Rama Chandra Padhi

Tragedy Inspirational

3  

Rama Chandra Padhi

Tragedy Inspirational

ଶେଷ ଠିକଣା

ଶେଷ ଠିକଣା

10 mins
53



ଗ୍ରୀଷ୍ମର ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, କରେଣ୍ଟ ବି ଭଗାରି ସାଜି ଅନେକ ସମୟରୁ ଚାଲିଯାଇଥିଲା। ମଝିରେ ମଝିରେ ଝରକା ବାହାରୁ ଝାଞ୍ଜି ପବନ ଆସି ଶରୀରକୁ ଜାଳି ପୋଡି ପକାଉଥାଏ। ସାରା ଦେହ ଝାଳରେ ଓଦା, ମୁହଁ ହାତ ଧୂଳି ଅଳନ୍ଧୁ ରେ ଭର୍ତ୍ତି। ଏମିତି ଏକ ଯନ୍ତ୍ରଣାଦାୟୀ ପରିବେଶ ବି ଆମ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ପାଇଁ ପ୍ରଭାବହୀନ ଥିଲା। ଝାଳକୁ ପୋଛି ମୁଁ ଆଉ ଅନିତା ଲାଗିପଡ଼ିଥାଉ ଅନେକ ଦିନରୁ ବନ୍ଦଥିବା ଘରଟିକୁ ସଫା କରିବାରେ। ଥକି ପଡ଼ିଲେ ପାଣି ମୁନ୍ଦେ ପିଇ ଦେଇ ପୁଣି ଥରେ ଆମ କାମରେ ଲାଗିପଡୁ। ଅସ୍ତବ୍ୟସ୍ତ ପଡି ରହିଥିବା ଆସବାବପତ୍ର ଉପରେ ବସି ଆମକୁ ନିରେଖି ଚାହିଁ ଘୁମେଇ ପଡୁଥାଏ ଆମର ପାଞ୍ଚ ବର୍ଷର ଝିଅ ଆଦ୍ୟା। ଆଖିକୁ ମନ୍ଥି ବାରମ୍ବାର ନିଦ ଉପରେ କାବୁ ପାଇବାକୁ ସେ ଅସଫଳ ପ୍ରୟାସ କରୁଥାଏ।  


'ସ୍ୱର୍ଗ' ହଁ ଏହା ହିଁ ତ ବାହାର ଫଳକ ରେ ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି। ନାଁ ଟି ସର୍ବପ୍ରଥମେ ଆମ ଦୁହିଁଙ୍କୁ ଘରଟିକୁ କିଣିବାକୁ ଆକୃଷ୍ଟ କରିଥିଲା। ବ୍ରୋକର ଜଣକ ତାଲା ଖୋଲି ଘର ଭିତର ଦେଖାଇବା ପରେ ନାହିଁ କରିବା ପ୍ରଶ୍ନ ଉଠୁ ନଥିଲା। ଦୀର୍ଘ ଦିନରୁ ଆମେ ଦୁଇଜଣ ଏମିତି ଏକ ଘର ସନ୍ଧାନ ରେ ଥିଲୁ। ବୋଧେ ପିଲାଦିନରୁ, ଯେବେଠୁ ନିଜ ଘର ଏବଂ ଅନାଥ ଆଶ୍ରମ ଭିତରେ ପ୍ରଭେଦ ବୁଝିବା ଆରମ୍ଭ କଲୁ। ସ୍ବପ୍ନ ଦେଖୁଥିଲୁ ନିଜସ୍ଵ ଠିକଣା ଟିଏ ଗଢିବୁ ବୋଲି। ବିବାହ ପରେ ଆମ ଦୁହିଁଙ୍କ ସ୍ବପ୍ନ ମଧ୍ୟ ଏକ ହୋଇଗଲା। କିନ୍ତୁ ସ୍ବପ୍ନ ଏତେ ସହଜେ ପୁରା ହୁଏନି। ଏଥିପାଇଁ ନିଷ୍ଠା ଓ କଠୋର ସାଧନାର ଆବଶ୍ୟକ। ଏ କଥା ଜାଣିବାକୁ ଆମକୁ ବେଶିଦିନ ଲାଗି ନଥିଲା। ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ମୁଁ ଆଉ ଅନିତା ଦିନ ରାତି ଏକ କରି ପରିଶ୍ରମ କଲୁ। ଅନେକ ବାଧା ବିଘ୍ନକୁ ସାମନା କରିବା ପରେ ଶେଷରେ ସ୍ବପ୍ନ ସତ ହେଲା। ଆମ କଳ୍ପନା ଠୁ ବି ଅଧିକ ସୁନ୍ଦର ଘରଟି ମିଳିଲା। ଯାହାର ନିଅଁ ବିଶ୍ୱାସ ଚଟାଣ ଉପରେ ଦୃଢ଼ତାରସହ ଠିଆ ହୋଇଥିଲା। ପ୍ରେମର ପରସ୍ତରେ ପ୍ରତ୍ୟେକ ଇଟା ଯୋଡ଼ା ଯାଇଥିଲା। ସ୍ନେହ ରଙ୍ଗର ପ୍ରଲେପ ପାଇ କାନ୍ଥ ଗୁଡିକ ଚମକୁ ଥିଲା। ସେହି ଚମକ ଭିତରେ କାହା ହୃଦୟର ଅଧୁରା ସ୍ୱପ୍ନର କିଛି ଅସ୍ପଷ୍ଟ ଛବି ଦାଗ ଭଳିଥିଲା। ଲାଗୁଥିଲା ଘରଟି କହିବାକୁ ଚାହୁଁଛି କାହା ସ୍ନେହ ମମତା ଭଲପାଇବା କାହାଣୀ। 


