋଉ ମୂର୍ଖ ଲୋକ, ସେ କେମିତି ଜାଣିବ ଏ ଆକାଶକୁ ଛୁଉଁ ଥିବା ଘରେ ରହିବା ମଜ଼ା। ଯେତେବେଳେ ୟା ଉପରୁ ଦେଖିଲେ ତଳେ ଥିବା ଲୋକ ମାନେ ଜନ୍ଦା ପିମ୍ପୁଡି ଭଳି ଲାଗନ୍ତି। ସେତେବେଳେ ନିଜକୁ ଭଗବାନ ପରି ଅନୁଭବ ହୁଏ। କିନ୍ତୁ ସେହି କୁହୁକ ମହଲ କୁ ଯିବାକୁ ତା ପାଦ କାହିଁକି ପଛଘୁଞ୍ଚା ଦଉଛି ସେ ବୁଝି ପାରୁ ନଥିଲା। 


ଘରେ ଦାମିକା କାର ଅଛି ତଥାପି ସେ ତାକୁ ନିଜ ପାଇଁ ବ୍ୟବହାର କରେନି। ଅଫିସ କୁ ଚାଲି କି ଯିବା ଆସିବା କରିବା ତାକୁ ଭଲ ଲାଗେ। ଏଥିପାଇଁ ଅଞ୍ଜଳି ତାକୁ ବହୁ କଥା କୁହେ, ଝଗଡା କରେ। ସେ କିନ୍ତୁ ତା କଥା ଶୁଣେନି। ବୋଧେ ସେ ଗୋଟେଏ ଗୋଟେଏ ଟଙ୍କା ଯୋଡି ତା ପରିବାର ପାଇଁ ସୁଖ ସାଗର ଟିଏ କରିବାକୁ ଚେଷ୍ଟା କରୁଥାଏ। ଜାଣେନି ସେହି ସାଗରରେ ତା ପରିବାର କେତେ ଆନନ୍ଦ ର ଢେଉ ମାରିବେ। ଏତିକି ଜାଣିଥାଏ ସେ କିନ୍ତୁ ବୁଡୁଛି। ବୁଡି ବୁଡି ଅଣନିଶ୍ୱାସୀ ହୋଇ ଗଲାଣି। କେବଳ ମୃତ୍ୟ ହି ବିକଳ୍ପ।


ତା ବୟସ ର ସାଙ୍ଗ ମାନେ ଏବେ ସୁଦ୍ଧା ବାହା ହୋଇ ନାହାନ୍ତି। ସମାଜରେ ନିଜ ପରିଚୟ ସୃଷ୍ଟି କରିବାକୁ ସଂଗ୍ରାମ କରୁଛନ୍ତି। ହେଲେ ସେ କାହିଁକି ଏତେ କ୍ଳାନ୍ତ, ଅସହାୟ ବୃଦ୍ଧ ହୋଇଯାଉଛି? 


ସକାଳେ ଦର୍ପଣ ଆଗରେ ମୁଣ୍ଡ କୁଣ୍ଡେଇବା ବେଳେ ପାଚିଲା ନିଶ, ବାଳକୁ ଦେଖି ସେ ଏ ପ୍ରଶ୍ନ ନିଜକୁ ପଚାରିଥିଲା। ଜବାବ ମିଳିବା ପୂର୍ବରୁ ଅଞ୍ଜଳି ପଛରୁ ରଡି ଛାଡିଲା। 


ରାତିରେ ଯୋଉ କଥା କହିଥିଲି ମନେ ଅଛି ନା ଭୁଲି ଗଲଣି?


ସେ କେମିତି ସେହି କଥାକୁ ଭୁଲିଯିବ? ଯୋଉ କଥା ସାରା ରାତି ତା କ୍ଳାନ୍ତ ଶରୀରର ନିଦକୁ ହଜାଇ ଦେଇଥିଲା।  


ହାତରେ ବେସି ଦିନ ଆଉ ନାହିଁ ଯାହା କରୁଛ ଜଲ୍ଦି କର। ସ୍କୁଲ ପାଇଁ ପ୍ରସ୍ତୁତ ଥିବା ଝିଅର ହାତକୁ ଧରାଇ ଦେଇ ଅଞ୍ଜଳି କହିଲା।


