Rama Chandra Padhi

Drama Inspirational

4.0  

Rama Chandra Padhi

Drama Inspirational

ଜେଜେଙ୍କ ସ୍କୁଟର

ଜେଜେଙ୍କ ସ୍କୁଟର

12 mins
327


"ଅତୀତ ଉଚ୍ଚ ପର୍ବତ ଭଳି, ଯେତେ ଦୂରରୁ ଦେଖିବ ସେତେ ସୁନ୍ଦର ଦିଶିବ।" ମୋ ଅତୀତ ମଧ୍ୟ ବହୁ ସୁନ୍ଦର, ଦୂରରୁ ନୁହେଁ ଜେଜେ ଙ୍କ ସ୍କୁଟର ରୂପେ ମୋ ପାଖରେ ରହି। ଜେଜେ ପେଷାରେ ଓକିଲ ଥିଲେ। ସହରରେ କିନ୍ତୁ ତାଙ୍କ ପରିଚୟ ଏହି ଆକାଶ ରଙ୍ଗର ସ୍କୁଟର ହିଁ ସୃଷ୍ଟି କରିଥିଲା। ସ୍କୁଟର ନନା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ଜେଜେ ମଧ୍ୟ ଗର୍ବ ଅନୁଭବ କରନ୍ତି। ଏବେବି କେହି ଯଦି ଆସି କହିଦେଲା "ନନା ଆପଣଙ୍କ ସ୍କୁଟର କଣ ହେଇଛି ମ, ୟା ଆଗରେ ଆଜିର ନାମୀ ଦାମୀ ସ୍କୁଟର ମୋଟର ସାଇକେଲ ପାଣି ପିଇ ଯିବେ।" କଥା ସରିଲା, ଖୁସିରେ ଜେଜେଙ୍କ ଆଖିରୁ ଲୁହ ବୋହି ଆସେ। ଗୁଆ ଦିଆ ବନ୍ଧୁ ଭଳି ଲୋକଟିକୁ ଅତିଥି ସତ୍କାର କରି ଛାଡ଼ନ୍ତି।


ଜେଜେଙ୍କ ମୋଟର ସାଇକେଲ ପ୍ରତି ଦୁର୍ବଳତା ପିଲାଦିନରୁ ଥିଲା। ବାପା ତାଙ୍କର ଜମିଦାର ହେଲେ ବି ଫଟଫଟିଆ ମୋଟର ଗାଡି ପସନ୍ଦ କରନ୍ତିନି। ଯୁଆଡେ ଯାଆନ୍ତି ନିଶକୁ ମୋଡି ଘୋଡାରେ ଚଢି ଯାଆନ୍ତି। ଜେଜେଙ୍କୁ ମଧ୍ୟ ଘୋଡା ଚଢ଼ିବା ଶିଖେଇଥିଲେ। ହେଲେ ଜେଜେଙ୍କ ମନ କେବଳ ଫଟଫଟିଆ ଉପରେ।   


ସେତେବେଳେ ଦେଶରେ ବ୍ରିଟିଶ ସରକାର ର ରାଜୁତି ଥିଲା। ଟିକସ ଆଦାୟ ବେଳେ ହେଉ କି ଅନ୍ୟ କିଛି ଜରୁରୀ କାମ ପଡିଲେ ସରକାରୀ ବାବୁ ମାନେ ମୋଟର ଗାଡି ଧରି ଗାଁ କୁ ଆସନ୍ତି। ମଫସଲ ଗାଁ ଟିର ନାଲି ମାଟି ରାସ୍ତା ଉପରେ ଯେତେବେଳେ ଫଟଫଟ ଗର୍ଜନ କରି ଗାଡି ସବୁ ମାଡି ଆସେ। କୋଷେ ବାଟ ରୁ ଜେଜେଙ୍କ କାନ କୁ ଶୁଭି ଯାଏ। ଜେଜେ ଖାଇବା ଥାଳି ଛାଡି ଦାଣ୍ଡ ଦୁଆର କୁ ଦୌଡ଼ି ଆସନ୍ତି। ସେହି ଦୁଆରେ ଠିଆ ରହି ସ୍ବପ୍ନ ଦେଖନ୍ତି। ଦିନେ ସେ ବି ଏମିତି ଏକ ଗାଡ଼ିରେ ବସିବେ, ଗାଁ ସାରା ବୁଲିବେ, ସାଙ୍ଗ ସାଥି ମାନେ ହୋ ହଲ୍ଲା କରି ତାଙ୍କ ଗାଡି ପଛରେ ଦୌଡୁ ଥିବେ, ଏମିତି ଅନେକ ସ୍ବପ୍ନ। ସ୍ବପ୍ନ ଭାଙ୍ଗେ ଯେତେବେଳେ ପିଠିରେ ମା ହାତ ଖୁନ୍ଦା ବାଜେ। ପ୍ରାଣ ବିକଳରେ ଜେଜେ ଦୌଡ଼ି ଯାଇ ପୁଣି ଅଇଁଠା ଥାଳି ପାଖେ ବସି ପଡ଼ନ୍ତି। ହେଲେ ସ୍ବପ୍ନ ଦେଖିବା ଛାଡ଼ନ୍ତିନି। ଦିନେ ସେହି କଅଁଳ ବୟସରେ ଗାଁ ଭିଟାମାଟି ଜମି ବାଡ଼ି ଛାଡି ଆସିବାକୁ ବାଧ୍ୟ ହେଲେ ଜେଜେ। ଦେଶ ସ୍ଵାଧୀନ ହୋଇ ସାରିଥାଏ। ଗୋଟିଏ ଦେଶ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥାଏ। ତା ସହ ଅଲଗା ହୋଇ ଯାଇଥିଲା ଜେଜେଙ୍କ ସ୍ବପ୍ନ। ମନର ଆଶା ଅବଶିଷ୍ଟ ଜୀବନର ସଂଗ୍ରାମ ରେ ପରିଣତ ହୋଇ ସାରିଥିଲା।