ଶୀତଳ ପବନ ଆଶାରେ ମୁଁ ପାଣି ବୋତଲ ଧରି ବାଲକୋନି ରେ ଆସି ଠିଆ ହେଲି। ଲମ୍ବା ନିଶ୍ୱାସ ମାରି ପାଣି ଢୋକେ ପିଇ ରାସ୍ତାକୁ ଚାହିଁଲି। ସଳଖ କଳା ପିଚୁ ରାସ୍ତାଟି ଜନ ଶୂନ୍ୟ ଥିଲା। ଆଖି ପାଇଲା ଯାଏଁ ରାସ୍ତାଟି ଉପରେ ଉତପ୍ତ ବାଷ୍ପ ଢେଉ ମାରୁଥିଲା। ବୃକ୍ଷଲତା ସବୁ ଝାଉଁଳି ଚେତାଶୂନ୍ୟ ଲାଗୁଥିଲେ। ସେହି ଉଦୁଉଦିଆ ଖରାବେଳରେ ସୂର୍ଯ୍ୟଙ୍କ ଅଗ୍ନି ବର୍ଷାକୁ ତିଳେ ବି ଭ୍ରୁକ୍ଷେପ ନ କରି ଦୁଇଟି ପକ୍ଷୀ ମଗ୍ନ ଥାନ୍ତି ନିଜ ସ୍ୱପ୍ନର ବସା ଗଢିବାରେ। ତତଲା ଭୁଇଁରୁ କାଠିକୁଟା ଧରି ବାରମ୍ବାର ଉଡି ଯାଉଥିଲେ ପାଖ ଗଛ ଡାଳକୁ। ଯେଉଁଠି ସେମାନେ ସୃଷ୍ଟି ର ଅଂଶରୁ ନିଜେ ସୃଷ୍ଟି କର୍ତ୍ତା ସାଜିବେ। ଅଣ୍ଡା ଦେବେ, ନୁଆଁ ସଂସାର ଗଢିବେ। ନିଜକୁନିକୁନି ଛୁଆଙ୍କୁ ସବୁ ଆପଦ ବିପଦରୁ ସୁରକ୍ଷିତ ରଖିବେ। ପ୍ରକୃତିର ସରଞ୍ଚନା ରେ ଭାଗିଦାର ହେବେ। ପକ୍ଷୀ ଜନ୍ମର ଯଥାର୍ଥତା ପ୍ରତିପାଦନ କରିବେ। ବୋଧେ ଏହି ଭାବନା ହିଁ ପ୍ରତେକଟି କଷ୍ଟ, ଯନ୍ତ୍ରଣାକୁ ସାମ୍ନା କରିବାକୁ ସେମାନଙ୍କ ଶରୀରରେ ଶକ୍ତି ସଞ୍ଚାର କରୁଥିଲା। ମଣିଷ ବି ତ ଏହି ପକ୍ଷୀ ମାନଙ୍କ ଭଳି। କେତେ କଷ୍ଟ, ତ୍ୟାଗ କରି ଘର ଟିଏ କରେ ନିଜ ଭବିଷ୍ୟତ ଦାୟାଦ ଙ୍କୁ ସୁରକ୍ଷିତ ଆଶ୍ରୟ ଖଣ୍ଡିଏ ଦେବା ଆଶାରେ। ମୁଁ ମନରେ ଭାବୁଥାଏ। ପଛରୁ ଅନିତା ସ୍ୱର ଶୁଭିଲା...


"ଏତିକିରେ ଥକି ପଡିଲ ନା କ'ଣ?" 


"ନା...।" ମୁଁ ଅନିତାକୁ ବୁଲି ଚାହିଁ ହସିଦେଲି। 


"ଆସ ଦେଖିବ, ଏଠି ଆମ ଭଳି ଦୁଇଟି ପକ୍ଷୀ କେମିତି ଖରାତରାକୁ ଖାତିରି ନକରି ବସା ତିଆରି କରୁଛନ୍ତି।"


ଅନିତା ତରବର ହୋଇ ଆସିଲା, ମୁଁ ପକ୍ଷୀଙ୍କ ଆଡକୁ ହାତ ଠାରି ଦେଖେଇଲି। ପକ୍ଷୀ ଦୁଇଟିକୁ ଦେଖି ଅନିତା କିଛି କ୍ଷଣ ନିରବ ରହିଲା, ଟିକିଏ ଗମ୍ଭୀର ହେଲା ଭଳି ଲାଗିଲା।


"ସତରେ ବିପ୍ଳବ ଏ ପକ୍ଷୀ ଦୁଇଟି ଠୁ ଆମକୁ ଶିଖିବାକୁ ହେବ ଘର ଗଢିବାକୁ ହେଲେ କେତେ କଷ୍ଟ ସହିବାକୁ ପଡେ।" 


"କିନ୍ତୁ ଏ କଷ୍ଟକୁ କଣ କେବେ ସାନ୍ତାନମାନେ ଅନୁଭବ କରିପାରିବ? ଏତେ ସବୁ କରିବାର ଶେଷ ପରିଣତି କଣ ହେବ? ଛୁଆଟି ବଡ଼ ହୋଇଗଲେ ଉଡି ଅନ୍ୟକୁଆଡେ ଚାଲିଯିବି, ନଚେତ ବସା ଉପରେ ନିଜ ଅଧିକାର ସାବ୍ୟସ୍ତ କରି ଏହି ନିରୀହ ପକ୍ଷୀ ଦୁଇଟିକୁ ଖୁମ୍ପି ରକ୍ତାକ୍ତ କରି ବାହାର କରିବ।" 


