Bibhu Samanta

Children

4  

Bibhu Samanta

Children

ଦିଅଁ ଗାଧୁଆ

ଦିଅଁ ଗାଧୁଆ

6 mins
360


ବିନୁ ବିନୁ ମଝିଦାଣ୍ଡ ରୁ ଡାକ ଛାଡି ଘର ଆଡ଼େ ଆସୁଥିଲେ, ଜୁଲି ଅପା। ଛ ବର୍ଷର ବିନୁ ତାଙ୍କ ପାଟି ଶୁଣି ବାରିପଟ ଦେଇ, ଧାଇଁଗଲା ଖେଳ ପଡିଆକୁ। ସେ ଜାଣେ ଜୁଲି ଅପା ତାକୁ ଯାହା ହେଲେ ଗୋଟେ କାମ ବରାଦ କରିବେ। ସଞ୍ଜ କୁ ଫେରି ଦେଖେ ତ, ଶୋଇବା ଘର ଖଟ ଉପରେ ରଖା ହୋଇଛି ନୂଆ ନୂଆ ଖେଳଣା, ଘଡି, ନୂଆ ଜାମା। ପାଖରେ କେହି ଦିଶୁ ନାହାନ୍ତି। ସେ ବୁଝିନେଲା ଜୁଲି ଅପା, ତା ପାଇଁ ଏସବୁ ଆଣିଛନ୍ତି। ହେଲେ, ସେ ବୋଧେ ଚାଲିଗଲେଣି। ଏଇଥି ପାଇଁ ବୋଧେ ଅଧା ବାଟରୁ ଡାକୁଥିଲେ। ଯାଇଥିଲେ କଣ ଭୂଲ ହୋଇଥାନ୍ତା? ଭଲ ହେଲା , ଗୋଟେ ପ୍ରକାର ! ଦେଖା ହେଲାନି, ତାଙ୍କ ସହ। ନହେଲେ ଗୋଡ଼ ଘଷେଇ ଥାନ୍ତେ ନହେଲେ ମୁଣ୍ଡ ଚିପିବାକୁ ପଡ଼ିଥାନ୍ତା। 

ସେ ଦେଖୁଛି ସବୁ ଖେଳଣାକୁ, ତା ନଜର ପଡିଲା ଥାକରେ ରଖା ହୋଇଥିବା ନୂଆ ଜଗନ୍ନାଥ ମୂର୍ତ୍ତି ଉପରେ। ତାକୁ ଘଡ଼ିଏ ଦେଖିବାକୁ ଲାଗିଲା ସେ। ତାକୁ ହାତରେ ଧରି ଦେଖିଲା, ଠିକ ଏମିତି ମୂର୍ତ୍ତି ସେ ଗାଁ ମନ୍ଦିରରେ ଦେଖିଛି। ଟିଭିରେ ବି ଦେଖିଛି କେତେ ଥର। ଆଜି ପାଖରେ ପାଇଛି। ତାକୁ ଲାଗିଲା ଯେମିତି ସେ ଖଣ୍ଡିଆ ହାତ କଣ୍ଢେଇଟା ତାକୁ ହାତ ଠାରି ଡାକୁଛି। ଆଉ କହୁଛି,"ମୋତେ ନେ, ଧର ଟିକେ। ମୁଁ କଣ ତୋ ସାଙ୍ଗ ନୁହେଁ?" ବିନୁ ହସି ହସି କହୁଛି," ତୁ ଏମିତି କଣ ପାଇଁ, ତୋ ହାତ କୁଆଡେ ଗଲା, ତୁ ଖାଇବୁ କେମିତି? ତୋର ଗୋଡ଼ ନାଇଁ, ମୋ ସାଙ୍ଗେ ଖେଳ ପଡିଆ ରେ ଧାଇଁବୁ କେମିତି?" ତାକୁ ଲାଗିଲା ସେ କିଛି କହୁଛି। ବିନୁ କହିଲା,"ତୁ ଏତେ ଛୋଟ ତୋ କଥା ମୁଁ ବୁଝିବି କେମିତି ? ବୋଉ ଆସୁ ବୁଝେଇ ଦେବ ମୋତେ।" ଏତିକି ବେଳେ ଘର ଭିତରକୁ ପଶି ଆସିଲେ, ଜୁଲି ଅପା, ଆସି ତାକୁ ପଚାରିଲେ," ହଇରେ ଟୋକା,! ମୁଁ ଏତେ ଜୋରରେ ଡାକୁଛି ତୋତେ ରାସ୍ତାରୁ ତୋତେ ଶୁଭୁନି?" ବିନୁ କହିଲା, "ଶୁଭିଛି ଯେ, ସେପଟେ ଜେଜେ ପରା ଡାକିଲେ, ବାଡ଼ିପଟ କୁ ପାଣି ଦେବାକୁ।" ଜୁଲି ଅପା, କହିଲେ, "ଚୁପ ମିଛୁଆ,! ଜେଜେ ତ ବିଲ ରୁ ଏବେ ଫେରିଲେ।" ସେ ଟିକେ ଜୁଲି ଅପା ପାଖେ ଗେହ୍ଲେଇ ହୋଇ ପଚାରିଲା, "ଅପା ତୁମ କଲେଜ ରେ କଣ ଏଇ ସବୁ ଖେଳଣା ମିଳୁଛି?"  