ଜେଜ ଙ୍କ ଜୀବନରେ ସଂଘର୍ଷର ଅନ୍ତ ହେଉ ନଥିଲା। ଗୋଟିଏ ଦାୟିତ୍ୱ ରୁ ମୁକ୍ତ ହେବା ପୂର୍ବରୁ ଅନ୍ୟ ଏକ ଦାୟିତ୍ୱରେ ବାନ୍ଧି ହୋଇ ପଡୁଥିଲେ। ବାପାଙ୍କ ମୃତ୍ୟୁ ପରେ ଭାଇ ଭଉଣୀଙ୍କ ଦାୟିତ୍ୱ ନେଇ ସେମାନଙ୍କୁ ମଣିଷ କଲେ। ନିଜେ ପାଠ ପଢ଼ି ଓକିଲ ହେଲେ। ବିବାହ ମଧ୍ୟ କଲେ। ଦୁଇ ଦୁଇଟି ସାନ୍ତାନ ର ଜନକ ହେଲେ। ଦାମ୍ପତ୍ୟ ଜୀବନ ଏବଂ ଜୀବିକା ମଧ୍ୟରେ ଜେଜେ ଏମିତି ପେଷି ହୋଇ ଯାଆନ୍ତି ଯେ ପିଲାଦିନ ସ୍ବପ୍ନ କୁ ଭୁଲିବାକୁ ବାଧ୍ୟ ହୁଅନ୍ତି। ତଥାପି କେବେ କେମିତି ରାସ୍ତା ଉପରେ କୋଉ ମୋଟର ସାଇକେଲ କୁ ଦେଖିଲେ ମନେ ପଡ଼ିଯାଏ ତାଙ୍କ ଅତୀତ ସ୍ବପ୍ନ। ପିଲାଦିନେ ଦେଖିଥିବା ଗାଡି ଠୁ ଆହୁରି ସୁନ୍ଦର, ଆଧୁନିକ, ରଙ୍ଗ ବେରଙ୍ଗର ମୋଟର ଗାଡି ଗୁଡିକୁ ଦେଖି ପାଇବାକୁ ଆଶା ବଢେ ତାଙ୍କର। 


"ଆଶା ହିଁ ମଣିଷ ହୃଦୟରେ ଦୃଢ଼ ସଂକଳ୍ପ ରୂପକ କାନଭାସ ଟିଏ ସୃଷ୍ଟି କରେ। ତାରି ଉପରେ ସେ ଦେଖୁଥିବା ସ୍ବପ୍ନକୁ ବାସ୍ତବ ଚିତ୍ରରେ ପରିଣତ କରେ ।


ଜେଜେ ବି ନିଜ ସ୍ବପ୍ନକୁ ବାସ୍ତବ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରନ୍ତି। ସହଯୋଗ କରନ୍ତି ତାଙ୍କ ସହଧର୍ମିଣୀ, ମାନେ ମୋ ଜେଜେ ମା। ନିଜ ପେଟକୁ କାଟି ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ରଖନ୍ତି। ତଥାପି ସ୍ବପ୍ନ ଦୂରକୁ ଦୂରକୁ ଘୁଞ୍ଚି ଯାଉଥିବା ପରି ମନେ ହୁଏ। ମୋଟର ଗାଡି କିଣିବା ଅସମ୍ଭବ ଭଳି ଲାଗେ। ମନ କୁ ମାରି ଚୁପଚାପ ବସି ରୁହନ୍ତି ଜେଜେ। ତାଙ୍କ ଏ ସ୍ଥିତି ଦେଖି ଜେଜେ ମା ସହି ପାରିଲେ ନାହିଁ। ନାଲି କନା ବନ୍ଧା ପୁଟୁଳି ଟିକୁ ଆଲମାରୀ ରୁ କାଢି ଜେଜ ଙ୍କ ହାତକୁ ବଢ଼ାଇ ଦେଇଥିଲେ। ଜେଜେଙ୍କ ପିଲାଦିନର ଆଶା କୁ ନିଜ ଅଳଙ୍କାର ଭାବି ସେଦିନ ଜେଜେ ମା ନିଜ ବାପ ଘରୁ ଆଣି ଥିବା ଗହଣା ସବୁକୁ ବିକିବାକୁ ଦେଇଥିଲେ। ଜେଜେ ମୋଟର ସାଇକେଲ ବଦଳରେ କିଣିଥିଲେ ଜେଜେ ମା ଙ୍କ ପସନ୍ଦର ସ୍କୁଟର। " ଛୋଟ ଛୋଟ ତ୍ୟାଗ ଦାମ୍ପତ୍ୟ ଜୀବନକୁ ଅସୁମାରୀ ଆନନ୍ଦରେ ଭରିଦିଏ।" ଏ କଥା ସେବେକା ମଣିଷ ମାନେ ଭଲ ଭାବେ ଜାଣିଥିଲେ। ଏହା ହିଁ ତ ନିଃସ୍ୱାର୍ଥ ପ୍ରେମ, ଯାହା ଆଜି ଯାଏଁ ସେମାନଙ୍କ ସମ୍ପର୍କ ବନ୍ଧନ କୁ ଅତୁଟ କରି ରଖିଛି। 


ସେତେବେଳେ ଭାରତୀୟ ଫିଲ୍ମ ଜଗତରେ ସ୍କୁଟର ନିଜ ଆଧିପତ୍ୟ ବିସ୍ତାର କରି ରଖିଥିଲା। ଦେବାନନ୍ଦ ହୁଅନ୍ତୁ କି ଦିଲୀପ କୁମାର, ସମସ୍ତେ ସ୍କୁଟର ଧରି ହିରୋଇନ ପଛରେ ବୁଲିବା ଯେମିତି ଟ୍ରେଣ୍ଡ ହୋଇ ଯାଇଥିଲା। ଆଉ ଜେଜେମା ଯେତେବେଳେ ଜେଜେଙ୍କ କାନ୍ଧରେ ହାତ ରଖି ସ୍କୁଟର ରେ ବସି ପଡ଼ନ୍ତି ନିଜକୁ କୋଉ ହିରୋଇନ ଠୁ କମ ଭାବନ୍ତିନି। ଜେଜେ ପୁଣି ଥରେ ପିଲାଦିନ କୁ ଫେରି ଯାଆନ୍ତି। ବାହାନା ଖୋଜନ୍ତି ସ୍କୁଟରରେ ବସି ବୁଲିବାକୁ। ଦୁଇ ପୁଅ ଝିଅ ସ୍ତ୍ରୀ କୁ ସାଙ୍ଗରେ ବସେଇ ବୁଲେଇବା କୁ। ବନ୍ଧୁ ବାନ୍ଧବ ସମ୍ପର୍କୀୟ ଙ୍କ ନିମନ୍ତ୍ରଣ କୁ ଚାହିଁ ରୁହନ୍ତି। କିଛି ନ ହେଲେ ଛୁଟି ଦିନରେ ପୁରା ପରିବାର ବଜାର ହାଟ କରିବା ବାହାନାରେ ବାହାରି ପଡ଼ନ୍ତି। ସ୍କୁଟର ଟି ଜେଜେଙ୍କ ପାଇଁ କେବଳ ଲୁହା ରବର ରେ ତିଆରି ନିର୍ଜୀବ ଯନ୍ତ୍ର ନଥିଲା। ସ୍କୁଟର ଟି ତାଙ୍କ ପାଇଁ ଜୀବନ୍ତ ସାଥି ଭଳି ଥିଲା। ତାଙ୍କ ପରିବାର ଅଂଶ ହୋଇ ଯାଇଥିଲା। ଜେଜେଙ୍କ ଆତ୍ମା ବନିଯାଇଥିଲା। ଜେଜେ ତାକୁ ଧୁଅନ୍ତି, ପୋଛନ୍ତି ଦାଗ ଟିକେ ପଡିଗଲେ ଛାନିଆ ହୁଅନ୍ତି। ଜେଜେମା ଙ୍କ କହିବାରେ ସେ କୁଆଡେ ଜେଜେଙ୍କ ଅଲିଅଳି ପ୍ରିୟତମା ତାଙ୍କ ଦ୍ୱିତୀୟ ଧର୍ମପତ୍ନୀ।


