ଅଶା ର କିରଣ
ଅଶା ର କିରଣ
ଜୀବନ ମାନେ କ'ଣ? ଭଗବାନ କାହିଁକି ମଣିଷ କୁ ସୃଷ୍ଟି କରିଛନ୍ତି? ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମ ହୋଇ, ସୀମିତ ସ୍ୱପ୍ନ କୁ ପାଥେୟ କରି, ବଞ୍ଚିବାକୁ ଅହରହ ସଂଘର୍ଷ କରୁଥିବା ଅଧିକାଂଶ ମଣିଷ ଏମିତି ପ୍ରଶ୍ନ ନିଜକୁ ପଚାରି କେବେ ବି ନିଜ ମୂଲ୍ୟବାନ ସମୟ କୁ ନଷ୍ଟ କରିବାକୁ ଚେଷ୍ଟା କରିବେନି। କିଛିଦିନ ପୂର୍ବରୁ ମୁଁ ବି ଏ ଶ୍ରେଣୀଭୁକ୍ତ ଥିଲି। ବ୍ୟସ୍ତ ଥିଲି ସଂସାର ସାଗର ମଧ୍ୟରୁ ସୁଖର ମୋତି ସନ୍ଧାନରେ। ଯୋଉ ମୋତି ରେ ମାଳାଟିଏ କରି ସଜେଇ ଦେବି ମୋ ବର୍ତ୍ତମାନକୁ। ତାରି ଉଜ୍ଜ୍ୱଳ ଚମକ ରେ ଆଲୋକିତ ଭବିଷ୍ୟତ କଳ୍ପନା ରେ ନାଚି ଉଠୁଥିଲି ମୁଁ। ହେଲେ ଭୁଲିଯାଇଥିଲି ସମୟ ବଡ଼ କପିଟିଆ। ତା କପଟ କୁହୁଡି ଭିତରେ କେତେ ଯେ ସ୍ୱପ୍ନ ର ଚମକ ହଜି ଯାଇଛି, ତା ପାଖରେ ମୋ କଳ୍ପନା ର ବା କି ମୂଲ୍ୟ!
ସେଦିନ ସମୟ ପଶାପାଲି ରେ ସର୍ବସ୍ବ ହରାଇବା ଭୟ ଏସବୁ ପ୍ରଶ୍ନ କୁ ଜନ୍ମ ଦେଇଥିଲା ମୋ ମନରେ। ଉତ୍ତର ଖୋଜିବାକୁ ମୋତେ ବାଧ୍ୟ କରିଥିଲା। ମୁଁ ପାଗଳ ଭଳି ଘୁରି ବୁଲିଲି ସହର ଜନ ଗହଳିପୂର୍ଣ୍ଣ ସ୍ଥାନ ଠୁ ନିଶବ୍ଦ ରାତିର ଅନ୍ଧାର ଗଳି କନ୍ଦି ଭିତରେ। ହେଲେ ସବୁଠି ନିରାଶା ହିଁ ମିଳିଲା। ଅସଫଳତା ବୋଝ ବୋହି ଥକି ପଡିଥିବା ଶରୀର ଉତ୍ତର ନ ପାଇ ଫେରି ଆସିଲା ସିଟି ହସ୍ପିଟାଲ ର ୧୦୧ କୋଠରୀ ଭିତରକୁ। ଧଳା ଫରଫର ବେଡ଼ ଉପରେ, ଜୀବନ ରକ୍ଷକ ମେସିନ ସହାରାରେ, ସବୁଜ ଚାଦର ଟିଏ ଘୋଡେଇ ହୋଇ ଶୋଇ ରହିଥିଲା ମୋ ଆଶା। ଜାଣେନା ସେ ଜୀବନ ପ୍ରତି ବିମୁଖ ଥିଲା ନା ମୃତ୍ୟୁ ସହ ସଂଗ୍ରାମ କରୁଥିଲା। ଉତ୍ତର ସେ ହିଁ ଜାଣିଥିଲା। ହେଲେ ପ୍ରଶ୍ନ ପଚାରିବାକୁ ସାହସ ମୋ ପାଖେ ନ ଥିଲା।
ସେଦିନ ବି ପ୍ରଶ୍ନ କରିବାକୁ ସାହସ ନ ଥିଲା ଯେତେବେଳେ ମାମୁଁ ଆଶା ର ବିବାହ ପ୍ରସ୍ତାବ ମୋ ଆଗରେ ରଖିଲେ। ସେତେବେଳେ ନୁଆଁ ନୁଆଁ ସଫଳତା ସ୍ୱାଦ ଚାଖିବା ଆରମ୍ଭ କରିଥିଲି ଶୀର୍ଷ ରେ ପହଞ୍ଚିବାକୁ ମନ ଲାଳାୟିତ ହେଉଥିଲା। ଜୀବନ ର ଲକ୍ଷ୍ୟ ବଢିଯାଇଥିଲା ରାସ୍ତା ବି। ଓଡିଶା ରୁ ଆମେରିକା ଯିବା ସ୍ୱପ୍ନ ଘାରିଥିଲା ମୋ ମତିଷ୍କ କୁ। ତାରି ଭିତରେ ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱପ୍ନ କୁ ସୀମିତ କରିବାକୁ ଚାହୁଁ ନଥିଲି। ତଥାପି ନୀରବ ରହିଲି। କେମିତି ମନା କରିଥାନ୍ତି ମାମୁଁଙ୍କୁ? ବାପା ବୋଉ ଙ୍କ ଅକାଳ ବିୟୋଗ ପରେ ସେ ହିଁ ତ ଏକମାତ୍ର ମୋ ନିଜର ଥିଲେ। ମୋତେ ନିଜ ପୁଅ ଠୁ ବି ଅଧିକ ସ୍ନେହ କରୁଥିଲେ। ବାପା ବୋଉଙ୍କ ଶେଷ ସ୍ୱପ୍ନ କୁ ତ ପୁରା କରି ପାରିଲିନି ତାଙ୍କ ଅନ୍ତେ ମାମୁଁ ଙ୍କୁ ନିରାଶ କରି କାହିଁକି ସେମାନଙ୍କ ଆତ୍ମା କୁ ଦୁଃଖୀ କରିବି ଭାବି ଇଚ୍ଛା ନ ଥାଇ ବି ମୁଁ ରାଜି ହୋଇଗଲି।