- "ନାଇଁ, କଲେଜ ପାଖେ ଗୋଟେ ମେଳା ପଡିଥିଲା। ମୁଁ ଯାଇଥିଲି ବୁଲିବାକୁ। ନେଇ ଆସିଲି କିଛି । ହେଲେ, ତୋତେ କିଛି ମିଳିବନି।" ମଜା କରିବାକୁ ଯାଇ କହିଲେ ଜୁଲି ଅପା । ବିନୁ ପ୍ରଶ୍ନବାଚୀ ଦୃଷ୍ଟିରେ ତାଙ୍କ ଆଡେ ଚାହିଁଲା। ସେ କହିଲେ, "ତୁ କୋଉ ମୋ କାମ କରି ଦେଉଛୁ କି?" ଯା କିଛି ଦେବିନି ତୋତେ।" ବିନୁ ଅପା ଙ୍କ ଦେହରେ ଘଷି ହୋଇ କହିଲା," ମୋତେ, ଏ ଖେଳଣା, ଘଡି, ନୂଆ ଜାମା କିଛି ଦରକାର ନାହିଁ । ପୂଜା ଆଉ ଲିପି କୁ ଦେଇଦିଅ।ସେମାନେ ଖେକିବେ, ସେମାନେ ମୋ ଠୁ ସାନ। ମୁଁ ଖାଲି ଏଇ ଟାକୁ ନେବି, "ଜଗନ୍ନାଥ ମୂର୍ତ୍ତି ଟି ଧରି କହିଲା। ଅନୁରୋଧ କରିବା ଭଙ୍ଗୀରେ । ଜୁଲି ଅପା ପଚାରିଲେ," କିରେ!, ଏଇଟା ନେଇ ତୁ କଣ କରିବୁ। ବିନୁ କହିଲା, "କିଛି ନା, ୟା ସାଙ୍ଗେ ସାଙ୍ଗ ହେବି। ଯୁଆଡେ ଯିବି ସାଙ୍ଗରେ ନେବି। କୋଳି ଖୋଇବି।" ବିନୁ ର ବୋଉ, ଆସି କହିଲେ, "ସେ କଣ ଖେଳଣା, ସେ ପରା ଦିଅଁ।! ତାଙ୍କୁ ନେଇ କଣ ଖେଳନ୍ତି? ଦିଅଁ ରାଗିବେ। ଥୋଇଦେ "। ବିନୁ ଜୁଲି ଅପା ହାତ ଧରି ଜିଦ କଲା, ସେ କହିଲେ," ଥାଉ ଭାଉଜ, ସେ ଖେଳୁ।" ବିନୁ ଅପା ତାକୁ କହିଲେ, "ଦେଖ ବିନୁ, ଖେଳିବୁ ଯେ ତାଙ୍କର ଯତ୍ନ ନେବୁ। ତାଙ୍କୁ ଯେମିତି ଟିକେ ବି କଷ୍ଟ ନ ହୁଏ ସେ କଥା ଦେଖିବୁ। ନହେଲେ ସେ ଚାଲିଯିବେ ତୋ ପାଖରୁ ସବୁଦିନ ପାଇଁ।"