ସ୍କୁଟର ଟି କେବଳ ଜେଜ, ଜେଜ ମା ଙ୍କ ର ପ୍ରିୟ ନଥିଲା। ମୋ ପାପା ଙ୍କର ବି ଆପଣାର ଥିଲା। କଲେଜ ଦିନରେ ପାପା ଙ୍କର ଅତି ଘନିଷ୍ଠ ବନ୍ଧୁ ହେଇଯାଇଥିଲା। ପାପା ମମି ଙ୍କ ଆରେଞ୍ଜ ମ୍ୟାରେଜ ଜୀବନରେ ପ୍ରେମ ପ୍ରବାହ ର ସୂତ୍ରଧାର ଏହି ସ୍କୁଟର ଥିଲା। ମୋ ଜନ୍ମ ସମୟରେ ହେଉ କି ରାତି ଅଧରେ ଦେହ ଖରାପ ବେଳେ, ସବୁଠି ସେ ହାଜର ରୁହେ। ନିଷ୍ଠାପର ସେବକ ପରି। କର୍ତ୍ତବ୍ୟ ପରାୟଣ ବନ୍ଧୁ ଟିଏ ପରି। ଆବଶ୍ୟକ ବେଳେ କେବେ ସେ ଧୋକା ଦିଏନି। ଏମିତି ସ୍କୁଟର କୁ ମୁଁ ଅବା କେମିତି ଅପସନ୍ଦ କରନ୍ତି। ପିଲାଦିନେ କେହି ଯଦି ପ୍ରଶ୍ନ କରେ ତୋର ଜେଜେ ପସନ୍ଦ ନା ସ୍କୁଟର ପସନ୍ଦ? ଉତ୍ତର ଆପେ ଆପେ ଜିଭକୁ ଚାଲି ଆସେ 'ଦୁହେଁ'। ଜେଜେଙ୍କ ବିନା ସ୍କୁଟର, ସ୍କୁଟର ବିନା ଜେଜ ମୋ କଳ୍ପନା ଚିତ୍ର ରେ ଅସମ୍ପୂର୍ଣ୍ଣ ଲାଗନ୍ତି। ସେଥିପାଇଁ ଅନେକ ଦାମୀ କାର ମୋଟର ସାଇକେଲ ଘରେ ଥାଇ ବି ମୁଁ ସେତେବେଳେ ଜେଜେଙ୍କ ସ୍କୁଟର ପଛରେ ବସି ସ୍କୁଲ ଯିବା କୁ ପସନ୍ଦ କରେ। ଜେଜେ ବି ପ୍ରତି ଦିନ ସକାଳୁ ସ୍କୁଟର କୁ ପୋଛି ତୟାର ହୋଇ ଯାଆନ୍ତି ମୋତେ ସ୍କୁଲ ରେ ଛାଡିବା ପାଇଁ। 


ସମୟ କ୍ରମେ ଜେଜେଙ୍କ ଭଳି ସ୍କୁଟର ବି ବୁଢା ହେବାକୁ ଲାଗିଲା। ଆଗ ଭଳି ଥରକେ ଷ୍ଟାର୍ଟ ହୁଏନି। ଜେଜେ କିକ ମାରି ମାରି ଥକି ପଡ଼ନ୍ତି। ମାଳି ଚାକର ଙ୍କୁ ପ୍ରଲୋଭନ ଦେଇ ସାରା ଦିନ ସ୍କୁଟର ଠେଲାନ୍ତି। ବେଳେବେଳେ ଷ୍ଟାର୍ଟ ହୁଏ ବେଳେବେଳେ ରୋଗୀଣା ବୁଢା ଷଣ୍ଢ ଭଳି ଚୁପ ହୋଇ ପଡି ରୁହେ। ପରିସ୍ଥିତି ଏମିତି ହେଲା ଯେ ଆଖ ପାଖ ମେକାନିକ ମାନେ ଜେଜେଙ୍କ ସ୍କୁଟର ନାଁ ଶୁଣିଲେ ଲୁଚିବାକୁ ଲାଗିଲେ। ମାଳି ଚାକର ଆମ ଘରେ କାମ କରିବା ତ ଦୂର ସେ ରାସ୍ତା ଦେଇ ଯିବାକୁ ଭୟ କଲେ। ଯୋଉ ସ୍କୁଟର ଦିନେ ପୁରା ପରିବାର କୁ ସ୍ନେହ ଡୋରିରେ ବାନ୍ଧି ରଖିଥିଲା ତାହା ଅଶାନ୍ତିର କାରଣ ହୋଇ ଯାଇଥିଲା। "ପୁରୁଣା ହେଲାଣି ୟାକୁ ବିକି ନୁଆଁ ଗାଡି ଗୋଟେ ଆଣିଲେ ହେବନି", ଏହି କଥା କେଇ ପଦ ଜେଜେଙ୍କୁ କହିବାକୁ ପାପା ମମି ଜେଜେମା ଅନେକ ଥର ଭାବିଛନ୍ତି ହେଲେ କହିବାକୁ ସାହସ ଜୁଟେଇ ପାରିନାହାନ୍ତି। ଦୁହିଁଙ୍କ ଅବେଗ ଭରା ସମ୍ପର୍କ ଆଗରେ ବୋଧେ ସେମାନେ ହାରି ଯାଇଥିଲେ।


