Rama Chandra Padhi

Tragedy

2  

Rama Chandra Padhi

Tragedy

ଅଲୋଡ଼ା ଲକ୍ଷ୍ମୀ

ଅଲୋଡ଼ା ଲକ୍ଷ୍ମୀ

5 mins
391


ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଜଳି ଉଠିଲା ସହରର ରାଜରାସ୍ତା ରେ ଲାଗିଥିବା ଲାଇଟ ଗୁଡିକ। ଚମକ ଏମିତି ଯାହା ଆଗରେ ଅମାବାସ୍ୟା ର ଅନ୍ଧାର ବି ହାରିଯାଏ। ତଥାପି ସେହି ଅଲୋକ ସେଦିନ ସହରବାସୀଙ୍କ ମନକୁ ସନ୍ତୁଷ୍ଟି ଦେଇ ପାରି ନଥିଲା। ବିଭିନ୍ନ ରଙ୍ଗର ଲାଇଟ, ଦୀପ ର ସାଜସଜ୍ଜା ରେ ଘରୁ ବାହାର ଯାଏଁ ସଜେଇ ଦେଇଥାନ୍ତି। ଦିନ ଥିଲା ପାପ ଉପରେ ପୁଣ୍ୟ ର ବିଜୟ ପର୍ବର ଉତ୍ସବ ଦୀପାବଳି। ଚାରିଦିଗ ଉତ୍ସବମୁଖର। ପୁରା ସହର ହର୍ଷ, ଉଲ୍ଲାସ ରେ ନାଚିଉଠୁଥିଲା। ଆତସ ବାଜି ର ମୃଦୁ ଗୁଞ୍ଜନ ଆରମ୍ଭ ହୋଇ ସାରିଥାଏ। ମେଞ୍ଚା ମେଞ୍ଚା ହୋଇ ଆକାଶ ରୁ ଝଡି ପଡୁଥାଏ ରଙ୍ଗ ବେରଙ୍ଗ ଅଲୋକ ର ଝରି ଫୁଲ। ଆକାଶ ଦୀପ ଗୁଡିକ ଉଡି ହଜି ଯାଉଥିଲେ କଳା ଆକାଶ ଛାତିରେ।


ଅଲୋକ ର ଚମକ ଭିତରେ ସହରର ଏମିତି ବି ଗୋଟେ କୋଣ ଥିଲା ଯାହା ଏବେ ବି ଅନ୍ଧାରର କବଜା ରେ ଥିଲା। କଳା ଆକାଶ ର ମୁକ୍ତ ଛାଇ ତଳେ, ଜୋଷ୍ଣା ର ଛୋଟ କିରଣ ସନ୍ଧାନରେ ଲକ୍ଷ୍ମୀ କୋଳରେ ଛୁଆଟିଏ ଧରି ଦୂର ଆକାଶ ର ତାରା ମାନଙ୍କୁ ଚାହିଁ ବସିଥାଏ। ଲାଗୁଥିଲା ଯେମିତି ସେଦିନ ଆକାଶ, ତାରା ମାନଙ୍କୁ ନିଜ ବୁକୁରେ ସଜେଇ ଦେଇଛି କେବଳ ତାରି ପାଇଁ। ତଥାପି ତା ମନ ବୁଝୁ ନଥିଲା। ମୁଣ୍ଡରେ ଛାତ ନଥିଲା କି ପେଟରେ ଭାତ ଦାନଟିଏ ବି ନଥିଲା। ସମ୍ପତ୍ତି କହିଲେ ଦୁଇ, ଚାରି ଖଣ୍ଡ ଚିରା ଫଟା ଲୁଗା ଆଉ ଦୁଇ ବର୍ଷ ର ଗେଲ୍ହା ପୁଅ ରାଜୁ। ଭୋକିଲା ପୁଅର କରୁଣ ଚିତ୍କାର ଶୁଣି ସ୍ୱପ୍ନ ଆକାଶ ଉପରୁ ତା ଧ୍ୟାନ ହଟିଲା। ଝଡି ପଡୁଥିବା ଆଲୋକ ର ରଙ୍ଗୀନ ଝରା ଫୁଲ କୁ ଦେଖାଇ ରାଜୁ କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରି ବାରମ୍ବାର ଅସଫଳ ହେଉଥିଲା। ସାନ୍ତ୍ୱନା ବ୍ୟତୀତ ରାଜୁର ଭୋକ ମେଣ୍ଟାଇବାକୁ ତା ପାଖେ ଅନ୍ୟ କିଛି ଉପାୟ ନ ଥିଲା।