ଅନିତା ନିରବ ଥିଲା ସେହି ପକ୍ଷୀ ଦୁଇଟିକୁ ଚାହିଁରହି କିଛି ଭାବୁଥିଲା। 


"ବେଳେବେଳେ ଆମ ସମାଜର ସ୍ଥିତି ଦେଖିଲେ ମୋତେ ବହୁତ ଡରମାଡୁଛି ଅନିତା। କେମିତି ସନ୍ତାନମାନେ ଏତେ ସ୍ୱର୍ଥୀ ହୋଇ ପାରୁଛନ୍ତି! ଭାବି ଆଶ୍ଚର୍ଯ୍ୟ ଲାଗୁଛି। ମନରେ ଅନେକ ପ୍ରଶ୍ନ ଜନ୍ମ ନେଉଛି। ଆମେ ସିନା ଅନାଥ ସେଥିପାଇଁ ଘର କଣ, ବାପା ମା ଙ୍କ ସ୍ନେହ, ତ୍ୟାଗ କଣ ଜାଣିନେ କିନ୍ତୁ ବୃଦ୍ଧବସ୍ଥା ରେ ଆମ ଆଦ୍ୟା କଣ ଆମ କଷ୍ଟ ତ୍ୟାଗକୁ ସଂମାନ ଦେଇପାରିବ? ଆମ ହୃଦୟ ଯନ୍ତ୍ରଣାକୁ କଣ ଅନୁଭବ କରି ପାରିବ? ନିଜ ସନ୍ତାନ ଭଳି କଣ ଆମ ସେବା ଯତ୍ନ କରିପାରିବ?"


"ଏ ପ୍ରଶ୍ନର ଉତ୍ତର ଆଜି ଯାଏଁ କୌଣସି ବାପା ମା ଖୋଜି ନାହାନ୍ତି କି ଆମେ ବି ଖୋଜିବା ଉଚିତ ନୁହେଁ।" 


"କିନ୍ତୁ ମୁଁ ଅନ୍ୟମାନଙ୍କ ଭଳି ମନର ପ୍ରଶ୍ନକୁ ମନରେ ରଖି ସାରା ଜୀବନ ଛଟପଟ ହୋଇ ମରିବାକୁ ଚାହୁଁନି ଅନିତା।"


"ହୋଉ ହେଲା ଏତିକିରେ ତମ ଫିଲୋସଫି ବନ୍ଦ କର। ଚାଲ କାମରେ ଲାଗିଯାଆ। ଯାହା ଆମ ଭାଗ୍ୟରେ ଥିବ ହବ, ତାକୁ ଏବେ ଠୁ ଚିନ୍ତାକରି ଦୁଃଖ କରିବା ଠିକ ନୁହେଁ।" ଅନିତା ଠିକ କହିଲା ଜୀବନର ଏଭଳି ଏକ ସ୍ମରଣୀୟ ମୁହୂର୍ତ୍ତରେ ଭବିଷ୍ୟତକୁ ନେଇ ଏତେ ଚିନ୍ତିତ ହେବା ଠିକ ନୁହେଁ ଭାବି ମୁଁ ପୁଣି ଥରେ ଘର ସଫା କରିବାରେ ଲାଗିଗଲି।

 

ଘର ସଫା କରୁ କରୁ ଭଙ୍ଗା ଚଷମା ଟିଏ ମିଳିଲା। ଲାଗୁଥିଲା କୌଣସି ବୟସ୍କ ବ୍ୟକ୍ତିର, ବୋଧେ ପୂର୍ବ ଘର ମାଲିକର ମନରେ ଭାବିଲି। ଚଷମାକୁ ଗୋଟେଇ ଡଷ୍ଟବିନ ରେ ପକେଇଲା ବେଳେ ନଜ଼ର ପଡିଲା କୋଣ ରେ ପଡିଥିବା ପୁରୁଣା ଡ଼ାଏରିଟି ଉପରେ। ବହଳେ ଧୂଳି ର ଆସ୍ତରଣରେ ଘୋଡେଇ ହୋଇ ରହିଥିଲା। ଲାଗୁଥିଲା ଅମୁଲ୍ୟ ବସ୍ତୁ ଟିଏ। ପ୍ରକୃତି ନିଜ ସୁରକ୍ଷା ବଳୟରେ ଘୋଡେଇ ରଖିଛି। ଡାଏରିକୁ ଉଠେଇ ଡଷ୍ଟବିନ ରେ ଫୋପାଡ଼ି ଦେବି ବୋଲି ଭାବୁଥିଲି। କାହିଁକି କେଜାଣି ହାତ ଅଟକି ଗଲା। ପୃଷ୍ଠାକୁ ଆଡେଇ ଦେଖିଲି। ପ୍ରଥମ ପୃଷ୍ଠାରେ ଜଣେ ବୟସ୍କ ସ୍ତ୍ରୀ ଲୋକର ଫୋଟୋ ଟିଏ ଯତ୍ନରେ ରଖା ଯାଇଥିଲା। ତାରି ତଳେ କିଛି ଧାଡି ଲେଖା ଯାଇଥିଲା,