ଜେଜେ ସ୍କୁଟର ଙ୍କ ଦରଦୀ କାହାଣୀ ଏତିକିରେ ସରିନଥିଲା। ସେଦିନ ସାବିତ୍ରୀ ବ୍ରତ ଥିଲା। ଜେଜେଙ୍କ ବହୁ ଅନୁରୋଧ ପରେ ଜେଜେମା ସ୍କୁଟର ରେ ବସି ମନ୍ଦିର ଯିବାକୁ ରାଜି ହେଇଥିଲେ। ଜେଜ ସକାଳୁ ଉଠି ସ୍କୁଟର ର ପ୍ଲଗ ରୁ ପିଷ୍ଟନ ଯାଏଁ ଖୋଲି ଷ୍ଟାର୍ଟ କରିବାରେ ସଫଳ ହେଇଥିଲେ। ସମସ୍ୟାର ସମାଧାନ ପାଇ ଯାଇଛନ୍ତି ଭାବି କୁରୁଳି ହସୁଥିଲେ। ତାଙ୍କ ବିଜୟୀ ହସ ବେସି ସମୟ ରହି ନଥିଲା। ଫେରିବା ବେଳେ ଅଧା ବାଟରେ ସ୍କୁଟର ଅଟକି ଯାଇଥିଲା। ଜେଜେ ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ ହେଇ ନଥିଲା। ତା ଚକରରେ ଜେଜେଙ୍କ ହାତ କଳା, ଜେଜେମା ଙ୍କ ନୁଆଁ ହଳଦୀ ପାଟ ଶାଢ଼ୀ କଳା। ଜେଜେଙ୍କୁ ବେସି କଷ୍ଟ ଲାଗୁଥିଲା ସାବିତ୍ରୀ ଭଳି ଦିନରେ ରାସ୍ତା ମଝିରେ ତାଙ୍କ ଧର୍ମପତ୍ନୀ ସାମ୍ନାରେ ଧରମଛଡା ସ୍କୁଟର ତାଙ୍କ ମୁହଁ କୁ କଳା କରିଦେଲା। ଲଜ୍ୟାରେ ଜେଜେମା ଙ୍କ ମୁହଁକୁ ତଳେଇ ଚାହିଁଲେ। ଭୋକ ଆଉ ରାଗରେ ଜେଜେମା ଲାଲ ପଡି ଯାଇଥିଲେ। ଦେଖିଲେ ଲାଗୁଥିଲା ସାଙ୍ଗେ ସାଙ୍ଗେ ଛାଡପତ୍ର ଦେଇ ଚାଲିଯିବେ। ବେଳା ଭଲ ସେଦିନ ସାବିତ୍ରୀ ବ୍ରତ ଥିଲା, ଜେଜେଙ୍କୁ ଚାହିଁ କେବଳ ଦାନ୍ତ କଟମଟ କରି କହିଲେ,

  

"ତମେ ଆଉ ତମ ସ୍କୁଟର ଏ ନିରୋଳରେ ବସି ପ୍ରେମଆଳାପ କର ମୁଁ ଅଟୋ କରି ଘରକୁ ଯାଉଛି। ଆଉ ଦିନେ ଯଦି ଏ ପୋଡା ସ୍କୁଟରରେ ବସିବାକୁ କହିବ ସେ ଦିନ ମୋ ଅସଲ ରୂପ ଦେଖିବ।" ସେହି ଦିନ ଟି ଜେଜେଙ୍କ ପାଇଁ ବହୁତ ଅଶୁଭ ଥିଲା। ଗରମରେ ଝାଳ ବୋହି ପଡୁଥିଲା। ବିଚାରା ଜେଜେ ଏକା ସ୍କୁଟରକୁ ଠେଲି ଠେଲି ଯାଇ ଗୋଟେ ଗ୍ୟାରେଜରେ ପହଁଞ୍ଚିଲେ ଦୋକାନୀ ସ୍କୁଟର କୁ ଦେଖି ଲମ୍ବା ଜୁହାର ଟେ ମାରିଲା। ନିର୍ଦୟୀ ପିଶାଚ ଭଳି ହସି ହସି କହିଲା, 


"ସାରେ ଏ ବୟସରେ ଏ ସ୍କୁଟର ଧରି କାହିଁକି ବାଟ ଘାଟରେ ହଇରାଣ ହେଉଛନ୍ତି। ଜାଣି ନାହାଁନ୍ତି କି କମ୍ପାନୀ କେବେଠୁ ଏହି ସ୍କୁଟର ବନ୍ଦ କରି ସାରିଲାଣି। ସ୍ପେୟାର ପାର୍ଟସ ବି ଆଉ ମିଳୁନି। କଥା ମାନନ୍ତୁ, ଏବେ ବି ସମୟ ଅଛି କବାଡ଼ିଆ ରେ ବିକି ଦିଅନ୍ତୁ। ହଜାରେ କି ପନ୍ଦର ଶହ ମିଳିଯିବ। ଆଉ କିଛି ଦିନ ପରେ ସେତେକ ବି ମିଳିବନି। ମିୟୁଜିୟମ କୁ ଦାନରେ ଦବାକୁ ପଡିବ।" ଲୋକଟିର କଥା ଗୁଡିକ ଜେଜେଙ୍କ ହୃଦୟ ରେ ତୀର ଭଳି ଫୋଡି ହୋଇ ଯାଉଥିଲା। 


ମୁର୍ଖ କୋଉଠିକାର, ବନ୍ଧୁତାର ମୂଲ୍ୟ କୁ ତୁ କେମିତି ବୁଝିବୁ! କେଇଟା ଟଙ୍କା ପାଇଁ ମୋ ଏଡ଼େ ସୁନ୍ଦର ସ୍କୁଟର କୁ କବାଡ଼ିଆରେ ବିକି ଦେବି! ସେମାନେ ଭାଙ୍ଗିରୁଜି ନିଆଁ ଚୁଲା ଭିତରେ ଜାଳି ପୋଡ଼ିଦେବେ। ଜେଜେ ଦୋକାନି ମୁହଁକୁ ଚାହିଁ କିଛି ସମୟ ଭାବିଲେ। ଇଚ୍ଛା ହେଉଥିଲା ଦି ଚାରିଟା ଚଟକଣି ତା ମୁହଁରେ ଥୋଇ ଆସିବାକୁ। ଆପଣା ସୁନା ତ ଭେଣ୍ଡି ପରକୁ କାହିଁକି ଦୋଷ ଦେବେ! ଭାବି ପୁଣି ଥରେ ଉଦୁଉଦିଆ ଖରାରେ ନିଜ ପ୍ରିୟତମା ସ୍କୁଟର କୁ ଠେଲି ଠେଲି ଘରେ ପହଁଚିଲେ। ସେଦିନ ରାତିରେ ଜେଜେଙ୍କୁ ଭୋକ ନାହିଁକି ନିଦ ନାହିଁ। ସତ୍ୟବାନ ଭଳି ମୃତ ପ୍ରାୟ ସ୍କୁଟର ଟିର ଜୀବନକୁ ପୁଣି କେମିତି ଫେରେଇ ଆଣିବେ ଭାବି ଭାବି ସକାଳ ପାହିଗଲା।   