ଦଶହରା, ଦୀପାବଳି ର ଅର୍ଥ ସେ କେବେଠୁ ଭୁଲିଯାଇଛି। ବର୍ତ୍ତମାନ ଦି ମୁଠା ଭାତ ଭିତରେ ତା ଜୀବନ ସୀମିତ। ପେଟ ପୁରା ମିଳିଗଲେ ଲାଗେ ସେହି ଦିନ ହିଁ ତା ପାଇଁ ଦଶହରା, ଦୀପାବଳି। ଆଗରୁ ପେଟ ଚାଖଣ୍ଡକ ପାଇଁ ସେ ବେଶ୍ୟା ବୃତ୍ତି କରୁଥିଲା। କିନ୍ତୁ ରାଜୁ ଜନ୍ମ ହେବା ପରଠୁ ଭିକ ମାଗି ଚଳେ। ଜାଣେନି ସେ ଛୁଆର କାହା ପରିଚୟ, ଜାଣେନି ତା ଭବିଷ୍ୟତ କ'ଣ? ଆଶା ରଖିଛି ଦିନେ ବୃଦ୍ଧାବସ୍ଥା ରେ ରାଜୁ ହିଁ ତା ସାହାରା ହେବ। ତା ଭବିଷ୍ୟତ ର ସାହାର ସେଦିନ ଭୋକିଲା ବେସାହାରା ଥିଲା। ଅସହ୍ୟ ଭୋକ ଯନ୍ତ୍ରଣା ରେ ଚିତ୍କାର କରୁଥିଲା। କିନ୍ତୁ ଅସହାୟ, ନିରୁପାୟ ଲକ୍ଷ୍ମୀ ହୃଦୟ ର କୋହ କୁ ଲୁହର ସାଗର ଭିତରେ ଲୁଚାଇ ଦେବାକୁ ଚେଷ୍ଟା କରୁଥିଲା।


ଅବୁଝା ପୁଅର ଭୋକିଲା ମନକୁ ଶାନ୍ତ କରିବାକୁ ଯାଇ ସେ ଜାକିଦଉଛି ଛାତିରେ। କିନ୍ତୁ ଦୁର୍ବଳ ରକ୍ତହୀନ ଛାତିର କ୍ଷୀର ବି ଶୁଖି ଯାଇଥାଏ। କରିବ କ'ଣ? ସେ କିଛି ବୁଝି ପାରୁନି। ଦିନଟିଯାକ ଦୁଆର ଦୁଆର ବୁଲି କେତେ ଯେ ନେହୁରା ହୋଇ ହାତ ପତେଇଛି। ନିଜ ଅସହାୟତା ର ଦୁଃଖ ବଖାଣିଛି। ହେଲେ ସବୁଠି କେବଳ ନିରାଶା ହିଁ ମିଳିଛି। ସଭ୍ୟସମାଜର ଶିକ୍ଷିତ ମଣିଷ ମାନେ ସେଦିନ ବ୍ୟସ୍ତ ଥିଲେ ବଡ଼ବଡ଼ିଆ ଠୁ ଆରମ୍ଭ କରି ଲକ୍ଷ୍ମୀ, କୁବେର ଆହ୍ଵାନ ପ୍ରସ୍ତୁତିରେ। କାହାପାଖେ ଏତେ ସମୟ ଅଛି ଯେ ତା ଭଳି ଅଲୋଡ଼ା ଲକ୍ଷ୍ମୀ ର ଦୁଃଖ ବୁଝିବ! ସକାଳ ଠୁ ନା ତା ପେଟରେ ଦାନ ଟିକିଏ ପଡିଛି ନାହିଁ ରାଜୁ ପାଇଁ ଖାଇବା ମୁଠାଏ ଯୋଗାଡ଼ କରିପାରିଛି।  