ଏକ ଶୁଭ ମୁହୂର୍ତ୍ତରେ ମାମୁଁ ଫୋନ କରି ଆନନ୍ଦପୁର କୁ ଆସିବାକୁ କହିଲେ। ତାଙ୍କ ଗାଁ ରୁ ଆନନ୍ଦପୁର ଦଶ କି ବାର କିଲୋମିଟର ଦୂର ହେବ। ଆଉ ମୋ ଘର ଠାରୁ ଚାଳିଶ କିଲୋମିଟର। ପାଖାପାଖି ପନ୍ଦର ବର୍ଷ ତଳେ ମୁଁ ଶେଷ ଥର ପାଇଁ ମାମୁଁଙ୍କ ଗାଁ କୁ ଯାଇଥିଲି। ତଥାପି ପିଲାଦିନ ସ୍ମୃତିପଟଳ ରୁ ଭାସି ଆସୁଥାଏ ଝାପସା ନକ୍ସା ଟିଏ। ସେହି ନକ୍ସା ସାହାର୍ଯ୍ୟରେ ମନରେ ଅନେକ ଅଭିଳାଷା ନେଇ ନୁଆଁ ଅନୁଭୂତି ସନ୍ଧାନରେ ରେ ମୁଁ କାର ନେଇ ବାହାରି ପଡ଼ିଲି। ପନ୍ଦର ବର୍ଷ ବ୍ୟବଧାନରେ ଗାଁ ଗଣ୍ଡା ଠୁ ନେଇ ରାସ୍ତା, ଘାଟ, ଗଛ, ବୃଛ ସବୁକିଛି ମୋ ପାଇଁ ନୁଆଁ ହୋଇଯାଇଥିଲା। ଲାଗୁଥିଲା ମୁଁ ବି ସେମାନଙ୍କ ପାଇଁ ଅପରିଚିତ ହୋଇଯାଇଛି।
ସେହି ଅଜଣା, ନିର୍ଜନ ରାସ୍ତାରେ ମୁଁ କିନ୍ତୁ କାର ଭିତରେ କାହାର ଉପସ୍ଥିତି ଅନୁଭବ କରିପାରୁଥିଲି। ଗପୁଥିଲି, ହସୁଥିଲି, ତା ଗୋଲାପି ଓଠର କୋମଳ ସ୍ପର୍ଷ ରେ ରୋମାଂଚିତ ହୋଇପଡୁଥିଲି। ବୋଧେ ସେ ଅଶା ଥିଲା। ସେଦିନ ପ୍ରଥମ ଥର ମୋ ହୃଦୟ କେଉଁ ଏକ ଅଜଣା ଆଦେଖା ଝିଅର କଳ୍ପନା ଛବି କୁ ଜୀବନ୍ତ ରୂପ ଦେବାରେ ସଫଳ ହୋଇଥିଲା।
କଳ୍ପନା ରାଇଜ ରୁ ଫେରି ନିଜକୁ ପାଇଲି ଏକ ସରୁ କଚା ଅଙ୍କା ବଙ୍କା ରାସ୍ତା ଉପରେ। ଆଖି ପାଇବା ଯାଏଁ ରାସ୍ତା ଟିକୁ ଘୋଡେଇ ହୋଇ ରହିଥିଲା ଘଞ୍ଚ ଗଛ ଛାଇ। ଆକାଶ କୁ ଚୁମି ଦେଉଥିଲା ଦୂର ପର୍ବତ ଶୃଙ୍ଘ। ତାରି ତଳେ ମନଲୋଭା ସବୁଜ କ୍ଷେତ ଚାଦର ରେ ଘୋଡେଇ ହୋଇ ରହିଥିଲା ଧରାପୃଷ୍ଠ। ରାସ୍ତାର ସମାନ୍ତରାଳ ରେ କୁଳୁକୁଳୁ ନାଦ କର ବୋହି ଯାଉଥିଲା ନାଳ ଟିଏ। ତାରି ମଧୁର ମୂର୍ଚ୍ଛନା ରେ ନିଜକୁ ହଜାଇ ଦେଇଥାଏ। କିଛି ଦୂର ଗଲା ପରେ ଲାଗିଲା ମୁଁ ଦିଗହରା ହୋଇଯାଇଛି। ଠିକଣା ପଚାରିବାକୁ ଲୋକ ଟିଏ କି ଦୋକାନ ଟିଏ ପାଇଲିନି। ତଥାପି ଆଗକୁ ବଢି ଚାଲିଥାଏ। ଦୂରରୁ ଝିଅ ଟିଏ ସାଇକେଲ ରେ ଯାଉ ଥିବା ଦେଖିଲି। ଦିନ ଦିପ୍ରହରରେ ସୁନସାନ ରାସ୍ତା ରେ ଝିଅଟି ପାଖେ କାର ଠିଆ କରିବା ଠିକ ନୁହେଁ। ହେଲେ ମୋ ପାଖେ ଅନ୍ୟ ଉପାୟ ନ ଥିଲା। ସାହସ କରି କାର ତା ପାଖରେ ରଖିଲି। ସେ ଚମକି ପଡି ସାଇକଲ ରୁ ଓଲ୍ହାଇ ପଡିଲା। ବର ଓହଲ ଝୁଲିବା ଭଳି ଝାଳରେ ତା ଚୁଟି ଝୁଲି ମୁହଁରେ ଲାଖି ରହି ଥାଏ। ଚୁଟି କୁ ଆଡେଇ ବଡ଼ ବଡ଼ ଆଖିରେ ମୋତେ ଚାହିଁଲା। ମୁହଁ ଟା ଲାଲ ପଡ଼ିଯାଇଥାଏ। ଜଣା ପଡୁନଥିଲା ଖରା ର ତାତିରେ କି ମୋ ଉପରେ ରାଗରେ।
"ଆଜ୍ଞା ମୁଁ ଏ ଜାଗାରେ ନୁଆଁ, ଦୟା କରି କହିବେ କି ଆନନ୍ଦପୁର କୁ ରାସ୍ତା କୋଉପଟେ?"
"ସିଧା ଯାଇ ଲେଫ୍ଟ ଯାଆନ୍ତୁ।"
"ଆଛା, ହରିହର ଜେନା ଙ୍କ ଘର କୋଉଠେ ଜାଣିଛନ୍ତି କି?" ମୋ ପ୍ରଶ୍ନ ଶୁଣି ଝିଅ ଟି ମୋତେ ଗେରେଇ ଚାହିଁ କିଛି ସମୟ ଚୁପ ରହିଲା। ଲାଗୁଥିଲା ଯେମିତି ମୁଁ ଭୁଲ ରେ ତାକୁ ପ୍ରେମ ନିବେଦନ କରିଛି।
"ଗୋଟେ କାମ କରନ୍ତୁ, ସିଧା ଯାଆନ୍ତୁ ନାହିଁ, ସେପଟେ କାର ଯିବନି। ଆପଣ ଆଗ କଲଭର୍ଟ ରୁ ଲେଫ୍ଟ ଯାଆନ୍ତୁ। କିଛି ବାଟ ପରେ ଗଡାଣି ମାଟି ରାସ୍ତା ଆସିବ। ଗଡାଣି ଗଡିଲେ ପ୍ରଥମ ଘର ତାଙ୍କରି।"
ଧନ୍ୟବାଦ ଜଣେଇ ଝିଅଟି କହିଥିବା ଅନୁସାରେ ମୁଁ ଆଗକୁ ବଢି ଚାଲିଲି। ଗଡାଣି ଗଡୁ ଗଡୁ ସାମ୍ନାରେ କାଦୁଅ ଭର୍ତ୍ତି। ବ୍ରେକ ମାରିବା ବେଳକୁ କାର କାଦୁଅ ମଝିରେ। ବହୁ ଚେଷ୍ଠା କରି ମଧ୍ୟ କାର ନା ଆଗକୁ ଯାଉଥିଲା ନା ପଛକୁ।
