Bibhu Samanta

Romance

3  

Bibhu Samanta

Romance

ବୁର୍ଖାବାଲୀ

ବୁର୍ଖାବାଲୀ

4 mins
246



ବଡ଼ ଭାଇର ବାହାଘରକୁ ଯିବ ବୋଲି ରାଜୀବ ଆଖିକୁ ନିଦ ନାହିଁ । ସେପଟୁ ମାମୁଁ ଆଉ ମାଉସୀଙ୍କ ଘନ ଘନ ଫୋନ । ଭାରି କଷ୍ଟରେ ଛୁଟି ମିଳିଲା ଦୁଇ ଦିନ ପାଇଁ । ଅଫିସରଙ୍କୁ କହି ଦୁଇଘଣ୍ଟା ଆଗରୁ ବାହାରି ଗଲା ସେ, ମାମୁଁ ଘରକୁ । ବାହାଘର କାଲି, କାମ କିଛି ହୋଇନି । ସେ ଯାଇ ସବୁ କିଛି ବୁଝାବୁଝି କଲା । ବରଯାତ୍ରୀ, ଭୋଜି, ଟେଣ୍ଟ ସବୁ କିଛି । ଗୋଟେ ମିନିଟ ବସିବାକୁ ବି ଫୁରସତ ନାହିଁ । ଏସବୁ ଭିତରେ ତା ଆଗକୁ ବାର ବାର ଚାଲି ଆସୁଥିଲା ଗୋଟେ ଚେହେରା । ଠିକ, କଇଁ ଫୁଲ ପରି ରଙ୍ଗ, ଆଉ କଳା ଭଅଁର ପରି ଦିଟା ଆଖି, ପଳାଶ ରଙ୍ଗର ନରମ ଓଠ ଆଉ ସେଥିରେ ଲାଖି ରହିଥିବା ବାରମାସି ହାସ୍ୟରେଖାଟିଏ । ବାସ, ଏତିକି ହିଁ ଦେଖିପାରେ ସେ । ବାହାଘର ଭିଡ଼ ଭିତରେ ଦେଖାଦେଇ ପୁଣି କୁଆଡେ ଲୁଚିଯାଏ । ଆନମନା ହୋଇ ପଡେ ସେ । କ୍ଷଣିକ ପାଇଁ ଭୁଲିଯାଏ ସବୁ । ମନ ଦୌଡିଯାଏ ସେ ଅପରିଚିତ ସୁନ୍ଦରୀ ତରୁଣୀ ପଛରେ । ଥରେ ଦି ଥର ଆଖି ମିଶିଛି, କିନ୍ତୁ ମନ କଣ ସେତିକିରେ ମାନେ? ରାଜୀବ ଅନେକ ଫୋଟୋ ଉଠେଇଛି ତାର, ତାକୁ ନ ଜଣେଇ ମୋବାଇଲ କ୍ୟାମେରାରେ ।