ପେଟର ଭୋକ ବଢିବା ସହ ପୁଅର କରୁଣ ଚିତ୍କାର ବଢୁଥାଏ। କେମିତି ମା ର ହୃଦୟ ଧର୍ଯ୍ୟ ଧରିବ! ପୁଅକୁ ଧରି ଦୌଡ଼ି ଗଲା କିଛି ଦୂରରେ ଥିବା ଆଲୋକ ସୁସର୍ଜିତ ରାଜମହଲ ସଦୃଶ ଘର ମୁହଁକୁ। ଅପର୍ଯ୍ୟାପ୍ତ ସୁଖର ସାଗର ତା କେଇ ପାଦ ଦୂରରେ ଢେଉ ମାରୁଥିଲା। କିନ୍ତୁ ତା ଅଗରେ ପ୍ରତିବନ୍ଧକ ସାଜିଲା ଉଚ୍ଚ, ଶକ୍ତ ଲୁହା ଗେଟ। ଭୋଗ ବିଳାସ ବସ୍ତୁ ରେ ପରିପୂର୍ଣ୍ଣ ଗେଟ ଭିତରର ମଣିଷମାନେ ମସଗୁଲ ଥିଲେ ହଜାର ହଜାର ଟଙ୍କା ର ଆତସ ବାଜି ରେ। ଅତିଥି ସତ୍କାର ପାଇଁ ପାଖରେ ସଜା ହୋଇ ରହିଥାଏ କେତେ ଯେ ପ୍ରକାର ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ। ଯାହାର ସୁଗନ୍ଧ ରେ ଲକ୍ଷ୍ମୀ ର ଜିଭ ଲାଳ ରେ ଭିଜି ଯାଉଥିଲା। ତଥାପି କେମିତି ଏ ମଣିଷ ମାନଙ୍କୁ ଭୋକ ହଉନି କେଜାଣି! ଲକ୍ଷ୍ମୀ ମନେ ମନେ ଭାବୁଥାଏ। 


ଆଲୋ ଭୁତ ଟା ଭଳି କାହିଁକି ଗେଟ ପାଖେ ଠିଆ ହେଇଛୁ? ଯା ସେଠୁ.....ଯା। ଘର ମାଲିକାଣି ଘୃଣା ରେ ଗର୍ଜି ଉଠିଲା।


ମା କଣ ଟିକିଏ ଖାଇବା ଦିଅ।  


ତୋର ଭଲ ମନ୍ଦ ବୋଲି କିଛି ନାହିଁ। ସବୁବେଳେ ଦୌଡ଼ି ଅସୁଛୁ ମୋରି ଘରକୁ। 


ମା ମୋ ପୁଅ ସକାଳୁ କିଛି ଖାଇନି। ଯଦି ଅଇଁଠା କୁଇଁଠା ବି ଅଛି ଦେଇ ଦିଅ। ମୁଁ ଚାଲିଯିବି। 


ପୂଜା ନ ସରିବା ଯାଏ ଖୁଦ ଦାନା ଟିଏ ବି ଦେଇପାରିବିନି। ଯା ପୂଜା ସରୁ ଆସିବୁ। 


ନିରୁପାୟ ଲକ୍ଷ୍ମୀ ଫେରି ଆସିଲା। ପାଣି ମୁନ୍ଦେ ନିଜେ ପି, ପୁଅକୁ ପିଆଇ ଦେଇ ଅପେକ୍ଷା କରି ରହିଲା ପୂଜା ସରିବା ସମୟକୁ। ଲାଗୁଥିଲା ନିର୍ଦୟୀ ସମୟ ବି ତା ସହ ଖେଳୁଛି। ନିଜ ଗତିକୁ ଧିମା କରିଦେଇଛି। ଅସହାୟତା ର ଉପହାସ କରୁଛି। ତଥାପି ତାକୁ ବଞ୍ଚିବାକୁ ହେବ, ମୁଠାଏ ଦାନା ପାଇଁ ଅପେକ୍ଷା କରିବାକୁ ପଡିବ।


ଅପେକ୍ଷା ର ଅନ୍ତ ହେଲା। ପଛରେ କାହାର ଆଭାସ ପାଇ ଲକ୍ଷ୍ମୀ ବୁଲି ଚାହିଁଲା। ଧଳା ଫରଫର ପୋଷାକ ରେ ମୋଟା କଳା ଦରବୁଢ଼ା ଲୋକଟେ ହାତରେ କିଛି ଖାଇବା ଧରି ଠିଆ ହୋଇଥାଏ। ମୁହଁରୁ ମଦ ର ଦୁର୍ଗନ୍ଧ ଛାଡୁଥାଏ। ତା ଚେହେରା ଲକ୍ଷ୍ମୀ ପାଇଁ ଅଚିହ୍ନା ନ ଥିଲା। ସେ ସେହି ରାଜମହଲ ର ରାଜା। କିନ୍ତୁ ସବୁବେଳେ ସେମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିବା ଲୋକ ଟି କାହିଁକି ଯେ ସେଦିନ ଏତେ ଦରଦୀ ହେଉଥିଲା ଲକ୍ଷ୍ମୀ ବୁଝି ପାରୁ ନ ଥିଲା। ଅଥବା ପେଟର ଭୋକ ତା ଭାବିବା ଶକ୍ତି କୁ କ୍ଷୀଣ କରିଦେଇଥିଲା। ଲକ୍ଷ୍ମୀ ଆଗ ପଛ ନ ବିଚାରି ଝାମ୍ପି ପଡୁଛି ଖାଦ୍ୟ ଉପରକୁ। 