"କେମିତିକା ବାଜେ ଝିଅ! ରାସ୍ତା ଜାଣିନି ଯଦି ମନା ବି କରି ପାରିଥାନ୍ତା। ଏମିତି ଜଣକୁ ମଝି ରାସ୍ତାରେ ହଇରାଣ କରି ତାକୁ କଣ ମିଳିଲା!" ମନେ ମନେ ଭାବି ବିରକ୍ତ ହେଉ ଥାଏ। ବାଧ୍ୟ ହୋଇ ମାମୁଁ ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଲି। କିଛି କ୍ଷଣ ମଧ୍ୟରେ ମାମୁଁ କିଛି ଲୋକଙ୍କୁ ସାଙ୍ଗରେ ନେଇ ଆସିଲେ। କାର କୁ ପଙ୍କରୁ କାଢି ପହଞ୍ଚିଗଲୁ ଆଶା ଘର ଆଗରେ। ସେତେବେଳେ କୁ ସୁଯ୍ୟାସ୍ତ ହେବାକୁ ଯାଉଥାଏ। ଆଶା ଘରଲୋକେ ଚାତକ ପରି ଚାହିଁ ରହିଥିଲେ ଆମ ସ୍ୱାଗତ ପାଇଁ।
"ବାପା ସେ ରାସ୍ତା ରେ କାହିଁକି ଆସୁଥିଲେ ଯେ? ଯଦି ବାଟରେ କାହାକୁ ପଚାରି ଦେଇଥାନ୍ତେ ତାହେଲେ ସିଧା ଆମ ଘରେ ପହଞ୍ଚି ଯାଇଥାନ୍ତେ।" ଆଶା ର ବାପା ସହାନୁଭୂତି ଜଣାଇ କହିଲେ।
"ପଚାରିକି ହିଁ ତ ଏ ଦଶା ଭୋଗିଲି!" ମନେମନେ ଭାବି ତାଙ୍କୁ ଚାହିଁ ହସିଦେଲି।
ଘର ଭିତରେ ବସି କଥା ଆରମ୍ଭ ହେଇଛି କି ନାହିଁ ମେଜ ବିଭିନ୍ନ ପ୍ରକାର ମିଠା ସୁସ୍ଵାଦୁ ଖାଦ୍ୟ ଓ ପାନୀୟ ଜଳ ରେ ସଜେଇ ହୋଇଗଲା। ଅବଶ୍ୟ ସିଷ୍ଟାଚାର ଦୃଷ୍ଟି ରୁ ମୁଁ ମୋ ପେଟର ଭୋକ ଜିଭର ଲାଳସା କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥାଏ। ଏତିକି ବେଳେ କାହା ପାଦ ର ରୁଣୁଝୁଣୁ ପାଉଁଛି ଶବ୍ଦ ଶୁଣି ସେସବୁ ଉପରୁ ମୋ ଧ୍ୟାନ ହଟିଲା। ଧୀରେ ଧୀରେ ଛାତି ର ସ୍ପନ୍ଦନ ବଢିବାକୁ ଲାଗିଲା। ଦେହ ଝାଳରେ ଭିଜିଲା ଭଳି ଅନୁଭବ ହେଲା। ମନ ଅଧିର ହେଉଥିଲା ଭାବି ସ୍ତ୍ରୀ ର ଗୋଟେ ଝଲକ ପାଇବାକୁ। ମୁଁ ଉତ୍କଣ୍ଠା ସହ ତଳେଇ ଚାହିଁ ରହିଥିଲି ଭାସି ଆସୁଥିବା ପାଉଁଛି ଧ୍ୱନି ତରଙ୍ଗ ଆଡକୁ। ସତରେ ସେତେବେଳେ ଲାଗୁଥିଲା ସମୟ ବି ଧିମେଇ ଯାଇଚିଛି। କିଛି ସମୟ ଅପେକ୍ଷା ପରେ ପହଞ୍ଚି ଗଲା ଆଶା। ତା ଦୁଇ ପାଖରେ ବଡିଗାର୍ଡ ଭଳି ରହିଥିଲେ ତା ବୋଉ ଆଉ ପିଉସୀ ନାନୀ। ସାହସ ହେଲାନି ମୁହଁକୁ ଚାହିଁବାକୁ। ସାହସ ଜୁଟେଇ ଦେଖିବାକୁ ଲାଗିଲି ତା ପାଦ ଦୁଇଟିକୁ। ମନ୍ଦାର ଠୁ ବି ନାଲି ଅଳତା ରେ ସଜା ତା ଗୋରା ପାଦ ଦୁଇଟି ର ଅଙ୍ଗୁଟି ଗୁଡିକ ପରସ୍ପର ମଧ୍ୟରେ ବଦମାସି କରିବା ରେ ବ୍ୟସ୍ତ ଥିଲେ। ନାଲି ଫୁଲ ପକା ସୁନେଲି ରଙ୍ଗର ଶାଢୀରେ ସେ ଚମ୍ପା କଢ଼ ଟିଏ ଭଳି ଲାଗୁଥିଲା। ଥରଥର ତା ଗୋଲାପି ଓଠ ଲାଗୁଥିଲା ମୋତେ କିଛି କହିବାକୁ ଚାହୁଁଛି। ଲାଜେଇ ଆଖି ଦୁଇଟି ମୋତେ ଦେଖିବାକୁ ନିରନ୍ତର ଚେଷ୍ଟା କରୁଥିଲେ।
ଆଶାର ସମ୍ପୂର୍ଣ୍ଣ ଚେହେରା ଦେଖି ମୁଁ ଚମକି ପଡିଲି। ଏଇ ସେହି ଝିଅ ଯିଏ ମୋତେ କାଦୁଅ ଭିତରକୁ ବାଟ ବତେଇଥିଲା। ୟାକୁ ବିବାହ କରି କ'ଣ ମୁଁ ଜୀବନ ସାରା କାଦୁଅରେ ଘାଣ୍ଟି ହେବି? ମନେ ମନେ ଭାବିଲି। ଗରମ ତାୱା ରେ ପାଣି ବିନ୍ଦୁ ପଡି ବାଷ୍ପ ହେଲା ଭଳି ମୋ ଭିତରେ ଜନ୍ମ ନେଉଥିବା ପ୍ରେମିକ ଟି ହଠାତ ଉଭେଇ ଗଲା। ଇଚ୍ଛା ହେଉଥିଲା ତା ଗାଲରେ ଚାପୁଡ଼ା ଟିଏ ମାରି ଫେରି ଆସିବି। ତାହା କରି ପାରିଲିନି। ବୋଧେ ହୃଦୟ ର କେଉଁ ଏକ କୋଣରେ ଝରୁଥିବା ପ୍ରେମ ଝରଣା ଟି ମୋ କ୍ରୋଧ ନିଆଁ ଉପରେ ନିୟନ୍ତ୍ରଣ ପାଇବାରେ ସଫଳ ହୋଇଥିଲା। ମୁଁ ଚୁପଚାପ ବସି ରହିଲି।
ମାମୁଁ ଙ୍କ ସହ କିଛି ସମୟ ଆଳାପ ଆଲୋଚନା ପରେ ଆଶା ର ବାପା ମୋତେ ଦେଖି ପଚାରିଲେ
"ବାପା ଆକାଶ, ଆଶା କୁ ଯଦି କିଛି ପଚାରିବାକୁ ଚାହୁଁଛ ପଚାରୁନ।"