ସେଦିନ ଠୁ ବିନୁ କୁ ନୂଆ ସାଙ୍ଗଟେ ମିଳି ଗଲା। ସବୁ ସମୟ ଏବେ ତା ସହ କଟେ। ସ୍କୁଲ ରୁ ଫେରି ସବୁ ଘଟଣା କହେ, ତା ଆଗେ। କେମିତି ଆଜି ଶ୍ରେଣୀରେ ରାଜୁ ତାକୁ ମାରିଲା, କେମିତି ଦିଦି ତାକୁ ଗାଳି ଦେଲେ। ସେ ଅଭିଯୋଗ କରି କୁହେ, ତୁ ଥରେ ମୋ ସହ ସ୍କୁଲ ଚାଲନ୍ତୁନି? ମୁଁ କହି ଦିଅନ୍ତି ଦେଖ ମୋ ସାଙ୍ଗ ଆସିଛି। ହେଲେ, ତୁ ତ ଏତେ ଛୋଟ କେମିତି ଯିବୁ ଯେ ମୋ ସାଙ୍ଗେ। ଟିକେ ବଡ଼ ହେଇଯା, ଦିହେଁ ସାଙ୍ଗ ହୋଇ ଯିବା, ବୋଉ ତାର ଖାଇବାକୁ ବାଢିଲେ, କହେ "ଆଉ ଗୋଟେ ଜାଗାରେ ଦେ। ମୋ ସାଙ୍ଗ ଖାଇବ। ସେ ଏତେ ଛୋଟ, ମୁଁ ସିନା ବୁଝିପାରୁନି ଟା କଥା, ତୁ ତ ପାରୁଛୁ। କହ କଣ କହୁଛି ସେ। " ବୋଉ ତା କଥା ଶୁଣି ହସି ଦିଏ। ଜେଜେ ଙ୍କ ପାଖରୁ ପାନ ଖଣ୍ଡେ ଖାଇ, କହେ "ଦେଖିଲୁ ତୋ ପାଟି ବେସି ଲାଲ ନା ମୋର?" ଆଉ ଦିନେ ତାକୁ ପଚାରିଲା, "ସତ କହ, ତୋତେ ସେ ଦେଉଳ ରେ ବସି ସଜ ହେବାକୁ ଭଲ ଲାଗେ ନା ମୋ ବକର ବକର ଶୁଣିବାକୁ?" ଉତ୍ତର କଣ ପାଏ ସେ ହିଁ ଜାଣେ। ଯାହା ବି କରେ, କହେ ତା ସାଙ୍ଗ କୁ। ଯାହା ପାଏ ତା ପାଇଁ ନେଇ ଆସେ। ଏଇ କଣ ଭକ୍ତି ନୁହେଁ। ପାଞ୍ଚ ବର୍ଷର ପିଲା କେତେ ବା ବୁଝେ। ଜୁଲି ଅପା ଙ୍କ ଗୋଡ଼ ମୋଡିଲା ସେ ପଚାରି ବୁଝେ। ତା ସାଙ୍ଗ କଥା। କଣ ତାକୁ ଭଲ ଲାଗେ ଖାଇବାକୁ, ପିନ୍ଧିବାକୁ ଇତ୍ୟାଦି।