ଲୋକ ଟି କିନ୍ତୁ ଆସିନଥିଲେ ଲକ୍ଷ୍ମୀ ର ସହାୟତା କରିବାକୁ! ନା ସେମାନଙ୍କ ଭୋକିଲା ପେଟର ଯନ୍ତ୍ରଣା କୁ ଉପଶମ କରିବାକୁ। ସେ ଆସିଥିଲା ତା ନିଜ ଭୋକ ମେଣ୍ଟେଇବାକୁ। ଭୋକ କାମନା ର। ଯୋଉ ଭୋକ ମଣିଷକୁ ଉଗ୍ର, ହିଂସ୍ର, ପିଚାଷ କରିଦିଏ। ଯାହା ଆଗରେ ହାରିଯାଏ, ଦୟା, କରୁଣା, ମଣିସତ୍ୱ। ସେଭଳି କାମନାରେ ଛଟପଟ ଲୋକ ଟି କେମିତି ବା ସହଜରେ ଖାଇବା ଦେଇ ଦେଇଥାନ୍ତି। ଜୋର ରେ ଧରି ନେଲା ଲକ୍ଷ୍ମୀ ହାତକୁ। ତା ଆଖିର ଇସାରା ବୁଝି ଯାଇଥିଲା ଲକ୍ଷ୍ମୀ। ପୁଅକୁ କାଖରୁ ଓଲ୍ହାଇ ବସେଇଦେଲା ତଳେ। ଯତ୍ନରେ ଚିରା ଲୁଗାକୁ ରାଜୁ ଦେହରେ ଘୋଡେଇ ଦେଇ ସାମ୍ନାରେ ପରସି ଦେଲା ଖାଇବା। ସ୍ନେହରେ ମଥାକୁ ଚୁମି ଲୋକଟି ସହ ଚାଲିଗଲା କିଛି ଦୂରରେ ଥିବା ଆଉ ଏକ ଗଭୀର ଅନ୍ଧାକାର ଭିତରକୁ। ଅନ୍ଧକାର ଯାହା ତା ଅତୀତ ଜୀବନର ଘନିଷ୍ଠ ବନ୍ଧୁ ଥିଲା।  


ଚାରି ଦିଗ କମ୍ପୁଥିଲା ଆତସ ବାଜି ର କାନ ଫଟା ଗର୍ଜନ ରେ। ସେ ଧ୍ୱନି ରେ ଛତ୍ରଭଙ୍ଗ ଦେଉଥିଲା ସୈତାନ। ସାରା ସହର ନାଚୁଥିଲା ପାପର ବିନାଶ ଖୁସିରେ। କିନ୍ତୁ ଲକ୍ଷ୍ମୀ ମଣିଷ ରୂପୀ ସୈତାନ କବଳରୁ ନିଜକୁ ମୁକ୍ତି କରିବା ପାଇଁ ସଂଘର୍ଷ କରୁଥିଲା। 


ସଂଘର୍ଷ ସରିଲା, ଚିରା ପିନ୍ଧା ଲୁଗାକୁ ସଜାଡି ଅନ୍ଧକାର ମାୟାଜାଲରୁ ବାହାରି ଆସିଲା ଲକ୍ଷ୍ମୀ। ସାରା ଶରୀର ଯନ୍ତ୍ରଣା ରେ ଛଟପଟ ହେଉଥାଏ। ଦୂର ରୁ ପୁଅ ଖାଉଥିବା ଦେଖି ହଜିଯାଇଥିଲା ତା ଶରୀର ର ଯନ୍ତ୍ରଣା। ମୁହଁରେ ଫୁଟି ଉଠିଥିଲା ଏକ ଅପୂର୍ବ ଆନନ୍ଦ। ଆନନ୍ଦ ଯାହାକୁ ପ୍ରକୃତି ବି ଉପଭୋଗ କରୁଥିଲା। ବୃଷ୍ଟି କରୁଥିଲା ରଙ୍ଗ ବେରଙ୍ଗ ଅଲୋକ ର ତାରକସି ଫୁଲ। ସେହି ଅଲୋକ ଶିଖା ଯେ ଲକ୍ଷ୍ମୀ ର ସବୁ ଖୁସି କୁ ପାଉଁଶ କରିଦେବ ବିଧାତା ବି ଜାଣି ନ ଥାଏ। 