କିଛି କ୍ଷଣ ପାଇଁ ଆକାଶ ଚୁପଚାପ ସ୍ତ୍ରୀ ର ଆଖି କୁ ଚାହିଁଲା। ଆକାଶ ଆଖିରେ ଭରି ରହିଥିଲା ଦୁଃଖ ଓ ଗ୍ଲାନି ର ଲୁହ। ସ୍ତ୍ରୀ, ଝିଅର ଆଶା ପୂରଣ କରିପାରୁ ନଥିବା ଜଣେ ସାଧାରଣ ଅସହାୟ ମଣିଷର ଅସମର୍ଥତା। କିନ୍ତୁ ବିଳାସପୂର୍ଣ ଜୀବନରେ ଅଭ୍ୟସ୍ତ ଅଞ୍ଜଳିର ସ୍ୱାର୍ଥୀ ହୃଦୟ ଏହା ବୁଝିବାକୁ ସମର୍ଥ ନଥିଲା।


ଆଉ କିଛିଟା ଦିନ ଭିତରେ ଝିଅର ସ୍କୁଲ ଫିସ ବାବଦକୁ ପଚାଶ ହଜାର, ଜନ୍ମ ଦିନର ପାର୍ଟି ପାଇଁ ପାଖାପାଖି ତିନି ଲକ୍ଷ ଟଙ୍କା ଦରକାର ହେବ। ତା ଭଳି ଷାଠିଏ ହଜାର ଟଙ୍କା ମାସିକ ପାଉଥିବା ଲୋକ ଟି କେମିତି ଏତେ ଟଙ୍କା ଯୋଗାଡ଼ କରିବ? ଷାଠିଏ ହଜାର ନା କୁ ମାତ୍ର ପର୍ସନାଲ ଲୋନ, କାର, ଘର ପାଇଁ ଇ.ଏମ.ଆଇ ଅଧାରୁ ଅଧିକ କଟି ଯାଉଛି। ଆଉ ଯାହା ରହିଲା ବିଳସପୂର୍ଣ ଜୀବନଯାପନ ରେ ଖର୍ଚ୍ଚ ହୋଇଯାଉଛି। ମାସ ପୁରିବା ଆଗରୁ ସାଙ୍ଗ, ସାଥି, ଚିଂହା ପରିଚୟଙ୍କ ଆଗରେ ହାତ ପତେଇବାକୁ ପଡୁଛି। ବର୍ତ୍ତମାନ ଏମିତି ଆଉ କେହି ନାହାନ୍ତି ଯାହାଠୁ ସେ ଏତେ ଟଙ୍କା କରଜ ଆଣିବ। କେମିତି ଯେ ସେତେବେଳେ ବୋଉ କିଛି ଶହ ଟଙ୍କା ରେ ପରିବାର ଚଳାଉ ଥିଲା ଆକାଶ ଭାବିକି ଆଶ୍ଚର୍ଯ୍ୟ ହେଉଥିଲା।


ଗଲା ରାତିରେ ଅଞ୍ଜଳି ସହ ଯୁକ୍ତି କରୁ କରୁ ଆକାଶ ବୋଉ ର ଉଦାହରଣ ଦେଲା। ସେ କଣ ଜାଣି ଥିଲା ଯେ ଏହାର କୁପ୍ରଭାବ ତା ରି ଉପରେ ହିଁ ପଡିବ। ଅନେକ ଦିନରୁ ଶାଶୁ ଶଶୁର କଥା ଭୁଲି ଯାଇଥିବା ଅଞ୍ଜଳି ର ହଠାତ ଗାଁ ଜମି ବାଡ଼ି କଥା ମନେ ପଡିଗଲା।


ଗୋଟେ କାମ କର, ଗାଁ ଥିବା ତମ ଭାଗର ଜମି ଘର ବିକି ଦିଅ।


ତମେ ପାଗଳ ନା କ'ଣ? ଆଜି ଯାଏଁ ଟଙ୍କା ଟିଏ ଦେଇନି କୋଉ ମୁହଁ ରେ ଯାଇ କହିବି। ଆକାଶ ଚମକି ବେଡ଼ ଉପରେ ବସିପଡି କହିଲା।


କାଇଁ, ତାଙ୍କର କ'ଣ ଅଭାବ ଅଛି ଯେ? ଯଦି ଥାନ୍ତା କହି ନଥାନ୍ତେ। ଏମିତି ବି ଆମେ କେହି ସେ ଗାଁ କୁ ଯିବା ନାହିଁ କି ରହିବା ନାହିଁ। ସେ ସମ୍ପତି ରଖି ଲାଭ କ'ଣ? ତମେ ଜଲ୍ଦି ଗାଁ କୁ ଯାଇ ବିକି ଆସ। ସେ ଟଙ୍କା ରେ ସ୍କୁଲ ଫିସ, ଜନ୍ମ ଦିନ ପାର୍ଟି ଆଉ ଯାହା ବଳିବ ମୋ ପାଇଁ ହାର ହୋଇଯିବ।