"ଜୀବନ ମହାସଂଗ୍ରାମ ରେ ନିଜକୁ ଅଜୟ, ଅମର ଭାବୁଥିଲି। ହେଲେ ଅନ୍ତିମ ଯୁଦ୍ଧରେ ଶକ୍ତିହୀନ ହୋଇଯାଇଛି। ଭୀଷ୍ମ ଭଳି ଏକାକୀ ଲୁହର ଶଯ୍ୟାରେ ଛଟପଟ ହେଉଛି। ମନରେ ବଞ୍ଚିବା ଲାଳସା ଅଛି କିନ୍ତୁ ଜୀବନ ଅଭିଶପ୍ତ ଲାଗୁଛି। ଇଛା ହୁଏ କେହି ତ ଅର୍ଜୁନ ସାଜି ଆସନ୍ତା, ସ୍ନେହର ବାଣରେ ପ୍ରେମର ଗଙ୍ଗା ଟିଏ ଖୋଳି ଦିଅନ୍ତା। ଅତ୍ମୀୟତାର ମଧୁର ବାଣୀ ରେ ମୋ ହୃଦୟ ଶୋଷକୁ ମେଣ୍ଟେଇ ଦିଅନ୍ତା। କିନ୍ତୁ ମୋ ଭାବନା କେବଳ ଭାବନା ହୋଇ ରହିଛି। ନିର୍ଜୀବ ଚାରି କାନ୍ଥରେ ବାଜି ମୋରି କାନରେ ପ୍ରତିଧ୍ବନିତ ହେଉଛି। ହୃଦୟ ରେ ପିଟି ହୋଇ କ୍ଷତାକ୍ତ କରିଦେଉଛି ମୋ ମନ ପ୍ରାଣକୁ। ଏକାକୀ ଅସହ୍ୟ ଯନ୍ତ୍ରଣା ରେ ଆଜି ମୁଁ ଛଟପଟ ହେଉଛି। ମୋର ଏ ଯନ୍ତ୍ରଣାର ଉପଶମ କରିବାକୁ ନା ତୁମେ ଅଛ ଋକ୍ମୁଣି ନାହିଁ ଆମ ପୁଅ ସୌମ୍ୟ ପାଖେ ଏତେ ସମୟ ଅଛି।" 


"ଏ ସୌମ୍ୟ ସେହି ସୌମ୍ୟ ଶେଖର ଦାସ ତ ନୁହନ୍ତି ଯାହାଙ୍କ ଠୁ ମୁଁ ଏ ଘର କିଣିଛି।" ମନରେ ପ୍ରଶ୍ନ କରି ମୁଁ ପୃଷ୍ଠା ଓଲଟେଇ ଦେଖି ଚାଲିଲି।


ଦେଖିଲ ଋକ୍ମୁଣି ତୁମ ବିନା କ୍ଷଣେ ରହି ପାରୁନଥିବା ମଣିଷଟି କେମିତି ଦୁଇ ବର୍ଷ ହେଲା ବଞ୍ଚି ରହିଛି। ହେଲେ ଏହି ଦୁଇ ବର୍ଷରେ ଏମିତି ବି ଗୋଟେ ମୁହୂର୍ତ୍ତ ନାହିଁ ଯେ ମୁଁ ତମକୁ ଖୋଜିନି। ଭୁଲିବାକୁ ଚେଷ୍ଟା କରି ବି ପାରିନି। ଆଜି ବି ଏ ଘରର ପ୍ରତି କୋଣ ଅନୁକୋଣରେ ତୁମ ଉପସ୍ଥିତକୁ ମୁଁ ଅନୁଭବ କରୁଛି। ବସ ଏତିକି ଅନୁରୋଧ ମୁଁ ମଲା ଯାଏଁ ତମେ ଏମିତି ସାୟା ହୋଇ ମୋ ପାଖେ ପାଖେ ରହିଥିବ। 


କିଛିଦିନ ହେଲା ମୋତେ ଏ ଦୁନିଆଁ ଦୁଇଟି ଭାଗରେ ବାଣ୍ଟି ହେଲା ଭଳି ଲାଗୁଛି। ଗୋଟିଏ ହେଲା ପୁଅ ଝିଅ ପରିବାରକୁଟୁମ୍ବକୁ ନେଇ ଆନନ୍ଦ ଉଲ୍ଲାସଭରା ରଙ୍ଗୀନ ଦୁନିଆଁ ଯେଉଁଠି ସମୟ ଗତିଶୀଳ। ଅନ୍ୟ ଟି ମୋ ଭଳି ସମୟ ତାତିରେ ଶୁଖି ପଡିଥିବା ମଣିଷଙ୍କର ଚାରି କାନ୍ଥ ଭିତରର ବର୍ଣହୀନ ଦୁନିଆଁ ଯୋଉଠି ଯାନୀ ଯାତ୍ରା ଆନନ୍ଦ ଉତ୍ସବ ସବୁକିଛି ଅଟକି ଯାଇଛି ଏକାନ୍ତର ଛାଇ ତଳେ।


ଜାଣିଛ ଋକ୍ମୁଣି ଜୀବନର ସବୁଠୁ ବଡ଼ କଷ୍ଟ କ'ଣ? ସଭିଏଁ ପାଖରେ ଥାଇ ବି ନିଜକୁ ଏକାକୀ ପାଇବା। ତୁମେ ଭାଗ୍ୟବାନ ଏ ଯନ୍ତ୍ରଣା କେଡେ ଅସହ୍ୟ ଜାଣିନ। ମୋର ସେ ଭାଗ୍ୟ ନାହିଁ। ପୁଅ ବୋହୂ ନାତି ନାତୁଣୀ ଚାକର ଚାକରାଣୀରେ ଭର୍ତ୍ତି ଏ ବିଶାଳ ଘରେ ମୁଁ ଏକାକୀ ଯନ୍ତ୍ରଣା ରେ ଛଟପଟ ହେଉଛି। ଉପଶମ ବଦଳରେ ଯନ୍ତ୍ରଣା ଆହୁରି ବଢ଼ିଯାଏ ଯେତେବେଳେ ବୟସ ଆଳରେ ମୋତେ ସାମାଜିକ ବାସନ୍ଦ କରିଦିଆଯାଏ। ମୋ ସ୍ବପ୍ନ, ମୋ ଆଶା ମୋ ହୃଦୟର ଖୁସିକୁ ମୋ ଠାରୁ ଦୁରେଇ ଦିଆଯାଏ। ବାରମ୍ବାର ଜଣାନ୍ତି ମୁଁକୁଆଡେ ମୃତ୍ୟୁ ପ୍ରତୀକ୍ଷାରେ ଥିବା ଜଣେ ଅସହାୟ ବୃଦ୍ଧ। ମୋ ଭାଗର ଆନନ୍ଦ ମୁହୂର୍ତ୍ତକୁ ମୁଁ ସାରି ସାରିଛି। ଜୀବନ ଜୀଇଁବା ଅଧିକାର ମୋର ଆଉ ନାହିଁ। ସେଥିପାଇଁ ତ ଆଜି ମୋର ଜନ୍ମଦିନ ବୋଲି ସଭିଏଁ ଜାଣି ବି ଅଜଣା ହେଉଛନ୍ତି। କାହା ପାଖେ ଶୁଭେଚ୍ଛା ର ଦୁଇପଦ ବାର୍ତା ଦେବାକୁ ବି ସମୟ ନାହିଁ। 