ସେ ଖବର ନେଲା, ତା ନାଁ ରୋଜା,ଆର ସାହି ସଲିମ ଚାଚାଙ୍କ ଝିଅ, ବାପା ମୁସଲମାନ, ହେଲେ ମା' ଓଡ଼ିଆ ହିନ୍ଦୁ, ଏଇ ଗାଆଁର ଝିଅ । ତା'ର ମୁସଲମାନଠୁ ବେଶି ହିନ୍ଦୁ ସାଙ୍ଗ, ଗାଆଁ କଲେଜରେ ପଢେ,ଏହି କ୍ରମେ କୁନି ମାଉସୀର ସାଙ୍ଗ । ବୟସରେ ସାନ ହେବ ତା ଠୁ । ବାହାଘରରେ ବନ୍ଧୁବାନ୍ଧବଙ୍କ କଥା ବୁଝିବାକୁ ମାଉସୀ ଡାକିଛି ତାକୁ । ସେ ସମସ୍ତଙ୍କ କଥା ବୁଝୁଥିଲା, ସୁଚାରୁ ରୁପେ । ବାହାଘରର କାମଧନ୍ଦା ଆଉ ଯାତ୍ରା କ୍ଲାନ୍ତି ଭିତରେ ରାଜୀବ ଶୋଇପଡିଛି ଛାତ ଉପରେ ଥିବା ଦୌଡ଼ିଆ ଖଟରେ । ମାଇଁ, ମାଉସୀ ଆସି କେତେ ଉଠେଇଛନ୍ତି । ସେ ଯାଇନି । ରାତି କେତେ ହେବ କେଜାଣି ତା ନିଦ ଭାଙ୍ଗିଲା । ଉଠି ଦେଖେ ତ ଛାତ ସାରା ଲୋକ । ତାକୁ ଶୋଷ ହେଲା, ସମସ୍ତେ ଶୋଇଛନ୍ତି । କାହାକୁ ଉଠେଇବ ପାଣି ପାଇଁ! ସମସ୍ତେ ତ ଥକି ଯାଇଛନ୍ତି, ଦିନସାରା କାମ କରି । ଲୋକଙ୍କ ଭିତରେ ବାଟ କରି ଧୀରେ ଧୀରେ ତଳକୁ ଆସୁଥିଲା । ଏତିକି ବେଳେ ତା ଗୋଡ଼ ବାଜିଗଲା କୁନିମାଉସୀ ଦେହରେ । ସେ ନିଦରେ କଡ଼ ଲେଉଟାଇଲା ବେଳକୁ ଚାଦର ଖସିଗଲା । ସେ ଦେଖିଲା ରୋଜା ସେଇଠି ଶୋଇଛି, ମାଉସୀ ପାଖେ । ଘଡ଼ିଏ ଠିଆ ହୋଇ ଦେଖିଲା ତାକୁ । ଜହ୍ନଆଲୁଅରେ ଚିକମିକ ଦିଶୁଥିଲା ତା ମୁହଁ । କେଜାଣି କାହିଁକି ସେ ଜହ୍ନଠୁ ବି ସୁନ୍ଦର ଦିଶୁଥିଲା । ସେ ସାୟର ଟେ ହେଇଥିଲେ, ଲେଖିଥାନ୍ତା ଦି ଧାଡି ସାୟାରୀ । ଏତେ ପାଖରୁ ଏତେ ସମୟ ଧରି ଦେଖିବାର ସୁଯୋଗ ଆଉ କେବେ ମିଳିବ କି ନାହିଁ କେଜାଣି? ସେ ରୂପ ଭିତରେ ହଜିଯାଇଛି ସେ । ଏତିକିବେଳେ କାହାର ହଲଚଲ ହେବା ଜାଣି ପାରି ସେ ଫେରିଆସିଲା ନିଜ ସେଜ ପାଖକୁ । ତକିଆ ପାଖରୁ ମୋବାଇଲ ଆଣି ଦେଖିଲା ସବୁ ଯାକ ଫୋଟୋ । କେବେ ଦେଖି ହସୁଥିଲା କେବେ ଆଖିରେ ଚୁମି ଦେଉଥିଲା ତାକୁ । ସେଠି ଭିତରୁ ଗୋଟିଏ ଫୋଟରେ ରୋଜା ସୁନ୍ଦର ହସ ଥିବା ଫୋଟୋକୁ ରଖିଛି ତା wallpaperରେ । ରୋଜା କଥା ଭାବି କେତେବେଳେ ନିଦ ହେଇ ଯାଇଛି ଜାଣିନି ସେ । ସକାଳୁ ଉଠି ଦେଖେ ତ ତାକୁ କିଏ ଘୋଡେଇ ଦେଇଛି ଚାଦରଟେ । ଏଇଟା ସେଇ ଚଦର ଯୋଉଟା ରୋଜା ଘୋଡେଇ ହୋଇଥିଲା କାଲି ରାତିରେ । ରୋଜା ଚା ନେଇ ଆସିଲା ହସି ହସି । ଯେ ଯୁଆଡେ ଉଠି ଯାଇ ସାରିଥିଲେ । ଚା କପ ନେଲା ବେଳେ ରାଜୀବ ଦେଖୁଥିଲା ରୋଜାର ଆଖି ଯୋଡ଼ାକୁ । ଯେ ସାଇତି ରଖିଥିଲା ତା ଭିତରେ ଅନେକ କାହାଣୀ । ଚା' ଦେଇ ଯାଉ ଯାଉ ରାଜୀବ ପଚାରିଲା, "ଶୁଣ! ମୋତେ ରାତିରେ ଚାଦର କିଏ ଘୋଡେଇଲା?" ସେମିତି ପଛକରି ଉତ୍ତର ଦେଲା, "କେଜାଣି! "ରାଜୀବ କହିଲା, "ଯାହାର ହଉ, ଚଦରଟା ରୋଜ ରୋଜ ବାସୁଛି।" ଏତିକି କହି ଚୁମାଟିଏ ଦେଲା ଚାଦରକୁ।ଲାଜରେ ଜଡ଼ସଡ଼ ହୋଇ ରୋଜା ମୁହଁରୁ ବାହାରି ପଡ଼ିଲା "ହାଏ ଆଲ୍ଲା" ଆଉ ଧାଇଁ ଚାଲିଗଲା ସେଇଠୁ ।

