Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rama Chandra Padhi

Tragedy

4.9  

Rama Chandra Padhi

Tragedy

ସ୍ବପ୍ନ ସରିନି ମୀନୁର

ସ୍ବପ୍ନ ସରିନି ମୀନୁର

5 mins
578


ମିଉଁଉଁଉଁ.......... ଏ ମିଉଁ।


ମୁଁ ଜାନିଚି.... ତୁ ଏଥି କୋଉତି ନୁଚିଚୁ।


ମୋ ସାଂଗଲେ ଖେଲୁଚୁ.....। 


ଦେଖ ମୁଁ ତୋ ପେଇଁ ଖିଲ(କ୍ଷୀର), ବିକୁଟ (ବିସ୍କୁଟ) ଆନିଚି....ଯଦି ନ ଆସିବୁ ମୁଁ ଆଉ କାକୁ ଦେଇଦେବି।


ମୀନୁ, ଅଭିମାନ ସ୍ୱରରେ ଡାକି ଘର ଆଗ ବଗିଚାରେ ଖୋଜି ବୁଲୁଥିଲା। ବିଚଳିତ ହେଉଥିଲା ଆକାଶର କଳା ଭସା ବାଦଳକୁ ଦେଖି। ମିଉଁ ର ବିରହ ତା ଗୋଲ, ଗୋରା ଗୁଲଗୁଲ ହସ ମୁହଁକୁ ଝାଉଁଳେଇ ଦେଇଥିଲା। ଖୋଜି ଖୋଜି ଥକି ପଡୁଥିବା କୁନି ଗୋଡ଼ ଦୁଇଟି କିଛି ମାସ ହେବ ସଳଖ ଚାଲିବା ଆରମ୍ଭ କରିଥିଲେ। ସେହି ଥକ୍କା କୋମଳ ପାଦର ସ୍ପର୍ଶରେ ସତେଜ ହୋଇ ପଡୁଥିଲେ ବଗିଚା ର ଶୁଖିଲା ଘାସ। ମିଉଁକୁ ପାଇବା ଆଶାରେ ସେ ଗୋଟିଏ ବୁଦା ମୂଳ ରୁ ଅନ୍ୟ ଏକ ବୁଦା ମୂଳକୁ ଘୁରି ବୁଲୁଥିଲା। ତା ମିଠା ସ୍ପର୍ଶ ପାଇବାକୁ ବ୍ୟାକୁଳ ପତ୍ର ମାନେ ପାଖରେ ପାଇ ଚୁମି ଦଉଥିଲେ ନରମ ଫୁଲୁକା ଗାଲକୁ। ଡାହି ମାନେ ଟାହି କରି ଟାଣି ଧରୁଥିଲେ ସେ ପିନ୍ଧିଥିବା ନାଲି ଫୁଲପକା ଫ୍ରକ କୁ। ସେ ବିରକ୍ତ ହୋଇ କୁନି ହାତରେ ଫ୍ରକକୁ ଛଡେଇ ପୁଣି ଡାକ ଛାଡେ, ମିଉଁ...ଏ ମିଉଁ କୁଆଲେ ଗଲୁ?। ତା ଓଠର ଖନି ଶବ୍ଦ ଶୁଣି ହସୁଥିଲେ ବଗିଚାର ରଙ୍ଗ ବେରଙ୍ଗ ଫୁଲ। ସାଥି କରି ଖେଳିବା ଆଶାରେ ପ୍ରଜାପତି ମାନେ ତା ଚାରିପଟେ ଘୁରି ବୁଲୁଥାନ୍ତି। ହେଲେ ତା ମନ ଥାଏ କେବଳ ମିଉଁ ପାଖରେ। ମିଉଁ ତା ଭଳି ନିଷ୍ପାପ, ନିଷ୍କପଟ ସୁନ୍ଦର ମନଲୋଭା ବିଲେଇ ଛୁଆ ଟିଏ। 