"ଅନେକ ଥର ଭାବିଛି ଋକ୍ମୁଣି ଡାଏରି ଲେଖିବା ଛାଡି ଦେବି। କିନ୍ତୁ ପାରିନି ତୁମ ଅନ୍ତେ ଏ ଡାଏରି ଦ୍ୱାରା ହିଁ ତ ତମ ସହ ଗପି ପାରୁଛି। ମନର କଥା ତମକୁ କହିପାରୁଛି। ମନ ହାଲୁକା ହେଇଯାଉଛି। ଲାଗ ତମେ ବି ମୋ ପାଖରେ ଅଛ। ମନଦେଇ ମୋ କଥା ସବୁ ଶୁଣୁଛ, ମୋତେ ସାନ୍ତ୍ୱନା ଦେଉଛ। କିନ୍ତୁ ମୋ ଜୀବନର ଏ ସୁଖ ଟିକକ ବି ବୋଧେ ଚାଲିଯିବା। କିଛିଦିନ ହେବ ଆଖିକୁ ଠିକରେ ଦେଖା ଯାଉନି। ବୋଧେ ଚଷମା ବଦଳେଇବାକୁ ପଡିବ। ସୌମ୍ୟକୁ ଅନେକ ଥର କହିଲିଣି। ତା ପାଖେ ସମୟ କାହିଁ, ସବୁବେଳେ ବାହାନା କରି ଟାଳି ଦେଉଛି। ମୋତେ ବି ବାରମ୍ବାର କହିବାକୁ ଭଲ ଲାଗୁନି। ଦେଖାଯାଉ କେତେଦିନ ମୋ ଆଖିକୁ ଦିଶୁଛି, ଯେପର୍ଯ୍ୟନ୍ତ ଦିଶୁଥିବ ଲେଖୁଥିବି। ଯଦି ଲେଖିବା ବନ୍ଦ କରିଦିଏ ମୋତେ କ୍ଷମା କରିଦେବ ଋକ୍ମୁଣି।"


ଆଖିକୁ ଦିସୁନି ବୋଲି ବାରମ୍ବାର ସୌମ୍ୟକୁ କହିବିନି ଭାବି ବି ଆଜି ପୁଣି ଥରେ କହିଦେଲି। କିନ୍ତୁ ଜାଣି ନଥିଲି ସେ ପୁଅର ଜନ୍ମଦିନ ପ୍ରସ୍ତୁତି ପାଇଁ ବ୍ୟସ୍ତ ଅଛି ବୋଲି। ସେ ମୋ ଉପରେ ବିରକ୍ତ ହେଲା। ମୁଁକୁଆଡେ ଠକ ଜାଣି ଶୁଣି ତା ସହ କାର ରେ ବାହାରେ ବୁଲିବା ପାଇଁ ବାହାନା କରୁଛି। କିଛି ଟଙ୍କା ମୋ ଆଡ଼କୁ ଫିଙ୍ଗିଦେଇ କହିଲା "ଯଦି ଏତେ ତରବର ଅଛି କୋଉ ଗୋଟେ ଚାକରକୁ ଧର ଡାକ୍ତର ପାଖକୁ ଚାଲିଯାଅ ପ୍ଲିଜ ସବୁଦିନ ମୋ ମୁଣ୍ଡ ଖାଅନି।" କିନ୍ତୁ ମୋ ମନ କହୁନୁ ମୁଁ ଅନ୍ୟ କାହା ସହ ଯିବାକୁ। ବର୍ତ୍ତମାନ ମୁଁ ଦ୍ୱନ୍ଦ ରେ ଅଛି ସତରେ ମୋ ଆଖିକୁ ଦିସୁନି ନା ଜଣେ ବାପାର ହୃଦୟ ମିଛ ବାହାନା କରୁଛି ତା ପୁଅର ବହୁମୂଲ୍ୟ ସମୟରୁ ଟିକିଏ ପାଇବାକୁ।


ବାସ ଏହା ହିଁ ସେ ବୃଦ୍ଧଙ୍କ ଶେଷ ଲେଖା ଥିଲା। ଏବେ ବି ଡାଏରି ରେ ଅନେକ ପୃଷ୍ଠା ଖାଲି ଥିଲା। ଠିକ ଯେମିତି ସେ ବୃଦ୍ଧଙ୍କ ଜୀବନ ଭଳି। ସେହି ଖାଲି ପୃଷ୍ଠା ରେ ବି ଥିଲା ଏକ ହୃଦୟ ବିଦାରକ କାହାଣୀ। ଯାହାକୁ ପଢି ମୋ ଆଖିରୁ ଲୁହ ଝରି ପଡୁଥିଲା। ହୃଦୟ ଭରି ଯାଇଥିଲା କୋହରେ। ମୁଁ ଅଣନିଶ୍ୱାସୀ ହୋଇ ଯାଉଥିଲି ମୋ ସ୍ୱପ୍ନର ସ୍ଵର୍ଗ ଭିତରେ। ମୁଁ ଚିତ୍କାର କରିବାକୁ ଲାଗିଲି।


"ହେ ଭଗବାନ, ଯଦି ଏହା ସ୍ୱର୍ଗ ମୋତେ ଏ ସ୍ୱର୍ଗ ଦରକାର ନାହିଁ ପ୍ରଭୁ, ମୋତେ ଏ ସ୍ୱର୍ଗ ଦରକାର ନାହିଁ।"


ମୋ ଚିତ୍କାର ଶୁଣି ଅନିତା ମୋ ପାଖକୁ ଦୌଡ଼ି ଆସିଲା।


"କ'ଣ ହେଲା କାହିଁକି ଏମିତି ପାଟି କରୁଛ?"