କ'ଣ ପଚାରିବି? ଭାବୁ ଭାବୁ ମାମୁଁ ଙ୍କ ପ୍ରତିକ୍ରିୟା ଶୁଭିଲା।
"ଜେନା ବାବୁ, ସମାଜ ଯେତେ ଆଧୁନିକ ହେଲେ ବି ପରିବାର ର ସଂସ୍କାର ଛୁଆଙ୍କୁ କେବେ ବି ଅସଭ୍ୟ ଅଶାଳୀନ ହେବାକୁ ଦିଏନି। ଆଉ ମୋ ଆକାଶ ଭିତରେ ସଂସ୍କାର ଭରି ରହିଛି। ସେ କେବେ ବି ବଡ଼ ମାନଙ୍କ ନିର୍ଣ୍ଣୟ କୁ ଅବଜ୍ଞା କରିବନି।" ଭଙ୍ଗା ଦାନ୍ତ କନ୍ଦିରୁ ବୋହି ପଡୁଥିବା ପାନ ଛେପ କୁ ପୋଛି ମାମୁଁ ଗପି ଚାଲିଲେ।
"ଆଉ ରହିଲା କଥା ଚିନ୍ହିବା ଜାଣିବା? ଆମେ କେତେ ହୋ ବିବାହ ବେଳେ ଆମ ସ୍ତ୍ରୀ ମାନଙ୍କ ବିଷୟରେ ଜାଣିଥିଲେ? ସେତେବେଳେ ପିଲା ବିବାହ ତା ସାଙ୍ଗ କୁ ହାତେ ଓଢଣୀ ଦେଇ ୟା ମାଇଁ ଆସିଥିଲା। ବେଳେବେଳେ ମୁଁ ତା ନାଁ ଆଉ ଚେହେରା ଭୁଲିଯାଏ। ଭୁଲ ରେ ଶାଳୀ ମାନଙ୍କ ହାତ ଧରି ଦିଏ। କ'ଣ ଆମ ବିବାହ ଭାଙ୍ଗିଗଲା ନା ଆମ ଜୀବନ ଦୁଃଖରେ କଟିଲା!" ମାମୁଁ ଙ୍କ କଥାରେ ଘମ୍ଭୀର ଘର ହସରେ ଫୁଟି ଉଠିଲା। ସେ ପାନ ପାକୂଳେଇ ଉଠିପଡିଲେ। ପୁଳାଏ ପାନ ଛେପରେ ୱାଶ ବେସିନ କୁ ରଙ୍ଗୀନ କରି ପୁଣି ବସିପଡିଲେ ନିଜ ଚେୟାର ରେ।
"ବୁଝିଲେ ଜେନା ବାବୁ। ଯଦି ଆମେ ବଡ଼ମାନେ ଏତେ ଦିନ ର ଅଭିଜ୍ଞତା ଓ ପାରିବାରିକ ସମ୍ପର୍କ ଥାଇ ପରସ୍ପରକୁ ବୁଝି ପାରିବାନି। ଏମାନେ ତ କାଲି କା ଛୁଆ କିଛି କ୍ଷଣ ଆଲୋଚନା ରେ କ'ଣ ବା ପରସ୍ପର କୁ ଜାଣିବେ? ଏ ସବୁ ଖାଲି ମିଛ ପ୍ରହଚନ। ହଁ ଯଦି ଆଶା ମନରେ କିଛି ସନ୍ଦେହ ଥାଏ ପଚାରି ନଉ।"
"ଆଜ୍ଞା ଆଶା ବି ଆକାଶ ଭଳି, ଅଜ୍ଞାକାରୀ, ସଂସ୍କାରି।" ଆଶା ର ବାପା କହିଲେ।
"ତାହାଲେ ସମୁଦି ଏ ପ୍ରସ୍ତାବ ପକା ତ?"
ଆଶା ର ବାପା ହାତ ଯୋଡି ସହମତି ଦେଲେ। ମାମୁଁ ଲଡୁ ଟିଏ ଧରି ତାଙ୍କ ମୁହଁରେ ଗୁଞ୍ଜି ଦେଇ କୁଣ୍ଢେଇ ଧରିଲେ। ଅଶା ଆଉ ମୁଁ ନିରବଦ୍ରଷ୍ଟା ସାଜି ଚାହିଁ ରହିଥିଲୁ ସେମାନଙ୍କୁ। ଲାଗୁଥିଲା ନୁଆଁ ସମ୍ପର୍କ ଡୋରି ରେ ସେମାନେ ହିଁ ବାନ୍ଧି ହେବାକୁ ଆସିଥିଲେ। ଆମେ ତ କେବେଳ ଏହି ମୁହୂର୍ତ୍ତର ମୂକସାକ୍ଷୀ ଥିଲୁ।
ପରଦିନ ସକାଳେ ଅଫିସ ବ୍ୟସ୍ତତା ଭିତରେ ବାଜି ଉଠିଲା ଫୋନ। ନମ୍ବର ଟି ଅଜଣା ଥିଲା। ଫୋନ ଉଠେଇ ହେଲୋ କହିଲି। ସେପଟୁ ଭାସି ଆସୁଥିଲା ଏକ ନାରୀ ର କୋମଳ ସ୍ୱର।
"ମୁଁ ଆଶା କହୁଛି....ଜାଣିପାରିଲେ?"
"ଆଜ୍ଞା କୁହନ୍ତୁ।"
ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି, ବର୍ତ୍ତମାନ ଅଫିସ ବାହାରକୁ ଆସି ପାରିବେ?
ଓଃ ସିଓର, ଅପେକ୍ଷା କରନ୍ତୁ ପାଞ୍ଚ ମିନିଟ ରେ ପହଞ୍ଚୁଛି।
ବାହାର କୁ ଆସି ଦେଖେ ତ ଆଶା ଗୁପଚୁପ ଖାଇବାରେ ବ୍ୟସ୍ତ। ମୋତେ ଦେଖି ହାତ ଠାରି ଖାଇବାକୁ ଅନୁରୋଧ କଲା। ମୁଁ ବିନମ୍ରତାର ସହ ଧନ୍ୟବାଦ ଜଣେଇ ମନାକଲି। ଆସିବା କାରଣ ପଚାରିଲି।
ଦୟାକରି ମୋ ପାଇଁ ଗୋଟେ କାମ କରିବେ?
କୁହନ୍ତୁ, ଯଦି ସମ୍ଭବ ନିଶ୍ଚୟ କରିବି।
ଆପଣ ଏ ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରନ୍ତୁ।
ମାନ?
ମାନେ, ମୁଁ ଆପଣଂକୁ ବିବାହ କରିବାକୁ ଚାହୁଁନି, ତେଣୁ ଦୟାକରି ମନା କରି ଦିଅନ୍ତୁ।
କିନ୍ତୁ କାହିଁକି?
ଜଣେ ଝିଅର ବିବାହ ପ୍ରତି ଇଚ୍ଛା ନ ଥିବା କାରଣ ଶହେ ହୋଇପାରେ। ସବୁ କଥା ଜଣାଇବା କଣ ଠିକ କି?