ବାହାଘର ଭିତରେ ଅନେକ ଥର ସାମ୍ନାସାମ୍ନି ହୋଇଛନ୍ତି ସେମାନେ । ଲୋକମାନେ ଦେଖିଛନ୍ତି ତାଙ୍କୁ ସାଙ୍ଗ ହୋଇ ଭୋଜି ଖାଇଲାବେଳେ, ଏକାଠି କାମ କଲା ବେଳେ, ଆଉ କଥା ହେଲାବେଳେ । କେତୋଟି ଛୋଟ ଛୋଟ ଦେଖାଚାହାଁରେ, ରାଜୀବକୁ ଭଲ ଲାଗୁଥିଲା, ତା ଉର୍ଦୁ ମିଶା କଥା, ଆଉ ରୋଜାକୁ ଭଲ ଲାଗୁଥିଲା ତା ମଜାଳିଆ ସ୍ଵଭାଵ । ପ୍ରେମ ପରା ଏମିତି ପାଠ ଯେ ଛାତିରେ ଫୁଲ ଫୁଟେଇ ପାରେ, ଆଉ ଏଠି ତ ପ୍ରୀତି ବାଲିତୁଠେ ଭିଜା ପଟୁ ମାଟି ମୁଠେ, କେତେ ସମୟ ବା ଲାଗନ୍ତା ଯେ ଅଙ୍କୁରଠୁ ଅସୀମ ମହାଦ୍ରୁମ ହେବାକୁ।କଥାଟି କେମିତି ବନାଗ୍ନି ପରି ପହଞ୍ଚିଗଲା ରୋଜା ଘରେ।