"ଆମେ ବହୁତ ବଡ଼ ଭୁଲ କରିଦେଇଛେ ଅନିତା, ଏ ଘର ଆମ ସ୍ୱପ୍ନର ସ୍ୱର୍ଗ ନୁହେଁ।" ମୁଁ ଡାଏରି ଟି ଅନିତା ହାତକୁ ବଢେଇ ଦେଇ କହିଲି। ସେ ଧ୍ୟାନରେ ପଢିଲା। 


"ଏଥିରେ ଆମର ଭୁଲ ରହିଲା କୋଉଠେ ବିପ୍ଳବ, କେହିନା କେହି ଏ ଘରକୁ ତ କିଣି ଥାନ୍ତେ।"


"କିନ୍ତୁ କାହା ର ଶେଷ ଠିକଣାକୁ ନିଜର ଠିକଣା କରି ନେବା କ'ଣ ଠିକ କି ଅନିତା?"


"ପ୍ଲିଜ ବିପ୍ଳବ ବୁଝିବାକୁ ଚେଷ୍ଟା କର। ଆଜି ଆମେ ଏ ଘରେ ଅଛେ କାଲି ଆଉ କେହି ରହିବ। ଏହା ହିଁ ତ ଜୀବନ ଚକ୍ର।"


ସତରେ ବଡ଼ ଯନ୍ତ୍ରଣାଦାୟକ ଏ ଜୀବନର ଖେଳ, ନିଜର ନିଜର କହୁଥିବା ପ୍ରତେକଟି ଜିନିଷ ଗୋଟିଏ ଝଟକାରେ ହିଁ ପର ହୋଇଯାଏ। ମୁଁ ମନେ ମନେ ଭାବି ଶାନ୍ତ ହେଲି। କିନ୍ତୁ ବୃଦ୍ଧ ଙ୍କ କାହାଣୀ ମୋ ମନରେ ଜୁଆର ସୃଷ୍ଟି କରିଥିଲା। 


ପରଦିନ ମୁଁ ଘରର ପୂର୍ବ ମାଲିକ ସୌମ୍ୟ ବାବୁଙ୍କୁ ଫୋନ କଲି। ତାଙ୍କ ବାପାଙ୍କ ଡାଏରି ବିଷୟରେ କହିଲି। ସେ ହସିଦେଲେ। ମାଆ ଙ୍କ ମୃତ୍ୟୁ କାରଣରୁ ବାପା କିଛିଦିନ ପାଇଁ ମାନସିକ ପୀଡ଼ରେ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ସହ ଦିଲ୍ଲୀରେ ସେ ଖୁସିରେ ଅଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ। ସୌମ୍ୟ ବାବୁଙ୍କ ଠୁ ଏ କେଇପଦ କଥା ଶୁଣି ମୁଁ ଆଶ୍ୱସ୍ତ ହେଲି। 


ଦିନ ଗଡିଚାଲିଲା, ଚେଷ୍ଟା କରୁଥାଏ ଜୀବନକୁ ତା ସ୍ଵାଭାବିକ ରଙ୍ଗ ଦେବାକୁ। କିନ୍ତୁ ରହି ରହି କେଉଁଠି ନା କେଉଁଠି ବୃଦ୍ଧ ଜଣଙ୍କର କରୁଣ କାହାଣୀ ନାଚି ଉଠୁଥିଲା ମୋ ମନରେ।


ଦିନେ ସକାଳୁ କ୍ଷୀର ନେଇ ଫେରୁଥିଲି। ପାର୍କ ବାହାର ବେଞ୍ଚ ଉପରେ ବସିଥିବା ଜଣେ ବୁଢାକୁ ଦେଖି ଅଟକି ଗଲି। ପାଖକୁ ଗଲି ନିଜ ପରିଚୟ ଦେଇ ତାଙ୍କ ପାଖରେ ବସିଲି। ବୃଦ୍ଧା ଜଣକ ମୋ ପରିଚୟ ପାଇ ଖୁସି ହେଲେ। କହିଲେ ମୁଁ ରହୁଥିବା ଘର ସହିତ ତାଙ୍କ କାହିଁ କେତେ ବର୍ଷର ପୁରୁଣା ସମ୍ପର୍କ। କେବେ ମୁଁ ବସିଥିବା ସ୍ଥାନରେ ବସୁଥିଲେ ପ୍ରଦୀପ ବାବୁ ମାନେ ସୌମ୍ୟ ଙ୍କ ବାପା। ଦୁଇ ବନ୍ଧୁ ପାଖ ଦୋକାନରୁ ଚାହା ପିଇ ପିଇ ଅନେକ ସୁଖ ଦୁଃଖ ହେଉଥିଲେ। କିନ୍ତୁ ସ୍ତ୍ରୀକୁ ହରାଇବା ପରେ ପ୍ରଦୀପ ବାବୁ ସେଠାକୁ ଆସିବା ବନ୍ଦ କରିଦେଇ ଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବି ଖରାପ ହେବାକୁ ଲାଗିଲା। ଲୋକେ କହିବାକୁ ଲାଗିଲେ ସ୍ତ୍ରୀ ବିୟୋଗ ରେ ସେ ଭାଙ୍ଗିପଡିଛନ୍ତି। କିନ୍ତୁ ଅସଲ କାରଣ ଥିଲା ଏକାନ୍ତ। ସ୍ତ୍ରୀ ବିୟୋଗ ର ଦୁଃଖ ତ ଥିଲା, କେମିତି ବା ରହିବନି! ଦିନେ ଦୁଇ ଦିନର ସମ୍ପର୍କ ନୁହେଁ ଦୀର୍ଘ ୫୦ ବର୍ଷର ସମ୍ପର୍କ। କିନ୍ତୁ ପ୍ରଦୀପ ବାବୁ ଭଲ ଭାବେ ଜାଣିଥିଲେ ମୃତ୍ୟୁ ଜୀବନର ସତ୍ୟ। ଦିନେ ନା ଦିନେ ସଭିଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡିବ। ଏଥିପାଇଁ ଶୋକ କରି ଭାଙ୍ଗି ପଡିବା ଲୋକ ସେ ନଥିଲେ। ମୋ ଧାରଣା ବି ସତ୍ୟ ପ୍ରମାଣିତ ହେଲା। 