ଖରା ଦିନ ସ୍କୁଲ ଛୁଟି ହୋଇଗଲା। ଏବେ ତ ସାରାଦିନ ସେ ଘରେ। ଅନେକ ସମୟ ପାଏ ତା ନୂଆ ସାଙ୍ଗ ସହ କଥା ହେବାକୁ। ସେ ତାର ଗୋଟେ ନୂଆ ନାଁ ବି ଦେଇଛି, "ବଡିଆଇ", ମାନେ ବଡ ବଡ ଆଖି ବାଲା। ଇଂରାଜୀ ରେ ଆଇ( eye) ମାନେ ଆଖି।ତେଣୁ ଏମିତି ନାମକରଣ। ଖୁଡି ଘନିଷ୍ଠ ହେଲାଣି ତାଙ୍କ ବନ୍ଧୁତା। ସେଦିନ ଅପୂର୍ଣ୍ଣ ଦିଅଁ ଟା ଆଜି ତା ପାଇଁ ପରିପୂର୍ଣ୍ଣ। ଦିନେ ଖରାଦିନେ ବୋଉ ପାଖେ ଶୋଇଛି, ଲାଇନ ଚାଲିଗଲା। ଗରମ ରେ ଦେହ ହାତ ଝାଳ। ସେ କେତେ ବା ପୋଛିବ। ସେ ଚୁପଚାପ ବୋଉ ପାଖରୁ ଉଠି ଯାଇ ବାହାର କୁ ଚାଲି ଆସିଲା।ଆସିଲା ବେଳେ ତା ସାଙ୍ଗକୁ ବି ନେଇ ଆସିଲା। ବାହାରେ ବି ଗରମ ଜୋରରେ। ସେ ବିଚାରକଲା ଗାଧୋଇ ପଡିଲେ ଥଣ୍ଡା ଲାଗିବ। ସେ ବାଡ଼ି ପଟକୁ ଯାଇ , କୁଣ୍ଡରେ ଥିବା ପାଣିରେ ଗାଧୋଇଲା,ମନ ଭରି। ଭାବିଲା ଟା ସାଙ୍ଗକୁ ବି ଗରମ ହେଉଥିବ ନା! ତାକୁ ଆଣି ଗାଧୋଇ ଦେଲେ କେମିତି ହୁଅନ୍ତା? ସେ ଆଣି ଗାଧୋଇଦେଲା। କଳା ଶ୍ରୀମୁଖରେ ପାଣି ପଡି ରଙ୍ଗ ସବୁ ଧୋଇ ଗଲା। ଏବେ ସେ ଆଉ ତା ବଡ଼ିଆଇ ପରି ଦିଶିଲାନି। ରଙ୍ଗ ସବୁ ନେସି ହୋଇ କେମିତି ଗୋଟେ ଅଲଗା ଦିଶିଲା। ଆହା! କି କାମ ଟେ ନ କଲା ସେ। ଏତେ ସୁନ୍ଦର ରୂପ କୁ ଏମିତି ବିଗାଡି ଦେଲା। କେତେ ରାଗୁଥିବ ତା ସାଙ୍ଗ।ନିଜ ଭୁଲ ପାଇଁ ଅନେକ ଅନୁତାପ କଲା। ବହୁତ କାନ୍ଦିଲା। କିଏ ବା ଶୁଣିବ ତା କାନ୍ଦ, ଖରାବେଳଟାରେ ବାଡ଼ି ପଟରେ। କାହାକୁ କିଛି ନ କହି ଦିଅଁଙ୍କୁ ଲୁଚେଇ ଦେଲା ତା ପଢା ଥାକରେ। ବହି ଭିତରେ। ଆଉ ଶୋଇ ପଡ଼ିଲା ବୋଉ ପାଖରେ। ସାଙ୍ଗ କଥା ଭାବି ଭାବି ତାକୁ ଜ୍ୱର ହୋଇଗଲା। ଉଠିଲା ବେଳକୁ, ମୁଣ୍ଡ ବିନ୍ଧା ଆଉ ଦେହ ହାତ ଦରଜ। , ଦେହରେ ଖଇ ଫୁଟ ତାତି, ବୋଉ ତା ମଥାରେ ଅମୃତାଞ୍ଜନ ଲଗେଇ ଘଷି ଦେଲା, ଔଷଧ ଦେଲା, ତାର ମନେ ପଡ଼ିଲା, ସାଙ୍ଗ କଥା , ତାକୁ ବି ତ ଜ୍ଵର ହିଇଥିବ, ଟା ମୁଣ୍ଡ ବି ବିନ୍ଧୁଥିବ। ବୋଉ ଗଲା ପରେ ଭାରି କଷ୍ଟରେ ଉଠି କିଛି ଅମୃତାଞ୍ଜନ ନେଇ ତା ସାଙ୍ଗ ମଥାରେ ବୋଳି ଆସିଲା। ମନ ଭିତରେ ଦୋଷୀ ଦୋଷୀ ଲାଗୁଥାଏ ତାକୁ। ସେମିତି ବିଛଣାରେ ପଡିଥାଏ ସେ ଚୁପ ହୋଇ। ତା ପରଦିନ,ଜୁଲି ଅପା ଆସି କହିଲେ, "ବିନୁ ଆ ଯିବା।ଦେଉଳ ଆଡେ। ଆଜି ପରା ସ୍ନାନ ଯାତ୍ରା।" ସେ ମନା କଲା, "ମନ୍ଦିର ଦିଅଁ କେତେ ସୁନ୍ଦର। ସେ ସେଇଠି ରହିବା କଥା। ମୋ ପାଖେ ନୁହେଁ।ବୋଉ କହୁଥିଲା, ସେ ଦିଅଁ, ତାଙ୍କୁ ନେଇ ଖେଳି ହୁଏନି।" ସେ ମାନି ଲାନି। ଜୁଲି ଅପା ବି ଠିକ କହୁଥିଲେ, ତାଙ୍କୁ କଷ୍ଟ ହେଲେ ସେ ଚାଲିଯିବେ ସବୁଦିନ ପାଇଁ। ଏବେ ସେୟା ହେଲା। ସେ ନେସି ହୋଇ ଯାଇଥିବା କଳା ଧଳା ରଙ୍ଗ ଭିତରେ ଖୋଜି ପାଉ ନଥିଲା ଟା ସାଙ୍ଗକୁ। ସବୁ କହିଲା ସେ, ଜୁଲି ଅପା ଆଉ ବୋଉ ଆଗେ କାନ୍ଦି କାନ୍ଦି। ଜୁଲି ଅପା, ବୁଝି ପାରି କହିଲେ, "ଆ ଯିବା ଦେଉଳ। ସେଠି ମିଠା ଜାମୁକୋଳି ଫଳିଛି। ସେ ଜାମୁକୋଳି ଖାଇଲେ ତୋ ସାଙ୍ଗ ଠିକ ହୋଇଯିବ।" ବିନୁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା। 