ତାପରେ ଆରମ୍ଭ ହେଲା ଅତ୍ୟାଚାରର ଅଧ୍ୟାୟ । ଗାଳି ଓ ମାଡ଼ର ପର୍ବ । ସବୁ କିଛି ଚୁପଚାପ ସହିଗଲା ସେ । କଣ ପାଇଁ ଏ ଅତ୍ୟାଚାର? ପ୍ରେମ ପାଇଁ ? ରକ୍ଷଣଶୀଳତା ମାନେ କଣ ଏଇୟା? ଆକାଶ କଣ ମାଟିକୁ ମାଗେ ତା ପରିଚୟ? ସେ ତ ଏଯାଏ ବୁଝିନି ପ୍ରେମ କଣ । ଖାଲି ଯାହା ଏତିକି ଜାଣେ ସେ କାହାକୁ ଭଲ ଲାଗେ, ଏଇ କଣ ପ୍ରେମ! ହେଲେ ହେଇଥିବ, ତାକୁ ବି ରାଜୀବ ଭଲ ଲାଗେ । ଏଥି ପାଇଁ କଣ ଏତେ କଟକଣା । ତାକୁ ଘରୁ ଗୋଡ଼ କାଢ଼ିବା ମନା? ସାଙ୍ଗସାଥି ମନା? ଘର ଭିତରେ ବନ୍ଦୀ ସେ । ସେଦିନର ଚଳଚଞ୍ଚଳ ରୋଜାର ପାଦରେ ବେଡି ପଡିଯାଇଛି।ସମ୍ପର୍କର ଆକଟରେ ଛନ୍ଦି ହୋଇ ପଡିଛି ଯେମିତି । ଦିନେ ଖରାବେଳେ ସମସ୍ତେ ଶୋଇବା ପରେ,ପଡିସା ଘର ଝିଅ କହିଲା, ସଞ୍ଜରେ ଯିବାକୁ ସ୍କୁଲ ପଛ ପୋଖରୀ ପାଖକୁ।ଖବର ଦେଇଥିଲା ରାଜୀବ, ସେ ଚାଲିଯିବ ଆଜି ସନ୍ଧ୍ୟାରେ । ଅନେକ ସମୟ ଭାବିଲା, ବିଛଣାରେ ପଡି ପଡି, ନିଜକୁ ଦୃଢ଼ କଲା, ଉଭେଇ ଗଲା ଦେହର ଦରଜ, ସବୁ ଦୁଃଖ, କେବଳ ପଦିଏ କଥାରେ । ମୁହଁ ଆଉ ଦେହର ମାଡ଼ର ଦାଗ ଲୁଚେଇବାକୁ ପିନ୍ଧି ଦେଲା ଅମ୍ମୀଙ୍କ ବୁର୍ଖାକୁ । ଆଉ ବାହାରିଗଲା ପୋଖରୀ ଆଡକୁ ଲୁଚିଲୁଚି । ପ୍ରେମକୁ କଣ ବାନ୍ଧି ହୁଏ ଚାରି କାନ୍ଥ ଭିତରେ? ସେ ତା ରାସ୍ତା ନିଜେ ଖୋଜିନିଏ । କେତେଥର ଝୁଣ୍ଟିଛି ସେ ନିଜେ ବି ଜାଣିନି, ସେ ଚାଲିଛି ସେ ଅନ୍ଧାର ଅପନ୍ତରା ଗାଉଁଲି ରାସ୍ତାରେ, କେହି କାଳେ ଚିହ୍ନି ଦେବ ତାକୁ ସେଇ ଭୟରେ । ଗୋଟେ ପଟେ ରାଜୀବ ଚାଲି ଯିବାର ଦୁଃଖ ଆଉ ଗୋଟେ ପଟେ ନଜରବନ୍ଦୀ ହେବାର ଜ୍ବଳନ । ଆଖିରେ ଧାର ଧାର ଲୁହ ଆଉ ଛାତିରେ କୋହ ଧରି । ପ୍ରିୟ ମଣିଷ ପାଖେ ବର୍ଷିଯିବ ସବୁତକ ଦୁଃଖ ଯନ୍ତ୍ରଣା ଲୁହ ହୋଇ । ୟାକୁ ଆକର୍ଷଣ କୁହାଯିବ ,ମାୟା କୁହାଯିବ, ନା କୁହାଯିବ ପ୍ରେମ । ଯେ ପରିଣତିର ଭୟ କରେନି । ଠିକ ଯେମିତି, ସେଦିନ ରାଧାରାଣୀ ମୁଣ୍ଡରେ ଓଢଣା ଟାଣି ଚାଲିଆସିଥିଲେ ଗୋପ ଦାଣ୍ଡରେ ସବୁ ନିନ୍ଦା ଅପବାଦକୁ ପଛକରି ଯମୁନା କୂଳକୁ, କଳାକାହ୍ନୁର ପ୍ରେମରେ । 



Rate this content
Log in

Similar oriya story from Romance