ସେଦିନ ସକାଳୁ ଅଚାନକ ପ୍ରଦୀପ ବାବୁଙ୍କୁ ଏଠାରେ ଏକାକି ବସିଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ମୁହଁ ମଳିନ ଥିଲା। କୋରୋଡ଼ ଭିତରେ ପସିରହିଥିବା ନାଲି ଆଖି ଗୁଡିକ ଫୁଲି ଯାଇଥିଲା। ଲାଗୁଥିଲା ଅନେକ ଦିନରୁ ଶୋଇ ନାହାଁନ୍ତି। ଅପେକ୍ଷା କରିଛନ୍ତି ଏକ ଦୀର୍ଘ ନିଦ୍ରାର। ଯୋଉ ନିଦ୍ରାରେ ଥିବ ଚରମ ଶାନ୍ତି, ସ୍ବପ୍ନ ଦୁଃସ୍ବପ୍ନ ଯନ୍ତ୍ରଣାରୁ ମୁକ୍ତ। ଶୋଇଯିବେ ସେହି ନିଦ୍ରାରେ ସାରା ଜୀବନ ପାଇଁ। ମୋତେ ଦେଖି ପ୍ରଦୀପ ର ଆଖିରୁ ଦୁଇ ଧାର ଲୁହ ବୋହି ଗଲା। ଜୀବନର ସବୁ କଠିନ ପରିସ୍ଥିତିକୁ ହସି ହସି କାବୁ କରିଥିବା ମଣିଷଟି ସେଦିନ ନିଜ କୋହ ଆଗରେ ବେକାବୁ ହେଇଗଲା। ମୁଁ ନିର୍ବାକ ଥିଲି। ପ୍ରଥମ ଥର ପ୍ରଦୀପ ଆଖିରେ ଲୁହ ଦେଖୁଥିଲି। ଜଣେ ମଜବୁତ ମଣିଷକୁ କାଚ ଖଣ୍ଡ ଭଳି ଚୁରମାର ହୋଇ ଭାଙ୍ଗୁଥିବା ଦେଖୁଥିଲି।କୁଣ୍ଢେଇ ଧରି ତା ଆଖିର ଲୁହକୁ ପୋଛୁଥାଏ। ଏମିତି କିଛି କ୍ଷଣ ଗଲା। ସେ ଚୁପ ହେଲା। କିଛି ନ କହି ମୋ ଠୁ ଦୁରେଇ ଗଲା। ଦୁରେଇ ଗଲା ସବୁଦିନ ପାଇଁ। ପଛରେ ଶୁଣିଲି ସେକୁଆଡେ ଏକ ବଡ଼ ନାମୀ ବୃଦ୍ଧାଶ୍ରମ ରେ ଅଛି। ସୌମ୍ୟ ବାପାର ସେବା ଯତ୍ନ ପାଇଁ ହଜାର ହଜାର ଟଙ୍କା ଦେଉଛି।କୁହନ୍ତି ସେ ଆଶ୍ରମ ଟା ପଞ୍ଚତାରକା ହୋଟେଲ ଭଳି। ପ୍ରଦୀପ ସେଠାରେ ଆରାମ ରେ ଅଛନ୍ତି। ଆରାମ ଯାହାକୁ ବ୍ୟାଖ୍ୟା କରିବାକୁ ଶବ୍ଦ ନାହିଁ।


ବୁଢ଼ା ମଉସା ଠୁ ପ୍ରଦୀପ ବାବୁଙ୍କ ବିଷୟରେ ଜାଣି ଦୁଃଖ ଲାଗିଲା। ଜୀବନ ସାରା ର ପରିଶ୍ରମ ରେ ଗଢିଥିବା ଠିକଣା ଟି ଯଦି ଜୀବନ ଅପରାହ୍ନ ରେ ଅନ୍ୟର ହୋଇଯାଏ ସେହି ମଣିଷ ଶାନ୍ତିରେ ମରିବ ବି କେମିତି? ସାରା ରାତି ଏ କଥା ଭାବି ଭାବି ନିଦ ହେଲାନି। ସକାଳୁ ଝିଅକୁ ଧରି ମୁଁ ଆଉ ଅନିତା ବାହାରି ପଡ଼ିଲୁ ପ୍ରଦୀପ ବାବୁ ରହୁଥିବା ଆଶ୍ରମ ଆଡେ।


ବେଶ ସୁନ୍ଦର ପରିବେଶ ଭିତରେ ଆଶ୍ରମ ଟି। ଅନେକ ସୁଖ ସୁବିଧାରେ ପରିପୂର୍ଣ୍ଣ। ଯତ୍ନ ନେବା ପାଇଁ ଅନେକ ଲୋକ ଅଛନ୍ତି। ତଥାପି ସେଠାରେ ରହୁଥିବା ଅନ୍ତେବାସୀ ଖୁସି ଜଣା ପଡୁନଥିଲେ। ଲୁହ ଚାପା ଆଖି ଗୁଡିକ ଆମକୁ ଗୋଟିଏ ଲୟରେ ଚାହିଁ ରହିଥିଲେ। ଅପରିଚିତ ଚେହେରା ଭିତରେ ବି ସେମାନଙ୍କ ଫିକା ଦୃଷ୍ଟି ଖୋଜୁଥିଲା ସେହି ଗୋଟିଏ ଚେହେରା ଯାହା କେବେ ସେମାନଙ୍କ ଜୀବନର ଅମୂଲ୍ୟ ରତ୍ନ ଥିଲା।