କେମିତି ଯାଇ ସେ ବାପାଙ୍କୁ କହିବ? ଯିଏ ବୋଉର ହାର୍ଟ ଅପରେସନ ପାଇଁ ଟଙ୍କା ମାଗି ମାଗି ଥକି ଯାଇଛନ୍ତି। କେମିତି ଭାଇକୁ କହିବ ଯିଏ ବେପାର ରେ କ୍ଷତି ସହି ବି କେବେ ଘରବାଡି ବିକିବା କଥା ଭାବିନି। ଆଜି ବି ଭାଇ କଥା ଆଳରେ ତା ଠାରୁ କିଛ ସାହାଯ୍ୟ ର ଆଶା ରଖେ। କିନ୍ତୁ ସେ ସବୁ ବୁଝି ନ ବୁଝିବା ଭଳି ଅଭିନୟ କରେ। ଅଭିନୟ ସେ ଏବେ ବି କରୁଛି ନିଜର କୁନି ଝିଅ ପାଖରେ। କାର ଚଲଉ ଚଲଉ କେତେବେଳେ ଯେ ତା ଆଖିରୁ ଦୁଇ ଧାରା ଲୁହ ବୋହି ପଡିଛି, ସେ ଜାଣି ପାରି ନାହିଁ।


ପାପା ଗୋଟେ କଥା କହିବି, ମୋ ଉପରେ ରାଗିବନି ନା? ତା କୁନି ହାତରେ ମଲମ ବୋଲିବା ଭଳି ଝିଅ ଆକାଶ ଆଖିର ଲୁହ କୁ ପୋଛି ଦେଲା।


ନା.... କହୁନୁ...। ଆକାଶ ଟିକିଏ ମୁରୁକି ଦେଇ କହିଲା।


ପାପା ତମେ କାନ୍ଦନି, ମୋ ବାର୍ଥଡେ ପାର୍ଟି ପାଇଁ ଚିନ୍ତା କରନି। ପ୍ରିୟା ଭଳି ମୁଁ ବି ସ୍କୁଲ ରେ ଚକଲେଟ ବାଣ୍ଟି ଦେବି। 

 

ବୋଧେ ତା ଛୋଟ ହୃଦୟ ଟି ବାପାର ଅସମର୍ଥତା ବୁଝିପାରୁଥିଲା। ଆକାଶ ମନର କୋହକୁ ଚାପି ଲୁହକୁ ପୋଛି ଝିଅକୁ କୁଣ୍ଢେଇ ଧରିଲା। ସ୍ନେହରେ ମୁଣ୍ଡକୁ ଆଉଁସି ଓହ୍ଲାଇ ଦେଲା ସ୍କୁଲ ଗେଟ ଆଗରେ।


ଆଜିର ବିଳସପୂର୍ଣ ଘର ଠୁ ପିଲାଦିନର ସେହି ଭଙ୍ଗା ଚାଳଘରେ ଏମିତି କ'ଣ ଯାଦୁ ଥିଲା ଯେ ସ୍କୁଲ ଛୁଟି ହେଲେ ସେ ଗୋଟେ ନିଶ୍ୱାସ ରେ ପହଞ୍ଚି ଯାଉଥିଲା। ନିଜକୁ ପ୍ରଶ୍ନ କଲା। ପ୍ରେମ ଯାହା କି ଆଜିର ବସ୍ତୁବାଦୀ ସ୍ୱାର୍ଥୀ ମଣିଷ ପାଖରେ ଆଶା କରିବା ମୂର୍ଖାମୀ।


ତା ହେଲେ ସେ କରିବ କ'ଣ? 


ଦୂରରୁ ଶୁଭୁଥାଏ ଟ୍ରେନ ର ଶବ୍ଦ, ତା ଅଜାଣତରେ ପହଂଚି ଯାଇଥିଲା ରେଳ ଧାରଣ ଉପରେ।


ଆତ୍ମହତ୍ୟା? ହଁ ଏହା ହିଁ ତା ଶେଷ ବିକଳ୍ପ। ରେଳ ଦୁଇ ଧାର ଉପରେ ସିଧା ହୋଇ ଶୋଇ ଯାଉଛି। କିଛି କ୍ଷଣ ର କାନ ଫଟା ଧ୍ୱନି ପରେ ସବୁ କିଛି ଶାନ୍ତ ହୋଇ ଯାଉଛି।  ଏମିତି ଶାନ୍ତି ଯାହା ବହୁ ବର୍ଷ ହେଲା ସେ କାମନା କରୁଥିଲା।କିନ୍ତୁ ତା ପରିବାର ର କ'ଣ ହେବ, ତା ବିନା କ'ଣ ସେମାନେ ଶାନ୍ତି ରେ ବଞ୍ଚି ପାରିବେ? ଆକାଶ ଚିତ୍କାର କରି ବେଡ଼ ଉପରରେ ଉଠି ବସୁଛି। ଦେହ ଝାଳରେ ବୁଡି ଯାଇଥିଲା। 