କୁହନ୍ତି ଯେତେବେଳେ ମଣିଷ ସବୁ ଆଡୁ ନିରାଶ ହୋଇଯାଏ ଭଗବାନ ଙ୍କ କଥା ମନେ ପଡେ। ଜେଜେ ପରଦିନ ଗାଧେଇ ପାଧେଇ ସିଧା ଦୌଡ଼ିଲେ ମନ୍ଦିର। ମନ୍ଦିର ପୂଜକ ଜେଜେଙ୍କ ପୁରୁଣା ବନ୍ଧୁ ଥିଲେ। ନୁଆଁ କି ସ୍କୁଟର ଆଣିଲା ବେଳେ ପୂଜା ବି ଏହି ପୂଜକ ଜଣକ କରିଥିଲେ। ଥନ୍ତଲା ପେଟରେ ହାତ ବୁଲେଇ ଧ୍ୟାନରେ ଜେଜେଙ୍କ ସମସ୍ୟା କୁ ଶୁଣିଲେ। ଗ୍ରହ ନକ୍ଷେତ ଠୁ ଆରମ୍ଭ କରି ଜେଜେଙ୍କ ଜନ୍ମ ସମୟ ସ୍କୁଟର ର କିଣିବା ଦିନକୁ ମିଶାଣ ଫେଡାଣ କଲେ। ଶେଷରେ ଡେହୁଁରିଆ ଭଳି ଲମ୍ବା ଡୋର ରେ ଲେମ୍ଭୁ ଲଙ୍କା ଗୁନ୍ଥି ଜେଜେଙ୍କ ହାତରେ ଧରେଇ ଦେଲେ। ଠାକୁର ଙ୍କୁ ସ୍ରଷ୍ଟାଙ୍ଗ ଦଣ୍ଡବତ ଟେ ମାରି ଲେମ୍ଭୁ ଲଙ୍କା ମାଳ ଧରି ଜେଜେ ହର୍ଷ ମନରେ ସିଧା ସ୍କୁଟର ପାଖେ ହାଜର ହେଇଗଲେ। ତରବର ହୋଇ ଲେମ୍ଭୁ ଲଙ୍କା ମାଳ କୁ ହେଣ୍ଡଳ ରେ ବାନ୍ଧି ଦେଇ ଷ୍ଟାର୍ଟ ମାରିଛନ୍ତି ତ ସ୍କୁଟର ଫଟଫଟ ନାଦ କରି କଳା ଧୂଆଁ ହୁଳା ଛାଡିଲା। ଜେଜେଙ୍କ ଖୁସି କହିଲେ ନ ସରେ। ଚଷମା ତଳ ଲୁହକୁ ପୋଛି ସେ ପୁଣିଥରେ ଠାକୁର ଙ୍କୁ ଜୁହାର ଟେ କଲେ। ଘର ଭିତରକୁ ଦୌଡ଼ି ଯାଇ ସମସ୍ତଙ୍କୁ ବାହାରକୁ ଟାଣି ଆଣିଲେ।


"ମୁଁ କହୁଥିଲି ନା ଭଗବାନ ମୋ ଡାକ ଶୁଣିବେ, ମୋ ସ୍କୁଟର କୁ ଠିକ କରିଦେବେ। ଆସ ଦେଖ ସ୍କୁଟର ଠିକ ହୋଇ ଯାଇଛି। ଫଟଫଟ ଆବାଜ କରୁଛି। ଜାଣିଛି ମୁଁ ମଲା ଯାଏଁ ଇଏ କେବେ ହେଲେ ଖରାପ ହେବନି।" ଜେଜେ କହି କହି କାନ୍ଦି ପକାଉଥିଲେ। ଖୁସିରେ ବି ଅନେକ ଲୁହ ଚହଲି ଆସେ ସେଦିନ ଜେଜେ ଆଖିକୁ ଦେଖି ମୁଁ ଜାଣିଲି। ଜାଣିଲି ମଣିଷ ମେସିନ ମଧ୍ୟରେ ବି ଭାବର ଗଭୀର ସମ୍ପର୍କ ଟିଏ ଗଢି ଉଠିପାରେ। ପ୍ରଥମ ଥର ଆପେ ଆପେ ହୃଦୟ ରେ କଥା ଟିଏ ଆସିଲା "ଜେଜେ, ତମେ ଗଲା ପରେ ବି ମୁଁ ତମ ସ୍କୁଟର କୁ ଖରାପ ହେବାକୁ ଦେବିନି।" ସେହି ଦିନ ଠାରୁ ପ୍ରତେକ ଟି ମେସିନ ମୋତେ ଜୀବନ୍ତ ଲାଗନ୍ତି। ପ୍ରତେକ ଟି ମେସିନ ମୋ ଆପଣାର ଲାଗନ୍ତି। ସେଥିପାଇଁ ପାପା ଙ୍କ ଅନିଚ୍ଛା ସତ୍ତ୍ୱେ ମୁଁ ମେକାନିକାଲ ଇଞ୍ଜିନିୟର ହେବାକୁ ନିର୍ଣ୍ଣୟ ନେଇଥିଲି।


ଜେଜେ ସ୍କୁଟର ନେଇ ବାହାରକୁ ଚାଲି ଯାଇଥିଲେ। ସକାଳେ ମେକାନିକ ଆସି ସ୍କୁଟର ସଜାଡ଼ିବା କଥା ଜେଜେ ଙ୍କୁ ନ ଜଣାଇବା କୁ ପାପା ଆମ ସମସ୍ତଙ୍କୁ କହିଲେ। ମୁଁ ଆଶ୍ଚର୍ଯ୍ୟ ହେଉଥାଏ, ସେ କାଲି ଠାରୁ ଏତେ ପରିଶ୍ରମ କରି ଜଣେ ବନ୍ଧୁ ଙ୍କ ସହାୟତାରେ ବହୁ ଦୂରରୁ ମେକାନିକ କୁ ଆଣିଲେ। ମେକାନିକ ବାରମ୍ବାର କହିକି ଯାଇଛି ସ୍କୁଟର ପାର୍ଟସ ମିଳୁନି ଦେଖିକି ଚଲେଇବେ ହୁଏତ ଆଉ ଥରେ ଖରାପ ହେଲେ ସଜାଡି ହେବନି। ଅଥଚ ପାପା ଜେଜେ ଙ୍କୁ ଏ ବିଷୟରେ କିଛି ନ କହି ମୌନ ରହିଲେ କାହିଁକି! ଆଜି କିନ୍ତୁ ମୁଁ ବୁଝିଛି "ଯଦି ସତ କାହାର ଖୁସି, ଭାବନା, ବିଶ୍ୱାସ କୁ ଆହତ କରେ ସେହି ସତ କୁ ଲୁଚେଇ ଦେବା ଉଚିତ।"


