Rama Chandra Padhi

Tragedy Inspirational

4.6  

Rama Chandra Padhi

Tragedy Inspirational

ଅଳିଆ

ଅଳିଆ

3 mins
394



ଓଃ କି ଖରା, ଶୋଷ ରେ ତଣ୍ଟି ଶୁଖି ଯାଉଛି। ସାରା ଦେହ ଦୁର୍ବଳ ହୋଇ ପଡୁଛି। ପିଲାଦିନେ ମା କେମିତି କେଜାଣି ଖରା ତରା ରେ ମୋତେ କାଖରେ ଧରି ସାହି ସାହି ବୁଲୁଥିଲା। ମୁଁ ବାପା ଛେଉଣ୍ଡ ହେଲେ ବି ମା ମୋତେ ଖୁଆଇ ପିଆଇ ମୋଟା ସୋଟା କରି ରଖିଥିଲା। ତଥାପି ମୋ ଭାର ତାକୁ ହାଲୁକା ଲାଗୁଥିଲା। କାହା ନଜର ପଡିଯିବ ଭାବି କଳା ଟୋପା ଟିଏ ମୋ ମଥାରେ ଆଙ୍କି ଦେଉଥିଲା। 


ମା ସଫେଇ କର୍ମଚାରୀ ଥିଲା। ବାପା କୁଆଡେ ମୁଁ ଜନ୍ମ ହେବା ପରେ ପରେ ଚାଲି ଯାଇଥିଲେ। ଚାଲି ଯାଇଥିଲେ ଦୂର ଆକାଶ କୁ। ସୁଦୂର ବ୍ରହ୍ମାଣ୍ଡ ରେ ଛୋଟ ଏକ ତାରା ହୋଇ ଯାଇଥିଲେ। ମା କାଖକରି ଦୂର ଆକାଶ ର ସେହି ତାରା କୁ ଦେଖେଇ କୁହେ ଏ ଦେଖ ତୋ ବାପା। ସେଠି ରହି ତତେ ଦେଖୁଛନ୍ତି। ତୋତେ ବଡ଼ ମଣିଷ ହେବା ଆଶୀର୍ବାଦ କରୁଛନ୍ତି। ଦିନରେ ମୋତେ କାଖରେ ଧରି ରାସ୍ତା ଘାଟର ଅଳିଆ ଆବର୍ଜନା ସଫା କରେ। ରାତିରେ ଦୂର ଆକାଶ କୁ ଦେଖେଇ ଖୁଆଇ ଦିଏ। ତଥାପି ସେ ଥକେନି ମୋତେ କାଖରୁ ଓହ୍ଲେଇ ଦିଏନି। ଆଜି କିନ୍ତୁ ମୁଁ ଥକି ପଡିଛି। ପନ୍ଦର ବର୍ଷର କିଶୋର ହେଲେ ବି ମୁଁ ଥକି ପଡିଛି। ଥକି ପଡିଛି ମୋ ମା ର ଶବ କୁ ପିଠିରେ ବୋହି ବୋହି।


ସଫେଇ କର୍ମଚାରୀ କୁଆଡେ କରୋନା ଯୋଦ୍ଧା। ମା ଛାତି ଫୁଲେଇ ହସି ହସି ମୋତେ କୁହେ। ପ୍ରଥମ ଥର ମା ଆଖିରେ ସ୍ୱାଭିମାନ ର ଖୁସି ଥାଏ। ମୁଁ ବି ଗର୍ବରେ ହସି ଦିଏ। ଭାବେ ଥରେ ସ୍କୁଲ ଖୋଲୁ ଯୋଉ ସାଙ୍ଗ ସାଥି ମୋତେ ପରିହାସ କରୁଥିଲେ। ସଫେଇ କର୍ମୀ ର ପୁଅ ବୋଲି ମୋ ସହ ମିଶୁ ନଥିଲେ। ତାଙ୍କୁ କହିବି ସମାଜ ରେ ସଫେଇ କର୍ମୀ ଙ୍କ ଆବଶ୍ୟକତା କଣ। ସରକାର ପାଖେ ତାଙ୍କ ମର୍ଯ୍ୟାଦା କଣ! ମୁଁ ସ୍କୁଲ ଖୋଲିବା ଅପେକ୍ଷା ରେ ଥାଏ। ଆଉ ସମୟ ପ୍ରସ୍ତୁତି କରୁଥାଏ ଆମ ସମାଜ ର ପ୍ରକୃତ ରୂପ ମୋତେ ଦେଖାଇବାକୁ। 