କିଛିଦିନ ହେଲା ମୀନୁ ସ୍କୁଲ ଯିବା ଆରମ୍ଭ କରିଥିଲା। ଦିନେ ବାପା ସହ ସ୍କୁଲ ରୁ ଫେରିବା ବେଳେ ରାସ୍ତା କଡରେ ଏକାକୀ ବର୍ଷାରେ ଭିଜା ବିଲେଇ ଛୁଆଟିର ବିକଳ ରାବ ଶୁଣି ଜିଦ କଲା ତାକୁ ଘରକୁ ନେଇଯିବ। ସେହିଦିନ ଠାରୁ ସେହି ବିଲେଇ ଛୁଆଟି ହୋଇଯାଇଛି ତା ଅତୀ ଆପଣାର। ପାଖରେ ସୁଆଏ, ହାତରେ ଖୁଆଏ। ସାଙ୍ଗ ସାଥିଙ୍କୁ ଭୁଲି ତା ସଙ୍ଗେ ପ୍ରତି ଦିନ ଘର ଆଗ ବଗିଚାରେ ଖେଳେ। ବିଲେଇ ଛୁଆ ବି ମୀନୁର ସ୍ନେହ, ଆଦର ପାଇଁ ଭୁଲି ଯାଇଥିଲା ତା ମା କୁ। ମୀନୁର ଗୋଟିଏ ଡାକରେ ଦୌଡ଼ି ଆସି କୋଳରେ ବସିଯାଏ। ହେଲେ ସେ ଦିନ କଣ ହେଲା କେଜାଣି ସେ ତା ଡାକକୁ ବେଖାତିରି କରୁଥିଲା। କିଛି ବି ବୁଝି ପାରୁ ନ ଥିଲା ମୀନୁ। 


ଶେଷ ଥଲ କଉଚି ତୁ ଯୋଉତି ଅଛୁ ଜଲଦି ଆସେ ନ ହେଲେ ମୁଁ ତୋ ସାଂଗଲେ କତି କଳିବି...ଆଉ କେବେ ବି କତା ହେବିନି....। 


ମୀନୁ ଲୁହ ଗଡେଇ ପାଖ ଚେୟାର ଉପରେ ମୁହଁ ମାଡି ବସିପଡ଼ିଲା। କିଛି କ୍ଷଣ ଅପେକ୍ଷା କଲା ଏବେ ବି ମିଉଁ ର ଦେଖା ନ ଥିଲା। ତେଣେ ବର୍ଷା ଘୋଟି ଆସୁଥାଏ। ସେ କ'ଣ କରିବ? କୋଉଠେ ଖୋଜିବ? କିଛି ବୁଝି ପାରୁ ନ ଥିଲା। ହଟାତ ପାଚେରୀ ଆରପଟ ରୋଡ଼ କଥା ତା'ର ମନେ ପଡିଲା। ଆଖି ବୁଲେଇ ଦେଖିଲା ଗେଟ ଆଡକୁ। ସର୍ବଦା ବନ୍ଦ ରହୁଥିବା ଫାଟକ ଟି ସେ ଦିନ ଅଳ୍ପ ଖୋଲା ଥିଲା। ବୋଧେ ମିଉଁ ବାହାରକୁ ଚାଲି ଯାଇଛି। ସେଥିପାଇଁ ତା ଡାକ ଶୁଣି ପାରୁନି। ସେ ମନରେ ଭାବିଲା।