ଏ ଘଟଣା କୁ ପ୍ରାୟ ଚାରି ବର୍ଷ ବିତି ଯାଇଥାଏ। ମୁଁ ହଷ୍ଟେଲ ରେ ରହି ଇଂଜିନିୟରିଂ ପଢୁଥାଏ। ଏମିତି ଏକ ଛୁଟିରେ ମୁଁ ଘରକୁ ବୁଲି ଆସିଲି। ଜେଜେଙ୍କୁ ମିଛ କହି ସ୍କୁଟର ଚାବି ନେଇ ରଶ୍ମି ପାଖକୁ ଗଲି। ରଶ୍ମି ମୋ ପ୍ରେମିକା ମୋ ସ୍କୁଲ ଦିନର ସାଥି। ଜେଜେ ସ୍କୁଲ କୁ ମୋତେ ନବା ଆଣିବା କଲା ବେଳେ ସେ ସ୍କୁଟର କୁ ଦେଖେ। ତାକୁ ବି ଜେଜେଙ୍କ ସ୍କୁଟର ବହୁତ ପସନ୍ଦ। ବସିବ ବୋଲି ଆଶା ରଖିଥିଲା। ସେହି ଆଶା ପୂରଣ ପାଇଁ ମୁଁ ସେ ଦିନ ଜେଜେ ଙ୍କୁ ମିଛ କହିଥିଲି। ସ୍କୁଟର ରେ ରଶ୍ମି ମୁଁ ଦିନ ସାରା ବୁଲିଲୁ, ଖୁବ ମସ୍ତି କଲୁ। ଫେରିବା ବେଳେ ବାଟରେ ସ୍କୁଟର ଅଟକି ଗଲା। ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ ହେଲାନି। ଆଖ ପାଖରେ କୌଣସି ଗ୍ୟାରେଜ ନଥିଲା। ଥିଲେ ବି ଏତେ ପୁରୁଣା ସ୍କୁଟର ସଜାଡ଼ିବାକୁ ମନା କରିଦେଇଥାନ୍ତ। ଘରକୁ କେମିତି ଯିବୁ ମୁଁ ଭାବୁଥାଏ। ଏହି ସମୟରେ କାର ଟିଏ ଆସି ଆମ ପାଖେ ରହିଲା। କାର ଟି ଚିହ୍ନା ଥିଲା, ଆମରି ହିଁ ଥିଲା। ସେଥିରେ ପାପା ବସିଥିଲେ। ଭାବିଥିଲି ସେ ମୋ ଉପରେ ରାଗିବେ ଗାଳି ଦେବେ। ହେଲେ ସେ ଶାନ୍ତ ଆଉ ସ୍ୱାଭାବିକ ଥିଲେ। ମୋତେ ସ୍କୁଟର ନେଇ ଆସିବାକୁ କହି ରଶ୍ମି କୁ ସାଥିରେ ନେଇ ଚାଲିଗଲେ। ଟିକେ ଟିକେ କଥାରେ ରାଗୁଥିବା ପାପା ଙ୍କ ସେଦିନର ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କରୁଥିଲା। ସଙ୍କା ଆଶଙ୍କାର ମେଞ୍ଚାଏ ବାଦଲ ମୋ ହୃଦୟରେ ଘନେଇ ଯାଉଥିଲା।


ସନ୍ଧ୍ୟା ହେବାକୁ ଯାଉଥାଏ। ବହୁ କଷ୍ଟେ ଝାଳନାଳ ହୋଇ ସ୍କୁଟର ପେଲି ଘରେ ଆସି ପହଞ୍ଚିଲି। ଗ୍ୟାରେଜରେ ସ୍କୁଟର ରଖିଲି। ଭୟରେ ଘର ଭିତରକୁ ଯିବାକୁ ଇଚ୍ଛା ହେଉ ନଥାଏ। ଲାଗୁଥିଲା ପଛରୁ କେହି ମୋତେ ଭିଡି ଧରୁଛି। ପାପାଙ୍କ କୋପ ଦୃଷ୍ଟିର ସାମ୍ନା କେମିତି କରିବି ଭାବିବା ବେଳକୁ ପାଦ ମୋର ଅଟକି ଯାଉଥାଏ। ଜେଜେ ଅଛନ୍ତି ସମ୍ଭାଳି ନେବେ ଭାବି ସାହସ ବାନ୍ଧି ମୁଁ ଘର ଭିତରକୁ ପଶିଲି। ଭିତର ପରିବେଶ ଶାନ୍ତ କୋଳାହଳ ଶୂନ୍ୟ ଥିଲା। ଏହା ସମ୍ଭାବ୍ୟ ଝଡ଼ ପୂର୍ବର ସ୍ଥିତି ନା ପର ର ମୁଁ ଭାବୁଥାଏ। ସାମ୍ନାରେ ମମି କୁ ଦେଖି ଆସ୍ବସ୍ତି ଅନୁଭବ କଲି। ଏ ଆସ୍ବସ୍ତି କ୍ଷଣିକ ପାଇଁ ଥିଲା। ମା ର ମମତା ବଦଳରେ ସେଦିନ ତା'ର ଉଗ୍ର ରୂପ ଦେଖିବାକୁ ମିଳିଥିଲା।


ତୋ ସାମାନ ସବୁ ପ୍ୟାକ କରି କାର ରେ ରଖି ଦେଇଛି। ତୁ ଏବେ ସାଙ୍ଗେ ସାଙ୍ଗେ ହଷ୍ଟେଲ କୁ ଚାଲି ଯା। କାହିଁକି ପ୍ରଶ୍ନ କରିବା ଆଗରୁ ମମି ସେଠାରୁ ଚାଲି ଯାଇଥାଏ। ମୁଁ ଚୁପଚାପ ସେଠାରୁ ହଷ୍ଟେଲ କୁ ଫେରି ଆସିଲି। ପରେ ଶୁଣିଲି ସେଦିନ ରଶ୍ମି କୁ ତାଙ୍କ ଘରେ ଛାଡ଼ି ଆସି ପାପା ବହୁତ ରାଗିଥିଲେ। ମନରେ ଥିବା ସବୁ ଅସନ୍ତୋଷ ଲାଭା କୁ ଜେଜେଙ୍କ ଉପରେ ଢାଳି ଦେଇଥିଲେ। 