ମୁଁ ସେଠାକାର ଜଣେ କର୍ମଚାରୀ ଙ୍କୁ ପ୍ରଦୀପ ବାବୁଙ୍କ ବିଷୟରେ ପଚାରିଲି। ଜଣିଲି ସେ ବର୍ତ୍ତମାନ ଶଯ୍ୟାଶାୟୀ। ଚଲାବୁଲା କରିପାରୁ ନାହାନ୍ତି। କର୍ମଚାରୀ ଜଣକ ଆମକୁ ପ୍ରଦୀପ ବାବୁଙ୍କ କୋଠରୀକୁ ନେଇଗଲେ। ଚୁପଚାପ ଶୋଇ ରହିଥିଲେ ସେ। ଆମ ପରିଚୟ ପାଇ ବି ପ୍ରତିକ୍ରିୟା ଶୂନ୍ୟ ଥିଲେ। ଠିକ ନିର୍ଜୀବ ବସ୍ତୁ ଭଳି। ଅନେକ ଅନୁରୋଧ ପରେ ଆଶ୍ରମ କତ୍ତୃପକ୍ଷ ଆମକୁ ପ୍ରଦୀପ ବାବୁଙ୍କୁ ସାଥିରେ କିଛି କ୍ଷଣ ପାଇଁ ବାହାରକୁ ନେବାକୁ ଅନୁମତି ଦେଲେ।


ପ୍ରଦୀପ ବାବୁଙ୍କୁ ଧରି ମୁଁ ଘର ଆଗରେ ପହଞ୍ଚିଲି। ତରବର ହୋଇ କାର ପଛକୁ ଗଲି। ଡିକି ଖୋଲି ହୁଇଲ ଚେୟାର ଟି କାଢିଲି। ଅନିତା ପଛରୁ ଆସି ମୋତେ ଅଟକାଇଲା। ମୁହଁରେ ହସ ଥାଏ ଆଖିରେ ଲୁହ, ନିରବ ରହି ଅନିତା ଆଖି ଠାର ରେ ମୋତେ ପ୍ରଦୀପ ବାବୁଙ୍କ ଆଡେ ଚାହିଁବାକୁ କହିଲା। ସେ ଦୃଶ୍ୟ ଆଶ୍ଚର୍ଯ୍ୟକର ଥିଲା। କିଛି କ୍ଷଣ ପାଇଁ ମୁଁ ନିଜ ଆଖି ଉପରେ ବିଶ୍ୱାସ କରିପାରିଲିଣି। ପ୍ରଦୀପ ବାବୁ କାରରୁ ଓହ୍ଲେଇ ସାରିଥିଲେ। ଧୀରେ ଧୀରେ ଚେଷ୍ଟା କରିଥିଲେ ତାଙ୍କ ସ୍ଵର୍ଗ ରେ ପହଁଚିବାକୁ। ମୁହଁରେ ଥିଲା ଅପୂର୍ବ ଆନନ୍ଦ, ହୃଦୟ ଭାବନାରେ ଜୀବନ୍ତ ହେଇଯାଉଥିଲା ଅତୀତ ସ୍ମୃତି। ସେହି ସ୍ମୃତିର ଉର୍ଜା ଶକ୍ତି ହୋଇ ବୋଧେ ତାଙ୍କ ରକ୍ତ ରେ ସଂଚରି ଯାଉଥିଲା। ତାଙ୍କୁ ଆଉ କାହା ସହାରାର ଆବଶ୍ୟକତା ନଥିଲା। 


ଆଜି ବାପାଙ୍କ ଜନ୍ମଦିନ ମାନେ ପ୍ରଦୀପ ବାବୁଙ୍କ। ଏହି ବର୍ଷେ ଭିତରେ ତାଙ୍କ ସହ ଆମର ନୁଆଁ ସମ୍ପର୍କରେ ଟିଏ ଯୋଡି ହୋଇଯାଇଛ। ତାଙ୍କୁ ନେଇ ମୁଁ ଅନିତା ଆଦ୍ୟା ପୁରୀ ଆସିଛୁ। ଜଗନ୍ନାଥ ଦର୍ଶନ ସାରି ଆମେ ସମୁଦ୍ରକୁଳରେ ବୁଲୁଛୁ। ଶେଷ ଠିକଣାକୁ ପାଇଁ ବାପା ବେସ ଖୁସି ଜଣାପଡୁଛନ୍ତି। ଆଦ୍ୟା ସହ ସମୁଦ୍ର ଢେଉରେ ଖେଳୁଛନ୍ତି। ତାଙ୍କୁ ଏବେ ନା ହୁଇଲ ଚେୟାର ଆବଶ୍ୟକ ହେଉଛି ନା ହିଁ ଦୁଃଖ ବଖାଣିବାକୁ ଡାଏରି ଦରକାର ପଡୁଛି। ସେଥିପାଇଁ ଉପହାର ବାହାନାରେ ତାଙ୍କର ସେହି ପୁରୁଣା ଡାଏରି ଟି ମୋତେ ଦେଇଦେଇଛନ୍ତି। ସେହି ଡାଏରି ରେ ମୁଁ ନୂଆ ରୂପରେ ଲେଖିବାକୁ ଚେଷ୍ଟା କରୁଛି ତାଙ୍କ ଜୀବନ ଗାଥା।



రచనకు రేటింగ్ ఇవ్వండి
లాగిన్

Similar oriya story from Tragedy