କ'ଣ ହେଲା? ଏମିତି ରଡି ଛାଡିଲ ଯେ? ଜ୍ୟୋସ୍ନା ଦୌଡ଼ି ଆସିଲା। 


ଓଃ ବୁଝିଲି, ତମେ ଛାଇ ନିଦରେ ଟିଭି ର ଖବର ଟା କୁ ସ୍ୱପ୍ନ ଭାବୁଥିଲ। 


ଆକାଶ ଟିଭି କୁ ଚାହିଁଲା। ତାରି ଭଳି ଜଣେ ମଣିଷ ରେଳ ଧାରଣ ଉପରେ ମରି ପଡିଛି। ତା ମାନେ ସେ ସ୍ୱପ୍ନ ଦେଖୁଥିଲା? ଏବେ ବି ସେ ଦ୍ଵନ୍ଦ ରେ ଥିଲା।


ମୁଁ ଗୋଟେ କଥା କହିବି ରାଗିବନି? ଜ୍ୟୋସ୍ନା ପାଖରେ ବସି ସ୍ନେହରେ କହିଲା। ଆକାଶ ଆଖି ଠାରି ସହମତି ଦେଲା।


କହୁଥିଲି କଣ କି, ଏ ବର୍ଷ ଆମ ଝିଅର ଜନ୍ମ ଦିନ ପାର୍ଟି, ଆଉ କାର କିଣିବା ପ୍ଲାନ କ୍ୟାନ୍ସଲ କରିଦିଅ। ସେହି ଟଙ୍କା ରେ ଆମେ ବୋଉଙ୍କ ହାର୍ଟ ଅପରେସନ, ଭାଇଙ୍କ କରଜ ଶୁଝିଦେବା।


କିନ୍ତୁ ବୋଉ, ଭାଇ ପାଇଁ ନିହାତି ଆଠ ଦଶ ଲକ୍ଷ ଦରକାର ପଡିବ ଏତେ ଟଙ୍କା କାହିଁ ମୋ ପାଖେ? 


ତମ ବ୍ୟାଙ୍କ ରେ କିଛି ଟଙ୍କା ଅଛି, ଆଉ କିଛି ଲୋନ କର। ମୋ ବୁଟିକ ବି ତ ଭଲ ଚାଲୁଛି। ଦୁହେଁ ମିଶି ଧୀରେ ଧୀରେ ଲୋନ ସୁଝିଦେବ।


କିନ୍ତୁ?


ଆଉ ସମୟ ଗଡାଅ ନାହିଁ ଆକାଶ। ପ୍ଲିଜ଼ ଯାଇ ଶୀଘ୍ର ଟଙ୍କା ବ୍ୟବସ୍ତା କର। ଆକାଶ ଚୁପ ରହିଲା, ତଥାପି ସେ ବୁଝି ପାରୁନଥିଲା ସ୍ୱପ୍ନ କୋଉଟା, ଯାହା ସେ ଦେଖି ସାରିଛି ନା ଯାହା ସେ ବର୍ତ୍ତମାନ ଦେଖୁଛି?


ସ୍ୱପ୍ନ ବାସ୍ତବତା ର ଫରକ ଖୋଜୁ ଖୋଜୁ ଆକାଶ ହସି ଉଠିଲା। ତାହା ଥିଲା ଜୀବନ ଭଉଁରୀ କୁ ମାତ ଦେଇ ବିଜୟୀ ହେବାର ଅପୂର୍ବ ଆନନ୍ଦ। ସେଦିନ ଯେତେବେଳେ ଅଞ୍ଜଳି ର ରାଜଉଆସ ଚମକ ତା ମନ କୁ ଆକର୍ଷିତ କରି ଟାଣି ନେଉଥିଲା, ଜ୍ୟୋସ୍ନା ହୃଦୟ ର ପବିତ୍ର ପ୍ରେମର ଚମକ ତା ମନର କଳା ବାଦଳ କୁ ଚିରି ଆତ୍ମା କୁ ଆଲୋକିତ କରି ଦେଇ ଥିଲା। ସେ ଫେରିଆସିଥିଲା ଅଞ୍ଜଳି ଘର ଦୁଆରୁ। ଜୀବନ ସାଥି ରୂପେ ଜ୍ୟୋସ୍ନା କୁ ବାଛି ନେଇଥିଲା।




Rate this content
Log in

Similar oriya story from Drama