ମିଉଁକୁ ପାଇବା ଆଶା ତା ପାଦକୁ ଧୀରେ ଧୀରେ ଟାଣି ନେଇଥିଲା ଘର ଠାରୁ କିଛି ଦୂରରେ ଥିବା ନିର୍ଜନ ସ୍ଥାନ ଆଡକୁ। ବଡ଼ ବଡ଼ ଗଛ ଏବଂ ଘଞ୍ଚ ବୁଦାରେ ପରିପୂର୍ଣ୍ଣ ନିକାଞ୍ଚ ସ୍ଥାନ ଟି ଭିତରକୁ ସୂର୍ଯ୍ୟ କିରଣ ବି ପ୍ରବେଶ କରିବାକୁ ଭୟ କରେ। ପ୍ରଥମ ଥର ସେ ଅଜାଣତରେ ଏକାକୀ ଏ ଭୟଙ୍କର ଜାଗାକୁ ଆସିଥାଏ। ଭୟରେ ତା ଛାତି ଧଡ଼ ଧଡ଼ କରୁଥାଏ। ଟିକିଏ ଶବ୍ଦରେ ସେ ଚମକି ଉଠୁଥାଏ। ତଥାପି ମିଉଁକୁ ପାଇବା ଆଶାରେ ସେ ଆଗକୁ ବଢି ଚାଲିଥାଏ।


ହଟାତ ଖଡ଼ଖଡ଼ ଶବ୍ଦ କରି ପାଖ ବୁଦା ଭିତରୁ କାଳିଆ କୁକୁର ଟିଏ ବାହାରି ଆସିଲା। ମୁନି ଭୟରେ ଚମକି ପଡିଲା। ଚୁପଚାପ ନିଜକୁ ଲୁଚାଇ ଦେଲା ଗଛ ଆଢୁଆଳରେ। କୁକୁର ଟି ମୁହଁରେ ଲାଗିଥିବା ରକ୍ତ ଛିଟାକୁ ତା ଲମ୍ବା ଜିଭରେ ଚାଟି ଚାଟି ଚାଲି ଗଲା। ଏବେ ବି ବୁଦା ପଛପଟୁ ଆଉ କିଛି କୁକୁର ଙ୍କ କୋଳାହଳ ଶୁଭୁଥିଲା। ବୋଧେ ମିଉଁକୁ ଘେରି ରହିଛନ୍ତି ଆଉ କିଛି କୁକୁର। ପାପା କହିଥିଲେ ବିଲେଇ ଙ୍କ ପରମ ଶତ୍ରୁ ହେଲା କୁକୁର। ବାରମ୍ବାର ମନା କରିଥିଲେ ମିଉଁକୁ ବାହାରକୁ ନେବା ପାଇଁ। ତାଙ୍କ କଥା ନ ମାନି ଲୁଚାଇ ନେଇ ଆସେ ବଗିଚାକୁ ତା ସଙ୍ଗେ ଖେଳିବା ଆଶାରେ। ଜାଣି ନ ଥିଲା ଏ ଭୁଲ ପାଇଁ ସେ ହରେଇ ଦେବ ତା ଅତି ପ୍ରିୟ ମିଉଁ କୁ। ନା ନା ସେ ଏହା କେବେ ହେବାକୁ ଦେବନି। ଯାହା ହେଲେ ବି ମିଉଁକୁ ସେ ସେହି ହିଂସ୍ର କୁକୁରମାନଙ୍କ କବଳରୁ ରକ୍ଷା କରିବ। ମନରେ ସାହସ ବାନ୍ଧି, ଧୀରେ ଧୀରେ ବୁଦା ପାଖକୁ ଯାଇ ଡାହି, ପତ୍ର ଗୁଡିକୁ ଆଡେଇ ଦେଖିଲା। ଅତି ବୀଭତ୍ସ ଥିଲା ଆର ପଟର ଦୃଶ୍ୟ।