କିଛି ସମୟ ଆମେ ଦୁହେଁ ନିରବ ରହିଲୁ।
ମୁଁ ଆଉ କାହାକୁ ଭଲ ପାଉଛି। ସେ ଧୀରେ କି କହି ଶେଷ ଗୁପଚୁପ ଟି ଖାଉଛି।
ତା ଗୁପଚୁପ ଖାଇବା ସରି ଯାଇଥିଲା। ଲଙ୍କା ରାଗରେ ସେ ସୁ ସୁ ହୋଉଥିଲା। ଶୁଖିଲା ଗୁପଚୁପ ଟେ ମାଗି ଖାଇ ହାତ ପୋଛି ପୁଣି ମୋତେ ଚାହିଁଲା।
ଶୁଣ ତମେ ଆମ ଘରେ ଯୋଉ ମିଠା କୋଲଡ଼ ଡ୍ରିଙ୍କ ପିଇ ଥିଲ ତା ବଦଳରେ ଗୁପଚୁପ ପଇସା ଦେଇ ଦେବ। ଆଜି ଠୁ ତମର ମୋର ହିସାବ ଖତମ ବାୟେ।
ସେ ଚାଲିଗଲା। କ୍ରୋଧ, ଅପମାନ ର ଜ୍ୱାଳା ରେ ଛଟପଟ ହୋଇ ମୁଁ ଚାହିଁ ରହିଥାଏ ତା ଯିବା ବାଟକୁ। ଏଭଳି ଅସଭ୍ୟ ଝିଅ କୁ କୌଣସି ମତେ ବିବାହ ନ କରିବାକୁ ନିର୍ଣ୍ଣୟ ନେଇ ପହଞ୍ଚିଲି ଗଲି ମାମୁଁ ଙ୍କ ଘରେ। ମାମୁଁ ଖଟ ଉପରେ ଶୋଇ ରହିଥାନ୍ତି। ପାଖରେ ଜଣେ ଡାକ୍ତର ବସିଥାନ୍ତି। ମୋତେ ଦେଖି ମାଇଁ ଦୌଡ଼ି ଆସି କାନ୍ଦିବାକୁ ଲାଗିଲେ।
"ଭଲ ହେଲା ଆକାଶ ତମେ ଆସିଲ। ମୁଁ ଏବେ ଫୋନ କରିବି ଭାବୁଥିଲି। ତମ ମାମୁଁ ଙ୍କୁ ହାର୍ଟଆଟାକ ଆସିଥିଲା। ଅଳ୍ପକେ ବଞ୍ଚିଗଲେ।"
ମୁଁ ଚୁପ ଥିଲି। ଜାଣିବାକୁ
ଚେଷ୍ଟା କରୁଥିଲି ଭାଗ୍ୟର ଖେଳକୁ। ଯୋଉ ଖେଳରେ କେବଳ ହାରିବା ହିଁ ନିଶ୍ଚିତ ଥିଲା। ମୁଁ ମଧ୍ୟ ଆଉ ଅଧିକ ସଂଘର୍ଷ ନ କରି ଆତ୍ମସମର୍ପଣ କରିଦେଇଥିଲି ଭାଗ୍ୟ ପାଖରେ।
ବିବାହ ସରିଗଲା। କିଛି ଦିନ ବିତିଗଲା। ହେଲେ ଆମ ସଂପର୍କ ସମାଜ ଆଗରେ କେବଳ ଅଭିନୟ ମଧ୍ୟରେ ସୀମିତ ହୋଇ ରହିଗଲା। ଘର ଚାରି କାନ୍ଥ ଭିତରେ ନା ଆମେ ସ୍ୱାମୀ ସ୍ତ୍ରୀ ଥିଲୁ ନା ହିଁ ବନ୍ଧୁତା ର ସମ୍ପର୍କ ସୃଷ୍ଟି କରିବା ରେ ସକ୍ଷମ ହୋଇପାରିଲୁ। ଥିଲା କେବଳ ଘୃଣା ଓ ପ୍ରତିଶୋଧ। ସମୟର ଗତି ସହ ଧୀରେଧୀରେ ଅଶା ପ୍ରତି ଥିବା ମୋ ମନର ଘୃଣା କରୁଣା ରେ ବଦଳିବାକୁ ଲାଗିଲା। ତା ଆଖିରେ ଲୁଚିଥିବା ଲୁହ, ହୃଦୟର ବ୍ୟଥା ମୋ ପାଇଁ ଅସହଣୀୟ ହେବାକୁ ଲାଗିଲା। ନିର୍ଣ୍ଣୟ ନେଲି ଏ ମିଛ ସମ୍ପର୍କ ଡୋରି ରୁ ନିଜକୁ ଆଉ ଅଶା କୁ ମୁକ୍ତ କରିବି। ସମାଜ ଅପବାଦ କୁ ଖାତିରି ନ କରି ତାକୁ ତା ପ୍ରେମିକ ପାଖେ ପହଞ୍ଚେଇ ଦେବି।
ଆଶା ର ପ୍ରେମିକକୁ ଖୋଜିବା ଲକ୍ଷ୍ୟ ନେଇ ପହଁଚିଲି ତା କଲେଜ ରେ। ସେହିଠାରେ ଭେଟ ହେଲା ଅଶା ର ଅନ୍ତରଙ୍ଗ ବାନ୍ଧବି ସୁମୀ ସହ। ଆଶା ର ଅତୀତ କୁ ଖୋଜିବାକୁ ଯାଇ ତା ଆଗରେ ବଖାଣି ଚାଲିଲି ଆମ ବର୍ତ୍ତମାନ ର ସମ୍ପର୍କ କୁ। ସୁମୀ ହସିଲା। ଆଶା ପ୍ରେମିକ ବିଷୟରେ ଗପି ଚାଳିଲା। ଯାହାକୁ ଶୁଣି ମୁଁ ସ୍ତମ୍ଭିଭୂତ ହୋଇଗଲି।
ପରଦିନ ସକାଳୁ ଆଶାକୁ ନେଇ ବାହାରି ପଡ଼ିଲି ସେ ପଢ଼ୁଥିବା କଲେଜ ଉଦେଶ୍ୟ ରେ। ଯୋଉଠି ଅପେକ୍ଷା କରିଥିଲା ତା ଜୀବନର ସ୍ୱପ୍ନ, ତା ଭବିଷ୍ୟତ, ତା ପ୍ରେମିକ। ଆଉ ଆମ ନୁଆଁ ଜୀବନର ଭିନ୍ନ ଏକ କାହାଣୀ। ଏସବୁ ରୁ ଅଜଣା ଅଶା କାର ଭିତରେ ଚୁପଚାପ ବସିରହିଥିଲା। ସତେ ଅବା ନିର୍ଜୀବ ବସ୍ତୁ ଟିଏ ପରି। ନା ତା ମୁହଁ ରେ ହର୍ଷ ଥିଲା, ନା ତା ଓଠରେ କଥା। ଥିଲା କେବଳ ଲୁହ ଯାହାକୁ ସେ ଲୁଚାଇବାକୁ ଚେଷ୍ଟା କରୁଥିଲା। କଲେଜ ଆଗରେ କାର ରଖି ଡୋର ଖୋଲିଦେଲି। ସେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା।
"ଏଠି କାହିଁକି ରହିଲ? କେଇ ଦିନରୁ ସ୍ଥାଣୁ ପାଲଟି ଯାଇଥିବା ତା ଶୁଷ୍କ ମଳିନ ଓଠରୁ ଭାସି ଆସିଲା ଏହି ତିନଟି ଶବ୍ଦ।"
"ତମକୁ ତମ ପ୍ରେମିକ ସହ ଭେଟ କରାଇବାକୁ।"
"କିନ୍ତୁ.... ସେମିତି କିଛି..!" ଅଶା କିଛି କହିବାକୁ ଚାହୁଁଥିଲା। କିନ୍ତୁ ମୋ ପାଖେ ଧର୍ଯ୍ୟ ନ ଥିଲା ଶୁଣିବାକୁ। ତା କଥା କୁ ଅଧାରେ ରଖି ମୁଁ ଗପିବାକୁ ଲାଗିଲି।
ପ୍ଲିଜ ଅଶା......କିଛି କୁହ ନାହିଁ। ନା ମୁଁ କିଛି ଜାଣିବାକୁ ଚାହୁଁଛି। କାଲି ସୁମୀ ଠୁ ତମ ବିଷୟରେ ସବୁ କଥା ଶୁଣିଛି। ତମେ ଭବିଷ୍ୟତ କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲ। ପାଠ ବଢିବ, ସ୍ୱାବଲମ୍ବୀ ହେବ। ସମାଜ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ଆଉ ମୁଁ ଚାହୁଁନି ତୁମେ ତୁମର ସବୁ ଅଶା, ଆକାଂକ୍ଷା, ସ୍ୱପ୍ନ ବଦଳରେ ମୋ ସହ ନୂଆ ସଂସାର ଗଢ଼। ଆଜିଠୁ ତୁମେ ସ୍ୱାଧୀନ, ଜୀବନରେ ଯାହା ବି କରିବାକୁ ଚାହୁଁଛ କର। ମୁଁ ସବୁବେଳେ ଏକ ବନ୍ଧୁ ଭଳି ତୁମ ସାଙ୍ଗରେ ରହିବି।
ମୋ କଥା ଅଶା ମନରେ ଖେଳାଇ ଦେଲା ଆନନ୍ଦ ର ଲହଡି। ଯାହା କି ତା ଚେହେରା ରେ ଚମକୁ ଥିଲା। ଆଖି ଖୁସିର ଲୁହରେ ଉବୁଟୁବୁ ହେଉଥିଲା। ଲାଗୁଥିଲା ସେ ମୋତେ ଧନ୍ୟବାଦ କହିବାକୁ ଚାହୁଁଛି। ହେଲେ କହିପାରିଲାଣି। ବୋଧେ ତା ଗଳା କୋହରେ ଭରି ଯାଇଥିଲା। ବୁଲିପଡ଼ି କଲେଜ ଆଡକୁ କିଛି ପାହୁଣ୍ଡ ଯାଇଛି କି ନାହିଁ ପୁଣି ଥରେ ମୋ ପାଖକୁ ଆସିଲା।
"ଆକାଶ, ଗୋଟାଏ ବେଳେ ଆସିବ।" ପ୍ରଥମ ଥର ତା ମୁହଁ ରୁ ମୋ ନାଁ ଶୁଣି ବିଶ୍ୱାସ ହେଉ ନଥାଏ। ସ୍ବପ, ବାସ୍ତବତାର ଫରକ ବୁଝିବାକୁ ଚେଷ୍ଟାରତ ମତିଷ୍କ ଜବାବ ଦେଲା।
"କଲେଜ ତ ତିନିଟା ରେ ସରିବ?"