ଦେଉଳରେ ଯାଇ ଦେଖେ ତ, ସ୍ନାନ ମଣ୍ଡପରେ ଓଦା ସର ସର ହୋଇ ବସିଛି ତା ସାଙ୍ଗ। ପାଣିରେ ଭିଜି ସେମିତି ରଙ୍ଗ ସବୁ ବୋହି ଯାଇଛି। ତଥାପି ସେ ନାଳିଆ ଓଠ ଦେଖେଇ ହସୁଛି। ସେ ହସ ଖାଲି ବିନୁ ପାଇଁ। ବିନୁ ନିରେଖି ଦେଖୁଚି ତାକୁ। ମନ୍ଦିରର ଦିଅଁ ଭିତରେ ତା ବଡ଼ିଆଇ ଦିଶି ଯାଉଛି ତାକୁ। ମଣ୍ଡପ ତଳେ ଠିଆ ହୋଇ ପଚାରୁଛି, "ତୋ ଦେହରେ ପାଣି ପଡ଼ିଲାରୁ କଣ ସାଙ୍ଗେ ସାଙ୍ଗେ ବଡ଼ ହୋଇଗଲୁ? ଏବେ ତ ଆମେ ଦୁଇ ଜଣ ସାଙ୍ଗ ହୋଇ ସ୍କୁଲ ଯାଇ ପାରିବା ନା? ତୁ ମୋ ଉପରେ ରାଗିଥିବୁ ନା? ସେଥିପାଇଁ, ଛାଡି ଚାଲି ଆସିଲୁ! ଏଇ ଦେଖ ମୁଁ ଆସିଛି ତୋ ପାଖକୁ ତୋତେ ନେଇ ଯିବାକୁ। କହ, ଯିବୁନି ମୋ ସାଙ୍ଗେ? ସତ କହୁଛି ଆଉ ଏମିତି କରିବିନି, ଦେଖ ! ମୁଁ କଣ ଧରୁଛି ତୋ ଆଗେ।" କେହି ଜଣେ ନନା କହୁଥିଲେ, "ଦିଅଁ ଙ୍କୁ ଏବେ ଜ୍ୱର ହେବ ଏବେ, ସେ ଔଷଧ ଖାଇ ବିଶ୍ରାମ ନେବେ।" ଛଳଛଳ ଆଖିରେ ବିନୁ ତୋଳିଥିବା , ଜାମୁକୋଳି ଥୋଇ ଦେଇ ଆସିଲା ସ୍ନାନ ମଣ୍ଡପରେ। ଫେରିବା ବାଟରେ, ତାକୁ କେହି ଜଣେ କହୁଥିଲା, ସାଙ୍ଗ ତୋରି ପାଇଁ ପରା, ମୁଁ ଏମିତି ରୂପରେ ବସିଛି। ଯଦି, ତୁ ଦେଖିପାରୁନୁ ମୋ ମୁହଁ,ତାହେଲେ କେହି ବି ଦେଖିପାରିବେନି। ତୁ କଣ ଖୁସି ନୁହେଁ? ବିନୁ ବୁଲି ଚାହିଁଲା, ମଣ୍ଡପ ଆଡେ, ସେ ଦେଖୁଥିଲା, ଟା ବଡିଆଇ ତାକୁ ଚାହିଁ ହସୁଛି, ଆଉ ମଣ୍ଡପ ଉପରେ ରଖିଥିବା ଜାମୁକୋଳି ନାହିଁ ସେଇଠି।



Rate this content
Log in

Similar oriya story from Children