ରକ୍ତରେ ଲଟପଟ ମିଉଁର ଚାରିପଟେ ଘେରି ରହିଥିଲେ ଭୟଙ୍କର ହିଂସ୍ର କୁକୁର ପଲ। ମାଟିରେ ଚିତ୍ରିତ ତା ସଙ୍ଘର୍ଷର ଚିତ୍ର ଦେହର ରକ୍ତରେ ଲିଭିବାକୁ ଲାଗିଥିଲା। ନିସ୍ତେଜ ପ୍ରାୟ ମିଉଁ ଶରୀରରେ ଏବେ ବି ଜୀବନ ଥିଲା। ଆଖିରେ ବଞ୍ଚିବାର ଆଶା ଥିଲା। ନିଜକୁ ମୁକାଳି ଚାଲିଯିବ ତା ମୀନୁ କୋଳକୁ। ନିରାପଦ ଛାଇ ତଳେ ରହି ସୁରକ୍ଷିତ କରି ଦେବ ବାକି ଜୀବନ। ହେଲେ ସେ ନିର୍ଦ୍ଦୟୀମାନଙ୍କ କବଳରୁ ବର୍ତ୍ତି ଆସିବା ସାମର୍ଥ୍ୟ ତା ଶରୀରରେ ନ ଥିଲା। ଶକ୍ତିହୀନ ମିଉଁ ନିଜ ଶରୀରକୁ ସମର୍ପି ଦେଇଥିଲା ସେହି ମାଂସ ଭକ୍ଷୀ ପଶୁଙ୍କ ଆଗରେ। ଆଖି ମିଟିମିଟି କରି ଅପେକ୍ଷା କରିଥିଲା ଯନ୍ତ୍ରଣାରୁ ମୁକ୍ତି ପାଇବା ମୁହୂର୍ତ୍ତକୁ। ତଥାପି ନିର୍ଦ୍ଦୟୀ କୁକୁରଗୁଡାକ ମନରେ ଟିକିଏ ବି ଦୟା ନ ଥିଲା। ଘେରି ରହି ତା କଷ୍ଟକୁ ଉପଭୋଗ କରୁଥିଲେ। ଖଣ୍ଡେ ଖଣ୍ଡେ ତା ଦେହର ମାଂସକୁ ଛିଣ୍ଡେଇ ଖାଉଥିଲେ। କିଛି କ୍ଷଣ ପୂର୍ବରୁ ନିର୍ଭୟରେ ଡିଆଁ ମାରି ଖେଳୁଥିବା ଜୀବଟି କିଛି କ୍ଷଣ ମଧ୍ୟରେ ଖିନଭିନ ହୋଇ ପଡି ରହି ଥିଲା ମାଟି ଉପରେ। ସେ ବୀଭତ୍ସ ଦୃଶ୍ୟ, ପ୍ରକୃତି ଆଖିରୁ ବି କିଛି ଟୋପା ଲୁହ ଝରାଇ ଦେଲା ବର୍ଷା ରୂପରେ। ହେଲେ ନିର୍ଦ୍ଦୟୀ କୁକୁରମାନଙ୍କ ଭୋକ ମେଣ୍ଟି ନ ଥିଲା। ସେମାଙ୍କର ଆଖି ଏବେ ବି ଖୋଜୁଥିଲା ଆଉ ଏକ ଶିକାର। ଗୋଟେ କୋମଳ ମାଂସରେ ଭରପୁର ଜୀବନ୍ତ ଶରୀର। 


ଏ ଦୃଶ୍ୟ ଦେଖି ମୀନୁର ଶରୀର ସ୍ଥାଣୁ ପାଲଟି ଯାଇଥିଲା। ସେ ବୁଝି ପାରିଥିଲା ଏଥର ପାଳି ତାର। ଏକୁଟିଆ ଘରୁ ପାଦ କାଢ଼ିଥିବା ଭୁଲ ପାଇଁ ତାକୁ ଜୀବନ ହାରି ପ୍ରାୟଶ୍ଚିତ କରିବାକୁ ପଡିବ। ସେ କୁକୁରଗୁଡାକ ନଜର ତା ଉପରେ ପଡିବା ଆଗରୁ ସେ ସେହି ସ୍ଥାନ ଛାଡି ଯିବାକୁ ଚେଷ୍ଟା କଲା। ପଛକୁ ବୁଲି ଦୌଡ଼ି ଯିବାକୁ ବାହାରିଲା ବେଳକୁ ସାମ୍ନାରେ ପାଇଲା କାଳିଆ କୁକୁରକୁ। ଦେଖୁ ଦେଖୁ ଝାମ୍ପ ମାରିଲା ମୀନୁ ଉପରକୁ। ମୀନୁ ଚିତ୍କାର କଲା,