"ନା କଉଥିଲି କଣ କି....ଏଠି ପାଖରେ ଗୋଟେ ଭଲ ରେଷ୍ଟ୍ରୋରେଣ୍ଟ ଅଛି ତ...।" ସେ କହୁ କହୁ ଅଟକି ଗଲା। ଲାଜରେ ମୁହଁକୁ ତଳକୁ କରିଦେଲା।
ମୁଁ ଜବାବ ନ ଦେଇ ହସି ଦେଲି ଅଶା ମୋତେ ବୁଲି ଚାହିଁ ଚାହିଁ ଆଗକୁ ଚାଲିଲା। ଅଫିସ କୁ ଡେରି ହେଉଥାଏ ମୁଁ ଗାଡି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥାଏ। ମେସେଜ ଟୋନ ଶୁଣି ଫୋନ କାଢି ଦେଖିଲି। ଆଶା ର ମେସେଜ ଥାଏ। ଯୋଉଥିରେ ଲେଖା ଥିଲା "ଆଇ ଲଭ ୟୁ ଆକାଶ"। ଯାହାକୁ ପଢି ମୁଁ ସେଇଠାରେ ସ୍ଥାଣୁ ପାଲଟି ଯାଇଥିଲି। ଅଫିସ କଥା ଭୁଲି ଚାହିଁ ରହିଥିଲି ତା ଫେରିବା ବାଟକୁ, ମନେମନେ ଭାବୁଥିଲି ବୋଉ କହିଥିବା କଥା।
"ଯଦି ଜଣେ ନାରୀର ହୃଦୟ ଜିଣିବାକୁ ଚାହୁଁଛୁ ତାହାଲେ ପ୍ରଥମେ ତା ହୃଦୟ କୁ ଜାଣିବାକୁ ଚେଷ୍ଟା କର"
ସେଦିନ ଯିଏ ମୋତେ ସ୍ଥାଣୁ କରି ଦେଇଥିଲା ଆଜି କିନ୍ତୁ ସେ ମୋ ଆଗରେ ପାଷାଣ ଟିଏ ଭଳି ପଡି ରହିଥିଲା। ଆଉ ତା ଜୀବନ ରେଖା କୁ ଦର୍ଶାଉ ଥିଲା ଏକ ମେସିନ। ଯାହାର ପ୍ରତେକ ଟି ବିପ ଥିଲା ଅତ୍ୟନ୍ତ ହୃଦୟବିଦାରକ। ଛାତି ଥରି ଉଠୁଥିଲା ଅଘଟଣ ଆଶଙ୍କା କଳ୍ପନା ରେ। ପଛରୁ କାହାର ସ୍ପର୍ଶ ପାଇ ଚମକି ପଡିଲି। ବୋହି ଯାଉଥିବା ଲୁହ କୁ ପୋଛି ବୁଲି ଚାହିଁଲି। ସେ ଡକ୍ଟର ପଟ୍ଟନାୟକ ଥିଲେ।
"ଆକାଶ ତମେ ଯଦି ଭାଙ୍ଗିପଡିବ ଆଶା କୁ କିଏ ସହାରା ଦେବ? କିଏ ତା ମନରେ ଭରିଦେବ ବଞ୍ଚିବା ପାଇଁ ନୁଆଁ କିରଣ?"
ମୁଁ ଚୁପଚାପ ଠିଆ ହୋଇ ଚେଷ୍ଟା କରୁଥିଲି ଲୁହ ର ବନ୍ୟା ଉପରେ କାବୁ ପାଇବା ପାଇଁ। ନିଜ ମନର କୋହ କୁ ସମ୍ଭାଳିବାକୁ। ଯୋଉଥିରେ ମୁଁ ବାରମ୍ବାର ଅସଫଳ ହେଉଥିଲି। ହୃଦୟ ଦୁର୍ବଳତା ର ବାଟ ଉଣ୍ଡି ଲୁହ ଗୁଡାକ ଝରି ପଡୁଥିଲେ ଆଖି ଦ୍ୱାର ଦେଇ।
"ପ୍ଲିଜ ଆକାଶ ପରିସ୍ଥିତି ସହ ଲଢ଼ିବା ଶିଖ। ତମେ ଏମିତି ଧର୍ଯ୍ୟହରା ହେଲେ ଅଶା ର କ'ଣ ହେବ? ସେ ବର୍ତ୍ତମାନ କେବଳ ଶାରୀରିକ ସ୍ତରରେ ନୁହେଁ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ। ହୁଏତ ଅଶା ଜିତି ଯାଇପାରେ ଗର୍ଭାଶୟ କର୍କଟ ରୋଗରୁ କିନ୍ତୁ ଲାଗୁଛି ସେ ହାରିଯାଇଛି ମମତା ଆଗରେ। ମାତୃତ୍ୱ ସୁଖ ରୁ ବଞ୍ଚିତ ହେବା ଯନ୍ତ୍ରଣା ଭାଙ୍ଗିଦେଇଛି ତା ବଞ୍ଚିବା ସ୍ୱପ୍ନ କୁ। ସେଥିପାଇଁ ବୋଧେ ସେ ମୃତ୍ୟୁ ସହ ନୁହେଁ ମୃତ୍ୟୁ ପାଇବାକୁ ସଂଘର୍ଷ କରୁଛି। ଆକାଶ ନିଜକୁ ସମ୍ଭାଳ ଆଉ ଚେଷ୍ଟା କର ଅଶା ର ହୃଦୟରେ ବଞ୍ଚିବାର ଛୋଟ କିରଣଟିଏ ଜାଳିବା ପାଇଁ। ତାହାଲେ ଯାଇ ଫେରି ପାଇବ ତମ ଅଶା କୁ।"
ନିରାଶା ର ମରୁଭୂମି ଉପରେ ରେ ଅଶା ର ଜୀବନ କିରଣ ସନ୍ଧାନରେ ମୁଁ ଘୁରି ବୁଲି ପହଞ୍ଚିଲି ମନ୍ଦିର ସିଢି ତଳେ। ଆଗରୁ ଏ ପଥର ମୂର୍ତ୍ତି ଉପରେ ମୋର ତିଳେ ବି ବିଶ୍ୱାସ ନ ଥିଲା। ପରିହାସ କରେ ପୂଜୁଥିବା ମଣିଷ ମାନଙ୍କ ଉପରେ। କିନ୍ତୁ କିଛିଦିନ ହେବ ଲାଗୁଥିଲା ଏହି ପଥର ମୂର୍ତ୍ତି ଜୀବନ୍ୟାସ ପାଇଯାଇଛି। ଆପଣା ମଣିଷ ଟିଏ ଭଳି ମୋ ଦୁଃଖ କାନ ପାତି ଶୁଣୁଛି। ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛି। ଜୀବନ ସଂଗ୍ରାମ ରେ ହାରି ନ ଯିବାକୁ ପ୍ରେରଣା ଦେଉଛି।