"ବାପା ତମେ ହିଁ ଅଂଶୁର ମୁହଁ ବଢ଼ିଆ କରିଛ। ଜାଣିଛ ଆଜି ସେ ଏ ବୟସରେ ଝିଅ ଧରି ବୁଲୁଛି। କାଲିକି ମଦ ଡ୍ରଗ୍ସ ଖାଇ ମାତାଲ ହୋଇ ବୁଲିବ। ଏଥିପାଇଁ ତମେ ହିଁ ଦାୟୀ ରହିବ। ପିଲାଟି ଦିନରୁ ପାଖରେ ବସେଇ ବସେଇ ଏମିତି ସ୍କୁଟର ସଜାଡିଲ ଯେ ସେ ଏବେ ଡାକ୍ତର କି ବଡ଼ ଅଫିସର ହେବାକୁ ଚାହୁଁନି। ମେକାନିକ ହେବ, ତମର ଏ ଧଦଡ଼ା ସ୍କୁଟର କୁ ସଜାଡ଼ିବ। ଏଇଥିପାଇଁ କଣ ମୁଁ ପିଲାଟି ବେଳୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାକୁ ପଢେଇଥିଲି। ଭାବିବା ବେଳକୁ ମୋତେ କେତେ କଷ୍ଟ ହେଉଛି କେବେ ଅନୁଭବ କରିଛ ବାପା। ତମେ ବାପା ହୋଇ ଆଉ ଜଣେ ବାପାର ଯନ୍ତ୍ରଣାକୁ ଦେଖି ପାରୁନ! ଯଦି ତମ କଥା ନ ମାନି ମୁଁ ଓକିଲ ନହେଇ କୋଉ ଗ୍ୟାରେଜ ମେକାନିକ ହେଇଥାନ୍ତି। ତମକୁ କେମିତି ଲାଗିଥାନ୍ତା? ଏତେ ସବୁ କଥା ଭାବିବା ପାଇଁ ତମ ପାଖେ ସମୟ କାହିଁ। ସବୁବେଳେ ତ ସ୍କୁଟର କଥା ଭାବି ତମ ଦିନ ଯାଉଛି। ପ୍ଲିଜ଼ ବାପା ଆଉ ସହି ହେଉନି। ହାତଯୋଡି କହୁଛି ମୋ ପୁଅର ଭବିଷ୍ୟତ ସହ ଆଉ ଖେଳ ନାହିଁ। ମନେ ରଖ ସେ ତମ ଶତ୍ରୁ ନୁହେଁ ତମ ନାତି।"


ଦୋଷୀର ଦଣ୍ଡାଦେଶ ଜଜ ପଢିବା ଭଳି ସେଦିନ ପାପା ଜେଜ ଙ୍କୁ କହି ଚାଲିଥିଲେ। ଜେଜେ ଅପରାଧୀ ଭଳି ଚୁପଚାପ ପାପା ଙ୍କ କଥା ଶୁଣୁଥିଲେ। ଏହା ପରଠୁ ଜେଜେ ନା କେବେ ସ୍କୁଟର ପାଖକୁ ଯାଇଛନ୍ତି ନା ସ୍କୁଟର ବିଷୟରେ କାହା ଆଗରେ ଗପିଛନ୍ତି। ଯଦି କେହି ପଚାରିଲା କୁହନ୍ତି ବୁଢା ହେଲିଣି ଚାବି କୋଉଠି ରଖି ଦେଇଛି ପାଉନି। ଅନେକ ଦିନ ଧରି ପାପା ଙ୍କ ସହ ତାଙ୍କର କଥା ବାର୍ତ୍ତା ମଧ୍ୟ ରହିଲା ନାହିଁ। ଜେଜେ ନିଜକୁ ନିଜ ପରିବାର ଠୁ ହିଁ ଦୁରେଇ ନେଉଥିଲେ। 


କିଛି ବର୍ଷ ପୂର୍ବେ ମୋ ଇଂଜିନିୟରିଂ ପଢା ସରିଲା। ଅନେକ ଜବ ଅଫର ପାଇଥିଲେ ବି ମୁଁ ସେ ସବୁ କୁ ପ୍ରତ୍ୟଖାନ କରି ଘରକୁ ଫେରିଲି। ମୋ ପ୍ରଥମ କର୍ତ୍ତବ୍ୟ ଥିଲା ମୋ ଘର ମୋ ପରିବାରର ହଜିଲା ଖୁସି ଫେରେଇ ଆଣିବା। ଆସି ଦେଖିଲି, ସେ ଖୁସି ଧୂଳି ମଳି ହୋଇ ଗ୍ୟାରେଜ ଘର ର ଗୋଟିଏ କୋଣରେ ପଡିଥିଲା। ବାହାରକୁ କାଢି ସ୍ନେହରେ ଧୂଳି ତକ ସଫା କରିଦେଲି। ଘର ଲୋକ ସଭିଏଁ ଦେଖୁଥାନ୍ତି କିନ୍ତୁ ଚୁପ ଥାନ୍ତି। ଯୋଉଦିନ ସ୍କୁଟର ସଜାଡି ପ୍ରଥମ କିକ ମାରିଲି ପାପା ହିଁ କୋଣରେ ଥାଇ ଦେଖୁଥିଲେ। ସ୍କୁଟର ଟି ଷ୍ଟାର୍ଟ ହେଇଯାଉ ବୋଲି ବୋଧେ ଠାକୁର ଙ୍କୁ ପ୍ରାଥନା କରୁଥିଲେ। ସ୍କୁଟର ଷ୍ଟାର୍ଟ ହୋଇ ଯାଇଥିଲା। ପାପା ଦୌଡ଼ି ଆସି ମୋତେ କୁଣ୍ଢେଇ ଧରିଥିଲେ। ରୁଦ୍ଧ ଗଳାରେ ଧୀରେ କି ମୋ କାନରେ କହିଥିଲେ।