ସେଦିନ ମା ହଠାତ ଅସୁସ୍ଥ ଅନୁଭବ କଲା। ଟେଷ୍ଟ ହେଲା ମା କୁ କୁଆଡେ କରୋନା ହେଇଛି ରିପୋର୍ଟ ଆସିଲା। କେବେ ମୋତେ ନିଜଠୁ ଅଲଗା କରି ନଥିଲା। ସେଦିନ ମା ବାଧ୍ୟ ହୋଇ ମୋତେ ତା ଠୁ ଦୂରେଇ ନେଇଥିଲା। ଚାଲିଯାଇଥିଲା କୋଭିଡ ସେଣ୍ଟର କୁ। ଆଖିରେ ଲୁହ ଥିଲା ତଥାପି ଅଭିନୟ ର ହସ ଭିତରେ ଲୁଚେଇ ଦେଇଥିଲା। ବାବୁରେ ମୁଁ ଜଲ୍ଦି ଫେରି ଆସିବି, ତୁ ବଡ଼ ପିଲା ହେଲୁଣି କେଇଟା ଦିନ ନିଜ ଦାଇତ୍ୱ ନେଇ ଚଳିବୁ। ବାସ ଏତିକି ତା ଶେଷ କେଇ ପଦ କଥା ଥିଲା।


ଯିବା ପାଞ୍ଚ ଦିନ ପରେ ସେ ସେହି ହସ୍ପିଟାଲ ବାରଣ୍ଡା ର ଏକ କୋଣରେ ପଲିଥିନି ଗୁଡେଇ ହୋଇ ପଡ଼ିଥିଲା। ଠିକ ସେ ସଫା କରୁଥିବା ଅଳିଆ ଆବର୍ଜନା ଭଳି। ନା କଥା କହୁଥିଲା ନା ନିଶ୍ୱାସ ଚାଲୁଥିଲା। ସେ ନିର୍ଜୀବ ହୋଇ ଯାଇଥିଲା। ସମାଜର ଅଳିଆ ଉଠଉ ଥିବା ମଣିଷ ଟି ନିଜେ ବର୍ଜ୍ୟବସ୍ତୁ ହୋଇ ଯାଇଥିଲା। ଏମିତି ଦୁଇ ଦିନ ବିତିଗଲା। ମା ଚାରିପଟେ ମାଛି ଭିଣି ଭିଣି କରୁଥାନ୍ତି କିନ୍ତୁ ସେଠାରେ କୌଣସି ମଣିଷ ର ଦେଖା ଦର୍ଶନ ନଥିଲା। ଲାଗୁଥିଲା ଯେମିତି ମାନବିକତା ମା ସହ ମରିଯାଇଛି। ପ୍ରଶାସନ ର କପଟ ଆଗରେ ସେ ଅନ୍ତିମ ଯୁଦ୍ଧ ହାରି ଯାଇଛି।


ମୁଁ କିନ୍ତୁ ମୋ ମା କୁ ହାରିବାକୁ ଦେବିନି। ସେଥିପାଇଁ ତା ଶବ କୁ ପିଠିରେ ଲଦି ଶ୍ମଶାନ ଶ୍ମଶାନ ବୁଲୁଛି। ବୁଲୁଛି ତା ଶେଷ ସଂସ୍କାର ପାଇଁ। ବୁଲୁଛି ତା ମୁହଁରେ ନିଆଁ ଟିକକ ଦେବା ପାଇଁ। ଜାଣିଛି ତା ପାଇଁ ଏ ସଭ୍ୟ ସମାଜ ରେ ସ୍ଥାନ ନାହିଁ। ସେ କୁଆଡେ କରୋନା ଆକ୍ରାନ୍ତ। ତାକୁ ଛୁଇଁବା ମନା। ତାକୁ ସର୍ବସାଧାରଣଙ୍କ ଶ୍ମଶାନ ରେ ପୋଡିବା ମନା। ସେ ସମାଜର ଆବର୍ଜନା ଉଠେଇ ନିଜେ ଅଳିଆ ପାଲଟି ଯାଇଛି। ଅଳିଆ ର ଶେଷ ସ୍ଥାନ କେବଳ ଅଳିଆ ଗଦାରେ। ଥକା ମେଣ୍ଟି ନଥାଏ, ପୁଣି ମା କୁ ପିଠିରେ ବୋହି ଚାଲିଲି ତା କର୍ମ ଭୂମି କୁ। ସହର ବାହାରେ ଥିବା ଅଳିଆ ଗଦା କୁ। ଯୋଉଠି ତା ସାରା ଜୀବନ ର କର୍ମ, ପୁଣ୍ୟର ମହା ସ୍ତୂପର ରୂପ ନେଇ ରହିଥିଲା। ଚାହିଁ ରହିଥିଲା ମା କୁ କୋଳେଇ ନେବାକୁ। ପାଉଁଶ କରି ମିଶେଇ ଦେବାକୁ ନିଜ ବକ୍ଷରେ। ସେଇଠି ମା କୁ ଶୁଆଇ ଦେଲି। ପଲିଥିନ ଖୋଲି ମୁହଁ କୁ ଦେଖିଲି। ତା ମୁହଁରେ ନା ଦୁଃଖ ଥିଲା ନା ଗ୍ଲାନି। ଥିଲା କେବଳ ହସ। ଲାଗୁଥିଲା ହସି ହସି ସେ ପୁଣି ଉଠି ଆସି ଓଳେଇ ନେବ ସାରା ସହର ର ଅଳିଆ।


Rate this content
Log in

Similar oriya story from Tragedy