ସେଦିନ ମନ୍ଦିର ଭିତରୁ ଅଧିକ ଲୋକ ବେଢା ବାହାରେ ଜମି ରହିଥିଲେ। ଭିଡକୁ ଆଡେଇ ଦେଖିଲି। ବୁଢାଟିକୁ କିଛି ମିଡିଆ ବାଲା ଘେରି ରହିଥାନ୍ତି। ଏ ସେହି ବୁଢା କିଛିଦିନ ହେବ ଭିକ ମାଗି ଚଳୁଥିଲା। କହୁଥିଲା ପିଲାମାନେ ତାକୁ ଘରୁ କାଢି ଦେଇଛନ୍ତି। ସେଦିନ ସେହି ପିଲାମାନେ ଘରକୁ ଫେରିଯିବାକୁ ନେହୁରା ହେଉଥିଲେ। ବୋଧେ ସମାଜର ନିନ୍ଦାରେ, ଆଇନ ର ଭୟରେ। ବୁଢା ଟି ଠିକ ଠଉରେଇ ନେଇଥିଲା କାରଣ। ମନା କରିଥିଲା ପୁଣି ଥରେ ଫେରିଯିବାକୁ ସେହି ପ୍ରତାରଣା ର କାରାଗାର ଭିତରକୁ। କିଛି ସମାଜସେବୀଙ୍କ ସହ ଚାଲିଗଲା ବୃଦ୍ଧାଶ୍ରମ କୁ।
ବୁଢା ଲୋକ ଟିର ଏ ଅବସ୍ଥା ଦେଖି ମୁଁ ବୁଝି ପାରୁ ନ ଥାଏ କାହିଁକି ମା ଟିଏ ନିଜ ଜୀବନ କୁ ବାଜି ଲଗେଇ ଜନ୍ମ ଦିଏ ସନ୍ତାନ? କାହିଁକି ଜଣେ ବାପା ଜୀବନର ସବୁ ସ୍ୱପ୍ନ, ସମ୍ବଳ କୁ ଉଛର୍ଗ କରିଦିଏ ନିଜ ସନ୍ତାନ ର ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଧେଶ୍ୟରେ? ପରିଶେଷରେ ମିଳେ କ'ଣ? କେବଳ ପ୍ରତାରଣା!
ବୁଢା ଲୋକଟି ଉପରୁ ଧ୍ୟାନ ହଟେଇ ମନ୍ଦିର ବେଢା ଭିତରକୁ ପଶିବା ବେଳକୁ ସାମ୍ନାକୁ ଦୌଡ଼ି ଆସିଲା ପାଞ୍ଚ ଛ ବର୍ଷର ଝିଅ ଟିଏ। ନୁଖୁରା ଚୁଟିକୁ, ମଇଳା ଦେହ, ଚିରା ଫଟା ଫ୍ରକ ଟେ ପିନ୍ଧିଥାଏ। ହାତେର ଧରିଥିବା କିଛି ଦୀପ କୁ ମୋ ଆଡ଼କୁ ବଢ଼େଇଦେଲା।
"ବାବୁ, ଏ ଦୀପ ନେଇ ଜଳାନ୍ତୁ ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ।"
ହସିବା ଅଭିନୟ କରି ଦୀପ ଟି କିଣି ନେଇ ଜାଳିଦେଲି ଠାକୁର ଆଗରେ। ଲୁହ ବୁହା ଆଖିରେ ହାତ ଯୋଡି ଅଶା ର ଜୀବନ କାମନା କରି ଫେରି ଆସିଲା ବେଳକୁ ଦେଖିଲି ଝିଅଟି ଦୀପ ଟିଏ ଜଳାଉଛି।
"ଅରେ ମା ଏଠି କ'ଣ କରୁଛୁ?"
ତା କୁନି କୁନି ହାତରେ ନିରବ ରହିବାକୁ ମୋତେ ଇସାରା କଲା। ହାତ ଯୋଡି ଆଖି ବୁଜି କଣ ସବୁ ଫୁସଫୁସ ହୋଇ କହିଲା। ମୁଣ୍ଡିଆ ଟେ ମାରି ହସିଦେଇ ମୋ ପାଖକୁ ଆସିଲା।
"ବାବୁ ମନଦୁଃଖ କରନ୍ତୁନି, ଠାକୁର କହିଲେ ଜଲ୍ଦି ଆପଣଙ୍କ ଦୁଃଖ ଶୁଣିବେ।"
"ତାହେଲେ ତୁ ମୋ ପାଇଁ ପାର୍ଥନା କରୁଥିଲୁ!" ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି।
"ଖାଲି ଆପଣଙ୍କ ପାଇଁ ନୁହେଁ ଏଠାକୁ ଆସୁଥିବା ସବୁ ଦୁଃଖୀ ଲୋକଙ୍କ ପାଇଁ ମୁଁ ପ୍ରାଥନା କରେ।"
"କାହିଁକି?" ମୁଁ ପ୍ରଶ୍ନ କଲି, ତା ନିଷ୍କପଟ ହୃଦୟର କଅଁଳ କଥା ଶୁଣିବାକୁ ମଜା ଲାଗୁଥିଲା।
"କାହିଁକି ନା ଠାକୁର ଛୁଆ ମାନଙ୍କ ଡାକ ଜଲ୍ଦି ଶୁଣନ୍ତି।"
"ତୁ ଏତେ କଥା କେମିତି ଜାଣିଲୁ?"
"ସତ ବାବୁ, ମୋ ସହ ଘଟିଛି।"
"କ'ଣ ଘଟିଛି?"
"ବାବୁ ଆଗରୁ ମୁଁ ଯୋଉଠେ ଥିଲି ସେଠି ସେମାନେ ଆମକୁ ଭିକ ମାଗିବାକୁ କହୁଥିଲେ। ଆଉ ଟିକିଏ ବଡ଼ ହୋଇଗଲେ ଅନ୍ଧାର ଘର ଭିତରେ ଛାଡି ଦଉଥିଲେ। ତା ଭିତରୁ କେବଳ ଶୁଭୁଥିଲା ଯନ୍ତ୍ରଣା ର ଚିତ୍କାର। ମୋ ପାଳି ଆସିବ ଭାବିବା ବେଳକୁ ଭୟରେ ଥରୁଥିଲି। ଭଗବାନ ଙ୍କୁ ଡାକୁଥିଲି ମୋତେ ସେ ଲୋକଙ୍କ କବଳରୁ ରକ୍ଷା କର। ଭଗବାନ ମୋ ଡାକ ଶୁଣିଲେ ମୋତେ ସାହସ ଦେଲେ। ମୁଁ ସେମାନଙ୍କ କବଳରୁ ଖସି ପଳେଇ ଆସିଲି। କୁଆଡେ ଯିବି ଭାବୁ ଭାବୁ ମୋତେ ଏ ମନ୍ଦିର ଦେଖାଗଲା। ଏଇଠେ ରହିଗଲି।"
ଝିଅଟିର ଜୀବନ କାହାଣୀ ରେ ଭରି ରହିଥିଲା ଭାଗ୍ୟ ସହ ଲଢ଼ିବାର ମହାମନ୍ତ୍ର। ଜୀବନ ସଂଘର୍ଷ ରେ ହାରିଯାଉଥିବା ମଣିଷମାନଙ୍କ ପାଇଁ ପ୍ରେରଣା। ମୋ ପାଇଁ ଥିଲା ଆଶା ର ଜୀବନ କିରଣ। ତା ନୁଖୁରା ଚୁଟି କୁ ଆଉଁସି ଦୁହେଁ ବସି ପଡ଼ିଲୁ ମନ୍ଦିର ସିଢି ରେ।
"ଏତେ ସୁନ୍ଦର ସୁନ୍ଦର କଥା କହୁଛୁ, ତୋ ନାଁ କ'ଣ?"