ମମି...... ମମି ପିଜ(ପ୍ଲିଜ) ମୋତେ ବଞ୍ଚାଅ।


ମୁଁ ତମଲ ସବୁ କଥା ସୁନିବି। କେବେ ବି ଦୁଷ୍ଟାମୀ କଲିବିନି। କେବେବି ଏକା ଘଲୁ ବାହାଲିବିନି।


ପାପା, ପିଜ(ପ୍ଲିଜ) ଜଲଡି ଆସ ଏ କୁକୁଲ ମାନେ ମୋତେ ମାଲି ଖାଇଯିବେ। 


ସେ ଗୋଡ଼ ହାତ ଛାଟି କାନ୍ଦି କାନ୍ଦି ଚିତ୍କାର କରୁଥାଏ ହେଲେ ତା ଚିତ୍କାରର ଗର୍ଜନ ହଜି ଯାଇଥିଲା ଘଡଘଡି ଧ୍ୱନିର ତରଙ୍ଗ ମଧ୍ୟରେ। ବର୍ଷା ପାଣିର ଧାର ବୋହି ନେଇଗଲା ତା ଦେହର ଚିରାଫଟା ଫ୍ରକ କୁ। ନିର୍ବସ୍ତ୍ର, ନିରୁପାୟ ମୀନୁ ଯନ୍ତ୍ରଣାରେ ଛଟପଟ ହେଉଥିଲା। ବର୍ଷା ଛାଡ଼ିଗଲା, ଖରା ବି ପଡିଲା ହେଲେ କେବଳ ନିର୍ଜୀବ ଓଦା ମାଟିର ଆସ୍ତରଣ ଛଡା କେହି ବି ସେଠାରେ ତାକୁ ରକ୍ଷ୍ୟା କରିବାକୁ ପହଁଚିଲେ ନାହିଁ। ଧୀରେ ଧୀରେ ତା ଗଳା ଶୁଖିଗଲା। ଚିତ୍କାର ବି ଧିମା ହୋଇଗଲା। ଲୁହ ଝରିବା ବନ୍ଦ ହୋଇଗଲା। ସନ୍ଧ୍ୟା ଆସିବା ଭଳି ତା ଆଖି ଆଗରେ ଅନ୍ଧାର ଘୋଟିଗଲା। ଚାରିପାଖେ ଘେରି ରହିଥିବା ମାଂସ ଖିଆ କୁକୁର ଗୁଡାକ ତାକୁ ଦେଖାଯାଉଥିଲେ ମଣିଷ ରୂପୀ ନରଭକ୍ଷୀ ରାକ୍ଷସ ଭଳି। ସେ ଶୁଣିଥିବା କାହାଣୀ, ମଣ୍ଡା ଖିଆ ରାକ୍ଷସ ଠୁ ବି ଭୟଙ୍କର। ଯାହାଙ୍କ ପାଇଁ ସେ ଥିଲା କେବଳ କ୍ଷଣିକ ଦୈହିକ ଭୋକ ମେଣ୍ଟାଉଥିବା ଜୀବନ୍ତ ମାଂସ ପିଣ୍ଡୁଳା। କାହାଣୀ, ବାସ୍ତବତାର ଫରକ ବୁଝିବାକୁ ଅକ୍ଷମ ମୀନୁକୁ ଲାଗୁଥିଲା ଏକ ଭୟଙ୍କର ରାତିର ଅସରନ୍ତି ସ୍ବପ୍ନ ଭଳି। ସାହସ କରି ବି ଦେଖି ପାରି ନ ଥିଲା ତା ପୁରା ସ୍ବପ୍ନ, ଛାଡି ଯାଇଥିଲା ସେ ବିବତ୍ସ, ଭୟଙ୍କର ସ୍ୱପ୍ନକୁ ଆଉ ଏକ ମୀନୁ ପାଇଁ।


  

  



Rate this content
Log in

More oriya story from Rama Chandra Padhi

Similar oriya story from Tragedy