ଆଇ ଆମ ସରି ଅଂଶୁ, ସେ ଦିନ ତୋ ଜେଜେଙ୍କ ଉପରେ ରାଗିବା ଛଡା ମୋ ପାଖେ ଅନ୍ୟ କିଛି ଉପାୟ ନଥିଲା। ବାରମ୍ବାର ସ୍କୁଟର ଖରାପ ହେଉଥିଲା। ପ୍ରତେକ ଥର ଠିକ ହେବା ଆଶା ବି କ୍ଷୀଣ ହେଇ ଚାଲିଥିଲା। କିନ୍ତୁ ଏ ସତ କୁ ତୋ ଜେଜେ ଗ୍ରହଣ କରିବାକୁ ନାରାଜ ଥିଲେ। ମୁଁ ଚାହୁଁଥିଲି ସେ ନିଜକୁ ଦୋଷୀ ଭାବି ସ୍କୁଟର ଠୁ ଦୁରେଇ ନିଅନ୍ତୁ। ତାହା ହିଁ ହେଲା। ମୋ ଉପରେ ଅଭିମାନ କରି ରହିପାରିଲେ କିନ୍ତୁ ସ୍କୁଟର ଅସଜଡ଼ା ହୋଇ ପଡିରହିବ ଜାଣିଥିଲେ ହୁଏତ ସେ ସହ୍ୟ କରିପାରି ନଥାନ୍ତେ। ପାପାଙ୍କ ଆଖିରେ ଲୁହ ଥିଲା, ସେ ଲୁହରେ ଜେଜେଙ୍କ ପ୍ରତି ତାଙ୍କ ଗଭୀର ଭଲ ପାଇବା ବି ସ୍ପଷ୍ଟ ବାରି ହେଉଥିଲା।


ମମି ଜେଜେମା ବି ଆସି ଯାଇଥାନ୍ତି କିନ୍ତୁ ଜେଜେ ଙ୍କ ଦେଖା ଦର୍ଶନ ନଥିଲା। ଜେଜେମା କହିଲେ ସେ ମୁହଁ ଫୁଲେଇ ତାଙ୍କ ରୁମରେ ବସିଛନ୍ତି। ସ୍ନେହରେ ହିଁ ତ ଅଭିମାନ ଥାଏ। ପାପା ଏକଥା ଜାଣିଥିଲେ। ଜେଜେଙ୍କ ରୁମ କୁ ଯାଇ ପାପା ହାତ ଯୋଡି କ୍ଷମା ମାଗିଲେ। ବାସ ଏତିକିରେ ହିଁ ଜେଜେଙ୍କ ସବୁ ରାଗ ଅଭିମାନ ତରଳି ଗଲା। ସେ ଦିନ ଜେଜେ ମୁଁ ସ୍କୁଟର ରେ ବହୁତ ବୁଲିଲୁ। ପରଦିନ ମୁଁ ମୋ ଜବରେ ଜଏନ କରିବାକୁ ସୁଦୂର ବିଦେଶ ଚାଲି ଆସିଲି।


ଦୁଇ ବର୍ଷ ପରେ ମୁଁ ଆଜି ଘରକୁ ଫେରୁଛି। କାଲିର ଅଜଣା ଅଚିହ୍ନା ମଣିଷ ଟି ଆଜି ମୋଟର ସାଇକେଲ ଦୁନିଆର ଚର୍ଚ୍ଚିତ ଚେହେରା। ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ ମୋ ଡ଼ିଜାଇନିଂ ବାଇକ ସ୍କୁଟର ର ନାହିଁ ନଥିବା ଚାହିଦା। ଦେଶ ବିଦେଶର ପ୍ରତିଟି ଖବରକାଗଜ ମ୍ୟାଗାଜିନ ରେ ମୋ ପ୍ରଶଂସାରେ ଲେଖା। ସଫଳତାର ଶୀର୍ଷରେ ରହି ବି ମୋର ପସନ୍ଦ ଜେଜେଙ୍କ ସେହି ପୁରୁଣା ସ୍କୁଟର। ଆଉ ସ୍କୁଟର ପଛ ଷ୍ଟେପିନି କଭର ଉପର ରେ ଲେଖା ମୋ ନାଁ।


ଏୟାରପୋର୍ଟ ରୁ ବାହାରକୁ ଆସି ଦେଖିଲି। ମୋ ସ୍ୱାଗତ ପାଇଁ ମମି ପାପା ଜେଜେ ଜେଜେ ମା ଅପେକ୍ଷା କରିଛନ୍ତି। ପାଖରେ କିଛି ବନ୍ଧୁ ବାନ୍ଧବ ସାଙ୍ଗ ସାଥି ବି ଥାନ୍ତି। ସେମାନେ ସମସ୍ତେ ପ୍ରଶଂସକ ସାମ୍ବାଦିକ ଙ୍କୁ ମୋ ବର୍ତ୍ତମାନ ଜୀବନର କାହାଣୀ ଶୁଣାଉଥାନ୍ତି। ମୋ କାହାଣୀ ଆଉ ଜଣେ ବି ବଖାଣୁ ଥିଲା ଦୂର ପାର୍କିଂ ର ଏକ କୋଣରେ ରହି। ସେ ଥିଲା ମୋ ଜେଜେଙ୍କ ସ୍କୁଟର। ଆଧୁନିକ ଗାଡି ମେଳରେ ରହି ଆମ ବାପ ଜେଜ ନାତି ତିନି ପିଢ଼ି ଙ୍କର ଅତୀତ କାହାଣୀ ଶୁଣାଉଥିଲା। ପ୍ରତ୍ୟେକ ଟି ପୁରୁଣା ଜିନିଷ ଜୀବନ୍ତ ନ ହୋଇ ବି ଅତୀତର ଅନେକେ କାହାଣୀ କୁହନ୍ତି। ଆଉ ମୋତେ କାହାଣୀ ଶୁଣିବା ଭଲ ଲାଗେ। ମୁଁ ଜେଜେଙ୍କ ଠୁ ଚାବି ଛଡେଇ ନେଇ ସ୍କୁଟର ପାଖକୁ ଦୌଡ଼ି ଗଲି ଆଉ କିଛି ଜେଜେଙ୍କ ଅତୀତର ଅକୁହା କାହାଣୀ ଶୁଣିବା ଆଶାରେ। ଯଦି ଆପଣ ମାନଙ୍କୁ ମଧ୍ୟ ଅତୀତ କାହାଣୀ ଶୁଣିବା ଭଲ ଲାଗେ ଶ୍ରଦ୍ଧା ରେ ଏମାନଙ୍କୁ ସାଇତି ରଖନ୍ତୁ।



Rate this content
Log in

Similar oriya story from Drama