"ମୋର କିଛି ନାଁ ନାହିଁ ବାବୁ, ଚେପି, ଚୋରାଣୀ, ଭିକାରୁଣୀ, ଯିଏ ଯେତେବେଳେ ଯୋଉ ନାଁ ପାଆନ୍ତି ଡାକନ୍ତି।"
"ଆଜିଠୁ ତୋ ନାଁ କିରଣ।" ନୁଆଁ ନାଁ ଟି ପାଇ ସେ ବେସ ଖୁସି ଜଣାପଡୁଥିଲା।
"ଆଛା, ମୋ ସାଙ୍ଗରେ ଆମ ଘରକୁ ଯିବୁ?" ମୋ ପ୍ରଶ୍ନ ଶୁଣି ସେ ମୁହଁ ଶୁଖେଇ ଉଠିପଡ଼ିଲା। ମୁଁ ବି ଉଠିପଡ଼ି ତା ପଛେ ପଛେ ଗଲି।
"ଶୁଣ ସେଠି ତୁ ମୋ ଝିଅ ହୋଇ ରହିବୁ, ତୋତେ ନୁଆଁ ଖେଳନା, ଡ୍ରେସ ସବୁ ଦେବି। ଆଉ ସ୍କୁଲ ବି ଯିବୁ।" ମୋ ଲୋଭନୀୟ ପ୍ରସ୍ତାବ ବି ତା ମନରେ ପରିବର୍ତ୍ତନ ଆଣିପାରିଲାନି। ବୋଧେ ଲୋଭର ପରିଣତି କୁ ସେ କଅଁଳ ବୟସ ରେ ଭଲ ଭାବେ ବୁଝି ପାରିଥିଲା। ସ୍ୱର୍ଥୀ ମଣିଷ ମାନଙ୍କ ଚକ୍ରାନ୍ତ କୁ ଜାଣି ଯାଇଥିଲା। ଲୋଭ ବଶବର୍ତ୍ତୀ ହୋଇ ସେ ପୁଣି ଥରେ ପଞ୍ଜୁରୀ ଭିତରେ ବାନ୍ଧି ହେବାକୁ ଚାହୁଁ ନଥିଲା।
"ସେଠି ତତେ ତୋର ମା ବି ମିଳିବ, ଯିଏକି କି ତୋତେ ପଣତ କାନିରେ ଘୋଡେଇ ରଖିବ।" ମା ନା ଶୁଣି ସେ ମୋତେ ବୁଲି ଚାହିଁଲା। ହସି ହସି ମୋତେ କୁଣ୍ଢେଇ ଧରିଲା।
"ସତରେ ସେଠି ମୋ ମା ଅଛି।" ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା।
"ହଁ ଲୋ ମା, ସେଠି ତୋ ମା ଅଛି, ଯିଏକି ତୋତେ ଝୁରି ଝୁରି ମୃତ୍ୟୁ ଦ୍ୱାରସ୍ଥ ହେଲାଣି। ତାକୁ କୋଳେଇ ଧରି ବୁହାଇ ଚାଲିଥିଲି ଖୁସିର ଲୁହ।"
କିରଣ କୁ ଧରି ପହଞ୍ଚି ଗଲି ହସ୍ପିଟାଲରେ, ଦୂରରୁ ଆଶା କୁ ଦେଖି ଦୌଡ଼ି ଗଲା କିରଣ।
"ମା.......ମା...ତମେ ଏଠି କାହିଁକି ଶୋଇଛ?"
କିରଣ ର ମଧୁର ସ୍ୱର ଆଶା ର ସୁସ୍ତ ହୃଦୟରେ ସ୍ପନ୍ଦନ ସୃଷ୍ଟି କଲା। କ୍ଲାନ୍ତ ବର୍ଣ୍ଣ ହୀନ ଆଖି ପତା ଦୁଇଟି ଧୀରେ ଖୋଲି ବାକୁ ଲାଗିଲା। ତାରି ଭିତରେ ବର୍ଷ ବର୍ଷ ଧରି ଜମି ଯାଇଥିବା ହୃଦୟ ର ବେଦନା ସବୁ ଆଖି ଦୁଇ କୋଣରୁ ଲୁହ ହୋଇ ଝରିବାକୁ ଲାଗିଲା।
"ମା ତମର କ'ଣ ହେଇଛି?" ଅଶା ଉତ୍ତର ଦେବାକୁ ଚାହୁଁଥିଲା ହେଲେ ମୁହଁରେ ଲାଗିଥିବା ଅକ୍ସିଜେନ ମାସ୍କ ଅନୁମତି ଦେଲାନି। ମୋ ଆଡ଼କୁ ଚାହିଁଲା, ଲାଗୁଥିଲା କହିବାକୁ ଚାହୁଁଛି ମା ଲୋ ଆଜି ସିନା ତୋ ସାଙ୍ଗରେ ଦୁଇ ପଦ କଥା ହେଇ ପାରିଲିନି, ହେଲେ ତୋ ରାଣ ଭବିଷ୍ୟତ ର ମୋ ସବୁ ତକ ସମୟ କେବଳ ତୋ ମିଠା ପ୍ରଶ୍ନ ର ଉତ୍ତର ଦେଇ ଦେଇ ବିତିଯିବ।
"ମା ର କିଛି ହେଇନି ଅଭିନୟ କରୁଛି, ବାପା ହାତର ଟେଷ୍ଟି ଖାଦ୍ୟ ଖାଇବା ପାଇଁ ବାହାନା କରି ଏଠି ପଡି ରହିଛି।" ମୋ କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସି ଉଠୁଛନ୍ତି। ଅଶା ବି।
ଅଶା ମୁହଁରେ ହସ ଦେଖି ମୋ କୋହକ କୁ ରୋକି ପାରିଲିନି। ମୁହଁ ବୁଲେଇ ଆଖିକୁ ପୋଛି ଭାବୁଥିଲି।
ସମୟ ହିଁ ବଳିଷ୍ଠ ଲେଖକ, "ଯେ କି ଭବିଷ୍ୟତ ର କଲମରେ ଅତୀତର ପୃଷ୍ଠା ଉପରେ ଲେଖିଚାଲେ ବର୍ତ୍ତମାନ ଜୀବନର କାହାଣୀ"
ଆଶା କୁ ତା ଜୀବନ କିରଣ ମିଳିଯାଇଥିଲା। ଆଉ ମୋତେ ମୋ ପ୍ରଶ୍ନ ର ଉତ୍ତର।
"ଜୀବନ ହେଉଛି ଖଣ୍ଡ ଖଣ୍ଡ ହୋଇ ବିଛେଇ ପଡିଥିବା ସୁନ୍ଦର ଚିତ୍ର ପ୍ରହେଳିକା। ମଣିଷ ସୃଷ୍ଟି ହୋଇଛି ନିଜ ବୁଦ୍ଧି ବିବେକ ବଳରେ ସେସବୁ ଅଂଶକୁ ସଠିକ ଜାଗାରେ ଖଞ୍ଜି ଜୀବନ କୁ ଆନନ୍ଦମୟ ଗଢିତୋଳିବ।"