ହଟାତ ଅନ୍ଧାର କିଟିମିଟି ସ୍ଥାନଟି ନିଆଁ ଆଲୁଅରେ ଚମକି ଉଠିଲା, ତାରି ଭିତରେ ଛଟପଟ ହେଉଥାଏ ରାଜା। ଲକ୍ଷ୍ମୀ ଚିତ୍କାର କରି ଦୌଡ଼ି ଆସିଲା ପୁଅ ପାଖକୁ। ଚିତ୍କାର, ଯାହାର ବେଦନାରେ କାନ୍ଦି ଉଠୁଥିଲା ମହି। ଥରି ଉଠୁଥିଲା ଆକାଶ। ହେଲେ ବାଣ ଗର୍ଜନ ରେ ହଜିଗଲା ତା କରୁଣ ଚିତ୍କାର। ଦେଖୁ ଦେଖୁ ପାଉଁଶ ହୋଇଗଲା ରାଜା ର ଜୀବନ୍ତ ଶରୀର। ଧୀରେ ଧୀରେ ଶାନ୍ତ ପଡ଼ିବାକୁ ଲାଗିଲା ବାଣ ଶବ୍ଦ, ଲକ୍ଷ୍ମୀ ର ପେଟର ଭୋକ, ଗଳାର ଚିତ୍କାର। କେବଳ ମଝିରେ ମଝିରେ ଭାସି ଆସୁଥିଲା ରାସ୍ତା ରେ ଆନନ୍ଦ ଉଲ୍ଲାସ ରେ ଇତସ୍ତତଃ ଗାଡି ମୋଟର ରେ ବୁଲୁଥିବା ଲୋକ ଗୁଡିକ ମୁହଁରୁ ହାପି ଦୀପାବଳି।


ଲକ୍ଷ୍ମୀ ବି ରାଜୁ ର ପାଉଁଶ ଗଦା ଆଗରେ ବସି ଗୁଣୁଗୁଣୁ ହେଉଥିଲା, ହେପି ଦୀପାବଳି। 


ଦିନ ଗଡି ଚାଲିଲା ଋତୁ ବି। ସମୟ ଅଭିମାନିନୀ ପ୍ରେମିକା ଭଳି ତା ରଙ୍ଗ ବଦଳେଇ ଚାଲିଲା। ସେହି ରଙ୍ଗ ରେ ପୁଣି ଥରେ ରଙ୍ଗୀନ ହୋଇଗଲା ବୃକ୍ଷ, ଲତା, ସହର। ରାଜୁର ଅଲୋଡ଼ା ପାଉଁଶ ତକ ବି ମାଟି ରେ ହଜିଗଲା। ହେଲେ ସମୟ ହଜେଇ ପାରିଲାନି ଲକ୍ଷ୍ମୀ ଆଖି ଲୁହ। ହାରିଗଲା ମା ର ମମତା ଆଗରେ। ଅପଙ୍ଗ ହୋଇଗଲା ମାତୃ ଅଭିଶାପ ରେ। ସେଦିନ ବି ଦୀପାବଳି ଥିଲା ଆଜି ବି ଦୀପାବଳି ହେଲେ ଲକ୍ଷ୍ମୀ ପାଇଁ କିଛି ବି ବଦଳିନି। ସମୟ ତା ଅଗରେ ସ୍ଥାଣୁ, ପ୍ରତେକ ଟି କ୍ଷଣ ତା ପାଇଁ ପାଲଟି ଯାଇଛି ଦୀପାବଳି। ଦିନ ରାତି ସେ ଗୁଣୁଗୁଣୁ ହେଉଛି 'ହେପି ଦୀପାବଳି'।



Rate this content
Log in

Similar oriya story from Tragedy